Categories
ଆଜିର ଖବର ବ୍ୟବସାୟ ରାଜ୍ୟ ଖବର

ଆଇପ୍ୟାଡ ମାଧ୍ୟମରେ ଓଡିଶା ବଜେଟ ପଢିଲେ ଅର୍ଥମନ୍ତ୍ରୀ ନିରଂଜନ ପୂଜାରୀ, ବିଧାନସଭାର ଇତିହାସରେ ନୂଆ କଥା

ଭୁବନେଶ୍ବର, ଆଜି ବିଧାନସଭାରେ ଚଳିତ 2020-21 ବର୍ଷ ପାଇଁ ଅର୍ଥମନ୍ତ୍ରୀ ନିରଂଜନ ପୂଜାରୀ ରାଜ୍ୟ ବଜେଟ ଉପସ୍ଥାପନା କରୁଛନ୍ତି। ତେବେ ଏଥର ମୋଟାମୋଟା ବହି ବଦଳରେ ପୂଜାରୀ ଆଇପ୍ୟାଡ ମାଧ୍ୟମରେ ବଜେଟ ଉପସ୍ଥାନ କରୁଛନ୍ତି। ପୂର୍ବରୁ ଏହି ବଜେଟ ଅର୍ଥମନ୍ତ୍ରୀମାନେ ବହି ପଢିଥାନ୍ତି। ଯାହା ଚଳିତ ବର୍ଷ ସେହି ପରଂପରାକୁ ଭାଙ୍ଗି, ଏଥର ବଜେଟ ଉପସ୍ଥାପନା ହାଇଟେକ ହୋଇଛି।

ଆଜି ଅର୍ଥମନ୍ତ୍ରୀ ନିରଂଜନ ପୂଜାରୀ ଗୃହରେ ବଜେଟ ଉପସ୍ଥାପନା ପୂର୍ବରୁ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ଏହି ଆଇପ୍ୟାଡ ବଜେଟ ସଂପର୍କରେ ଅବଗତ କରାଇଥିଲେ। ବଜେଟ ଉପସ୍ଥାପନା ପୂର୍ବରୁ ସମସ୍ତ ସଦସ୍ୟଙ୍କ ଟେବୁଲ ଉପରେ ଆଇପ୍ୟାଡ ରଖାଯାଇଥିଲା। ଗୃହ ଆରମ୍ଭ ପରେ ଏହି ଆଇପ୍ୟାଡ ମାଧ୍ୟମରେ ସଦସ୍ୟମାନେ ବଜେଟ ରୂପରେଖ ମଧ୍ୟ ଦେଖି ପଢି ପାରୁଛନ୍ତି। ସେତେକି ନୁହେଁ ଗୃହର ସଦସ୍ୟମାନଙ୍କୁ ବଜେଟର ସଂପୂର୍ଣ୍ଣ ବିବରଣୀ ପେନଡ୍ରାଇଭ ମାଧ୍ୟମରେ ମଧ୍ୟ ପ୍ରଦାନ କରାଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

