ଆଗାମୀ ସାଧାରଣ ନିର୍ବାଚନ ପରିପ୍ରେକ୍ଷୀରେ ପ୍ରାର୍ଥୀ ଚୟନ ସଂପର୍କରେ ୬ ତାରିଖ ଦିନ ପ୍ରଦେଶ ନିର୍ବାଚନ କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକ କଂଗ୍ରେସ ଭବନ ଠାରେ ଅନୁଷ୍ଠିତ ହୋଇଥିଲା। ଯେଉଁଥିରେ ପ୍ରାର୍ଥୀ ଚୟନକୁ ନେଇ ପିଇସିର ସଦସ୍ୟମାନଙ୍କ ଠାରୁ ପରାମର୍ଶ ନିଆଯାଇଥିଲା। ଜିତିବା ସମ୍ଭାବନା ଓ ଅନ୍ୟାନ୍ୟ ଦିଗକୁ ବିଚାରକୁ ନିଆଯାଇଥିବା ପ୍ରାର୍ଥୀ ତାଲିକା ପ୍ରସ୍ତୁତ ହୋଇଛି। ଆଗାମୀ ନିର୍ବାଚନ ପାଇଁ ଟିକେଟ୍ ବଣ୍ଟନକୁ ନେଇ କଂଗ୍ରେସ ମହଲରେ କସରତ ଜାରି ରହିଛି। ପ୍ରତ୍ୟେକ ଆସନରେ ପ୍ରାୟତଃ ଏକାଧିକ ପ୍ରାର୍ଥୀଙ୍କ ନାଁ ସୁପାରିସ୍ କରାଯାଇଛି। ଏହି ତାଲିକାକୁ ଚୂଡାନ୍ତ ନିଷ୍ପତ୍ତି ପାଇଁ କେନ୍ଦ୍ରୀୟ ନିର୍ବାଚନ କମିଟି (ସିଇସି)କୁ ପଠାଇ ଦିଆଯାଇଛି। ଯାହାକି ସିଇସିର ଅନୁମୋଦନ ପରେ ଆନୁଷ୍ଠାନିକ ଭାବରେ ଗଣମାଧ୍ୟମରେ ପ୍ରକାଶ କରାଯିବ। ପରିବାରବାଦରୁ ବାହାରି କଂଗ୍ରେସ ଟିକେଟ୍ ବଣ୍ଟନକୁ ନେଇ ନୂଆ ଫର୍ମୁଲା ବାହାର କରିଛି। ଫର୍ମୁଲା ଅନୁଯାୟୀ ଗୋଟିଏ ପରିବାରକୁ ଏକାଧିକ ଟିକେଟ୍ ମିଳିବ ନାହିଁ। ବାପା ଚାହିଁଲେ ତାଙ୍କ ପୁଅକୁ ଟିକେଟ୍ ଦେଇ ପାରିବେ ବୋଲି କଂଗ୍ରେସ ରାଜ୍ୟ ପ୍ରଭାରୀ ଜିତେନ୍ଦ୍ର ସିଂହ ଏହି ସୂଚନା ଦେଇଛନ୍ତି। ନିର୍ବାଚନରେ ମହିଳା ଓ ଯୁବ ପ୍ରାର୍ଥୀଙ୍କ ଉପରେ ଗୁରୁତ୍ଵ ଦିଆଯିବ। କଂଗ୍ରେସର ପ୍ରାର୍ଥୀ ଚୟନ ବୈଠକରେ ୧୪୭ ବିଧାନସଭା ଓ ୨୧ ଲୋକସଭା ପାଇଁ ପ୍ରାର୍ଥୀ ଚୂଡ଼ାନ୍ତ ହୋଇଛି। ଏହା ଉପରେ ଶେଷ ମୋହର ତଥା ଅନୁମୋଦନ ପାଇଁ କେନ୍ଦ୍ରୀୟ କମିଟିକୁ ପଠାଯାଇଛି। ଆସନ୍ତା ମାର୍ଚ୍ଚ ୧୦ରେ କଂଗ୍ରେସ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ଘୋଷଣା କରିପାରେ।