Categories
ଆଜିର ଖବର ରାଜ୍ୟ ଖବର ସଂସ୍କୃତି

ଜନତା ମଇଦାନରେ ଚାଲିଥିବା ହସ୍ତଶିଳ୍ପ ମେଳାରେ ଆକର୍ଷଣର କେନ୍ଦ୍ର ପାଲଟିଛି ମାଟି କଣ୍ଢେଇ

ଭୁବନେଶ୍ୱର, ସ୍ଥାନୀୟ ଜନତା ମଇଦାନଠାରେ ଫେବୃଆରୀ ୭ରୁ ଆରମ୍ଭ ହୋଇଥିବା ରାଜ୍ୟସ୍ତରୀୟ ହସ୍ତଶିଳ୍ପ ମେଳାରେ ଲୋକମାନଙ୍କ ଭିଡ଼ ଜମୁଛି। ମାଟି କଣ୍ଢେଇ ସହ ମାଟିରେ ତିଆରି ସାମଗ୍ରୀ ଏବଂ ସାଜସଜ୍ଜା ସାମଗ୍ରୀ ପ୍ରତି ଲୋକମାନେ ଅଧିକ ଆକୃଷ୍ଟ ହେଉଛନ୍ତି।
ଓଡ଼ିଶା ସରକାରଙ୍କ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ମାଧ୍ୟମରେ ହସ୍ତ ଓ କୁଟୀର ଶିଳ୍ପ ନିର୍ଦ୍ଦେଶାଳୟ ପକ୍ଷରୁ ଆୟୋଜିତ ଏହି ପ୍ରଦର୍ଶନୀରେ ୨୩ଟି ଜିଲ୍ଲାର ହସ୍ତଶିଳ୍ପ କାରିଗର ଯୋଗଦାନ କରିଛନ୍ତି। ବିଭିନ୍ନ ଆକର୍ଷଣୀୟ ସାମଗ୍ରୀ ଯଥା ଶିଙ୍ଗ, ବାଉଁଶ, ପିତ୍ତଳ, ମାଟି, ଚାନ୍ଦୁଆ ଆଦିରେ ପ୍ରସ୍ତୁତ ଆକର୍ଷଣୀୟ ହସ୍ତଶିଳ୍ପ ପ୍ରଦର୍ଶନ ଓ ବିକ୍ରୟ ହେଉଛି।

ଆକର୍ଷଣୀୟ ମାଟି କଣ୍ଢେଇ, ପଥର ବାସନ ଓ ଅନ୍ୟାନ୍ୟ କାରୁକାର୍ଯ୍ୟ ସହ ଘରସଜ୍ଜା ସାମଗ୍ରୀ ଷ୍ଟଲ୍‌ରେ ଲୋକମାନଙ୍କ ଭିଡ଼ ଜମିଛି। ଏହି ପ୍ରଦର୍ଶନୀରେ ଓଡ଼ିଶା ସରକାରଙ୍କ ଦ୍ୱାରା ଅନୁମୋଦିତ ୫୦ଟି ହସ୍ତଶିଳ୍ପ ମଧ୍ୟରୁ ୨୮ଟି ହସ୍ତଶିଳ୍ପର ପ୍ରଦର୍ଶନ ଓ ବିକ୍ରୟ ହେଉଛି।
ରାଜ୍ୟସ୍ତରୀୟ ହସ୍ତଶିଳ୍ପ ପ୍ରଦର୍ଶନୀ ଫେବୃଆରୀ ୧୬ ତାରିଖ ପର୍ଯ୍ୟନ୍ତ ଚାଲିବ। ଏହି ହସ୍ତଶିଳ୍ପ ପ୍ରଦର୍ଶନୀରେ ଓଡ଼ିଶାର ବିଭିନ୍ନ ସୁସ୍ୱାଦୁ ଖାଦ୍ୟ ବଜାର ମଧ୍ୟ ଖୋଲାଯାଇଛି। ଏହା ସଙ୍ଗେ ସଙ୍ଗେ ଓଡ଼ିଶାର ପ୍ରସିଦ୍ଧ କଳାକାରମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହେଉଛି।