Categories
ଆଜିର ଖବର ରାଜ୍ୟ ଖବର

ଭାରତର ନିର୍ବାଚନ ଆୟୁକ୍ତଙ୍କ ଓଡିଶା ଗସ୍ତ: ଅବାଧ, ନିରପେକ୍ଷ ଓ ଶାନ୍ତିପୂର୍ଣ୍ଣ ମତଦାନ ସମ୍ପର୍କରେ କରିବେ ସମୀକ୍ଷା

ଭୁବନେଶ୍ଵର: ରାଜ୍ୟରେ ଆଗାମୀ ସାଧାରଣ ନିର୍ବାଚନକୁ ଅବାଧ, ନିରପେକ୍ଷ ଓ ଶାନ୍ତିପୂର୍ଣ୍ଣ କରିବା ଉଦ୍ଦେଶ୍ୟରେ ରାଜ୍ୟ ସରକାର ଏବଂ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଦ୍ଵାରା ଗ୍ରହଣ କରାଯାଇଥିବା ବିବିଧ ପଦକ୍ଷେପ ସମ୍ପର୍କରେ ସମୀକ୍ଷା କରିବାକୁ ଭାରତର ମାନନୀୟ ମୁଖ୍ୟ ନିର୍ବାଚନ ଆୟୁକ୍ତ ରାଜୀବ କୁମାରଙ୍କ ନେତୃତ୍ଵରେ ଏକ ଉଚ୍ଚସ୍ତରୀୟ ପ୍ରତିନିଧି ମଣ୍ଡଳୀ ତିନି ଦିନିଆ ଓଡିଶା ଗସ୍ତରେ ଆସି ଭୁବନେଶ୍ଵରରେ ପହଞ୍ଚିଛନ୍ତି।

ଭାରତର ମାନନୀୟ ମୁଖ୍ୟ ନିର୍ବାଚନ ଆୟୁକ୍ତ ଶ୍ରୀଯୁକ୍ତ କୁମାରଙ୍କ ସହିତ ଭାରତର ମାନନୀୟ ନିର୍ବାଚନ ଆୟୁକ୍ତ ଅରୁଣ ଗୋଏଲ, ବରିଷ୍ଠ ଉପ ନିର୍ବାଚନ ଆୟୁକ୍ତ ଧର୍ମେନ୍ଦ୍ର ଶର୍ମା ଓ ନିତେଶ ବ୍ୟାସ, ଉପ ନିର୍ବାଚନ ଆୟୁକ୍ତ ମନୋଜ କୁମାର ସାହୁ, ଭାରତର ନିର୍ବାଚନ ଆୟୋଗଙ୍କ ଗଣମାଧ୍ୟମ ମହାନିର୍ଦ୍ଦେଶକ ବି. ନାରାୟଣନ ଏବଂ ଆୟୋଗର ଅର୍ଥନୈତିକ ନିର୍ଦ୍ଦେଶକ ପଙ୍କଜ ଶ୍ରୀବାସ୍ତବ ପ୍ରମୁଖ ଓଡିଶା ଗସ୍ତରେ ଆସି ଆସନ୍ତା କାଲି ପୂର୍ବାହ୍ନରେ ପ୍ରଥମେ ବିଭିନ୍ନ ଜାତୀୟ ଓ ଆଞ୍ଚଳିକ ରାଜନୈତିକ ଦଳର କର୍ମକର୍ତ୍ତା ଓ ନେତୃବୃନ୍ଦଙ୍କ ସହିତ ନିର୍ବାଚନ ସମ୍ପର୍କୀତ ଆଦର୍ଶ ଆଚରଣ ବିଧିର ଯଥାଯଥ ପାଳନ ସମ୍ପର୍କରେ ନିର୍ବାଚନ ଆୟୋଗଙ୍କ ଆଭିମୂଖ୍ୟ ସମ୍ପର୍କରେ ଆଲୋଚନା କରିବେ। ପରେପରେ, ରାଜସ୍ୱ ଡିଭିଜନର ଆୟୁକ୍ତ, ବିଭିନ୍ନ ଜିଲ୍ଲାର ଜିଲ୍ଲା ନିର୍ବାଚନ ଅଧିକାରୀ, ଆରକ୍ଷୀ ମହାନିରୀକ୍ଷକ, ପୋଲିସ କମିଶନର, ଆରକ୍ଷୀ ଅଧୀକ୍ଷକ ପ୍ରମୁଖଙ୍କ ସହିତ ଏକ ମିଳିତ ବୈଠକରେ ନିର୍ବାଚନ ପ୍ରସ୍ତୁତି, ତାଲିମ, ଆଇନଶୃଙ୍ଖଳା ପରିସ୍ଥିତି ଓ ପଦକ୍ଷେପ ସମ୍ପର୍କରେ ବିସ୍ତ୍ରୁତ ଭାବେ ଆଲୋଚନା କରିବେ।

