Categories
ବିଶେଷ ଖବର ରାଜ୍ୟ ଖବର

ଓୟୁଟିଆର ହେବ ନବକଳେବର, ତିନି ବର୍ଷରେ ଖର୍ଚ୍ଚ ହେବ ୧୫୦୦ କୋଟି, ମୁଖ୍ୟମନ୍ତ୍ରୀ ଦେଲେ ମଞ୍ଜୁରୀ

ଭୁବନେଶ୍ବର: ଓଡିଶାର ବୈଷୟିକ ଶିକ୍ଷା କ୍ଷେତ୍ରର ଅଗ୍ରଣୀ ଅନୁଷ୍ଠାନ ଓଡିଶା ବୈଷୟିକ ଶିକ୍ଷା ଓ ଗବେଷଣା ବିଶ୍ବବିଦ୍ୟାଳୟ(OUTR)ର ହେବ ନବକଳେବର। ପୂର୍ବରୁ ଏହା କଲେଜ ଅଫ ଇଞ୍ଜିନିୟରିଂ ଆଣ୍ଡ ଟେକ୍‌ନୋଲୋଜି ବା CET ଭାବେ ପରିଚିତ ଥିଲା। ଭିତ୍ତିଭୂମି ଠାରୁ ଆରମ୍ଭ କରି ମାନବ ସମ୍ବଳର ବିକାଶ ଜରିଆରେ ଏହି ଅନୁଷ୍ଠାନର ହେବ ରୂପାନ୍ତର।

ତିନି ବର୍ଷରେ ତିନୋଟି ପର୍ଯ୍ୟାୟରେ ଖର୍ଚ୍ଚ ହେବ ୧୫୦୦ କୋଟି ଟଙ୍କା। କେବଳ ପ୍ରଥମ ବର୍ଷରେ ବିନିଯୋଗ ହେବ ୧୦୦୦ କୋଟି ଟଙ୍କା । IIM, IIT ଓ NIT ପରି ଖ୍ୟାତିସମ୍ପନ୍ନ ବୈଷୟିକ ଅନୁଷ୍ଠାନ ପରି ଏହାର ବିକାଶ କରାଯାଇପାରିବ । ଆଜି OUTR ର ବିକାଶ ସଂପର୍କିତ master plan କୁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତ।

ବର୍ତ୍ତମାନ OUTRରେ ୪୬୦୦ ଛାତ୍ରଛାତ୍ରୀ ପଢୁଥିବା ବେଳେ ଆଗାମୀ ୫ ବର୍ଷରେ ଯେପରି ୧୦ ହଜାର ଛାତ୍ରଛାତ୍ରୀ ପଢିବାର ସୁଯୋଗ ପାଇବେ, ତାକୁ ଦୃଷ୍ଟିରେ ରଖି ଏହାକୁ IIT ଢାଞ୍ଚାରେ ବିକାଶ କରାଯିବ।

ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ OUTRର ଭିତ୍ତିଭୂମି, ପରିଚାଳନା, ଶିକ୍ଷାଦାନ ଆଦି ସଂପର୍କରେ ସମୀକ୍ଷା କରିଥିଲେ । ଏହି ବିଶ୍ବବିଦ୍ୟାଳୟକୁ ବୈଷୟିକ ଶିକ୍ଷା ଓ ଗବେଷଣା କ୍ଷେତ୍ରରେ ଏକ ଅଗ୍ରଣୀ ଶିକ୍ଷାନୁଷ୍ଠାନ ଭାବରେ ଗଢି ତୋଳିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ। ଶିକ୍ଷା ଓ ଗବେଷଣାର ଗୁଣାତ୍ମକ ମାନ ଉପରେ ମଧ୍ୟ ମୁଖ୍ୟମନ୍ତ୍ରୀ ଗୁରୁତ୍ବ ଦେଇଥିଲେ।

