Categories
ଆଜିର ଖବର ରାଜ୍ୟ ଖବର

ନୂଆବର୍ଷରେ ଏଥର ପୁରୀରେ ରେକର୍ଡ ସଂଖ୍ୟକ ଭକ୍ତ, ରାତିରୁ ଶ୍ରୀଜିୟୁଙ୍କ କଲେ ଦର୍ଶନ

ପୁରୀ: ଚଳିତ ବର୍ଷ ପୁରୀରେ ରେକର୍ଡ ସଂଖ୍ୟକ ଭକ୍ତ ମହାବାହୁଙ୍କୁ ଦର୍ଶନ କରିଛନ୍ତି। ପୂର୍ବ ବର୍ଷର ରେକର୍ଡ ଭାଙ୍ଗି ଏଥର ପ୍ରବଳ ଭକ୍ତଙ୍କ ସମାଗମ ହୋଇଛି। ପୁରୀ ପୋଲିସ ତଥ୍ୟ ଅନୁସାରେ ରାତି ଦୁଇଟାରୁ ଆଜି ଭୋର ପର୍ଯ୍ୟନ୍ତ ପ୍ରାୟ ଏକ ଲକ୍ଷ ଭକ୍ତ ଦର୍ଶନ କରିଛନ୍ତି। ରାତିରୁ ମରିଚିକୋଟ ଛକରୁ ସିଂହଦ୍ବାର ପର୍ଯ୍ୟନ୍ତ ଲମ୍ବା ଲାଇନ ଲାଗି ରହିଥିଲା।

ଚଳିତ ବର୍ଷ ପ୍ରଥମ ଥର ପାଇଁ ନୂଆ ବର୍ଷରେ ରାତି ଗୋଟାଏରୁ ଶ୍ରୀମନ୍ଦିର ଖୋଲାଯାଇଥିଲା। ଭିଡକୁ ଲକ୍ଷ୍ୟ ରଖି ମନ୍ଦିର ପ୍ରଶାସନ ଏଥର ଶ୍ରୀମନ୍ଦିର ରାତି ଦଶଟାକୁ ବନ୍ଦ କରି ରାତି ଗୋଟାଏ ବେଳକୁ ଖୋଲିଥିଲେ। ନୂଆ ବର୍ଷରେ ଠାକୁରଙ୍କୁ ଦର୍ଶନ କରି ନିଜର କାର୍ଯ୍ୟ ଆରମ୍ଭ କରିବା ପାଇଁ ଗତକାଲି ରାତିରୁ ପ୍ରବଳ ଭିଡ ପରିଲକ୍ଷିତ ହୋଇଥିଲା।

Categories
ଆଜିର ଖବର ରାଜ୍ୟ ଖବର

ଧାଡିରେ ଛିଡା ହେବା ଦରକାର ନାହିଁ, ଅନଲାଇନରେ ମଗାଇ ପାରିବେ ସରକାରୀ ଡାଏରୀ ଓ କ୍ୟାଲେଣ୍ଡର

ଭୁବନେଶ୍ବର: ଆପଣ ସରକାରୀ ଡାଏରୀ ଓ କ୍ୟାଲେଣ୍ଡର ପାଇବା ପାଇଁ ଜୟଦେବ ଭବନରେ ଆଉ ଧାଡିରେ ଛିଡା ହେବା ଆବଶ୍ୟକ ନାହିଁ। ଆପଣ ଘରେ ବସି ଏହି ଡାଇରୀ ଓ କ୍ୟାଲେଣ୍ଡର ପାଇପାରିବେ। ଏ ନେଇ ରାଜ୍ୟ ସରକାରଙ୍କ ପ୍ରିଣ୍ଟିଂ, ଷ୍ଟେସନାରୀ ଓ ପ୍ରେସ ନିର୍ଦ୍ଦେଶାଳୟ ତରଫରୁ ବିଜ୍ଞପ୍ତି ପ୍ରକାଶ ପାଇଛି।

ଏଥିରେ କୁହାଯାଇଛି ଆପଣ ଘରେ ବସି adisha.in କିମ୍ବା boyanika.com ରେ ଲଗଅନ କରି ଜାନୁୟାରୀ ପହିଲାରୁ ଏହା ହାସଲ କରିପାରିବେ।

Categories
ବିଶେଷ ଖବର ରାଜ୍ୟ ଖବର

ନୂଆବର୍ଷ ପିକନିକ୍ ସମୟରେ ଏହା ନ କରିବା ପାଇଁ ମୁଖ୍ୟ ଶାସନ ସଚିବ ଲୋକଙ୍କୁ କଲେ ନିବେଦନ

ଭୁବନେଶ୍ବର: ପ୍ଲାଷ୍ଟିକ୍ ବ୍ୟବହାର ବିନା ପିକନିକ୍ ବା ବଣଭୋଜି କରିବାକୁ ମୁଖ୍ୟ ଶାସନ ସଚିବ ଶ୍ରୀ ପ୍ରଦୀପ କୁମାର ଜେନା ରାଜ୍ୟର ସମସ୍ତ ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି । ଏ ଦିଗରେରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଏବଂ “ୟୁଥ୍ ଫର୍ ୱାଟର” ସାମାଜିକ ଅନୁଷ୍ଠାନ ରାଜ୍ୟବ୍ୟାପୀ ସଚେତନତା ଅଭିଯାନ କରୁଛନ୍ତି। ଅନ୍ୟ ପରିବେଶପ୍ରେମୀ ଜନସାଧାରଣ, ନାଗରିକ ସମାଜ ଓ  ସ୍ୱେଚ୍ଛାସେବୀ ଅନୁଷ୍ଠାନମାନେ ମଧ୍ୟ ନିଜ ନିଜ ସ୍ତରରେ ସଚେତନତା କାର୍ଯ୍ୟକ୍ରମ କରିଆସୁଛନ୍ତି।

ଏହି ଆହ୍ୱାନ ହେଉଛି ଏକ ନିଆରା ଏବଂ ପ୍ରଶଂସନୀୟ ପଦକ୍ଷେପ। ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଓ “ୟୁଥ୍ ଫର୍ ୱାଟର” ର  ଉଦ୍ୟମ ପାଇଁ ସମସ୍ତେ ସମର୍ଥନ କରିବା ସହ ଏହି ପ୍ରୟାସରେ ଅନ୍ୟମାନେ ସାମିଲ ହେବାକୁ ସେ ଅନୁରୋଧ କରିଛନ୍ତି। କାରଣ ପ୍ଲାଷ୍ଟିକ୍ ମୁକ୍ତ ବଣଭୋଜିର ଆହ୍ୱାନ, ଏହା କେବଳ ଆମର ପରିବେଶକୁ  ସବୁଜ ଏବଂ ସୁସ୍ଥ ରଖିବାରେ ସୁନିଶ୍ଚିତ କରେ ନାହିଁ, ବରଂ ଆମର ଭବିଷ୍ୟତ ପିଢ଼ି ପାଇଁ ମଧ୍ୟ ଏହି ଧାରାକୁ ବଜାୟ ରଖିବାରେସାହାଯ୍ୟ କରିଥାଏ, ବାର୍ତ୍ତା ଦେଇଥାଏ।

ଏହି ପରିପ୍ରେକ୍ଷୀରେ ଶ୍ରୀ ଜେନା ଆହୁରି ମଧ୍ୟ କହିଛନ୍ତି ଯେ, ପ୍ରକୃତି ଆମକୁ ପରିବେଶରୁ ଅନେକ ସେବା ପ୍ରଦାନ କରିଥାଏ। ତେଣୁ  ପ୍ରକୃତି ମାତାଙ୍କ ରକ୍ଷକ ଭାବରେ ତାଙ୍କର ଯତ୍ନ ନେବା ଆମର ଦାୟିତ୍ୱ। ଆଗାମୀ ଖ୍ରୀଷ୍ଟମାସ ଓ ନୂଆବର୍ଷ ଅବସରରେ  ଯେତେବେଳେ ପର୍ଯ୍ୟଟକ,ଯୁବ ବର୍ଗ ତଥା ଜନସାଧାରଣ ପ୍ରକୃତିର ଶାନ୍ତ ଓ କମନୀୟ ଦୃଶ୍ୟକୁ ଉପଭୋଗ କରିବା ପାଇଁ କୌଣସି ପ୍ରାକୃତିକ ସ୍ଥାନ ବା ପର୍ଯ୍ୟଟନ ସ୍ଥଳକୁ ଯାଉଥାନ୍ତି, ଯଥାସମ୍ଭବ ପୁନଃବ୍ୟବହାରଯୋଗ୍ୟ ସାମଗ୍ରୀ ନେବାକୁ ଅନୁରୋଧ କରିଛନ୍ତି।

