Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଆଜି କରୋନା ପରିଚାଳନା ନେଇ ଆସିବ ବଡ ଖବର, ମୁଖ୍ୟ ଶାସନ ସଚିବ କରିବେ ଘୋଷଣା

ଭୁବନେଶ୍ବର, ଆଜି ରାଜ୍ୟ ସରକାର କରୋନା ପରିଚାଳନା ନେଇ କରିବେ ଏକ ବଡ ଘୋଷଣା। ଆଜି ଦିନ 10ଟା ବେଳେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଏ ନେଇ ଘୋଷଣା କରିବେ। ସେଥିପାଇଁ ରାଜ୍ୟ ସରକାରଙ୍କ ତରଫରୁ ସମସ୍ତ ଗଣ ମାଧ୍ୟମକୁ ସୂଚନା ଦିଆଯାଇଛି।

ତେବେ କଣ ଘୋଷଣା ହେବ ସେ ନେଇ କିଛି କୁହାଯାଇ ନାହିଁ। ଯାହା ଆଶଙ୍କା କରାଯାଉଛି ତାହା ହେଳେ ରାଜ୍ୟରେ ପୁଣି ଥରେ ସର୍ଟ ଡାଉନ ଘୋଷଣା ହୋଇପାରେ। କାରଣ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଯଦି ଏହିପରି ଧାରା ଲାଗି ରୁହେ ତେବେ ତାହା ଦିଲ୍ଲୀ ପରି ପରିସ୍ଥିତି ସୃଷ୍ଟି କରିବ। ସେଥିପାଇଁ ଏହି ସଂକ୍ରାମଣକୁ ରୋକିବା ପାଇଁ ସରକାର ବଡ ନିଷ୍ପତି ଘୋଷଣା କରିବେ।

ମୁଖ୍ୟ ଶାସନ ସଚିବଙ୍କ ଘୋଷଣାର ସିଧା ପ୍ରସାରଣ ଦେଖିବା ପାଇଁ ଦିନ 10ଟା ରେ ତଳ ଲିଙ୍କକୁ କ୍ଲିକ କରନ୍ତୁ କିମ୍ବା ‘ ସମୀକ୍ଷା ‘ ଫେସବୁକ ପେଜକୁ ଯାଇ କ୍ଲିକ କରନ୍ତୁ।

https://www.facebook.com/thesamikhsya.in

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

କୋଭିଡ ମୁକାବିଲା ପାଇଁ ଚାରୋଟି ଜିଲ୍ଲାରେ ସ୍ବତନ୍ତ୍ର ରଣନୀତି କରିବାକୁ ମୁଖ୍ୟମନ୍ତ୍ରୀ ଦେଲେ ପରାମର୍ଶ

ଭୁବନେଶ୍ବର, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟରେ କୋଭିଡ ପରିସ୍ଥିତି ଓ ରଣନୀତି ସଂପର୍କରେ ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ଏକ ଉଚ୍ଚସ୍ତରୀୟ ବୈଠକରେ ସମୀକ୍ଷା କରି ଖୋର୍ଦ୍ଧା, କଟକ, ସୁନ୍ଦରଗଡ ଓ ରାୟଗଡା ଜିଲ୍ଲାରେ ଅଞ୍ଚଳଭିତ୍ତିକ ରଣକୌଶଳ (Location Specific Strategy) ଅବଲମ୍ବନ କରିବାପାଇଁ ପରାମର୍ଶ ଦେଇଛନ୍ତି, ଯାହାଫଳରେ ଆସନ୍ତା ସପ୍ତାହ ମଧ୍ୟରେ ଏହିସବୁ ଜିଲ୍ଲାରେ positivity rate ହ୍ରାସ କରିବା ଦିଗରେ ଆମେ ଅଗ୍ରଗତି କରିପାରିବା ବୋଲି ମୁଖ୍ୟମନ୍ତ୍ରୀ ଆଶାପ୍ରକାଶ କରିଥିଲେ ।

ସୂଚନାଯୋଗ୍ୟ ଯେ ଆଜି ପ୍ରତି ୧୦ ଲକ୍ଷ ସଂଖ୍ୟାରେ ୧୦୯୬ ଟେଷ୍ଟ କରି ଓଡିଶା ଆଜି ଜାତୀୟ ସ୍ତରରେ ଦୈନିକ ସର୍ବାଧିକ ଟେଷ୍ଟ କରୁଥିବା ରାଜ୍ୟରେ ପରିଗଣିତ ହୋଇଛି । ଏହାସହିତ ସପ୍ତାହ ମଧ୍ୟରେ ଦୈନିକ ଟେଷ୍ଟ ସଂଖ୍ୟା ୫୦ ହଜାରକୁ ବୃଦ୍ଧି ପାଇଛି । ଏହା ଉପରେ ସନ୍ତୋଷ ପ୍ରକାଶ କରି ମୁଖ୍ୟମନ୍ତ୍ରୀ ସ୍ବାସ୍ଥ୍ୟ ବିଭାଗ, ସମସ୍ତ ଜିଲ୍ଲାପାଳ ଓ ସେମାନଙ୍କ ଟିମ୍ ତଥା ସମସ୍ତ ଡାକ୍ତର ମାନଙ୍କୁ ଅଭିନନ୍ଦନ ଜଣାଇଥିଲେ ଓ ଏହା ଜାରି ରଖିବା ପାଇଁ ସେ ପରାମର୍ଶ ଦେଇଥିଲେ ।

ରାଜ୍ୟରେ କୋଭିଡରେ ମୁକାବିଲା ପାଇଁ ୫୦ ଲକ୍ଷରୁ ଅଧିକ ଲୋକ ଟ୍ରେନିଂ ପାଇଛନ୍ତି ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଏଥିରେ ପଞ୍ଚାୟତିରାଜ ପ୍ରତିନିଧି, ସ୍ବୟଂ ସହାୟକ ଗୋଷ୍ଠୀ, କୋଭିଡ କମିଟି ସଦସ୍ୟ ଏବଂ ଆହୁରି ଅନେକ ଅନ୍ତର୍ଭୁକ୍ତ ଅଛନ୍ତି। ଏହା ବାସ୍ତବରେ ଏକ ବଡ ସଫଳତା ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ଏହି କାର‌୍ୟ୍ୟକେ ନିୟୋଜିତ ଥିବା ସମସ୍ତଙ୍କୁ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଜଣାଇଥିଲେ।

ରାଜ୍ୟରେ ଲକ୍ଷଣବିହୀନ ରୋଗୀଙ୍କ ସଂଖ୍ୟା ଅଧିକ ଥିବାରୁ ଗୃହ ସଂଗରୋଧକୁ ଉତ୍ସାହିତ କରିବା ପାଇଁ ମଧ୍ୟ ସେ ପରାମର୍ଶ ଦେଇଛନ୍ତି। ଏଥିପାଇଁ ସ୍ବତନ୍ତ୍ର ପ୍ରଚାର ଅଭିଯାନ ସହିତ ପଞ୍ଚାୟତିରାଜ ପ୍ରତିନିଧି ଓ କୋଭିଡ କେୟାର କମିଟି ଗୁଡିକର ସହାୟତା ନେବା ପାଇଁ ମଧ୍ୟ ସେ କହିଛନ୍ତି। ଲୋକଙ୍କ ମନରେ ଗୃହ ସଂଗରୋଧ ସଂପର୍କରେ ଯଦି କୌଣସି ସନ୍ଦେହ ଥାଏ, ତାକୁ ଦୂର କରିବା ଦିଗରେ ଏହା ସହାୟକ ହେବ। ଏ କ୍ଷେତ୍ରରେ ଜିଲ୍ଲା ପର‌୍ୟ୍ୟବେକ୍ଷକମାନେ ସ୍ବତନ୍ତ୍ର ଗୁରୁତ୍ବ ଦେବାପାଇଁ ସେ ପରାମର୍ଶ ଦେଇଛନ୍ତି।

