Categories
ବିଶେଷ ଖବର

ପଞ୍ଚମ ପାଳିରେ କଣ ରହିବ ନବୀନ ପଟ୍ଟନାୟକଙ୍କ ପ୍ରଥମ ଶହେ ଦିନର ଲକ୍ଷ୍ୟ !

କେଦାର ମିଶ୍ର

ଓଡିଶାର ରାଜନୈତିକ ଇତିହାସରେ ବାରମ୍ବାର ନୂଆ ଅଧ୍ୟାୟ ଯୋଡି ଚାଲିଥିବା ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତା ମଇ ୨୯ ତାରିଖ ଦିନ ୧୧ଟାରେ ପଞ୍ଚମଥର ଲାଗି ପଦ ଓ ଗୋପନୀୟତାର ଶପଥ ନେବେ। ଲଗାତାର ପାଞ୍ଚ ଥର ମୁଖ୍ୟମନ୍ତ୍ରୀ ହେବାରେ ନବୀନ ବାବୁ ହେଉଛନ୍ତି ଜ୍ୟୋତି ବସୁ ଓ ପବନ କୁମାର ଚାମଲିଙ୍ଗ ଙ୍କ ପରେ ତୃତୀୟ ରାଜନେତା। ପ୍ରଥମ ଦୁଇ ପାଳି ବିଜେପି ସହ ମେଣ୍ଟ ସରକାରର ନେତୃତ୍ୱ ନେଇଥିବା ନବୀନ ବାବୁ ଗତ ତିନୋଟି ଯାକ ନିର୍ବାଚନରେ ନିଜ ଦଳକୁ ଦୁଇ ତୃତୀୟାଁଶ ଆସନରେ ଜିତାଇବାର ବିରଳ ଗୌରବ ପାଇଛନ୍ତି। ୧୯ ବର୍ଷ ଶାସନରେ ରହିବା ପରେ ମଧ୍ୟ ଓଡିଶାର ଜନସାଧାରଣ ନବୀନଙ୍କ ଉପରେ ଆସ୍ଥା ପୋଷଣ କରିଛନ୍ତି ଓ ବିଜୁ ଜନତା ଦଳକୁ ୧୧୨ ଆସନରେ ବିଜୟୀ କରାଇଛନ୍ତି।

ପଞ୍ଚମ ପାଳିରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ବେଳେ ନବୀନଙ୍କ ଲାଗି ବହୁ ଆହ୍ଵାନ ରହିଛି। ୨୦୦୦ ମସିହାରେ ସେ ଯେତେବେଳେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ, ତାର ଠିକ ବର୍ଷକ ପୂର୍ବରୁ ମହାବାତ୍ୟାରେ ଓଡିଶା ଏକ ପ୍ରକାର ଉଜୁଡି ଯାଇଥିଲା। ସଂପୂର୍ଣ୍ଣ ଭାବରେ ଉଜୁଡି ଯାଇଥିବା ଗୋଟେ ରାଜ୍ୟର ଅର୍ଥନୀତିକୁ ସଜାଡିବାର ଗୁରୁ ଦାୟିତ୍ଵ ନବୀନ ତୁଲାଇ ଆସିଛନ୍ତି। ୨୦୧୯ ନିର୍ବାଚନ ସରିବା ପରେ ପରେ ଗତ ମଇ ୩ ତାରିଖ ଦିନ ପ୍ରବଳ ବାତ୍ୟା ମାଡରେ ପୁରୀ, ଭୁବନେଶ୍ୱର ଓ କଟକ ତଥା ଅନ୍ୟ ୬ ଟି ଉପକୂଳ ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ତେଣୁ ପଞ୍ଚମ ପାଳିରେ ସରକାର ଗଢିବାକୁ ଯିବାବଳେ ପ୍ରାକୃତିକ ଦୁର୍ବିପାକକୁ ମୁକାବିଲା କରିବାର ଏକ ବଡ ଏଜେଣ୍ଡା ନବୀନ ବାବୁଙ୍କ ପାଖରେ ରହିଛି। ପଞ୍ଚମ ପାଳିର ନବୀନ ସରକାର ପାଇଁ ପ୍ରଥମ ୧୦୦ ଦିନର ଏଜେଣ୍ଡା କଣ ରହିବ ସେ ବିଷୟରେ ଏକ ଆକଳନ ଆମେ ପ୍ରସ୍ତୁତ କରୁଛୁ-

ପ୍ରଥମ ଦିନରେ “କାଳିଆ” ଯୋଜନା ଲାଗି ପଇସା

ନିର୍ବାଚନ ସମୟରେ ନୂଆ ସରକାର ଗଢା ହେବାର ପ୍ରଥମ ଦିନରେହିଁ “କାଳିଆ” ଯୋଜନା ପାଇଁ ଦ୍ଵିତୀୟ ତାଲିକାର ପଇସା କୃଷକଙ୍କ ବ୍ୟାଙ୍କ ଖାତାରେ ପଇଠ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି। ଗତ ସରକାର ଅତିରିକ୍ତ ବଜେଟରେ ଏଥିଲାଗି ଅର୍ଥ ବରାଦ କରିଥିଲେ ମଧ୍ୟ ନିର୍ବାଚନ ଆଚରଣ ବିଧି ଆଳରେ ନିର୍ବାଚନ କମିଶନ ଏହି ଅର୍ଥକୁ ଅଟକ ରଖିଥିଲେ। ଏଥିପାଇଁ ନିଜେ ମୁଖ୍ୟମନ୍ତ୍ରୀ ରାଜ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ତୁରନ୍ତ ଚାଷୀ ମାନଙ୍କୁ କାଳିଆ ପଇସା ଦେବାକୁ ଦାବୀ କରିଥିଲେ ମଧ୍ୟ କମିଶନ ତାହା କାର୍ଯ୍ୟକାରୀ କରି ନଥିଲେ। ତେଣୁ ପ୍ରତିଶ୍ରୁତି ମୁତାବକ ନୂଆ ସରକାରର ପ୍ରଥମ ଦିନରେ ଏହା କରାଯିବ ବୋଲି ଆଶା କରାଯାଉଛି।

ରଥଯାତ୍ରା ଆୟୋଜନ ଓ ଶ୍ରୀମନ୍ଦିର ସଂସ୍କାର

“ଫନୀ” ବାତ୍ୟାରେ ଐତିହାସିକ ପୁରୀ ସହର ପୂରା ଛାରଖାର ହୋଇଯାଇଛି। ସହରର ବିଜୁଳି ଓ ପାନୀୟ ଜଳ ବ୍ୟବସ୍ଥା ଏଯାଏ ସ୍ଵାଭାବିକ ହୋଇନାହିଁ। ମାସେ ପାଖାପାଖି ପୁରୀ ସହରବାସୀ ଅନ୍ଧାରରେ ରହିଛନ୍ତି। ଭିତ୍ତିଭୂମିର ବ୍ୟାପକ କ୍ଷୟକ୍ଷତି ଭିତରେ ରଥଯାତ୍ରା କେମିତି ସଠିକ ଭାବରେ ଆୟୋଜନ କରାଯିବ ତାହା ଏବେ ସରକାରଙ୍କର ସବୁଠୁ ବଡ ଚିନ୍ତା ହେବାକୁ ଯାଉଛି। ପୁରୀରେ ତୀର୍ଥଯାତ୍ରୀ ଓ ପର୍ୟଟକ ରହିବାର ସବୁ ବ୍ୟବସ୍ଥା ଉଜୁଡି ଯାଇଛି। ହୋଟେଲ ଶିଳ୍ପ ପୂରା ଠପ। ସ୍ୱାସ୍ଥ୍ୟ, ପରିମଳ, ଗମନାଗମନ, ପାନୀୟ ଜଳ ଓ ଲୋକଙ୍କ ରହିବା ବ୍ୟବସ୍ଥାକୁ ନେଇ ବିରାଟ କାମ ପଡିଛି। ତେଣୁ ନୂଆ ସରକାର ଯୁଦ୍ଧକାଳୀନ ଭିତ୍ତିରେ ରଥଯାତ୍ରା ଆୟୋଜନ ଉପରେ ସର୍ବାଗ୍ରେ ଗୁରୁତ୍ଵ ଦେବେ। ଏହା ସହିତ ମନ୍ଦିର ପରିଚାଳନା ଓ ସେବାୟତଙ୍କୁ ନେଇ ବାରମ୍ବାର ଉପୁଜୁଥିବା ଅସନ୍ତୋଷ ଓ ବିଶ୍ରୂଙ୍ଖଳା ଉପରେ ମଧ୍ୟ ସରକାରଙ୍କୁ କିଛି ଗୋଟାଏ ନିଷ୍ପତ୍ତି ନେବାକୁ ପଡିବ। ତେବେ ସୁପ୍ରିମ କୋର୍ଟର ନିର୍ଦ୍ଦେଶ ଓ ସେବାୟତଙ୍କ ସନ୍ତୋଷ ଭିତରେ ସମନ୍ଵୟ ରଖିବା ସରକାରଙ୍କ ପ୍ରାଥମିକ ଦାୟିତ୍ଵ ହେବ।

ବାତ୍ୟା ପରବର୍ତ୍ତୀ ଓଡିଶା ପୁନର୍ଗଠନ

ବାତ୍ୟାରେ ଉଜୁଡି ଯାଇଥିବା ଭୁବନେଶ୍ୱର, ପୁରୀ, କଟକ ଓ ଖୁର୍ଦ୍ଧା ସହର ସମେତ ଗ୍ରାମାଞ୍ଚଳର ପୁନର୍ଗଠନ ଲାଗି “ଓଡିଶା ନବନିର୍ମାଣ” ପ୍ରକଳ୍ପ ଉପରେ ସରକାର ଗୁରୁତ୍ଵ ଦେବେ। ବିଜୁଳି, ଟେଲି ଯୋଗାଯୋଗ ଓ ପାନୀୟ ଜଳ କ୍ଷେତ୍ରରେ ସରକାର “ଫନି” ରୁ ଅନେକ ଶିକ୍ଷା ପାଇଛନ୍ତି। ଭୂତଳ ବିଦ୍ୟୁତ କେବଲ ବିଛାଇବା ପ୍ରକ୍ରିୟା ଉପରେ ସରକାର ପ୍ରଥମ ଗୁରୁତ୍ଵ ଦେବେ। ହୁଏତ ପ୍ରାକୃତିକ ବିପର୍ୟୟ ମୁକାବିଲା ଲାଗି ଏକ ସ୍ଵତନ୍ତ୍ର ଏକ୍ସନ ପ୍ଳାନ ପ୍ରସ୍ତୁତ କରାଯାଇପାରେ ବୋଲି ଶୁଣାଯାଉଛି। ବାତ୍ୟାରେ କଳିଙ୍ଗ ଷ୍ଟାଡିୟମର ବ୍ୟାପକ କ୍ଷୟକ୍ଷତି ହୋଇଛି। ଆଉ ଅଳ୍ପ ଦିନ ପରେ ଅଲିମ୍ପିକ୍ସ ହକି ଲାଗି ଚୟନ ମ୍ୟାଚ ଗୁଡିକ କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ହେବ। ତେଣୁ ଭୁବନେଶ୍ବରକୁ ପୁଣିଥରେ ସଜାଡିବା ଓ କଳିଙ୍ଗ ଷ୍ଟାଡିୟମର ମରାମତି କାମ ସାରିବା ସରକାରଙ୍କ ସବୁଠୁ ବଡ ଦାୟିତ୍ଵ ହେବ।

ପୌର ନିର୍ବାଚନ ଓ ପାଟକୁରା ଉପ ନିର୍ବାଚନ

ବିଧାନସଭା ନିର୍ବାଚନ ପୂର୍ବରୁ ରାଜ୍ୟରେ ପୌର ନିର୍ବାଚନ ହେବା କଥା। ଆଇନଗତ ଅସୁବିଧା କାରଣରୁ ଏହା ଅଟକି ରହିଛି। ବର୍ତ୍ତମାନର ପରିସ୍ଥିତିରେ ସରକାର ତୁରନ୍ତ ପୌର ନିର୍ବାଚନ କରାଇବାକୁ ଚାହିଁବେ। ରାଜ୍ୟରେ ବିଜେଡି ହାୱା ବରକରାର ରହିଥିବାରୁ ଏହାରି ଭିତରେ ପୌର ନିର୍ବାଚନ କରାଇବା ରାଜ୍ୟ ସରକାରଙ୍କ ପ୍ରାଥମିକତା ପାଇପାରେ। ଏହା ସହିତ ବେଦପ୍ରକାଶ ଅଗ୍ରୱାଲାଙ୍କ ମୃତ୍ୟୁ ପରେ ସ୍ଥଗିତ ରହିଥିବା ପାଟକୁରା ବିଧାନସଭା ଆସନ ପାଇଁ ଉପ ନିର୍ବାଚନ ହେବ। ରାଜନୈତିକ ଦୃଷ୍ଟିରୁ ପାଟକୁରାରେ ବିଜୟ ଲାଗି  ବିଜୟ ମହାପାତ୍ରଙ୍କୁ ହରାଇବାକୁ ପଡିବ। ଆଗାମୀ ଦୁଇ ମାସ ଭିତରେ ପାଟକୁରା ବିଜେଡି ସରକାର ଲାଗି ପ୍ରଥମ ରାଜନୈତିକ ଆହ୍ଵାନ ହେବାକୁ ଯାଉଛି।