Categories
ଆଜିର ଖବର

ଆଶୀର୍ବାଦ ବେହେରାଙ୍କୁ ସର୍ତ୍ତମୂଳକ ଜାମିନ

ଚିଟ୍‌ଫଣ୍ଡ ମାମଲାରେ ଗିରଫ ହୋଇଥିବା ପୂର୍ବତନ ଓସିଏ ସମ୍ପାଦକ ଆଶୀର୍ବାଦ ବେହେରାଙ୍କୁ ଜାମିନ ମିଳିଛି । ଓଡିଶା ହାଇକୋର୍ଟଙ୍କ ପକ୍ଷରୁ ଆଶୀର୍ବାଦଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରାଯାଇଛି । ଦେଢ ଲକ୍ଷ ଟଙ୍କାର ଦୁଇ ଜାମିନଦାରଙ୍କ ମୁଚାଲିକାରେ ଆଶୀର୍ବାଦଙ୍କୁ ଜାମିନ ପ୍ରଦାନ କରାଯାଇଛି । ସାକ୍ଷୀଙ୍କୁ ପ୍ରଭାବିତ ନକରିବା ଏବଂ ତଦନ୍ତ ପ୍ରଭାବିତ ନକରିବାକୁ କୋର୍ଟଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ଆଶୀର୍ବାଦଙ୍କ ବିଦେଶ ଗସ୍ତ ଉପରେ ରୋକ୍‌ ଲଗାଇଛନ୍ତି କୋର୍ଟ । କୋର୍ଟରେ ନିଜର ପାସପୋର୍ଟ ଦାଖଲ କରିବା ପାଇଁ ମଧ୍ୟ ଆଶୀର୍ବାଦଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଅର୍ଥତତ୍ତ୍ବ ମାମଲାରେ ସିବିଆଇ ପକ୍ଷରୁ ଆଶୀର୍ବାଦଙ୍କୁ ଗିରଫ କରିଥିଲା ।

Categories
ବିଶେଷ ଖବର

ଆଶୀର୍ବାଦ ବେହେରାଙ୍କୁ ସିବିଆଇ ଗିରଫ କରିବା ପଛରେ ଜୟ ଶାହାଙ୍କୁ ବିସିସିଆଇ ସମ୍ପାଦକ କରିବାର ପରୋକ୍ଷ ଉଦ୍ଦେଶ୍ୟ ରହିଥିଲା କି?

କେଦାର ମିଶ୍ର

ମାନ୍ୟବର ସୁପ୍ରିମ କୋର୍ଟଙ୍କୁ ଧନ୍ୟବାଦ! ପରିଶେଷରେ ଭାରତୀୟ କ୍ରିକେଟ ବୋର୍ଡ ବିଜେପିର ପାରିବାରିକ ସମ୍ପତ୍ତି ପାଲଟିଗଲା।

ଭାରତର ମାନ୍ୟବର ସୁପ୍ରିମ କୋର୍ଟ ଏକଦା ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡକୁ ରାଜନୈତିକ ଲୋକଙ୍କଠାରୁ ମୁକ୍ତ କରିବା ପାଇଁ ଓ କ୍ରିକେଟ ପ୍ରଶାସନରେ ଖେଳାଳୀମାନଙ୍କର ଭୂମିକାକୁ ବ୍ୟାପକ କରିବା ପାଇଁ ଏକ ଦୀର୍ଘସ୍ଥାୟୀ ସମାଧାନର ବାଟ ବାହାର କରିଥିଲେ। ସୁପ୍ରିମ କୋର୍ଟର ପୂର୍ବତନ ମୁଖ୍ୟ ବିଚାରପତି ଜଷ୍ଟିସ ଆର.ଏମ.ଲୋଧାଙ୍କ ନେତୃତ୍ବରେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡର ପୁନର୍ଗଠନ ସହିତ ଏହାର ସମ୍ବିଧାନ ସଂଶୋଧନ ଲାଗି ବ୍ୟାପକ ବନ୍ଦୋବସ୍ତ ହୋଇଥିଲା। ଜଷ୍ଟିସ ଲୋଧା ବାରମ୍ବାର କ୍ରିକେଟକୁ ରାଜନୈତିକ ନେତାଙ୍କ କବଳରୁ ମୁକ୍ତ ରଖିବା ପାଇଁ ଯୁକ୍ତି କରୁଥିଲେ। ଏକଦା ଜାତୀୟ କ୍ରିକେଟ ବୋର୍ଡ ଓ ରାଜ୍ୟ ବୋର୍ଡ ଗୁଡିକରେ ରାଜନୈତିକ ଦଳମାନଙ୍କର ପ୍ରଭାବ ରହୁଥିବାରୁ ଏହାକୁ କ୍ରୀଡା ବିକାଶର ଏକ ସଂଗଠନ କରିବାକୁ ମାନ୍ୟବର ସୁପ୍ରିମ କୋର୍ଟ ଚାହୁଁଥିଲେ। ସୁପ୍ରିମ କୋର୍ଟଙ୍କ ହସ୍ତକ୍ଷେପ ପରେ ଶରଦ ପାୱାର, ସ୍ଵର୍ଗତ ଅରୁଣ ଜେଟଲି, ଲାଲୁ ଯାଦବଙ୍କ ପରି ନେତା ଆଉ କ୍ରିକେଟ ବୋର୍ଡକୁ ଆସି ପାରିବେ ନାହିଁ ବୋଲି କୁହାଗଲା।

