Categories
ଆଜିର ଖବର ଖେଳ

ସୁପର ଓଭର ବିଜୟ ସହିତ ସିରିଜ୍‌ ଜିତିଲା ଭାରତ

ହାମିଲଟନ: ସୁପର ଓଭରରେ ଚମତ୍କାର ପ୍ରଦର୍ଶନ ସହିତ ପ୍ରଥମ ଥର ପାଇଁ ନ୍ୟୁଜିଲ୍ୟାଣ୍ଡରେ ସିରିଜ୍‌ ବିଜୟୀ ହୋଇଛି ଭାରତୀୟ ଦଳ। ଭାରତୀୟ ଦ୍ରୁତ ବୋଲର ମହମ୍ମଦ ସାମିଙ୍କ ଚମତ୍କାର ବୋଲିଂ ଫଳରେ ମ୍ୟାଚ୍‌ ଟାଇ ହୋଇଥିଲା। ବିଜୟ ସହିତ ପ୍ରଥମ ଥର ପାଇଁ ନ୍ୟୁଜିଲ୍ୟାଣ୍ଡରେ ଟି-୨୦ ସିରିଜ୍‌ ବିଜୟୀ ହୋଇଛି ଭାରତ। ବୁମ୍‌ରା ସୁପର ଓଭରରେ ୧୭ ରନ୍‌ ପ୍ରଦାନ କରିଥିବା ବେଳେ ପ୍ରଥମ ଦୁଇ ବଲ୍‌ରେ ଭାରତ ତିନି ରନ୍‌ ସଂଗ୍ରହ କରିଥିଲା। ତୃତୀୟ ବଲ୍‌ରେ ରାହୁଲ୍‌ ଚୌକା ମାରିଥିବା ବେଳେ ପରବର୍ତ୍ତୀ ବଲ୍‌ରେ ଏକ ରନ୍‌ ନେଇଥିଲେ। ଅନ୍ତିମ ଦୁଇ ବଲ୍‌ରୁ ୧୦ ରନ୍‌ ଆବଶ୍ୟକ ରହିଥିବା ବେଳେ ଅନ୍ତିମ ଦୁଇ ବଲ୍‌ରେ ଛକ୍କା ମାରି ରୋହିତ ମ୍ୟାଚ୍‌ ସମାପ୍ତ କରିବା ସହ ଭାରତକୁ ବିଜୟୀ କରାଇଥିଲେ।

ମ୍ୟାଚ୍‌ର ଅନ୍ତିମ ଓଭରରେ ବିଜୟ ପାଇଁ ୯ରନ୍‌ ଆବଶ୍ୟକ ସାମିଙ୍କ ବେଳେ ପ୍ରଥମ ବଲ୍‌ରୁ ଟେଲର 6 ରନ୍‌ ହାସଲ କରିଥିଲେ। ତୃତୀୟ ବଲ୍‌ରେ ଓ୍ବିଲିୟମ୍‌ସନ୍‌ ଆଉଟ୍‌ ହେବା ସହିତ ଭାରତ ପ୍ରତ୍ୟାବର୍ତ୍ତନ କରିଥିଲା। ଚତୁର୍ଥ ବଲ୍‌ ଡଟ୍‌ ହେବା ସହିତ ପଞ୍ଚମ ବଲ୍‌ରୁ ୧ ରନ୍‌ ସଂଗୃହୀତ ହୋଇଥିଲା। ଅନ୍ତିମ ବଲ୍‌ରେ ୧ ରନ୍‌ ଆବଶ୍ୟକ ଥିବା ବେଳେ ସାମି ରସ୍‌ ଟେଲର୍‌ଙ୍କୁ ବୋଲ୍ଡ କରି ମ୍ୟାଚ୍‌କୁ ସୁପର ଓଭରକୁ ନେଇଥିଲେ। ଅଧିନାୟକ କେନ୍‌ ଓ୍ବିଲିୟମ୍‌ସନ୍‌ଙ୍କ ଦୁର୍ଦ୍ଦୁଷ ବ୍ୟାଟିଂ ସତ୍ତ୍ବେ ଦଳ ମ୍ୟାଚ୍‌ ବିଜୟୀ ହେବାରେ ସକ୍ଷମ ହୋଇ ନଥିଲା। ୧୮୦ ରନ ବିଜୟ ଲକ୍ଷ୍ୟର ପିଛା କରୁଥିବା ନ୍ୟୁଜିଲ୍ୟାଣ୍ଡ ଓ୍ବିଲିୟମ୍‌ସନ୍‌ଙ୍କ ୯୫ ରନ୍‌ ସହାୟତାରେ ୧୭୯ ରନ୍‌ ସଂଗ୍ରହ କରିଥିଲା। ଓ୍ବିଲିୟମ୍‌ସନ୍‌ ୪୮ଟି ବଲ୍‌ର ସମ୍ମୁଖୀନ ହୋଇ ୮ଟି ଚୌକା ଏବଂ ୬ଟି ଛକ୍କା ସହାୟତାରେ ରନ୍‌ ସଂଗ୍ରହ କରିଥିଲେ। ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରୁଥିବା ଭାରତ ରୋହିତ ଶର୍ମାଙ୍କ ୬୫ରନ୍‌ ଏବଂ ବିରାଟ କୋହଲିଙ୍କ ୩୮ ରନ୍‌ ସହାୟତାରେ ୫ ଓ୍ବିକେଟ ହରାଇ ୧୭୯ ରନ୍‌ ସଂଗ୍ରହ କରିଥିଲା। ନ୍ୟୁଜିଲ୍ୟାଣ୍ଡ ପକ୍ଷରୁ ହାମିଶ ବେନେଟ୍‌ ୫୪ ରନ୍‌ରେ ୩ଟି ଓ୍ବିକେଟ୍‌ ଅକ୍ତିଆର କରିଥିବା ବେଳେ ଦୁଇ ସ୍ପିନର ଇସ୍‌ ସୋଧୀ ଏବଂ ମିଚେଲ ସାଣ୍ଟନର ଗୋଟିଏ ଲେଖାଏଁ ଓ୍ବିକେଟ୍‌ ଅକ୍ତିଆର କରିଥିଲେ। ନ୍ୟୁଜିଲ୍ୟାଣ୍ଡ ପକ୍ଷରୁ ଓ୍ବିଲିୟମସନ୍‌ଙ୍କ ବ୍ୟତିତ ମାର୍ଟିନ୍‌ ଗପ୍ତିଲ ୩୧ ରନ୍‌ର ଇନିଂସ ଖେଳିଥିଲେ। ଭାରତ ପକ୍ଷରୁ ରବୀନ୍ଦ୍ର ଜାଡେଜା ଦୁଇଟି ଓ୍ବିକେଟ୍‌ ଅକ୍ତିଆର କରିଥିଲେ। (ଏଜେନ୍ସୀ)

 

Categories
ଆଜିର ଖବର ଖେଳ

ବିଜୟରୁ ନ୍ୟୁଜିଲ୍ୟାଣ୍ଡ ଶୃଙ୍ଖଳା ଆରମ୍ଭ କଲେ ବିରାଟ ବାହିନୀ

ଅକଲ୍ୟାଣ୍ଡ: ବିଜୟରୁ ନ୍ୟୁଜିଲ୍ୟାଣ୍ଡ ଗସ୍ତ ଆରମ୍ଭ କରିଛି ଭାରତ। ବିରାଟ କୋହଲିଙ୍କ ଭାରତୀୟ ଦଳ ନ୍ୟୁଜିଲ୍ୟାଣ୍ଡକୁ ୬ ଓ୍ବିକେଟରେ ପରାସ୍ତ କରିବାରେ ସକ୍ଷମ ହୋଇଛି। ଏହି ବିଜୟ ସହିତ ଭାରତ ସିରିଜ୍‌ରେ ୧-୦ରେ ଅଗ୍ରଣୀ ହାସଲ କରିଛି। ୨୦୪ ରନ୍‌ ବିଜୟ ଲକ୍ଷ୍ୟର ପିଛା କରୁଥିବା ଭାରତୀୟ ଦଳ ୧୯ଓଭରରେ ବିଜୟ ଲକ୍ଷ୍ୟ ହାସଲ କରିନେଇଥିଲା। ଭାରତ ପକ୍ଷରୁ ଶ୍ରେୟସ୍‌ ଆୟାର ସର୍ବାଧିକ ୫୮ ରନ୍‌ ସଂଗ୍ରହ କରିଥିବା ବେଳେ ରାହୁଲ ୫୬ରନ୍‌ର ଇନିଂସ ଖେଳିଥିଲେ। ଟସ୍‌ ଜିତି ପ୍ରଥମେ ବୋଲିଂର ନିଷ୍ପତ୍ତି ନେଇଥିଲେ କୋହଲି। ଭାରତୀୟ ବୋଲିଂକୁ ନ୍ୟୁଜିଲ୍ୟାଣ୍ଡ ବ୍ୟାଟ୍ସମ୍ୟାନ୍‌ ଅନାୟାସରେ ଆକ୍ରମଣ କରିଥିଲେ। ଦୁଇ ଓପନର ମାର୍ଟିନ୍‌ ଗପ୍ତିଲ(୩୦) ଏବଂ କଲିନ୍‌ ମୁନ୍ରୋ (୫୯) ପ୍ରଥମ ଓ୍ବିକେଟ୍‌ରେ ୫୯ ରନ୍‌ ସଂଗ୍ରହ କରିଥିଲେ। ମୁନ୍ରୋଙ୍କ ୪୨ ବଲ୍‌ ଇନିଂସରେ ୬ ଚୌକା ଏବଂ ଦୁଇ ଛକ୍କା ସାମିଲ ଥିଲା। ଅଧିନାୟକ କେନ୍‌ ଓ୍ବିଲିୟମ୍‌ସନ୍‌ଙ୍କ ୫୧ ଏବଂ ରସ୍‌ ଟେଲରଙ୍କ ୫୪ ରନ୍‌ ବଳରେ ନ୍ୟୁଜିଲ୍ୟାଣ୍ଡ ନିର୍ଦ୍ଧାରିତ ଓଭରରେ ୫ ଓ୍ବିକେଟ ହରାଇ ୨୦୩ ରନ୍‌ ସଂଗ୍ରହ କରିଥିଲେ। ଭାରତ ପକ୍ଷରୁ ୬ ଜଣ ବୋଲର ନିୟୋଜିତ କରାଯାଇଥିବା ବେଳେ ମହମ୍ମଦ ସାମିଙ୍କ ବ୍ୟତିତ ସମସ୍ତ ବୋଲର ଗୋଟିଏ ଲେଖାଏଁ ଓ୍ବିକେଟ ଅକ୍ତିଆର କରିଥିଲେ।

ଜବାବରେ ଭାରତର ଆରମ୍ଭ କିଛି ଠିକ୍‌ ନଥିଲା। ଦଳୀୟ ସ୍କୋର ୧୬ ରନ୍‌ରେ ନିର୍ଭରଯୋଗ୍ୟ ରୋହିତ ଶର୍ମା (୭) ପ୍ୟାଭିଲିୟନ୍‌ ଫେରିଥିଲେ। ଅନ୍ୟତମ ଓପ୍‌ନର କେ ଏଲ୍‌ ରାହୁଲ(୫୬) ଏବଂ ଅଧିନାୟକ ବିରାଟ କୋହଲି (୪୫)ଙ୍କ ମଧ୍ୟରେ ୯୯ ରନ୍‌ର ଭାଗିଦାରୀ ହୋଇଥିଲା। ରାହୁଲ ୨୭ଟି ବଲ୍‌ରୁ ୪ ଚୌକା ଏବଂ ୩ ଛକ୍କା ସହାୟତାରେ ୫୬ ରନ୍‌ ସଂଗ୍ରହ କରିଥିଲେ। ଲଗାତାର ବ୍ୟବଧାନରେ ଉଭୟ ଆଉଟ୍‌ ହେବା ପରେ ଶ୍ରେୟସ୍‌ ଆୟାର (୫୮) ଭାରତକୁ ବିଜୟ ରେଖା ପାର କରାଇଥିଲେ। ଆୟାର ୨୯ଟି ବଲ୍‌ର ସମ୍ମୁଖୀନ ହୋଇ ୫ଟି ଚୌକା ଏବଂ ୩ ଛକ୍କା ସହାୟତାରେ ୫୮ ରନ୍‌ ସଂଗ୍ରହ କରିଥିଲେ। (ଏଜେନ୍ସୀ)

Categories
ଆଜିର ଖବର

ବିଶ୍ବକପ୍‌ କ୍ରିକେଟ ୨୦୧୯ : ଅପରାଜେୟ ଧାରା ବଜାୟ ରଖିବା ଲକ୍ଷ୍ୟରେ ଉଭୟ ଭାରତ-ନ୍ୟୁଜିଲ୍ୟାଣ୍ଡ

ବିଶ୍ବକପ୍‌ର ୧୮ ତମ ମ୍ୟାଚ୍‌ରେ ପରସ୍ପରର ମୁକାବିଲା କରିବାକୁ ଯାଉଛନ୍ତି ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ। ଚଳିତ ଟୁର୍ଣ୍ଣାମେଣ୍ଟରେ ଏହି ଦୁଇ ଦଳ ଅପରାଜେୟ ରହିଥିବାରୁ ନିଜର ଅପରାଜେୟ ଧାରା ବଜାୟ ରଖିବାକୁ ଦୁଇ ଦଳ ଉଦ୍ୟମ କରିବେ। ଆଜି(ଗୁରୁବାର) ଟ୍ରେଣ୍ଟବ୍ରିଜ୍‌ର ନଟିଂହାମ୍‌ରେ ଅପରାହ୍ନ ୨.୩୦ରେ ଏହି ମ୍ୟାଚ୍‌ ଅନୁଷ୍ଠିତ ହେବ। ପୂର୍ବରୁ ହୋଇଥିବା ବିଶ୍ବକପ୍‌ ମୁକାବିଲାରେ ଭାରତ ୪-୩ରେ ପଛୁଆ ରହିଥିବା ବେଳେ ଏହି ମୁକାବିଲାରେ ବିଜୟୀ ହୋଇ ଏହାକୁ ୪-୪ରେ ପହଞ୍ଚାଇବାକୁ ଚେଷ୍ଟା କରିବ ଭାରତୀୟ ଦଳ। ଭାରତୀୟ ଓପ୍‌ନର ଶିଖର ଧଓ୍ବନ୍‌ ଆହତ ହୋଇ ବାଦ ପଡିଥିବାରୁ କେ ଏଲ୍‌ ରାହୁଲ ଇନିଂସ ଓପନ୍‌ କରିବେ। ଏହା ସହିତ ଚାରି ନମ୍ବର ସ୍ଥାନରେ କିଏ ବ୍ୟାଟିଂ କରିବ ତାକୁ ନେଇ ମଧ୍ୟ ଦ୍ବନ୍ଦରେ ରହିଛି ଭାରତୀୟ ମ୍ୟାନେଜମେଣ୍ଟ। ଅଭ୍ୟାସ ମ୍ୟାଚ୍‌ରେ ଭାରତକୁ ନ୍ୟୁଜିଲ୍ୟାଣ୍ଡ ଶୋଚନୀୟ ଭାବରେ ପରାସ୍ତ କରିଥିବା ବେଳେ ଏହି ମ୍ୟାଚ୍‌ରେ ନ୍ୟୁଜିଲ୍ୟାଣ୍ଡର ପଲ୍ଳା ଭାରି ରହିବ। ମ୍ୟାଚ୍‌ରେ ବିଜୟୀ ହେବାକୁ ହେଲେ ଟ୍ରେଣ୍ଟ ବୋଲ୍ଟଙ୍କ ନିକଟରୁ ଭାରତକୁ ସତର୍କ ରହିବାକୁ ପଡିବ।
ମ୍ୟାଚ୍‌ ସ୍ଥାନ : ନଟିଂହାମ୍‌, ଟ୍ରେଣ୍ଟବ୍ରିଜ୍‌
ସମୟ : ଅପରାହ୍ନ ୨.୩୦