Categories
ନିର୍ବାଚନ ଖବର ବିଶେଷ ଖବର ରାଜ୍ୟ ଖବର

କଣ୍ଟାମାଳ ଓ ନୟାଗଡ ନିର୍ବାଚନ ମଣ୍ଡଳୀରେ ପାଣ୍ଡିଆନଙ୍କ ତୋଫାନି ପ୍ରଚାର, ବିରୋଧୀଙ୍କୁ କଲେ ଟାର୍ଗେଟ

ଭୁବନେଶ୍ବର: ନିର୍ବାଚନ ପ୍ରଚାରର ୧୧ ଦିନରେ ଆଜି ସକାଳେ ବୌଦ୍ଧ, ସୋନପୁର ଓ ବୀରମହାରାଜପୁର ପରେ ଅପରାହ୍ନରେ ବିଜୁ ଜନତା ଦଳର ବରିଷ୍ଠ ନେତା ଶ୍ରୀ କାର୍ତ୍ତିକ ପାଣ୍ଡିଆନ କଣ୍ଟାମାଳ ଓ ନୟାଗଡ ନିର୍ବାଚନ ମଣ୍ଡଳୀରେ ତୋଫାନି ପ୍ରଚାର କରିଥିଲେ।

ନୟାଗଡର ଓଡଗାଁଠାରେ ଆୟୋଜିତ ନିର୍ବାଚନୀ ସଭାରେ ବିରୋଧୀ ବିଜେପି ଦଳକୁ ତୀବ୍ର କଟାକ୍ଷ କରି ଶ୍ରୀ ପାଣ୍ଡିଆନ କହିଲେ ଯେ ବିଜେପି ଦଳ ଗତ ୧୦ ବର୍ଷ ଧରି କ୍ଷମତାରେ ରହି ଆସିଛନ୍ତି। ପୂର୍ବରୁ କେବେ ଚାଷୀ ମନେ ପଡୁ ନଥିଲେ। MSP କଥା ମନେ ପଡୁ ନଥିଲା। ଭତ୍ତା ମନେ ପଡୁ ନ ଥିଲା। ନିର୍ବାଚନ ଆସିଲେ ଚାଷୀ ମନେ ପଡନ୍ତି । ବୁଢାବୁଢୀ ମନେ ପଡନ୍ତି । ଚାହିଁ ଥିଲେ ପୂର୍ବରୁ ଭତ୍ତା ୩୦୦ ରୁ ୩୦୦୦ ଟଙ୍କା କରିପାରିଥାନ୍ତେ। MSP ଦୁଇ ଗୁଣ କରିପାରିଥାନ୍ତେ। ନିର୍ବାଚନ ଆସିଗଲା। ଏବେ ମନେ ପଡୁଛି । ସେମାନେ ଓଡିଶା ଲୋକଙ୍କୁ ବୋକା ଭାବନ୍ତୁ ନାହିଁ । ଓଡିଶା ଲୋକ ଉଚିତ୍‌ ଜବାବ ଦେବେ।

ସେ ଆହୁରି ମଧ୍ୟ କହିଥିଲେ ଯେ ନିର୍ବାଚନ ପ୍ରତିଶୃତି ଥିବା ୨ କୋଟି ଚାକିରୀ କୁଆଡେ ଗଲା। ଦରଦାମ ଆଜି ଆକାଶ ଛୁଆଁ। ଏଥିରେ ଲଗାମ ନାହିଁ। କିନ୍ତୁ ଆମ ମୁଖ୍ୟମନ୍ତ୍ରୀ ଯାହା କହନ୍ତି, ତା’ ଠାରୁ ଅଧିକ କରି ଦେଖାନ୍ତି।

ମୁଖ୍ୟମନ୍ତ୍ରୀ ନୟାଗଡର ବିକାଶ ପାଇଁ ୬୦ କୋଟି ଟଙ୍କା ମଞ୍ଜୁର କରିଛନ୍ତି । ଓଡଗାଁ ରଘୁନାଥ ମନ୍ଦିର ପାଇଁ ସାଢେ ୩ କୋଟି, ବସ୍‌ ଷ୍ଟାଣ୍ଡ ପାଇଁ ୧୧ କୋଟି, ଇନ୍‌ଡୋର ଷ୍ଟାଡିୟମ ପାଇଁ ୬ କୋଟି ଟଙ୍କା ମଞ୍ଜୁର କରିଛନ୍ତି।

