Categories
ଆଜିର ଖବର ରାଜ୍ୟ ଖବର

ଓଡିଶା ପରିବାର ସହଯୋଗରେ ଆନ୍ଧ୍ରପ୍ରଦେଶରୁ ୧୧ଜଣ ଶ୍ରମିକଙ୍କୁ ଉଦ୍ଧାର

ଭୁବନେଶ୍ଵର: ଆନ୍ଧ୍ର ପ୍ରଦେଶକୁ କାମ କରିବାକୁ ଯାଇ ସେଠାରେ ନିର୍ଯ୍ୟାତିତ ହେଉଥିବା ସୁନ୍ଦରଗଡ ଜିଲ୍ଲାର ୮ ଜଣ ମହିଳାଙ୍କ ସମେତ ୧୧ ଜଣ ଶ୍ରମିକ ସୁରକ୍ଷିତ ଭାବେ ଓଡିଶା ପ୍ରତ୍ୟାବର୍ତ୍ତନ କରିଛନ୍ତି।

ଆନ୍ଧ୍ରପ୍ରଦେଶରେ ଫସି ରହିଥିବା ନେଇ ଖବର ସମ୍ପର୍କରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଅବଗତ ହେବା ପରେ ସେମାନଙ୍କୁ ସୁରକ୍ଷିତ ଉଦ୍ଧାରକରି ଓଡିଶା ଫେରାଇ ଆଣିବାକୁ ଓଡିଶା ପରିବାର ନିର୍ଦ୍ଦେଶାଳୟକୁ ପରାମର୍ଶ ଦେଇଥିଲେ ।

ବିଭାଗୀୟ ନିର୍ଦ୍ଦେଶକ ଶ୍ରୀ ଦିଲୀପ ରାଉତରାଏ ଆନ୍ଧ୍ର ପ୍ରଦେଶ ସରକାର, ଶ୍ରମ ଓ କର୍ମଚାରୀ, ରାଜ୍ୟଵୀମା ବିଭାଗ ସହିତ ସମନ୍ଵୟ ରକ୍ଷାକରି ସେମାନଙ୍କୁ ଓଡିଶା ଫେରାଇ ଆଣିବାର ବ୍ୟବସ୍ଥା କରିଥିଲେ। ଏହାପରେ ସେମାନଙ୍କ ଫେରିବା ନେଇ ସମସ୍ତ ବାଟ ଫିଟିଥିଲା।

ଆଜି ଏଗାର ଜଣ ଶ୍ରମିକ ଭୁବନେଶ୍ଵର ରେଳଷ୍ଟେସନରେ ପହଞ୍ଚିବାପରେ ଓଡିଶା ପରିବାର ନିର୍ଦ୍ଦେଶାଳୟ ପକ୍ଷରୁ ସ୍ଵତନ୍ତ୍ର କର୍ତ୍ତବ୍ଯରତ ଅଧିକାରୀ ପ୍ରୀତିଶ ପଣ୍ଡା ସେମାନଙ୍କୁ ସ୍ୱାଗତ କରିଥିଲେ। ଓଡିଶା ଫେରିଥିବା ଶ୍ରମିକମାନେ ସେମାନଙ୍କୁ ସୁରକ୍ଷିତ ଭାବେ ଓଡିଶା ଫେରାଇ ଆଣିବାରେ ସମସ୍ତ ସହଯୋଗ ନିମନ୍ତେ ମାନ୍ୟବର ମୁଖ୍ୟମନ୍ତ୍ରୀ, ଓଡିଶା ପରିବାର ନିର୍ଦେଶାଳୟର ନିର୍ଦେଶକ ଓ ତାଙ୍କ ଟିମ ଏବଂ ଶ୍ରମ ଓ କର୍ମଚାରୀ ରାଜ୍ୟଵୀମା ବିଭାଗ ଅଧିକାରୀମାନଙ୍କୁ କୃତଜ୍ଞତା ଜଣାଇଛନ୍ତି।

