Categories
ଧର୍ମ ବିଶେଷ ଖବର ରାଜ୍ୟ ଖବର

ଶେଷ ହେଲା ପ୍ରସିଦ୍ଧ ବାଣପୁର ପଞ୍ଚୁଦୋଳ, ଚିତାକର୍ଷକ ଥିଲା ଆତସବାଜି

ବାଣପୁର( ସୀତାରାମ ଅଗ୍ରୱାଲ): ଶନିବାର ଓ ରବିବାର ଦିନ ଖୋର୍ଦ୍ଧା ଜିଲ୍ଲା ବାଣପୁର ଐତିହାସିକ ପଲଟଣ ପଡିଆ ଠାରେ ଦୁଇଦିନ ଧରି ପଞ୍ଚୁଦୋଳ ଓ ମେଳଣ ପର୍ବ ଅନୁଷ୍ଠିତ ହୋଇଯାଇଛି। ଚଳିତ ବର୍ଷ ଲୋକମାନେ ଖୁବ ଧୂମଧାମରେ ପାଳନ କରିଛନ୍ତି ମେଳଣ ପର୍ବ। କାହିଁ କେଉଁ ଅନାଦି କାଳରୁ ବାଣପୁରରେ ଏହି ପର୍ବ ପାଳନ କରାଯାଉଛି। ଚୈତ୍ର କୃଷ୍ଣପକ୍ଷ ପ୍ରତିପଦା ଠାରୁ ପାଞ୍ଚଦିନ ପରେ ଶନିବାର ମାହେନ୍ଦ୍ର ବେଳା ରାତ୍ର ୧୧ ଘଟିକା ୩୫ମିନିଟ ପରେ ସ୍ଥାନାଧିପତି ଚରଣ ଚକାଦେବ ଓ ମା’ ଭଗବତୀଙ୍କ ନିମନ୍ତ୍ରଣ କ୍ରମେ ଠାକୁର ମାନେ ମେଳଣ ପଡିଆକୁ ଆସିଥିଲେ।

ପ୍ରଥମେ ମା’ ଭଗବତୀ ଓ ଚକାଦେବ ମେଳଣ ପଡିଆରେ ପଦାର୍ପଣ କରି ଆସନ ଗ୍ରହଣ କଲା ପରେ ବାଣପୁର ଅଞ୍ଚଳର ଗାଁ ସହର ଓ ପୁରପଲ୍ଲୀର ଦେବାଦେବୀ ମାନେ ସୁସଜିତ ଦୋଳ ବିମାନରେ ବିଭିନ୍ନ ଥାଟ ପାଟ ଓ ପଟୁଆରରେ ଆସି ମେଳଣ ପଡିଆରେ ନିଜ ନିଜର ଅସ୍ଥାନରେ ଅଭିଷିକ୍ତ ହୋଇଥିଲେ। ସନ୍ଧ୍ୟା ସମୟରୁ ପଲଟନ ପଡିଆର ଛାୟା ମଣ୍ଡପରେ ସାଂସ୍କୃତିକ କାର୍ଯ୍ୟକ୍ରମର ଆସର ଜମିଥିଲା।

ବିଭିନ୍ନ ଗ୍ରାମର ଦେବା ଦେବୀ ମାନେ ପ୍ରତିଯୋଗିତା ମୁଳକ ପଟୁଆରରେ ଆସିଥିବା ବେଳେ ମୁଖ୍ୟତଃ ଭେଟେଶ୍ୱର ଗ୍ରାମର ଭେଟିନାଥ ଦେବ, ଗାଲୁଆର ଗୁପ୍ତେଶ୍ୱର ଦେବ, ବାଲିପଦର ଗ୍ରାମର ପଟୁଆରକୁ ଦେଖିବାକୁ ଲୋକଙ୍କ ଭିତରେ ଉତ୍କଣ୍ଠା ଜାତ ହୋଇଥିଲା। ଗତବର୍ଷ ଭୂଷଣ୍ଡପୁର ବାଣ ବିସ୍ଫୋରଣ ଘଟଣା ପରେ ବାଣପୁର ପଞ୍ଚୁଦୋଳରେ ପ୍ରଶାସନ ପକ୍ଷରୁ ବାଣ ନିଷେଧ କରାଯାଇଥିବାରୁ ଲୋକଙ୍କ ମାନରେ ନିରାଶା ଭାବ ପରିଲକ୍ଷିତ ହୋଇଥିଲା। ହେଲେ ଚଳିତ ବର୍ଷ ଚିତାକର୍ଷକ ଆତସବାଜି ପ୍ରଦର୍ଶନ ହୋଇଥିଲା।

