Categories
ଆଞ୍ଚଳିକ ଧର୍ମ

ବେଲଗୁଣ୍ଠା ଥାନା ଗୁଡିପଲୀ ଗ୍ରାମରେ ପଞ୍ଚୁ ଦଣ୍ଡ ମିଳନ

କୈଳାଶ ଚନ୍ଦ୍ର ଚୌଧୁରୀ

ବ୍ରହ୍ମପୁର: ଗଂଜାମ ଜିଲ୍ଲା ବେଲଗୁଣ୍ଠା ଥାନା ଅନ୍ତର୍ଗତ ଗୁଡିପଲୀ ଗ୍ରାମରେ ବିଭିନ୍ନ ସାହି ଯଥା ଗୁଡିପଲୀ, ସୁନାରି ସାହି, ବଢେଇ ସାହି, ସରପଲୀ ଓତଳ ଗୁଡିପଲୀର କୋଠ ଅନୁଷ୍ଠାନ ତରଫରୁ କୋଠ କମିଟି କର୍ମକର୍ତ୍ତାଙ୍କ ସହଯୋଗରେ ପଞ୍ଚୁ ଦଣ୍ଡ ମିଳନ କାର୍ଯ୍ୟକ୍ରମର ଆୟୋଜନ ହୋଇଛି। ଏହି ମିଳନ କାର୍ଯ୍ୟକ୍ରମରେ ବିଭିନ୍ନ ଗ୍ରାମର ଦଣ୍ଡନାଚ ଦଳ ଯଥା ନାରୀଗୋଚ୍ଛା, ସିଂହ ମର୍ଦ୍ଦନ, ଝାଡଭୁଇଁ ଓ କୁଶପଲୀ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ।

ରୀତିନୀତି ଅନୁଯାୟୀ ପଞ୍ଚୁ ଦଣ୍ଡ ମିଳନ କମିଟି ପକ୍ଷରୁ ସକାଳେ ମାଁ ଙ୍କୁ ଆବାହନ ପରେ ଖରାବେଳେ ଧୁଳି ଦଣ୍ଡ, ସନ୍ଧ୍ୟାରେ ଗ୍ରାମ ପୋଖରୀରେ ପାଣି ଦଣ୍ଡ ଓ ରାତ୍ରୀରେ ଦଣ୍ଡ କାଳିଙ୍କର ଅନ୍ନ ଭୋଗ ପରେ ଦଣ୍ଡ ନାଚ ଭୁକ୍ତା ଓ ଗ୍ରାମବାସୀ ପ୍ରସାଦ ସେବନ ପରେ କାଳି ନାଚ ଆରମ୍ଭ ହୋଇ ବିଭିନ୍ନ ପୌରାଣିକ ନାଟକ ପରିବେଷଣ ହୋଇଥିଲା।

ଏହି ଦଣ୍ଡ ମିଳନ କାର୍ଯ୍ୟକ୍ରମରେ ୩୦ ହଜାରରୁ ଉର୍ଦ୍ଧ୍ବ ଶ୍ରଦ୍ଧାଳୁ ଅଂଶ ଗ୍ରହଣ କରିଥିଲେ।ବେଲଗୁଣ୍ଠା ଥାନା ଅଧିକାରୀ ପ୍ରକାଶ ସାହୁ ନିଜ ଥାନା କର୍ମଚାରୀମାନଙ୍କୁ ନେଇ ଆଇନ୍ ଶ୍ରୁଙ୍ଖଳା ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲେ।

