Categories
ଆଜିର ଖବର ରାଜ୍ୟ ଖବର

ଓଡ଼ିଶାର ଭିନ୍ନକ୍ଷମ ବିଦ୍ୟାର୍ଥୀ ମାନଙ୍କ ଶିକ୍ଷା ପାଇଁ ରାଜ୍ୟ ସରକାରଙ୍କର ଚ଼ିନ୍ତା ନାହିଁ: କଂଗ୍ରେସ

ଭୁବନେଶ୍ଵର: ଶିକ୍ଷା ସମସ୍ତଙ୍କର ମୌଳିକ ଅଧିକାର, ଶିକ୍ଷାର ଗୁରୁତ୍ୱ ସବୁଠାରୁ ଅଧିକ। ଜଣେ ଭିନ୍ନକ୍ଷମ ବିଦ୍ୟାର୍ଥୀ ମଧ୍ୟ ତାର ଶିକ୍ଷା ସାଧାରଣ ବିଦ୍ୟାର୍ଥୀ ପରି ପାଇବାର ଆବଶ୍ୟକତା ଅଛି ଏବଂ ତାର ମୌଳିକ ଅଧିକାର। ଓଡ଼ିଶାରେ ପ୍ରାୟ ୬୮୦୦୦ ସାଧାରଣ ବିଦ୍ୟାଳୟ ଅଛି ଏବଂ ୧ ଲକ୍ଷ ୪୬ ହଜାର ୩୬୪ ଜଣ ଭିନ୍ନକ୍ଷମ ବିଦ୍ୟାର୍ଥୀ ସାଧାରଣ ବିଦ୍ୟାଳୟରେ ଶିକ୍ଷା ଗ୍ରହଣ କରୁଛନ୍ତି। କିନ୍ତୁ ସେମାନଙ୍କୁ ପାଠ ପଢ଼ାଇବା ପାଇଁ ଉପଯୁକ୍ତ ତାଲିମପ୍ରାପ୍ତ ସ୍ୱତନ୍ତ୍ର ଶିକ୍ଷକଙ୍କର ଅଭାବ ରହିଛି ବୋଲି ପ୍ରଦେଶ କଂଗ୍ରେସରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ପ୍ରଦେଶ କଂଗ୍ରେସ ଭିନ୍ନକ୍ଷମ ବିଭାଗର ଅଧ୍ୟକ୍ଷ ଜିତେନ୍ଦ୍ର କୁମାର ବିଶ୍ବାଳ କହିଛନ୍ତି।

ଏହି ଛାତ୍ରଛାତ୍ରୀ ମାନଙ୍କର ଶିକ୍ଷା ପାଇଁ ମାନ୍ୟବର ଉଚ୍ଚତମ ନ୍ୟାୟାଳୟ ଏକ ରାୟ ଶୁଣାଣି କରି ପ୍ରତ୍ୟେକ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ପ୍ରତ୍ୟେକ ସାଧାରଣ ବିଦ୍ୟାଳୟରେ ଜଣେ ଜଣେ ସ୍ବତନ୍ତ୍ର ଶିକ୍ଷକ ନିଯୁକ୍ତି ଦେବାକୁ ନିର୍ଦ୍ଦେଶ ଦେଇଥିଲେ ଏହି ରାୟ କୁ ଖୁଲମଖୋଲା ଅବମାନନା କରୁଛନ୍ତି ରାଜ୍ୟ ସରକାର। ଶ୍ରୀ ବିଶ୍ବାଳ କହିଛନ୍ତି ସ୍ଥାୟୀ ସ୍ବତନ୍ତ୍ର ଶିକ୍ଷକ ନିଯୁକ୍ତି ନିମନ୍ତେ ଭିନ୍ନକ୍ଷମ ଅଧିକାର ଆଇନ-୨୦୧୬ ଏବଂ ଅନ୍ତର୍ନିବେଶୀ ଶିକ୍ଷା ନୀତି ଅନୁସାରେ ନିୟମ ଓ ପ୍ରବନ୍ଧ ରହିଛି।ରାଜ୍ୟ ସରକାର ଭିନ୍ନକ୍ଷମ ଅଧିକାର ଆଇନ ଅର୍ନ୍ତଗତ ନିୟମ ଲାଗୁତ କରୁଛନ୍ତି କିନ୍ତୁ ଏହାକୁ ସଠିକ ରୂପେ ପରିଚ଼ାଳନା କରିବା ପାଇଁ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରିନାହାଁନ୍ତି ଯାହା ରାଜ୍ୟ ସରକାରଙ୍କ ଭିନ୍ନକ୍ଷମ ବିଦ୍ୟାର୍ଥୀ ମାନଙ୍କ ଶିକ୍ଷା ପାଇଁ ବୈମାତୃକ ମନୋଭାବ ପୋଷଣ କରିବାର ଜ୍ଵଳନ୍ତ ଉଦାହରଣ ବୋଲି ଶ୍ରୀ ବିଶ୍ବାଳ ସରକାରଙ୍କୁ କଡ଼ା ସମାଲୋଚ଼ନା କରିଛନ୍ତି।

ଭାରତୀୟ ପୁନର୍ବାସ ପରିଷଦର ବୈଧାନିକ ରେ ଉଲ୍ଲେଖ ଅଛି ଯେ, ଭିନ୍ନକ୍ଷମ ବିଦ୍ୟାର୍ଥୀ ମାନଙ୍କୁ କେବଳ ସ୍ବତନ୍ତ୍ର ଶିକ୍ଷା ରେ ପ୍ରଶିକ୍ଷଣ ନେଇ ଭାରତୀୟ ପୁନର୍ବାସ ପରିଷଦ ରେ ନାମ ପଞ୍ଜିକରଣ କରିଥିବା ଶିକ୍ଷକ ହିଁ ଶିକ୍ଷା ଦାନ କରିପାରିବେ କିନ୍ତୁ ଆଜି ପର୍ଯ୍ୟନ୍ତ ରାଜ୍ୟ ସରକାରଙ୍କ ତରଫରୁ ଗୋଟିଏ ବି ସ୍ବତନ୍ତ୍ର ଶିକ୍ଷକ ନିଯୁକ୍ତି ହୋଇନାହାନ୍ତି, ତାହାଲେ ବିଦ୍ୟାଳୟ ରେ ନାମ ଲେଖାଇଥିବା ୧ ଲକ୍ଷ ୪୬ ହଜାର ୩୬୪ ଦିବ୍ୟାଙ୍ଗ ଭିନ୍ନକ୍ଷମ ବିଦ୍ୟାର୍ଥୀମାନଙ୍କୁ ପଢ଼ାଉଛନ୍ତି କିଏ ବୋଲି ପ୍ରଶ୍ନ କରିଛନ୍ତି ଶ୍ରୀ ବିଶ୍ବାଳ। ଏ ଦିଗରେ ମାନ୍ୟବର ସୁପ୍ରିମକୋର୍ଟ ଦୁଇ ବର୍ଷ ମଧ୍ୟରେ ୮ ଥର ରାଜ୍ୟ ମୁଖ୍ୟ ଶାସନ ସଚିବ ଙ୍କୁ ହାଜର ହେବାକୁ ନିର୍ଦ୍ଦେଶ ଦେଇଥିଲେ କିନ୍ତୁ ଦୁର୍ଭାଗ୍ୟର କଥା ରାଜ୍ୟ ସରକାର ତାଙ୍କର ଅପାରଗତାକୁ ଲୁଚାଇବାକୁ ଯାଇ ମିଥ୍ୟା ସତ୍ୟପାଠ ଦାଖଲ କରି ମାନ୍ୟବର ସୁପ୍ରିମକୋର୍ଟକୁ ଭ୍ରମିତ କରିବା ପାଇଁ ଯେଉଁ ଉଦ୍ୟମ କରୁଛନ୍ତି କଂଗ୍ରେସ ଏହାକୁ ଦୃଢ଼ ଭାବରେ ନିନ୍ଦା କରୁଛି ବୋଲି ଶ୍ରୀ ବିଶ୍ବାଳ କହିଛନ୍ତି।

ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ପିସିସି ପ୍ୟାନେଲିଷ୍ଟ ଶୁଭେନ୍ଦୁ ଶେଖର ମଲ୍ଲିକ ଓ ଓଡ଼ିଶା ସ୍ବତନ୍ତ୍ର ଶିକ୍ଷକ ସଂଘ ର ଯୁଗ୍ମ ସମ୍ପାଦକ ଆୟୁଷ୍ମାନ ଚୋୖଧୁରୀ ଉପସ୍ଥିତ ଥିଲେ।

Categories
ବିଶେଷ ଖବର

କରୋନା ମୁକାବିଲା ତଥା ନିଜ ରାଜ୍ୟର ଶ୍ରମିକଙ୍କୁ ଫେରାଇ ଆଣିବାରେ ଓଡିଶା ଏକ ଉଦାହରଣ ପ୍ରସ୍ତୁତ କରୁଛି

କେଦାର ମିଶ୍ର

ଆଗରୁ ସବୁ କଥାରେ ଓଡିଶାର ଗରିବୀକୁ ନେଇ ଚର୍ଚ୍ଚା କରୁଥିବା ଆମର ଜାତୀୟ ଗଣମାଧ୍ୟମ ପ୍ରାକୃତିକ ବିପର୍ୟୟ ତଥା କରୋନା ଭଳି ବିଶ୍ଵର ଏକ ଭୟଙ୍କର ସଙ୍କଟକୁ ମୁକାବିଲା କରିବାରେ ଓଡିଶାର ଦକ୍ଷତାକୁ ଦେଖିବା ଉଚିତ। କରୋନା ମୁକାବିଲା ଲାଗି ଯେତେବେଳେ ଭାରତ ସରକାର ଚିନ୍ତା କରିବା ଆରମ୍ଭ କରିନଥିଲେ, ସେତେବେଳେ ଏହାକୁ ଗୁରୁତ୍ଵର ସହିତ ନେବା ଆରମ୍ଭ କରି ବିଦେଶରୁ ଫେରୁଥିବା ପ୍ରତ୍ୟେକ ଯାତ୍ରୀଙ୍କୁ ସ୍କ୍ରିନିଙ୍ଗ କରିବା ଆରମ୍ଭ କରିଥିଲେ। ସେମାନଙ୍କର ରହଣି ତଥା ଗତାଗତ ଉପରେ ଓଡିଶା ସରକାର ତୀବ୍ର ନଜର ରଖିବା ଆରମ୍ଭ କରିଥିଲେ। ୧୪ ଦିନିଆ କ୍ଵାରେଣ୍ଟାଇନ ବ୍ୟବସ୍ଥାକୁ ବାଧ୍ୟତାମୂଳକ କରିବା ସହିତ ଏହା ଉପରେ କଡା ନଜର ରଖା ଯାଇଥିଲା । ପ୍ରତିଦିନ କରୋନା ଭୂତାଣୁ ସମ୍ପର୍କରେ ଲୋକଙ୍କୁ ସୂଚନା ଦେବା ଓ ଗଣମାଧ୍ୟମରେ ସବୁ ତଥ୍ୟକୁ ତୁରନ୍ତ ପହଞ୍ଚାଇବାର ସବୁ ବ୍ୟବସ୍ଥା କରା ଯାଇଥିଲା। ଦେଶରେ କରୋନା ସଂକ୍ରମଣ ବଢି ଚାଲିଥିବା ବେଳେ ପ୍ରଥମେ ଓଡିଶା ସାମାଜିକ ଦୂରତା ତଥା ଲକ ଡାଉନ ବ୍ୟବସ୍ଥା ଗ୍ରହଣ କରିଥିଲା।

ଓଡିଶା ସରକାରଙ୍କ ଏହି ବ୍ୟବସ୍ଥା ଆରମ୍ଭ ହେବା ବେଳକୁ କେରଳ, ମହାରାଷ୍ଟ୍ର, ରାଜସ୍ଥାନ, ପଞ୍ଜାବ ଓ ଦିଲ୍ଲୀର ରାଜ୍ୟ ସରକାରମାନେ ମଧ୍ୟ ଏ ପ୍ରକାର ପଦକ୍ଷେପ ନେବା ଆରମ୍ଭ କରିଥିଲେ। ମାର୍ଚ୍ଚ ୧୫ ରୁ ମଇ ୫ ତାରିଖ , ଅର୍ଥାତ ଗତ ୫୦ ଦିନ ଭିତରେ ଭାରତର ଅନ୍ୟାନ୍ୟ ପ୍ରଦେଶରେ କରୋନା ସଂକ୍ରମଣ ଅତି ବ୍ୟାପକ ହୋଇ ଚାଲିଥିବା ବେଳେ ଓଡିଶାରେ ଏହା ଆଜି ମଧ୍ୟ ନିୟନ୍ତ୍ରିତ ସ୍ଥିତିରେ ରହିଛି। ମହାରାଷ୍ଟ୍ର, ଗୁଜରାଟ, ତାମିଲନାଡୁ, ମଧ୍ୟପ୍ରଦେଶ, ଉତ୍ତର ପ୍ରଦେଶ ଭଳି ରାଜ୍ୟ  ଏବେ କରୋନା ସଂକ୍ରମଣ ର ବ୍ୟାପକତାକୁ ସାମ୍ନା କରୁଛନ୍ତି। ତେବେ ଆଜି ସୁଦ୍ଧା ଓଡିଶାରେ କରୋନା ସଂକ୍ରମଣ ୧୬୯ଟି  ପୋଜିଟିଭ କେସ ରେ ସୀମିତ ରହିଛି। ସେଥିରୁ ୬୦ ଜଣ ଆରୋଗ୍ୟ ଲାଭ କରି ସାରିଲେଣି। ଏବେ ରାଜ୍ୟରେ ୧୦୮ ସକ୍ରିୟ ଆକ୍ରାନ୍ତ ରହିଛନ୍ତି।   କରୋନାର ବିଶ୍ଵବ୍ୟାପୀ ସଂକ୍ରମଣର ସ୍ଥିତି କୁ ଦେଖି କେତେବେଳେ ଯେ କଣ ଘଟିବତାହା କହିହେଉ ନାହିଁ। ତେବେ ଏଥି ପାଇଁ ନିଜକୁ ସରକାର ପ୍ରସ୍ତୁତ କରି ସାରିଛନ୍ତି। ଦେଶର ଅନ୍ୟାନ୍ୟ ଆଗୁଆ ରାଜ୍ୟ ତୁଳନାରେ ଓଡିଶା ଏବେ ଏକ ବଡ ଉଦାହରଣ ପ୍ରସ୍ତୁତ କରିଛି। କରୋନା ସଂକ୍ରମିତ ରୋଗୀଙ୍କ ସ୍ବତନ୍ତ୍ର ଚିକିତ୍ସା ଲାଗି ରାଜ୍ୟର ୩୦ଟି ଜିଲ୍ଲାରେ ସ୍ଵତନ୍ତ୍ର ଡାକ୍ତରଖାନା ଖୋଲାଯାଇଛି। ବର୍ତ୍ତମାନ କରୋନା ସଂକ୍ରମଣକୁ ସୀମିତ ରଖିବା ରାଜ୍ୟ ତଥା ଦେଶର ପ୍ରାଥମିକ ଆବଶ୍ୟକତା ରହିଛି। ତେବେ ଆଗାମୀ ଦିନରେ କରୋନା ରୋଗୀଙ୍କ ସଂକ୍ରମଣ ବଢିବାର ସମ୍ଭାବନାକୁ ଆଖିରେ ରଖି ଏ ପ୍ରକାର ପ୍ରସ୍ତୁତି ନିତାନ୍ତ ଆବଶ୍ୟକ ଥିଲା। ଆରମ୍ଭରୁ କରୋନା ପରୀକ୍ଷଣ ଲାଗି ଓଡିଶା ଏକମାତ୍ର କେନ୍ଦ୍ରୀୟ ଲାବୋରେଟରୀ ଉପରେ ନିର୍ଭର କରୁଥିବା ବେଳେ ଏବେ ବୁର୍ଲା, ରାଉରକେଲା, ବ୍ରହ୍ମପୁର, କଟକ ଓ ଭୁବନେଶ୍ବରରେ ପରୀକ୍ଷା ସୁବିଧା ଉପଲବ୍ଧ ହୋଇଛି। ରାଜ୍ୟରେ ଏ ଯାବତ ୪୨ହଜାର ରୁ ଅଧିକ ପରୀକ୍ଷା ହୋଇ ସାରିଛି।

ଲକ ଡାଉନ ଆରମ୍ଭ ହେବା ସମୟରେ ଏକ  ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇ ଓଡିଶା ମୁଖ୍ୟମନ୍ତ୍ରୀ ଅନ୍ୟ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କୁ ଚିଠି ଲେଖି  ସେହି ସବୁ ରାଜ୍ୟରେ ରହିଥିବା ଓଡିଆ ଲୋକମାନଙ୍କର ଦାୟିତ୍ଵ ନେବାକୁ ଅନୁରୋଧ କରିଥିଲେ। ଏଥିପାଇଁ ସମ୍ପୃକ୍ତ ରାଜ୍ୟ ଗୁଡିକ ଯାହା ଖର୍ଚ୍ଚ କରିବେ, ଓଡିଶା ସରକାର ତାକୁ ଭରଣା କରିବେ ବୋଲି ନବୀନ ବାବୁ  କହିଥିଲେ। ଲକ ଡାଉନର ଦ୍ଵିତୀୟ ପର୍ୟାୟ ସରିବା ପରେ ଏବେ ବାହାରେ ରହିଥିବା ଓଡିଆ ଶ୍ରମିକମାନଙ୍କୁ ଫେରାଇ ଆଣିବାର ଯୋଜନା ଆରମ୍ଭ ହୋଇଛି। ଏ କ୍ଷେତ୍ରରେ ମଧ୍ୟ ଓଡିଶା ଏକ ନୂଆ ଉଦାହରଣ ପ୍ରସ୍ତୁତ କରିଛି।

ଗତ କିଛି ଦିନ ଭିତରେ ଅନ୍ୟାନ୍ୟ ବିରୋଧୀ ଶାସିତ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଭିତରେ ମୁହାଁମୁହିଁ  ସ୍ଥିତି ଦେଖିବାକୁ ମିଳିଛି। ହେଲେ ଓଡିଶା ଏ କ୍ଷେତ୍ରରେ ରାଜନୈତିକ ବିରୋଧକୁ ପଛରେ ପକାଇ ଓଡିଶା ସରକାର  ଅନେକ ଗୁରୁତ୍ବପୂର୍ଣ ନିଷ୍ପତ୍ତିରେ ଓଡିଶାର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ପ୍ରତ୍ୟକ୍ଷ ଭାବରେ ସମ୍ପୃକ୍ତ କରୁଛନ୍ତି। ତେଣୁ ରାଜ୍ୟର ପ୍ରମୁଖ ବିରୋଧୀ ଏବେ କୌଣସି ପ୍ରକାର ସମାଲୋଚନା କରିବା ସ୍ଥିତିରେ ନାହିଁ।  ଓଡିଶା ସରକାର ପ୍ରଥମେ  ମଇ-ଜୁନ ମାସ ପର୍ୟନ୍ତ ନିଜକୁ ପ୍ରସ୍ତୁତ କରୁଥିବା ବେଳେ ଏବେ ଏହାର ଦୀର୍ଘସୂତ୍ରୀ ଯୋଜନା ଆରମ୍ଭ କଲେଣି।

ସାରା ଦେଶରେ ଦିନକୁ ଅତି କମରେ  ଲକ୍ଷେ ଲୋକଙ୍କର କରୋନା ପରୀକ୍ଷା ହୋଇପାରିବା ଭଳି ଭିତ୍ତିଭୂମି ତିଆରି ହେବା ଆଜି ସର୍ବ ପ୍ରଥମ ଆବଶ୍ୟକତା। ଆରମ୍ବହରୁ ଏହା ଯେମିତି ଭାରତର ଗ୍ରାମାଞ୍ଚଳକୁ ନ ବ୍ୟାପେ, ତାହା ଦେଖିବା ଲାଗି କେନ୍ଦ୍ର ସରକାର ସ୍ଵତନ୍ତ୍ର ରଣନୀତି ପ୍ରସ୍ତୁତ କରିବା ଉଚିତ ଥିଲା। ହେଲେ ଏବେ ଓଡିଶା ସମେତ ଦେଶର ଗ୍ରାମାଞ୍ଚଳରେ କରୋନା ସଂକ୍ରମଣ ବ୍ୟାପକ ହେଲାଣି। ଗ୍ରାମାଞ୍ଚଳରେ ଏହାର ମୁକାବିଲା ଲାଗି ପଂଚାୟତ ସ୍ତରରୁ ଓଡିଶା ସରକାର ଯେଉଁ ପ୍ରସ୍ତୁତି କରିଛନ୍ତି, ତାହା ଆଉ ଏକ ଉଦାହରଣ ସୃଷ୍ଟି କରିଛି। ଆଜି କରୋନା ମୁକାବିଲା କ୍ଷେତ୍ରରେ ଓଡିଶା କୁ ଆଦର୍ଶ ଭାବରେ କେନ୍ଦ୍ର ସରକାର ଗ୍ରହଣ କରିବାକୁ ବାଧ୍ୟ ହୋଇଛନ୍ତି।

 

Categories
ଭିଡ଼ିଓ

ସାମ୍ବାଦିକ ପାଇଁ ୧୫ଲକ୍ଷ ଘୋଷଣା |

Categories
ବିଶେଷ ଖବର

ଦୋଷ ଲଦିବାର ରାଜନୀତି ଅପେକ୍ଷା କରୋନା ମୁକାବିଲା ଲାଗି ରାଜ୍ୟମାନେ ପରସ୍ପରର ସହଯୋଗୀ ହେବା ଜରୁରୀ 

କେଦାର ମିଶ୍ର

ସାରା ପୃଥିବୀରେ କରୋନା ଭୂତାଣୁର ମୁକାବିଲା ବେଳେ ଗୋଟେ ବିଚିତ୍ର ରାଜନୈତିକ ଚିତ୍ର ଆମେ ଦେଖୁଛୁ। କରୋନା ମୁକାବିଲାରେ ସଂପୂର୍ଣ୍ଣ ବିଫଳ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ଫ ଏଥିପାଇଁ କେତେବେଳେ ତାଙ୍କର ପୂର୍ବସୂରୀ ବାରାକ ଓବାମାଙ୍କୁ ଦାୟୀ କରୁଛନ୍ତି ତ ଆଉ କେତେବେଳେ ଚୀନ କୁ ଏଥିପାଇଁ ଦାୟୀ କରୁଛନ୍ତି। କେବେ କେମିତି ସେ ବିଶ୍ଵ ସ୍ୱାସ୍ଥ୍ୟ ସଂଗଠନ ଓ ଜାତିସଙ୍ଘକୁ ମଧ୍ୟ ଏଥିଲାଗି ଦାୟୀ କରୁଛନ୍ତି। ହେଲେ ନିଜ ଦେଶର ଜଣ ସ୍ୱାସ୍ଥ୍ୟ ବ୍ୟବସ୍ଥା ଓ ତାଙ୍କ ପ୍ରଶାସନର ବିଫଳତାକୁ ସେ ସ୍ଵୀକାର କରୁନାହାନ୍ତି। ସେମିତି ଭାରତରେ କରୋନା ସଂକ୍ରମଣ ଲାଗି କେତେବେଳେ ବିଦେଶୀ, ପୁଣି କେତେବେଳେ ତବଲିଗି ଜମାତକୁ ଦାୟୀ କରି ପ୍ରଚାର ଚାଲିଛି। ହେଲେ ଅସଲ ସତ୍ୟ ହେଉଛି କରୋନା ଭୂତାଣୁ କୌଣସି ରାଜନୈତିକ ସୀମା ଭିତରେ ନାହିଁ। ଏହା ପୃଥିବୀର ସବୁ ଧର୍ମ, ସବୁ ଦେଶ ଓ ସବୁ ବର୍ଗଙ୍କୁ ଆକ୍ରମଣ କରି ଚାଲିଛି। ତେଣୁ ଦେଶ ଦେଶ ଭିତରେ ଶତ୍ରୁତା ଅପେକ୍ଷା ଆଜି ସହଯୋଗୀ ହେବାର ଆବଶ୍ୟକତା ବେଶୀ।

ଗତ ସପ୍ତାହରେ ହଠାତ ଓଡିଶାରେ ଆକ୍ରାନ୍ତଙ୍କର ସଂଖ୍ୟା ବଢିଯାଇଛି। ଆଜି ସୁଦ୍ଧା ରାଜ୍ୟରେ ୭୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେବେ ଗତ ସପ୍ତାହରେ ପ୍ରାୟ ୨୪ ଜଣ ଆକ୍ରାନ୍ତଙ୍କର “କଲିକତା ସଂଯୋଗ” ବା “ବେଙ୍ଗଲ ଯାତ୍ରା” ର କଥା ଉଠିଛି। ଏହି ସମୟରେ ଚିହ୍ନଟ ହୋଇଥିବା ଲୋକଙ୍କ ଭିତରୁ ଅଧିକାଂଶ କଲିକତା କିମ୍ବା ସୀମାନ୍ତ ପଶ୍ଚିମ ବଙ୍ଗ ଅଞ୍ଚଳରୁ ଆସିଛନ୍ତି। ତେବେ ଏଥିପାଇଁ ପଶ୍ଚିମବଙ୍ଗ ହିଁ ଓଡିଶାରେ କରୋନା ସଂକ୍ରମଣ ପାଇଁ ଦାୟୀ ବୋଲି କହିବା ଠିକ ହେବ କି? ଭାରତର ବିଭିନ୍ନ ରାଜ୍ୟ ଭିତରେ ଯିବା ଆସିବା ଏକ ସାଧାରଣ ବ୍ୟବସ୍ଥା। ଲକ ଡାଉନ ସମୟରେ ଏହା ବନ୍ଦ ରହିଥିଲେ ମଧ୍ୟ ବିଭିନ୍ନ ସ୍ତରରେ ରାଜ୍ୟ ରାଜ୍ୟ ଭିତରେ ଯିବା ଆସିବା ରହିଛି। ଭୂତାଣୁ ସଂକ୍ରମଣ ଲାଗି ଏକ ନିର୍ଦ୍ଦିଷ୍ଟ ରାଜ୍ୟକୁ ଦାୟୀ କରିବା କେବଳ ପିଲାଳିଆମୀ ନୁହେଁ, ଏହା ନିର୍ବୋଧତା।

ପଶ୍ଚିମ ବଙ୍ଗରୁ ଯେଉଁମାନେ ଫେରିଛନ୍ତି, ସେମାନେ ସମସ୍ତେ ଓଡିଆ। ତେଣୁ ସେ ଦିଗ ପ୍ରତି ଆମେ ଅଧିକ ସଂବେଦନ ରହିବା ଉଚିତ। କୋଟି କୋଟି ଲୋକ ଏବେ ଲକ ଡାଉନ କାରଣରୁ ବିଭିନ୍ନ ରାଜ୍ୟରେ ଫସି ରହିଛନ୍ତି। ସେମାନଙ୍କ ମଧ୍ୟରୁ କିଛି ଲୋକ ହୁଏତ ଯୋଗାଡଯନ୍ତ୍ର କରି ନିଜ ଘରକୁ ଫେରି ଆସୁଛନ୍ତି। ସେମାନଙ୍କ ଭିତରେ କିଛି ସଂକ୍ରମିତ ମଧ୍ୟ ଅଛନ୍ତି। ସେମାନଙ୍କ ଭିତରେ କିଏ ଓଡିଆ, କିଏ ବଙ୍ଗାଳୀ, ତାହା ଜଣା ପଡିବ ନାହିଁ। କରୋନାକୁ ଭୌଗୋଳିକ, ସାମାଜିକ ଏବଂ ଧାର୍ମିକ ବନ୍ଧନୀରେ ବାନ୍ଧିବାକୁ ଚେଷ୍ଟା କଲେ ଆମେ ଏହାର ମୁକାବିଲା କରି ପାରିବା ନାହିଁ।

ଆଜି ହଠାତ ପଶ୍ଚିମବଙ୍ଗ କୁ ଦୋଷ ଦେଇ ଆମେ ଗଣମାଧ୍ୟମରେ କିମ୍ବା ସୋସିଆଲ ମିଡିଆରେ ବଡ ବଡ କଥା କହୁଛେ। ଏ କଥା କହିଲା ବେଳେ ଭୁଲି ଯାଆନ୍ତୁ ନାହିଁ ଯେ ଲକ୍ଷ ଲକ୍ଷ ଓଡିଆ ଆଜି ବି କଲିକତାରେ ଅଛନ୍ତି ଓ ପଶ୍ଚିମ ବଙ୍ଗ ସହିତ ଆମର ରୋଜ ଯିବା ଆସିବା ରହିଛି। ଦେଶ ଭିତରେ ରାଜ୍ୟ ରାଜ୍ୟକୁ ନେଇ ବିଭାଜନ ରେଖା ଟାଣିବା ଆମକୁ ମହଙ୍ଗା ପଡିବ। କେହି କେହି ଏହି ଘଟଣାରେ ପଶ୍ଚିମ ବଙ୍ଗ ସରକାରଙ୍କୁ ଖଳ ନାୟକ ଭାବେ ଚିତ୍ରଣ କରିବାକୁ ଚେଷ୍ଟା କରୁଛନ୍ତି। ପ୍ରତ୍ୟେକ ରାଜ୍ୟ ସରକାର ନିଜ ନିଜ ଲୋକଙ୍କୁ ସୁରକ୍ଷା ଦେବା ଲାଗି ସବୁ ପ୍ରକାର ଉଦ୍ୟମ କରୁଛନ୍ତି। ତେଣୁ ସବୁ ରାଜ୍ୟ ସରକାରଙ୍କ ଭିତରେ ସହଯୋଗର ସମ୍ପର୍କ ଆଜି ଜରୁରୀ। ଯେଉଁମାନେ ଆନ୍ତଃ ରାଜ୍ୟ ସୀମା ସିଲ ହୋଇନାହିଁ କାହିଁକି ବୋଲି ପ୍ରଶ୍ନ କରୁଛନ୍ତି, ସେମାନେ ଦେଶ ଭିତରେ ରାଜ୍ୟ ଗୁଡିକର ସୀମା କେମିତି ଥାଏ, ତାହା ବୋଧହୁଏ ଜାଣନ୍ତି ନାଇଁ। କେବଳ ଜାତୀୟ ରାଜପଥକୁ ଛାଡି ଦେଲେ ଅନ୍ୟ ସବୁ ରାସ୍ତା ଓ ସୀମାକୁ ସିଲ କରିବା ସମ୍ଭବ କି?

ଭାରତ ହେଉଛି ରାଜ୍ୟମାନଙ୍କର ଏକ ସଂଘ। ତେଣୁ ଏଠି ରାଜ୍ୟ ରାଜ୍ୟ ଭିତରେ ସୀମାରେଖା କେବଳ ଏକ ରାଜସ୍ୱ ଆବଶ୍ୟକତା। ଏହାକୁ ଆମେ ପାକିସ୍ତାନ ବା ଚୀନର ସୀମା ବୋଲି ଭାବିବା ଉଚିତ ନୁହଁ। ପଶ୍ଚିମ ବଙ୍ଗ ଓ ଓଡିଶା ଭିତରେ ପ୍ରାୟ ୫୦୦ କିଲୋମିଟର ର ସୀମାରେଖା ରହିଛି। ଏହାକୁ ବନ୍ଦ କରିବା ସମ୍ଭବ ନୁହେଁ। ସେ କଥା ଭାବିବା ମଧ୍ୟ ମୂର୍ଖାମୀ। ରାଜ୍ୟ ରାଜ୍ୟ ଭିତରେ ଯିବା ଆସିବା ରହିବ ଓ ଏହାକୁ ଆମେ ଗ୍ରହଣ କରିବାକୁ ବାଧ୍ୟ। ଆଜି ଆମଲାଗି ସବୁଠୁ ବଡ ଆହ୍ଵାନ ହେଉଛି, କରୋନା ଆକ୍ରାନ୍ତଙ୍କୁ ଚିକିତ୍ସା ସୁବିଧା ଯୋଗାଇଦେବାକୁ କଣ କଣ କରିପାରିବା। ଆଜି ସଂକ୍ରମଣ ଗୋଷ୍ଠୀ ସ୍ତରରେ ପହଞ୍ଚି ସାରିଛି। ଲକ ଡାଉନ ମାଧ୍ୟମରେ ତାକୁ କିଛିଟା ନିୟନ୍ତ୍ରଣରେ ସିନା ରଖିହେବ,  ହେଲେ ଏହାକୁ ସମୂଳେ ମାରି ହେବନାଇଁ।

ଧର୍ମ, ଗୋଷ୍ଠୀ ଓ ରାଜ୍ୟ ଗୁଡିକ ଏବେ ପରଷ୍ପରର ସହଯୋଗୀ ହୋଇ କାମ କରିବାର ସମୟ ଆସିଛି। ତାହା ନକରି ପରଷ୍ପରକୁ ଦୋଷ ଦେବାର ରାଜନୀତି କଲେ ଆମେ ନିଜେ ନିଜ ଗୋଡରେ କୁରାଢି ମାରିବା।

Categories
ଆଜିର ଖବର ରାଜ୍ୟ ଖବର

ସହରାଞ୍ଚଳର ବୁଲା ଜନ୍ତୁଙ୍କୁ ଖାଦ୍ୟ ଯୋଗାଇବେ ସରକାର: ମୁଖ୍ୟମନ୍ତ୍ରୀ ରିଲିଫ୍‌ ପାଣ୍ଠିରୁ 80 ଲକ୍ଷ ଟଙ୍କା ମଞ୍ଜୁର

ଭୁବନେଶ୍ବର: ଲକ୍‌ଡାଉନ୍‌ ପାଇଁ ହୋଟେଲ୍‌, ଢାବା ବନ୍ଦ ଥିବାରୁ ବୁଲା ଜନ୍ତୁ ମାନେ ଖାଇବାକୁ ନାହିଁ ନଥିବାର ହଇରାଣ ହେଉଛନ୍ତି। ଏହି ହନ୍ତସନ୍ତ ବୁଲା ଜନ୍ତୁ, କୁକୁରଙ୍କୁ ଖାଦ୍ୟ ଦେବେ ସରକାର। ଜନ୍ତୁଙ୍କୁ ଖାଦ୍ୟ ଦେବାକୁ ମୁଖ୍ୟମନ୍ତ୍ରୀ ରିଲିଫ୍‌ ପାଣ୍ଠିରୁ 80 ଲକ୍ଷ ମଞ୍ଜୁରୀ ଦିଆଯାଇଛି। ବିଏମସି ଅଞ୍ଚଳରେ 19 ଦିନ ପାଇଁ ଖାଦ୍ୟ ଦିଆଯିବ, ପ୍ରତ୍ୟହ ଖର୍ଚ୍ଚ 20 ହଜାର ଖର୍ଚ୍ଚ ହେବ। ଭୁବନେଶ୍ବର ସହରରେ ବୁଲା ଜନ୍ତୁଙ୍କୁ ଖାଦ୍ୟ ଯୋଗାଉ ଥିବାବେଳେ ଅନ୍ୟ ମହାନଗରରେ ବି 19 ଦିନ ପର୍ଯ୍ୟନ୍ତ ଖାଦ୍ୟ ଦିଆଯିବ। ଏଥିପାଇଁ ପ୍ରତ୍ୟହ 10 ହଜାର ଖର୍ଚ୍ଚ ହେବ। ମ୍ୟନିସିପାଲିଟି ଅଞ୍ଚଳରେ 5 ହଜାର, ଏନ୍‌ଏସିରେ 2 ହଜାର ଟଙ୍କା ଖର୍ଚ୍ଚ ହେବ। 5ଟି ମହାନଗର, 48ଟି ମ୍ୟୁନିସିପାଲଟି ଓ 61ଟି ଏନଏସିକୁ ଏହି ଅର୍ଥ ଯୋଗାଇ ଦିଆଯିବ।

Categories
ବିଶେଷ ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

କୋଭିଡ୍‌-୧୯ ମୁକାବିଲା ପାଇଁ ନିର୍ମିତ ହୋଇଛି ୬,୮୩୩ଟି ଅସ୍ଥାୟୀ ଚିକିତ୍ସା କେନ୍ଦ୍ର

ସମୀକ୍ଷା ବ୍ୟୁରୋ
ଭୁବନେଶ୍ବର: କରୋନା ଭୂତାଣୁ ରୋଗ (କୋଭିଡ୍‌-୧୯)ର ସଂକ୍ରମଣକୁ ପ୍ରତିହତ କରିବା ନିମନ୍ତେ ଓଡ଼ିଶା ସରକାର ଗ୍ରହଣ କରିଥିବା ବିଭିନ୍ନ ପଦକ୍ଷେପ ଉପରେ ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗ୍‌ଚୀ ଆଜି ଅପରାହ୍ନରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଏହି ସମୟରେ ୪୦୦ ସ୍ୱୟଂ ସହାୟକ ଗୋଷ୍ଠୀ ମାସ୍କ ପ୍ରସ୍ତୁତିରେ ନିୟୋଜିତ ରହିଥିବା ବେଳେ ୫୦୦ ସ୍ୱୟଂ ସହାୟକ ଗୋଷ୍ଠୀ ଶୁଖିଲା ଖାଦ୍ୟ ସାମଗ୍ରୀ, ପନିପରିବା ଓ ଫଳ ବିକ୍ରୟ କରୁଛନ୍ତି। ସେହିପରି ରାଜ୍ୟର ୬,୮୩୩ଟି ଅସ୍ଥାୟୀ ଚିକିତ୍ସା କେନ୍ଦ୍ର ସ୍ଥାପନ କାର୍ଯ୍ୟ ସଂପୂର୍ଣ୍ଣ ହୋଇଛି ଯେଉଁଥିରେ ୧,୪୯,୦୬୫ଟି ଶଯ୍ୟା ରହିଛି।

ଓଡ଼ିଶା ସରକାର ଗ୍ରହଣ କରିଥିବା ବିଭିନ୍ନ ପଦକ୍ଷେପ :

୧. ପବିତ୍ର ‘ଓଡ଼ିଶା ଦିବସ’ ଅବସରରେ ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଭେଚ୍ଛା ଜଣାଇଛନ୍ତି। ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ସ୍ୱପ୍ନକୁ ସାକାର କରିଥିବା ମହାପୁରୁଷ ଏବଂ ଓଡ଼ିଆ ଭାଷା, ସାହିତ୍ୟ ତଥା ସଂସ୍କୃତିର ଗୌରବ ବୃଦ୍ଧି କରିବାରେ ଅବଦାନ ରଖିଥିବା ବରପୁତ୍ରମାନଙ୍କୁ ସେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ବିକାଶ କ୍ଷେତ୍ରରେ ଓଡ଼ିଶା ନୂଆ ପରିଚୟ ସୃଷ୍ଟି କରିଛି। ସେହିପରି ବିପର୍ଯ୍ୟୟ ପରିଚାଳନାରେ ମଧ୍ୟ ରାଜ୍ୟବାସୀଙ୍କ ସହଯୋଗରେ ଓଡ଼ିଶା ଆଗୁଆ ରହିଛି। କରୋନା ବିରୋଧରେ ଚାଲିଥିବା ସଂଗ୍ରାମରେ ଆମେ ସମସ୍ତେ ନିଶ୍ଚୟ ବିଜୟୀ ହେବା ବୋଲି ମାନ୍ୟବର ମୁଖ୍ୟମନ୍ତ୍ରୀ ଆଶା ପ୍ରକାଶ କରିଛନ୍ତି।

୨. କୋଭିଡ୍‌-୧୯ ସଂକ୍ରମଣ ସମୟରେ ନିଷ୍ଠାପର ସହଯୋଗ କରୁଥିବାରୁ ମିଶନ ଶକ୍ତି ଅନ୍ତର୍ଭୁକ୍ତ ସ୍ୱୟଂ ସହାୟକ ଗୋଷ୍ଠୀର ମା’, ଭଉଣୀମାନଙ୍କୁ ଆନ୍ତରିକ ଧନ୍ୟବାଦ ଓ କୃତଜ୍ଞତା ଜ୍ଞାପନ କରିଛନ୍ତି।

