Categories
ବଜେଟ ୨୦୨୪ ବିଶେଷ ଖବର ରାଜ୍ୟ ଖବର

ରାଜ୍ୟ ବଜେଟରେ ଚାଷୀ, ମହିଳା ଏବଂ ଯୁବକ ନିରାଶ ବୋଲି କହିଲା ରାଜ୍ୟ କଂଗ୍ରେସ

ଭୁବନେଶ୍ୱର: ଚଳିତ ୨୦୨୪-୨୫ ଆର୍ଥିକ ବର୍ଷର କାମଚଳା ବଜେଟକୁ ରାଜ୍ୟ ସରକାର ବିଧାନସଭାରେ ଆଗତ କରିଛନ୍ତି। ଏହି ବଜେଟ୍ ଚିରାଚରିତ ଢଙ୍ଗରେ ଆଶା ସୃଷ୍ଟିକାରୀ ଓ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି ପୂର୍ବତନ ଅର୍ଥମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ପଂଚାନନ କାନୁନ୍‌ଗୋ କହିଛନ୍ତି।

କଂଗ୍ରେସ ଭବନଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ କାନୁନ୍‌ଗୋ କହିଥିଲେ ଯେ ରାଜ୍ୟ ସରକାର ଆଗାମୀ ନିର୍ବାଚନକୁ ଦୃଷ୍ଟିରେ ରଖି ପୁନର୍ବାର ଏକ ପ୍ରତିଶ୍ରୁତି ଓ ପ୍ରତାରଣାର ବଜେଟ୍ ଉପସ୍ଥାପନ କରିଛନ୍ତି। ଯେଉଁଥିରେ କୃଷକ, ଯୁବକ ଓ ମହିଳା ସଂପୂର୍ଣ୍ଣଭାବେ ଉପେକ୍ଷିତ।

ସେ କହିଥିଲେ ଯେ, ପୂର୍ବରୁ ଦିଆଯାଇଥିବା ଅନେକ ପ୍ରତିଶ୍ରୁତି ଯଥା ଅତିକମ୍‌ରେ ୩୫ ପ୍ରତିଶତ ଚାଷଜମିକୁ ଜଳସେଚିତ କରିବା, ରାଜ୍ୟର ସମସ୍ତ ଗରିବ ପରିବାରକୁ ପକ୍କାଘର ଯୋଗାଇ ଦେବା, ବର୍ଷକୁ ୨ଲକ୍ଷ ନିଯୁକ୍ତି ସୃଷ୍ଟି କରିବା ଓ ଚାଷୀର ରୋଜଗାର ବୃଦ୍ଧି କରିବା ଭଳି ଦେଇଥିବା ଅନେକ ପ୍ରତିଶ୍ରୁତି ତାହା ଏପର୍ଯ୍ୟନ୍ତ ପୂରଣ ହୋଇପାରିନାହିଁ।

ଚଳିତ ବଜେଟ୍‌ରେ ସରକାରଙ୍କ ସ୍ୱୀକାରୋକ୍ତି ଅନୁସାରେ ଖାଲି ପଡ଼ିଥିବା ସରକାରୀ ପଦବୀ ସଂଖ୍ୟା ୯୮ ହଜାର ୩୩୪ ହୋଇଥିବା ବେଳେ କେବଳ ସ୍ୱାସ୍ଥ୍ୟବିଭାଗରେ ୨୬ହଜାର ୮୧୫ ପଦବୀ ଖାଲି ଅଛି। ସେହିପରି ଗଣଶିକ୍ଷା ବିଭାଗର ୨୧ହଜାର ୮୪୪ ଏବଂ ୧୬ଟି ବିଶ୍ୱବିଦ୍ୟାଳୟର ମଂଜୁରିପ୍ରାପ୍ତ ୧୮୦୧ ପଦବୀ ମଧ୍ୟରୁ ୧୦୯୦ ପଦବୀ ଖାଲି ପଡ଼ିଛି। କୃଷି ବିଭାଗରେ ମଧ୍ୟ ୨୮୨୧ ପଦବୀ ଖାଲି ପଡ଼ିଛି।

ଏଥିରୁ ସହଜରେ ବୁଝାପଡ଼ୁଛି ରାଜ୍ୟର ଶିକ୍ଷା, ସ୍ୱାସ୍ଥ୍ୟ, କୃଷି ଓ ନିଯୁକ୍ତି କ୍ଷେତ୍ରରେ ସରକାରଙ୍କ ତତ୍ପରତା କେତେ ରହିଛି ? ରାଜ୍ୟର ଚାଷୀ ମାଗଣା ବିଦ୍ୟୁତ୍ ସେବା ପାଇବା ପାଇଁ ଦୀର୍ଘ ୨୪ ବର୍ଷ ଧରି ଚାତକ ପରି ଅପେକ୍ଷା ରଖିଥିଲେ ହେଁ ସେ ସଂପର୍କରେ ସରକାର ସଂପୂର୍ଣ୍ଣ ନୀରବ।

ସେହିପରି ମଧୁବାବୁ ପେନ୍‌ସନ୍ ଯୋଜନାରେ ଭତାଧାରୀମାନଙ୍କୁ ମାସକୁ ୫ଶହ ଟଙ୍କା ଅର୍ଥାତ୍ ଦିନକୁ ୧୬ ଟଙ୍କା ୬୬ପଇସା ଦେଇ ସରକାର ବଡ଼ କାମ କରୁଛନ୍ତି ବୋଲି ଭାବୁଛନ୍ତି। ପଡ଼ୋଶୀ ରାଜ୍ୟମାନଙ୍କରେ ମିଳୁଥିବା ଭତାର ପରିମାଣ ୧୫ଶହରୁ ୩ହଜାର ଟଙ୍କା ପର୍ଯ୍ୟନ୍ତ ରହିଛି। ବିଜୁ ସ୍ୱାସ୍ଥ୍ୟକଲ୍ୟାଣ ଯୋଜନାରେ ୫,୪୫୦ କୋଟି ଟଙ୍କା ବଜେଟ୍‌ରେ ପ୍ରାବଧାନ ରହିଛି, ଯାହା ସଂପୂର୍ଣ୍ଣଭାବେ ସିଧାସଳଖ କର୍ପୋରେଟ୍ ହସ୍ପିଟାଲ କର୍ତୃପକ୍ଷଙ୍କ ପକେଟ୍‌କୁ ଯାଉଛି ।

ଏହି କ୍ରମରେ ବିଭିନ୍ନ ଆର୍ଥିକ ବର୍ଷରେ ବ୍ୟୟବରାଦ କରାଯାଇଥିବା ଅର୍ଥରେ ରାଜ୍ୟର ୩୦ଗୋଟି ଜିଲ୍ଲାରେ ସ୍ୱାସ୍ଥ୍ୟ ଭିତିଭୂମି ବିକାଶ ସହିତ ସରକାର ଦୀର୍ଘମିଆଦି ସୂତ୍ରରେ ମଲ୍ଟି ସୁପରସ୍ପେଶାଲିଷ୍ଟ ହସ୍ପିଟାଲ ସ୍ଥାପନ କରିପାରିଥାନ୍ତେ ଓ ସେଥିରେ ଗରିବ ଜନସାଧାରଣ ବିଶେଷ ଉପକୃତ ହୋଇପାରିଥାନ୍ତେ। ପରନ୍ତୁ ସରକାରଙ୍କ ଦୂରଦୃଷ୍ଟି ରହିତ ସ୍ୱାସ୍ଥ୍ୟ ଯୋଜନା ପାଇଁ ବେସରକାରୀ ହସ୍ପିଟାଲର ମାଲିକମାନେ ମାଲେମାଲ ହେଉଛନ୍ତି।

ଅପରପକ୍ଷରେ ସରକାର ରାଜ୍ୟରେ ୧୦ ପ୍ରତିଶତ ଅର୍ଥାତ୍ ୧କୋଟିରୁ ଊର୍ଦ୍ଧ୍ୱ ଲୋକ ଗରିବୀ ସୀମାରେଖା ବାହାରକୁ ଆସିଥିବା ତଥ୍ୟ ସାଧାରଣରେ ସନ୍ଦେହ ସୃଷ୍ଟି କରୁଛି। ଯେତେବେଳେ ୮୩ ପ୍ରତିଶତ ଲୋକଙ୍କୁ ସରକାର ମାଗଣା ଚାଉଳ ଦେଉଥିବା କଥା କହୁଛନ୍ତି, ସେତେବେଳେ ଏତେ ସଂଖ୍ୟକ ଗରିବ ସୀମାରେଖା ଉପରକୁ ଆସିଲେ କେମିତି ବୋଲି ଶ୍ରୀ କାନୁନ୍‌ଗୋ ପ୍ରଶ୍ନ କରିଛନ୍ତି।