ନୟାଗଡ ବିଧାନ ସଭା ପ୍ରାର୍ଥୀ ଅରୁଣ ସାହୁ ଓ ପୁରୀ ସାଂସଦ ପ୍ରାର୍ଥୀ ଅରୁପ ପଟ୍ଟନାୟକଙ୍କୁ ଯୋଡି ଶଙ୍ଖରେ ଆଶୀର୍ବାଦ କରି ନବୀନ ପଟ୍ଟନାୟକଙ୍କ ବିକାଶର ରଥକୁ ଆଗେଇ ନେବା ପାଇଁ ଶ୍ରୀ ପାଣ୍ଡିଆନ ଉପସ୍ଥିତ ଜନସାଧାରଣଙ୍କୁ ନିବେଦନ କରିଥିଲେ।

ସେହିପରି କଣ୍ଟାମାଳରେ ଉପସ୍ଥିତ ବିପୁଳ ଜନସମାବେଶକୁ ଉଦ୍‌ବୋଧନ ଦେଇ ଶ୍ରୀ ପାଣ୍ଡିଆନ କହିଥିଲେ ଯେ ନିର୍ବାଚନ ଆସିଲେ ନୂଆ ନୂଆ ଚେହେରା ଆସିବେ । ମିଠା ମିଠା କଥା କହିବ। ନିର୍ବାଚନ ସରିଗଲେ, ଖୋଜିଲେ ବି ପାଇବେ ନାହିଁ। ଓଡିଶାବାସୀଙ୍କ ପାଇଁ ଦିନରାତି କଠିନ ପରିଶ୍ରମ କରୁଥିବା ଆମ ମୁଖ୍ୟମନ୍ତ୍ରୀ ଅଳ୍ପ କଥା କହନ୍ତି, ଅଧିକା କାମ କରନ୍ତି।

ମୁଖ୍ୟମନ୍ତ୍ରୀଙ୍କୁ ଆଶୀର୍ବାଦ କରିବା ପାଇଁ ୫ ବର୍ଷରେ ଥରେ ଆପଣମାନେ ସୁଯୋଗ ପାଇଛନ୍ତି। ବିଜୁ ଜନତା ଦଳର ସାଂସଦ ପ୍ରାର୍ଥୀ ଡ. ଅଚ୍ୟୁତ ସାମନ୍ତ ଓ ବିଧାୟକ ପ୍ରାର୍ଥୀ ମହିଧର ରଣାଙ୍କୁ ୪୦ ହଜାର ମାର୍ଜିନରେ ଜିତାଇ ମୁଖ୍ୟମନ୍ତ୍ରୀଙ୍କ ହାତମୁଠାକୁ ଟାଣ କରନ୍ତୁ। ଆଉ ଯିଏ ବି କ୍ଷମତାକୁ ଆସିବେ ଓଡିଶା ବିକାଶର ରଥ ଅଟକି ଯିବ। ଆମେ ବିକାଶର ରଥକୁ ଅଟକିବାକୁ ଦେବା ନାହିଁ । ସମସ୍ତେ ମିଶି ଓଡିଶାକୁ ଆଗେଇ ନେବା।

ସେ ଆହୁରି ମଧ୍ୟ କହିଥିଲେ ଯେ ଗତ ୫ ଜୁଲାଇ ୨୦୨୩ ରେ କଣ୍ଟାମାଳ ଆସିଥିଲି। ସେଦିନର ମିଟିଙ୍ଗ୍ ଥିଲା ମୋ ପାଇଁ ସବୁଠାରୁ ସ୍ମରଣୀୟ । ସେଦିନର ମିଟିଙ୍ଗ୍ ଓ ଆପଣମାନଙ୍କର ଖଡଙ୍ଗ ବ୍ୟାରେଜ ସମ୍ପର୍କିତ ଦାବୀ ବିଷୟରେ ଜାଣି ମୁଖ୍ୟମନ୍ତ୍ରୀ ତତ୍‌କ୍ଷଣାତ ମଞ୍ଜୁର କରିଥିଲେ ୨୦୦ କୋଟି ଟଙ୍କା। କଣ୍ଟାମାଳ, ମନମୁଣ୍ଡା ଓ ବାଉଁଶୁଣିକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଏନ୍‌ଏସି ମାନ୍ୟତା ପ୍ରଦାନ କରିଛନ୍ତି।

ଖଇରମାଳ ନଦୀଗର୍ଭ ଜଳାଶୟ ପାଇଁ ୯୨୫ କୋଟି ଟଙ୍କା, ବିରମୁଣ୍ଡା ମନ୍ଦିର ପାଇଁ ୫୦ ଲକ୍ଷ ଟଙ୍କା, ବିଭିନ୍ନ ମନ୍ଦିର, ମସ୍‌ଜିଦ୍‌, ଚର୍ଚ୍ଚ ଓ ମଠର ବିକାଶ ପାଇଁ ୬ କୋଟି ଟଙ୍କା, ତେଲ୍‌ ନଦୀ କୁଟାଯୋର ଠାରେ ହାଇ ଲେଭଲ ସେତୁ ପାଇଁ ୪୬ କୋଟି ଟଙ୍କା, ଖଣ୍ଡିକମ୍ପା ପର୍ଯ୍ୟଟନ କ୍ଷେତ୍ରର ବିକାଶ ପାଇଁ ୨.୧୦ କୋଟି ଟଙ୍କା, ଭାଇବୋହୁ ଦେଢଶୁର ପର୍ଯ୍ୟଟନ କ୍ଷେତ୍ର ପାଇଁ ୧.୪୦ କୋଟି ଟଙ୍କା, କଣ୍ଟାମାଳର ୨୪ଟି ଗ୍ରାମ ପଞ୍ଚାୟତ ଓ ବୌଦ୍ଧର ୧୨ଟି ଗ୍ରାମ ପଞ୍ଚାୟତରେ ମେଗା ପାଇପ୍‌ ଜଳ ଯୋଗାଣ ପାଇଁ ୩୩୦ କୋଟି ଟଙ୍କାର କାମ ଏହି ନିର୍ବାଚନ ମଣ୍ଡଳୀରେ ଚାଲିଛି ।

କଣ୍ଟାମାଳ ନିର୍ବାଚନ ମଣ୍ଡଳୀର ୪୫ ହଜାର ଚାଷୀ କାଳିଆ ଯୋଜନାରେ ଉପକୃତ ହୋଇଥିବା ବେଳେ ପ୍ରାୟ ୬୦ ହଜାର ପରିବାର BSKYରେ ସାମିଲ ହୋଇଛନ୍ତି। କଣ୍ଟାମାଳର ମନୋଜ ପାତ୍ର ଓ ସଦାନନ୍ଦ କର୍ମୀ ଯଥାକ୍ରମେ ଚିକିତ୍ସା ପାଇଁ ୭.୫ ଲକ୍ଷ ଟଙ୍କା ଲେଖାଏଁ BSKY ଯୋଜନାରେ ପାଇ ଆରୋଗ୍ୟ ଲାଭ କରିଛନ୍ତି ବୋଲି ଶ୍ରୀ ପାଣ୍ଡିଆନ କହିଥିଲେ।

ଉଭୟ ସଭାରେ ନୟାଗଡରେ ସାଂସଦ ପ୍ରାର୍ଥୀ ଅରୁପ ପଟ୍ଟନାୟକ ଓ ବିଧାୟକ ପ୍ରାର୍ଥୀ ଅରୁଣ ସାହୁ ଏବଂ କଣ୍ଟାମାଳଠାରେ ସାଂସଦ ପ୍ରାର୍ଥୀ ଡ. ଅଚ୍ୟୁତ ସାମନ୍ତ ଓ ବିଧାୟକ ପ୍ରାର୍ଥୀ ମହିଧର ରଣା ପ୍ରମୁଖ ନିର୍ବାଚନ ପ୍ରଚାର କରି ଶଙ୍ଖ ଚିହ୍ନରେ ଭୋଟ ଦେବାକୁ ନିବେଦନ କରିଥିଲେ।

Categories
ଜାତୀୟ ଖବର ନିର୍ବାଚନ ଖବର ବିଶେଷ ଖବର ରାଜ୍ୟ ଖବର

ନା ଡବଲ ନା ସିଙ୍ଗଲ, ଓଡିଶାରେ କେବଳ ନବୀନ ଇଂଜିନ ଚାଲିବ, ବିରୋଧୀଙ୍କୁ ଟାର୍ଗେଟ କଲେ ପାଣ୍ଡିଆନ

ଭୁବନେଶ୍ବର: ଖରା ଗରମ ଯେମିତି ବଢି ବଢି ଚାଲିଛି, ନିର୍ବାଚନ ପ୍ରଚାରର ଉତ୍ତାପ ମଧ୍ୟ ସେହିପରି ବଢି ବଢି ଚାଲିଛି। ଆଜି ତୃତୀୟ ଦିନରେ ବିଜୁ ଜନତା ଦଳର ବରିଷ୍ଠ ନେତା ଶ୍ରୀ କାର୍ତ୍ତିକ ପାଣ୍ଡିଆନ ପ୍ରଚାର ମଇଦାନରେ ଓହ୍ଲାଇ କଳାହାଣ୍ଡି ଲୋକସଭା ପ୍ରାର୍ଥୀ ଶ୍ରୀ ଲମ୍ବୋଦର ନିଆଲ ଓ ନୂଆପଡାରେ ବିଧାନସଭା ପ୍ରାର୍ଥୀ ଶ୍ରୀ ରାଜେନ୍ଦ୍ର ଢୋଲକିଆ, ଧର୍ମଗଡରେ ପୁଷ୍ପେନ୍ଦ୍ର ସିଂହଦେଓ ଓ ଜୁନାଗଡରେ ଦିବ୍ୟଶଙ୍କର ମିଶ୍ରଙ୍କ ପାଇଁ ପ୍ରଚାର ଆରମ୍ଭ କରିଛନ୍ତି।

ଖଡିଆଳ ରୋଡରୁ ନୂଆପଡା ପର୍ଯ୍ୟନ୍ତ ୧୨ କିଲୋମିଟର ଦୀର୍ଘ ଏକ ବିଶାଳ ରୋଡ ସୋରେ ଆସି ଶ୍ରୀ ପାଣ୍ଡିଆନ ନୂଆପଡା ରାଲିରେ ଯୋଗ ଦେଇଥିଲେ। ରାସ୍ତାରେ ହଜାର ହଜାର ଲୋକ ତାଙ୍କୁ ଉଚ୍ଛସିତ ସମ୍ମାନ ଦେଇଥିଲେ।

ସଭାରେ ପାଣ୍ଡିଆନ କହିଥିଲେ ଯେ ଆପଣଙ୍କ ଏପରି ଜୋସ୍‌ ଏହି ବିଶାଳ ଉପସ୍ଥିତି ଦେଖି ବିରୋଧୀଙ୍କ ନିଦ ହଜୁଛି। ସେମାନେ ଆତ୍ମବିଶ୍ବାସ ହରାଉଛନ୍ତି। ସେମାନେ ବାରମ୍ବାର ଡବଲ ଇଞ୍ଜିନ କଥା କହୁଛନ୍ତି । କିନ୍ତୁ ଡବଲ ଇଞ୍ଜିନ ଯଦି ଏତେ ଭଲ, ପଡୋଶୀ ରାଜ୍ୟ ଛତିଶଗଡରେ ତାଙ୍କ ଇଞ୍ଜିନ ବାରମ୍ବାର ବଦଳୁଛି କାହିଁକି ? ତେଣୁ ନା ଡବଲ, ନା ସିଙ୍ଗଲ ଓଡିଶାରେ ସବୁବେଳେ ନବୀନ ବାବୁଙ୍କ ଇଞ୍ଜିନ ହିଁ ଚାଲିବ। ନବୀନ ବାବୁଙ୍କ ଇଞ୍ଜିନ ସବୁଠାରୁ ମଜବୁତ।

ବିରୋଧୀଙ୍କୁ ଟାର୍ଗେଟ କରି ପାଣ୍ଡିଆନ କହିଲେ ଆପଣଙ୍କ MP ୫ ବର୍ଷରେ କଣ କରିଛନ୍ତି ? ନୂଆପଡା-ଭବାନୀପାଟଣା NH ଦେଖିଲେ ଜଣାପଡୁଛି ତାଙ୍କ ଦକ୍ଷତା। ଆଜି ପର୍ଯ୍ୟନ୍ତ ସେହି ଦୁଇ ଲେନ୍‌ ଅଛି। ରାସ୍ତା ଅବସ୍ଥା ବି ବହୁତ ଖରାପ । ଆପଣଙ୍କ ନୂଆପଡାର ଅନେକ ପଞ୍ଚାୟତରେ ମୋବାଇଲ ନେଟ୍‌ୱାର୍କ ନାହିଁ। ଏହା ହେଉଛି ଆପଣଙ୍କ MPଙ୍କ କାମ। ଆପଣ ନବୀନ ବାବୁଙ୍କ ବିଜୁ ଏକ୍‌ସପ୍ରେସ ୱେ ଦେଖନ୍ତୁ, କେନ୍ଦ୍ର ସରକାରଙ୍କ NH ଦେଖନ୍ତୁ, ଫରକ ନିଜେ ଜାଣି ପାରିବେ। ଧର୍ମଗଡରେ ଯେଉଁଠି ବିଲପଡିଆ ଥିଲା, ଆଜି ତାହା ବିଜୁ ଏକ୍‌ସପ୍ରେସ ୱେ ହୋଇ ଆପଣଙ୍କ ଗମନାଗମନ ବ୍ୟବସ୍ଥାକୁ ସୁଦୃଢ କରିଛି।

ମୁଖ୍ୟମନ୍ତ୍ରୀ ଆମକୁ ଆପଣଙ୍କ ଦରଖାସ୍ତ ଉପରେ କଣ କାମ ହୋଇଛି, ହିସାବ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଆମେ ହିସାବ ଦେବାକୁ ବାଧ୍ୟ । ଆପଣଙ୍କ ଦରଖାସ୍ତ ଉପରେ ୭ ଦିନ, ୧୦ ଦିନ, ୧୫ ଦିନ ଭିତରେ ନିଷ୍ପତ୍ତି ହୋଇଛି। ଜନତାଙ୍କ ପାଇଁ କଣ କରିଛୁ, ତାକୁ ଜଣାଇବା ଦରକାର। ଆଉ ଆମେ ନିଶ୍ଚୟ ଜଣାଇବୁ। କୋଭିଡ ସମୟରେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ମୁଁ ନୂଆପଡା ଆସିଥିଲି, ହସ୍‌ପିଟାଲର ଉନ୍ନତି କଥା ବୁଝିକରି ଯାଇଥିଲି ।

ମୁଖ୍ୟମନ୍ତ୍ରୀଙ୍କ ବିଶାଳ ହୃଦୟରେ ଜନଜାତିଙ୍କ ପାଇଁ ସ୍ବତନ୍ତ୍ର ସ୍ଥାନ ଅଛି। ଆପଣଙ୍କ ଖୁସିରେ ସେ ଖୁସି। ୫୦ ହଜାର ପୋଲିସ କେସ୍‌ ରଦ୍‌ କରିବାକୁ ସେ ନିର୍ଦ୍ଦେଶ ଦେଇ ଆପଣଙ୍କ ଅସୁବିଧା ଦୂର କରିଛନ୍ତି। ଆପଣଙ୍କ ଭାଷା, ସଂସ୍କୃତି, ପୂଜାସ୍ଥଳୀର ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଗଠନ କରିଛନ୍ତି।

ନୂଆପଡାରେ ବିକାଶର ହିସାବ ଦେଇ ସେ କହିଲେ ଯେ ନୂଆପଡା ପାଇଁ ୧୩୧ କୋଟି ଟଙ୍କାର କାମ ହେଉଛି । ନୂଆପଡାରେ ଯୋଗେଶ୍ବର ମନ୍ଦିର ପାଇଁ ୪ କୋଟି, ସୁନାଦେଇ ମନ୍ଦିର ପାଇଁ ୨.୬୦ କୋଟି ଟଙ୍କା ମଞ୍ଜୁର ହୋଇଛି । କୋନାବିରା ମେଗା ଲିଫ୍ଟ ଜଳସେଚନ ପ୍ରକଳ୍ପ ପାଇଁ ୪୨ କୋଟି, ଆଉ ୫ଟି ମେଗା ଲିଫ୍ଟ ପାଇଁ ୧୩୨ କୋଟି ଟଙ୍କା ମଞ୍ଜୁର କରାଯାଇଛି । ଘାଟିପଡାରୁ ସିନାପଲ୍ଲୀ ବିଜୁ ଏକସ୍‌ପ୍ରେସ୍‌ ୱେ ୨୦୮ କୋଟି ଟଙ୍କାରେ କରାଯାଇଛି । ୧୦ ହଜାର ପିଲାଙ୍କ ପାଇଁ ୯୩ଟି ଟ୍ରାଇବାଲ ହଷ୍ଟେଲ କରାଯାଇଛି ।

ନୂଆପଡାର ୩୧୦୦ ମିଶନ ଶକ୍ତି ଗ୍ରୁପକୁ ୧୩୦ କୋଟି ଟଙ୍କାର ବିନା ସୁଧରେ ଋଣ ଦିଆଯାଇଛି। ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ଜିଲ୍ଲାର ୮୪ ହଜାର ହିତାଧିକାରୀଙ୍କୁ ସାମିଲ କରାଯାଇଛି । ୧୨ କୋଟି ଟଙ୍କା ବିନିଯୋଗରେ ନୂଆପଡା ଓ ଖଡିଆଳ ଠାରେ ବହୁମୁଖୀ ଇଣ୍ଡୋର ହଲ୍‌ କରାଯାଇଛି । ଜିଲ୍ଲାର ୪୨,୫୦୦ କେନ୍ଦୁପତ୍ର ହିତାଧିକାରୀଙ୍କୁ ୬.୩ କୋଟି ଟଙ୍କାର ସହାୟତା ପ୍ରଦାନ କରାଯାଇଛି। ଏଥିସହିତ ଜିଲ୍ଲାରେ ୩୬ଟି ଆମ ବ୍ୟାଙ୍କ କାର୍ଯ୍ୟକ୍ଷମ ହୋଇଛି ବୋଲି ସେ କହିଥିଲେ ।

ଧର୍ମଗଡରେ ବିକାଶ କାମର ହିସାବ ଦେଇ ସେ କହିଲେ ଯେ ଧର୍ମଗଡ ନିର୍ବାଚନ ମଣ୍ଡଳୀ ପାଇଁ ୧୧୦ କୋଟି ଟଙ୍କାର କାମ ହେଉଛି। ମା ଭଣ୍ଡାରଘରଣୀ ମନ୍ଦିର ପାଇଁ ୧ କୋଟି ୧୦ ଲକ୍ଷ, ବୁଢାରାଜା ମନ୍ଦିର ପାଇଁ ୭୫ ଲକ୍ଷ, କରକ ଜଳପ୍ରପାତ ପାଇଁ ୧୫ ଲକ୍ଷ, କୋକସରା ବ୍ଲକ୍‌ରେ ମେଗା ପାଇପ ପାଣି ପ୍ରକଳ୍ପ ପାଇଁ ୧୫୦ କୋଟି ଓ କଲମପୁରରେ ମେଗା ପାଇପ ପାଣି ପ୍ରକଳ୍ପ ପାଇଁ ୫୩ କୋଟି, ଆପଣଙ୍କ ୩୨ଟି ପବିତ୍ର ପୀଠସ୍ଥଳୀର ଉନ୍ନତି ପାଇଁ ୧.୨୦ କୋଟି ଟଙ୍କା । ଧର୍ମଗଡର ୨୨୬୦ ମିଶନ ଶକ୍ତି ଗୋଷ୍ଠୀ ପାଇଁ ୫୮ କୋଟି ଟଙ୍କାର ବିନା ସୁଧରେ ଋଣ ଦିଆଯାଇଛି। ଧର୍ମଗଡର BSKYରେ ୯୦,୫୦୦ ହିତାଧିକାରୀ ସାମିଲ ହୋଇଛନ୍ତି । ୬୩୫୦ ଜଣ ୩୦ କୋଟିରୁ ଅଧିକ ଟଙ୍କାର ସ୍ବାସ୍ଥ୍ୟ ସୁବିଧା ପାଇଛନ୍ତି।

ସେହିପରି ଜୁନାଗଡର ହିସାବ ଦେଇ ଶ୍ରୀ ପାଣ୍ଡିଆନ କହିଲେ ଯେ ଏଠାରେ ୨୨୫ କୋଟି ଟଙ୍କାର କାମ ଚାଲିଛି । ଗତ ବର୍ଷ ମଇ ମାସରେ ମୁଁ ଏଠାକୁ ଆସିଥିଲି । ଆପଣଙ୍କ ଦରଖାସ୍ତ ଉପରେ ବହୁତ କାମ ହୋଇଛି । ମା ଲଙ୍କେଶ୍ବରୀ ମନ୍ଦିର ପାଇଁ ୨ କୋଟି ୫୦ ଲକ୍ଷ, ୧୦୯ଟି ମଠ ମନ୍ଦିର, ଚର୍ଚ୍ଚ, ମସଜିଦ, ଗୁରୁଦ୍ବାର ଆଦି ପାଇଁ ୧୧.୫୦ କୋଟି, ଉପର ଇନ୍ଦ୍ରାବତୀ ଦକ୍ଷିଣପଟ ମେନ୍‌ କେନାଲ ପାଇଁ ୧୫୦ କୋଟି, ଜୁନାଗଡରେ ମେଗା ପାଇପ ପାଣି ପାଇଁ ୧୯୦ କୋଟି, ଗୋଲମୁଣ୍ଡାରେ ମେଗା ପାଇପ ପାଣି ପାଇଁ ୧୭୮ କୋଟି ଟଙ୍କାର କାମ ଚାଲିଛି। ଜୁନାଗଡର ୨୦୦୦ ମିଶନ ଶକ୍ତି ଗୋଷ୍ଠୀଙ୍କୁ ୪୮ କୋଟି ଟଙ୍କାର ବିନା ସୁଧରେ ଋଣ ଦିଆଯାଇଛି ।

ଏଠାରେ ୯୦ ହଜାର ହିତାଧିକାରୀ BSKYରେ ସାମିଲ ହୋଇଛନ୍ତି। ଚିଚେଇଗୁଡା ପଞ୍ଚାୟତର ମାଧବୀ ନାଏକ ନାମକ ଜଣେ ମହିଳାଙ୍କ ଚିକିତ୍ସା ପାଇଁ ମୁଖ୍ୟମନ୍ତ୍ରୀ ୧୦ ଲକ୍ଷ ଟଙ୍କା ମଞ୍ଜୁର କରିଛନ୍ତି। ସେହିପରି କୁହୁରା ପଞ୍ଚାୟତର ଦେବରାଜ ସାହୁଙ୍କୁ ସର୍ଜରୀ ପାଇଁ ମୁଖ୍ୟମନ୍ତ୍ରୀ ୫ ଲକ୍ଷ ଟଙ୍କା ଦେଇଛନ୍ତି ବୋଲି ସେ କହିଥିଲେ । ଏହି ସବୁ ସଭାରେ କଳାହାଣ୍ଡି ସାଂସଦ ପ୍ରାର୍ଥୀ ଏବଂ ନୂଆପଡା ଜୁନାଗଡ଼ ଓ ଧର୍ମଗଡ ର ବିଧାୟକ ପ୍ରାର୍ଥୀ ମାନେ ମଧ୍ୟ ଉଦବୋଧନ ଦେଇଥିଲେ।