ସେହିପରି ରାଜ୍ୟରେ ଦୈନିକ ଟେଷ୍ଟ ସଂଖ୍ୟା ୫୦ ହଜାରରେ ପହଞ୍ଚି ଥିବାରୁ ମୁଖ୍ୟମନ୍ତ୍ରୀ ସନ୍ତୋଷ ପ୍ରକାଶ କରି ଏହି ଧାରା ବଜାୟ ରଖିବା ପାଇଁ କହିଥିଲେ। ଏଥିପାଇଁ test kit supply chainକୁ ଉତ୍ତମ ରୂପେ ପରିଚାଳନା କରିବା ପାଇଁ ସେ ପରାମର୍ଶ ଦେଇଥିଲେ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଆମ ପାଇଁ ପ୍ରତ୍ୟେକ ଜୀବନ ମୂଲ୍ୟବାନ। ରାଜ୍ୟରେ କୋଭିଡ ମୃତ୍ୟୁ ହାର କମ୍ ରହିଛି । ଏହାକୁ ଆହୁରି କମ୍ କରିବା ଦିଗରେ ନିରନ୍ତର ଉଦ୍ୟମ ଜାରି ରହିବା ଆବଶ୍ୟକ ବୋଲି ସେ କହିଥିଲେ। ବିଭିନ୍ନ କର୍ପୋରେଟ୍ କ୍ଷେତ୍ର ଓ ଅନ୍ୟାନ୍ୟ ସଂସ୍ଥା ଦ୍ବାରା ସ୍ଥାପନ କରାଯାଉଥିବା Covid Care Centreର ଆହୁରି ଅଧିକ ସଂଖ୍ୟାରେ କରିବା ପାଇଁ ମଧ୍ୟ ସେ ପରାମର୍ଶ ଦେଇଥିଲେ।

ପ୍ଲାଜମାଦାତା ମାନଙ୍କର ମହାନ କାର‌୍ୟ୍ୟକୁ ସ୍ବୀକୃତି ଦେଇ ସେମାନଙ୍କୁ ପ୍ରଶଂସା ପତ୍ର ପ୍ରଦାନ କରିବାପାଇଁ ମୁଖ୍ୟମନ୍ତ୍ରୀ କହିଥିଲେ। ପ୍ଲାଜମା ସଂଗ୍ରହ ଓ ପ୍ରୟୋଗ ପ୍ରଣାଳୀରେ ଆହୁରି ଉନ୍ନତି ଆଣିବା ଉପରେ ସେ ଗୁରୁତ୍ବ ଆରୋପ କରିଥିଲେ । କୋଭିଡ ହସ୍‌ପିଟାଲରେ କାମ କରୁଥିବା କୋଭିଡ ଯୋଦ୍ଧା ଓ ରୋଗୀ ମାନଙ୍କ ସହିତ ସିଧାସଳଖ ଫୋନ୍ ଯୋଗେ ଆଲୋଚନା କରି ସେମାନଙ୍କ ଠାରୁ feedback ସଂଗ୍ରହ କରିବାକୁ ମୁଖ୍ୟମନ୍ତ୍ରୀ ଜିଲ୍ଲା ପର‌୍ୟ୍ୟବେକ୍ଷକ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

ମୁଖ୍ୟମନ୍ତ୍ରୀ କହିଥିଲେ ବର୍ତ୍ତମାନ ସୁଦ୍ଧା ୫ଟି Plasma Therapy Unit ସ୍ଥାପିତ ହୋଇଛି। କୋଭିଡ ରୋଗର ଚିକିତ୍ସା କ୍ଷେତ୍ରରେ Plasma Therapy ଏକ ଉପାଦେୟ ପଦ୍ଧତି ଭାବରେ ପ୍ରମାଣିତ ହୋଇଛି । କୋରାପୁଟ ମେଡିକାଲ କଲେଜରେ ଆଉ ଏକ Plasma Bank କରିବା ପାଇଁ ସେ ନିର୍ଦ୍ଦେଶ ଦେଇଥିଲେ। ଏହା ଆସନ୍ତା ସପ୍ତାହ ସୁଦ୍ଧା ସ୍ଥାପନ କରାଯିବ ବୋଲି ଜଣାଯାଇଛି।

ପରିଶେଷରେ ମୁଖ୍ୟମନ୍ତ୍ରୀ ରାଜ୍ୟରେ ବର୍ଷାଜନିତ ପରିସ୍ଥିତି, କୃଷି କାର୍ଯ୍ୟକ୍ରମ, ଜୀବିକା ସୃଷ୍ଟି କାର୍ଯ୍ୟକ୍ରମ ଏବଂ MSME ସଂପର୍କରେ ବିଭିନ୍ନ ଅଧିକାରୀ ମାନଙ୍କ ସହିତ ଆଲୋଚନା କରିଥିଲେ। କୃଷି କ୍ଷେତ୍ରରେ ସମସ୍ତ କାର‌୍ୟ୍ୟ ଯେପରି ସୂଚାରୁରୂପେ ଜାରି ରହିବ ଓ ଚାଷୀମାନେ କୌଣସି ଅସୁବିଧାର ସମ୍ମୁଖୀନ ନ ହେବେ, ସେଥିପ୍ରତି ଗୁରୁତ୍ବ ଦେବାପାଇଁ ସେ ଅଧିକାରୀମାନଙ୍କୁ ଦୃଢ ନିର୍ଦ୍ଦେଶ ଦେଇଥିଲେ। ରାଜ୍ୟରେ ୟୁରିଆ ସାର ସ୍ଥିତି ସଂପର୍କରେ ମଧ୍ୟ ମୁଖ୍ୟମନ୍ତ୍ରୀ ପଚାରି ବୁଝି ଥିଲେ କରିଥିଲେ।

ବୈଠକରେ ମୁଖ୍ୟ ଶାସନ ସଚିବ ଶ୍ରୀ ଅସିତ ତ୍ରିପାଠୀ କହିଥିଲେ ଯେ ରାଜ୍ୟରେ କୋଭିଡ ମୃତ୍ୟୁ ହାର କମ୍ କରିବା ପାଇଁ Medical Education & Training ନିର୍ଦ୍ଦେଶାଳୟ ଦ୍ବାରା ୭ଟି ମେଡିକାଲ କଲେଜର ପ୍ରଫେସର ମାନଙ୍କୁ ନେଇ Multi Disciplinary Technical Team ଗଠନ କରାଯାଇଛି। ସେମାନେ ଏ କ୍ଷେତ୍ରରେ ଉପଯୁକ୍ତ ପରାମର୍ଶ ଦେଇ କୋଭିଡ ଚିକିତ୍ସାକୁ ଫଳପ୍ରଦ କରିବାପାଇଁ ଉଦ୍ୟମ ଜାରି ରଖିଛନ୍ତି।

ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ପି.କେ ମହାପାତ୍ର ରାଜ୍ୟରେ କୋଭିଡ ମୁକାବିଲା ସଂପର୍କରେ ଏକ ବିସ୍ତୃତ ଉପସ୍ଥାପନା କରିଥିଲେ। ବାଲେଶ୍ବର, ମୟୁରଭଞ୍ଜ ଓ ଭଦ୍ରକର କୋଭିଡ ରୋଗୀମାନଙ୍କ ଚିକିତ୍ସା ପାଇଁ ବାଲେଶ୍ବରରେ ଏକ ପ୍ଲାଜମା Storage Unit ସ୍ଥାପନ କରାଯାଇଛି ବୋଲି ସେ ସୂଚନା ଦେଇଥିଲେ।

ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ସ୍ବତନ୍ତ୍ର ରିଲିଫ କମିଶନର ଶ୍ରୀ ପି.କେ. ଜେନା ମଧ୍ୟ କୋଭିଡ ପରିଚାଳନା ସଂପର୍କରେ ତଥ୍ୟ ପ୍ରଦାନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଉନ୍ନୟନ କମିଶନର, ଗୃହ ବିଭାଗର ପ୍ରମୁଖ ସଚିବ, ଅର୍ଥ ବିଭାଗର ପ୍ରମୁଖ ସଚିବ ଏବଂ ବିଭିନ୍ନ ଜିଲ୍ଲାର ପର୍ଯ୍ୟବେକ୍ଷକମାନେ ଯୋଗ ଦେଇଥିଲେ। ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଶ୍ରୀ ଭି.କେ. ପାଣ୍ଡିଆନ ଆଲୋଚନା ସଂଚାଳନା କରିଥିଲେ।

Categories
ଜାତୀୟ ଖବର ବିଶେଷ ଖବର

କରୋନା ମୁକାବିଲା : ଗଞ୍ଜାମ ଜିଲ୍ଲାକୁ ପଠାଗଲା ସ୍ବତନ୍ତ୍ର ସ୍ବାସ୍ଥ୍ୟ ତଦାରଖ ଦଳ, ବଲାଙ୍ଗିର ଗଲେ ରାପିଡ୍‌ ରେସ୍‌ପନ୍ସ ଟିମ୍‌

ଭୁବନେଶ୍ବର, କରୋନା ଭୂତାଣୁ ରୋଗ (କୋଭିଡ୍‌-୧୯)ର ସଂକ୍ରମଣକୁ ପ୍ରତିହତ କରିବା ନିମନ୍ତେ ଓଡ଼ିଶା ସରକାର ଗ୍ରହଣ କରିଥିବା ବିଭିନ୍ନ ପଦକ୍ଷେପ ଉପରେ ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ଶ୍ରୀ ସୁବ୍ରତ ବାଗ୍‌ଚୀ, ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ଦେଓରଞ୍ଜନ କୁମାର ସିଂ, ସୂଚନା ଓ ଲୋକସଂପର୍କ ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀ ସଂଜୟ କୁମାର ସିଂ ଏବଂ ଏସ୍‌ସିବି ମେଡିକାଲ୍‌ କଲେଜ୍‌, କଟକର ପ୍ରଫେସର ଡାକ୍ତର ଜୟନ୍ତ ପଣ୍ଡା ଆଜି ଅପରାହ୍ନରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ସେଗୁଡିକ ହେଲା

1-ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର ଏବଂ ମୁଖ୍ୟମନ୍ତ୍ରୀଙ୍କ ସଚିବ(୫‘ଟି’) ଶ୍ରୀ ଭି.କେ. ପାଣ୍ଡିଆନ୍‌ ଆଜି ନୟାଗଡ଼ ଜିଲ୍ଲା ଗସ୍ତ କରି କୋଭିଡ୍‌ ହସ୍‌ପିଟାଲ୍‌ ପରିଦର୍ଶନ କରିବା ସହ ଏହାର ପରିଚାଳନାର ସମୀକ୍ଷା କରିଛନ୍ତି ।

2-ଗଞ୍ଜାମ ଜିଲ୍ଲାରେ କୋଭିଡ୍‌-୧୯ ରୋଗୀ ଚିହ୍ନଟ ହେଉଥିବା ଦୃଷ୍ଟିରେ ରଖି ନିର୍ଦ୍ଦେଶକ, ପରିବାର କଲ୍ୟାଣ ଏବଂ ଆର୍‌ଏମ୍‌ଆର୍‌ସିର ବୈଜ୍ଞାନିକଙ୍କୁ ନେଇ ଗଠିତ ଏକ ଟିମ୍‌କୁ ଗଞ୍ଜାମ ଜିଲ୍ଲାକୁ ରୋଗ ନିରୀକ୍ଷଣ, ସଂକ୍ରମଣ ପ୍ରତିରୋଧ ପଦକ୍ଷେପ ସଂପର୍କରେ ତଦାରଖ କରିବା ନିମନ୍ତେ ପଠାଯାଇଛି। ଏହା ସହିତ ଜିଲ୍ଲାରେ ନିରୀକ୍ଷଣ, କଣ୍ଟାକଫ ଟ୍ରେସିଂ ଏବଂ ଚିକିତ୍ସା ପ୍ରସ୍ତୁତିକୁ ସଶକ୍ତ କରିବା ନିମନ୍ତେ ଗୋଟିଏ ଆଶୁ କାର୍ଯ୍ୟାନୁଷ୍ଠାନ ଦଳ(ରାପିଡ୍‌ ରେସ୍‌ପନ୍ସ ଟିମ୍‌) ଗଠନ କରାଯାଇଛି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏ ସଂପର୍କିତ ନିର୍ଦ୍ଦେଶନାମା ଜାରି କରାଯାଇଛି।

3-ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଅନୁରୋଧ କ୍ରମେ ଏମସ୍‌, ଭୁବନେଶ୍ୱରରୁ ଏକ ଆଶୁ କାର୍ଯ୍ୟାନୁଷ୍ଠାନ ଦଳ(ରାପିଡ୍‌ ରେସ୍‌ପନ୍ସ ଟିମ୍‌) ରୋଗ ନିରୀକ୍ଷଣ ଏବଂ ଚିକିତ୍ସା ସେବା ଅନୁଧ୍ୟାନ କରିବା ନିମନ୍ତେ ବଲାଙ୍ଗୀର ଗସ୍ତ କରିଛନ୍ତି।

4-ଗତ ୩ ମଇରୁ ଦେଶର ବିଭିନ୍ନ ରାଜ୍ୟରେ ରହିଥିବା ଓଡ଼ିଆ ଭାଉଭଉଣୀମାନେ ଦୈନିକ ଓଡ଼ିଶା ଫେରୁଛନ୍ତି । ଆଜି ୭୪୫୧ ଜଣ ଓଡ଼ିଆ ଭାଉଭଉଣୀ ଓଡ଼ିଶାରେ ପହଞ୍ଚିଛନ୍ତି । ଏ ପର୍ଯ୍ୟନ୍ତ ବାହାର ରାଜ୍ୟଗୁଡ଼ିକରୁ ଓଡ଼ିଶାକୁ ୩୫,୫୪୦ ଜଣ ଫେରିଛନ୍ତି । ସେମାନେ ବସ୍‌, ଟ୍ରେନ୍‌ ଓ ଅନ୍ୟ ଯାନବାହନରେ ଆସୁଛନ୍ତି।

5-ଓଡ଼ିଶାକୁ ଫେରୁଥିବା ଲୋକମାନଙ୍କ ପାଇଁ ୧୪ ଦିନିଆ କ୍ୱାରାଣ୍ଟାଇନ୍‌ ବାଧ୍ୟତାମୂଳକ । ସହରାଞ୍ଚଳକୁ ଫେରୁଥିବା ଲୋକମାନଙ୍କ ପାଇଁ ହୋମ୍‌ କ୍ୱାରାଣ୍ଟାଇନ୍‌କୁ ପ୍ରାଥମିକତା ଦିଆଯାଇଛି। ଯେଉଁମାନଙ୍କର ହୋମ୍‌ କ୍ୱାରାଣ୍ଟାଇନ୍‌ର ସୁବିଧା ନାହିଁ ସେମାନଙ୍କ ପାଇଁ ପୌର କର୍ତ୍ତୃପକ୍ଷ ଆନୁଷ୍ଠାନିକ କ୍ୱାରାଣ୍ଟାଇନ୍‌ର ବ୍ୟବସ୍ଥା କରିବେ। ଆବଶ୍ୟକ ହେଲେ ସେମାନେ ନିଜ ଖର୍ଚ୍ଚରେ ନିର୍ଦ୍ଧାରିତ ହୋଟେଲ୍‌/ଲଜ୍‌ମାନଙ୍କରେ କ୍ୱାରାଣ୍ଟାଇନ୍‌ରେ ରହିପାରିବେ।