ବିସିସିଆଇର ସମ୍ବିଧାନ ସଂଶୋଧନ ଓ ନୂଆ କମିଟି ଗଠନ ହେବା ଯାଏ ସୁପ୍ରିମ କୋର୍ଟ ଜଣେ ସ୍ଵତନ୍ତ୍ର ପ୍ରଶାସକଙ୍କୁ ଏଥିପାଇଁ ପାଇଁ ନିଯୁକ୍ତି ଦେଇଥିଲେ। ଏହି ଦାୟିତ୍ଵ ,ମିଳିଥିଲା ପୂର୍ବତନ ସିଏଜି ବିନୋଦ ରାୟଙ୍କୁ । ଇଏ ହେଉଛନ୍ତି ସେଇ ବିନୋଦ ରାୟ ଯିଏ ମନମୋହନ ସିଂ ସରକାରଙ୍କ ବିରୋଧରେ ଦୁର୍ନୀତିର ଏକ କାଳ୍ପନିକ ଅଙ୍କ ତିଆରି କରିଥିଲେ। କଂଗ୍ରେସ ସରକାରକୁ ବଦନାମ କରିଥିବାରୁ ମୋଦୀ ସରକାରରେ ତାଙ୍କୁ ବହୁ ଓଜନଦାର ପଦ ପଦବୀ ମିଳିଛି। ଗତ କିଛି ବର୍ଷ ଭିତରେ ବିସିସିଆଇ ର ମୁଖିଆ ଭାବରେ ସେ ଅପରିମିତ କ୍ଷମତା ବ୍ୟବହାର କରିଛନ୍ତି। ଭାରତୀୟ କ୍ରିକେଟରେ ସଂସ୍କାର ଆଣିବାକୁ ତାଙ୍କୁ ଯେଉଁ ଦାୟିତ୍ଵ ଦିଆ ଯାଇଥିଲା, ସେଥିରେ ସେ ଏକ ଐତିହାସିକ ସଫଳତା ହାସଲ କରିଛନ୍ତି!

ଯଦିଓ ବିସିସିଆଇ ସଭାପତି ଭାବରେ ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ନିର୍ବାଚିତ ହୋଇଛନ୍ତି, ହେଲେ ସମ୍ପାଦକ ଭାବରେ ଗୃହ ମନ୍ତ୍ରୀ ଅମିତ ଶାହାଙ୍କ ପୁଅ ଜୟ ଶାହା ଓ କୋଷାଧ୍ୟକ୍ଷ ଭାବରେ ଅର୍ଥ ରାଷ୍ଟ୍ରମନ୍ତ୍ରୀ ଅନୁରାଗ ଠାକୁରଙ୍କ ଭାଇ ଅରୁଣ ଧୂମଲ ବିନା ପ୍ରତିଯୋଗିତାରେ ନିର୍ବାଚିତ ହୋଇଛନ୍ତି। ରାଜନୈତିକ ଚାପରୁ ବିସିସିଆଇ କୁ ମୁକ୍ତ କରିବାକୁ ଯାଇ ଏହାକୁ ବିଜେପି ରାଜନୀତିର ପାରିବାରିକ ସମ୍ପତ୍ତି ଭାବରେ ଟେକି ଦିଆ ଯାଇଛି।

ଏ ପ୍ରସଙ୍ଗରେ ଏବେ ହଠାତ ଗୋଟେ କଥା ମନକୁ ଆସୁଛି। ଓଡିଶା କ୍ରିକେଟ ଆସୋସିଏସନ ନିର୍ବାଚନର ଅଳ୍ପ କେଇ ଦିନ ଆଗରୁ ହଠାତ ଏହି ନିର୍ବାଚନରେ ନିର୍ଣ୍ଣାୟକ ଭୂମିକା ନେଉଥିବା ଆଶୀର୍ବାଦ ବେହେରାଙ୍କୁ ସିବିଆଇ ଏକ ପୁରୁଣା କେସରେ  ଗିରଫ କରିଥିଲା। ସେତେବେଳେ ଏହାର ରହସ୍ୟ ବୁଝି ହେଉନଥିଲା। ଏବେ ଗୃହମନ୍ତ୍ରୀ ଅମିତ ଶାହାଙ୍କ ପୁଅ ବିସିସିଆଇ ସମ୍ପାଦକ ଭାବେ ନିର୍ବାଚିତ ହେବା ପରେ, ଏହା ପଛରେ ରହିଥିବା ସମ୍ଭାବ୍ୟ ଉଦ୍ଦେଶ୍ୟ ଏବେ ସ୍ପଷ୍ଟ ହେବା ଆରମ୍ଭ କରିଛି। ଜୟ ଶାହାଙ୍କୁ ସମ୍ପାଦକ କରିବା ଲାଗି କି ପ୍ରକାର ଉଦ୍ୟମ ହୋଇଥିଲା, ସେ କଥା ଏବେ ବୁଝିବାରେ ଆଉ ବିଶେଷ ଅସୁବିଧା ହେବାର ନାହିଁ।

ଏକଦା କଂଗ୍ରେସର ପରିବାରବାଦକୁ ନେଇ ଭାରତର ରାଜନୀତି ପଡୁଥିଲା ଓ ଉଠୁଥିଲା। ଆଜି ପରିବାରବାଦ କଥା ଉଠାଇବାକୁ ଆମର ଗଣମାଧ୍ୟମ ଛାନିଆ ହୋଇ ପଡୁଛି। ଦେଶର ଗୃହମନ୍ତ୍ରୀଙ୍କ ପୁଅ ଓ ଅର୍ଥମନ୍ତ୍ରୀଙ୍କ ଭାଇ ସବୁଠୁ ଧନୀ କ୍ରୀଡା ଅନୁଷ୍ଠାନର ସମ୍ପାଦକ ତଥା କୋଷାଧ୍ୟକ୍ଷ ହେବା ପଛରେ କି ପ୍ରକାର ଗୋଟି ଚାଳନା ହୋଇଛି, ତାହା ଆଶୀର୍ବାଦ ବେହେରା ଘଟଣାରୁ ସ୍ପଷ୍ଟ ହୋଇଯିବ। ଓଡିଶା କ୍ରିକେଟ ଆସୋସିଏସନ ସହିତ ବୃଜେଶ ପଟେଲ ଗୋଷ୍ଠୀର ସୁସମ୍ପର୍କକୁ ଭାଙ୍ଗିବା ଲାଗି ଏକ ବଡ ଷଡଯନ୍ତ୍ର ରଚନା କରାଯାଇଥିଲା, ଯେଉଁ ବିଷୟରେ ଗଣମାଧ୍ୟମ ଚିନ୍ତା କରିବାର ସୁଯୋଗ ମଧ୍ୟ ପାଇନଥିଲା।

ତେବେ ସବୁଠୁ ଦୁର୍ଭାଗ୍ୟର କଥା ହେଉଛି, ସୁପ୍ରିମ କୋର୍ଟ ବିସିସିଆଇରେ ଯେଉଁ ସଂସ୍କାର କଥା କହିଥିଲେ, ତାହା ଆଜି ଏକ ହାସ୍ୟାସ୍ପଦ ବ୍ୟବସ୍ଥାରେ ପରିଣତ ହୋଇଛି। ରାଜନୈତିକ ନେତାଙ୍କ ପରିବାର ହାତକୁ ବିସିସିଆଇର ମାଲିକାନା ଆପେ ଆପେ ପୁଣିଥରେ ଚାଲି ଯାଇଛି।