Categories
ଆଜିର ଖବର ଜାତୀୟ ଖବର

ରାଜ୍ୟସଭା ସାଂସଦ ଭାବେ ଶପଥ ନେଇପାରିଲେନି ଆପ୍ ନେତା ସଞ୍ଜୟ ସିଂହ, କ’ଣ କହିଲେ ଅଧ୍ୟକ୍ଷ?

ନୂଆଦିଲ୍ଲୀ: ଆପ୍ ନେତା ସଞ୍ଜୟ ସିଂହ ଫେବ୍ରୁଆରି ୫ ତାରିଖ ସୋମବାର ରାଜ୍ୟସଭା ସାଂସଦଭାବେ ଶପଥ ନେଇପାରିବେ ନାହିଁ। ରାଜ୍ୟସଭା ଅଧ୍ୟକ୍ଷ ସଞ୍ଜୟ ସିଂହଙ୍କୁ ସାଂସଦଭାବେ ଶପଥ ନେବାକୁ ଅନୁମତି ଦେଇନାହାନ୍ତି। ଅଧ୍ୟକ୍ଷ କହିଛନ୍ତି ଯେ ଏହି ମାମଲା ବର୍ତ୍ତମାନ ଅଧିକାର କମିଟି ପାଖରେ ଅଛି। ସୂଚନାଯୋଗ୍ୟ, ଆମ୍ ଆଦମୀ ପାର୍ଟି ନେତା ସଞ୍ଜୟ ସିଂହଙ୍କୁ ରାଉଜ୍ ଆଭେନ୍ୟୁ କୋର୍ଟ ଆଂଶିକ ରିଲିଫ୍ ଦେଇଛନ୍ତି। କୋର୍ଟ ସଞ୍ଜୟ ସିଂହଙ୍କୁ ଜେଲରୁ ବାହାରି ରାଜ୍ୟସଭାରେ ଶପଥ ନେବାକୁ ଅନୁମତି ଦେଇଛନ୍ତି। ତେବେ ସୋମବାର ଶପଥ ଗ୍ରହଣ ସମାରୋହ ପୂର୍ବରୁ ରାଜ୍ୟସଭା ଅଧ୍ୟକ୍ଷ ସଞ୍ଜୟ ସିଂହଙ୍କୁ ସାଂସଦଭାବେ ଶପଥ ନେବାକୁ ମନା କରିଦେଇଛନ୍ତି।

ଫେବ୍ରୁଆରି ୧ ତାରିଖ ଗୁରୁବାର ଦିନ ସଞ୍ଜୟ ସିଂହ ଅନ୍ତରୀଣ ଜାମିନ ଆବେଦନ ପାଇଁ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଫେବ୍ରୁଆରି ୫ତାରିଖରେ ଶପଥ ଗ୍ରହଣ ସମାରୋହରେ ଯୋଗଦେବା ପାଇଁ ସେ ୭ଦିନ ପାଇଁ ଅନ୍ତରୀଣ ଜାମିନ ଆବେଦନ କରିଥିଲେ। ଏଥିସହ ଫେବ୍ରୁଆରି ୫ରୁ ୯ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ସଂସଦ ଅଧିବେଶନରେ ଅଂଶଗ୍ରହଣ କରିବାକୁ ଆବେଦନ କରାଯାଇଥିଲା।