Categories
ଅନ୍ତରାଷ୍ଟ୍ରୀୟ ବିଶେଷ ଖବର ରାଜ୍ୟ ଖବର

ଓଡିଶା ପରିବାର ନିର୍ଦ୍ଦେଶାଳୟର କାର୍ଯ୍ୟ ଆରମ୍ଭ, ଦୁବାଇରେ ଫସିଥିବା ଆଉ ୭ ପ୍ରବାସୀଙ୍କୁ ଉଦ୍ଧାର

ଭୁବନେଶ୍ବର: ଗଞ୍ଜାମ ଜିଲ୍ଲାରୁ ଦୁବାଇରେ କାମକରିବାକୁ ଯାଇ ନିର୍ଯାତିତ ହୋଇଥିବା ଆଉ ୭ ଜଣ ପ୍ରବାସୀ ଓଡିଆ ଭୁବନେଶ୍ୱରରେ ପହଞ୍ଚିଛନ୍ତି। ସେମାନେ ହେଲେ ସିମାଞ୍ଚଳ ମହାରଣା, ରିଙ୍କୁ ଦଳେଇ, ତାରିଣୀ ବେହେରା, ସନ୍ତୋଷ କୁମାର ମହାରଣା, ଦାଶରଥି ବେହେରା, ବିଜୟ ପଲେଇ ଓ ଯତୀନ ମହାରଣା।

ଗତକାଲି ଭୁବନେଶ୍ୱର ବିଜୁପଟ୍ଟନାୟକ ଆନ୍ତର୍ଜାତିକ ବିମାନ ବନ୍ଦରରେ ପହଞ୍ଚିବା ପରେ ଓଡିଶା ପରିବାର ନିର୍ଦ୍ଦେଶାଳୟ ପକ୍ଷରୁ ସେମାନଙ୍କୁ ସ୍ୱାଗତ କରାଯାଇଥିଲା। ନିର୍ଦ୍ଦେଶକ ଶ୍ରୀ ଦିଲୀପ ରାଉତରାଏ, ସ୍ୱତନ୍ତ୍ର କର୍ତ୍ତବ୍ୟରତ ଅଧିକାରୀ ଶ୍ରୀ ପ୍ରିତିଶ ପଣ୍ଡା ଓ ଲକ୍ଷ୍ମୀଧର ବେହେରା ସେମାନଙ୍କୁ ବିମାନ ବନ୍ଦର ଠାରେ ଉତ୍ତରୀୟ ଓ ପୁଷ୍ପଗୁଛ ପ୍ରଦାନ କରି ସ୍ୱାଗତ କରିଥିଲେ। ଏହାପରେ ସେମାନେ ନିଜ ଗ୍ରାମକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି।

ସେମାନେ ସୁରକ୍ଷିତ ଭାବେ ଜନ୍ମମାଟିକୁ ଫେରିଥିବାରୁ ଖୁସି ବ୍ୟକ୍ତ କରିବା ସହ ମାନ୍ୟବର ମୁଖ୍ୟମନ୍ତ୍ରୀ, ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ, ମୁଖ୍ୟ ଶାସନ ସଚିବ, ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଓ ନିର୍ଦ୍ଦେଶକଙ୍କୁ ଗଭୀର କୃତଜ୍ଞତା ଜ୍ଞାପନ ଜଣାଇଛନ୍ତି।