୩. ପ୍ରାୟ ୪୦୦ ସ୍ୱୟଂ ସହାୟକ ଗୋଷ୍ଠୀ ମାସ୍କ ପ୍ରସ୍ତୁତିରେ ନିୟୋଜିତ ରହିଛନ୍ତି ଓ ସେମାନେ ଦୈନିକ ୫୦,୦୦୦ ମାସ୍କ ପ୍ରସ୍ତୁତ କରୁଛନ୍ତି।

୪. ପ୍ରାୟ ୫୦୦ ସ୍ୱୟଂ ସହାୟକ ଗୋଷ୍ଠୀ ଜିଲ୍ଲା ପ୍ରଶାସନର ସହଯୋଗ କ୍ରମେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଶୁଖିଲା ଖାଦ୍ୟ ସାମଗ୍ରୀ, ପନିପରିବା ଓ ଫଳ ବିକ୍ରୟ କରୁଛନ୍ତି।

୫. ପ୍ରତି ଗ୍ରାମ ପଞ୍ଚାୟତରେ ରନ୍ଧାଖାଦ୍ୟ ପ୍ରସ୍ତୁତି ନିମନ୍ତେ ସ୍ୱୟଂ ସହାୟକ ଗୋଷ୍ଠୀଗୁଡ଼ିକୁ ଦାୟିତ୍ୱ ପ୍ରଦାନ କରାଯାଇଛି।

୬. ଲକ୍‌ ଡାଉନ୍‌ ସମୟରେ ଅତ୍ୟାବଶ୍ୟକ ସାମଗ୍ରୀ ପରିବହନ କରୁଥିବା ଯାନବାହନଗୁଡ଼ିକର ଚଳାଚଳକୁ କଟକଣା ମୁକ୍ତ କରାଯାଇଛି। ଏକ ଉଚ୍ଚସ୍ତରୀୟ କମିଟି ମାଧ୍ୟମରେ ରାଜ୍ୟର ଗୋଦାମ ମାଲିକ,ବ୍ୟବସାୟୀ ସଂଘ, ଖୁଚୁରା ଦୋକାନୀ ଓ ପରିବହନ ସଂସ୍ଥା ମାଲିକମାନଙ୍କ ସହିତ ସଂପର୍କ ରକ୍ଷା କରାଯାଇ ସାମଗ୍ରୀ ଯୋଗାଣ ଓ ପରିବହନ ଉପରେ ସତର୍କ ଦୃଷ୍ଟି ରଖାଯାଇଛି। ଦୋକାନବଜାର ଇତ୍ୟାଦିରେ ସାମାଜିକ ଦୂରତ୍ୱ ବଜାୟ ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଅତ୍ୟାବଶ୍ୟକ ନିତ୍ୟବ୍ୟବହାର୍ଯ୍ୟ ଖାଦ୍ୟ ସାମଗ୍ରୀ ଯଥା-ଅଟା, ତେଲ, ଡାଲି, ଆଳୁ ତଥା ପିଆଜ ଇତ୍ୟାଦି ପର୍ଯ୍ୟାପ୍ତ ପରିମାଣରେ ଉପଲବ୍ଧ ଅଛି।

୭. ଓଡ଼ିଶାର ବିଭିନ୍ନ ସ୍ଥାନରେ ଅଟକି ରହିଥିବା ବାହାର ରାଜ୍ୟର ପ୍ରାୟ ୨୩,୧୩୩ ଜଣ ଅତିଥି ଶ୍ରମିକଙ୍କୁ ୩୩୬ଟି ଶିବିର ଜରିଆରେ ଖାଇବା ଓ ରହଣି ଯୋଗାଇ ଦିଆଯାଇଛି। ଏହି ସବୁ ଅତିଥି ଶ୍ରମିକ ମାନେ ମୁଖ୍ୟତଃ ପଶ୍ଚିମବଙ୍ଗ, ବିହାର, ଝାଡ଼ଖଣ୍ଡ, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ରାଜସ୍ଥାନ, ମଧ୍ୟପ୍ରଦେଶ ଏବଂ ଉତ୍ତରପ୍ରଦେଶ ରାଜ୍ୟର ଅଟନ୍ତି। ଅଭିଯୋଗ ଗ୍ରହଣ ପାଇଁ ଶ୍ରମିକ ସହାୟତା କଲ୍‌ ସେଣ୍ଟର ଟୋଲ୍‌ ଫି୍ର ନଂ-୧୮୦୦୩୪୬୬୭୦୩ ଜାରି କରାଯାଇଛି।

୮. ଆଜି ରାଜ୍ୟର ୪୫୬୩ ଗ୍ରାମ ପଞ୍ଚାୟତରେ ୨,୪୩,୩୩୭ ଜଣ ନିରାଶ୍ରୟ ଓ ଅସହାୟ ଲୋକଙ୍କୁ ରନ୍ଧାଖାଦ୍ୟ ଯୋଗାଇ ଦିଆଯାଇଛି। ସେହିପରି ୧୦୪ଟି ପୌରାଞ୍ଚଳରେ ୧୮୪୪୫ ଜଣଙ୍କୁ ରନ୍ଧାଖାଦ୍ୟ ଦିଆଯାଇଛି।

୯. ରାଜ୍ୟର ବିଭିନ୍ନ ସ୍ଥାନରେ ୬୯ଟି ଆହାର କେନ୍ଦ୍ର କାର୍ଯ୍ୟକ୍ଷମ ଅଛି। ଏଠାରେ ସମୁଦାୟ ୨୯,୧୪୧ ଜଣ ଲୋକ ଉଭୟ ଦିନ ଓ ରାତିରେ ଖାଇବା ସୁବିଧା ପାଇଛନ୍ତି।

୧୦. ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ଅନୁଯାୟୀ ଖାଦ୍ୟ ସୁରକ୍ଷା ଯୋଜନା ଅନ୍ତର୍ଭୁକ୍ତ ସମସ୍ତ କାର୍ଡଧାରୀଙ୍କୁ ୧୦୦୦ ଟଙ୍କା ଲେଖାଏଁ ନଗଦ ଅର୍ଥ ପ୍ରଦାନ କରାଯିବା ପ୍ରକ୍ରିୟା ଆରମ୍ଭ ହୋଇଛି।

୧୧. ରାଜ୍ୟର ୬୭୯୮ ଗ୍ରାମ ପଞ୍ଚାୟତରେ ୬,୮୩୩ଟି ଅସ୍ଥାୟୀ ଚିକିତ୍ସା କେନ୍ଦ୍ର ସ୍ଥାପନ କାର୍ଯ୍ୟ ସଂପୂର୍ଣ୍ଣ ହୋଇଛି। ଏଥିରେ ୧,୪୯,୦୬୫ଟି ଶଯ୍ୟାର ବନ୍ଦୋବସ୍ତ ରହିଛି।

