Categories
ବିଶେଷ ଖବର ରାଜ୍ୟ ଖବର

ଫୁଲୁଛି ମହାନଦୀ, ସଂଧ୍ୟାକୁ ପଶିବ ୯ ଲକ୍ଷ କ୍ୟୁସେକ ଜଳ, ଆଜି ରାତି ବଡ ଗୁରୁତ୍ୱପୂର୍ଣ୍ଣ

ଭୁବନେଶ୍ବର: ଆଜି ପ୍ରାୟତଃ ବର୍ଷାର ପରିମାଣ କମ ଥିବାରୁ ବିଭିନ୍ନ ନଦୀର ଜଳ ସ୍ତର ହ୍ରାସ ପାଇବାରେ ଲାଗିଛି। ହେଲେ ମହାନଦୀର ଉପରି ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ଏହି ନଦୀ ଫୁଲିବାରେ ଲାଗିଛି। ଗତକାଲି ବରମୁଳଠାରେ ପ୍ରଚୁର ବର୍ଷା ହୋଇଛି, ହେଲେ ବରମୁଳରେ ପାଣି କମିଥିବାର ଜଣାପଡିଛି। ତେବେ ବର୍ତମାନ ମହାନଦୀର ମୁଣ୍ଡୁଳିଠାରେ ୮ ଲକ୍ଷ ୨୮ ହଜାର କ୍ୟୁସେକ ଜଳ ପ୍ରଭାହିତ ହେଉଛି। ଏହା ବଢ଼ି ଆଜି ସନ୍ଧ୍ୟା ସୁଦ୍ଧା ୯ ଲକ୍ଷରୁ ୯ ଲକ୍ଷ ୫୦ ହଜାର କ୍ୟୁସେକ ଜଳ ମୁଣ୍ଡୁଳି ଠାରେ ପ୍ରବାହିତ ହେବ। ମହାନଦୀ ପାଇଁ ଆଜି ରାତି ବଡ ଗୁରୁତ୍ୱପୂର୍ଣ୍ଣ।

ବିପଦ ସଂକେତ ଉପରେ ଥିବା ବୈତରଣୀର ଜଳସ୍ତର ଆଖୁଆପଦା ଓ ଆନନ୍ଦପୁରଠାରେ କମିବାକୁ ଲାଗିଲାଣି। ତେବେ ବର୍ତ୍ତମାନ ସୁଦ୍ଧା କିଛି ବଡ଼ ଅଘଟଣ ହୋଇନି ବୋଲି ଜଳ ସଂପଦ ବିଭାଗ ତରଫରୁ କୁହାଯାଇଛି। ଆଜି ସକାଳେ ବ୍ରାହ୍ମଣୀର ଜଳସ୍ତର ଜେନାପୁରଠାରେ ବଢିବାକୁ ଲାଗିଛି। ହେଲେ ବିପଦ ସଂକେତ ତଳେ ଅଛି। କାଣୀ ନଦୀରେ ସାମାନ୍ୟ ଘାଇ ହୋଇଥିବାରୁ ତାକୁ ବଦଳା ଦିଆଯିବ ବୋଲି ଜଳସଂପଦ ବିଭାଗ କହିଛି।

ଅନ୍ୟ କେଉଁଠୁ ନଦୀବନ୍ଧ ଭାଙ୍ଗିବା ପରିସ୍ଥିତି ଉପୁଜିନି। ତେବେ ବର୍ତ୍ତମାନର ସ୍ଥିତି ଯାହା ଏବେ ବଡ଼ ଧରଣର ବନ୍ୟା ହେବ ନାହିଁ ବୋଲି ଅନୁମାନ କରାଯାଇଛି। ଏହା ଛୋଟରୁ ମଧ୍ୟମ ଧରଣର ବନ୍ୟା ହେବ ବୋଲି ସରକାର ଅନୁମାନ କରିଛନ୍ତି। ଏସଆରସି ଅଫିସରୁ ସବୁ ଜିଲ୍ଲପାଳମାନଙ୍କୁ ଆଲର୍ଟ କରାଯାଇଛି। ଆଜି ସକାଳ ୬ଟାରେ ଏସଆରସି ବୈଠକ ନେଇଥିଲେ। ନୟାଗଡ, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ପୁରୀ, ଖୋର୍ଦ୍ଧା ଜିଲ୍ଲାପାଳ ଓ ଜଳ ସମ୍ପଦ ବିଭାଗର ଅଧିକାରୀମାନଙ୍କୁ ସଜାଗ ରଖାଯାଇଛି। ଆଜି ରାତିଟା ହେଉଛି ଗୁରୁତ୍ୱପୂର୍ଣ୍ଣ। କାରଣ ରାତିରେ ବନ୍ୟା ଜଳ ପ୍ରଭାହିତ ହେବ।

