Categories
ବିଶେଷ ଖବର ରାଜ୍ୟ ଖବର

ସୁରାଟ ବିମାନ ବନ୍ଦର ନିକଟରେ ଅପରାଜିତା ଷଡଙ୍ଗୀଙ୍କୁ ସ୍ବାଗତ କରିବା ପାଇଁ ଲାଗିଲା ବିରାଟ ହୋଡିଂ, ରାଜନୈତିକ ଚର୍ଚ୍ଚା ଆରମ୍ଭ

ଭୁବନେଶ୍ବର: ଏୟାର ଇଣ୍ଡିଆ ଆସନ୍ତା  ୨୦ ତାରିଖରୁ ଭୁବନେଶ୍ବରରୁ ସୁରାଟ ସିଧା ବିମାନ ଚଳାଚଳ ଆରମ୍ଭ କରିବ। ସେଥିପାଇଁ ସୁରାଟରେ ଥିବା ଓଡିଆ ସମାଜ ପକ୍ଷରୁ କରାଯାଇଛି ଏକ ବିରାଟ ଆୟୋଜନ। ଏଥିରେ ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀଙ୍କୁ ସ୍ବାଗତ କରିବା ପାଇଁ ଏହି ଆୟୋଜନର ମୂଳ ଲକ୍ଷ୍ୟ। ତେବେ ଖାଲି ଆୟୋଜନ ନୁହେଁ ଅପରାଜିତାଙ୍କୁ ସ୍ବାଗତ କରିବା ପାଇଁ ସୁରଟ ବିମାନ ବନ୍ଦର ବାହାରେ ଲଗାଯାଇଛି ଏକ ବିରାଟ ହୋଡିଂ। ଯେଉଁଥିରେ ଖୋଦ ଅପରାଜିତାଙ୍କ ଫଟୋ ସହିତ ଗୁଜୁରାଟ ମନ୍ତ୍ରୀମାନଙ୍କ ଫଟୋ ମଧ୍ୟ ରହିଛି।ସୁରଟରେ ଓଡିଆ ସମାଜ ତରଫରୁ ଏକ ସଭାର ମଧ୍ୟ ଆୟୋଜନ କରାଯାଇଛି। ଏଥିରେ ଅନ୍ୟତମ ଅତିଥି ଭାବେ ଅପରାଜିତା ଯୋଗଦେବା ସହିତ ଓଡିଆ ଲୋକଙ୍କ ସହିତ ଆଲୋଚନା କରିବେ।

ପୂର୍ବରୁ କେନ୍ଦ୍ର ସରକାରଙ୍କ ସମସ୍ତ ଓଡିଶା ଯୋଜନାର ଶ୍ରେୟ କେବଳ ଜଣଙ୍କ ପାଖକୁ ଯାଉଥିଲା। ସେ ହେଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ତାଙ୍କ ବିନା ଓଡିଶାରେ କୌଣସି କେନ୍ଦ୍ରୀୟ ଯୋଜନା କାର୍ଯ୍ୟକାରୀ ହୋଇପାରୁ ନ ଥିଲା। ହେଲେ ସେଥିରୁ କିଛି ଭାଗ ଶ୍ରେୟ ଧିରେ ଧିରେ  ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ ନେବାରେ ସଫଳ ହୋଇପାରୁଛନ୍ତି। ସେହି ହିସାବରେ ଭୁବନେଶ୍ବରରୁ ସୁରାଟ ବିମାନ ଚଳାଚଳର ସମସ୍ତ ଶ୍ରେୟ କେବଳ ଅପରାଜିତାଙ୍କ ନିକଟକୁ ଯାଉଛି। ପୂର୍ବରୁ ଯେଉଁଦିନ ଏହି ଘୋଷଣା ହେଲା ସେହିଦିନ ମଧ୍ୟ ଓଡିଶା ବିଜେପିର ତୁଙ୍ଗ ନେତା ତଥା ଦୁଇ କେନ୍ଦ୍ର ମନ୍ତ୍ରୀ ଏ ସଂପର୍କର ଜାଣିପାରି ନ ଥିଲେ। ନିଜେ ଅପରାଜିତା କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂ ପୁରୀଙ୍କୁ ଭେଟି ଏହାର ଘୋଷଣା କରାଇବା ସହିତ ତାଙ୍କୁ ଧନ୍ୟବାଦ ମଧ୍ୟ ଦେଇଥିଲେ।

ସୁରଟକୁ ଭୁବନେଶ୍ବରରୁ ସିଧା ବିମାନ ଯିବା ନିଶ୍ଚିତ ଖୁସିର କଥା ହେଲେ ଏହା ରାଜନୈତିକ ମହଲରେ ବେଶ୍ ଚର୍ଚ୍ଚା ଚାଲିଛି।