Categories
ଅନ୍ତରାଷ୍ଟ୍ରୀୟ ଅପରାଧ ଆଜିର ଖବର ବ୍ୟବସାୟ

ପଳାତକ ନୀରବ ମୋଦିଙ୍କ ସ୍ତ୍ରୀଙ୍କ ନାଁରେ ଇଣ୍ଟରପୋଲ ପକ୍ଷରୁ ରେଡକର୍ଣ୍ଣର ନୋଟିସ

ନୂଆଦିଲ୍ଲୀ : ପଳାତକ ଭାରତୀୟ ବ୍ୟବସାୟୀ ନୀରବ ମୋଦିଙ୍କ ସ୍ତ୍ରୀ ନାଁରେ ଏକ ଇଣ୍ଟରପୋଲ ନୋଟିସ ଜାରି କରାଯାଇଛି । ଅମି ମୋଦିଙ୍କ ନାଁରେ ଭାରତରେ ମନି ଲଣ୍ଡରିଂ ମାମଲା ରୁଜୁ ହୋଇଛି । ଏହି ଆଧାରରେ ଇଂଟରପୋଲ ତାଙ୍କ ନାଁରେ ଗିରଫ ପରୱାନା ଜାରି କରିଛି ।  ବିଭିନ୍ନ ଭାରତୀୟ ବ୍ୟାଙ୍କରୁ 13 ହଜାର 500କୋଟି ନେଇ ପଳାୟନ କରିଥିବା ନୀରବ ମୋଦିଙ୍କ ପତ୍ନୀ ଆମି ମୋଦିଙ୍କ ନାମରେ ଭାରତରେ ରହିଥିବା ଏକ ଆର୍ଥିକ ହେରଫେର ମାମଲା କାରଣରୁ ଏହି ରେଡକର୍ଣ୍ଣର ନୋଟିସ ଜାରି କରାଯାଇଥିବା ଜଣାପଡିଛି । ତାଙ୍କୁ ଗିରଫ କରିବା ପାଇଁ ଇଂଟରପୋଲ୍ ପକ୍ଷରୁ ତାଙ୍କ ନାଁରେ ରେଡ୍ କର୍ଣ୍ଣର ନୋଟିସ ତଥା ଗ୍ଲୋବାଲ ଆରେଷ୍ଟ ୱାରେଂଟ ଜାରି ହୋଇଛି ।

ନୀରବ ମୋଦି ଗିରଫ ହୋଇ ଲଣ୍ଡନର ଜେଲରେ ରହିଥିବା ବେଳେ ତାଙ୍କ ପରିବାରର ଅନ୍ୟ ସଦସ୍ୟ ମାନେ ବର୍ତ୍ତମାନ ସୁଦ୍ଧା ଫେରାର ଅଛନ୍ତି । ପୂର୍ବରୁ ଇଣ୍ଟରପୋଲ ପକ୍ଷରୁ ନୀରବଙ୍କ ଭାଇ ନେହାଲ ଏବଂ ଭଉଣୀ ପୂର୍ବୀଙ୍କୁ ମଧ୍ୟ ନୋଟିସ ଜାରି କରାଯାଇଥିଲା । (ଏଜେନ୍ସି)

Categories
ବିଶେଷ ଖବର

ପଳାତକଙ୍କ ପ୍ରିୟ ସରକାର, ନୂଆ ଭାରତରେ ନୂଆ ବ୍ୟବସ୍ଥା-ଦେଶର ଅର୍ଥ ଲୁଟ କର ଓ ଦେଶ ଛାଡି ପଳାଅ!!

କେଦାର ମିଶ୍ର

ଧର୍ଷଣ ଭଳି ଜଘନ୍ୟ ଅପରାଧରେ ଅଭିଯୁକ୍ତ ଥିବା ବାବା ନିତ୍ୟାନନ୍ଦକୁ ଗୁଜରାଟ ପୋଲିସ ଖୋଜିଲା ବେଳକୁ ଜଣା ପଡିଲା, ବାବା, କେବଠୁ ଦେଶ ଛାଡି ପଳାଇଲେଣି। ଏବେ ଗୋଟେ ଖବର ଆସିଛି, ବାବା କୁଆଡେ ଦକ୍ଷିଣ ଆମେରିକାରେ ଗୋଟେ ଦ୍ବୀପ କିଣି ସେଠାରେ ଏକ ସ୍ଵୟଂଭୂ ହିନ୍ଦୁ ରାଷ୍ଟ୍ର ନିର୍ମାଣ କଲେଣି। ଧର୍ଷଣକାରୀ ବାବା ଏବେ ସ୍ଵୟଂଭୂ ହିନ୍ଦୁ ରାଷ୍ଟ୍ର କୈଳାସର ମହାମହିମ ଏକଛତ୍ର ରାଷ୍ଟ୍ରପତି। ଏହା ସମ୍ଭବ ହେଲା କେମିତି? ଏ ଦେଶର ନିହାତି ସାଧାରଣ ଲୋକ ସରକାରଙ୍କ ବିନା ଅନୁମତିରେ ଦେଶ ଛାଡି ବୁଲିବାକୁ ଯାଇ ପାରୁନି। ଅଥଚ ଗୋଟେ ଧର୍ଷଣ ଅଭିଯୁକ୍ତ ଆସାମୀ ଖସି ଯାଉଛି କେମିତି? କେବଳ ଖସି ଯାଉନି, ନିଜକୁ ଏକ ସାର୍ବଭୌମ ରାଷ୍ଟ୍ରର ମାଲିକ ବୋଲି କହୁଛି। ଦେଶପ୍ରେମୀ ଭକ୍ତଙ୍କ ମୁହଁରେ ଏ କଥା ଶୁଣି ଲଜ୍ଜା ସରମ କିଛି ଆସୁଛି କି?