ଉଚ୍ଚମାନର ଶିକ୍ଷାଦାନ ଉପରେ ଗୁରୁତ୍ବ ସହ new age technology ପାଇଁ ନୂଆ ନୂଆ ପାଠ୍ୟକ୍ରମ ଖୋଲାଯାଇ ମାନବ ସମ୍ବଳର ବିକାଶ ତଥା ଆନ୍ତଃ ବିଭାଗୀୟ ଗବେଷଣା କାର୍ଯ୍ୟକ୍ରମକୁ ଉତ୍ସାହିତ କରିବା ପାଇଁ ଅଧିକ Centre of Excellence ମଧ୍ୟ ପ୍ରତିଷ୍ଠା କରାଯିବ। ଏହାସହିତ ଶିକ୍ଷାଦାନ ଓ ଗବେଷଣା ପାଇଁ ଦେଶ ବିଦେଶର ବିଶ୍ବବିଦ୍ୟାଳୟ ସହ ମଧ୍ୟ ସହଭାଗିତାରେ କାର୍ଯ୍ୟ କରାଯିବ।

ପ୍ରଯୁକ୍ତି ବିଦ୍ୟା ଶିକ୍ଷାର୍ଥୀ ମାନଙ୍କ ମଧ୍ୟରେ Startup cultureକୁ ଉତ୍ସାହିତ କରିବା ଏବଂ ସେମାନଙ୍କ ଭିତରେ ଉଦ୍ୟୋଗୀ ମନୋଭାବର ବିକାଶ ପାଇଁ ବିଭିନ୍ନ ଅଗ୍ରଣୀ ଶିଳ୍ପାନୁଷ୍ଠାନ ସହଯୋଗରେ Incubation Centreର ମଧ୍ୟ ବିକାଶ କରାଯିବ। ବିଶ୍ବବିଦ୍ୟାଳୟ ମଧ୍ୟରେ ଗବେଷଣା ସହିତ ଯେପରି ନୂଆ ନୂଆ patent ଓ ବୌଦ୍ଧିକ ସମ୍ପତ୍ତି ଅଧିକାର ହାସଲ କରାଯାଇପାରିବ ହୋଇପାରିବ ସେଥିପାଇଁ ସ୍ବତନ୍ତ୍ର ଧ୍ୟାନ ଦିଆଯିବ।

ସୂଚନାଯୋଗ୍ୟ ଯେ ନିକଟରେ ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଶ୍ରୀ ଭି.କେ. ପାଣ୍ଡିଆନ, OUTR (CET) ପରିଦର୍ଶନ କରି ଅଧ୍ୟାପକ ତଥା ଛାତ୍ରଛାତ୍ରୀ ମାନଙ୍କ ସହିତ ଅନୁଷ୍ଠାନର ବିକାଶ ସଂପର୍କରେ ଆଲୋଚନା କରିଥିଲେ।

ସୂଚନାଯୋଗ୍ୟ ଯେ ଏହି ବିଶ୍ବବିଦ୍ୟାଳୟ ୧୯୮୧ ମସିହାରେ ଓଡିଶା କୃଷି ଓ ବୈଷୟିକ ବିଶ୍ବବିଦ୍ୟାଳୟ ଅଧିନରେ College of Engineering & Technology ବା CET ନାମରେ ପ୍ରତିଷ୍ଠିତ ହୋଇଥିଲା। ୨୦୦୧ ମସିହାରେ ଏହା ଭୁବନେଶ୍ବରର ଘାଟିକିଆ ଠାରେ ଥିବା ୧୦୦ ଏକର ବିଶିଷ୍ଟ ନିଜସ୍ବ କ୍ୟମ୍ପସ୍‌କୁ ସ୍ଥାନାନ୍ତରିତ ହୋଇଥିଲା। ଏହା ହେଉଛି ଓଡିଶାର ଏକମାତ୍ର ଅନୁଷ୍ଠାନ ଯାହାକି NAAC A Grade ମାନ୍ୟତା ହାସଲ କରିପାରିଛି। ୨୦୨୧ରେ ଏହା ଏକ ବିଶ୍ବବିଦ୍ୟାଳୟର ମାନ୍ୟତା ପାଇଥିଲା ଏବଂ ଓଡିଶା ବୈଷୟିକ ଶିକ୍ଷା ତଥା ଗବେଷଣା ବିଶ୍ବବିଦ୍ୟାଳୟ ଭାବରେ ନାମିତ ହୋଇଥିଲା।

ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର ପ୍ରମୁଖ ସଚିବ ଶ୍ରୀ ହେମନ୍ତ ଶର୍ମା, OUTRର ରୂପାନ୍ତର ସଂପର୍କିତ ଏକ ଉପସ୍ଥାପନା ରଖିଥିଲେ। ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଶ୍ରୀ ଭି.କେ. ପାଣ୍ଡିଆନ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।