ଥରେ ମାତ୍ର ବ୍ୟବହାର ଯୋଗ୍ୟ ବା ସିଙ୍ଗଲ ୟୁଜ୍ ପ୍ଲାଷ୍ଟିକ୍ ସାମଗ୍ରୀ ବ୍ୟବହାର ନ କରିବାକୁ ପରାମର୍ଶ ଦେବା ସହିତ ମାଟିର ମିଶିପାରୁଥିବା ବା ଜୈବ ବିଘଟନ ହୋଇପାରୁଥିବା ଭଳି ପତ୍ରରେ ପ୍ରସ୍ତୁତ ପ୍ଲେଟ୍ ଏବଂ କପ୍ ଭଳି ସବୁଜ ସାମଗ୍ରୀ ବ୍ୟବହାର କରିବା ସହ ବ୍ୟବହାର ପରେ ପିକନିକ୍  ସ୍ପଟ୍ ସଫା କରିବାକୁ ନଭୁଲିବାକୁ ସେ ଅନୁରୋଧ କରିଛନ୍ତି। ଏଥିସହ ପିକନିକ୍ ସମୟରେ ବାହାରୁଥିବା ବର୍ଜ୍ୟବସ୍ତୁକୁ ନିର୍ଦ୍ଧାରିତ ସ୍ଥାନରେ ପକାଇବା, ଜାଗାକୁ ଅଳିଆ ଆବର୍ଜନା ମୁକ୍ତ ରଖିବାକୁ ସେ ଦୋହରାଇଛନ୍ତି।

ସମସ୍ତଙ୍କୁ ଗ୍ରୀନ୍ ପିକନିକ୍  ଆମ୍ବାସାଡର ହେବା ଏବଂ ଏହି ବାର୍ତ୍ତାକୁ ସମସ୍ତ ନିକଟ ସମ୍ପର୍କୀୟଙ୍କ  ମଧ୍ୟରେ ପ୍ରଚାର ପ୍ରସାର କରିବାକୁ ଅନୁରୋଧ କରିବା ସହ ସେ ଆଗାମୀ ଖ୍ରୀଷ୍ଟମାସ ଏବଂ ନୂଆବର୍ଷ ଉପଲକ୍ଷେ ସମସ୍ତଙ୍କୁ ଆନ୍ତରିକ ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି।

Categories
ଜାତୀୟ ଖବର ବିଶେଷ ଖବର ବ୍ୟବସାୟ

ନୂଆବର୍ଷ ଦିନ ଭାରତର କେଉଁ ରାଜ୍ୟରେ ସବୁଠାରୁ ଅଧିକ ମଦ୍ୟପାନ କରାଯାଏ ?

ନୂଆଦିଲ୍ଲୀ: ନୂଆ ବର୍ଷ ଆସିବାକୁ ଆଉ ମାତ୍ର କିଛିଦିନ ବାକି ଅଛି । ଏଭଳି ସ୍ଥିତିରେ ଯେଉଁ ରାଜ୍ୟରେ ଲୋକେ ମଦ ପିଉଛନ୍ତି ସେଠାରେ ମଦ ବିକ୍ରି ବଢ଼ିବାକୁ ଯାଉଛି । ଆମେ ଏହା କହୁଛୁ କାରଣ ପ୍ରତିବର୍ଷ ଲୋକମାନେ ନୂଆବର୍ଷ ପାଳନ ପାଇଁ କୋଟି କୋଟି ମଦ କିଣନ୍ତି । ଆଜି ଆସନ୍ତୁ ଜାଣିବା ନୂଆବର୍ଷରେ କେଉଁ ରାଜ୍ୟର ଲୋକେ ସବୁଠାରୁ ଅଧିକ ମଦ କିଣନ୍ତି ।ଯିଏ କି ୨୦୨୩ରେ ଆଗୁଆ ଥିଲେ।