ସେ କହିଛନ୍ତି ଯେ ସରକାରୀ ତଥ୍ୟ ଅନୁସାରେ ଓଡ଼ିଶା ଯେତେବେଳେ ରାଜସ୍ୱ ବଳକା ରାଜ୍ୟ ଭାବେ ଉଭା ହୋଇଛି, ସେତେବେଳେ ରାଜ୍ୟର ଋଣଭାର ୧ଲକ୍ଷ ୨୦ହଜାର କୋଟି ଟଙ୍କା କାହିଁକି ବୋଲି କହିିଥିଲେ। ରାଜ୍ୟର ୬୦ ପ୍ରତିଶତ ମହିଳା ଓ ଶିଶୁ ପୁଷ୍ଟିହୀନତାର ଶିକାର ହେଉଥିବାବେଳେ ମହିଳା ପୁଷ୍ଟି ଯୋଜନାରେ ୫୫୪ କୋଟି ଟଙ୍କା ବ୍ୟୟବରାଦ ଯାହା ସମୁଦ୍ରକୁ ଶଙ୍ଖେ ସଦୃଶ। ସେହିପରି ମିଶନ ଶକ୍ତି ଘର ନିର୍ମାଣ ପାଇଁ ୧୧୭୯ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ଯାହାକି ଦଳୀୟ ଠିକାଦାରଙ୍କୁ ପୋଷିବା ପାଇଁ ଉଦ୍ଦିଷ୍ଟ ବୋଲି ସେ କହିଥିଲେ।

କଂଗ୍ରେସ ଗଣମାଧ୍ୟମ ବିଭାଗର ସମ୍ପାଦକ ତଥା ମୁଖପାତ୍ର ପ୍ରଶାନ୍ତ ଶତପଥୀ କହିଥିଲେ ଯେ ଏହି କାମଚଳା ବଜେଟ୍‌ରେ ବେକାର ଯୁବବର୍ଗଙ୍କ ପାଇଁ କୌଣସି ବ୍ୟବସ୍ଥା ନାହିଁ। ରାଜ୍ୟର ୩୦ ଲକ୍ଷ ଯୁବା ପେଟପୋଷିବା ପାଇଁ ବାହାର ରାଜ୍ୟକୁ ଯାଉଛନ୍ତି ଓ ଅକଥନୀୟ ଅତ୍ୟାଚାରର ଶିକାର ହେଉଛନ୍ତି ଓ କେତେକ ମଧ୍ୟ ମୃତ୍ୟୁବରଣ କରୁଛନ୍ତି। ସରକାର ଏହି ବର୍ଗଙ୍କ ସ୍ୱାର୍ଥ ପ୍ରତି ସଂପୂର୍ଣ୍ଣ ଉଦାସୀନ ରହିବା ସେମାନଙ୍କ ପ୍ରତି ଘୋର ଅନ୍ୟାୟ। ଉକ୍ତ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ କଂଗ୍ରେସ ମୁଖପାତ୍ର ରବୀନ୍ଦ୍ର ଆଚାର୍ଯ୍ୟ ଉପସ୍ଥିତ ଥିଲେ।