6-ଗ୍ରାମାଞ୍ଚଳକୁ ଫେରୁଥିବା ଲୋକମାନଙ୍କ ପାଇଁ ଆନୁଷ୍ଠାନିକ କ୍ୱାରାଣ୍ଟାଇନ୍‌ ବାଧ୍ୟତାମୂଳକ। କିନ୍ତୁ ଗର୍ଭବତୀ ଓ ପ୍ରସୂତୀ ମହିଳା/ଶିଶୁ/ଛାତ୍ରଛାତ୍ରୀ/ବୃତ୍ତିଜୀବୀ/ତୃତୀୟ ଲିଙ୍ଗ ଓ ଶାରିରୀକ ଓ ମାନସିକ ଭିନ୍ନକ୍ଷମମାନଙ୍କ ପାଇଁ ଆବଶ୍ୟକ ସ୍ଥଳେ ହୋମ୍‌ କ୍ୱାରାଣ୍ଟାଇନ୍‌ ପାଇଁ କର୍ତ୍ତୃପକ୍ଷ ଅନୁମତି ଦେଇପାରିବେ କିମ୍ବା ସେମାନଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରିପାରିବେ। ଏଥି ନିମନ୍ତେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ମାର୍ଗଦର୍ଶିକା ଜାରି କରାଯାଇଛି।

7-କୋଭିଡ୍‌-୧୯ ପରିପ୍ରେକ୍ଷୀରେ ଗ୍ରାମାଞ୍ଚଳରେ ସ୍ୱାସ୍ଥ୍ୟସେବାକୁ ସଶକ୍ତ କରିବା ଉଦ୍ଦେଶ୍ୟରେ ୬୭୯୮ ଗ୍ରାମ ପଞ୍ଚାୟତରେ ପ୍ରାୟ ୧୨,୦୦୦ଟି ଅସ୍ଥାୟୀ ଚିକିତ୍ସା କେନ୍ଦ୍ର ସ୍ଥାପିତ ହୋଇଛି । ଏଥିରେ ପାଖାପାଖି ୫ ଲକ୍ଷ ଶଯ୍ୟାର ବ୍ୟବସ୍ଥା କରାଯାଇଛି।

8-ଗ୍ରାମାଞ୍ଚଳରେ ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରଗୁଡ଼ିକରେ ସମସ୍ତ ମୌଳିକ ସୁବିଧାସୁଯୋଗ ଉପଲବ୍ଧ ହେବା ସହ ସଫେଇ ଓ ସ୍ୱଚ୍ଛତା ଉପରେ ଗୁରୁତ୍ୱ ଦିଆଯାଉଛି। ଏହି କେନ୍ଦ୍ରଗୁଡ଼ିକରେ ମେନୁ ଚାର୍ଟ ଅନୁସାରେ ଉନ୍ନତ ମାନର ଖାଦ୍ୟ ଯୋଗାଇ ଦିଆଯାଉଛି । କେନ୍ଦ୍ରଗୁଡ଼ିକରେ କାର୍ଯ୍ୟରତ ସ୍ୱାସ୍ଥ୍ୟକର୍ମୀ ଏବଂ ଅନ୍ୟାନ୍ୟ ସେବା ପ୍ରଦାନକାରୀ ବ୍ୟକ୍ତିଗତ ସୁରକ୍ଷା ଉପକରଣ (ପିପିଇ) ବ୍ୟବହାର କରୁଛନ୍ତି।

9-ଆଜି ରାଜ୍ୟର ୫୦୪୩ ଗ୍ରାମ ପଞ୍ଚାୟତରେ ୩,୧୩,୦୮୪ ଜଣ ନିରାଶ୍ରୟ ଓ ଅସହାୟ ଲୋକଙ୍କୁ ରନ୍ଧାଖାଦ୍ୟ ଯୋଗାଇ ଦିଆଯାଇଛି । ସେହିପରି ୧୧୪ ଟି ପୌରାଞ୍ଚଳରେ ୩୫,୭୩୨ ଜଣଙ୍କୁ ରନ୍ଧାଖାଦ୍ୟ ଦିଆଯାଇଛି।

10-ରାଜ୍ୟରେ କୋଭିଡ୍‌-୧୯ ନିୟମ ଏବଂ ମାର୍ଗଦର୍ଶିକା ଉଲ୍ଲଂଘନ କରିଥିବା ଅଭିଯୋଗରେ ମଇ ୫ରୁ ମଇ ୬ ତାରିଖ ସକାଳ ପର୍ଯ୍ୟନ୍ତ ୨୪ ଘଣ୍ଟା ମଧ୍ୟରେ ୨୧ଟି ମାମଲା ଦାୟର କରାଯାଇଛି । ସେଥିରୁ ୧୮ଟି ମାମଲା ଲକ୍‌ ଡାଉନ୍‌ ସଂପର୍କିତ ହୋଇଥିବାବେଳେ ୨ଟି ହୋମ୍‌ କ୍ୱାରାଣ୍ଟାଇନ୍‌ ଉଲ୍ଲଂଘନ ପାଇଁ ଏବଂ ୧ଟି ଅନ୍ୟାନ୍ୟ କୋଭିଡ୍‌-୧୯ ସଂପର୍କିତ ଘଟଣା ପାଇଁ ଅଟେ । ବିଭିନ୍ନ ଅଭିଯୋଗରେ ୨୩ ଜଣଙ୍କୁ ଗିରଫ କରାଯାଇଛି ।

Categories
ଜାତୀୟ ଖବର ବିଶେଷ ଖବର

ଓଡିଆ ଫେରନ୍ତାଙ୍କ ପାଇଁ ନବୀନ ପଟ୍ଟନାୟକଙ୍କ ଅଭିନବ କାର୍ଯ୍ୟକ୍ରମ ‘ଅପରେସନ୍ ଶୁଭଯାତ୍ରା’, ଜାଣନ୍ତୁ ଏହା କଣ

ଭୁବନେଶ୍ବର, ଓଡିଶାର ସରକାର କୋଭିଡ ମୁକାବିଲା ପାଇଁ ଯେଉଁ ସବୁ ପଦକ୍ଷେପ ନେଉଛନ୍ତି ତାହା ସାରା ଦେଶ ପାଇଁ ଏକ ଉଦାହରଣ ପାଲଟିଛି। ଅନ୍ୟ ରାଜ୍ୟ ଓଡିଶାର ଏହି ମୁକାବିଲା ପକ୍ରିୟାକୁ ବାଃ ବାଃ କରିବାରେ ଲାଗିଛି। ବିଭିନ୍ନ ପଦକ୍ଷେପ ଭିତରେ ବର୍ତ୍ତମାନ ଆଉ ଏକ ନୂଆ ତଥା ଅଭିନବ କାର୍ଯ୍ୟକ୍ରମ ଲାଗୁ କରିଛନ୍ତି। ଏହାର ନାମ ରହିଛି ‘ଅପରେସନ ଶୁଭଯାତ୍ରା’।