ସେହିପରି, ୧୭ ତାରିଖ ଦିନ ନିର୍ବାଚନ ଆୟୋଗଙ୍କ ପ୍ରତିନିଧି ମଣ୍ଡଳୀ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ, ରାଜ୍ୟ ପୋଲିସ ବାହିନୀ ଓ କେନ୍ଦ୍ର ପୋଲିସ ବାହିନୀର ନୋଡାଲ ଅଧିକାରୀ, ପ୍ରବର୍ତ୍ତନ ସଂସ୍ଥା, ରାଜ୍ୟ ମୁଖ୍ୟ ଶାସନ ସଚିବ, ଆରକ୍ଷୀ ମହାନିର୍ଦ୍ଦେଶକ ପ୍ରମୁଖଙ୍କ ସହିତ ପୃଥକ ପୃଥକ ଭାବେ ବିଭିନ୍ନ ପର୍ଯ୍ୟାୟରେ ଆଲୋଚନା କରିବେ। ଅପରାହ୍ନରେ ମୁଖ୍ୟ ନିର୍ବାଚନ ଆୟୁକ୍ତ ଶ୍ରୀଯୁକ୍ତ କୁମାର ଏବଂ ତାଙ୍କ ସହିତ ଥିବା ବରିଷ୍ଠ ପଦାଧିକାରୀମାନେ ଏକ ସାମ୍ବାଦିକ ସମ୍ମିଳନୀରେ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ଆବଶ୍ୟକୀୟ ତଥ୍ୟ ପ୍ରଦାନ କରିବେ।

Categories
ଆଜିର ଖବର ରାଜ୍ୟ ଖବର

କେନ୍ଦ୍ରୀୟ କୃଷିରତ ମହିଳା ପ୍ରତିଷ୍ଠାନ ପରିଦର୍ଶନ କଲେ ମେଘାଳୟ ଗଣମାଧ୍ୟମ ପ୍ରତିନିଧି

ଭୁବନେଶ୍ଵର: ଚାରିଦିନିଆ ଓଡ଼ିଶା ଗସ୍ତରେ ଥିବା ୧୦ ଜଣିଆ ମେଘାଳୟ ଗଣମାଧ୍ୟମ ପ୍ରତିନିଧି ଦଳ ଆଜି ଭୁବନେଶ୍ୱରସ୍ଥିତ ଭାରତୀୟ କୃଷି ଅନୁସନ୍ଧାନ ପରିଷଦ (ଆଇସିଏଆର)-କେନ୍ଦ୍ରୀୟ କୃଷିରତ ମହିଳା ପ୍ରତିଷ୍ଠାନ (ସିଆଇଡବ୍ଲୁଏ)ପରିଦର୍ଶନ କରିଛନ୍ତି। ସେମାନେ ସିଆଇଡବ୍ଲୁଏ ପରିସରରେ ବୈଜ୍ଞାନିକମାନଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ମତବିନିମୟ କରିଛନ୍ତି। ବିଶେଷ କରି କୃଷି କ୍ଷେତ୍ରରେ ମହିଳାଙ୍କ ଅଂଶଗ୍ରହଣ ବୃଦ୍ଧି କରିବା ନେଇ ସିଆଇଡବ୍ଲୁଏ ପରିସରରେ ଜାରି ରହିଥିବା ଗବେଷଣା ଓ ଅନୁସନ୍ଧାନ ସମ୍ପର୍କରେ ମେଘାଳୟର ସାମ୍ବାଦିକମାନଙ୍କୁ ସୂଚନା ଦିଆଯାଇଥିଲା। ବୈଜ୍ଞାନିକମାନେ ସୂଚନା ଦେଇଥିଲେ ଯେ, କୃଷି କ୍ଷେତ୍ରରେ ମହିଳାଙ୍କ ଭାଗିଦାରୀ ବଢ଼ାଇବା, ଲିଙ୍ଗଗତ ତାରତମ୍ୟ ଦୂର କରିବା ଏବଂ ମହିଳା ଚାଷୀଙ୍କ ସଶକ୍ତିକରଣ ଉଦ୍ଦେଶ୍ୟରେ ବିଶ୍ୱର ଏକମାତ୍ର ଗବେଷଣା ପ୍ରତିଷ୍ଠାନ ଭାବେ ସିଆଇଡବ୍ଲୁଏ କାର୍ଯ୍ୟ କରୁଛି। ଏହି ଅବସରରେ ପ୍ରତିଷ୍ଠାନରେ ଉପସ୍ଥିତ ଥିବା ବିଭିନ୍ନ ମହିଳା କୃଷକ ଉତ୍ପାଦକ ସଂଗଠନ (ଏଫପିଓ) ପ୍ରତିନିଧି, ମହିଳା ଚାଷୀ, ଅଂଶୀଦାରମାନଙ୍କ ସହିତ ମେଘାଳୟ ସାମ୍ବାଦିକମାନେ ମତବିନିମୟ କରିଥିଲେ। ସେମାନେ ମହିଳା ଏଫପିଓଗୁଡ଼ିକର କାର୍ଯ୍ୟଧାରା ଓ ଉପଲବ୍ଧି ସମ୍ପର୍କରେ ଅବଗତ ହୋଇଥିଲେ।