ବୈଠକରେ OUTRର OSD ଡଃ ରମେଶ ପାତ୍ର ସରକାରଙ୍କ ଲକ୍ଷ୍ୟ ପୂରଣ ଦିଗରେ ନିଷ୍ଠାପର ଉଦ୍ୟମ କରିବେ ବୋଲି କହିଥିଲେ । କାର୍ଯ୍ୟକ୍ରମରେ ଉପସ୍ଥିତ ଛାତ୍ରଛାତ୍ରୀ ମାନେ ସରକାରଙ୍କ ଏହି ଉଦ୍ୟମ ପାଇଁ ଧନ୍ୟବାଦ ଜଣାଇବା ସହିତ ବିଶ୍ବବିଦ୍ୟାଳୟର ଗୌରବ ବୃଦ୍ଧି ପାଇଁ ଯତ୍ନବାନ ହେବେ ବୋଲି କହିଥିଲେ।

ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର, ଉନ୍ନୟନ କମିଶନର ଶ୍ରୀ ପି.କେ. ଜେନା, ଅର୍ଥ ବିଭାଗର ପ୍ରମୁଖ ସଚିବ ଶ୍ରୀ ବିଶାଳ ଦେବ ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

Categories
ବିଶେଷ ଖବର

OUTRରେ ଭିତ୍ତିଭୂମିର ବିକାଶ ସହିତ ଖୋଲିବ ନୂଆ ପାଠ୍ୟକ୍ରମ: ପ୍ରଥମ ପର୍ଯ୍ୟାୟରେ ବିନିଯୋଗ ହେବ ୩ଶହ କୋଟି

ଭୁବନେଶ୍ବର: Odisha university of technology and research କୁ engineering ଶିକ୍ଷା କ୍ଷେତ୍ରରେ ଏକ ଉତ୍କର୍ଷ କେନ୍ଦ୍ର ଭାବରେ ଗଢ଼ିତୋଳିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଭି.କେ. ପାଣ୍ଡିଆନ ଆଜି ଭୁବନେଶ୍ବର ଘାଟିକିଆ ଠାରେ ଥିବା Odisha University of Technology & Research ପରିଦର୍ଶନ କରି ସେଠାରେ ଭିତ୍ତିଭୂମିର ବିକାଶ ପାଇଁ ସ୍ଥିତି ଅନୁଧ୍ୟାନ କରିଛନ୍ତି।

ସୂଚନାଯୋଗ୍ୟ ଯେ ପୂର୍ବରୁ କଲେଜ ଅଫ ଇଂଜିନିୟରିଂ ଆଣ୍ଡ ଟେକ୍ନୋଲୋଜି (CET) ଭାବରେ ପରିଚିତ ଥିବାବେଳେ ଏବେ ଏହା OUTR ବା ଓଡିଶା ବୈଷୟିକ ଓ ଗବେଷଣା ବିଶ୍ବବିଦ୍ୟାଳୟରେ ରୂପାନ୍ତରିତ ହୋଇଛି। ୨୦୨୧ ଜୁଲାଇ ୧୭ ତାରିଖରେ ଏହି ପରିବର୍ତ୍ତନ ପାଇଁ କ୍ୟାବିନେଟରେ ନିଷ୍ପତ୍ତି ହୋଇଥିଲା।

କଲେଜରୁ ବିଶ୍ବବିଦ୍ୟାଳୟ ହେବାପରେ ଏହାର ଭିତ୍ତିଭୂମିର ବିକାଶକୁ ଦୃଷ୍ଟିରେ ରଖି ୫-ଟି ସଚିବ ଭି କେ ପାଣ୍ଡିଆନ ଓ ଆଇ ଟି ବିଭାଗର ପ୍ରମୁଖ ସଚିବ ଶ୍ରୀ ହେମନ୍ତ ଶର୍ମା ଆଜି OUTR ଗସ୍ତ କରି ପରିସ୍ଥିତିର ଅନୁଧ୍ୟାନ କରି ଭିତ୍ତିଭୂମିର ବିକାଶ ସମ୍ପର୍କ ରେ ଆଲୋଚନା କରିଛନ୍ତି।

ଏହି ଆଲୋଚନା ଅନୁଯାୟୀ ପ୍ରଥମ ପର୍ଯ୍ୟାୟରେ ୩୦୦ କୋଟି ବିନିଯୋଗ ପାଇଁ ମୁଖ୍ୟମନ୍ତ୍ରୀ ଅନୁମୋଦନ କରିଥିବା ବେଳେ ଅଧିକ ୪ଟି ବିଭାଗ ଖୋଲିବା ନେଇ ମଧ୍ୟ ନିଷ୍ପତ୍ତି ହୋଇଛି। ୨ରୁ ୩ବର୍ଷ ମଧ୍ୟରେ ବିକାଶ କାର୍ଯ୍ୟ ଓ ଭିତ୍ତିଭୂମି ସ୍ଥାପନ କରି ଜାତୀୟସ୍ତରରେ କିଭଳି ଏହାକୁ ଏକ ଅଗ୍ରଣୀ ଶିକ୍ଷାନୁଷ୍ଠାନ କରାଯିବ ସେଥିପ୍ରତି ଆଲୋଚନାରେ ଗୁରୁତ୍ବ ଦିଆଯାଇଛି।

ସୂଚନାଯୋଗ୍ୟ ଯେ ବିଶ୍ବବିଦ୍ୟାଳୟରେ ମୋଟ ୨୬ଟି ବିଭାଗ ଥିବା ବେଳେ ୪୦୦୦ରୁ ଅଧିକ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି। ଏହାକୁ ଦେଶର ଏକ ଅଗ୍ରଣୀ ଶିକ୍ଷାନୁଷ୍ଠାନ ଭାବେ ପରିଣତ କରିବାକୁ ରାଜ୍ୟସରକାର ନିଷ୍ପତ୍ତି ନେଇଛନ୍ତି।

ବିଶ୍ବବିଦ୍ୟାଳୟର ପ୍ରସ୍ତାବିତ ମାଷ୍ଟର ପ୍ଲାନ ଦେଖିବା ସହ ଭିତ୍ତିଭୂମିର ଆବଶ୍ୟକତା, କର୍ମଚାରୀ ଓ ଅଧ୍ୟାପକଙ୍କ ଆବଶ୍ୟକତା ସମେତ ଛାତ୍ରଛାତ୍ରୀଙ୍କ ପାଇଁ ଆବଶ୍ୟକ ସୁବିଧା ସମ୍ପର୍କରେ ଶ୍ରୀ ପାଣ୍ଡିଆନ ଶିକ୍ଷାନୁଷ୍ଠାନର କର୍ତ୍ତୃପକ୍ଷ ଓ ବିଭାଗୀୟ ସଚିବଙ୍କ ସହ ବିସ୍ତୃତ ଆଲୋଚନା ଓ ସମୀକ୍ଷା କରିଛନ୍ତି।

OUTRକୁ ଗସ୍ତ ସମୟରେ ୫-ଟି ସଚିବ ବିଶ୍ବବିଦ୍ୟାଳୟର ବିଭିନ୍ନ ଲାବୋରେଟୋରୀ ଓ ସ୍ମାର୍ଟକ୍ଲାସ ବୁଲି ଦେଖିଥିଲେ। ଏହାସହିତ ବିଶ୍ବବିଦ୍ୟାଳୟର ବିଭିନ୍ନ ବିଭାଗର ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରି ସେମାନଙ୍କ ଠାରୁ ଫିଡ଼ବ୍ୟାକ ନେଇଥିଲେ। ୫-ଟି ସଚିବଙ୍କ ସହ ସିଧାସଳଖ ଆଲୋଚନା କରିବା ସହ ନିଜ ଶିକ୍ଷାନୁଷ୍ଠାନର ଉନ୍ନତି ବିଷୟରେ ଜାଣି ଛାତ୍ରଛାତ୍ରୀମାନେ ଖୁସି ବ୍ୟକ୍ତ କରିଛନ୍ତି।

ରାଜ୍ୟ ସରକାରଙ୍କ ଏହି ପଦକ୍ଷେପ ଦ୍ୱାରା ଇଞ୍ଜିନିଅରିଂ ପଢ଼ୁଥିବା ଛାତ୍ରଛାତ୍ରୀ ମାନେ ବିଶେଷ ଭାବରେ ଉପକୃତ ହେବେ।

