Categories
ଆଜିର ଖବର ରାଜ୍ୟ ଖବର

ଦାଦନ ଦାନବ ନେଲା ସତ୍ୟବାନଙ୍କ ଜୀବନ : ନ୍ୟାୟ ଅପେକ୍ଷାରେ ପରିବାର

ରାଜ କିଶୋର ବିଷୋୟୀ
ଭଞ୍ଜନଗର : ଦାନା ପାଇଁ ଦାଦନ ଯାଇଥିଲେ ସ୍ୱାମୀ ସତ୍ୟବାନ । ଆଉ ଦୁଇ ଦିନ ପରେ ଟିକଟ କରି ଟ୍ରେନରେ ଗାଁକୁ ଫେରିଥାନ୍ତେ । ତା ପୂର୍ବରୁ ଫୋନ କରି କହିଥିଲେ , ମୁଁ ଗାଁ କୁ ଗଲେ ଆଉ ସୁରତ ଫେରିବିନି । ଗାଁ ରେ ହିଁ ରହିବି । ଯାହା ଯେତିକି ରୋଜଗାର କରିବି ସେତକରେ ଚଳିବା । ହେଲେ ସବୁ ସ୍ୱପ୍ନ ଅଧାରେ ରହିଗଲା । ସ୍ବାମୀଙ୍କ ଫେରିବା ବାଟ ଅଫେରା ରହିଗଲା । ପୁଅ କୁ କୋଳେଇ ,ଏମିତି କଥା ବାହୁନି ବାହୁନି କାନ୍ଦୁଛନ୍ତି, ସୁରତ ପୋଲିସ ମାଡ଼ରେ ପ୍ରାଣ ହରାଇଥିବା ଗଞ୍ଜାମ ଜିଲ୍ଲାର ଭଞ୍ଜନଗର ଥାନା ଅନ୍ତର୍ଗତ ବାରୁଡ଼ା ଗାଁର ମୃତ ସତ୍ୟବାନ ସ୍ବାଇଁଙ୍କ ପତ୍ନୀ ପ୍ରତିମା । ସୁରତ ପୋଲିସ ମୋ ସ୍ୱାମୀଙ୍କୁ ପିଟିପିଟି ମାରିଦେଲା ମୋତେ ନ୍ୟାୟ ଦରକାର । ମୁଁ ମୋ ପୁଅ ଓ ବିଧବା ବୁଢ଼ୀମା , ଆମେ କି ଭୁଲ କରିଥିଲୁ, ସୁରତ ପୋଲିସ ପାଖରେ । କାହିଁକି ଆମକୁ ବେସାହାରା କରିଦେଲା । ଯେଉଁମାନେ ଦୋଷୀ ସେମାନଙ୍କୁ ଶାସ୍ତି ଦରକାର ବୋଲି କହିଛନ୍ତି ପତ୍ନୀ ପ୍ରତିମା ସ୍ବାଇଁ ।

କରୋନା ସଂକ୍ରମଣ ଆଶଙ୍କାକୁ ନେଇ ଜାରି ହୋଇଥିବା ଲକଡା଼ଉନ ପ୍ରତି ଖୁବ ସଚେତନ ଥିଲେ ସତ୍ୟବାନ । ଅନ୍ୟମାନଙ୍କ ଭଳି ପୂର୍ବରୁ ବସରେ ନ ଆସି ସରକାରଙ୍କ ପକ୍ଷରୁ ବ୍ୟବସ୍ଥା ହୋଇଥିବା ଟ୍ରେନରେ ଗାଁକୁ ଫେରିବା ପାଇଁ ଟିକେଟ ଯୋଗାଡ଼ କରୁଥିଲେ ସତ୍ୟବାନ । ଗତ କିଛି ବର୍ଷ ଧରି ସୁରତର ଅଂଜନି ଇଣ୍ଡଷ୍ଟ୍ରୀଆଲରେ କାମ କରୁଥିଲେ । ସେହି ସୁତାକଳ ଆଗରେ ଥିବାବେଳେ ଅମରୋଲି ପୋଲିସ ସତ୍ୟବାନ ସହ କିଛି ଓଡ଼ିଆଙ୍କୁ ନିସ୍ତୁକ ମାଡମାରିବା ଅଭିଯୋଗ ହୋଇଥିଲା । ପରେ ଗୁରୁତର ଅବସ୍ଥାରେ ମେଡିକାଲ କୁ ଯାଉଥିବା ବେଳେ ସତ୍ୟବାନଙ୍କ ମୃତ୍ୟୁ ହୋଇଥିବା ଘର ଲୋକ ଜାଣିବାକୁ ପାଇଲେ । ସେହିଠାରେ ହିଁ ତାଙ୍କର ଶେଷକୃତ୍ୟ ସମ୍ପର୍ଣ୍ଣ ହେଲା । ସୁରତ ପୋଲିସର ଏଭଳି ଅମାନବୀୟ କାର୍ଯ୍ୟନୁଷ୍ଠାନକୁ ନିନ୍ଦା କରିବା ସହ ଆଇନର ଆଶ୍ରୟ ନେବେ ବୋଲି ମୃତ ସତ୍ୟବାନଙ୍କ ବଡ଼ଭାଇ ସନ୍ତୋଷ ସ୍ବାଇଁ କହିଛନ୍ତି । ଅନ୍ୟପକ୍ଷରେ ଏହି ଘଟଣାକୁ ନେଇ ମାନବାଧିକାର କମିଶନଙ୍କ ଦ୍ଵାରାସ୍ଥ ହେବେବୋଲି ବାରୁଡ଼ା ସରପଞ୍ଚ ହରପ୍ରସାଦ ଗୌଡ଼ କହିଛନ୍ତି । ଶନିବାର ପୃର୍ବାହ୍ନରେ ସ୍ଥାନୀୟ ବିଧାୟକ ତଥା ବରିଷ୍ଠ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ବାରୁଡ଼ା ଗାଁକୁ ଯାଇ ଶୋକସନ୍ତୋପ୍ତ ପରିବାରକୁ ସମବେଦନା ଜଣାଇବା ସହ ସରକାରୀ ସହାୟତା ଯୋଗାଇ ଦେବା ପାଇଁ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବେବୋଲି କହିଥିଲେ ।