Categories
ଆଞ୍ଚଳିକ ଧର୍ମ ସଂସ୍କୃତି

ଚୈତ୍ର ପୂର୍ଣମୀରେ ମା’ ସର୍ବ ମଙ୍ଗଳାଙ୍କ ଝାମୁଯାତ୍ରା ଅନୁଷ୍ଠିତ

ରଣପୁର: ଦୀର୍ଘ ୬୦ ବର୍ଷ ହେବ ନୟାଗଡ ଜିଲ୍ଲା ରଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ ନୂଆଗାଁ ଗ୍ରାମରେ ମା’ ସର୍ଵମଙ୍ଗଳାଙ୍କ ଝାମୁ ଯାତ୍ରା ଅନୁଷ୍ଠିତ ହୋଇ ଆସୁଛି। ମା’ଙ୍କ ଦୈନନ୍ଦିନ ପୂଜା ନୀତି ସମ୍ପନ୍ନ ହେଲା ପରେ ମା’ଙ୍କ କଳସ ଶୋଭାଯାତ୍ରା ଅପରାହ୍ନ ୨:୩୦ ମିନିଟ ସମୟରେ ଅନୁଷ୍ଠିତ ହୋଇଥିଲା। ଏହା ପରେ ପୁଷ୍କରିଣୀରେ ମା’ଙ୍କ କଳସ ପୂଜନ ହୋଇଥିଲା ଓ ପରେ ମା’ ଙ୍କ ଆରତୀ ବନ୍ଦାପନା କରାଯାଇ ମା’ଙ୍କ ମୁଖ୍ୟ ଘଟ ସମେତ ଆଉ ଦୁଇ ଘଟ ପାରମ୍ପରିକ ବାଦ୍ୟ, ଘଣ୍ଟ, ଘଣ୍ଟା ଦ୍ୱାରା ବିରାଟ ଶୋଭାଯାତ୍ରାରେ ମନ୍ଦିର ଅଭିମୁଖେ ଯାତ୍ରା କରିଥିଲେ।

ଏହା ପରେ ମା ନିଜେ ୧୬ ହାତ ଝାମୁ କୁଣ୍ଡରେ ଚାଲିଥିଲେ। ପରେ ମା’ଙ୍କ ଆଦେଶ ବା ହୁକୁମ ଅନୁସାରେ ଯେଉଁ ଭକ୍ତଙ୍କୁ ମା ଡାକି ଥିଲେ ସେହି ଭକ୍ତ ବା ମାନସିକଧାରି ଝାମୁ ଚାଲି ଥିଲେ। ଏହି ଝାମୁ ଯାତ୍ରା ଦେଖିବାକୁ ମା’ଙ୍କ ପୀଠରେ ଶହ ଶହ ଭକ୍ତଙ୍କ ଭିଡ ଲାଗି ରହିଥିଲା।

Categories
ଧର୍ମ ବିଶେଷ ଖବର ରାଜ୍ୟ ଖବର

ପଣା ସଂକ୍ରାନ୍ତି: ବେଗୁନିଆର ଡିଙ୍ଗର ଗାଁରେ ପାଳିତ ହୁଏ ଭିନ୍ନ ଏକ ପରଂପରା

ପ୍ରକାଶ ଭୂୟାଁ

ପବିତ୍ର ମହାବିଷୁବ ସଂକ୍ରାନ୍ତିରେ ଆରମ୍ଭ ହେବ “ମା କାଳିକା”ଙ୍କର ଓଡିଶା ପ୍ରସିଦ୍ଧ ପଣାଯାତ୍ରା। ଖୋର୍ଦ୍ଧା ଜିଲ୍ଲାର ବେଗୁନିଆ। ଜାତୀୟ ରାଜପଥରୁ ଦକ୍ଷିଣକୁ ମାତ୍ର ପାଞ୍ଚ କିଲୋମିଟର ଗଲେ ପଡେ “ଡିଙ୍ଗର” ଗ୍ରାମ। ପ୍ରତି ବର୍ଷ ଏହି ମହାବିଷୁବ ସଂକ୍ରାନ୍ତି ଦିନରେ ପାଳିତ ହୁଏ, ଏ ଅଞ୍ଚଳର ସବୁଠାରୁ ବଡପର୍ବ ତଥା ଏହି ଗଣପର୍ବ।

ଗତ ଦୁଇ ବର୍ଷ ହେବ ମହାମାରୀ କରୋନା ପାଇଁ ପ୍ରଶାସନ ତରଫରୁ ଏହି ଯାତ୍ରାକୁ ବନ୍ଦ କରା ଯାଇଥିଲା। ଯଦିଓ ମା’ଙ୍କର ବିଧି ରକ୍ଷା ପାଇଁ ସ୍ବଳ୍ପ ସଂଖ୍ୟକ ଭକ୍ତଙ୍କୁ ନେଇ ଗତ ଦୁଇ ବର୍ଷ ହେଲା ପାଳନ କରାଯାଇଥିଲା। ଏହି ଗଣପର୍ବକୁ ଏଇଥିପାଇଁ ପଣାଯାତ୍ରା କୁହାଯାଏ ଯେ, ମା “କାଳିକା”ଙ୍କ ନିକଟରେ ପଣା ଲାଗି ହୁଏ। ଯେଉଁମାନେ ମା’ଙ୍କର ସେବା କରନ୍ତି, ସେମାନେ ସଂଧ୍ୟା ସମୟରେ ଥରେ ମାତ୍ର ପଣା ପିଇଥାନ୍ତି ଓ ଅନ୍ୟ ସମୟତକ ନିର୍ଜଳ ଉପବାସରେ ରହିଥାନ୍ତି। କଦଳୀ, ମିଶ୍ରି, ନବାତ, ଗୋଲମରିଚ, ବଟା ମୁଗର ସମ୍ମିଶ୍ରଣରେ ପ୍ରସ୍ତୁତ ହୂଏ ଏହି ସୁସ୍ୱାଦୁ ପଣା।