ଜଗତସିଂହପୁର, ପୁରୀ, କେନ୍ଦ୍ରାପଡ଼ା ଜିଲ୍ଲାରେ ଆସନ୍ତାକାଲି ସକାଳେ ବନ୍ୟା ଜଳ ପ୍ରଭାହିତ ହେବ। ତେଣୁ ବରିଷ୍ଠ ଅଧିକାରୀମାନଙ୍କୁ ସେଠାକୁ ପଠାଯାଇଛି।  ବଂଶଧାରାରେ କିଛି ବିପଦ ନାହିଁ। ବରମୁଳ ଠାରେ ଅଧିକ ବର୍ଷା ହୋଇଥିବାରୁ ନୟାଗଡ଼ର ଗଣିଆ, କଟକର ବାଙ୍କୀର ତଳିଆ ଅଂଚଳର ଅଧିକ ପ୍ରଭାବିତ ହୋଇଛି।

ହୀରାକୁଦ ଉପରମୁଣ୍ଡରେ ଅଧିକ ବର୍ଷା ହୋଇଛି। ସେଠାରେ ୯୦ ରୁ ୧୦୦ ମିମି ବର୍ଷା ହୋଇଥିବାର ଜଣାପଡିଛି। ସୁନ୍ଦରଗଡ଼ର ଇବ ଓ ଭେଡେନରେ ପ୍ରଚୁର ବର୍ଷା ହୋଇଛି। ହେଲେ ହୀରାକୁଦରେ ଜଳସ୍ତର କମ ଅଛି। ଛତିଶଗଡ଼ ଗେଟ ଖୋଲି ଦେଇଛି। ପୁରୀର କଣାସ, ଅସ୍ତରଙ୍ଗ, ଜଗତସିଂହପୁରର ଏରସମା, କେନ୍ଦ୍ରାପଡ଼ାର ତଳିଆ ଅଞ୍ଚଳରେ ଅସୁବିଧା ହେବ ବୋଲି ଅନୁମାନ କରାଯାଇଛି।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଉତ୍ତର ଓଡିଶାରେ ପ୍ରବଳ ବର୍ଷା, ବନ୍ୟା ଘେରରେ ବାଲେଶ୍ୱର ଜିଲ୍ଲା, ୨୨୩୮ ଟି ଗ୍ରାମ ପ୍ରଭାବିତ

ଭୁବନେଶ୍ୱର: ରାଜ୍ୟର ବନ୍ୟାସ୍ଥିତି ସମ୍ପର୍କରେ ଗଣମାଧ୍ୟମର ପ୍ରତିନିଧିମାନଙ୍କୁ ସୂଚନା ଦେଇ ସ୍ୱତନ୍ତ୍ର ରିଲିଫ୍‌ କମିଶନର ଶ୍ରୀ ପ୍ରଦୀପ ଜେନା କହିଲେ ଯେ, ଲଘୁଚାପ ପ୍ରଭାବରେ ଉତ୍ତର ଓଡିଶାରେ ପ୍ରବଳ ବର୍ଷା ହୋଇଛି। ଝାଡଖଣ୍ଡର ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁ ଗାଲୁଡିହ ବ୍ୟାରେଜରୁ ୬ ଲକ୍ଷ କ୍ୟୁସେକ୍‌ ପାଣି ଆସୁଛି। ଏହା ଫଳରେ ସୁବର୍ଣ୍ଣରେଖା ଅବବାହିକାରେ ବନ୍ୟା ଆସିଛି।