ରାଜ୍ୟପାଳଙ୍କ ଅଭିଭାଷଣରୁ ଆଜିଠାରୁ ଆରମ୍ଭ ହେବ ବିଧାନସଭାର ବଜେଟ ଅଧିବେସନ

ଭୁବନେଶ୍ବର,ଆଜିଠାରୁ ଆରମ୍ଭ ହେବ ବିଧାନସଭାର ବଜେଟ ଅଧିବେସନ। ଏହି ଅଧିବେସନ ଦୁଇଟି ପର୍ଯ୍ୟାୟରେ ଏପ୍ରିଲ 9 ତାରିଖ ପର୍ଯ୍ୟନ୍ତ ଚାଲିବ। ପରଂପରା ଅନୁସାରେ ବଜେଟ ଅଧିବେସନର ପ୍ରଥମ ଦିନରେ ରାଜ୍ୟପାଳ ଅଭିଭାଷଣ ରଖିବେ। ସେହି ଅନୁସାରେ ଆଜି ରାଜ୍ୟପାଳ ପ୍ରଫେସର ଗଣେଷୀଲାଲ ଗୃହରେ ନିଜର ଅଭିଭାଷଣ ରଖିବେ। ସେଥିପାଇଁ ବିଧାନସଭାର ପରିସରରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି। ରାଜ୍ୟପାଳ ବିଧାନସଭାରେ ପହଁଚିବା ପରେ ତାଙ୍କୁ ଗାର୍ଡ ଅଫ ଅନର ଦିଆଯିବ। ତାପରେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ତାଙ୍କୁ ଗୃହ ଭିତରକୁ ପାଛୋଟି ନେବେ। ଏହାପରେ ରାଜ୍ୟପାଳ ତାଙ୍କର ଅଭିଭାଷଣ ରଖିବେ। ଆସନ୍ତା 18 ତାରିଖ ଦିନ ଅର୍ଥମନ୍ତ୍ରୀ ନିରଂଜନ ପୂଜାର ଚଳିତ 2020-21 ବର୍ଷ ପାଇଁ ବଜେଟ ଉପସ୍ଥାପାନ କରିବେ।

ଗୃହରେ କିପରି ଶାନ୍ତି ଶୃଙ୍ଖଳା ବଜାଇ ରହିବ ସେ ନେଇ ବାଚସ୍ପତି ଗତକାଲି ଏକ ସର୍ବଦଳୀୟ ବୈଠକ ଡାକିଥିଲେ। ଏଥିରେ ସଭ୍ୟମାନେ ଗୃହ ମଧ୍ୟଭାଗକୁ ନ ଆସି ନିଜନିଜ ଆସନରେ ଛିଡା ହୋଇ ଅଭିଯୋଗ କରିପାରିବେ ବୋଲି ବାଚସ୍ପତି ସମସ୍ତଙ୍କୁ ଅନୁରୋଧ କରିଥିଲେ। ସେହିପରି ସବୁଦଳର ପୃଥକ ପୃଥକ ବୈଠକ କରାଯାଇ ରଣନିତି ପ୍ରସ୍ତୁତ କରାଯାଇଛି। ତେବେ ଏଥର ବିଭିନ୍ନ ପ୍ରସଂଗ ନେଇ ବିରୋଧ ସରକାରଙ୍କୁ ଘେରିବାର ସମ୍ଭାବନା ରହିଛି।

Categories
ବିଶେଷ ଖବର ବ୍ୟବସାୟ

ଓଡିଶା ବଜେଟ-୨୦୧୯, ଲୋକ କଲ୍ୟାଣ ଲାଗି ବହୁ ଯୋଜନା, ହେଲେ ଅର୍ଥ ଆସିବ କେଉଁଠୁ ?

କେଦାର ମିଶ୍ର

ଲୋକକଲ୍ୟାଣ ଓ ଜନମଙ୍ଗଳ ଯଦି ଆମ ସମ୍ବିଧାନର ମୌଳିକ ବିଚାର ବୋଲି ଆମେ ଗ୍ରହଣ କରୁ ତାହେଲେ, ଓଡିଶାର ଚଳିତ ବଜେଟ ସେ ଦୃଷ୍ଟିରୁ ଏକ  ଉଦାହରଣ ସୃଷ୍ଟି କରିଥିବା ବଜେଟ। ସାରା ଦେଶରେ ଯେତେବେଳେ କୃଷି କ୍ଷେତ୍ର ଲାଗି ସରକାରୀ ପୁଞ୍ଜି ଲଗାଣ କମିଯାଉଛି ସେହି ସମୟରେ ଓଡିଶା ଗତ ପାଞ୍ଚ ବର୍ଷରେ ନିଜର କୃଷି ବଜେଟକୁ ତିନିଗୁଣ ବୃଦ୍ଧି କରିଛି। ଚାଷୀଙ୍କ ସାମାଜିକ ଓ ଅର୍ଥନୈତିକ ଉନ୍ନତି ଲାଗି ଏହା ନିଶ୍ଚିତ ଭାବରେ ଏକ ଉପଯୋଗୀ ପଦକ୍ଷେପ। ସ୍ୱାସ୍ଥ୍ୟ, ଶିକ୍ଷା, ଆଦିବାସୀ ଓ ଅନୁସୂଚିତ ଜାତି ବିକାଶ, କୃଷି ଇତ୍ୟାଦି କ୍ଷେତ୍ର ଉପରେ ଏହି ବଜେଟରେ ସର୍ବାଧିକ ଗୁରୁତ୍ଵ ଦିଆଯାଇଛି। କାଳିଆ ଯୋଜନା(୫୬୧୧କୋଟି), ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା(୧୨୦୩କୋଟି),ପାର୍ବତୀ ଗିରି ବୃହତ ଉଠା ଜଳସେଚନ ପ୍ରକଳ୍ପ(୧୭୭୭କୋଟି), ପ୍ରେରଣା ବୃତ୍ତି ଯୋଜନା(୧୪୨୫କୋଟି), ଜାତୀୟ ସ୍ୱାସ୍ଥ୍ୟ ମିଶନ(୧୩୬୫କୋଟି) ଇତ୍ୟାଦି ସିଧାସଳଖ ଲୋକଙ୍କ ଜୀବନ ଓ ଜୀବିକା ଲାଗି ଉଦ୍ଦିଷ୍ଟ। ଶିଳ୍ପ ଓ ବାଣିଜ୍ୟ ତୁଳନାରେ କୃଷି ତଥା ଶିକ୍ଷା କ୍ଷେତ୍ର ଉପରେ ବଜେଟ ବିଶେଷ ଗୁରୁତ୍ଵ ଦେଇଛି। ବଜାର ଅର୍ଥନୀତିର ପ୍ରାବଲ୍ୟ ସମୟରେ ଏମିତି ଏକ ନେହେରୁ ପରମ୍ପରାର ବଜେଟକୁ ଅର୍ଥନୀତିଜ୍ଞମାନେ “ବେକାର ବଜେଟ” ବୋଲି କହିବାର ସମ୍ଭାବନା ଅଧିକ। ଲୋକଙ୍କୁ ଦେବାକଥା ଏ ବଜେଟରେ ବହୁତ ଅଧିକ କୁହାଯାଇଛି। ତେବେ ନୂଆ ଅର୍ଥନୀତିରେ ଲୋକଙ୍କୁ ଦେବା ଅପେକ୍ଷା ଲୋକଙ୍କଠୁ ଅଧିକ ନେବା ଉପରେ ଗୁରୁତ୍ଵ ଆରୋପ କରାଯାଇଥାଏ। ଓଡିଶା ସରକାରଙ୍କ ଏ ବଜେଟ ଅନେକାଂଶରେ ଏକ ସମାଜବାଦୀ ବଜେଟ ବୋଲି କୁହାଯାଇପାରିବ।