ମହାବିଷୁବ ସଂକ୍ରାନ୍ତିର ସାତରୁ ଏକୋଇଶି ଦିନ ପୂର୍ବରୁ ସଂଧ୍ୟା ସମୟରେ ମା’ଙ୍କ ପାଟବେତକୁ ନେଇ ଭଗତାମାନେ ପୋଖରୀରେ ଗାଧୋଇ ସାରିଲା ପରେ ମା’ଙ୍କର ମନ୍ଦିର ଅଭିମୁଖେ ବାହାରନ୍ତି। ଏହି ପାଟ ବେତ ମା କାଳିକାଙ୍କର ସ୍ଵରୁପ। ଯିଏ ପାଟ ଧରନ୍ତି ତାଙ୍କୁ ପାଟ ଭଗତା କୁହାଯାଏ। ଦୁଇଜଣ ଦଣ୍ଡ (ଝୁଣା ଦ୍ୱାରା ଆଲୋକ ସୃଷ୍ଟି) ଧରନ୍ତି, ସେମାନଙ୍କୁ ପାଟ ଦଣ୍ଡୁଆ କୁହାଯାଏ। ଏଥିପାଇଁ କେହି କେହି ଏହାକୁ ଦଣ୍ଡ ଯାତ୍ରା ବୋଲି ମଧ୍ୟ କହିଥାନ୍ତି। ଖୁବ୍ ନିଷ୍ଠାର ସହିତ ଏହି ଭଗତାମାନେ ସାତ ଦିନରୁ ଏକୋଇଶ ଦିନ ପର‌୍ୟ୍ୟନ୍ତ ଏହି ଉପବାସ ବ୍ରତ କରିଥାନ୍ତି। ଗାଁ ମାନଙ୍କରେ ଆମିଷ ଖାଇବା ବନ୍ଦ ହୋଇଯାଏ। ଗାଁ ପରିବେଶ କେମିତି ବଦଳିଯାଏ, ଧୂପ ଦୀପର ପବିତ୍ର ବାସ୍ନାରେ। ଆବାଳ ବୃଦ୍ଧବନିତା ସମସ୍ତେ ମା’ ଙ୍କ ପାଇଁ ସମର୍ପିତ ହୋଇଯାଆନ୍ତି।

ମୁଖ୍ୟ ଯାତ୍ରାଟି ହୁଏ ସଂକ୍ରାନ୍ତି ଦିନ। ଦୁଇଟି ପର୍ଯ୍ୟାୟରେ ମା’ ଆସନ୍ତି ପୋଖରୀ ନିକଟକୁ। ପ୍ରଥମ ପଯ୍ୟାୟରେ (ଦିନ ବାରଟା) ମାନସିକ ରଖିଥିବା ଭଗତାମାନେ ପାଟ ଫୋଡିଥାନ୍ତି। ଅଣ୍ଟା ଓ ଛାତିର ମଝିରେ (ଦୁଇ କଡ) ସୁତା (ଅଧ ଆଙ୍ଗୁଳ) ଚମଡାତଳେ ଯାଇଥାଏ। ବେତ ଧରି ପାଟୁଆମାନେ ଆଗପଛ ହେଉଥାନ୍ତି। ଖାଲି ପାଦରେ ପୋଖରୀଠାରୁ ମନ୍ଦିର ପାଖା ପାଖି ଅଢେଇ କିମି ରାସ୍ତା ନିର୍ଘାତ ଖରାରେ ଚାଲି ଚାଲି ଯାଆନ୍ତି। ଘଣ୍ଟ ଢୋଲ ଓ ମର୍ଦ୍ଦଳର ଘୋ ଘୋ ଶବ୍ଦରେ ରାସ୍ତାଘାଟ ପ୍ରକମ୍ପିତ ହୁଏ। ଏହାକୁ କରପାଟ ବା ରଜନୀ ପାଟ କୁହାଯାଇଥାଏ।