ସେହିପରି ଶିମିଳିପାଳରେ ପ୍ରବଳ ବର୍ଷା ଯୋଗୁ ବୁଢାବଳଙ୍ଗ ନଦୀରେ ବନ୍ୟା ଆସିଛି। ବୈତରଣୀ ନଦୀରେ ଆଖୁଆପଦାଠାରେ ଜଳପତ୍ତନ ୧୮.୯୯ ମିଟର ରହିଥିବାବେଳେ ଏହା କ୍ରମଶଃ ବୃଦ୍ଧି ପାଉଛି। ସୁବର୍ଣ୍ଣରେଖା ଜାମଶୋଳାଘାଟଠାରେ ୫୩.୩୪ ମିଟର ଉଚ୍ଚରେ ରହିଛି। ଏହା କ୍ରମଶଃ ବୃଦ୍ଧି ପାଉଛି।

ଆଜି ଅପରାହ୍ନ ସୁଦ୍ଧା ହୀରାକୁଦର ଜଳପତ୍ତନ ୬୨୧.୨୬ ଫୁଟ୍‌ ରହିଛି। ଜଳଭଣ୍ଡାରକୁ ପ୍ରତି ସେକେଣ୍ଡରେ ୧ ଲକ୍ଷ ୬୮ ହଜାର ୪୫୧ କ୍ୟୁସେକ୍‌ ଜଳ ପ୍ରବେଶ କରୁଛି। ପ୍ରତି ସେକେଣ୍ଡରେ ଜଳଭଣ୍ଡାରରୁ ୧ ଲକ୍ଷ ୨ ହଜାର ୧୭୧ କ୍ୟìସେକ୍‌ ଜଳ ନିଷ୍କାସିତ ହେଉଛି। ଖଇରମାଳଠାରେ ୩ ଲକ୍ଷ ୬୫ ହଜାର କ୍ୟୁସେକ୍‌ ଜଳ ପ୍ରବାହିତ ହେଉଛି। ବଡମୂଳଠାରେ ୫ ଲକ୍ଷ ୭୬ ହଜାର କ୍ୟୁସେକ୍‌ ଜଳ ପ୍ରବାହିତ ହେଉଛି। ମୁଣ୍ଡଳିଠାରେ ୮ ଲକ୍ଷ ୬ ହଜାର କ୍ୟìସେକ୍‌ ଜଳ ପ୍ରବାହିତ ହେଉଛି। ମୁଣ୍ଡଳି ସମେତ ମହାନଦୀର ଜଳସ୍ତର ସବୁ ସ୍ଥାନରେ କ୍ରମଶଃ ହ୍ରାସ ପାଉଛି।

ମିଳିଥିବା ସୂଚନା ଅନୁଯାୟୀ ଏବେ ସୁଦ୍ଧା ୧୩ ଟି ଜିଲ୍ଲାର ୭୩ ଟି ବ୍ଲକ ୬୦୯ ଟି ଗ୍ରାମ ପଞ୍ଚାୟତ କ୍ଷତିଗ୍ରସ୍ତ ହୋଇଥିବାବେଳେ ଏଥିରେ ୨୨୩୮ ଟି ଗ୍ରାମ ପ୍ରଭାବିତ ହୋଇଛି। ରାଜ୍ୟର ୭୬୮ ଟି ଗ୍ରାମ ଜଳ ଘେରରେ ରହିଥିବାବେଳେ ୫ ଲକ୍ଷ ୪୫ ହଜାର ଲୋକ ଜଳବନ୍ଦୀ ଅବସ୍ଥାରେ ଅଛନ୍ତି ଏବଂ ପ୍ରାୟ ୭ ଲକ୍ଷ ୬୩ ହଜାର ଲୋକ ପ୍ରଭାବିତ ହୋଇଛନ୍ତି। ଏହି ସବୁ ଅଞ୍ଚଳରେ ୩୨୪ ଟି ରିଲିଫ୍‌ କେନ୍ଦ୍ରରେ ୧ ଲକ୍ଷ ୨୪ ହଜାର ଲୋକଙ୍କୁ ରନ୍ଧା ଖାଦ୍ୟ ଦିଆଯାଉଛି ।

ବନ୍ୟା ପ୍ରଭାବରେ ୫ ଲକ୍ଷ ୬୧ ହଜାର ୪୧୮ ବିଦ୍ୟୁତ ଉପଭୋକ୍ତା କ୍ଷତିଗ୍ରସ୍ତ ହୋଇଥିବାବେଳେ ସେଥି ମଧ୍ୟରୁ ୫ ଲକ୍ଷ ୨୧ ହଜାର ୫୬୦ ଉପଭୋକ୍ତାଙ୍କୁ ବିଦ୍ୟୁତ ସଂଯୋଗ ଦିଆଯାଇସାରିଛି। ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ୧୮୫ ଟି ମେଡିକାଲ ରିଲିଫ୍‌ କେନ୍ଦ୍ର ଖୋଲାଯାଇଥିବାବେଳେ, ୧୧୫ ଟି ଭ୍ରାମ୍ୟମାଣ ସ୍ୱାସ୍ଥ୍ୟ ଚିକିତ୍ସା ଟିମ୍‌ ମୃତୟନ ହୋଇଛି। ୪୨ହଜାର ୨୭୪ ଟି ଓଆରଏସ୍‌ ପ୍ୟାକେଟ୍‌, ୧ ଲକ୍ଷ ୭୭ ହଜାର ୨୫୩ ଟି ହାଲୋଜିନ୍‌ ବଟିକା ବଣ୍ଟାଯାଇଛି। ଏହି ସମୟରେ ୭୩୦୦ ସାଧାରଣ ରୋଗର ଚିକିତ୍ସା ହୋଇଥିବାବେଳେ, ୧୨ ଟି ସାପ କାମୁଡା ଘଟଣାର ଚିକିତ୍ସା କରାଯାଇଛି।

ଗୋସମ୍ପଦର ସୁରକ୍ଷା ପାଇଁ ବନ୍ୟାଞ୍ଚଳରେ ୧୯୩ ଟି ଟିମ୍‌ ନିୟୋଜିତ ହୋଇଛନ୍ତି। ୪୦୭ଟି କ୍ୟାମ୍ପ ଆୟୋଜିତ ହୋଇଥିବା ବେଳେ ଏଥିରେ ୧୮ ହଜାରରରୁ ଊଦ୍ଧ୍ୱର୍ ପଶୁଙ୍କୁ ଚିକିତ୍ସା କରାଯାଇଅଛି। ୧୦ ଟି ଜିଲ୍ଲାକୁ ୮୬୪.୦୬ ମେଟ୍ରିକ୍‌ ଟନ୍‌ ଗୋଖାଦ୍ୟ ଯୋଗାଇ ଦିଆଯାଇଅଛି।

ବନ୍ୟାଞ୍ଚଳରେ ପଞ୍ଚାୟତିରାଜ ଓ ପାନୀୟ ଜଳ ଯୋଗାଣ ବିଭାଗ ପକ୍ଷରୁ ୨ ଲକ୍ଷ ୯୩ ହଜାର ୨୦୦ ପାଣି ବୋତଲ ଓ ୧୨ ଲକ୍ଷ ୨୯ ହଜାର ପାଣି ପାଉଚ୍‌ ବଣ୍ଟାଯାଇଛି। ଏହା ସହ ୨୦୩ ଟି ଭ୍ରାମ୍ୟମାଣ ପାଣି ଟ୍ୟାଙ୍କର ଯୋଗାଇ ଦିଆଯାଇଛି । ବନ୍ୟାଞ୍ଚଳରେ ୧୪ ଟି ଜିଲ୍ଲାରେ ୧୬ ଟି ଏନଡିଆରଏଫ୍‌, ୧୭ ଟି ଓଡ୍ରାଫ୍‌, ୫୫ ଟି ଅତିରିକ୍ତ ଫାୟର ସର୍ଭିସ୍‌ ଟିମ୍‌ ମୃତୟନ କରାଯାଇଛି।

Categories
ବିଶେଷ ଖବର

ବଲାଙ୍ଗୀରରେ ବନ୍ୟା: ଅଦ୍ଭୁତ, ଅବିଶ୍ଵାସ ହେଲେ ବି ନିର୍ଘାତ ସତ୍ୟ- କେବେ ଦିନେ ସାରା ଦେଶ ବଲାଙ୍ଗୀର ପାଲଟି ଯାଇପାରେ!!

କେଦାର ମିଶ୍ର

ବନ୍ୟା ଓ ବଲାଙ୍ଗୀର, ଏ ଦୁଇଟି ଶବ୍ଦର ସମ୍ପର୍କ ନିଆଁ ଓ ପାଣି ପରି ବିପରୀତ। କେବେ ଦିନେ ବଲାଙ୍ଗୀର ସହରରେ ବନ୍ୟାଜଳ ପଶି ଆସିବ ଓ ସାରା ସହର ଜଳମଗ୍ନ ହୋଇଯିବ, ଏକଥା ବିଶ୍ଵାସ କରି ହେଉନି। ଅଥଚ ତାହା ହିଁ ହୋଇଛି। ଗତ ଚବିଶ ଘଣ୍ଟା ଭିତରେ ପୁରା ବଲାଙ୍ଗୀର ସହର ପାଣିଘେରରେ ଅଣନିଃଶ୍ଵାସୀ। ଯେଉଁ ଚିତ୍ର ସବୁ ଆସୁଛି, ସେ ସବୁ ଅତ୍ୟନ୍ତ ଭୟାବହ। ବଲାଙ୍ଗୀର ସହର ମଝିରେ ରହିଥିବା ଇଷ୍ଟଦେବୀ ସମଲେଶ୍ବରୀଙ୍କ ମନ୍ଦିରରେ ଆଣ୍ଠୁଏ ପାଣି। ସହରର ବିଭିନ୍ନ ପଡା ଓ ବସ୍ତିରେ ପ୍ରବଳ ପାଣିର ସୁଅ। କାର ଓ ବସ ବି ବୁଡିକି ଅଛନ୍ତି। ସବୁ ଘରେ ପାଣି ପଶିଯାଇଛି। ଅନେକ ପଡାରେ ଲୋକେ ଜଳବନ୍ଦୀ ହୋଇ ରହିଛନ୍ତି। ଏହାକୁ ଗତ ପଚାଶ ବର୍ଷ ଭିତରେ ସବୁଠୁ ବଡ ପ୍ରାକୃତିକ ବିସ୍ମୟ ବୋଲି କୁହା ଯାଇପାରେ।

ମରୁଡି ଓ ଜଳକଷ୍ଟ ଲାଗି ପ୍ରସିଦ୍ଧ ବଲାଙ୍ଗୀର ଜଳ ବହୁଳ ହେବାର କାରଣ କଣ? ବଲାଙ୍ଗୀର ସହରର ୧୫ କିଲୋମିଟର ଭିତରେ ସେମିତି ବଡ ନଦୀ ନାହିଁ। ସହର ଭିତର ଦେଇ ଅଙ୍କେଇ ବଙ୍କେଇ ଗୋଟେ ଛୋଟ ନାଳ ବୋହିଯାଉଛି। ଲକ୍ଷ୍ମୀ ଜୋର ନାମରେ ପରିଚିତ ଏଇ ଛୋଟ ଜଳ ପ୍ରବାହ ଟି କୌଣସି ବି ବନ୍ୟାରେ ଏତେ ଉଗ୍ର ହେବାର ରେକର୍ଡ ନଥିଲା। ୧୯୮୨ ର ପ୍ରଳୟଙ୍କରୀ ବନ୍ୟାରେ ଯେତେବେଳେ ସାରା ଓଡିଶା ଉବୁଟୁବୁ ହେଉଥିଲା, ସେତେବେଳେ ମଧ୍ୟ ବଲାଙ୍ଗୀର ସହର ଥିଲା ଅତ୍ୟନ୍ତ ଶାନ୍ତ ଓ ସୁରକ୍ଷିତ। ପରବର୍ତ୍ତୀ ସମୟରେ ବା ତା ଆଗରୁ ବଲାଙ୍ଗୀର ସହରରେ ବନ୍ୟା କଥା କେହି କେବେ ଶୁଣି ନଥିଲେ ବା ଦେଖି ନଥିଲେ। ଗୋଟେ ଜଳକ୍ଳିଷ୍ଟ ସହରରେ ଏ ଏ ଭୟଙ୍କର ବନ୍ୟାଜଳର ତାଣ୍ଡବ କାହିଁକି ହେଲା, ତାର ଉତ୍ତର ଖୋଜିବା ଆଜି ନିହାତି ଜରୁରୀ। ପାଣିପାଗ ପରିବର୍ତ୍ତନ ସହିତ ପରିବେଶର ଯେଉଁ ଭୟଙ୍କର ଅସନ୍ତୁଳନ ଘଟି ଚାଲିଛି, ସେଥିରେ କେଉଁଠି କିଛି ବି ଘଟିପାରେ।

ନଦୀ ନାହିଁ ବୋଲି ଗୋଟେ ସହରରେ ବନ୍ୟା ଯେ ହେବନାହିଁ, ସେକଥା ଆଉ କୁହାଯାଇ ପାରିବ ନାହିଁ। ସଂପୂର୍ଣ୍ଣ ଭାବରେ ନଦୀ ଓ ସମୁଦ୍ରଠୁ ଦୂରରେ ଥିବା ଏକ ଜଣ ବସତି ମଧ୍ୟ ଜଳ ବନ୍ଦୀ ହୋଇ ଯାଇପାରେ। ବଲାଙ୍ଗୀର ବନ୍ୟାରୁ ଅନ୍ତତଃ ଆମକୁ ଗୋଟେ ବଡ ଶିକ୍ଷା ମିଳିବା ଦରକାର। ସହର ଗଢିବା ବଡ କଥା ନୁହେଁ, ସହରର ଜୀବନକୁ ସୁରକ୍ଷିତ ରଖି ପାରିବା ବଡ କଥା। ବଲାଙ୍ଗୀର ସହର ଗତ ୨୦ ବର୍ଷ ଭିତରେ ନିଜକୁ ବହୁତ ବଡ କରି ଦେଇଛି। ତେବେ ଏତେ ବଡ ହେବା ପରେ ଯେଉଁ ସବୁ ମୌଳିକ ଭିତ୍ତିଭୂମିର ପରିବର୍ତ୍ତନ ହେବା କଥା ତାହା ହୋଇ ନାହିଁ। ଲକ୍ଷ୍ମୀ ଜୋରର ତଳ ଓ ଉପର ମୁଣ୍ଡକୁ ବାନ୍ଧି ଦେବା ଏକପ୍ରକାର ଆତ୍ମଘାତି ବ୍ୟବସ୍ଥା, ଏକଥା ସେଠିକାର ପ୍ରଶାସନ ବୁଝି ନଥିଲା କି? ଜଳ ପରିଚାଳନା କ୍ଷେତ୍ରରେ ଆମର ପ୍ରଶାସକମାନେ ଆଜି ମଧ୍ୟ ବିଶେଷ ସଚେତନ ନୁହନ୍ତି। ଆମର ଜଳ ପରିଚାଳନା ନୀତି ବୋଲି କିଛି ନାହିଁ। ଯାହା ଫଳରେ ଏ ପ୍ରକାର ବନ୍ୟାକୁ ଦେଖି ଆମେ ଅସହାୟ ହେବାକୁ ବାଧ୍ୟ ହେଉଛୁ।

ବଲାଙ୍ଗୀର ସହରକୁ ଆପାତତଃ ନୂଆ ଓ ଏକ ଯୋଜନାବଦ୍ଧ ସହର ବୋଲି କୁହା ଯାଇପାରିବ। ହେଲେ ସମୟକ୍ରମେ ମୂଳ ସହରର ଯୋଜନାଠୁ ଅଲଗା ହୋଇ ଅତ୍ୟନ୍ତ ବିଶ୍ରୂଙ୍ଖଳିତ ଭାବରେ ଏହା ବଢିଛି। ଖାଲ ଜମି, ଚାଷ ଜମି ଓ ଜଳ ନିଷ୍କାସନ ଲାଗି ରହିଥିବା ପୁରୁଣା ନାଳ ଗୁଡିକ ଜବର ଦଖଲକୁ ଚାଲି ଯାଇଛି। ବର୍ଷା ପାଣି ନିଷ୍କାସିତ ହେବା ଲାଗି ଯେଉଁ ବ୍ୟବସ୍ଥା ସବୁ ରହିଥିଲା ତାହା ପୋତି ହୋଇ ପଡିଛି। ଗୋଟେ ସମୟରେ ବଲାଙ୍ଗୀର ସହରକୁ ଘେରି ପ୍ରଚୁର ଚାଷ ଜମି ରହିଥିଲା। ସେ ସବୁ ଏବେ କଂକ୍ରିଟ ଜଙ୍ଗଲ ପାଲଟି ଯାଇଛି।

ତେବେ ଏ ବନ୍ୟା କେବଳ ବଲାଙ୍ଗୀର ନୁହଁ, ବରଂ ସାରା ଦେଶ ଲାଗି ଚିନ୍ତାର ବିଷୟ। ଯଦି ସଠିକ ଭାବରେ ଜଳ ପରିଚାଳନା କରା ନଯାଏ ଓ ସାଧାରଣ ଲୋକ ଜଳ ପରିଚାଳନାକୁ ନେଇ ସଚେତନ ନ ହୁଅନ୍ତି, ହୁଏତ ଦିନ ଆସିବ, ଆମର ପୁରା ମାନଚିତ୍ର ପାଣିରେ ଭାସୁଥିବ।

Categories
ଆଜିର ଖବର

ବନ୍ୟାଗ୍ରସ୍ତ ଜିଲ୍ଲାରେ ସତର୍କ ରହିବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଷ,ସାତଦିନ ପାଇଁ ରିଲିଫ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ସମୀକ୍ଷା ବ୍ୟୁରୋ

ବନ୍ୟା ଅଶଙ୍କା ଥିବା ଜିଲ୍ଲାଗୁଡିକର ଜିଲ୍ଲାପାଳମାନେ 24 ଘଣ୍ଟା ସତର୍କ ରହିବାକୁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟ ଲୋକସେବା ଭବନରେ ଏକ ଭିଡିଓ କନଫ୍ରେସିଂ ମାଧ୍ୟମରେ ଜିଲ୍ଲାପାଳଙ୍କୁ ଏହି ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟତଃ ବଲାଙ୍ଗୀର,କଳାହାଣ୍ଡି, ବୈଦ,ସୁବର୍ଣ୍ଣପୁର,କନ୍ଧମାଳ ଜିଲ୍ଲାରେ ବର୍ତ୍ତମାନ ବନ୍ୟାସ୍ଥିତିରେ ସୁଧାର ଆସି ନାହିଁ। ଏହି ଜିଲ୍ଲାଗୁଡିକରେ ସହାୟତ କାମ ବୃଦ୍ଧି କରିବାକୁ ମୁଖ୍ୟମନ୍ତ୍ରୀ କହିଛନ୍ତି। ତେବେ ବଲାଙ୍ଗୀର ଜିଲ୍ଲାର ସ୍ଥିତି ଉଦବେଗ ଜନିତ ରହିଥିବାରୁ ସେଠାକୁ ଆଉ 3ଟି ଓଡ୍ରାଫ ଟିମ ପଠାଇବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି 15 ତାରିଖ ସୁଦ୍ଧା ମହାନଦୀରେ ପ୍ରାୟ 11 ଲକ୍ଷ କ୍ୟୁସେକ ପାଣି ପ୍ରବାହିତ ହେବାର ସମ୍ଭାବନା ରହିଛି। ଏହା ଦ୍ବାରା କଟକ, ଜଗତସିଂହପୁର,ପୁରୀ,ନୟାଗଡ,ଖୋର୍ଦ୍ଧା ଏବଂ କେନ୍ଦ୍ରାପଡା ଜିଲ୍ଲା କ୍ଷତିଗସ୍ତ ହେବାର ସମ୍ଭାବନା ରହିଛି। ଏହି ଜିଲ୍ଲାର ନଦୀବନ୍ଧଗୁଡିକ ସୁଦୃଢ ରହିଛି କି ନାହିଁ ତାହା ଯାଞ୍ଚ କରିବାକୁ ମଧ୍ୟ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।ଏଥିସହିତ ସାତଦିନ ପାଇଁ ରିଲିଫ ଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। କଳାହାଣ୍ଡି, ବଉଦ, କନ୍ଧମାଳ,ସୋନପୁର ଏବଂ ବଲାଙ୍ଗିର ଜିଲ୍ଲାରେ ଏହି ରିଲିଫ ଦେବାକୁ କହିଛନ୍ତି। ଏଥିରେ ବୟସ୍କମାନଙ୍କ ଦିନ ପିଛା 60 ଟଙ୍କା ଏବଂ ପିଲାମାନଙ୍କୁ ଦିନପିଛା 45 ଟଙ୍କାର ରିଲିଫ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଗତ କିଛିଦିନ ଧରି ଉପରମୁଣ୍ଡରେ ପ୍ରବଳ ବର୍ଷା ହେବାରୁ ବିଭିନ୍ନ ନଦୀର ଜଳପତନ ବୃଦ୍ଧି ପାଇ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ସେ ନେଇ ମୁଖ୍ୟମନ୍ତ୍ରୀ ସମୀକ୍ଷା ବୈଠକ କରି ଏପରି ପଦକ୍ଷେପ ନେଇଛନ୍ତି।