କର୍ଣ୍ଣାଟକ : କରୋନା ଭାଇରସ୍ ସଂକଟ ସମୟରେ ଦେଶରେ ଜାରି ରହିଛି ଲକ୍ ଡାଉନ୍ । ଏହା ମଧ୍ୟରେ ଆଜି ବିବାହ କରୁଛନ୍ତି କର୍ଣ୍ଣାଟକର ପୂର୍ବ ମୁଖ୍ୟମନ୍ତ୍ରୀ ତଥା ଜନତା ଦଳ ସେକ୍ୟୁଲାର୍ (ଜେଡିଏସ୍)ର ନେତା ଏଚ୍ଡି କୁମାରୀସ୍ବାମୀଙ୍କ ପୁତ୍ର ନିଖିଲ କୁମାରସ୍ବାମୀ । ନିଖିଲ କଂଗ୍ରେସର ପୂର୍ବ ଆବାସ ମନ୍ତ୍ରୀ ଏମ୍ କୃଷ୍ଣପ୍ପାଙ୍କ ଝିଆରୀ ରେବତୀଙ୍କ ସହ ବିବାହ କରୁଛନ୍ତି । ନିଖିଲ୍ ରାଜନୀତିରେ ସକ୍ରିୟ ଥିବା ସହ କେତୋଟି କନ୍ନଡ ଫିଲ୍ମରେ ମଧ୍ୟ ଅଭିନୟ କରିଛନ୍ତି ।
ଲକ୍ ଡାଉନ୍ ଯୋଗୁଁ ସାମାଜିକ ସମାବେଶ, ଧାର୍ମିକ କାର୍ଯ୍ୟକ୍ରମ ଆଦିକୁ ବାରଣ କରାଯାଇଥିବାବେଳେ ନିଖିଲ୍ ଓ ରେବତୀଙ୍କ ବିବାହ କିଛି ପରିବାର ସଦସ୍ୟଙ୍କ ମଧ୍ୟରେ ଅନୁଷ୍ଠିତ ହେବ । ରାମନଗର ନିକଟସ୍ଥ 95 ଏକର ଏକ ଜମିରେ ବିଭାଘର ହେବା ନେଇ ଯୋଜନା ପ୍ରସ୍ତୁତ କରାଯାଇଥିବାବେଳେ ଲକ୍ଡାଉନ୍ ଦେଖି ଏଥିରେ ପରିବର୍ତ୍ତନ କରାଯାଇଛି। ସୀମିତ ଲୋକଙ୍କ ମଧ୍ୟରେ ବିବାହ ହେବ ବୋଲି ଜଣାପଡିଛି । ଲକ୍ଡାଉନ୍ ମଧ୍ୟରେ ଏହି ଭିଭିଆଇପି ବିବାହ ଉପରେ କର୍ଣ୍ଣାଟକ ସରକାର ଖାସ୍ ନଜର ରଖିଛି । ସରକାର ଏହି ବାହାଘରର ଭିଡିଓଗ୍ରାଫି କରିବା ନେଇ ସୂଚନା ଜାରି କରିଛି ।
ଏହି ବାହାଘର ପାଇଁ କେବଳ 21ଟି କାର୍କୁ ଅନୁମତି ମିଳିଛି । ଏଥିରେ ପରିବାରର କିଛି ଲୋକ ଉପସ୍ଥିତ ରହି ବାହାଘରକୁ ସମ୍ପୂର୍ଣ୍ଣ କରାଇବେ । ଏହି ବାହାଘରରେ ସାମାଜିକ ଦୂରତ୍ବକୁ ଧ୍ୟାନ ଦେବାକୁ କୁହାଯାଇଛି । ଯଦି ସାମାଜିକ ଦୂରତ୍ବ ନିୟମକୁ ଭଙ୍ଗ କରାଯିବ, ତେବେ କାର୍ଯ୍ୟାନୁଷ୍ଠାନ ନିଆଟିବ ବୋଲି କୁହାଯାଉଛି । କୋଭିଡ-19କୁ ନେଇ କରାଯାଇଥିବା ଗାଇଡ୍ ଲାଇନ ଅନୁସାରେ ଏହି ବିବାହ କାର୍ଯ୍ୟ ସମ୍ପନ୍ନ କରାଯିବ ବୋଲି କୁହାଯାଇଛି । ଯଦି ଏପରି ନ ହୁଏ, ତେବେ ଏନେଇ କାର୍ଯ୍ୟାନୁଷ୍ଠାନ କରାଯିବ ବୋଲି କର୍ଣ୍ଣାଟକର ଉପ ମୁଖ୍ୟମନ୍ତ୍ରୀ ସିଏନ୍ ଅଶ୍ବଥ ନାରାୟା କହିଛନ୍ତି ।