ଦ୍ୱିତୀୟ ପର୍ଯ୍ୟାୟ ଯାତ୍ରା ହୁଏ ସଂଧ୍ୟା ସମୟରେ। ଏଥର ଅନୁଷ୍ଠିତ ହୁଏ ଖଣ୍ଡାପାଟ। ଦୋଳ ବିମାନ ଆକୃତିର ସୁସଜ୍ଜିତ ଦଶରୁ ପନ୍ଦରଟି ଖଣ୍ଡାପାଟ ପୋଖରୀଠାରୁ ମନ୍ଦିର ଅଭିମୁଖେ ଆସିଥାନ୍ତି। ଏଥିରେ ତିନୋଟି ଖଣ୍ଡା ଉପରେ ଏକ ଗୋଡରେ ମାନସିକଧାରୀ ଭଗତା ଠିଆ ହୋଇ ଝୁଲୁ ଥାଆନ୍ତି। ପ୍ରତି ବିମାନକୁ ଚାରିଜଣ କାନ୍ଧେଇ ଆଣି ପୋଖରୀରୁ ମନ୍ଦିର ଅଭିମୁଖେ ଆସିଥାନ୍ତି। ଆଗରେ ପାଟଦେତକୁ ଧରି କାଳିସୀ ବାଟ କଢେଇ ଚାଲିଥାଆନ୍ତି, ଏହି ବିମାନ ସଦୃଶ ଖଣ୍ଡାପାଟଗୁଡିକୁ। ଅପୂର୍ବ ଏ ଦୃଶ୍ୟ।

ଯାତ୍ରା ପଡିଆରେ ଖଣ୍ଡାପାଟରେ ଝୁଲାଯାଇଥିବା, ପେନ୍ଥା ପେନ୍ଥା ଆମ୍ବକୁ ଭକ୍ତମାନଙ୍କ ଉପରକୁ ଫଙ୍ଗିଲା ବେଳେ, ଏକ ନିଆରା ପରିବେଶ ସୃଷ୍ଟି ହୁଏ। ଆତସବାଜୀ କି ମନୋମୁଗ୍ଧକର। ସ୍ୱଚକ୍ଷୁରେ ନଦେଖିଲେ ବର୍ଣ୍ଣନା କରିବା ସମ୍ଭବ ନୁହେଁ। ଯାତ୍ରାର ଇତିହାସ କହିଲେ ପ୍ରାୟ ଦୁଇଶହ ବର୍ଷ ତଳର। ଗାଁରେ ଥିବା ଧୀବର ସମ୍ପ୍ରଦାୟର ଏହି ଯାତ୍ରାର ମୁଖ୍ୟ ପୃଷ୍ଠପୋଷକ। କୁହାଯାଏ ଯେ ଏହି ପ୍ରଥା ବା ପରମ୍ପରା ପୁରୀ ଜିଲ୍ଲାର ବ୍ରହ୍ମଗିରି ଅଥବା ସାତପଡା ଅଞ୍ଚଳରୁ ଆସିଛି ଏହି ଧୀବରମାନଙ୍କ ଦ୍ୱାରା। ଯେଉଁମାନେକି ସେତେବେଳେ ଚିଲିକାରୁ ମାଛ ଆଣି ବ୍ୟବସାୟ କରୁଥିଲେ।

କାଳକ୍ରମେ ଏହି ଗ୍ରାମର ଅଧିବାସୀମାନେ ସୁସଙ୍ଗଠିତ ଭାବେ ଯାତ୍ରାଟିକୁ ପରିଚାଳନା କରିଆସୁଛନ୍ତି। ସଂକ୍ରାନ୍ତୀଦିନ ରାତିରେ ଦୋଳବିମାନରେ ସବୁ ସାହିର ଠାକୁରମାନେ ଯାତ୍ରା ପଡିଆକୁ ଆସନ୍ତି। ସ୍ୱତନ୍ତ୍ର ନିମନ୍ତ୍ରଣ କ୍ରମେ ପଡୋଶୀ ଗ୍ରାମ ଗୋଲାପାଟଣା, ଚଣ୍ଡିଆପଲ୍ଲା, ଲେହେଙ୍ଗ ଆଦି ଗ୍ରାମର ଗାଁ ଠାକୁରମାନେ ପଟୁଆରରେ ଆସିଥାନ୍ତି। ରାତି ସାରା ଆତସବାଜୀ ପ୍ରତିଯୋଗୀତା ହୁଏ। ପର ଚାରି ରାତି ଗ୍ରାମବାସୀଙ୍କ ତରଫରୁ ଅପେରା ପ୍ରଦର୍ଶିତ ହୁଏ।