୧୨. କୋଭିଡ୍‌-୧୯ର ଅର୍ଥନୈତିକ ପ୍ରଭାବକୁ ଦୃଷ୍ଟିରେ ରଖି ମାର୍ଚ୍ଚ ମାସଠାରୁ ମାନ୍ୟବର ମୁଖ୍ୟମନ୍ତ୍ରୀ, ସମସ୍ତ ମନ୍ତ୍ରୀ, ବିଧାୟକ, ବିଭିନ୍ନ ନିଗମର ଅଧ୍ୟକ୍ଷ ଏବଂ ସମସ୍ତ ପୌରସଂସ୍ଥାର ନିର୍ବାଚିତ ପ୍ରତିନିଧିମାନଙ୍କ ଦରମାର ୭୦ ପ୍ରତିଶତ ଏବଂ ସର୍ବଭାରତୀୟ ପ୍ରଶାସନିକ ସେବା ଅଧିକାରୀମାନଙ୍କ ଦରମାର ୫୦ ପ୍ରତିଶତ ପରବର୍ତ୍ତୀ ସମୟରେ ପ୍ରଦାନ କରାଯିବ ବୋଲି ରାଜ୍ୟ ସରକାରଙ୍କ ଅର୍ଥ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଜାରି କରାଯାଇଛି।

୧୩. ରାଜ୍ୟରେ କୋଭିଡ୍‌-୧୯ ନିୟମ ଏବଂ ମାର୍ଗଦର୍ଶିକା ଉଲ୍ଲଂଘନ କରିଥିବା ଅଭିଯୋଗରେ ୩୧ ମାର୍ଚ୍ଚରୁ ଅପ୍ରେଲ୍‌ ୧ ତାରିଖ ସକାଳ ପର୍ଯ୍ୟନ୍ତ ୨୪ ଘଣ୍ଟା ମଧ୍ୟରେ ୨୧୯ଟି ମାମଲା ଦାୟର କରାଯାଇଛି। ସେଥିରୁ ୧୯୭ଟି ମାମଲା ଲକ୍‌ ଡାଉନ୍‌ ସଂପର୍କିତ ହୋଇଥିବାବେଳେ ୯ଟି ହୋମ୍‌ କ୍ୱାରାଣ୍ଟାଇନ୍‌ ଉଲ୍ଲଂଘନ ଓ ୧୩ଟି କୋଭିଡ୍‌-୧୯ ସଂପୃକ୍ତ ନିୟମାବଳୀ ଉଲ୍ଲଂଘନ ଅନ୍ତର୍ଭୁକ୍ତ।

୧୪ କୋଭିଡ୍‌-୧୯ ସଂପର୍କିତ କୌଣସି ଗୁଜବକୁ ପ୍ରଶ୍ରୟ ଦିଆଯିବ ନାହିଁ। ଗୁଜବ ରଟନାକାରୀଙ୍କ ବିରୋଧରେ କଠୋର ପଦକ୍ଷେପ ଗ୍ରହଣ କରାଯିବ।

ସର୍ବଶେଷ ସ୍ୱାସ୍ଥ୍ୟ ସୂଚନା :

୧. ଆଜି ମଧ୍ୟାହ୍ନ ୧୨ଟା ସୁଦ୍ଧା ଓଡ଼ିଶାରେ ୬୧୦ଟି ନମୁନା କୋଭିଡ୍‌-୧୯ ପରୀକ୍ଷା ପାଇଁ ପଠାଯାଇଛି । ବର୍ତ୍ତମାନ ସୁଦ୍ଧା ସମୁଦାୟ ୪ ଜଣ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି।

୨. ପ୍ରଥମ ୨ଟି ପଜିଟିଭ୍‌ଙ୍କ ସଂସ୍ପର୍ଶରେ ଆସିଥିବା ୫୫ ଜଣ ବ୍ୟକ୍ତି ଯୋଗାଯୋଗରେ ଅଛନ୍ତି। ତୃତୀୟ ପଜିଟିଭଙ୍କ ସଂସ୍ପର୍ଶରେ ଆସିଥିବା ୧୧୨ ଜଣଙ୍କୁ ଆଜି ପର୍ଯ୍ୟନ୍ତ ଚିହ୍ନଟ କରାଯାଇଛି ଓ ଯୋଗାଯୋଗ ଜାରି ରହିଛି।

୩. ୪ର୍ଥ ରୋଗୀଙ୍କ ସଂସ୍ପର୍ଶରେ ଆସିଥିବା ୭ ଜଣଙ୍କୁ ଚିହ୍ନଟ କରାଯାଇଛି।

୪. ଏହି ୪ର୍ଥ କରୋନା ଆକ୍ରାନ୍ତ ବ୍ୟକ୍ତି ଜଣଙ୍କ ୧୮ ମାର୍ଚ୍ଚ ୨୦୨୦ରେ ଦୁବାଇରୁ କୋଲକାତା ବିମାନ ଯୋଗେ ଆସିଥିଲେ। କୋଲକାତା ବିମାନ ବନ୍ଦରରୁ ଟ୍ୟାକ୍ସିରେ ଏକୁଟିଆ ହାଓଡା ଷ୍ଟେସନ୍‌ ଯାତ୍ରା କରିଥିଲେ ଏବଂ ୧୮ ତାରିଖ ରାତିରେ ଭଦ୍ରକ ଷ୍ଟେସନ୍‌ରେ ପହଞ୍ଚିଥିଲେ ଏବଂ ସେଠାରୁ ସେ ଅଟୋରିକ୍ସାରେ ଘରକୁ ଯାଇଥିଲେ। ନିଜ ଘରେ ସଙ୍ଗରୋଧ ହୋଇ ରହିଥିବା ସମୟରେ ମାର୍ଚ୍ଚ ୩୦ରେ ତାଙ୍କର ନମୁନା ସଂଗ୍ରହ ହୋଇ ପରୀକ୍ଷା ପାଇଁ ପଠାଯାଇଥିଲା। ମାର୍ଚ୍ଚ ୩୧ରେ ନମୁନା ପରୀକ୍ଷାରେ ସେ ସଂକ୍ରମିତ ହୋଇଥିବା ଜଣାପଡ଼ିଥିଲା।

୫. ଆଜି ୮୮ ଜଣ କରୋନା ସଦିଗ୍ଧ ବିଭିନ୍ନ ଚିକିତ୍ସାଳୟରେ ପୃଥକ୍‌ବାସରେ ଅଛନ୍ତି।

୬. ଆଜି ପର୍ଯ୍ୟନ୍ତ ମୋଟ ୧୫,୦୪୫ ଜଣ ଅନ୍‌ଲାଇନ୍‌ ଏବଂ ୧୦୪ ମାଧ୍ୟମରେ ପଞ୍ଜୀକରଣ କରାଇଛନ୍ତି। ସେମାନଙ୍କ ମଧ୍ୟରୁ ୪,୩୩୨ ଜଣ ବିଦେଶରୁ ଓ ୧୦,୭୧୩ ଜଣ ବାହାର ରାଜ୍ୟରୁ ଆସିଛନ୍ତି।