ରବିବାର ମେଳଣ ପର୍ବରେ ପଞ୍ଚୁଦୋଳ କମିଟି ତରଫରୁ ପଟୁଆର ପାଇଁ ବାଲିପଦର ଲୋକନାଥ ଦେବ ପ୍ରଥମ ଓ ଗାଲୁଆ ଗୁପ୍ତେଶ୍ୱର ଦେବଙ୍କୁ ଦ୍ୱିତୀୟ,ଭେଟେଶ୍ୱର ଭେଟିନାଥ ଦେବଙ୍କୁ ତୃତୀୟ ପୁରସ୍କାର ଦେବାକୁ ଚୟନ କରି କମିଟି ସଭାପତି ତହସିଲଦାର ଟି.ପଦ୍ମନାଭ ଡୋରା, ଉପସଭାପତି ଅମର କାଣ୍ଡି ଓ ସମ୍ପାଦକ ମାଧବ ଚନ୍ଦ୍ର ବାରିକି ପୁରସ୍କାର ବିତରଣ କରିଥିଲେ।

ରବିବାର ଦିନତମାମ ହଜାର ହଜାର ଲୋକଙ୍କ ମେଳଣ ପଡିଆକୁ ଯିବା ଆସିବା ଲାଗି ରହିଥିଲା। ଶ୍ରଦ୍ଧାଳୁମାନେ ପଞ୍ଚୁଦୋଳ ପଡିଆରେ ପହଞ୍ଚି ଦେବାଦେବୀଙ୍କ ଆଶୀର୍ବାଦ ଲାଭ କରି ବିଭିନ୍ନ ପ୍ରକାର ଘର ସରଞ୍ଜାମ, ଖଟ ପଲଙ୍କ ସହ ପିଲାଙ୍କ ପାଇଁ ଖେଳନା କିଣାବିକା କରି ସୁସ୍ୱାଦୁ ଖାଦ୍ୟର ମଜା ନେଇଥିଲେ। ଚଳିତ ବର୍ଷ ଯାତ୍ରାରେ ପ୍ରାୟ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଥିଲା। ପିଲାମାନେ ବିଭିନ୍ନ ପ୍ରକାର ଦୋଳିର ମଜା ଉଠାଉଥିବା ନଜରକୁ ଆସିଥିଲା। ମଥୁରା କେକ ଖାଇବା ପାଇଁ ଦୋକାନ ଆଗରେ ଭିଡ଼ ପରିଲକ୍ଷିତ ହୋଇଥିଲା।

ଅପରାହ୍ନ ପାଞ୍ଚ ଘଟିକା ଗୋଧୂଳି ଲଗ୍ନରେ ସବୁ ଦେବଦେବୀ ଯଂଜ୍ଞ ମଣ୍ଡପର ଚତୁଃପାର୍ଶ୍ଵରେ ପହଂଚିବା ପରେ ଦେବୀ ଭଗବତୀ ଓ ଚନ୍ଦ୍ରଶେଖରଙ୍କର ମିଳନ ହୋଇଥିଲା। ପରେ ପରେ ସମସ୍ତ ଦେବାଦେବୀ ମେଳଣ ପର୍ବରେ ସାମିଲ ହୋଇ ଯଂଜ୍ଞ ମଣ୍ଡପକୁ ସାତଥର ପରିକ୍ରମା କରିଥିଲେ l ମା’ ଭଗବତୀ ପ୍ରଥମେ ମେଳଣ ପଡିଆରୁ ପ୍ରତ୍ୟାବର୍ତନ କଲାପରେ ଅନ୍ୟ ଠାକୁର ମାନେ ମେଳଣ ପଡିଆରୁ ସ୍ଵଗ୍ରାମକୁ ଗମନ କରିଥିଲେ।

ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଲୋକମାନଙ୍କ ପାଇଁ ପାନୀୟ ଜଳ ବିତରଣ କେନ୍ଦ୍ର ଖୋଲାଯାଇ ଜଳ ପ୍ରଦାନ କରାଯାଇଥିଲା l ବହୁ ସଂଖ୍ୟକ ଲୋକଙ୍କ ସମାଗମକୁ ଦେଖି ପୋଲିସ ପ୍ରଶାସନ ତରଫରୁ ବାଲୁଗାଁ ଏସ୍ଡ଼ିପିଓ ସୁଧାଂଶୁ ଶେଖର ମିଶ୍ର, ବାଣପୁର ଆଇଆଇସି ରମେଶ କୁମାର ଦେବତା, ବାଲୁଗାଁ ଆଇଆଇସି ଜୟପ୍ରକାଶ ପରିଡ଼ା, ନାଚୁଣୀ ଆଇଆଇସି ଚନ୍ଦ୍ରଶେଖର ଜେନା, ଟାଙ୍ଗୀ ଆଇଆଇସି ସୁଶାନ୍ତ କୁମାର ବେହରା, ନିରାକାରପୁର ଆଇଆଇସି ବିଶ୍ୱଜିତ ରାଉତରାୟ ଆଦି ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିଥିଲେ। ପଞ୍ଚୁଦୋଳ କମିଟିମାନଙ୍କ ଦ୍ୱାରା ଦୀର୍ଘଦିନ ଧରି ଅକ୍ଲାନ୍ତ ପରିଶ୍ରମ ଫଳରେ ଚଳିତ ବର୍ଷ ସୁଚାରୁ ରୂପେ ମେଳଣ ପର୍ବ ସମାପନ ହୋଇଛି।

Categories
ଆଞ୍ଚଳିକ

ବାଣପୁରରେ ପଞ୍ଚୁଦୋଳ କମିଟି ତରଫରୁ ପ୍ରସ୍ତୁତି ବୈଠକ

ସୀତାରାମ ଅଗ୍ରଓ୍ବାଲ
ବାଣପୁର: ବାଣପୁରର ପଞ୍ଚଦୋଳ କମିଟି ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଐତିହାସିକ ପଲଟଣ ପଡିଆର ଛାୟା ମଣ୍ଡପ ଠାରେ ଏହି ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। ବାଣପୁର ତହସିଲଦାର ମନ୍ମଥ ବେହେରା ଏହି ବୈଠକର ସଭାପତିତ୍ବ କରିଥିଲେ। କମିଟିର ଉପସଭାପତି ତଥା ଗୋଦାବରୀଶ ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ନଳିନୀ କାନ୍ତ ପଟ୍ଟନାୟକ, ସମ୍ପାଦକ ମାଧବଚନ୍ଦ୍ର ବାରିକୀ, କୋଷାଧ୍ୟକ୍ଷ ନବ କିଶୋର ପ୍ରଧାନ, ବରିଷ୍ଠ ସଭ୍ୟ କେଦାର ନନ୍ଦ, ପ୍ରଶାନ୍ତ କୁମାର କାଣ୍ଡି, ବୀରଭଦ୍ର କାଣ୍ଡି, ମୁକୁନ୍ଦ ମହାନ୍ତି, ମୋଇନ୍‌ ଉଲ୍‌ ହକ୍‌, ଯୁବ ସାମ୍ବାଦିକ ଲକ୍ଷ୍ମୀଧର ମହାପାତ୍ର, ଅବସରପ୍ରାପ୍ତ ଶିକ୍ଷକ ବାଳକୃଷ୍ଣ ଦାସ, ରମେଶ ବେହେରା ଏବଂ ବିଭୂତି ନନ୍ଦ ପ୍ରମୁଖ ଏହି ବୈଠକର ଆଲୋଚନାଚକ୍ରରେ ଅଂଶଗ୍ରହଣ କରିଥିଲେ। ଏତଦ୍‌ ବ୍ୟତୀତ ଊମାମହେଶ୍ବର ଆସୋସିଏସନ୍‌ର ମ୍ୟାନେଜିଂ କମିଟି ସମେତ ସମସ୍ତ ମନ୍ଦିରର କାର୍ଯ୍ୟକର୍ତ୍ତା ଉପସ୍ଥିତ ରହିଥିଲେ।

ଏହି ବୈଠକରେ ସୂଚାରୂ ରୂପରେ ମେଳଣ ପରିଚାଳନା ଉପରେ ଆଲୋଚନା କରାଯାଇଥିଲା। ନୂତନ ଭାବରେ ନିର୍ମିତ ମଣ୍ଡପର ବୈଦିକ ରୀତିନୀତି ଅନୁସାରେ ପ୍ରତିଷ୍ଠା ସମ୍ପର୍କରେ ଆଲୋଚନା ହୋଇଥିଲା। କୋଷାଧ୍ୟକ୍ଷ ନବ କିଶୋର ପ୍ରଧାନ ପୂର୍ବବର୍ଷର ହିସାବ ପ୍ରଦାନ କରିଥିଲେ। ଆଗାମୀ ଦିନର ଏକ ନୂତନ ପରିଚାଳନା କମିଟି ଦ୍ବାରା ଆଉ ଏକ ବୈଠକର ଆୟୋଜନ ସମ୍ପର୍କରେ ଆଲୋଚନା କରାଯାଇଥିଲା।