ବାହାର ରାଜ୍ୟରେ ଅଟକି ରହିଥିବା ହଜାର ହଜାର ଓଡିଆମାନଙ୍କୁ ଓଡିଶା ଫେରାଇ ଆଣିବା ପାଇଁ ସରକାର ଏହି ନୂଆ କାର୍ଯ୍ୟକ୍ରମ ଲାଗୁ କରିଛନ୍ତି ବୋଲି ମୁଖ୍ୟମନ୍ତ୍ରୀଙ୍କ ପ୍ରଯୁକ୍ତିବିଦ୍ୟା ଓଏସଡି ଭାବେ କାର୍ଯ୍ୟ କରୁଥିବା ମନୋଜ ମିଶ୍ର କହିଛନ୍ତି। ଏଥିରେ ବିଭିନ୍ନ ରାଜ୍ୟରୁ ଟ୍ରେନ ଯୋଗେ ଓଡିଆମାନଙ୍କୁ ଆଣିବା ପାଇଁ ଲାଗୁ କରାଯାଇଛି। ପ୍ରଥମ ପର୍ଯ୍ୟାୟରେ କେରଳରୁ ଏହି ଅପରେସନ ଶୁଭଯାତ୍ରା ଆରମ୍ଭ କରାଯାଇଛି। କେରଳରୁ ଶୁକ୍ରବାର ଦିନ 11ଶହ 50 ଜଣ ଓଡିଆ ଏକ ସ୍ବତନ୍ତ୍ର ଟ୍ରେନରେ ଯାତ୍ରା କରିଛନ୍ତି। ଏହି ଟ୍ରେନଟି ରବିବାର ଦିନ ଓଡିଶାରେ ପହଁଚିବ।

ନବୀନ ସରକାରଙ୍କ ଏହି ଅପରେସନ ଶୁଭଯାତ୍ରା କଣ ?

କରୋନା ଭାଇରସ ଯୋଗୁଁ ବିଭିନ୍ନ ରାଜ୍ୟରେ ହଜାର ହଜାର ଓଡିଆ ଫସି ରହିଛନ୍ତି। ବିଶେଷ କରି କେରଳ, ତାମିଲନାଡୁ, ଗୁଜୁରାଟ, ମୁମ୍ବାଇ ଏବଂ ଆନ୍ଧ୍ର ପ୍ରଦେଶରେ ଏମାନେ ଫସି ରହିଛନ୍ତି। ଏହି ଓଡିଆମାନଙ୍କୁ ରାଜ୍ୟକୁ ତଥା ତାଙ୍କ ଘରକୁ ଫେରାଇ ଆଣିବା ପାଇଁ ନବୀନ ସରକାର ଏହି କାର୍ଯ୍ୟକ୍ରମ ‘ଅପରେସନ ଶୁଭଯାତ୍ରା’ ଲାଗୁ କରିଛନ୍ତି।

କାର୍ଯ୍ୟକ୍ରମ  ଅନୁସାରେ ରାଜ୍ୟ ସରକାର ରେଳ ବିଭାଗ ସହିତ ବୁଝାମଣା କରି ଓଡିଆଙ୍କୁ ଫେରାଇ ଆଣିବା ପାଇଁ କେତେକ ସ୍ବତନ୍ତ୍ର ଟ୍ରେନର ବ୍ୟବସ୍ଥା କରିଛନ୍ତି। ଏହି ଟ୍ରେନଗୁଡିକ ବିଭିନ୍ନ ରାଜ୍ୟରୁ ବାହାରିବ ବୋଲି ନିଷ୍ପତି କରାଯାଇଛି। ସେହି ଅନୁସାରେ ଶୁକ୍ରବାର ଦିନ କେରଳରୁ ଅପେରସନ ଶୁଭଯାତ୍ରାର ପ୍ରଥମ ଟ୍ରେନଟି ଯାତ୍ରା ଆରମ୍ଭ କରିଛି। ଏହି ଟ୍ରେନରେ 23ଟି ଜିଲ୍ଲାର 11 ଶହ 50 ଜଣ ଯାତ୍ରୀ ଯାତ୍ରା ଆରମ୍ଭ କରିଛନ୍ତି। ଏଥିରେ ସର୍ବାଧିକ କନ୍ଧମାଳ ଜିଲ୍ଲାର 382 ଜଣ ଯାତ୍ରୀ ଅଛନ୍ତି।

ତେବେ ଏହି ଯାତ୍ରୀମାନେ ଓଡିଶା ଫେରିବା ପାଇଁ ପୂର୍ବରୁ ଓଡିଶା ସରକାରଙ୍କ ତରଫରୁ କେରଳ ପ୍ରଶାସନକୁ ଅବଗତ କରାଯାଇ ଆଲୋଚନା କରିଥିଲେ। ଖୋଦ ମୁଖ୍ୟମନ୍ତ୍ରୀ କେରଳ ମୁଖ୍ୟମନ୍ତ୍ରୀଙ୍କ ସହିତ ଆଲୋଚନା କରିଥିଲେ। ସେହି ଅନୁସାରେ କେରଳ ପ୍ରଶାସନ କେଉଁ ଓଡିଆ କେଉଁ କେଉଁ ସ୍ଥାନରେ ରହିଛନ୍ତି ତାହାର ଏକ ତାଲିକା ପ୍ରସ୍ତୁତ କରିଥିଲେ।

ସେହି ତାଲିକା ଅନୁସାରେ ବିଭିନ୍ନ ସ୍ଥାନରେ ଥିବା ଓଡିଆମାନଙ୍କୁ କେରଳ ପ୍ରଶାସନ ତରଫରୁ ଗାଡି ବନ୍ଦୋବସ୍ତ କରାଯାଇ ଷ୍ଟେସନ ନିକଟକୁ ଅଣାଯାଇଥିଲା। ତେବେ ଟ୍ରେନରେ ବସିବା ପୂର୍ବରୁ ଅପରେସନ ଶୁଭଯାତ୍ରା ନିୟମ ଅନୁସାରେ ସେଠାରେ ସମସ୍ତଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଥିଲେ। ସ୍ବାସ୍ଥ୍ୟ ଠିକ ଥିବାର ଜଣାପଡିବା ପରେ ସେମାନଙ୍କୁ ଗୋଟିଏ ଗୋଟିଏ ମେଡିକାଲ ସାର୍ଟିଫିକେଟ କେରଳ ପ୍ରଶାସନ ଦ୍ବାରା ପ୍ରଦାନ କରାଯାଇଛି।

ସେତିକି ନୁହେଁ ଏହି ଫେରନ୍ତାଙ୍କ ସଂପୂର୍ଣ୍ଣ ବିବରଣୀ ଏପରିକି ସେମାନେ କେଉଁ ଜିଲ୍ଲାର, କେଉଁଠି କି ଯିବେ, ତାଙ୍କର ଓଡିଶାରେ ସଂପର୍କିୟଙ୍କ ବିବରଣୀ, ସେମାନଙ୍କର ଫୋନ ନମ୍ବର ପ୍ରଭୃତି ସଂଗ୍ରହ କରାଯାଇଛି। କେରଳ ସରକାରଙ୍କ ତାଲିକା ଅନୁସାରେ ସମସ୍ତ ଯାତ୍ରୀ ଷ୍ଟେସନକୁ ଆସିଲେ କି ନାହିଁ ତାହା ଚେକିଂ କରାଯାଇ ଟ୍ରେନରେ ବସିବାକୁ ଅନୁମତି ଦିଆଯାଇଥିଲା। ଏହାପରେ କେରଳ ଷ୍ଟେସନରୁ ଟ୍ରେନ ଓଡିଶା ଅଭିମୁଖେ ବାହାରିଛି। ଷ୍ଟେସନରୁ ବାହାରିବା ବେଳେ ସେମାନଙ୍କୁ କେରଳ ସରକାରଙ୍କ ତରଫରୁ ଖାଦ୍ୟ ପୁଡିଆ, ପାଣି ବୋତଲ ପ୍ରଭୃତି ଜରୁରୀ ସାମଗ୍ରୀ ମଧ୍ୟ ପ୍ରଦାନ କରାଯାଇଛି। ଏପରିକି ରେଳ ବିଭାଗ ତରଫରୁ ସେମାନଙ୍କୁ ରାସ୍ତାରେ ଦୁବୁଡା ଷ୍ଟେସନରେ ରାତ୍ରୀ ଭୋଜନ ଦେବା ପାଇଁ ମଧ୍ୟ ବନ୍ଦୋବସ୍ତ କରାଯାଇଛି।

ଓଡିଶାରେ ପହଁଚିବା ପରେ ଯାତ୍ରୀମାନଙ୍କୁ କିପରି ପଠାଯିବ

ଏହି ସ୍ବତନ୍ତ୍ର ଟ୍ରେନଟି ରବିବାର ଦିନ ଓଡିଶାରେ ପହଁଚିବା ପରେ ଦୁଇଟି ଷ୍ଟେସନରେ ରହିବାର ବ୍ୟବସ୍ଥା କରାଯାଇଛି। ସେହି ଦୁଇଟି ଷ୍ଟେସନ ହେଲା ବ୍ରହ୍ମପୁର ନିକଟସ୍ଥ ଜଗନ୍ନାଥପୁର ଷ୍ଟେସନ ଏବଂ ଖୋର୍ଦ୍ଧାରୋଡ୍। ଏହି ଦୁଇଟି ଷ୍ଟେସନରେ ରାଜ୍ୟ ସରକାରଙ୍କ ତରଫରୁ ସ୍ବାଗତ କରିବା ପାଇଁ ବ୍ୟବସ୍ଥା କରାଯାଇଛି।

ସେଥିପାଇଁ ଗୃହ ବିଭାଗ ସଚିବ ସଂଜୀବ ଚୋପ୍ରାଙ୍କୁ ଏହାର ନୋଡାଲ ଅଫିସର ଭାବେ ନିଯୁକ୍ତି ଦିଆଯାଇଛି। ତାଙ୍କ ନେତୃତ୍ୟରେ 12 ଟି ଟିମ ଗଠନ କରାଯାଇଛି। ଏଥିରେ ପୋଲିସ, ଜିଲ୍ଲା ପ୍ରଶାସନ, ସ୍ବାସ୍ଥ୍ୟ କର୍ମି ପ୍ରମୁଖ ସଦସ୍ୟ ଅଛନ୍ତି। ଏମାନେ ଷ୍ଟେସନରେ ଉପସ୍ଥିତ ରହି ଯାତ୍ରୀମାନଙ୍କୁ ସ୍ବାଗତ କରିବା ସହିତ ଗନ୍ତବ୍ୟ ସ୍ଥଳକୁ ପଠାଇବାର ବ୍ୟବସ୍ଥା କରିବେ।

ପ୍ରଥମ ଷ୍ଟେସନ ଭାବ ଜଗନ୍ନାଥପୁରରେ କେତେ ଯାତ୍ରୀ ଓହ୍ଲାଇବେ ତାହାର ବିବରଣୀ ପ୍ରଶାସନ ପାଖରେ ରହିଛି। ଏହି ଲୋକମାନେ କେଉଁ କେଉଁ ସ୍ଥାନକୁ ଯିବେ ତାହାର ବିବରଣୀ ମଧ୍ୟ ରଖାଯାଇଛି। ସେହି ଅନୁସାରେ ସେମାନଙ୍କୁ ତାଙ୍କ ଗନ୍ତବ୍ୟ ସ୍ଥଳରେ ପହଁଚାଇବା ପାଇଁ ପ୍ରଶାସନ ତରଫରୁ ଗାଡିର ବନ୍ଦୋବସ୍ତ ମଧ୍ୟ କରାଯାଇଛି।

ସେମାନେ ଓହ୍ଲାଇବା ପରେ ସମସ୍ତଙ୍କୁ ନିଜ ନିଜ ଅଞ୍ଚଳ ବା ପଞ୍ଚାୟତରେ କରାଯାଇଥିବା କ୍ବାରଣ୍ଟାଇନ କେନ୍ଦ୍ରରେ ରଖାଯିବାର ବନ୍ଦୋବସ୍ତ କରାଯାଇଛି। ସେଠାରେ ସେମାନଙ୍କୁ 14 ଦିନ ପର୍ଯ୍ୟନ୍ତ ରହିବାକୁ ବାଧ୍ୟ କରାଯାଇଛି। ସେଥିପାଇଁ ସମସ୍ତ ରହଣି ବ୍ୟବସ୍ଥା ରାଜ୍ୟ ସରକାରଙ୍କ ତରଫରୁ କରାଯାଇଛି।

ଏହି ସ୍ବତନ୍ତ୍ର ଟ୍ରେନ ଆସିବା ସମୟରେ ଷ୍ଟେସନ ଭିତରକୁ ବାହାର ଲୋକଙ୍କୁ ଛଡା ଯିବ ନାହିଁ। ସେଥିପାଇଁ ପୋଲିସ ତରଫରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି। କେବଳ ସେହି କାମ ପାଇଁ ନିଯୁକ୍ତ ହୋଇଥିବା ସରକାରୀ କର୍ମଚାରୀମାନଙ୍କୁ ଭିତରକୁ ଯିବା ପାଇଁ ଅନୁମତି ଦିଆଯାଇଛି।

କେରଳ ପରେ ଏହି ଅପରେସନ ଶୁଭଯାତ୍ରାରେ ଶନିବାର ଦିନ ସୁରଟରୁ ଆଉ ଏକ ଟ୍ରେନ ଓଡିଶା ଅଭିମୁଖେ ଯାତ୍ରା କରିବ। ଏହି ଟ୍ରେନଟି ବ୍ରହ୍ମପୁରର ଜଗନ୍ନାଥପୁର ଷ୍ଟେସନରେ ରହିବାର ବ୍ୟବସ୍ଥା କରାଯାଇଛି। ବର୍ତ୍ତମାନ କେରଳରୁ ଯେଉଁ 11ଶହ 50 ଜଣ ଆସୁଛନ୍ତି ସେମାନେ ସମସ୍ତେ ରାଜ୍ୟ ସରକାରଙ୍କ ତରଫରୁ ଜାରୀ କରାଯାଇଥି ପୋର୍ଟାଲରେ ମଧ୍ୟ ପଂଜିକୃତ କରିଛନ୍ତି।

ରାଜ୍ୟ ସରକାରଙ୍କ ଏହି ଅପରେସନ ଶୁଭଯାତ୍ରା ଏକ ଜାତୀୟ ମଡେଲ ଭାବେ ବିବେଚନା କରାଯାଇଛି। ଅନ୍ୟ ରାଜ୍ୟ ସରକାର ଏହାକୁ ଅନୁସରଣ କରିବା ପାଇଁ ମୁଖ୍ୟ ଶାସନ ସଚିବ ଅସିତ୍ ତ୍ରିପାଠୀ ଏହାର ଏକ ନକଲ ମଧ୍ୟ ପ୍ରଦାନ କରିଛନ୍ତି।

ଏତେ ସଂଖ୍ୟକ ଲୋକଙ୍କୁ କିପିର ନିୟନ୍ତ୍ରଣ କରାଯିବ ସେ ନେଇ ସମସ୍ତେ ଚିନ୍ତାରେ ଥିଲେ। ହେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏହି ଅପରେସନ ଶୁଭଯାତ୍ରା କାର୍ଯ୍ୟକ୍ରମ ସେହି ଦ୍ବନ୍ଦକୁ ଦୂରେଇ ଦେଇଛି। ଏହାଦ୍ବାରା ଓଡିଆ ଫେରନ୍ତାଙ୍କ ପରିବାର ନବୀନ ସରକାରଙ୍କ ଏପରି ପଦକ୍ଷେପ ଦ୍ବାରା ଆସ୍ବସ୍ଥି ପ୍ରକାଶ ମଧ୍ୟ କରିଛନ୍ତି।