ଫେବ୍ରୁଆରି ୭ରେ ସୁଲତାନପୁର ଗସ୍ତ କରିପାରନ୍ତି ସଞ୍ଜୟ ସିଂହ

ତେବେ ସଞ୍ଜୟ ସିଂହଙ୍କ ପକ୍ଷରୁ ଓକିଲ ରଜତ ଭରଦ୍ୱାଜ କହିଛନ୍ତି ଯେ ଅନ୍ତରୀଣ ଜାମିନ ଦାବି ଉପରେ ଜୋର ଦିଆଯାଉନାହିଁ କାରଣ ଆପ୍ ନେତାଙ୍କୁ ତାଙ୍କ ବିରୋଧରେ ଦାୟର ହୋଇଥିବା ଅନ୍ୟ ଏକ ମାମଲାର ଶୁଣାଣି ପାଇଁ ଫେବ୍ରୁଆରି ୭ରେ ସୁଲତାନପୁର ଯିବାକୁ ପଡ଼ିବ। ଜାମିନ ବଦଳରେ ତାଙ୍କୁ କେବଳ ଯିବାକୁ ଅନୁମତି ଦିଆଯାଇପାରିବ ଏବଂ ସଞ୍ଜୟ ସିଂହ ଫେବ୍ରୁଆରି ୫ରେ ରାଜ୍ୟସଭା ସଦସ୍ୟଭାବେ ଶପଥ ନେଇପାରିବେ। ତେବେ ଆଜି ରାଜ୍ୟସଭା ଅଧ୍ୟକ୍ଷ ଆପ୍ ନେତାଙ୍କୁ ଶପଥ ନେବାକୁ ମଧ୍ୟ ଅନୁମତି ଦେଇନଥିଲେ।

ଅନ୍ୟପକ୍ଷରେ ଇଡି ମଧ୍ୟ ସଞ୍ଜୟ ସିଂଙ୍କ ଦାବିକୁ ବିରୋଧ କରିନଥିଲା। ତେବେ କୋର୍ଟ ସଞ୍ଜୟ ସିଂହଙ୍କ ଅନ୍ତରୀଣ ଜାମିନ ଆବେଦନଖାରଜ କରିବା ସହ ଫେବ୍ରୁଆରି ୫ ତାରିଖରେ ହିଁ ତାଙ୍କୁ ଶପଥ ନେବାକୁ ଅନୁମତି ଦିଆଯାଇଥିଲା।

Categories
ଆଜିର ଖବର

ମହାରାଷ୍ଟ୍ର ବିଧାୟକଙ୍କ ଶପଥ ଗ୍ରହଣ

ମହାରାଷ୍ଟ୍ରର ରାଜନୈତିକ ଡ୍ରାମାର ଅବସାନ ପରେ ସମସ୍ତ ନବ ନିର୍ବାଚିତ ବିଧାୟକ ମାନେ ଶପଥ ଗ୍ରହଣ କରିଛନ୍ତି । କଂଗ୍ରେସ-ଏନ୍‌ସିପି-ଶିବସେନାର ମହା ବିକାଶ ଅଘାଡି ମେଣ୍ଟ ସରକାର ଗଠନ କରିଥିବା ବେଳେ ଆସନ୍ତା କାଲି ଉଦ୍ଧବ ଠାକ୍‌ରେ ଶପଥ ଗ୍ରହଣ କରିବାର କାର୍ଯ୍ୟକ୍ରମ ରହିଛି । ବିଜେପି ନେତା କାଳିଦାସ କୋଲାମ୍ବକାର ଅସ୍ଥାୟୀ ବାଚସ୍ପତି ଭାବରେ ଦାୟିତ୍ବ ଗ୍ରହଣ କରିବା ସହିତ ସମସ୍ତ ସଦସ୍ୟଙ୍କୁ ଶପଥ ଗ୍ରହଣ କରାଇଛନ୍ତି । 9.18 ମିନିଟ୍‌ରେ ସମସ୍ତ ସଦସ୍ୟ ଶପଥ ଗ୍ରହଣ କରିଥିଲେ ।