ପୂର୍ବରୁ ୮ ଜଣ ପ୍ରବାସୀ ଓଡିଆ ଗତ ୧ ତାରିଖରେ ଦୁବାଇରୁ ମୁମ୍ବାଇ ଦେଇ ଭୁବନେଶ୍ୱର ଠାରେ ପହଞ୍ଚିବା ପରେ ସେମାନଙ୍କୁ ଜନ୍ମମାଟିରେ ପହଞ୍ଚେଇବାର ବ୍ୟବସ୍ଥା କରାଯାଇଥିଲା।
ସୂଚନାଯୋଗ୍ୟ ଦୁବାଇରେ ୧୫ ଜଣ ଓଡିଆ ଶ୍ରମିକ କାମ କରିବାକୁ ଯାଇ ନିର୍ଯାତିତ ହେଉଥିବା ସଂପର୍କରେ ଖବର ପାଇ ରାଜ୍ୟ ସରକାରଙ୍କ ପରାମର୍ଶ ଅନୁଯାୟୀ ଓଡିଶା ପରିବାର ନିର୍ଦ୍ଦେଶକ ଶ୍ରୀ ଦିଲୀପ ରାଉତରାଏ ଓ ତାଙ୍କ ଟିମ ନିରନ୍ତର ଭାବେ ସେମାନଙ୍କ ସହ ଯୋଗାଯୋଗ ରକ୍ଷାକରି ଓଡିଶା ଫେରାଇ ଆଣିବାକୁ ପ୍ରୟାସ ଆରମ୍ଭ କରିଥଲେ।

ପ୍ରକାଶ ଥାଉ କି, ଓଡିଶା ବାହାରେ ଓ ବିଦେଶରେ ରହୁଥିବା ପ୍ରବାସୀ ଓଡିଆମାନଙ୍କ ସହ ସାମାଜିକ, ସାଂସ୍କୃତିକ, ଭାବଗତ ଓ ପାରିବାରିକ ସମ୍ପର୍କ ରକ୍ଷା କରି ସେମାନଙ୍କ ଭଲମନ୍ଦରେ ଓଡିଶା ପରିବାର ନିର୍ଦେଶାଳୟ ସବୁ ସମୟରେ ସହଯୋଗର ହାତ ବଢ଼େଇ ଆସିଛି।
ସେହିଭଳି ଗତ ୫ ତାରିଖରେ ଚେନ୍ନାଇଠାରେ ରେଳ ଦୁର୍ଘଟଣାରେ ମୃତୁ୍ୟବରଣ କରିଥିବା ମୟୂରଭଞ୍ଜ ଜିଲ୍ଲାର କାଠରୁମା କୁଡ଼ିଆପାଳର ସରାଇ ମୁର୍ମୁଙ୍କ ମରଶରୀର ତାଙ୍କ ପୈତୃକ ଗ୍ରାମକୁ ଅଣାଯାଇ ଗତକାଲି ଶେଷକୃତ୍ୟ ସମାପନ କରାଯାଇଥିବାବେଳେ ହାଇଦ୍ରାବାଦରେ ମୃତୁ୍ୟବରଣ କରିଥିବା ମାଲକାନଗିରି ଜିଲ୍ଲାର ତିନିଜଣ ନିର୍ମାଣ ଶ୍ରମିକଙ୍କ ମରଶରୀର ତାଙ୍କ ଗ୍ରାମକୁ ଅଣାଯାଇ ଶେଷକୃତ୍ୟ ସମ୍ପାଦନ କରାଇବାରେ ଓଡିଶା ପରିବାର ନିର୍ଦ୍ଦେଶାଳୟ ପକ୍ଷରୁ ସହଯୋଗ କରାଯାଇଥିଲା।

ଏଥିସହ ନିର୍ଦ୍ଦେଶକ ଶ୍ରୀ ରାଉତରାଏ ହାଇଦ୍ରାବାଦ ଦୁର୍ଘଟଣାରେ ଆହତ ମାଲକାନଗିରି ଶ୍ରମିକମାନଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ଅବଗତ ହୋଇ ଚିକିତ୍ସା ବ୍ୟବସ୍ଥା ତଦାରଖ ପାଇଁ ଆଜି ହାଇଦ୍ରାବାଦ ଗସ୍ତ
କରିଛନ୍ତି ।