Categories
ଜାତୀୟ ଖବର ବିଶେଷ ଖବର

ବାହାରେ ଥିବା ପ୍ରାୟ ପାଞ୍ଚ ଲକ୍ଷ ଓଡିଆମାନେ ପଂଜିକରଣ କରି ସାରିଲେଣି, ଆଉ କଣ ରହିଛି କରୋନାର ତାଜା ସୂଚନା

ଭୁବନେଶ୍ବର, କରୋନା ଭୂତାଣୁ ରୋଗ (କୋଭିଡ୍‌-୧୯)ର ସଂକ୍ରମଣକୁ ପ୍ରତିହତ କରିବା ନିମନ୍ତେ ଓଡ଼ିଶା ସରକାର ଗ୍ରହଣ କରିଥିବା ବିଭିନ୍ନ ପଦକ୍ଷେପ ଉପରେ ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ଶ୍ରୀ ସୁବ୍ରତ ବାଗ୍‌ଚୀ ଏବଂ ସୂଚନା ଓ ଲୋକସଂପର୍କ ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀ ସଂଜୟ କୁମାର ସିଂ ଆଜି ଅପରାହ୍ନରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।ତାହା ହେଲା

1- ଆଜି ଏକ ଭିଡ଼ିଓ କନ୍‌ଫରେନ୍ସ ଜରିଆରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ସହିତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଲୋଚନା କରି ଛାତ୍ର, ଶ୍ରମଜୀବୀ, ତୀର୍ଥଯାତ୍ରୀ, ରୋଗୀ ଓ ବୃତ୍ତିଜୀବୀମାନଙ୍କ ସମେତ ଅଟକି ରହିଥିବା ସମସ୍ତ ଲୋକଙ୍କର ସହଜ ଯାତାୟତ ପାଇଁ ଏକ ଜାତୀୟ ସ୍ତରୀୟ ନୀତି ନିର୍ଦ୍ଧାରଣ କରିବା ପାଇଁ ପ୍ରସ୍ତାବ ଦେଇଛନ୍ତି । ବିଭିନ୍ନ ରାଜ୍ୟରେ ଅଟକି ରହିଥିବା ଶ୍ରମଜୀବୀମାନଙ୍କର ଉପଯୁକ୍ତ ଯନି ନେବା ପାଇଁ ସଂପୃକ୍ତ ରାଜ୍ୟଗୁଡ଼ିକୁ ନିର୍ଦ୍ଦେଶ ଦେବା ନିମନ୍ତେ ମଧ୍ୟ ସେ ପ୍ରସ୍ତାବ ଦେଇଛନ୍ତି । ଅନୁରୂପ ଭାବରେ କୋଭିଡ୍‌-୧୯ ପରୀକ୍ଷଣ ସୁବିଧା ବୃଦ୍ଧି କରିବା ଉପରେ ମଧ୍ୟ ମାନ୍ୟବର ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେଇଛନ୍ତି ।

2- ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ‘ଆମକୁ ପରାହତ କରିବା ନିମନ୍ତେ ଅନେକ ପ୍ରାକୃତିକ ବିପର୍ଯ୍ୟୟ ଆସିଛି । କିନ୍ତୁ ଓଡ଼ିଆ ଜାତି କେବେ ବି ଭାଙ୍ଗି ପଡ଼ିନି କି ଆମେ କେବେ ବି ପରାଜିତ ହେବା ନାହିଁ । ଆମ ଧୈର୍ଯ୍ୟ, ଆମ ତ୍ୟାଗ ବଳରେ ଆସିବ ଏକ ନୂଆ ସକାଳ ଏବଂ ଓଡ଼ିଶା ପୁଣି ଥରେ ହସି ଉଠିବ।’

3-କାର୍ଯ୍ୟରତ ସାମ୍ବାଦିକମାନେ ଯଦି କରୋନାରେ ଆକ୍ରାନ୍ତ ହୋଇ ମୃତୁ୍ୟବରଣ କରନ୍ତି ତେବେ ସେ କ୍ଷେତ୍ରରେ ସେମାନଙ୍କ ପରିବାରକୁ ୧୫ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ପ୍ରଦାନ କରାଯିବ ବୋଲି ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି । କରୋନା ଯୋଗୁଁ ସାରା ବିଶ୍ୱରେ ଏକ ବିରାଟ ସ୍ୱାସ୍ଥ୍ୟ ସମସ୍ୟା ଦେଖାଦେଇଛି । କରୋନା ଭୂତାଣୁ ସଂପର୍କରେ ଜନସଚେତନତା ସୃଷ୍ଟି କରିବା ସହ ଏଭଳି କଠିନ ପରିସ୍ଥିତିରେ ମଧ୍ୟ ସାମ୍ବାଦିକମାନେ ନିଷ୍ଠାର ସହିତ ସେମାନଙ୍କ ଦାୟିତ୍ୱ ନିର୍ବାହ କରିଚାଲିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିଛନ୍ତି ।

4- ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ ଲକ୍‌ ଡାଉନ୍‌ ନିୟମ ମାନି ବ୍ୟାପକ ସାମାଜିକ ସଚେତନତା ଓ ସ୍ୱଚ୍ଛତା ଅଭ୍ୟାସ ଦ୍ୱାରା ଆଗକୁ ବଢ଼ିଲେ ହିଁ କରୋନା ସଂକ୍ରମଣକୁ ପ୍ରତିରୋଧ କରାଯାଇ ପାରିବ । ଜଣେ ଦାୟିତ୍ୱବାନ ସ୍ବେଚ୍ଛାସେବୀ ଭାବେ ଓଡ଼ିଶା ସରକାରଙ୍କ ପ୍ରୟାସରେ ସାମିଲ ହୋଇ କୋଭିଡ୍‌ ସଂଗ୍ରାମୀ ଭାବେ ନିଜ ବହୁମୂଲ୍ୟ ଯୋଗଦାନ ଦେବା ନିମନ୍ତେ ପଞ୍ଜୀକୃତ ହେବା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଓଡ଼ିଶାର ଜନସାଧାରଣଙ୍କୁ ଆହ୍ୱାନ ଜଣାଇଛନ୍ତି ।

5-କୋଭିଡ୍‌-୧୯ ଚିକିତ୍ସା ସେବାକୁ ରାଜ୍ୟର ସବୁ ଜିଲ୍ଲାକୁ ସଂପ୍ରସାରିତ କରିବା ଉଦ୍ଦେଶ୍ୟରେ ନୂଆପଡ଼ା ଜିଲ୍ଲାରେ ୨୦୦ ଶଯ୍ୟା ବିଶିଷ୍ଟ ସ୍ୱତନ୍ତ୍ର କୋଭିଡ୍‌ ହସ୍‌ପିଟାଲ୍‌ କାର୍ଯ୍ୟକ୍ଷମ ହୋଇଛି। ଏହାକୁ ମିଶାଇ ରାଜ୍ୟରେ ସ୍ୱତନ୍ତ୍ର କୋଭିଡ୍‌ ହସ୍‌ପିଟାଲ୍‌ ସଂଖ୍ୟା ୩୪ ହେବା ସହ ସମୁଦାୟ ଶଯ୍ୟା ସଂଖ୍ୟା ୫୬୭୬କୁ ବୃଦ୍ଧିପାଇଛି ।

