Categories
ଆଜିର ଖବର ରାଜ୍ୟ ଖବର

ଯୁବପିଢ଼ିଙ୍କ ଭିତରେ କ୍ରୀଡ଼ା ପ୍ରତିଭାର ବିକାଶ ପାଇଁ ଓମ୍ବାଡସି ସହାୟତାରେ ବହୁମୁଖୀ ଇନଡୋର ଷ୍ଟାଡିୟମ

ଭୁବନେଶ୍ୱର: ଓଡ଼ିଶାର ବିଭିନ୍ନ ଗାଁ ଓ ସହରରେ ଥିବା ଯୁବପିଢ଼ିଙ୍କ ଭିତରେ କ୍ରୀଡ଼ା ପ୍ରତିଭା ବିକଶିତ କରିବା ପାଇଁ ଅତ୍ୟାଧୁନିକ ଭିତ୍ତିଭୂମି ନିର୍ମାଣ ଉପରେ ଗୁରୁତ୍ୱ ଦେଉଛନ୍ତି ରାଜ୍ୟ ସରକାର। ଏହି କ୍ରମରେ କ୍ରୀଡ଼ା ଓ ଯୁବ ସେବା ବିଭାଗ ଆନୁକୂଲ୍ୟରେ ବିଭିନ୍ନ ସ୍ଥାନରେ ବହୁମୁଖୀ ଇନଡୋର ଷ୍ଟାଡିୟମ ନିର୍ମାଣ କରାଯାଉଛି। ରାଜ୍ୟର ୫ଟି ଖଣି ପ୍ରଭାବିତ ଜିଲ୍ଲାର ୧୧ଟି ସହରରେ ଏହି ଅତ୍ୟାଧୁନିକ କ୍ରୀଡ଼ା ଭିତ୍ତିଭୂମି ଲାଗି ଆର୍ଥିକ ସହାୟତା ଯୋଗାଇ ଦେଉଛି ଓମ୍ବାଡସି।

ଓଡ଼ିଶା ଖଣିଜ ପଦାର୍ଥ ଧାରକ ଅଞ୍ଚଳ ଉନ୍ନୟନ ନିଗମ (ଓମ୍ବାଡସି) ସହାୟତାରେ ନିର୍ମାଣ ହୋଇଥିବା ଏହି ବହୁମୁଖୀ ଇନଡୋର ଷ୍ଟାଡିୟମରେ ରହିଛି ଭାରୋତ୍ତଳନ, ବ୍ୟାଡମିଣ୍ଟନ ଏବଂ ଟେବୁଲ୍ ଟେନିସ୍ କୋର୍ଟ। ଏହି କ୍ରୀଡ଼ାରେ ଆଗକୁ ବଢ଼ିବାକୁ ଚାହୁଁଥିବା ଯୁବପିଢ଼ି ଏଠାରେ ଆସି ନିୟମିତ ଅଭ୍ୟାସ କରିବାର ସୁବିଧା ପାଉଛନ୍ତି। ଏହି ଅଭ୍ୟାସ ଫଳରେ ସେମାନଙ୍କ ଭିତରେ ରାଜ୍ୟ ତଥା ଜାତୀୟ ସ୍ତରର ପ୍ରତିଯୋଗିତା ଲାଗି ଆଗ୍ରହ ସୃଷ୍ଟି କରୁଛି।

ବର୍ତ୍ତମାନ ସମୟରେ ଶାରୀରିକ ଭାବେ ଫିଟ୍ ରହିବା ପାଇଁ ସମସ୍ତେ ଚାହୁଁଛନ୍ତି। ଏହାକୁ ଦୃଷ୍ଟିରେ ରଖି ବହୁମୁଖୀ ଇନଡୋର ଷ୍ଟାଡିୟମ ପରିସରରେ ଆଧୁନିକ ବ୍ୟାୟାମ ଓ ଯୋଗାଭ୍ୟାସ କେନ୍ଦ୍ର ସ୍ଥାପନ କରାଯାଇଛି। ଛାତ୍ରଛାତ୍ରୀ, ଯୁବପିଢ଼ି ଏବଂ ସ୍ଥାନୀୟ ଅଞ୍ଚଳର ଖେଳାଳିଙ୍କ ସହିତ ବିଭିନ୍ନ ବର୍ଗର ଲୋକ ଏହି କେନ୍ଦ୍ରକୁ ଆସି ବ୍ୟାୟାମ ଓ ଯୋଗାଭ୍ୟାସ କରୁଛନ୍ତି। ବ୍ୟାୟାମ ପାଇଁ ଆଧୁନିକ ଉପକରଣ ସହିତ ପ୍ରଶିକ୍ଷକ ମଧ୍ୟ ନିୟୋଜିତ ହୋଇଛନ୍ତି।

ଓମ୍ବାଡସି ସହାୟତାରେ ଝାରସୁଗୁଡ଼ା ଜିଲ୍ଲାର ବେଲପାହାଡ଼ ଓ ବ୍ରଜରାଜନଗର, ସୁନ୍ଦରଗଡ଼ ଜିଲ୍ଲାର ରାଉରକେଲା, ବୀରମିତ୍ରପୁର ଓ ରାଜଗାଙ୍ଗପୁର, କେନ୍ଦୁଝର ଜିଲ୍ଲାର ବଡ଼ବିଲ, ଯୋଡା, ଆନନ୍ଦପୁର ଓ ଚମ୍ପୁଆ ସହରରେ ଏହି ଅତ୍ୟାଧୁନିକ କ୍ରୀଡ଼ା ଭିତ୍ତିଭୂମି ରହିଛି। ସେହିପରି ମୟୂରଭଞ୍ଜ ଜିଲ୍ଲାର ଉଦଳା ଏବଂ ଯାଜପୁର ଜିଲ୍ଲାର ବ୍ୟାସନଗରଠାରେ ଏହି ବହୁମୁଖୀ ଇନଡୋର ଷ୍ଟାଡିୟମ ନିର୍ମାଣ କରାଯାଇଛି।
ଆଧୁନିକ ଢାଞ୍ଚାରେ ଏହି ବହୁମୁଖୀ ଇନଡୋର ଷ୍ଟାଡିୟମ ନିର୍ମାଣ କରାଯାଇଛି। ବନ୍ୟା ଓ ବାତ୍ୟା ଭଳି ପ୍ରାକୃତିକ ଦୁର୍ବିପାକ ସମୟରେ ଏହି ଭିତ୍ତିଭୂମିକୁ ଅସ୍ଥାୟୀ ଆଶ୍ରୟସ୍ଥଳ ଭାବେ ବ୍ୟବହାର କରାଯିବ। ତା’ଛଡ଼ା କୋଭିଡ୍‌ ଭଳି ମହାମାରୀ ସମୟରେ ମଧ୍ୟ ଏହାକୁ ଲୋକମାନଙ୍କ ସୁବିଧା ପାଇଁ ବ୍ୟବହାର କରାଯାଇପାରିବ।

ବହୁମୁଖୀ ଇନଡୋର ଷ୍ଟାଡିୟମ ସହିତ ଓମ୍ବାଡସି ସହାୟତାରେ ରାଜ୍ୟର ବିଭିନ୍ନ ଖଣି ପ୍ରଭାବିତ ଜିଲ୍ଲାରେ ଶିକ୍ଷା, ସ୍ୱାସ୍ଥ୍ୟ, ପରିବେଶ ସୁରକ୍ଷା, ପାନୀୟ ଜଳ, ରାସ୍ତା ସଂଯୋଗୀକରଣ ଏବଂ ଜୀବିକା ଆଦି କ୍ଷେତ୍ରରେ ବିଭିନ୍ନ ଜନକଲ୍ୟାଣ କାର୍ଯ୍ୟକ୍ରମ ଚାଲିଛି।

Categories
ବିଶେଷ ଖବର ବ୍ୟବସାୟ ରାଜ୍ୟ ଖବର

ରାଜ୍ୟର ଖଣି ଖାଦନ ଥିବା ପୌର ଅଞ୍ଚଳର ବିକାଶ ପାଇଁ ମିଳିଲା 640 କୋଟି ଟଙ୍କାର ଅନୁଦାନ

ଭୁବନେଶ୍ବର: ଆଜି OMBADC ବା ଓଡିଶା ଖଣି ଅଞ୍ଚଳ ଉନ୍ନୟନ ନିଗମ ଅଧୀନରେ 640.55 କୋଟି ମୂଲ୍ୟର ପ୍ରକଳ୍ପଗୁଡିକ ଅନୁମୋଦନ କରାଯାଇଛି। ଏହା ଖଣିଜ ଉତ୍ପାଦିତ ଜିଲ୍ଲାଗୁଡିକର ସହରାଞ୍ଚଳ ସଂସ୍ଥାଗୁଡ଼ିକ ପାଇଁ ଖର୍ଚ୍ଚ କରାଯିବ। ଏଥିରେ ମାଧ୍ୟମିକ ବିଦ୍ୟାଳୟର ବିକାଶ, ପରିବେଶ ମନିଟରିଂ ଏବଂ କ୍ରୀଡା ବିକାଶ କ୍ଷେତ୍ରରେ କାର୍ଯ୍ୟ କରାଯିବ।

ମୁଖ୍ୟ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରୁ ଡିଜିଟାଲ୍ ମୋଡରେ ଆୟୋଜିତ ହୋଇଥିବା ବୋର୍ଡ ଅଫ୍ ଡାଇରେକ୍ଟର୍ସ ବୈଠକରେ ଏହି ଅନୁମୋଦନ ପ୍ରଦାନ କରାଯାଇଛି। ଏଥିରେ OMBADC ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଉମା ନନ୍ଦୁରୀ ପ୍ରକଳ୍ପର ଆବଶ୍ୟକତା ଏବଂ ଆଶା କରାଯାଉଥିବା ଫଳାଫଳ ଉପସ୍ଥାପନ କରିଥିଲେ।

ଏହି ପ୍ରକଳ୍ପଗୁଡିକ ମାଧ୍ୟମିକ ବିଦ୍ୟାଳୟର ବିକାଶ କାର୍ଯ୍ୟକ୍ରମ ଅଧୀନରେ ଛାତ୍ରମାନଙ୍କୁ ବିଶ୍ୱ ସ୍ତରୀୟ ଶିକ୍ଷା ତଥା ଏକ୍ସପୋଜର ପ୍ରଦାନ କରିବାକୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି। ଯେହେତୁ ନୂତନ ପ୍ରକଳ୍ପ ମାଧ୍ୟମରେ ସ୍ମାର୍ଟ କ୍ଲାସ୍ ରୁମ୍, ଇ-ଲାଇବ୍ରେରୀ, ସାଇନ୍ସ ଲ୍ୟାବ୍, ଆଇସିଟି ଲ୍ୟାବ୍ ବିକଶିତ ହେବ, ଶିକ୍ଷକମାନେ ବିଶ୍ୱସ୍ତରୀୟ ଏକ୍ସପୋଜର୍ ସହିତ ଛାତ୍ରମାନଙ୍କୁ ସର୍ବୋତ୍ତମ ଶିକ୍ଷା ପ୍ରଦାନ ଉପରେ ଧ୍ୟାନ ଦେବା ଆବଶ୍ୟକ ବୋଲି ମୁଖ୍ୟଶାସନ ସଚିବ କହିଛନ୍ତି।

ଏହିପରି ସୁବିଧା ପିଲାମାନଙ୍କୁ ଜାତୀୟ ତଥା ବିଶ୍ୱ ସ୍ତରରେ ଯେ କୈଣସି ପ୍ରତିଦ୍ୱନ୍ଦ୍ୱିତା କରିବାକୁ ସକ୍ଷମ କରିବା ଉଚିତ ବୋଲି ସେ କହିଛନ୍ତି। ସେହିପରି ଖେଳ ପଡିଆର ବିକାଶ ଏବଂ ଆନନ୍ଦଦାୟକ ଆମ୍ବିଆନ୍ସ ଏବଂ ଏକ ଶିକ୍ଷଣ ଇକୋ-ସିଷ୍ଟମ ଉପରେ ମଧ୍ୟ ଗୁରୁତ୍ୱାରୋପ କରିଥିଲେ।  ସିଇଓ ନନ୍ଦୁରୀ ଆକଳନ କରିଛନ୍ତି ଯେ ଅନୁଗୁଳ,ଢେଙ୍କାନାଳ, ଦେଓଗଡ, ଯାଜପୁର, ଝାରସୁଗୁଡା, ମୟୂରଭଞ୍ଜ ଏବଂ ସୁନ୍ଦରଗଡ ଜିଲ୍ଲାର ମୋଟ 889 ଟି ମାଧ୍ୟମିକ ବିଦ୍ୟାଳୟ ଏହି ପ୍ରକଳ୍ପ ଅଧୀନରେ ଆନୁମାନିକ 533.40 କୋଟି ଟଙ୍କା ପ୍ରଦାନ କରାଯାଇଛି।

ଏହି ବୈଠକରେ ଖଣି ପ୍ରଭାବିତ ଜିଲ୍ଲାମାନଙ୍କରେ ଏକାଦଶ ସହରାଞ୍ଚଳ ପାଇଁ ସମୁଦାୟ 104.15 କୋଟି ଟଙ୍କା ଧାର୍ଯ୍ୟ ହୋଇଥିବା ବହୁମୁଖୀ ଇନଡୋର ଷ୍ଟାଡିୟମର ବିକାଶ ପ୍ରସ୍ତାବକୁ ମଧ୍ୟ ଅନୁମୋଦନ କରାଯାଇଛି। ଏଥିମଧ୍ୟରେ ନଅଟି ପୌରପାଳିକା ଯଥା ବେଲପାହଡ, ବ୍ରଜରାଜନଗର, ଆନନ୍ଦପୁର, ବଡବିଲ୍, ବିରିମିତ୍ରପୁର, ରାଜଗଂଗପୁର, ରାଉରକେଲା ଏବଂ ବ୍ୟାସନଗର  ପୌରପାଳିକା ଅନ୍ତର୍ଭୁକ୍ତ।

ସେହିପରି ଦୁଇଟି ଏନଏସି ଚମ୍ପୁଆ ଏବଂ ଯୌଡା ମଧ୍ୟ ଏଥିରେ ସାମିଲ କରାଯାଇଛି।  ଏହାଦ୍ବାରା ନିକଟବର୍ତ୍ତୀ ଅଞ୍ଚଳରେ କ୍ରୀଡା ପ୍ରତିଭା ପ୍ରତିପୋଷଣ ଏବଂ ପ୍ରୋତ୍ସାହନ ପାଇଁ ସାହାଯ୍ୟ କରିବ। ଖଣି ଜିଲ୍ଲାମାନଙ୍କରେ କ୍ରୀଡ଼ା ପ୍ରତିଭାର ପୋଷଣ ତଥା ପ୍ରୋତ୍ସାହନ ପାଇଁ ସୁବିଧାଗୁଡ଼ିକର ସର୍ବୋତ୍ତମ ଉପଯୋଗ କରିବାକୁ ମୁଖ୍ୟ ସଚିବ ଶ୍ରୀ ମହାପାତ୍ର ନିର୍ଦ୍ଦେଶ ଦେଇଛନ୍ତି।

ଏହି ବୈଠକରେ ଓଡିଶାର ଖଣି ଅଞ୍ଚଳରେ ପରିବେଶ ସୁରକ୍ଷା ବ୍ୟବସ୍ଥାର ବିକାଶ ପାଇଁ ଆଇସିଟି ଏବଂ ଡାଟା ବିଜ୍ଞାନର ପ୍ରୟୋଗ ପ୍ରକଳ୍ପକୁ ମଧ୍ୟ ଅନୁମୋଦନ କରାଯାଇଛି। ଏଥିପାଇଁ 3.10 କୋଟି ଟଙ୍କା ଅନୁଦାନକୁ ମଧ୍ୟ ସ୍ବୀକୃତ ପିରଦାନ କରାଯାଇଛି। ଏହି ପ୍ରକଳ୍ପଟି ଖଣି ଯୋଗୁଁ ସୃଷ୍ଟି ହେଉଥିବା ପରିବେଶ ପ୍ରଦୂଷଣ ତଥ୍ୟ ଉପରେ ଏକ ବିସ୍ତୃତ ତଥ୍ୟ ସଂଗ୍ରହ ତଥା ବିକାଶ ପାଇଁ ଯୋଜନା କରାଯାଇଛି। ସିଇଓ ନନ୍ଦୁରୀ ଆକଳନ କରିଛନ୍ତି ଯେ ଉତ୍ପାଦିତ ତଥ୍ୟକୁ ପ୍ରଦୂଷଣକୁ ହ୍ରାସ କରିବାରେ ଏବଂ ଖଣି କାର୍ଯ୍ୟ ସମ୍ବନ୍ଧରେ ନିଷ୍ପତ୍ତି ନେବାରେ ବ୍ୟବହାର କରାଯିବ। ଏହି ବୈଠକରେ ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ।