Categories
ଆଜିର ଖବର ରାଜ୍ୟ ଖବର

ଗଞ୍ଜାମରେ କୋଭିଡ୍‌ ଶଯ୍ୟା ସଂଖ୍ୟା ବୃଦ୍ଧି ପାଇଁ ନିରଞ୍ଜନଙ୍କ ନିବେଦନ

ଭୁବନେଶ୍ବର : ଆଜି ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକ ପ୍ରେସବାର୍ତ୍ତା ଜରିଆରେ କହିଛନ୍ତି ଯେ ଓଡିଶାରେ କରୋନା ପରିସ୍ଥିତି ଜଟିଳ ହେବାରେ ଲାଗିଛି । ବିଶେଷକରି ଗଞ୍ଜାମ ଜିଲ୍ଲାରେ 40 ହଜାରରୁ ଅଧିକ ଲୋକ ଆସି ପହଂଚିଲେଣି । ଆହୁରି ମଧ୍ୟ ଆସିବେ । ସେମାନଙ୍କର ସଂପୂର୍ଣ୍ଣ ବ୍ୟବସ୍ଥା ଖାଲି 3 ଜଣ ପ୍ରଶାସନିକ ଅଧିକାରୀଙ୍କୁ ଦେଇଦେଲେ ହେବନାହିଁ । ଅନ୍ୟାନ୍ୟ ସହଯୋଗୀ କାର୍ଯ୍ୟକ୍ରମ ସେଠାରେ ଆରମ୍ଭ କରିବାର ଆବଶ୍ୟକତା ରହିଛି । ବାଚସ୍ପତି ମହାଶୟ ନିଜେ କାଲି ଗଣମାଧ୍ୟମ ଜରିଆରେ କହିଥିଲେ ଯେ ଗାଁ ମଝିରେ କ୍ୱାରେଣ୍ଟାଇନ୍ ସେଣ୍ଟର ଖୋଲାଯାଇଛି । ରାତିରେ କେହି ରହୁନାହାନ୍ତି, ଘରକୁ ପଳାଉଛନ୍ତି । ତେଣୁ ଏ ସବୁ କାର୍ଯ୍ୟକ୍ରମକୁ ଆହୁରି ସୂଚାରୁ ରୂପେ କରିବାକୁ ସରକାରଙ୍କୁ ନିବେଦନ କରିଛନ୍ତି ନିରଞ୍ଜନ ପଟ୍ଟନାୟକ ।

ସେ ଆହୁରି କହିଛନ୍ତି ଯେ ଆମେ ଯାହା ସରକାରଙ୍କୁ ପ୍ରସ୍ତାବ ଦେଲୁ ସରକାର ଆମ କଥା ଶୁଣିଲେ ନାହିଁ । ସେଠାକାର ବିଭିନ୍ନ ରାଜନୈତିକ ଲୋକ, ସେବାକାରୀ ସଂସ୍ଥା, ନାଗରିକ ସମାଜକୁ ନେଇ ଲୋକଙ୍କ ମନୋବଳ କରାଯାଉ । ଅନ୍ୟାନ୍ୟ ଜିଲ୍ଲାର ଯେଉଁମାନେ ଦାଦନ ଶ୍ରମିକ ଖଟିବାକୁ ରାଜ୍ୟ ବାହାରକୁ ଯାଇଛନ୍ତି, ସେମାନେ ଫେରି ନାହାନ୍ତି । ଫେରିଲେ ଗଞ୍ଜାମ ଭଳି ଭୟାବହ ସ୍ଥିତି ଦେଖାଯାଇପାରେ । ଏହାଛଡା ଗଞ୍ଜାମ ଜିଲ୍ଲାରେ ମାତ୍ର 200 ବେଡ୍ ଥିବା ହସ୍‌ପିଟାଲ ବ୍ୟବସ୍ଥାକୁ ନେଇ ନିରାଶା ଜାହିର କରିଛନ୍ତି ନିରଞ୍ଜନ । ଯେଉଁଠି ଆବଶ୍ୟକତା ନାହିଁ, ସେଠରେ ଅଧିକ ବେଡ୍‌ର କୋଭିଡ୍ ବ୍ୟବସ୍ଥା କରିଛନ୍ତି ସରକାର । ଗରିବ ଓଡିଆକୁ ବଞ୍ଚାଇବା ପାଇଁ ସରକାର ପଦକ୍ଷେପ ଗ୍ରହଣ କରନ୍ତୁ ବୋଲି ନିରଞ୍ଜନ କହିଛନ୍ତି ।