6-ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ପକ୍ଷରୁ ପ୍ରବାସୀ ଓଡ଼ିଆମାନଙ୍କୁ କ୍ୱରାଣ୍ଟାଇନ୍‌ରେ ରଖିବା ନିମନ୍ତେ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି । ଏ ପର୍ଯ୍ୟନ୍ତ ୨ ଲକ୍ଷ ୨୭ ହଜାର ଶଯ୍ୟା ସମ୍ବଳିତ ୭୧୦୨ଟି ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ର ପ୍ରସ୍ତୁତ କରାଯାଇଛି।

7-ଓଡ଼ିଶା ସରକାର ପ୍ରବାସୀ ଓଡ଼ିଆମାନଙ୍କ ପଂଜୀକରଣ ନିମନ୍ତେ ପୋର୍ଟାଲ ଆରମ୍ଭ କରିଛନ୍ତି। ତାହା ହେଲା https://covid19.odisha.gov.in । ଏଥି ପାଇଁ ୬୭୯୮ ଜଣ ଗ୍ରାମପଞ୍ଚାୟତ ନୋଡାଲ ଅଧିକାରୀ ଏବଂ ସମସ୍ତ ବିଡ଼ିଓଙ୍କୁ ପଂଜୀକରଣ ପ୍ରକି୍ରୟା ବାବଦରେ ତାଲିମ ପ୍ରଦାନ କରାଯାଇଛି । ବର୍ତ୍ତମାନ ସୁଦ୍ଧା ୪ ଲକ୍ଷ ୮୬ ହଜାର ଲୋକ ଏହି ପୋର୍ଟାଲ୍‌ରେ ପଂଜୀକରଣ କରିସାରିଛନ୍ତି ।

8-ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କୁ ନିୟୋଜିତ କରି ଓର୍‌ମାସ୍‌ ଜରିଆରେ ମାସ୍କ ପ୍ରସ୍ତୁତି ଓ ବିତରଣ କରାଯାଉଛି । ରାଜ୍ୟ ଗ୍ରାମ୍ୟ ଉନ୍ନୟନ ପ୍ରତିଷ୍ଠାନ(ଏସ୍‌ଆଇଆର୍‌ଡି), ଭୁବନେଶ୍ୱରଠାରେ ଗୋଟିଏ ବିକ୍ରୟ କେନ୍ଦ୍ର ଖୋଲାଯାଇଛି । ଗୋଟିଏ ଭ୍ରାମ୍ୟମାଣ ଯାନ ସହିତ ୨୦ଟି ମେଡିକାଲ୍‌ ଷ୍ଟୋରରେ ଏହିସବୁ ମାସ୍କ ବିକ୍ରୟ ପାଇଁ ଉପଲବ୍ଧ ହେଉଛି । ଗତ ୧୯ ଅପ୍ରେଲ୍‌ଠାରୁ ଏ ପର୍ଯ୍ୟନ୍ତ ୧୨,୧୦୦ଟି ମାସ୍କ ବିକ୍ରି ହୋଇସାରିଛି । ସୂଚନାଯୋଗ୍ୟ ଯେ ଏ ପର୍ଯ୍ୟନ୍ତ ୨୦୮ଟି ସ୍ୱୟଂ ସହାୟକ ଗୋଷ୍ଠୀ/ ଉତ୍ପାଦକ ଗୋଷ୍ଠୀ ଏ ପର୍ଯ୍ୟନ୍ତ ୧୯ ଲକ୍ଷ ୫୨ ହଜାର ମାସ୍କ ପ୍ରସ୍ତୁତ କରି ଲୋକଙ୍କୁ ଯୋଗାଇ ଦେଇଛନ୍ତି ।

9-ବର୍ତ୍ତମାନ କଠିନ ପରିସ୍ଥିତିରେ ଲୋକମାନଙ୍କୁ କର୍ମନିୟୋଜନ ଯୋଗାଇ ଦେଇ ସେମାନଙ୍କ ଜୀବିକାକୁ ସୁରକ୍ଷିତ କରିବା ଉଦ୍ଦେଶ୍ୟରେ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ପକ୍ଷରୁ ମନରେଗା ଯୋଜନାକୁ ତ୍ୱରାନ୍ୱିତ କରାଯାଇଛି । ଆଜି ସୁଦ୍ଧା ଦୈନିକ ୪ ଲକ୍ଷ ଶ୍ରମଦିବସ ସୃଷ୍ଟି କରାଯାଇଛି ।

10-ଆଜି ରାଜ୍ୟର ୫୫୩୬ ଗ୍ରାମ ପଞ୍ଚାୟତରେ ୩,୫୩,୩୦୬ ଜଣ ନିରାଶ୍ରୟ ଓ ଅସହାୟ ଲୋକଙ୍କୁ ରନ୍ଧାଖାଦ୍ୟ ଯୋଗାଇ ଦିଆଯାଇଛି । ସେହିପରି ୧୧୪ ଟି ପୌରାଞ୍ଚଳରେ ୪୨,୧୮୬ ଜଣଙ୍କୁ ରନ୍ଧାଖାଦ୍ୟ ଦିଆଯାଇଛି ।

11-ରାଜ୍ୟରେ କୋଭିଡ୍‌-୧୯ ନିୟମ ଏବଂ ମାର୍ଗଦର୍ଶିକା ଉଲ୍ଲଂଘନ କରିଥିବା ଅଭିଯୋଗରେ ଅପ୍ରେଲ ୨୬ରୁ ଅପ୍ରେଲ ୨୭ ତାରିଖ ସକାଳ ପର୍ଯ୍ୟନ୍ତ ୨୪ ଘଣ୍ଟା ମଧ୍ୟରେ ୫୫ଟି ମାମଲା ଦାୟର କରାଯାଇଛି । ସେଥିରୁ ୫୧ଟି ମାମଲା ଲକ୍‌ ଡାଉନ୍‌ ସଂପର୍କିତ ହୋଇଥିବାବେଳେ ୪ଟି ଅନ୍ୟାନ୍ୟ କାରଣ ପାଇଁ ଅଟେ । ବିଭିନ୍ନ ଅଭିଯୋଗରେ ୫୫ ଜଣଙ୍କୁ ଗିରଫ କରାଯାଇଛି ।

Categories
ଆଜିର ଖବର ରାଜ୍ୟ ଖବର

ଆଜି ରାଜ୍ୟରେ ଆଉ ଦୁଇ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ବର, ଆଜି ରାଜ୍ୟରେ ଆଉ ଦୁଇ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାର ସୂଚନା ମିଳିଛି। ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୫୦ରେ ପହଞ୍ଚିଥିବା ବେଳେ ୧୨ ଜଣ ଆରୋଗ୍ୟ ଲାଭ କରିଛନ୍ତି। ଜଣଙ୍କର ମୃତ୍ୟୁ ହୋଇଛି। ବର୍ତ୍ତମାନ ରାଜ୍ୟରେ ୩୭ ଜଣ ଆକ୍ରାନ୍ତଙ୍କର ଚିକିତ୍ସା ଚାଲିଛି। ଆଜି ମୋଟ ୨୯୮ଟି ନମୂନା ପରୀକ୍ଷା ହୋଇଥିଲା। ତହିଁରୁ ୨୯୬ ନେଗେଟିଭ ଥିବା ବେଳେ ୨ ଟି ପୋଜିଟିଭ ଚିହ୍ନିତ ହୋଇଛି। ଏ ଯାବତ ରାଜ୍ୟରେ ସର୍ବମୋଟ ୩୪୯୭ ନମୂନା ପରୀକ୍ଷା ହୋଇଛି। ତେବେ ଏହି ନୂଆ ଆକ୍ରାନ୍ତଙ୍କ ସଂପର୍କରେ ରାଜ୍ୟ ସରକାରଙ୍କ ତରଫରୁ କୌଣସି ସୂଚନା ଦିଆଯାଇ ନାହିଁ।