Categories
ବିଶେଷ ଖବର ମତାମତ

ଦୁର୍ନୀତି ଜାଲରେ ପଡିଥିବା ଅମଲାତନ୍ତ୍ରର ବଡମାଛମାନଙ୍କ ପ୍ରତି ଆମ ଗଣମାଧ୍ୟମ ଓ ବିରୋଧୀ ନେତାଙ୍କର କରୁଣା ବୋହି ପଡୁଛି କାହିଁକି?

କେଦାର ମିଶ୍ର

ଦୁର୍ନୀତି ନିବାରଣ ବିଭାଗ ଯଦି କେଉଁ ଛୋଟିଆ କର୍ମଚାରୀଙ୍କୁ ଧରିପକାଏ, ତାହେଲେ ଆମର ଗଣମାଧ୍ୟମ ସେମାନଙ୍କ ବିରୋଧରେ ଲମ୍ବା ଅଭିଯୋଗର ଫର୍ଦ୍ଦ ପ୍ରସ୍ତୁତ କରିପକାଏ। କୋଟିପତି କିରାଣୀ ବା ପିଅନଙ୍କ ବିଳାସପୂର୍ଣ୍ଣ ପ୍ରାସାଦ ଭଳି ଅପେରା ମାର୍କା ଶୀର୍ଷକ ଲେଖିବାରେ ଆମ ସାମ୍ବାଦିକତାର ହାତ ଥକି ପଡେ ନାହିଁ। ହେଲେ ଦୁର୍ନୀତି ନିବାରଣ ବିଭାଗ ଯଦି କୌଣସି ବଡ ଅମଲାଙ୍କୁ କାବୁ କରେ, ତାହେଲେ ସେଠି ସାଙ୍ଗେ ସାଙ୍ଗେ ଆମର ଶୀର୍ଷକ ବଦଳି ଯାଏ। କିରାଣୀ ଓ ପିଅନଙ୍କ ଦୁର୍ନୀତି ବିରୋଧରେ ଆମେ ଯେଉଁ ଭାଷା ପ୍ରୟୋଗ କରୁ, ଆଇଏଏସଙ୍କ କ୍ଷେତ୍ରରେ ସେ ଭାଷା ବଦଳିଯାଏ। ସାଙ୍ଗେ ସାଙ୍ଗେ ଆମର ଶୀର୍ଷକ ହୋଇଯାଏ– “ଅଧିକାରୀଙ୍କୁ ଫସେଇଦେବାକୁ ଉଚ୍ଚ ସ୍ତରୀୟ ଷଡଯନ୍ତ୍ର” କିମ୍ବା “ନିଜ ପତିଆରା ଜାହିର କରିବାକୁ ଅମୁକ ଅଧିକାରୀଙ୍କୁ ଫସେଇ ଦେଇଛନ୍ତି ସମୁକ ଅଧିକାରୀ”। ବଡ ବିଚିତ୍ର ଯୁକ୍ତି!

ଗଣମାଧ୍ୟମର ପାତର ଅନ୍ତର ନୀତିର ଗୋଟେ ବଢିଆ ନମୂନା ଆମେ ଏବେ ଦେଖୁଛୁ ରାଜ୍ୟର ଜଣେ ବରିଷ୍ଠ ଆଇଏଏସ ଅଧିକାରୀ ବିଜୟ କେତନ ଉପାଧ୍ୟାୟଙ୍କ କ୍ଷେତ୍ରରେ। କିଛିଦିନ ତଳେ ରାଜ୍ୟ ଉଦ୍ୟାନକୃଷି ବିଭାଗର ନିର୍ଦ୍ଦେଶକ ଥିବା ବିଜୟ କେତନ ଉପାଧ୍ୟାୟଙ୍କୁ ରାଜ୍ୟ ଦୁର୍ନୀତି ନିବାରଣ ବିଭାଗ ଲାଞ୍ଚ ନେଉଥିବା ଅଭିଯୋଗରେ ଗିରଫ କରିଥିଲା। ୨୦୦୯ ବ୍ୟାଚର ଆଇଏଏସ ଅଧିକାରୀ ବିଜୟ କେତନ ଲାଞ୍ଚ ନେଉଥିବାର ଅଭିଯୋଗ କେତେ ସତ ବା ମିଛ, ତାର ପ୍ରମାଣ ଆଗାମୀ ଦିନରେ ଅଦାଲତରେ ହେବ। ତେବେ ଜଣେ ବରିଷ୍ଠ ଅଧିକାରୀଙ୍କ ନାଁରେ ଏ ପ୍ରକାର ଅଭିଯୋଗ ଆସିବା ଅତ୍ୟନ୍ତ ଗୁରୁତର ବିଷୟ। ତୁରନ୍ତ ଏହା ଉପରେ ରାଜ୍ୟ ସରକାର କାର୍ୟାନୁଷ୍ଠାନ ନେବା ଜରୁରୀ ଥିଲା। ଅଭିଯୋଗ ଆସିବା ପରେ ସମ୍ପୃକ୍ତ ଅଧିକାରୀଙ୍କୁ ମୁଖ୍ୟମନ୍ତ୍ରୀ ନିଲମ୍ବିତ କରିଛନ୍ତି ଓ ଦୁର୍ନୀତି ନିବାରଣ ବିଭାଗ ତାଙ୍କୁ ରିମାଣ୍ଡରେ ଆଣି ପଚରା ଉଚୁରା କରୁଛନ୍ତି। ଆଇନ ଅନୁସାରେ ସମ୍ପୃକ୍ତ ଅଧିକାରୀଙ୍କ ବିରୋଧରେ କାର୍ୟାନୁଷ୍ଠାନ ଗ୍ରହଣ କରିବାର ଅଧିକାର ରାଜ୍ୟ ସରକାରଙ୍କର ରହିଛି। ସବୁଠୁ ମଜା କଥା ହେଉଛି ଏହି ଅଧିକାରୀଙ୍କ ସପକ୍ଷରେ ଜଣେ ବରିଷ୍ଠ କଂଗ୍ରେସ ନେତା ଓକିଲାତି କରିବା ଆରମ୍ଭ କରିଛନ୍ତି।

ଏ କ୍ଷେତ୍ରରେ ଗଣମାଧ୍ୟମର ଦାୟିତ୍ଵ କଣ ହେବା ଉଚିତ? ଯେଉଁ ଅଧିକାରୀଙ୍କ ବିରୋଧରେ ସରକାର ଅଭିଯୋଗ ଆଣିଛନ୍ତି, ତାହାର ସତ୍ୟାସତ୍ୟ ଅନୁସନ୍ଧାନ କରିବା ଆମର ପ୍ରାଥମିକ ଦାୟିତ୍ଵ। ହେଲେ ଆମେ କରୁଛୁ କଣ? ଆମେ ସାକ୍ଷ୍ୟ ପ୍ରମାଣରେ ଆମେ  କହିବାକୁ ଚାହୁଁଛୁ ଯେ ବାବୁ ଜଣକ ନିରୀହ ଓ ତାଙ୍କୁ ଫସାଇ ଦେବାକୁ କେହିଜଣେ “ବଡ କ୍ଷମତାଶାଳୀ ଲୋକ” ଉଦ୍ୟମ କରୁଛନ୍ତି। ଇଏ ଏକ ବିଚିତ୍ର ଯୁକ୍ତି। ବଡ ବଡ ଅଧିକାରୀଙ୍କ ଦୁର୍ନୀତିକୁ ବିଶ୍ଵାସ କରିବାକୁ ଆମେ ପ୍ରସ୍ତୁତ ନୋହୁ। ଯେତେବେଳେ ବି ରାଜ୍ୟ ସରକାର କୌଣସି ବଡ ଅଧିକାରୀଙ୍କ ବିରୋଧରେ କିଛି ପଦକ୍ଷେପ ନେବାକୁ ଉଦ୍ୟମ କରନ୍ତି, ତୁରନ୍ତ ଆମର ଗଣମାଧ୍ୟମ ସେହି ଅଧିକାରୀଙ୍କର ରକ୍ଷା କବଚ ହୋଇ ଠିଆ ହୋଇପଡେ। ଓଡିଆ ଗଣମାଧ୍ୟମ, ବିଶେଷ କରି ଟେଲିଭିଜନ ସାମ୍ବାଦିକତାର ଏହା ଏକ ବିଶେଷ ଲକ୍ଷଣ। ଯଦି ରାଜ୍ୟ ସରକାର କୌଣସି ବଡ ଅଧିକାରୀଙ୍କୁ ନିଲମ୍ବିତ କାଲେ, ତାହେଲେ ଟେଲିଭିଜନ ଷ୍ଟୁଡିଓରେ ତାଙ୍କ ଲାଗି ଜାଗା ମିଳିବା ପକ୍କା। ଆମର ସେଲେବ୍ରିଟି ଟିଭି ସାମ୍ବାଦିକମାନେ ଅଭିଯୁକ୍ତ ବାବୁମାନଙ୍କୁ ନିଜକୁ ମହାପୁରୁଷ ଭାବେ ପ୍ରମାଣିତ କରାଇବାର ବ୍ୟାପକ ସୁଯୋଗ ସୃଷ୍ଟି କରାନ୍ତି।

ଏହାର ସବୁଠୁ ବଡ ଉଦାହରଣ ହେଉଛି ପିପିଲିରେ ଗଣଧର୍ଷଣ ଓ ହତ୍ୟାର ଶିକାର ହୋଇଥିବା ବେବିନା ବେହେରାଙ୍କ ଏଫଆଇଆର ରଖିନଥିବା ପୋଲିସ ଅଧିକାରୀଙ୍କୁ ଯେତେବେଳେ ରାଜ୍ୟ ସରକାର ନିଲମ୍ବିତ କଲେ, ସେହି ପୋଲିସ ଅଧିକାରୀଙ୍କୁ ଓଡିଶାର ଏକ ବଡ ଟିଭି ଚାନେଲରେ ନିଜର ପକ୍ଷ ରଖିବାକୁ ତୁରନ୍ତ ସୁଯୋଗ ଦିଆଗଲା। ଅଦାଲତରେ ନିଜର ପକ୍ଷ ରଖିବା ପୂର୍ବରୁ ଗଣମାଧ୍ୟମରେ ଏହି ମହାଶୟ ନିଜକୁ “ହିରୋ” ବନାଇବାର ଗୋଟେ ଭଲ ସୁଯୋଗ ପାଇଗଲେ। 

ଆଜିର ତାରିଖରେ ବିଜୟ କେତନ ଉପାଧ୍ୟାୟଙ୍କ ପ୍ରତି ମଧ୍ୟ ସେଇ ସମାନ ନୀତି ଲାଗୁ ହେବାକୁ ଯାଉଛି। ସରକାରଙ୍କ ଫାଇଭ ଟି କାର୍ୟକ୍ରମକୁ ସମାଲୋଚନା କରିବାକୁ ଯାଇ ଏବେ ବିଜୟ କେତନଙ୍କ ବିରୋଧରେ ଆସିଥିବା ଦୁର୍ନୀତି ଅଭିଯୋଗକୁ ହାଲୁକା କରିଦେବାର ଉଦ୍ୟମ ଆରମ୍ଭ ହେଲାଣି। ଏହି ଅଧିକାରୀ ଜାମିନ ପାଇଲା କ୍ଷଣି ବିଭିନ୍ନ ଟେଲିଭିଜନ ଚାନେଲରେ ବୁଲି ବୁଲି ନିଜକୁ ନିର୍ଦ୍ଦୋଷ ବୋଲି କହିବେ। ସେଥିଲାଗି ଆମର ଷ୍ଟୂଡିଓ ଗୁଡିକ ପ୍ରସ୍ତୁତ ହୋଇ ରହିଛନ୍ତି।

ଏଠି ଆମର ପ୍ରଶ୍ନ ହେଉଛି, ଯେତେବେଳେ ସାଧାରଣ କିରାଣୀ ବା କନେଷ୍ଟବଳ ଟି ବିରୋଧରେ ଦୁର୍ନୀତି ନିବାରଣ ବିଭାଗ ଚଢାଉ କରେ, ସେତେବେଳେ ବି ଆମେ ତାଙ୍କୁ ଏତିକି ସୁଯୋଗ ଦେଇଥାଉ କି? ଦୁର୍ନୀତି ନିବାରଣ ପାଇଁ ବଡମାଛଙ୍କୁ ଛାଡି ଦିଆଯାଉଛି ବୋଲି ଆମେ ସବୁବେଳେ ଅଭିଯୋଗ କରି ଆସିଛୁ। ହେଲେ ଜାଲରେ ବଡମାଛ ପଡିଲେ, ଆମେ ନିଜେ ମାଛକୁ ଜାଲରୁ ଖସାଇ ଦେବାକୁ ତତ୍ପର ହୋଇପଡୁ କାହିଁକି?

 ବିଜୟ କେତନ ଉପାଧ୍ୟାୟ ଦୋଷୀ କି ନିର୍ଦ୍ଦୋଷ, ସେ କଥା ଅଦାଲତ ବିଚାର କରିବେ। ତାଙ୍କୁ ସାମ୍ବାଦିକମାନେ ଆରମ୍ଭରୁ “କ୍ଳିନ ଚିଟ” ଦେବାର ଅର୍ଥ ହେଉଛି, ଦୁର୍ନୀତି ସହିତ ନିଜକୁ ଛିଡା କରାଇବା।                             

Categories
ଆଜିର ଖବର

ବିରୋଧୀ ଦଳ ନେତା ଭାବରେ ନିର୍ବାଚିତ ହେଲେ ଫଡନବିସ୍‌

ମୁମ୍ବାଇ,1/12:  ମହାରାଷ୍ଟ୍ର ବିଧାନସଭାରେ ବିରୋଧୀ ଦଳର ନେତା ଭାବରେ ଦେବେନ୍ଦ୍ର ଫଡନବିସ୍‌ ନିର୍ବାଚିତ ହୋଇଛନ୍ତି । ନାନା ପଟୋଲେ ବାଚସ୍ପତି ଭାବରେ ନିର୍ବାଚିତ ହେବା ପରେ ଗୃହରେ ଏହି ଘୋଷଣା କରିଛନ୍ତି । ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ, ଏନସିପି ବିଧାୟକ ଦଳର ନେତା ଜୟନ୍ତ ପାଟିଲ, ଶିବସେନା ବିଧାୟକ ଏକନାଥ ସିନ୍ଧେ, କଂଗ୍ରେସ ବିଧାୟକ ବାଲାସାହେବ ଥୋରାଟ ଫଡନାବିସଙ୍କୁ ଏହି ଅବସରରେ ଶୁଭେଚ୍ଛା ଜଣାଇଥିଲେ । ବାଚସ୍ପତିଙ୍କ ବିରୋଧୀ ଘୋଷଣା ସମୟରେ ମହା ବିକାଶ ଅଘାଡି ମେଣ୍ଟର ସମସ୍ତ ବିଧାୟକ ଟେବୁଲ ବାଡ଼େଇ ତାଙ୍କୁ ଅଭିବାଦନ ଜଣାଇଥିଲେ । (ଏଜେନ୍ସୀ)

Categories
ଆଜିର ଖବର

ଜୁଆନ୍‌ ଗୁଆଡିଓଙ୍କ ବିପକ୍ଷରେ ଅପରାଧିକ ମାମଲା

ଭେନେଜୁଏଲାର ବିପକ୍ଷ ଦଳର ମୁଖ୍ୟ ନେତା  ଜୁଆନ୍‌ ଗୁଆଡିଓଙ୍କ ବିପକ୍ଷରେ ଅପରାଧିକ ମାମଲା ରୁଜୁ କରାଯାଇଛି। ଦେଶର ସର୍ବୋଚ୍ଚ କୋର୍ଟରେ ଗୁଆଡିଓଙ୍କ ବିପକ୍ଷରେ ଏହି ମାମଲା ଚାଲିବ ବୋଲି ଜଣାପଡିଛି। ରହିଥିବା ପ୍ରମାଣ ଅନୁଯାୟୀ ଗୁଆଡିଓଙ୍କ ବିପକ୍ଷରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ଦେଶଦ୍ରୋହ ଅଭିଯୋଗରେ ଏହି ମାମଲା ରୁଜୁ କରାଯାଇଥିବା ବେଳେ ଆଇନ୍‌ ବ୍ୟବସ୍ଥା ଅନୁଯାୟୀ ଗୁଆଡିଓଙ୍କ ବିପକ୍ଷରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସରକାରୀ ଦଳର ମୁଖ୍ୟ ଜୁଲିଓ ଗାର୍ସିଆ ଜେର୍ପା କହିଛନ୍ତି। ଗୁଆଡିଓ ଯଦି ଏହି ମାମଲାରେ ସମ୍ପୃକ୍ତ ଥାନ୍ତି ତେବେ ନିଜ କର୍ମର ଦଣ୍ଡ ତାଙ୍କୁ ଭୋଗିବାକୁ ପଡିବ ବୋଲି ବିପକ୍ଷ ଦଳର ଅନ୍ୟତମ ସଦସ୍ୟ ଦିଓସାଡୋ କାବେଲୋ ପ୍ରକାଶ କରିଛନ୍ତି।