ଆମ ରାଜ୍ୟରେ ବଜେଟ ବିଶ୍ଳେଷଣର ଦୁଇଟି ଧାରା ସବୁବେଳେ ରହି ଆସିଛି। ଗୋଟେ ରାଜନୈତିକ ଧାରା ଓ ଅନ୍ୟଟି ଅର୍ଥନୈତିକ ଧାରା। ରାଜନୀତିରେ ଶାସକ ଦଳ ନିଜ ବଜେଟକୁ କ୍ରାନ୍ତିକାରୀ କହନ୍ତି ଓ ବିରୋଧୀ ଏହା ଲୋକ ବିରୋଧୀ ବୋଲି କୁହନ୍ତି। ହେଲେ ଏଥର ବଜେଟକୁ ଲୋକ ବିରୋଧୀ ବୋଲି କହିବାକୁ ବିରୋଧୀ ମଧ୍ୟ ସାହସ କରିନାହାନ୍ତି। ବଜେଟ ଆରମ୍ବହରୁ ଶେଷ ପର୍ୟନ୍ତ ଏତେ ଗୁଡିଏ ଲୋକକଲ୍ୟାଣକାରୀ ଯୋଜନା ଅଛି ଯେ, ତାକୁ ଲୋକବିରୋଧୀ କହିଲେ ଲୋକହସା ହେବା ସାର ହେବ! ତେବେ ଅର୍ଥନୈତିକ ଓ ସାମାଜିକ ଦୃଷ୍ଟିରୁ ବଜେଟକୁ ନେଇ ଅନେକ ପ୍ରଶ୍ନ ପଚରାଯାଇପାରିବ।ତେବେ ସେ ପ୍ରଶ୍ନ ବିରୋଧୀ ଦଳଙ୍କ ଭଳି ପଚାରିଲେ, ସେଟା ହାସ୍ୟାସ୍ପଦ ଇ ହେବ। ଯେମିତି ରାଜ୍ୟର ନିଜସ୍ଵ ଟିକସ ଆୟ ୨୪.୮୮% କୁ ଇ କେବଳ ରାଜ୍ୟର ଆୟ ଓ ବାକି ସବୁ ଋଣ ତଥା କେନ୍ଦ୍ରୀୟ ଅନୁଦାନ ବୋଲି ବିରୋଧୀ ଦଳ କହୁଛନ୍ତି। ଏହା ଅର୍ଥନୈତିକ ଦୃଷ୍ଟିରୁ ଅତ୍ୟନ୍ତ ବାଚାଳ ଯୁକ୍ତି ବୋଲି କୁହାଯାଇପାରେ। କେନ୍ଦ୍ର ରୁ ବିଭିନ୍ନ ଟିକସ, କର, ସେସ ଓ ରୟାଲିଟି ବାବଦକୁ  ରାଜ୍ୟ ୨୯.୫୫% ଅର୍ଥ ପାଇବ ଓ ଏହା ରାଜ୍ୟର ରାଜସ୍ୱ ଅଧିକାର। ଏହା କେନ୍ଦ୍ରର ଅନୁଦାନ ନୁହେଁ। କେନ୍ଦ୍ରର ଅନୁଦାନ ରାଜ୍ୟ ଆୟରେ ମାତ୍ର ୧୯.୯୮%। ବଜେଟକୁ କେନ୍ଦ୍ର ଆଭିମୁଖି ବୋଲି କହିବା ହୁଏତ ରାଜନୈତିକ ଦୃଷ୍ଟିରୁ ଭଲ ଶୁଭିପାରେ, ତେବେ ତାହା ଅସତ୍ୟ।