କୋଭିଡ ସମୟରେ ସମଗ୍ର ଦେଶରେ ଶିକ୍ଷା ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡିଥିଲା। ଏହି ସମୟରେ ରାଜ୍ୟରେ ପ୍ରଥମେ ସ୍କୁଲ ଓ ପରେ କଲେଜର ରୂପାନ୍ତରିକରଣ ମାଧ୍ୟମରେ ଶିକ୍ଷା ବ୍ୟବସ୍ଥାକୁ ସଜାଡ଼ିବାକୁ ପଦକ୍ଷେପ ନେଇଛନ୍ତି ରାଜ୍ୟ ସରକାର। ଏହି କ୍ରମରେ ଏବେ ବିଶ୍ବବିଦ୍ଯାଳୟ ଗୁଡିକର ରୂପାନ୍ତର ପାଇଁ ପଦକ୍ଷେପ ଆରମ୍ଭ ହୋଇଛି।

Categories
EngExam ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଭୁବନେଶ୍ବରର ସିଇଟି କଲେଜକୁ ଏକକ ବିଶ୍ବବିଦ୍ୟାଳୟ ପାଇଁ କ୍ୟାବିନେଟ ମଂଜୁରୀ, ଦିଆଗଲା ନୂଆ ନାମ

ଭୁବନେଶ୍ବର, ଆଜି ଅପରାହ୍ନରେ ବସିଥିବା କ୍ୟାବିନେଟ ବୈଠକରେ ଏକ ଗୁରୁତ୍ବପୂର୍ଣ୍ଣ ନିଷ୍ପତି ଗ୍ରହଣ କରାଯାଇଛି। ତାହା ହେଲା ଭୁବନେଶ୍ବରର ଘାଟିକିଆରେ ଥିବା ସିଇଟି କଲେଜକୁ ଏକକ ବିଶ୍ବବିଦ୍ୟାଳୟ ମାନ୍ୟତା ପ୍ରଦାନ କରାଯାଇଛି। ଏଥିସହିତ ଏହାର ନାମ ପରିବର୍ତ୍ତନ କରାଯାଇ ଓଡିଶା ଟେକ୍ନୋଲୋଜି ଏବଂ ଗବେଷଣା ବିଶ୍ୱବିଦ୍ୟାଳୟ ବା OUTR ରଖାଯାଇଛି।

ଏ ସଂପର୍କରେ ଆଜି ସରକାରଙ୍କ ବୈଷୟିକ ଶିକ୍ଷା ବିଭାଗ ଏକ ପ୍ରସ୍ତାବ ଆଣିଥିଲା। ଏଥିରେ CET କଲେଜୁ ଏକ ଅଣ ଅନୁବନ୍ଧିତ ଏକକ ବିଶ୍ବବିଦ୍ୟାଳୟ କରିବା ପାଇଁ କ୍ୟାବିନେଟ ଆଗରେ ପ୍ରସ୍ତାବ ରଖିଥିଲେ। ଏଥିରେ ଏହି ବିଶ୍ବବିଦ୍ୟାଳୟ ନାମକୁ ପରିବର୍ତ୍ତନ କରି ଓଡିଶା ଟେକ୍ନୋଲୋଜି ଏବଂ ଗବେଷଣା ବିଶ୍ୱବିଦ୍ୟାଳୟ ବା OUTR ରଖିବା ପାଇଁ କହିଥିଲେ। ସେହି ଅନୁସାରେ କ୍ୟାବିନେଟ ତାହାକୁ ମଂଜୁର କରିଛନ୍ତି।

ଏପରି କରାଯିବା ପରେ ଏଥିରେ ସ୍ନାତକ ସ୍ନାତକୋତ୍ତର ଏବଂ ପିଏଚଡିରେ ଛାତ୍ରଛାତ୍ରୀ ନାମ ଲେଖାଇପାରିବେ। ଏଥିସହିତ ବୈଶୟିକ, ପ୍ରଯୁକ୍ତିବିଦ୍ୟା ଏବଂ ଇଂଜିନିୟରିଂ କ୍ଷେତ୍ରରେ ନୂଆ ଗବେଷଣା କରିବା ପାଇଁ ଛାତ୍ରଚାତ୍ରୀ ସୁଯୋଗ ପାଇପାରିବେ। ଏହି ସିଇଟି କଲେଜଟି ବର୍ତ୍ତମାନ ବିଜୁ ପଟ୍ଟନାୟକ ବୈଷୟିକ ଶିକ୍ଷା ବିଶ୍ବବିଦ୍ୟାଳୟ ଅଧିନରେ ରହିଛି।