୨୦୨୩ ମସିହା ପାଳନରେ ରାଜସ୍ଥାନରେ ସର୍ବାଧିକ ପରିମାଣର ମଦ ପିଇଛନ୍ତି। ୨୦୨୨ ଡିସେମ୍ବର ୩୦ ଓ ୩୧ତାରିଖରେ ରାଜସ୍ଥାନରେ ୩୫.୨୬ କୋଟି ଟଙ୍କାର ମଦ ବିକ୍ରି ହୋଇଥିଲା। କେବଳ ଜୟପୁରରେ ଏହି ଦୁଇଦିନରେ ୧୧ କୋଟି ଟଙ୍କାର ମଦ ବିକ୍ରି ହୋଇଥିଲା। ଦିଲ୍ଲୀ ବିଷୟରେ କହିବାକୁ ଗଲେ ୨୦୨୨ ଡିସେମ୍ବର ୩୧ରେ ଏଠାରେ ୯ କୋଟି ଟଙ୍କାର ମଦ ବିକ୍ରି ହୋଇଥିଲା।

ତେବେ ୨୦୨୧ରେ ଏହି ଦୁଇଦିନର ତଥ୍ୟକୁ ଦେଖିଲେ ଅବକାରୀ ବିଭାଗର ରିପୋର୍ଟ ଅନୁଯାୟୀ ୨୦୨୧ ଡିସେମ୍ବର ୩୦-୩୧ରେ ରାଜସ୍ଥାନରେ ୭୭.୮୨ କୋଟି ଟଙ୍କାର ମଦ ବିକ୍ରି ହୋଇଥିଲା।

ଭାରତରେ କେତେ ଲୋକ ମଦ୍ୟପାନ କରନ୍ତି ?

ଅର୍ଥନୈତିକ ଗବେଷଣା ଏଜେନ୍ସି ଆଇସିଆରଆଇଇଆର ଏବଂ ଆଇନ ପରାମର୍ଶଦାତା ସଂସ୍ଥା ପିଏଲଏର ଚାମ୍ବର୍ସର ଏକ ରିପୋର୍ଟ ଅନୁଯାୟୀ, ଭାରତରେ ପ୍ରାୟ ୧୬ କୋଟି ଲୋକ ମଦ୍ୟପାନ କରନ୍ତି। ଏହି ସଂଖ୍ୟା ମଧ୍ୟରୁ ୯୫ ପ୍ରତିଶତ ହେଉଛନ୍ତି ପୁରୁଷ। ପୁରୁଷମାନଙ୍କ ବୟସ ୧୮ରୁ ୪୯ ବର୍ଷ ମଧ୍ୟରେ ରହିଛି। ଏହା ବ୍ୟତୀତ ଏହି ସଂଖ୍ୟାର ୫ ପ୍ରତିଶତ ହେଉଛନ୍ତି ମହିଳା, ଯେଉଁମାନେ ମଦ୍ୟପାନ କରନ୍ତି। ଏବେ ଆସନ୍ତୁ ଜାଣିବା କେଉଁ ରାଜ୍ୟର ଲୋକମାନେ ଅଧିକ ମଦ ପିଅନ୍ତି।

କେଉଁ ରାଜ୍ୟ ସବୁଠାରୁ ଅଧିକ ମଦ୍ୟପାନ କରେ ?

କ୍ରିସିଲ ନାମକ ଏକ ସର୍ଭେ କମ୍ପାନୀ ୨୦୨୦ ମସିହାରେ ସାରାଦେଶରେ ଏକ ସର୍ଭେ କରିଥିଲା। ଏହି ସର୍ବେକ୍ଷଣରୁ ଜଣାପଡ଼ିଛି ଯେ ୨୦୨୦ ମସିହାରେ ଭାରତରେ ୫ଟି ରାଜ୍ୟ ଥିଲା ଯେଉଁଠାରେ ସର୍ବାଧିକ ମଦ୍ୟପାନ କରାଯାଏ। ଛତିଶଗଡ଼ ପ୍ରଥମ ସ୍ଥାନରେ ରହିଥିଲା। ଏଠାକାର ମୋଟ ଜନସଂଖ୍ୟାର ପ୍ରାୟ ୩୫.୬ ପ୍ରତିଶତ ଲୋକ ମଦ୍ୟପାନ କରନ୍ତି।

ତ୍ରିପୁରା ଦ୍ୱିତୀୟ ସ୍ଥାନରେ ରହିଛି। ଏଠାକାର ମୋଟ ଜନସଂଖ୍ୟାର ୩୪.୭ ପ୍ରତିଶତ ଲୋକ ମଦ୍ୟପାନ କରନ୍ତି। ଅନ୍ୟପକ୍ଷରେ ଆନ୍ଧ୍ରପ୍ରଦେଶ ତୃତୀୟ ସ୍ଥାନରେ ରହିଛି। ଏଠାକାର ମୋଟ ଜନସଂଖ୍ୟାର ୩୪.୫ ପ୍ରତିଶତ ନିୟମିତ ମଦ୍ୟପାନ କରନ୍ତି।

Categories
ଆଜିର ଖବର ଜାତୀୟ ଖବର

ନବବର୍ଷର ଶୁଭେଚ୍ଛା ଜଣାଇଲେ ନରେନ୍ଦ୍ର ମୋଦି

ନୂଆଦିଲ୍ଲୀ,01/01 : ଶେଷ ହୋଇଛି ବର୍ଷ 2019 ଏବଂ 2020 ଆଗମନ କରିଛି । ଇଂରାଜୀ ନବବର୍ଷର ଆଗମନରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସୋସିଆଲ ମିଡିଆ ସାଇଟ୍‌ ଟ୍ବିଟ୍ଟର ଜରିଆରେ ମୋଦି ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ନୂତନ ବର୍ଷ ସମସ୍ତଙ୍କ ପାଇଁ ସୁଖ ଓ ସମୃଦ୍ଧି ଆଣୁ । ସମସ୍ତଙ୍କର ସ୍ୱପ୍ନ ସାକାର ହେଉ । ସମସ୍ତଙ୍କର ସୁଖ ଓ ସମୃଦ୍ଧି କାମନା କରି ମୋଦି 2020 ପାଇଁ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଥିଲେ । ମୋଦି ଉଭୟ ଇଂରାଜୀ ଏବଂ ହିନ୍ଦିରେ ଟ୍ବିଟ୍‌ କରିଥିଲେ ।

Categories
ଜାତୀୟ ଖବର ବିଶେଷ ଖବର ମତାମତ

ଭାରତର ସମ୍ବିଧାନ ଓ ଗଣତନ୍ତ୍ରକୁ ବଞ୍ଚାଇବା ପାଇଁ ନୂଆବର୍ଷ ଏକ ସଙ୍କଳ୍ପର ଦିନ

କେଦାର ମିଶ୍ର

ନୂଆବର୍ଷରେ ଦେଶପ୍ରେମର ଏକ ପୁରୁଣା ଅର୍ଥକୁ ଆମକୁ ମନେପକାଇବାକୁ ପଡିବ। ଦେଶପ୍ରେମର ଅର୍ଥ ମଣିଷ ବା ପୃଥିବୀ ପ୍ରେମର ବିରୋଧୀ ନୁହେଁ। ଆଜି ଯେତେବେଳେ ଧର୍ମ ଆଧାରରେ ଜାତୀୟତା ଓ ଦେଶପ୍ରେମର ଦୁହାଇ ଦିଆଯାଉଛି, ସେତେବେଳେ ସନାତନ ହିନ୍ଦୁଧର୍ମରେ ଦେଶର ସଜ୍ଞା କଥା ଟିକେ ମନେପକାଇବା। ବେଦରେ ରାଷ୍ଟ୍ରର ପରିକଳ୍ପନା ମଣିଷର ଏକତାକୁ ଭିତ୍ତି କରି ତିଆରି ହୋଇଥିଲା। ଦେଶ କୌଣସି ଭୌଗୋଳିକ ଭୂଖଣ୍ଡ ନୁହେଁ, ଏହା ମଣିଷର ସଂକଳ୍ପ ଓ ଅଭିଳାଷକୁ ସୁଯୋଗ ଦେଉଥିବା ଏକ ଭୂମି। ତେଣୁ ବେଦରେ ଜଗତ ସହିତ ରାଷ୍ଟ୍ରର ସମାବେଶ ଘଟିଛି। ରାଷ୍ଟ୍ର ପାଇଁ ଯଜୁର୍ବେଦରେ ପ୍ରାର୍ଥନା କଲାବେଳେ କୁହାଯାଇଛି- ରାଷ୍ଟ୍ରରେ ବ୍ରାହ୍ମଣ ତେଜସ୍ବୀ ହେଉ। (ମନେରଖନ୍ତୁ, ବେଦରେ କୌଣସି ସ୍ଥାନରେ ବ୍ରାହ୍ମଣ ଜାତିର ସୂଚକ ନୁହେଁ), ରାଜାମାନେ ସାହସୀ ଓ ବୀର ହୁଅନ୍ତୁ। ପଶୁଧନର ବିକାଶ ହେଉ। ନାରୀ ରାଷ୍ଟ୍ର ଶକ୍ତିର ଆଧାର ହେଉ। କାଳ ଓ ଚାହିଦା ଅନୁପାତରେ ବର୍ଷା ହେଉ। ପୃଥିବୀ ସୁଜଳା ସୁଫଳା ହୋଇରହୁ। ଜଙ୍ଗଲରେ ବନଷ୍ପତି ଓ ଔଷଧି ଭରପୂର ହୋଇରୁହନ୍ତୁ। ଆମର ସ୍ଵାଧୀନତା ଅକ୍ଷୟ ରହୁ। (ଯୋଗକ୍ଷେମୋ ନଃ କଳ୍ପତାମ-ଯଜୁର୍ବେଦ-ଶ୍ଳୋକ୨୨)

ଅକ୍ଷୟ ସ୍ଵାଧୀନତା ବିନା ରାଷ୍ଟ୍ରର ପରିକଳ୍ପନା ସମ୍ଭବ ନୁହେଁ। ତେଣୁ ରାଷ୍ଟ୍ର ଓ ପ୍ରକୃତି ଉଭୟେ ସ୍ଵାଧୀନ ରହିବା ଜରୁରୀ। ଆଜିର ଭାରତରେ ବୈଦିକ ରାଷ୍ଟ୍ରର ପରିକଳ୍ପନା କଥାକୁ “ହିନ୍ଦୁ ରାଷ୍ଟ୍ର” ସହିତ ଯୋଡିବାର ନିର୍ବୋଧତା କିଛି ଲୋକ କରୁଛନ୍ତି। ପ୍ରାୟ ୫୦୦୦ ବର୍ଷ ପୂର୍ବେ ଭାରତରେ “ବିଶ୍ଵ ମାନବ”ର ପରିକଳ୍ପନା କରିଥିବା ଏକ ଦେଶ, ଆଜି ନିଜର ଆଦର୍ଶକୁ ନେଇ ସଂଘର୍ଷ କରିବା ଅଦ୍ଭୁତ ମନେ ହେଉଛି। ଭାରତର ଚିନ୍ତା ଓ ଆଦର୍ଶ ଅତ୍ୟନ୍ତ ସ୍ପଷ୍ଟ। ଏହା ଅନେକ ବିଚାର ଓ ବିବିଧ ବିରୋଧାଭାସର  ସମାହାର। ଏଠି କେହି ଯଦି କହୁଛି ଯେ, ଭାରତରେ ରହୁଥିବା ସବୁ ଲୋକ ହିନ୍ଦୁ ଅଟନ୍ତି- ସେ ଭାରତର ଶତ୍ରୁ ଓ ସେ ଭାରତର ମୌଳିକ ବିଚାରର ବିରୋଧୀ। ଭାରତ ସବୁ ମଣିଷର ମହାଭୂମି। ଧର୍ମକୁ ଏକ ସମ୍ପ୍ରଦାୟ ବା ଆଚାର ବୋଲି ଭାରତ କେବେ ଗ୍ରହଣ କରିନାହିଁ। ଆମ ଲାଗି ଧର୍ମ ହେଉଛି ଜୀବନ ଓ ଜଗତର ନିୟାମକ। ଏହା ଆମକୁ ପ୍ରକୃତି ସହିତ ଏକାତ୍ମ କରେ। ଶତ୍ରୁତାରୁ ମୁକ୍ତ ଶାନ୍ତିର ପୃଥିବୀ କଥା କହେ।

ଆଜି ଆମର ସନାତନ ଭାରତ ପାଇଁ ଚିନ୍ତାର ବିଷୟ। ଧର୍ମ ନାମରେ ଛଳନାର ଭାରତ ତିଆରି କରିବାକୁ ଯେଉଁମାନେ ଚେଷ୍ଟା କରୁଛନ୍ତି, ସେମାନଙ୍କ ରାଜନୀତି ବିରୋଧରେ ଠିଆ ହେବାଲାଗି ୨୦୧୯ ଆମକୁ ଏକ ସୁଯୋଗ ଦେଇଛି। ଭାରତରେ ଧର୍ମକୁ ଆଧାର କରି ଏକ ଆଇନ ତିଆରି ହେବାପରେ, ତାରି ବିରୋଧରେ ଦେଶର ଜନସାଧାରଣ ପ୍ରତିବାଦ କରୁଛନ୍ତି। ସେ ପ୍ରତିବାଦ ପଛରେ ଭାରତର ଆତ୍ମାକୁ ବଞ୍ଚାଇ ରଖିବାର ବ୍ୟାକୁଳତା ରହିଛି। ଭାରତ ତାର ବିବିଧତା ଓ ସହିଷ୍ଣୁତା କୁ ନେଇ ବଞ୍ଚିବ। ସୌହାର୍ଦ୍ଦ୍ୟ ଓ ସଦଭାବନାର ଏକ ଦେଶରେ ଭେଦଭାବର ବିଚାରକୁ ପ୍ରତ୍ୟାଖ୍ୟାନ କରିବା, ଆଜିର ସବୁଠୁ ବଡ ଆବଶ୍ୟକତା।

ମିଛ ଓ ପ୍ରତାରଣା, ଆମ ରାଜନୀତିର ଆଧାର ପାଲଟିଛି। ନାଗରିକ ଭାବରେ ଆମର ପ୍ରଥମ କର୍ତ୍ତବ୍ୟ ହେଉଛି ମିଛ ବିରୋଧରେ ଠିଆ ହେବା। ଆମର ଗଣତନ୍ତ୍ର ସଂଖ୍ୟାର ପଶୁବଳ ନୁହେଁ। ଯେ ନିର୍ବାଚନ ଜିତିଛି, ସେ ଦେଶର ସର୍ବମୟ କର୍ତ୍ତା ନୁହନ୍ତି। ସମ୍ବିଧାନର ମୌଳିକ ଚରିତ୍ର ଓ ଆଦର୍ଶ କେବେହେଲେ ବଦଳାଇ ଦେଇହେବ ନାହିଁ ଆମେ ଜାଣିଛୁ।(ସୁପ୍ରିମ କୋର୍ଟ ରାୟ,କେଶବାନନ୍ଦ ଭାରତୀ ବନାମ କେରଳ ସରକାର,୨୪,ଏପ୍ରିଲ,୧୯୭୩) ତେଣୁ କୌଣସି ସରକାର ଯଦି ଆମର ସାମ୍ବିଧାନିକ ମୂଳ ଆଦର୍ଶ ଉପରେ ଆକ୍ରମଣ କରିବ, ତାହେଲେ ପ୍ରତିବାଦ କରିବା ଆମର ସବୁଠୁ ବଡ ଧର୍ମ।

ଆମ ସମ୍ବିଧାନରେ ଦୁଇଟି ମୌଳିକ ଲକ୍ଷ୍ୟ ରହିଛି ଯାହାକୁ କୌଣସି ସରକାର ବା ଏକଛତ୍ରପତି ବଦଳାଇ ପାରିବେ ନାହିଁ।ପ୍ରଥମ ଲକ୍ଷ୍ୟ ଭାବରେ ୨୬, ନଭେମ୍ବର, ୧୯୪୯ ଦିନ  ସମ୍ବିଧାନରେ ଆମେ ଭାରତର ଜନଗଣ ଭାରତକୁ ଏକ ସାର୍ବଭୌମ, ସମାଜବାଦୀ, ଧର୍ମନିରପେକ୍ଷ ଓ ଗଣତାନ୍ତ୍ରିକ ଦେଶଭାବରେ ଗ୍ରହଣ କରିଛୁ। ଦ୍ଵିତୀୟ ଲକ୍ଷ୍ୟ ଭାବରେ ଆମେ ଦେଶର ଜନଗଣଙ୍କୁ ସାମାଜିକ, ଅର୍ଥନୈତିକ ଓ ରାଜନୈତିକ ନ୍ୟାୟ, ବିଚାର, ଅଭିବ୍ୟକ୍ତି, ଆସ୍ଥା , ବିଶ୍ବାସ ଓ ପୂଜାପାଠର ସ୍ଵାଧୀନତା, ସାମାଜିକ ମର୍ଯାଦା ଓ ସୁଯୋଗର ସମାନତା ଦେବୁ। ଦେଶର ଏକତା ଓ ସଂହତି ଲାଗି ଆମେ ପରଷ୍ପର ଭିତରେ ଭ୍ରାତୃଭାବରଖିବୁ।

ସମ୍ବିଧାନର ଏହି ସନାତନ ଲକ୍ଷ୍ୟ ବିରୋଧରେ ଆସୁଥିବା ଯେ କୌଣସି ରାଜନୈତିକ ପଦକ୍ଷେପକୁ ଯିଏ ବିରୋଧ କରେନାହିଁ, ତାକୁ ଦେଶପ୍ରେମୀ ବୋଲି କୁହାଯାଇପାରିବ ନାହିଁ। ଦେଶରେ ସମ୍ବିଧାନର ବିଚାରକୁ ବିରୋଧ କରୁଥିବା ଲୋକେ ଆମକୁ ଦେଶପ୍ରେମର ନୂଆପାଠ ପଢାଇବାକୁ ଉଦ୍ୟମ କରୁଛନ୍ତି। ସେମାନଙ୍କ ପାଠର ମିଛକୁ ଧାରା ପକାଇଦେବା ପ୍ରତ୍ୟେକ ଭାରତୀୟର ପ୍ରଥମ ଦାୟିତ୍ଵ।

ନୂଆବର୍ଷରେ ଭାରତର ସମ୍ବିଧାନ ଓ ତାର ମୌଳିକ ଗଣତାନ୍ତ୍ରିକ ବିଚାରକୁ ବଞ୍ଚାଇ ରଖିବାର ଦେଶପ୍ରେମ ବିଷୟରେ ଆମକୁ ସର୍ବାଧିକ ଚିନ୍ତା କରିବାକୁ ପଡିବ।

 

Categories
ଆଜିର ଖବର

ଓଡିଆ ନବବର୍ଷର ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ମହାବିଷୁବ ସଂକ୍ରାନ୍ତି ଏବଂ ଓଡ଼ିଆ ନବବର୍ଷ  ଏବଂ ମହାବୀର ଜୟନ୍ତୀ ଉପଲକ୍ଷେ ରବିବାର ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସୋସିଆଲ ମିଡିଆ ସାଇଟ୍‌ ଜରିଆରେ ଜନତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି ନବୀନ। ନବୀନ ଟୁଇଟ୍‍ କରି କହିଛନ୍ତି, ପବିତ୍ର ବିଷୁବ ସଂକ୍ରାନ୍ତି ତଥା ଓଡ଼ିଆ ନବବର୍ଷରେ ସମସ୍ତଙ୍କୁ ମୋର ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ କୃପା ଓ ଆଶୀର୍ବାଦରୁ ନବବର୍ଷଟି ସମସ୍ତଙ୍କ ପାଇଁ ସୁଖ ଓ ସମୃଦ୍ଧିର ବର୍ଷ ହେଉ।