ତେବେ ବଜେଟର ସବୁଠୁ ଚିନ୍ତାଜନକ ଦିଗଟି ହେଉଛି ବଜେଟର ପାଖାପାଖି ୪୦% ଅର୍ଥ କେବଳ ପ୍ରଶାସନିକ କ୍ଷେତ୍ରରେ ଖର୍ଚ୍ଚ ହେଉଛି। ମୋଟ ୧ ଲକ୍ଷ ୩୯ ହଜାର କୋଟିରୁ ପ୍ରଶାସନିକ ଖର୍ଚ୍ଚ ବାବଦରେ ୫୭,୩୧୦ କୋଟି ଟଙ୍କା ଖର୍ଚ୍ଚ ହେବ। ବାକି ୭୦,୬୦୦ କୋଟି ଟଙ୍କା ବିଭିନ୍ନ କାର୍ୟକ୍ରମରେ ଖର୍ଚ୍ଚ ହେବ। ଲୋକ କଲ୍ୟାଣ ଖର୍ଚ୍ଚ ତୁଳନାରେ ପ୍ରଶାସନିକ ଖର୍ଚ୍ଚକୁ କମ କରିବା ସରକାରଙ୍କର ଲକ୍ଷ୍ୟ ହେବ ଉଚିତ ନୁହଁ କି? ଯଦିଓ ଏ କଥା ମଧ୍ୟ ସତ୍ୟ ଯେ ୨୦୦୭-୦୮ ମସିହା ବେଳକୁ ରାଜ୍ୟରେ ଲୋକକଲ୍ୟାଣ ପାଇଁ ମାତ୍ର ୫,୧୦୫ କୋଟି ଟଙ୍କା ଥିବା ବେଳେ ଆଜି ତାହା ୬୨,୦୦୦ କୋଟିରେ ପହଞ୍ଚିଛି। ଅର୍ଥାତ ୧୨ ବର୍ଷରେ ଏହି ବ୍ୟୟ ବରାଦ ୧୨ ଗୁଣ ବଢିଛି। ରାଜ୍ୟର ରାଜସ୍ୱ ବଢିଛି ଓ ସମ୍ବଳ ଯୋଗାଡ କରିବାରେ ରାଜ୍ୟ ସରକାର ସଫଳ ହୋଇଛନ୍ତି। ନଚେତ ଏତେ ପରିମାଣରେ କାର୍ୟକ୍ରମ ଲାଗୁ କରିବା ସମ୍ଭବ ହୁଅନ୍ତା ନାହିଁ।

ଋଣ ଆଣିବାକୁ ନେଇ ମଧ୍ୟ ଗୁଡାଏ ବିଭ୍ରାନ୍ତିକର ତଥ୍ୟ ଦିଆ ଯାଉଛି। ୧୫.୬୮% ଋଣ ସେମିତି କିଛି ଉଦବେଗଜନକ ନୁହେଁ। ଋଣ ବିନା ଦେଶ ବା ରାଜ୍ୟର ଅର୍ଥନୀତି ଚାଲିବ ନାହିଁ। ତେବେ କମ ଋଣ କାଲେ କମ ସୁଧ ଦେବାକୁ ପଡିବ ଓ ସେଥିରୁ ବଳକା ଅର୍ଥ ଲୋକ କଲ୍ୟାଣ କାମରେ ଲାଗିପାରିବ। ତେବେ ବର୍ତ୍ତମାନ ସ୍ଥିତିରେ ରାଜ୍ୟର ଋଣ ଭାର ଉତ୍କଟ ଅବସ୍ଥାରେ ନାହିଁ। ସରକାର ଚାହିଁଲେ ୨୫% ପର୍ୟନ୍ତ ଋଣ ଉଠାଇପାରିବେ।

ଏହି ବଜେଟକୁ ଲୋକଙ୍କ ବଜେଟ ବୋଲି କହିବାରେ କୌଣସି ଦ୍ଵିଧା ନାହିଁ। ତେବେ ସରକାର ସବୁବେଳେ ଦାତା ହୋଇ ରହିବା ଅପେକ୍ଷା ଲୋକଙ୍କ ଅର୍ଥନୈତିକ ମାନବୃଦ୍ଧି କରାଇବାରେ ସହାୟକ ଭୂମିକା ନେବା ଜରୁରୀ। ରାଜ୍ୟର ଆର୍ଥିକ ଅଭିବୃଦ୍ଧି ୮-୮.୫% ରହୁଥିବାବେଳେ ଏଥିରୁ କର୍ମଯୋଗାଣ ସମ୍ଭବ ହେଉନାହିଁ। କର୍ମହୀନ ଅଭିବୃଦ୍ଧିରୁ ମୁକୁଳିବାର ବାଟ ରାଜ୍ୟ ସରକାରଙ୍କୁ ବାହାର କରିବାକୁ ପଡିବ ଓ ରାଜ୍ୟର ନିଜସ୍ଵ ରାଜସ୍ବକୁ ଅତି କମରେ ଆହୁରି ୧୦% ବଢାଇବାକୁ ପଡିବ।