ନିତ୍ୟାନନ୍ଦକୁ ଦେଶରୁ ଖସି ଯିବାର ସୁଯୋଗ ଦେଲା କିଏ? ଆଉ ଏକ ସାର୍ବଭୌମ ରାଷ୍ଟ୍ର ଗଢିବାର ଅଧିକାର ଜଣେ ଭାରତୀୟ ନାଗରିକର ରହିଛି କି? ନା ଯେ କେହି, ଯେଉଁଠି ଚାହିଁଲେ ହିନ୍ଦୁ ରାଷ୍ଟ୍ର ଗଢି ପାରିବ? ଏ ସମ୍ପର୍କରେ ଭାରତ ସରକାରଙ୍କର ପ୍ରତିକ୍ରିୟା କଣ? କିଛି ଦିନ ତଳେ ମଣିପୁରର ଦୁଇଜଣ ବିଦ୍ରୋହୀ ନେତା ଆଉ ଏକ ସ୍ଵୟଂଭୂ ସରକାର ଗଢିଛୁ ବୋଲି ଇଂଲଣ୍ଡରେ ଘୋଷଣା କଲେ। ଦେଶର ସାର୍ବଭୌମତ୍ଵକୁ ନେଇ ଖେଳ ଖେଳୁଥିବା ଏ ପ୍ରକାର ଚରିତ୍ରଙ୍କ ବିରୋଧରେ ଭାରତ ସରକାର କି ପଦକ୍ଷେପ ନେଉଛନ୍ତି? ଏହା ପୂର୍ବରୁ ଜାକିର ନାୟକ ନାମକ ଜଣେ ଇସ୍ଲାମିକ ଧର୍ମ ପ୍ରଚାରକ ମଧ୍ୟ ଦେଶ ଛାଡି ପଳାୟନ କରିଛି। ଏ ପ୍ରକାର ଦେଶଦ୍ରୋହୀଙ୍କ ବିରୋଧରେ ଭାରତ ସରକାରଙ୍କ କାର୍ୟାନୁଷ୍ଠାନ କେବଳ ବିରାଟ ଶୂନ।

ଇତି ମଧ୍ୟରେ ଗତ ମଙ୍ଗଳବାର ଦିନ କେନ୍ଦ୍ର ଅର୍ଥ ରାଷ୍ଟ୍ରମନ୍ତ୍ରୀ ଅନୁରାଗ ଠାକୁର ଆଉ ଏକ ତଥ୍ୟ ରଖିଛନ୍ତି। ଦେଶର ୧୭,୯୪୭.୧୧ କୋଟି ଟଙ୍କା ଖାଇ ଦେଇ ୫୧ ଜଣ ବ୍ୟବସାୟୀ ଦେଶ ଛାଡି ଚାଲି ଯାଇଛନ୍ତି। ସିବିଆଇ ସୂତ୍ରରୁ ଏକଥା ଉଲ୍ଲେଖ କରି ମନ୍ତ୍ରୀ କହିଛନ୍ତି ଯେ ଏହି ୫୧ ଜଣ ପଳାତକ ବିଭିନ୍ନ ବ୍ୟାଙ୍କରୁ ପଇସା ଉଠାଇ ସବୁଦିନ ଲାଗି ଦେଶ ଛାଡି ଫେରାର ମାରିଛନ୍ତି। ବର୍ଷେ ତଳେ ଜାନୁଆରୀ ପ୍ରଥମ ସପ୍ତାହରେ ସଂସଦରେ ଉତ୍ତର ରଖି ତତ୍କାଳୀନ ଅର୍ଥ ରାଷ୍ଟ୍ରମନ୍ତ୍ରୀ ଶିବ ପ୍ରସାଦ ଶୁକ୍ଲା କହିଥିଲେ ଯେ, ଗତ ପାଞ୍ଚ ବର୍ଷରେ ଅର୍ଥନୈତିକ ଅପରାଧ ସହ ଜଡିତ ୨୭ ଜଣ ବ୍ୟକ୍ତି ଦେଶ ଛାଡି ପଳାଇଛନ୍ତି। ବର୍ଷେ ପରେ ଏହି ସଂଖ୍ୟା ୫୧ରେ ପହଞ୍ଚିଛି। ଅର୍ଥାତ ଗତ ବର୍ଷେ ଭିତରେ ୨୪ ଜଣ ଅର୍ଥନୈତିକ ଅପରାଧୀ ଦେଶରୁ ଖସି ଚାଲି ଯାଇଛନ୍ତି।

ଆମେ ହୁଏତ ନୀରବ ମୋଦୀ କିମ୍ବା ବିଜୟ ମାଲ୍ୟା ନାଁ ମାନେ ରଖିଛୁ। ହେଲେ ଏମିତି  କେତେ ଅପରାଧୀ ଦେଶରୁ ସମ୍ପତ୍ତି ଲୁଟ କରି ଫେରାର ହୋଇ ଯାଉଛନ୍ତି। ସରକାର ନ ଚାହିଁଲେ ଜଣେ ଦେଶ ଛାଡି ଯାଇପାରିବ, ଏକଥା କେବଳ ନିର୍ବୋଧମାନେ ବିଶ୍ଵାସ କରିବେ। ଗତ ଚାରି ମାସ ଭିତରେ କାଶ୍ମୀରର କୌଣସି ବ୍ୟକ୍ତିଙ୍କୁ ବିଦେଶ ଯିବାକୁ ଦିଆ ଯାଉନାହିଁ। ଅନେକଙ୍କୁ ବିମାନରୁ ଓହ୍ଲାଇ ଦିଆ ଯାଉଛି। ସରକାରଙ୍କ ଅପାରଗତା ବିରୋଧରେ କହୁଥିବା ଅନେକ ନାଗରିକ ଓ ସ୍ଵେଚ୍ଛାସେବୀ ସଂଗଠନର କର୍ମକର୍ତ୍ତାଙ୍କୁ ଅପମାନଜନକ ଭାବରେ ବିଦେଶ ଯିବାକୁ ଅନୁମତି ଦିଆ ଯାଉନାହିଁ। ହେଲେ ଦେଶ ଲୁଟି ଭଦ୍ର ଡକାୟତମାନେ ଆରାମରେ ଖସି ଯାଉଛନ୍ତି।

କେବେ କେମିତି ନିର୍ବାଚନ ଆସିଲେ, ସରକାରଙ୍କ ଗୁଣ୍ଡା ବାହିନୀ ଭାବରେ କାମ କରୁଥିବା କିଛି ଟିଭି ଚାନେଲ ନୀରବ ମୋଦୀ କି ବିଜୟ ମାଲ୍ୟାଙ୍କୁ ଭାରତ ଅଣାଯାଉଛି ବୋଲି ଖବର ଚଳାଇ ଦିଅନ୍ତି। ତାପରେ ଆପେ ଆପେ ସେକଥା ଭୁଲି ହୋଇଯାଏ। ନୀରବ ମୋଦୀ, ବିଜୟ ମାଲ୍ୟା, ମେହୁଲ ଚୋକସି, ନିତ୍ୟାନନ୍ଦ, ଜାକିର ନାୟକ, ଦ୍ଵାରକାଦାସ ସେଠ ପରିବାର ଓ ଆହୁରି ଅନେକ ଏଇ ସରକାର ଅମଳରେ ହିଁ ଦେଶ ଛାଡିଛନ୍ତି। ଏମାନଙ୍କର ସଂଖ୍ୟା ବଢି ଚାଲିଛି। ହେଲେ ସରକାର ଏ ସମ୍ପର୍କରେ ନିଦାବିଷ୍ଣୁ। ସବୁ କଥାରେ ହିନ୍ଦୁ-ମୁସଲମାନ ଓ ସେନାବାହିନୀର ଆଲା ଦେଖାଇ ଦେଶର ମୌଳିକ ପ୍ରସଙ୍ଗ ଉପରେ ଆଲୋଚନା କରା ଯାଉନାହିଁ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜକୁ ଜଣେ ସମର୍ପିତ ଚୌକିଦାର ବୋଲି କହନ୍ତି। ହେଲେ ଜଣେ ଜାଗ୍ରତ ଚୌକିଦାର ଆଗରେ ଦେଶର ଲୁଟେରାମାନେ ଖସି ଯାଉଛନ୍ତି କେମିତି? ଆମେ ହୁଏତ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଭଳି ଚୌକିଦାରଙ୍କୁ ଚୋର ବୋଲି କହିବା ଠିକ ହେବନାହିଁ, ହେଲେ ଚୌକିଦାର ତାଙ୍କ କାମ ଠିକ କରୁଛନ୍ତି କି ନାହିଁ- ସେ ପ୍ରଶ୍ନ ତ ନିହାତି ପଚାରିବାକୁ ପଡିବ!!