Categories
ବିଶେଷ ଖବର

ଲୋକସଭାର ପ୍ରଥମ ଅଧିବେଶନ-ଲୋକତନ୍ତ୍ରର ମନ୍ଦିରରେ ଜୟ ଶ୍ରୀରାମ,ଜୟ ମା କାଳୀ ଓ ଆଲ୍ଲା ହୁ ଆକବର

କେଦାର ମିଶ୍ର 

ଲୋକସଭା ରେ କୀର୍ତ୍ତନ ହୁଏନାହିଁ କି ନମାଜ ପାଠ ହୁଏନାହିଁ। ତଥାପି ଆମର ସାଂସଦମାନେ ଶପଥ ଗ୍ରହଣ କଲାବେଳେ “ଜୟ ଶ୍ରୀରାମ”, “ଜୟ ମା କାଳୀ”, “ଆଲ୍ଲା ହୁ ଆକବର” ଧ୍ବନୀ ଦେବାର ମାନେ କଣ? ଲୋକଙ୍କ ଦ୍ଵାରା ନିର୍ବାଚିତ ହୋଇ ଦେଶର ସମ୍ବିଧାନ ଅନୁସାରେ ସମସ୍ତଙ୍କ ପାଇଁ ନ୍ୟାୟ କରିବାକୁ ଶପଥ ନେଉଥିବା ମାନ୍ୟବର ଲୋକସଭା ସଦସ୍ୟମାନେ ପରଷ୍ପରର ଧର୍ମକୁ ନେଇ ଲୋକସଭାରେ ଯେଉଁ ପ୍ରକାର ଆଚରଣ ପ୍ରଦର୍ଶନ କରିଛନ୍ତି, ତାହା ବୋଧହୁଏ ଆମ ଲୋକତନ୍ତ୍ର ଲାଗି ସବୁଠୁ ଲଜ୍ଯାକର ଦୃଶ୍ୟ ହୋଇ ରହିବ। ଦ୍ଵିତୀୟ ଥର ଜିତିବା ପରେ ଭାରତୀୟ ଜନତା ପାର୍ଟି ଖୋଲାଖୋଲି ନିଜର ସାମ୍ପ୍ରଦାୟିକ ଚରିତ୍ରକୁ ଏଥର ସଂସଦ ଭିତରେ ଜାହିର କରୁଛି। ବିରୋଧୀ ଦଳର ସଦସ୍ୟ ଓ ସଂଖ୍ୟାଲଘୁ ବର୍ଗର ନିର୍ବାଚିତ ସଦସ୍ୟମାନଙ୍କୁ ଅତି ନିକୃଷ୍ଟ ଭାବରେ ଅପମାନିତ କରାଯାଉଛି।ବିରୋଧୀଙ୍କୁ ଚିଡାଇବା ଲାଗି “ଜୟ ଶ୍ରୀରାମ” ନାରା ଲଗାଯାଉଛି।  “ଜୟ ଶ୍ରୀରାମ” ଆଜି ଆଉ ଏକ ଧାର୍ମିକ ଧ୍ୱନି ହୋଇ ରହିନାହିଁ। ରାଜନୈତିକ ପ୍ରତିଯୋଗୀଙ୍କୁ ଅପମାନିତ କରିବାଲାଗି ବିଜେପି ସଦସ୍ୟମାନେ “ଜୟ ଶ୍ରୀରାମ” ଧ୍ବନିର ଦୁର୍ବ୍ୟବହାର କରୁଛନ୍ତି। ପ୍ରଥମତଃ ସମ୍ବିଧାନର ଶପଥ ନେଉଥିବା ଆମର ଲୋକପ୍ରତିନିଧି ମାନେ ନିଜର ଧାର୍ମିକ ପରିଚୟକୁ ସଂସଦ ଗୃହ ବାହାରେ ଛାଡି ଆସିବା କଥା। ସମ୍ବିଧାନ ଓ ଆଇନର ଶାସନରେ ଆପଣ ସାରା ଭାରତର ପ୍ରତିନିଧି। ଗଣତନ୍ତ୍ରର ଏଇ ସାଧାରଣ ଶିଷ୍ଟାଚାର ବୋଧହୁଏ ଶାସକ ଦଳଠାରୁ ଆଶା କରିବା ବୃଥା!

ଶପଥ ଗ୍ରହଣ ସମୟରେ ବିଜେପି ସଦସ୍ୟମାନେ ଉଦ୍ଦେଶ୍ୟମୂଳକ ଭାବରେ ବିରୋଧୀଙ୍କୁ ଅପମାନିତ କରୁଥିବାର ଦୃଶ୍ୟ, ଆମର ଗଣତନ୍ତ୍ର ଲାଗି ଏକ ଭୟଙ୍କର କଳାଦିନର ସଙ୍କେତ ଦେଉଛି। ପ୍ରଧାନମନ୍ତ୍ରୀ ସମ୍ବିଧାନ ଆଗରେ ମୁଣ୍ଡିଆ ମାରୁଥିବାବେଳେ ତାଙ୍କ ଦଳର ପ୍ରତିନିଧିମାନେ ସମ୍ବିଧାନ ଦ୍ଵାରା ପ୍ରତିଷ୍ଠିତ ଆମର ସଂସଦୀୟ ପରମ୍ପରାକୁ ପଦାଘାତ କରୁଛନ୍ତି। ସଂସଦର ଅନ୍ୟତମ ବରିଷ୍ଠ ସଦସ୍ୟା ତଥା କଂଗ୍ରେସର ପୂର୍ବତନ ଅଧ୍ୟକ୍ଷା ଶ୍ରୀମତୀ ସୋନିଆ ଗାନ୍ଧୀ ଶପଥ ଗ୍ରହଣ କରିବା ସମୟରେ ଶାସକ ଦଳର ଆଚରଣ ଅତ୍ୟନ୍ତ ଲଜ୍ଜାଜନକ ରହିଥିଲା। ଲୋକସଭାର  ଶପଥ ଗ୍ରହଣ ଉତ୍ସବ ଏକ ସୌହାର୍ଦ୍ଦ୍ୟ ଓ ସଦ୍ଭାବନାମୂଳକ ପରିବେଶରେ ଯଦି ହୋଇ ପାରୁନାହିଁ, ତାହେଲେ ଆଗାମୀ ଦିନରେ ଲୋକସଭା କେମିତି ଚାଲିବ, ତାର ସ୍ପଷ୍ଟ ସଙ୍କେତ ଏଥିରୁ ମିଳିଯାଉଛି।

ଏହି ପୃଷ୍ଠଭୂମିରେ ଆଜି ଆମଲାଗି ସବୁଠୁ ଚିନ୍ତାର ବିଷୟ ହେଉଛି, ଧାର୍ମିକତାର ଆଧାରରେ ଆମେ ସତରେ ବିଭାଜିତ ହୋଇ ସାରିଛୁ କି? ଦେଶର ଶାସକ ଦଳ ନିଜକୁ ହିନ୍ଦୁ ମାନଙ୍କର ପ୍ରତିନିଧି ବୋଲି ଖୋଲାଖୋଲି ଘୋଷଣା କରିବା ଓ ବିରୋଧୀଙ୍କୁ ସଙ୍ଖ୍ୟାଲଘୁଙ୍କ ସମର୍ଥକ ବୋଲି କହିବାର ପ୍ରକ୍ରିୟାରୁ ଏକଥା ତ ସ୍ପଷ୍ଟ ହୋଇ ଯାଉଛି। ଲୋକସଭା ଭିତରେ ତୃଣମୂଳ ଓ ବିଜେପି ମଧ୍ୟରେ ଯେଉଁ ଯୁଦ୍ଧ ଦେଖିବାକୁ ମିଳିଥିଲା, ସେଥିରେ ହିନ୍ଦୁ ଧର୍ମ ଭିତରେ ମଧ୍ୟ ବିଭାଜନର ଏକ ଭୟଙ୍କର ଆଭାସ ମିଳୁଥିଲା। ବିଜେପିର “ଜୟ ଶ୍ରୀରାମ” ନାରା କୁ ଖର୍ବ କରିବାକୁ ତୃଣମୂଳ ସଦସ୍ୟମାନେ “ଜୟ ମା କାଳୀ” ନାରା ଦେଇଥିଲେ। ଇତିହାସରେ ଏକଦା ଶୈବ ଓ ବୈଷ୍ଣବମାନଙ୍କ ଭିତରେ ଯେଉଁ ରକ୍ତାକ୍ତ ସଂଘର୍ଷ ଘଟିଥିଲା, ତାହାର ପୁରାବୃତ୍ତିର ଏ ସୂଚନା ନୁହେଁ ତ!

ଆମେ ଯେଉଁମାନେ ୧୯୮୯ ମସିହାରୁ ଲୋକସଭା ବିତର୍କ ଓ ଲୋକସଭାର କାର୍ୟକ୍ରମ ଦେଖି ଆସୁଛୁ, ଆମ ଲାଗି ଏହି ଲୋକସଭାର ପ୍ରଥମ ଅଧିବେଶନ ସବୁଠୁ ବେଶୀ ଅପମାନଜନକ ଓ ଚିନ୍ତାଜନକ। ଧାର୍ମିକ ଉନ୍ମାଦର ଏତେ ବେଶୀ ଭୟଙ୍କର ପ୍ରଦର୍ଶନ କେବେ ବି କୌଣସି ଲୋକସଭାରେ ଦେଖିବାକୁ ମିଳିନଥିଲା। ଧାର୍ମିକ ପରିଚୟ ଆଧାରରେ ସଭ୍ୟମାନେ ପରସ୍ପରକୁ ଆକ୍ଷେପ ପ୍ରତିଆକ୍ଷେପ କରିବାରେ, ସାମାନ୍ୟତମ ଲଜା ଅନୁଭବ କରୁନାହାନ୍ତି। ଆମ ଲୋକ ପ୍ରତିନିଧିଙ୍କ ଆଚରଣରୁ ଯାହା ମନେହେଉଛି, ଆମେ ବୋଧହୁଏ ଏକ ଭୟଙ୍କର ସାଂସ୍କୃତିକ ବିଭାଜନ ଆଡକୁ ମୁହାଁଉଛୁ। ଭାରତୀୟ ନାଗରିକ ଓ ସମ୍ବିଧାନର ଅନୁରକ୍ତ ପ୍ରତିନିଧି ଅପେକ୍ଷା ନିଜ ନିଜର ଧାର୍ମିକ ପରିଚୟକୁ ନେଇ ସଭ୍ୟମାନେ ଅତ୍ୟନ୍ତ ନିକୃଷ୍ଟ ଆଚରଣ ପ୍ରଦର୍ଶନ କରୁଛନ୍ତି। ଶାସକ ଦଳର ପ୍ରରୋଚନାରେ ଏବେ ଲୋକସଭା ଧର୍ମସଭା ପରି ଲାଗୁଛି। ଏକବିଂଶ ଶତାବ୍ଦୀରେ ପୃଥିବୀର ସର୍ବ ବୃହତ ଗାଣତାନ୍ତ୍ରିକ ରାଷ୍ଟ୍ର ଧାର୍ମିକ ଉନ୍ମାଦନାର ରାଷ୍ଟ୍ର ପରି ଦୃଶ୍ୟମାନ ହେବା, ଗଭୀର କ୍ଷୋଭ ଓ ଚିନ୍ତାର ବିଷୟ।

Categories
ବିଶେଷ ଖବର

ନବୀନଙ୍କ ନୂଆ ମନ୍ତ୍ରୀମଣ୍ଡଳ; ବିରୋଧୀ ବୁଝି ପାରୁନାହାନ୍ତି ଏହାର ଗଣିତ ଓ କେମିଷ୍ଟ୍ରି

କେଦାର ମିଶ୍ର

ନବୀନ ପଟ୍ଟନାୟକଙ୍କ ପଞ୍ଚମ ପାଳିର ମନ୍ତ୍ରୀମଣ୍ଡଳ ଗଠନ ହେଲା ପରେ ଯେଉଁ କିଛି ପ୍ରତିକ୍ରିୟା ବିଭିନ୍ନ ଶିବିରରୁ ଆସିଛି, ସେଥିରୁ ପ୍ରଥମ ପ୍ରତିକ୍ରିୟା ହେଉଛି- ଆରେ, ଏମିତି କେମିତି ହେଲା! ଏତେ ବଡ ବଡ ମୁଣ୍ଡ ଥାଉ ଥାଉ ହଠାତ ନୂଆ ମୁହଁକୁ ଗୁରୁତ୍ଵ ଦିଆଗଲା କାହିଁକି? ଯେଉଁ ମୁଣ୍ଡମାନେ କେବଳ ନିଜେ ହିଁ ମନ୍ତ୍ରୀପଦର ଶିରୋପା ବାନ୍ଧିବାକୁ ଯୋଗ୍ୟ ବୋଲି  ଭାବୁଥିଲେ, ସେମାନେ ହଠାତ ନିରାଶ ହୋଇ ପଡିଛନ୍ତି। ସେମାନଙ୍କ ନିରାଶା ଭିତରେ ନବୀନ ବିରୋଧୀ ଶିବିର ଭବିଷ୍ୟତର “ଅସନ୍ତୋଷ” କଥା କଳ୍ପନା କରି ଶିହରି ଉଠୁଛନ୍ତି। ସେମାନଙ୍କୁ ଲାଗୁଛି, ଯେଉଁମାନଙ୍କୁ ଆଜି ମନ୍ତ୍ରୀପଦ ମିଳିନାହିଁ, ସେମାନେ କାଲି ହୁଏତ “ବିଦ୍ରୋହୀ” ହୋଇ ପାରନ୍ତି।

ଆଞ୍ଚଳିକ ଭେଦର ପ୍ରଶ୍ନ ବି କମ ଉଠୁନାହିଁ। ପଶ୍ଚିମ ଓଡିଶାର ପାଞ୍ଚଟି ଯାକ ଲୋକସଭାରେ ବିଜେଡି ପରାଜିତ ହୋଇଛି। ତା ସତ୍ତ୍ୱେ ପଶ୍ଚିମ ଓଡ଼ିଶାକୁ ଏଥର ମନ୍ତ୍ରୀମଣ୍ଡଳର ଏକ ସିଂହ ଭାଗ ଯାଇଛି। ଅର୍ଥ ଓ ଅବକାରୀ ମନ୍ତ୍ରୀ ନିରଞ୍ଜନ ପୂଜାରୀ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବକିଶୋର ଦାସ, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା, ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁ, ଶ୍ରମ ତଥା ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ସୁଶାନ୍ତ ଏବଂ ଶକ୍ତି ଓ ଶିଳ୍ପ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର- ଏମାନେ ସମସ୍ତେ ପଶ୍ଚିମ ଓଡିଶାର। ବୋଧ ହୁଏ ଓଡିଶା ଇତିହାସରେ ଏତେ ସଂଖ୍ୟକ ପ୍ରଭାବଶାଳୀ ମନ୍ତ୍ରୀ ପଶ୍ଚିମ ଓଡିଶାରୁ କେବେ ହେଲେ ମନ୍ତ୍ରୀ ମଣ୍ଡଳରେ ସ୍ଥାନ ପାଇନଥିଲେ।

ଏହାକୁ ନେଇ ଏବେ ଚର୍ଚ୍ଚା ବି କିଛି କମ ନୁହେଁ। ଯାଜପୁର, ଗଞ୍ଜାମ, ବାଲେଶ୍ଵର, କେନ୍ଦ୍ରାପଡା, କଟକ ଓ ପୁରୀ ବଦଳରେ ସୋନପୁର, ବରଗଡ, କଳାହାଣ୍ଡି ଓ ବଲାଙ୍ଗୀର ଆଜି କ୍ଷମତା କେନ୍ଦ୍ର ହେବା କଥାଟିକୁ ହଜମ କରିବା ସହଜ ନୁହେଁ! ଯେଉଁମାନେ ସହରୀ ମଧ୍ୟବିତ୍ତ ସେମାନଙ୍କ ଲାଗି, ଏହା ଏକ ପ୍ରକାର ଆଞ୍ଚଳିକ ଅସ୍ମିତାର ପ୍ରସଙ୍ଗ ହୋଇ ପଡିଛି। ତେଣୁ ଏବେ କୁହା ଯାଉଛି, ଯେଉଁ ସବୁ ଜିଲା ବିଜେଡ଼ିକୁ ବିପୁଳ ଭୋଟ ଦେଇଛନ୍ତି, ସେଇ ସବୁ ଜିଲ୍ଲାରୁ ମନ୍ତ୍ରୀ କମ ହୋଇଛନ୍ତି। ତେବେ ପଶ୍ଚିମ ଓଡିଶାରୁ ବିଜେଡି କିଛି କମ ଆସନ ପାଇନାହିଁ। ପ୍ରଥମଥର ଲାଗି ରାଜ୍ୟର କ୍ଷମତା ରାଜନୀତିରେ ଉପକୂଳ ଓଡିଶା ତୁଳନାରେ ପଶ୍ଚିମ ଓ ଉତ୍ତର ଓଡିଶାର ପ୍ରଭାବ ବଢିଛି। ରାଜସ୍ୱ ମନ୍ତ୍ରୀ ମୟୂରଭଞ୍ଜରୁ ଆସିଥିବା ବେଳେ ଅର୍ଥମନ୍ତ୍ରୀ ସୋନପୁରରୁ ଆସିଛନ୍ତି। ସ୍ୱାସ୍ଥ୍ୟ ମନ୍ତ୍ରୀ ଝାରସୁଗୁଡାର ହୋଇଥିବା ବେଳେ ଶକ୍ତି ଓ ଶିଳ୍ପ ମନ୍ତ୍ରୀ କଳାହାଣ୍ଡିର ବାସିନ୍ଦା। ତେଣୁ ଏହାକୁ କ୍ଷମତା କେନ୍ଦ୍ରର ସଫଳ ବିକେନ୍ଦ୍ରୀକରଣ ବୋଲି ଆମେ କହିପାରିବା।

ତେବେ ଏ ପ୍ରକାର ପରୀକ୍ଷା ନିରୀକ୍ଷାରେ ସଙ୍କଟ ମଧ୍ୟ କିଛି କମ ନୁହେଁ। ଧରନ୍ତୁ, ରଘୁନନ୍ଦନ ଦାସ ଓ ତୁଷାରକାନ୍ତି ବେହେରାଙ୍କୁ ମନ୍ତ୍ରୀ କରିବାକୁ ନେଇ ପୁରୀ ଓ ଜଗତସିଂପୁର ଜିଲ୍ଲାରେ ଅସନ୍ତୋଷ ବଢିଲା। ତାକୁ ସମ୍ଭାଳି ହେବ କି? ଏ ଦୁହେଁ, ନିର୍ବାଚନ ପୂର୍ବରୁ ବିଜେଡ଼ିକୁ ଆସିଛନ୍ତି। ନବ ଦାସ ମଧ୍ୟ କଂଗ୍ରେସର ହାତ ଛାଡି ସିଧା ସିଧା ମନ୍ତ୍ରୀ ହୋଇଛନ୍ତି। ଏଥିରେ ବିଜେଡ଼ିର ପୁରୁଖା ନେତାମାନେ ଅସନ୍ତୁଷ୍ଟ ହେବା ସ୍ଵାଭାବିକ। ତାପରେ ଟୁକୁନି ସାହୁଙ୍କ ଭଳି ଦୁଇ ଥରର ବିଧାୟକଙ୍କୁ କ୍ୟାବିନେଟ ମନ୍ତ୍ରୀ କରାଗଲା ବେଳେ ତିନି ଥରର ବିଧାୟକ ତଥା ମନ୍ତ୍ରୀ ଅଶୋକ ପଣ୍ଡାଙ୍କୁ ସେଇ ରାଷ୍ଟ୍ର ମନ୍ତ୍ରୀ କରି ରକ୍ଷା ଯାଉଛି ଓ ତାଙ୍କୁ ଅପେକ୍ଷାକୃତ ଦୁର୍ବଳ ବିଭାଗର ଦାୟିତ୍ଵ ଦିଆ ଯାଉଛି। ଏହା ଦଳ ଭିତରେ ଅସନ୍ତୋଷ ସୃଷ୍ଟି କରିବା ନାହିଁ କି?

ତେବେ ବିଜେଡ଼ିର ଆକଳନ ଏ କ୍ଷେତ୍ରରେ ପୂରା ଭିନ୍ନ। ବିଜେଡି ମୁଖିଆ ନବୀନଙ୍କ ବ୍ୟକ୍ତିତ୍ବ ଆଗରେ ଠିଆ ହୋଇ ବା ତାଙ୍କୁ ବିରୋଧ କରି ତିଷ୍ଠିବା ଯେ ଆଦୌ ସହଜ କଥା ନୁହେଁ, ଏ କଥା ବାରମ୍ବାର ପ୍ରମାଣିତ ହୋଇ ସାରିଛି। ଏଥର ନିର୍ବାଚନ ଆଗରୁ ବୈଜୟନ୍ତ ପଣ୍ଡା, ଦାମୋଦର ରାଉତ, ଅର୍ଜୁନ ଚରଣ ସେଠି, ପର୍ଶୁରାମ ମାଝୀଙ୍କ ପରି ନେତା ବିଜେଡି ଛାଡି ଅପଦସ୍ତ ହେବାର ଆମେ ଦେଖିଛୁ। ଅନ୍ତତଃ ଆଜି ବିଜେଡି ମୁଖିଆଙ୍କ ଆଗରେ ନିଜର ଅସନ୍ତୋଷ ବା ବିଦ୍ରୋହ ଜାହିର କରିବା ଭଳି ସ୍ଥିତିରେ କୌଣସି ବିଧାୟକ ଯେ ଅଛନ୍ତି, ସେକଥା ଭାବିବା ନିର୍ବୋଧତା ହେବ।

ତେବେ ଭବିଷ୍ୟତରେ ରାଜ୍ୟର ମୁଖ୍ୟ ବିରୋଧୀ ଦଳ ପାଲଟିଥିବା ବିଜେପି, ବିଜେଡି ଭିତରର ଅସନ୍ତୋଷକୁ ପ୍ରୋତ୍ସାହନ ଦେବା ପାଇଁ ନିହାତି ଚେଷ୍ଟା କରିବ। ବିରୋଧୀ ସରକାରକୁ ଅସ୍ଥିର କରିବା ଲାଗି ସବୁ ପ୍ରକାର କୌଶଳ ପ୍ରୟୋଗ କରିବାରେ ବିଜେପି ଏବେ ପୁରୁଣା କଂଗ୍ରେସ କୁ ତାପୀ ସାରିଛି। ସେ ବିଷୟରେ ବିଜେଡି କୁ ସାବଧାନ ରହିବାକୁ ପଡିବ। ଯେ କୌଣସି ସୁଯୋଗରେ ବିଜେଡି ସରକାରକୁ ଓ ଦଳକୁ ଅସୁବିଧାରେ ପକାଇବାକୁ ଏବେ ବିଜେପିର ରଣନୀତି ପ୍ରସ୍ତୁତ ହେଉଛି। ତେଣୁ ଦଳୀୟ ଅସନ୍ତୋଷକୁ ନିୟନ୍ତ୍ରଣରେ ରଖିବାକୁ ଏକ “ସର୍ବ ସନ୍ତୁଷ୍ଟିକରଣ ଯୋଜନା” ବିଷୟରେ ବିଜେଡ଼ିକୁ ଗୁରୁତ୍ଵ ଦେଇ ଚିନ୍ତା କରିବାକୁ ପଡିବ।