Categories
ଆଜିର ଖବର ବ୍ୟବସାୟ ରାଜ୍ୟ ଖବର

ଆରମ୍ଭ ହେଲା ବିଧାନସଭା, 5T କାର୍ଯ୍ୟକ୍ରମକୁ ପ୍ରଶଂସା କଲେ ରାଜ୍ୟପାଳ

ଭୁବନେଶ୍ବର: ରାଜ୍ୟପାଳ ରଘୁବର ଦାସଙ୍କ ଅଭିଭାଷଣରୁ ଆରମ୍ଭ ହୋଇଛି ଷୋଢଶ ବିଧାନସଭାର ବଜେଟ ଅଧିବେସନ। ବିଧାନସଭା ପରିସରରେ ରାଜ୍ୟପାଳ ପହଞ୍ଚିବା ପରେ ତାଙ୍କୁ ବିଧାନସଭା ତରଫରୁ ଗାର୍ଡ ଅଫ ଅନର ପ୍ରଦାନ କରାଯାଇଥିଲା। ଏହାପରେ ବାଚସ୍ପତି ଏବଂ ମୁଖ୍ୟମନ୍ତ୍ରୀ ରାଜ୍ୟପାଳଙ୍କୁ ବିଧାନସଭା ଗୃହକୁ ପାଛୋଟି ନେଇଥିଲେ। ଏହାପରେ ସେ ତାଙ୍କର ଅଭିଭାଷଣ ଆରମ୍ଭ କରିଥିଲେ।

ରାଜ୍ୟପାଳ ହିନ୍ଦିରେ ତାଙ୍କର ଭାଷଣ ରଖିଛନ୍ତି। ପ୍ରଥମେ ରାଜ୍ୟପାଳ ଦିବଂଗତ ସଦସ୍ୟଙ୍କୁ ଶ୍ରଦ୍ଧାଞ୍ଜଳି ପ୍ରଦାନ କରି ତାଙ୍କର ଅଭିଭାଷଣ ଆରମ୍ଭ କରିଛନ୍ତି। ଏଥିରେ ସେ ରାଜ୍ୟ ସରକାରଙ୍କ 5ଟି କାର୍ଯ୍ୟକ୍ରମକୁ ବେଶ ପ୍ରଶଂସା କରିଛନ୍ତି। ଏହି କାର୍ଯ୍ୟକ୍ରମ ମାଧ୍ୟମରେ ରାଜ୍ୟ ସରକାର ବେଶ ସଶକ୍ତ ହୋଇପାରିଛି ବୋଲି କହିଛନ୍ତି। ସେହିପରି ପୁରୀ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ, ସମଲେଇ ପ୍ରକଳ୍ପ ଏବଂ ଓଡିଶାର ଐତିହ୍ୟ ସୁରକ୍ଷା ନେଇ ସେ ପ୍ରଶଂସା କରିଛନ୍ତି।

Categories
ଆଜିର ଖବର ବ୍ୟବସାୟ ରାଜ୍ୟ ଖବର

ଆସନ୍ତାକାଲିଠାରୁ ବିଧାନସଭାର ବଜେଟ ଅଧିବେଶନ, ଆଜି ସର୍ବଦଳୀୟ ବୈଠକ

ଭୁବନେଶ୍ଵର: ଆସନ୍ତାକାଲିଠୁ ଆରମ୍ଭ ହେବ ଷୋଡଶ ବିଧାନସଭାର ୧୫ତମ ଅଧିବେଶନ।ଏହା ହେବ ଶେଷ ଅଧିବେସନ। ଏଥିରେ ଅର୍ଥମନ୍ତ୍ରୀ ବିକ୍ରମ ଆରୁଖ କାମଚଳା ବଜେଟ ଉପସ୍ଥାପନା କରିବେ। ତା ପୂର୍ବରୁ ଆଜି ମନ୍ତ୍ରୀ ପରିଷଦ ବୈଠକରେ ଏହା ପାରିତ ହେବ।

ସେହିପରି ବିଧାନସଭା କାର୍ଯ୍ୟ ସୁରୁଖୁରୁରେ ଚଳାଇବା ପାଇଁ ଆଜି ବାଚସ୍ପତି ପ୍ରମିଳା ମଲ୍ଲିକ ସର୍ବଦଳୀୟ ବୈଠକ ଡାକିଛନ୍ତି। ଏହି ବୈଠକ ଆଜି ସନ୍ଧ୍ୟା ୬ଟା ୩୦ରେ ବିଧାନସଭାରେ ବାଚସ୍ପତିଙ୍କ ପ୍ରକୋଷ୍ଠରେ ଆୟୋଜିତ ହେବ। ଏହି ଅଧିବେଶନ ୧୩ ତାରିଖ ଯାଏ ଚାଲିବ।