ଅନ୍ୟପକ୍ଷରେ ମେଘାଳୟ ଗଣମାଧ୍ୟମ ପ୍ରତିନିଧିମାନେ କଟକ ଜୋବ୍ରାସ୍ଥିତ ଓଡ଼ିଶା ରାଜ୍ୟ ନୌବାଣିଜ୍ୟ ସଂଗ୍ରହାଳୟ ବୁଲି ଦେଖିଥିଲେ। ସେଠାରେ ସଂଗୃହିତ ବିଭିନ୍ନ କଳାକୃତି ଦେଖିବା ସହିତ ଓଡ଼ିଶାର ପ୍ରାଚୀନ ନୌବାଣିଜ୍ୟ ପରମ୍ପରା ଓ ଇତିହାସ ସମ୍ପର୍କରେ ଅବଗତ ହୋଇଥିଲେ । ସେମାନଙ୍କୁ ସଂଗ୍ରହାଳୟ ଏବଂ ଐତିହାସିକ କଟକ ସହରର ଗୁରୁତ୍ୱ ବିଷୟରେ ସୂଚନା ଦିଆଯାଇଥିଲା । ସେମାନେ ନେତାଜୀ ସୁଭାଷ ବୋଷଙ୍କ ଜନ୍ମସ୍ଥାନ ମଧ୍ୟ ପରିଦର୍ଶନ କରିଥିଲେ ।

ସୂଚନାଯୋଗ୍ୟ, କେନ୍ଦ୍ର ସରକାରଙ୍କ ପ୍ରମୁଖ ଯୋଜନା, ଅନୁଷ୍ଠାନ, ପ୍ରକଳ୍ପ ଓ ପଦକ୍ଷେପ ସମ୍ପର୍କରେ ଅଧିକ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ତତ୍ତ୍ୱାବଧାନରେ ପତ୍ର ସୂଚନା କାର୍ଯ୍ୟାଳୟ, ଶିଲଂ ଓ ପତ୍ର ସୂଚନା କାର୍ଯ୍ୟାଳୟ, ଭୁବନେଶ୍ୱର ସହଯୋଗରେ ଏହି ଗଣମାଧ୍ୟମ ପ୍ରତିନିଧିଙ୍କ ଗସ୍ତ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଭିବିଏସ୍‌ୱାଇ କାର୍ଯ୍ୟକ୍ରମ ଅଧୀନରେ ଓଡ଼ିଶା ଗସ୍ତରେ ଆସିଲେ ମେଘାଳୟର ୧୦ ସାମ୍ବାଦିକ

ଭୁବନେଶ୍ଵର: ବିକଶିତ ଭାରତ ସଂକଳ୍ପ ଯାତ୍ରା (ଭିବିଏସ୍‌ୱାଇ) କାର୍ଯ୍ୟକ୍ରମ ଅଧୀନରେ ଓଡ଼ିଶା ଗସ୍ତରେ ଆସିଥିବା ମେଘାଳୟରୁ ଏକ ୧୦ ଜଣିଆ ଗଣମାଧ୍ୟମ ପ୍ରତିନିଧି ଦଳ ଆଜି ଭୁବନେଶ୍ୱରରେ ପହଞ୍ଚିଛି। ମେଘାଳୟ ସାମ୍ବାଦିକମାନେ ପହଞ୍ଚିବା ପରେ ପିଆଇବି ଭୁବନେଶ୍ୱର ଅଧିକାରୀମାନେ ସେମାନଙ୍କୁ ଭବ୍ୟ ସ୍ୱାଗତ କରିଥିଲେ।

ଏହି ଗସ୍ତର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଓଡ଼ିଶାରେ କେନ୍ଦ୍ର ସରକାରଙ୍କ ଯୋଜନାର ପ୍ରଭାବ ସମ୍ପର୍କରେ ବାସ୍ତବତାକୁ ବୁଝିବାରେ ଗଣମାଧ୍ୟମକୁ ସୁଯୋଗ ଦେବା ଏବଂ ରାଜ୍ୟରେ ଏହାର ବିକାଶକୁ ପ୍ରତ୍ୟକ୍ଷ ଭାବେ ଦେଖିବା।

ରାଜ୍ୟରେ କେନ୍ଦ୍ର ସରକାରୀ ଯୋଜନାଗୁଡ଼ିକୁ ଶତପ୍ରତିଶତ କାର୍ଯ୍ୟକାରୀ କରିବା ପାଇଁ ଚାଲିଥିବା ଭିବିଏସ୍‌ୱାଇ ଅଧୀନରେ ନିୟୋଜିତ ସୂଚନା, ଶିକ୍ଷା, ଯୋଗାଯୋଗ (ଆଇଇସି) ବାହନ ଗୁଡ଼ିକ କିପରି ସଚେତନତା ବାର୍ତ୍ତା ବାଣ୍ଟିଛନ୍ତି ତାହା ଜାଣିବା ମଧ୍ୟ ଏହି ଗସ୍ତର ଉଦ୍ଦେଶ୍ୟ।

ଏହି ପ୍ରତିନିଧି ଦଳ ଓଡ଼ିଶାରେ ୪ ଦିନ ରହଣି ସମୟରେ ନେତାଜୀ ଜନ୍ମସ୍ଥାନ ସଂଗ୍ରହାଳୟ ଓ ସାମୁଦ୍ରିକ ସଂଗ୍ରହାଳୟ ପରିଦର୍ଶନ କରିବେ। ସେମାନେ ଆଇସିଏଆର-କେନ୍ଦ୍ରୀୟ କୃଷିରତ ମହିଳା ସଂସ୍ଥାନ(ଆଇସିଏଆର-ସିଆଇଡବ୍ଲ୍ୟୁଏ) ପରିଦର୍ଶନ କରିବେ, ଯାହାକି କୃଷି କ୍ଷେତ୍ରରେ ଲିଙ୍ଗ ସହ ଜଡ଼ିତ ଗବେଷଣାର ଅଭିନବ ଦାୟିତ୍ୱରେ ଥିବା ଭାରତରେ ପ୍ରଥମ ଅନୁଷ୍ଠାନ ।

ସାମ୍ବାଦିକ ପ୍ରତିନିଧି ଦଳ ଭୁବନେଶ୍ୱର ସ୍ଥିତ ସିଏସଆଇଆର – ଖଣିଜ ଏବଂ ବସ୍ତୁ ପ୍ରଯୁକ୍ତି ପ୍ରତିଷ୍ଠାନ (ଆଇଆଇଏମଟି) ଗସ୍ତ କରିବାର ମଧ୍ୟ କାର୍ଯ୍ୟକ୍ରମ ରହିଛି । ଖଣି, ଖଣିଜ ଏବଂ ଧାତୁ ଶିଳ୍ପର ଗବେଷଣା ଓ ବିକାଶ ସମସ୍ୟାର ସମାଧାନ ତଥା ଏହାର ସ୍ଥାୟୀ ବିକାଶ ସୁନିଶ୍ଚିତ କରିବା ପାଇଁ ବିଭିନ୍ନ ବିଷୟରେ ମୌଳିକ ଗବେଷଣା ଓ ପ୍ରଯୁକ୍ତିଭିତ୍ତିକ କାର୍ଯ୍ୟକ୍ରମ ପରିଚାଳନାରେ ଏହି ପ୍ରତିଷ୍ଠାନ କାର୍ଯ୍ୟ କରିଥାଏ।

ଏତଦ୍ ବ୍ୟତୀତ ଗଣମାଧ୍ୟମ ପ୍ରତିନିଧିମାନେ ବିକଶିତ ଭାରତ ସଂକଳ୍ପ ଯାତ୍ରା ରହଣୀ ସ୍ଥଳ ପରିଦର୍ଶନ କରିବା ସମୟରେ ଓଡ଼ିଶାରେ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନାର ହିତାଧିକାରୀ ପରିଦର୍ଶନ କରିବା ସହ ସେମାନଙ୍କ ସହ ଆଲୋଚନା କରିବେ। ଏହି ଦଳ ଧଉଳିଗିରି ଓ କୋଣାର୍କ ସୂର୍ଯ୍ୟ ମନ୍ଦିର ପରିଦର୍ଶନ କରିବେ।

ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ତତ୍ତ୍ୱାବଧାନରେ ପତ୍ର ସୂଚନା କାର୍ଯ୍ୟାଳୟ, ଭୁବନେଶ୍ୱର ସହଯୋଗରେ ପତ୍ର ସୂଚନା କାର୍ଯ୍ୟାଳୟ, ଶିଲଙ୍ଗ ପକ୍ଷରୁ ଏହି ଗସ୍ତ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି।