ନୂଆଦିଲ୍ଲୀ, ସଂସଦର ମୌସୁମୀ ଅଧିବେଶନ ଜୁଲାଇ 19 ରୁ ଆରମ୍ଭ ହେଉଛି। ଏହି ଅଧିବେଶନ ଅଗଷ୍ଟ 13 ତାରିଖ ପର୍ଯ୍ୟନ୍ତ ଜାରି ରଖିବାକୁ ସ୍ଥିର ହୋଇଛି। ଏଥିରେ ମୋଟ 20 କାର୍ଯ୍ୟ ଦିବସ ରହିଛି। ସଂସଦୀୟ ବ୍ୟାପାର ଉପରେ କ୍ୟାବିନେଟ କମିଟି ଜୁଲାଇ 19 ରୁ ଅଗଷ୍ଟ 13 ପର୍ଯ୍ୟନ୍ତ ସଂସଦର ମୌସୁମୀ ଅଧିବେଶନକୁ ସୁପାରିଶ କରିଥିଲା। ଏହି 20 କାର୍ଯ୍ୟ ଦିବସ ଅଧିବେଶନରେ ଅନେକ ବିଲ୍ ଉପସ୍ଥାପିତ ହେବାର ସମ୍ଭାବନା ଅଛି।
Tag: parliament
ନୂଆଦିଲ୍ଲୀ : ଦିଲ୍ଲୀ ହିଂସାକାଣ୍ଡକୁ ନେଇ ଲୋକସଭାରେ ବିବୃତି ରଖିଛନ୍ତି ଗୃହମନ୍ତ୍ରୀ ଅମିତ ଶାହା । ହିଂସାକାଣ୍ଡରେ ସମୁଦାୟ 52 ଜଣ ନିହତ ହୋଇଥିବା ବେଳେ 526 ଜଣ ଆହତ ହୋଇଛନ୍ତି । 371ଟି ଦୋକାନକୁ ଜଳାଇ ଦିଆଯାଇଥିବା ବେଳେ 142ଟି ଘର ଜଳାଇ ଦିଆଯାଇଥିଲା । ଲୋକସଭାରେ ମୃତକଙ୍କ ପାଇଁ ଶୋକ ପ୍ରକାଶ କରିବା ସହିତ ଦିଲ୍ଲୀ ହିଂସାକାଣ୍ଡରେ ସମ୍ପୃକ୍ତ ସମସ୍ତ ବ୍ୟକ୍ତିଙ୍କୁ ଗିରଫ କରାଯିବା ନେଇ ଶାହା ଦୃଢୋକ୍ତି ପ୍ରକାଶ କରିଛନ୍ତି । ପ୍ରତିପକ୍ଷ ଦଳର ନେତାଙ୍କୁ ହିଂସାକାଣ୍ଡ ପାଇଁ ଶାହା ଦାୟୀ କରିଥିଲେ । ଏହାର ପ୍ରତିବାଦରେ କଂଗ୍ରେସ ଏବଂ ଆଇୟୁଏମ୍ଏଲ୍ର ସଂସଦ ମାନେ ଗୃହ ପରିତ୍ୟାଗ କରିଥିଲେ । ଦିଲ୍ଲୀ ପୋଲିସ୍ର କାର୍ଯ୍ୟକୁ ସମସ୍ତେ ନାପସନ୍ଦ କରିଥିବା ବେଳେ ଶାହା ଦିଲ୍ଲୀ ପୋଲିସର ପ୍ରଶଂସା କରିଥିଲେ । ଦିଲ୍ଲୀ ପୋଲିସ୍ର ତତ୍ପରତା କାରଣରୁ ଦଙ୍ଗା ବ୍ୟାପି ନଥିଲା ବୋଲି ଶାହା କହିଛନ୍ତି । (ଏଜେନ୍ସି)
ନୂଆଦିଲ୍ଲୀ : ପଦୋନ୍ନତିରେ ଆରକ୍ଷଣକୁ ବିରୋଧ କରି ସର୍ବୋଚ୍ଚ କୋର୍ଟ ପ୍ରଦାନ କରିଥିବା ରାୟକୁ ବିରୋଧ କରି ସଂସଦରେ ହଙ୍ଗାମା ହୋଇଛି । ବିଭିନ୍ନ ବିପକ୍ଷ ଦଳଙ୍କ ସମେତ ଏନ୍ଡିଏର ସହଯୋଗୀ ଅପ୍ନା ଦଳ ଏବଂ ଏଲ୍ଜେପି ପକ୍ଷରୁ ମଧ୍ୟ ବିରୋଧ କରାଯାଇଛି । ଉଲ୍ଲେଖଯୋଗ୍ୟ ଯେ, ଗତ ସପ୍ତାହରେ ପଦୋନ୍ନତିରେ ଆରକ୍ଷଣ ବ୍ୟବସ୍ଥା ଲାଗୁ ନ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧୀ ଏବଂ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଏହି ନିଷ୍ପତ୍ତିକୁ ବିରୋଧ କରିଥିଲେ । ଦେଶରୁ ଆରକ୍ଷଣ ବ୍ୟବସ୍ଥାକୁ କେବେବି ହଟାଯାଇପାରିବ ନାହିଁ ବୋଲି ଉଭୟ ମତ ଦେଇଛନ୍ତି । ଏହା ସହିତ ସହଯୋଗୀ ଦଳ ଅପ୍ନା ଦଳର ଅନୁପ୍ରିୟା ପଟେଲ ଏବଂ ଏଲଜେପିର ଚିରାଗ ପାଶ୍ବାନ ଏହାକୁ ବିରୋଧ କରିବା ସହିତ ସରକାରଙ୍କ ହସ୍ତକ୍ଷେପ ଦାବି କରିଛନ୍ତି । (ଏଜେନ୍ସି)
ନୂଆଦିଲ୍ଲୀ : ରାମ ମନ୍ଦିର ନିର୍ମାଣକୁ ସୁପ୍ରିମକୋର୍ଟଙ୍କ ପକ୍ଷରୁ ମଞ୍ଜୁରୀ ମିଳିଥିବା ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ବଡ ଘୋଷଣା କରିଛନ୍ତି । ବୁଧବାର ସଂସଦରେ ରାମମନ୍ଦିର ଟ୍ରଷ୍ଟ ପାଇଁ ମୋଦି ଘୋଷଣା କରିଛନ୍ତି । କ୍ୟାବିନେଟ୍ ସହିତ ଆଲୋଚନା କରିବା ପରେ ମୋଦି ଏହି ଟ୍ରଷ୍ଟ ନେଇ ଘୋଷଣା କରିଛନ୍ତି । ଏହି ଟ୍ରଷ୍ଟର ନାମ ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ରଖାଯାଇଛି । ଟ୍ରଷ୍ଟର ସଦସ୍ୟ ମାନଙ୍କ ନାମ ଖୁବ୍ ଶୀଘ୍ର ଘୋଷଣା କରାଯିବ ବୋଲି ମୋଦି କହିଛନ୍ତି । ଏହ ସହିତ ସୁନ୍ନି ଓ୍ବାକଫ୍ ବୋର୍ଡକୁ 5 ଏକର ଜମି ପ୍ରଦାନ କରାଯିବାର ନିଷ୍ପତ୍ତି ନିଆଯାଇଛି ।
କେଦାର ମିଶ୍ର
ତୃତୀୟ ପର୍ୟାୟ ନିର୍ବାଚନ ସରିଗଲା ପରେ ଏବେ ସାରା ରାଜ୍ୟର ଓ କିଛିକାଂଶରେ ପୂରା ଦେଶର ନଜର କେନ୍ଦ୍ରାପଡା ଲୋକସଭା ନିର୍ବାଚନ ଉପରେ ରହିଛି। ଏକଦା ଘନିଷ୍ଠ ବନ୍ଧୁ ଓ ଏବେ ପରଷ୍ପରର ପ୍ରବଳ ଶତ୍ରୁ ପାଲଟିଥିବା ବୈଜୟନ୍ତ ପଣ୍ଡା ଓ ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପତିଆରାର ସଂଘର୍ଷ ଏଠାରେ ଦେଖିବାକୁ ମିଳୁଛି। ଅନେକ ସମୟରେ ଆମକୁ ଏ ପ୍ରଶ୍ନର ସାମ୍ନା କରିବାକୁ ପଡୁଛି- କେନ୍ଦ୍ରାପଡାରେ କିଏ ଜିତିବ? ସତେକି କେନ୍ଦ୍ରାପଡା ଏବେ ପୂରା ଓଡିଶାର ପ୍ରତୀକ ପାଲଟି ଯାଇଛି। ସାରା ରାଜ୍ୟ କେନ୍ଦ୍ରାପଡା ବିଷୟରେ ଯାହା ଭାବୁଛି, କେନ୍ଦ୍ରାପଡା ନିଜ ବିଷୟରେ ସେୟା ଭାବୁଛି କି? ଆମେ ସାଲେପୁରରେ ପହଞ୍ଚିବା ଆଗରୁ ଜଣେ ବାଟୋଇଙ୍କୁ ଏକଥା ପଚାରିଥିଲୁ। ତାଙ୍କର ଉତ୍ତର ଥିଲା- ମୁହଁ ବଦଳିଛି, ହେଲେ ଚିହ୍ନ ବଦଳିନାହିଁ, ତେଣୁ ଇଏ ଆଉ ଅନେକ ନିର୍ବାଚନ ପରି ନୂଆ ଏକ ନିର୍ବାଚନ। ଏକଥାର ଯାହା ଅର୍ଥ କରିବେ ଆପଣମାନେ କରନ୍ତୁ। ହେଲେ କେନ୍ଦ୍ରାପଡା କୁ ଜାଣିବାଲାଗି ଓ ଭୋଟରଙ୍କ ମନୋଭାବ ବୁଝିବାଲାଗି ଗୋଟେ ବଡ ସଙ୍କେତ ଆମକୁ ସେଇଠି ମିଳିଗଲା।
ସାଲେପୁର, ମାହାଙ୍ଗା, କେନ୍ଦ୍ରାପଡା, ରାଜନଗର ଓ ଆଳି ଏମିତି ପାଞ୍ଚୋଟି ବିଧାନସଭା କ୍ଷେତ୍ର ବୁଲିବାର ସମୟ ଆମ ପାଖରେ ଥିଲା। ପାଟକୁରା ଓ ମହାକାଳପଡା ଆମେ ଯାଇପାରିଲୁ ନାହିଁ। ସବୁଠାରେ ଭୋଟରଙ୍କ ମୁହଁ ରେ ଗୋଟେ କଥା- କଡା ଟକ୍କର ହେବ। ବିଜେପି ପ୍ରାର୍ଥୀ ବୈଜୟନ୍ତ ପଣ୍ଡା ଓ ବିଜେଡି ପ୍ରାର୍ଥୀ ଅନୁଭବ ମହାନ୍ତିଙ୍କ ଭିତରୁ ଯିଏ ବି ଜିତିବ, ତାଙ୍କ ପାଇଁ ବିଜୟ ଆଦୌ ସହଜ ନୁହେଁ। ଏକଦା ବିଜେଡ଼ିର ଅଭେଦ୍ୟ ଦୁର୍ଗ କୁହାଯାଉଥିବା କେନ୍ଦ୍ରାପଡାରେ ବୈଜୟନ୍ତ ବିଜେଡି ଲାଗି ଏକ ମୁକାବିଲା ପରିସ୍ଥିତି ସୃଷ୍ଟି କରିଛନ୍ତି, ଯେଉଁଥିରେ ବିଜେଡ଼ିକୁ ନିଜର ସବୁ ଶକ୍ତି ଏଠାରେ ଖଟାଇବାକୁ ବାଧ୍ୟ କରିଛି।
ଭୋଟରଙ୍କ ମନୋଭାବରୁ ବିଲକୁଲ କହି ହେଉନାହିଁ ଯେ, ଏଠାରେ କାହା ସପକ୍ଷରେ ହାୱା ବୋହୁଛି। ବୈଜୟନ୍ତ ଭୋଟରଙ୍କ ପାଇଁ ବ୍ୟକ୍ତି ଭାବରେ ଚର୍ଚ୍ଚିତ, ହେଲେ ବିଜେପି କୁ ନେଇ ସେଠାରେ କୌଣସି ବିଶେଷ ଆଗ୍ରହ ନାଇଁ। ପ୍ରଧାନମନ୍ତ୍ରୀଙ୍କ କେନ୍ଦ୍ରାପଡା ସଭା ପରଦିନ ଆମେ ପଚାରି ବୁଝୁଥିଲୁ ଯେ, କେନ୍ଦ୍ରାପଡା ନିଜର ରଙ୍ଗ ଗେରୁଆ କରିବାକୁ ଚାହେଁ କି? ଏହାର ସିଧାସଳଖ ଉତ୍ତର ହେଉଛି, ଏଠି ପ୍ରାର୍ଥୀ ଭଲଲୋକ, ହେଲେ ଦଳ ପସନ୍ଦ ନୁହେଁ। କେନ୍ଦ୍ରାପଡାର ଯେଉଁମାନେ ମୂଳ ବିଜେପି ଓ ସଂଘ ସଦସ୍ୟ ସେମାନେ ବୈଜୟନ୍ତଙ୍କ ପାଇଁ ଉଦାସୀନ ବା ନୀରବ। ବୈଜୟନ୍ତଙ୍କ ପ୍ରଚାର କିନ୍ତୁ ଭଲ ଜମୁଛି। ବୈଜୟନ୍ତଙ୍କ ସମର୍ଥକ ଓ ପ୍ରଶଂସକ ତାହେଲେ କିଏ? ବିଜେଡ଼ିର ଅଳ୍ପ କିଛି ଅସନ୍ତୁଷ୍ଟ ନେତା ଅଛନ୍ତି, ଯେଉଁ ମାନେ ତାଙ୍କର ସମର୍ଥକ। ତେବେ ସବୁଠୁ ବଡ ବୈଜୟନ୍ତ ସମର୍ଥକ ଏବେ ଏକ ଆଚମ୍ବିତ ଗୋଷ୍ଠୀରୁ ଆସିଛନ୍ତି। କଂଗ୍ରେସ ଦଳର ପ୍ରାୟ ନବେ ଭାଗ ସମର୍ଥକ ଏବେ ବୈଜୟନ୍ତଙ୍କ ପତାକା ଧରି ବୁଲୁଛନ୍ତି। ସାଲେପୁର କଂଗ୍ରେସ ବିଧାୟକ ତ ସହଜେ ବିଜେପିରେ ଅଛନ୍ତି, ହେଲେ ସେଠିକାର କଂଗ୍ରେସ ପ୍ରାର୍ଥୀ ମଧ୍ୟ ବୈଜୟନ୍ତଙ୍କୁ ଭିତିରି ସମର୍ଥନ ଦେଉଛନ୍ତି ବୋଲି ଚର୍ଚ୍ଚା ହେଉଛି।
ଆଳି ବଜାରରେ ଆମକୁ ଜଣେ କଂଗ୍ରେସ କର୍ମୀ କହିଥିଲେ- ଆମ ପରିବାର ଦେବଶର୍ମାଙ୍କ ସମର୍ଥକ କିନ୍ତୁ ମୋ ଝିଅ ବୈଜୟନ୍ତଙ୍କ ଲାଗି ପ୍ରଚାର କରୁଛି। ଆମେ ବିଧାୟକଙ୍କୁ ହାତରେ ଓ ସାଂସଦଙ୍କୁ ଫୁଲରେ ଭୋଟ ଦେବୁ। ଗତ ଥର କଂଗ୍ରେସ ପାଖାପାଖି ଚାରି ଲକ୍ଷ ଭୋଟ ଏଠାରୁ ପାଇଥିଲା, ଏଥର ତାର ଅଧା ଭୋଟ କଂଗ୍ରେସ ପ୍ରାର୍ଥୀ ଧରଣୀଧର ନାୟକଙ୍କୁ ମିଳିବାର ସମ୍ଭାବନା ନାହିଁ। ଧରଣୀବାବୁଙ୍କ ପ୍ରଚାର ଏବେ କେବଳ ସାମ୍ବାଦିକ ସମ୍ମିଳନୀରେ ସୀମିତ ରହିଛି। ଆଳି, ରାଜନଗର, କେନ୍ଦ୍ରାପଡା ଓ ସାଲେପୁରର ଏକ ବଡ କଂଗ୍ରେସ ଭୋଟ ଅଂଶ ବୈଜୟନ୍ତଙ୍କ ପାଖକୁ ଯିବ। ସାରା ଦେଶରେ କଂଗ୍ରେସ ଓ ବିଜେପି ଭିତରେ ଅହି ନକୁଳ ସମ୍ପର୍କ ରଖିଥିବା ବେଳେ, କେନ୍ଦ୍ରାପଡାରେ ଏମାନେ ଭାଇ ଭାଇ ହୋଇ ଲଢୁଛନ୍ତି। ଗତ ନିର୍ବାଚନରେ ଆଳି, ରାଜନଗର ତଥା ସାଲେପୁର ଆସନ କଂଗ୍ରେସ ହାତକୁ ଯାଇଥିଲା। ଏଥର କେବଳ ରାଜନଗର ଆସନରେ କଂଗ୍ରେସ ସ୍ଥିତି ସାମାନ୍ୟ ଭଲ ରହିଛି। ତେବେ ସବୁ କଂଗ୍ରେସ ବିଧାୟକ ପ୍ରାର୍ଥୀଙ୍କ ଭୋଟ ବୈଜୟନ୍ତଙ୍କ ପାଖକୁ ଯେମିତି ଆସେ, ସେମିତି ଏକ “ଡିଲ” ହୋଇଛି ବୋଲି ଅନେକ କଂଗ୍ରେସ ସମର୍ଥକ ଖୋଲାଖୋଲି ସ୍ଵୀକାର କରିଛନ୍ତି।
କେନ୍ଦ୍ରାପଡାରେ କଂଗ୍ରେସ, ବିଜେପି ଓ ଅସନ୍ତୁଷ୍ଟ ବିଜେଡି ମିଶି ଏକ ଶକ୍ତିଶାଳୀ ବିଜେଡି ବିରୋଧୀ ଭୋଟବ୍ୟାଙ୍କ ହୁଏତ ତିଆରି ହୋଇଥାଇପାରେ। ଏହା ବିଜେଡ଼ିର ଦୁର୍ଗ ପତନରେ ସାହାଯ୍ୟ କରିବ କି? ଲୋକଙ୍କ ମତରେ ଆଜି ମଧ୍ୟ ମହାକାଳପଡା, ଆଳି ଓ ମାହାଙ୍ଗାରେ ବିଜେଡ଼ିର ବିଧାୟକମାନେ ଜିତିବା ସ୍ଥିତିରେ ଅଛନ୍ତି। କେନ୍ଦ୍ରାପଡା ଓ ରାଜନଗରରେ କଂଗ୍ରେସ ଓ ବିଜେଡି ଭିତରେ କଡା ମୁକାବିଲା ରହିଛି। କେବଳ ପାଟକୁରାରେ ବିଜେପି ଆଗୁଆ ରହିଛି, ଯାହାର ମୁଖ୍ୟ କାରଣ ବିଜୟ ମହାପାତ୍ରଙ୍କ ପ୍ରତ୍ୟାବର୍ତ୍ତନ। ପାଟକୁରା ଓ ସାଲେପୁର ବ୍ୟତୀତ ବାକି ସବୁ ଆସନରେ ବିଜେପି ତୃତୀୟ ସ୍ଥାନରେ ରହିଛି। ସେହି ଦୃଷ୍ଟିରୁ ପାଞ୍ଚଟି ରୁ ଅତିକମରେ ତିନୋଟି ବିଧାନସଭା ଆସନରେ କଂଗ୍ରେସ ଭୋଟ ସମୂଳେ ବୈଜୟନ୍ତଙ୍କ ଖାତାକୁ ଯାଇପାରିବ କି? ଯଦି ତାହା ସମ୍ଭବ ହୁଏ, ତାହେଲେ କେନ୍ଦ୍ରାପଡାରେ ବୈଜୟନ୍ତ ଜିତିବାର ସମ୍ଭାବନା ସୃଷ୍ଟି ହେବ, ନଚେତ ଆଜି ମଧ୍ୟ ବିଜେଡି ଲାଗି କେନ୍ଦ୍ରାପଡା ବିଜୟର ବାର୍ତ୍ତା ଦେବ।
( ମୋବାଇଲରେ ଫଟାଫଟ ଖବର ଜାଣିବା ପାଇଁ ଡାଉନଲୋଡ କରନ୍ତୁ SANKHIPTA ଆପ, ଏହାପରେ ସ୍କ୍ରିନର ତଳୁ ଉପରକୁ ଘଷି ଘଷି ପଢି ଚାଲନ୍ତୁ ଖବର ପରେ ଖବର )
ଦିଲ୍ଲୀପ ସାବତ
ସିନେମା କଳାକାରମାନେ ଲୋକପ୍ରିୟତାକୁ ହାସଲ କରି ରାଜନୀତିରେ ଯୋଗ ଦେଇଥାନ୍ତି। ଅଭିନୟର ଏକ ଲମ୍ବା ଅଧ୍ୟାୟ ଅତିକ୍ରମ କଲାପରେ ଦର୍ଶକଙ୍କ ପାଖରେ ରାଜନୈତିକ ଏକ ଲୋକପ୍ରିୟ ସିନେତାରକାମାନଙ୍କ ରାଜନୀତିରେ ସଂପୃକ୍ତି, ସୁସ୍ଥ ଓ ସଫଳ ପଦ ମର୍ଯ୍ୟାଦା ହାସଲ ଦିଗରେ ସହାୟକ ହୋଇଥାଏ। ହେଲେ ସଂସଦରେ ତଥାକଥିତ ତାରକା ସାଂସଦମାନଙ୍କ ଉପସ୍ଥାନ ଓ ସକ୍ରିୟତା ନେଇ ନିକଟରେ ସଂସଦୀୟ କାର୍ଯ୍ୟାବଳୀ ଉପରେ ତଥ୍ୟ ଭିତ୍ତିକ ଗବେଷଣା ଓ ପର୍ଯ୍ୟବେକ୍ଷଣ ରଖୁଥିବା ସଂସ୍ଥା ପିଆରଏସ୍ ଲେଜିସଲେଟିଭର ଏକ ଅନୁସନ୍ଧାନଧର୍ମୀ ରିପୋର୍ଟରୁ ଜଣାଯାଇଛି।
ଲୋକସଭାରେ ଜଣେ ସଦସ୍ୟଙ୍କ ହାରାହାରି ଉପସ୍ଥାନ ୮୨। ସେହିପରି ବରିଷ୍ଠଙ୍କ ସଦନ କୁହାଯାଉଥିବା ରାଜ୍ୟସଭାରେ ଉପସ୍ଥାନ ହେଉଛି ୭୯ ପ୍ରତିଶତ। ଯଦି ଏହାକୁ ମାପକ ଭାବେ ଗ୍ରହଣ କରାଯାଏ ତେବେ ଉଭୟ ଗୃହର ସଦସ୍ୟ ହୋଇଥିବା ତଥାକଥିତ ତାରକା ସାଂସଦଙ୍କ ଉପସ୍ଥାନ ଅତ୍ୟନ୍ତ ନୈରାଶ୍ୟଜନକ। ଏହି ରିପୋର୍ଟରେ ତଥ୍ୟ ରଖାଯାଇଛି ଯେ ଲୋକସଭାରେ କେବଳ ଜଣଙ୍କୁ ଛାଡ଼ିଦେଲେ ଅନ୍ୟ ସବୁ ତାରକା ସାଂସଦଙ୍କ ଉପସ୍ଥାନ ଜାତୀୟ ହାରାହାରି ଅର୍ଥାତ୍ ୮୨ ପ୍ରତିଶତ ଠାରୁ କମ୍। ତେବେ ଖୁସିର କଥା ପଞ୍ଜାବର ଚଣ୍ଡୀଗଡ଼ ଲୋକସଭା ନିର୍ବାଚନରୁ ବିଜୟ ଲାଭ କରିଥିବା ବିଜେପି ସାଂସଦ ତଥା ବରିଷ୍ଠ ସିନେକଳାକାର କିରଣ ଖେରଙ୍କ ଉପସ୍ଥାନ ହେଉଛି ୮୫ ପ୍ରତିଶତ। ତାଙ୍କ ଉପସ୍ଥିତି ଦର୍ଶାଉଛି ଯେ,ସେ କେବଳ ଜାତୀୟ ହାର ଠାରୁ ଅନ୍ୟ ତାରକା ସାଂସଦଙ୍କ ଉପସ୍ଥାନ ଠାରୁ ସବୁଠାରୁ ଉପରେ ରହିଛନ୍ତି। ସେହିପରି ବିଜେପି ସାଂସଦ ତଥା ବେଶ୍ ପରିଚିତ ଅଭିନେତା ପରେଶ ରାୱଲ ତୃତୀୟ ସ୍ଥାନରେ ରହିଥିବାବେଳେ ବିଜେପିର ବିହାରୀ ଓ ଭୋଜପୁରୀ ଅଭିନେତା ମନୋଜ ତିୱାରୀ ଓ ତୃଣମୂଳ କଂଗ୍ରେସର ପଶ୍ଚିମବଙ୍ଗର ବର୍ଷିଆନ ଅଭିନେତ୍ରୀ ଶତାବ୍ଦୀ ରାୟ ଏହି ଦୁଇଜଣ ୭୬ ପ୍ରତିଶତ ଉପସ୍ଥାନ ରହି ମିଳିତ ଭାବରେ ଦ୍ୱିତୀୟ ସ୍ଥାନ ପାଇଛନ୍ତି।
ତେବେ ବିହାରରୁ ବିଜେପି ଟିକେଟରୁ ଜିତିଥିବା ବରିଷ୍ଠ ଅଭିନେତା ତଥା ବିହାରୀ ବାବୁ ଭାବେ ପରିଚିତ ଶତ୍ରୁଘ୍ନ ସିହ୍ନାଙ୍କ ଉପସ୍ଥାନ ୬୮ ପ୍ରତିଶତ। ଉତ୍ତରପ୍ରଦେଶର ମଥୁରାରୁ ବିଜେପି ଟିକେଟରେ ଜିତିଥିବା ସମସ୍ତଙ୍କର ଅତି ପରିଚିତ ଡ୍ରିମଗାର୍ଲ ଭାବେ ଜଣାଶୁଣା ହେମାମାଳିନୀଙ୍କ ଉପସ୍ଥାନ ହେଉଛି ମାତ୍ର ୩୭ ପ୍ରତିଶତ। ଯଦିଓ ସେ ସଂସଦରେ ଦଶଟି ବିତର୍କରେ ଭାଗ ନେଇ ୧୧୩ଟି ପ୍ରଶ୍ନ ପଚାରିଛନ୍ତି। ଜାତୀୟ ସ୍ତରର ନେତାମାନଙ୍କ ତଥ୍ୟ ଉପସ୍ଥାପନ ବେଳେ ଆମ ଓଡ଼ିଶା କଥା ବିଚାର କରାଯାଉ। ଓଡ଼ିଶାରେ ବେଶ ନାଁ କରିଥିବା ସିନେ ତାରକା ତଥା ବ୍ରହ୍ମପୁରରୁ ଲଗାତର ଭାବେ ବିଜେଡ଼ି ଟିକେଟରୁ ଜିତୁଥିବା ଅଭିନେତା ସିଦ୍ଧାନ୍ତ ମହାପାତ୍ରଙ୍କ ଲୋକସଭାରେ ଉପସ୍ଥାନ ହେଉଛି ୬୮ ପ୍ରତିଶତ। ସେ ୨୦୯ଟି ବିଭିନ୍ନ ପ୍ରଶ୍ନ ପଚାରିଛନ୍ତି ୩୧ଟି ବିତର୍କରେ ଯୋଗଦେଇଛନ୍ତି। ସେହିପରି ଓଡ଼ିଶାର ଅନ୍ୟଜଣେ ବିଶିଷ୍ଟ ଅଭିନେତା ଓଲିଉଡ ତାରକା ଅନୁଭବ ମହାନ୍ତି ରାଜ୍ୟସଭାକୁ ନିର୍ବାଚିତ ହୋଇ ୭୦ ପ୍ରତିଶତ ତାଙ୍କ ଉପସ୍ଥିତି ଥିବାର ଏହି ରିପୋର୍ଟ ଦର୍ଶାଇଛି।
ଏହି ରିପୋର୍ଟରେ ତଥ୍ୟ ରଖାଯାଇଛି ଯେ ଲୋକସଭା ଏହି ତଥାକଥିତ ତାରକା ସାଂସଦ ମାନଙ୍କ ଅପେକ୍ଷା ରାଜ୍ୟ ସଭାରେ ତାରକା ସାଂସଦଙ୍କ ଉପସ୍ଥାନ ଅତ୍ୟନ୍ତ ନୈରାଶ୍ୟଜନକ। ଏହି ରିପୋର୍ଟର ତଥ୍ୟ ଅନୁଯାୟୀ ୨୦୧୪ରୁ ରାଜ୍ୟସଭା ସଦସ୍ୟ ହୋଇଥିବା ତୃଣମୂଳ କଂଗ୍ରେସର ବିଶିଷ୍ଟ ରାଜନେତା ମିଥୁନ ଚକ୍ରବର୍ତ୍ତୀଙ୍କ ଉପସ୍ଥାନ ହେଉଛି ମାତ୍ର ୧୦ ପ୍ରତିଶତ। ସବୁଠାରୁ ଚିନ୍ତାଜନକ ଚିତ୍ରଟି ହେଉଛି ମିଥୁନଦା କୌଣସି ଗୋଟିଏ ବିତର୍କରେ ଭାଗ ନେଇନାହାନ୍ତି କି ଗୋଟିଏ ପ୍ରଶ୍ନ ବି ପଚାରି ନାହାଁନ୍ତି। କେବଳ ମିଥୁନ ଦା ନୁହଁନ୍ତି ୨୦୧୨ରୁ ରାଜ୍ୟସଭା ସଭ୍ୟ ହୋଇଥିବା ଭାରତର ବିଶିଷ୍ଟ ଅଭିନେତ୍ରୀ ରେଖା ଗଣେଶନଙ୍କ ଉପସ୍ଥାନ ହେଉଛି ମାତ୍ର ୫ ପ୍ରତିଶତ। ସେ ନାଁ ଗୋଟିଏ ପ୍ରଶ୍ନ ପଚାରିଛନ୍ତି ନାଁ କୌଣସି ଗୋଟିଏ ବିତର୍କରେ ଭାଗ ନେଇଛନ୍ତି। ଉତ୍ତରପ୍ରଦେଶରୁ ରାଜ୍ୟସଭାକୁ ସମାଜବାଦୀ ପାର୍ଟିରୁ ନିର୍ବାଚିତ ହୋଇଥିବା ଜୟାବଚ୍ଚନଙ୍କ ରାଜ୍ୟସଭାରେ ଉପସ୍ଥାନ ହେଉଛି ୭୪ ପ୍ରତିଶତ। ସେହିପରି ବଙ୍ଗୀୟ ଅଭିନେତା ତାପସ ପାଲ ଓ ଅଭିନେତ୍ରୀ ମୁନମୁନ୍ ସେନଙ୍କ ଉପସ୍ଥାନ ହେଉଛି ୭୦ ପ୍ରତିଶତ।
ସମଗ୍ର ପୃଥିବୀରେ ଭାରତ ହେଉଛି ଏକ ସର୍ବବୃହତ୍ ଗଣତାନ୍ତ୍ରିକ ରାଷ୍ଟ୍ର। ଗଣତାନ୍ତ୍ରିକ ବ୍ୟବସ୍ଥାରେ ଭାରତର ଶାସନ ବ୍ୟବସ୍ଥା ଲୋକସଭା ଓ ରାଜ୍ୟସଭାକୁ ନେଇ ପରିଚାଳିତ ହୁଏ। ଜଣେ ଜଣେ ସାଂସଦଙ୍କ ପାଇଁ ସରକାରଙ୍କ ରାଜସ୍ୱରୁ ଲକ୍ଷ ଲକ୍ଷ ଟଙ୍କା ସେମାନଙ୍କ ବେତନ, ଭତ୍ତା ଓ ଆନୁସଙ୍ଗିକ ଖର୍ଚ୍ଚ ପାଇଁ ବ୍ୟୟିତ ହୋଇଥାଏ। ସେହିପରି ସେମାନଙ୍କ ସାଂସଦ ପାଣ୍ଠି ପାଇଁ କୋଟି କୋଟି ଟଙ୍କାର ଅନୁଦାନ ପ୍ରଦାନ କରାଯାଏ। ଅନେକ କ୍ଷେତ୍ରରେ ସେମାନଙ୍କ ହାତ ପାଣ୍ଠି ନିର୍ଦ୍ଦିଷ୍ଟ ସମୟ ଭିତରେ ଖର୍ଚ୍ଚ ନ ହୋଇ ଫେରିଯିବାର ଅଭିଯୋଗ ହୁଏ। ଯେଉଁଠି ପାଣ୍ଠି ଅଭାବରୁ ଜନସାଧାରଣଙ୍କର ଅନେକ ସର୍ବନିମ୍ନ ଆବଶ୍ୟକତା ମେଣ୍ଟିନଥାଏ। ପାନୀୟଜଳ, ସଡ଼କ,ଶିକ୍ଷା ବ୍ୟବସ୍ଥା, ଡାକ୍ତରୀସେବା ପରି ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ର ପ୍ରଭାବିତ ହୁଏ। ପ୍ରଶ୍ନ ଉଠୁଛି ଯେ, ରାଜନୈତିକ ଦଳମାନେ ଏହି ତାରକା ସାଂସଦମାନଙ୍କ ପାଇଁ କ‘ଣ ପାଇଁ ଅଲଗା ଦୃଷ୍ଟିଭଙ୍ଗୀ ରଖିଥାନ୍ତି। ଏହି ତଥାକଥିତ ତାରକାମାନେ ନିଜ ଚଳଚ୍ଚିତ୍ରର ଅଭିନୟ ଯାଦୁପାଇଁ ଭୋଟରଙ୍କୁ ଆକୃଷ୍ଟ କରିବାରେ ସହାୟକ ହୋଇଥାନ୍ତି। କିନ୍ତୁ ସେମାନେ ଯଦି ସଂସଦରେ ସେମାନଙ୍କ ସୁଖଦୁଃଖ ଅଭିଯୋଗ କରିବାତ ଦୂରର କଥା ସର୍ବନିମ୍ନ ଉପସ୍ଥାନ ଠାରୁ ଯଦି ପଛେଇ ଥାଆନ୍ତି ତାହାଲେ ଭାରତର ଗଣତାନ୍ତ୍ରିକ ବ୍ୟବସ୍ଥା ପାଇଁ ଏହାଠାରୁ ଦୁର୍ଭାଗ୍ୟ ଜନକ ପ୍ରସଙ୍ଗ ଆଉ କିଛି ନଥାଇପାରେ।
ଅପର୍ଯ୍ୟାପ୍ତ ସୁବିଧା ସୁଯୋଗ ପ୍ରଦାନ କରାଯାଉଥିବା ଏହି ତଥାକଥିତ ତାରକା ସାଂସଦ ମାନଙ୍କ ତାରକାମୟ ବ୍ୟକ୍ତିତ୍ୱ ବହୁତ କିଛି ଥାଇପାରେ ସତ କିନ୍ତୁ ସେମାନଙ୍କୁ ନିର୍ବାଚିତ କରି ଭାରତ ରାଜନୈତିକ ଦଳମାନେ ଖୁସି ମନେକରିପାରୁଥାନ୍ତି ସତ କିନ୍ତୁ ସେମାନେ ଯେଉଁମାନଙ୍କ ସ୍ୱାର୍ଥ ପାଇଁ ନିର୍ବାଚିତ ଯଦି ସେମାନଙ୍କ ଭଲମନ୍ଦ ସଂସଦରେ ଉପସ୍ଥାପନ କରି ସେମାନଙ୍କ ସୁବିଧା ସୁଯୋଗ ପାଇଁ ବ୍ୟବସ୍ଥା ନକରି ପାରନ୍ତି ତାହେଲେ ସେମାନଙ୍କ ନିର୍ବାଚିତ ହେବାର ଆବଶ୍ୟକତା କ‘ଣ ପାଇଁ? ଆମରି ମାନଙ୍କ ଝାଳବୁହା ଧନର ଟିକସରୁ ସେମାନଙ୍କ ସମସ୍ତ ସୁବିଧା ସୁଯୋଗ ଭରଣ ହୋଇଥାଏ। ଆମରି ମାନଙ୍କ ଦୁଃଖ ଦୁର୍ଦ୍ଦଶା, ଅଭାବ, ଆବଶ୍ୟକୀୟତାର ଚିତ୍ର ସେମାନେ ଆମରି ମାନଙ୍କ ପ୍ରତିନିଧି ଅଥଚ ଆମ ମାନଙ୍କ ପାଇଁ ନିର୍ବାଚିତ, ମନୋନୀତ ହୋଇ ସେମାନେ ଯଦି ସଂସଦରେ ପାଦଟି ପକେଇ ପାରୁନାହାନ୍ତି ବା ସରକାରଙ୍କ ତର୍କବିତର୍କରେ ଆଲୋଚନାରେ ଭାଗ ନେଇପାରୁନାହାନ୍ତି ତାହାଲେ ସେମାନଙ୍କୁ ସଂସଦକୁ ପଠଉଥିବା ରାଜନୈତିକ ଦଳମାନେ ଥରଟିଏ ଚିନ୍ତା କରନ୍ତୁ ଆଉ ସେମାନେ ନିଜ ବିବେକକୁ ମଧ୍ୟ ଏହି ପ୍ରଶ୍ନଟି ପଚାରନ୍ତୁ ଯେ, ସେମାନେ ସାମଗ୍ରିକ ଭାବେ ଜଣେ ନେତା ନହେଲେ ଆମମାନଙ୍କର ଜନପ୍ରତିନିଧି ତ? ଏ ବିଚାର ସେମାନଙ୍କର। ସେମାନଙ୍କ ଜନପ୍ରତିନିଧି ଭାବରେ ସକ୍ରିୟତା ଓ ସଂସଦୀୟ କାର୍ଯ୍ୟକ୍ରମରେ ଯୋଗଦାନ ଦ୍ୱାରା କେବଳ ଆମ ମାନଙ୍କର ନୁହେଁ ଦେଶର ମଙ୍ଗଳ ସାଧନା ହେବ ଏବଂ ସେମାନଙ୍କର ଦୀର୍ଘଦିନର ଅଭିଜ୍ଞତା ଏବଂ ବିଜ୍ଞତାର ସଦୁପଯୋଗ ମଧ୍ୟ ହୋଇପାରିବ।
ସମୀକ୍ଷା ବ୍ୟୁରୋ
ନିର୍ବାଚନ ସମୟ ଯେତିକି ପାଖେଇ ପାଖେଇ ଆସୁଛି. ବିଜେଡିର ଚିନ୍ତା ସେତିକି ବଢିବାରେ ଲାଗିଛି। ଧିରେ ଧିରେ ଦଳରେ ଆଶାୟୀଙ୍କ ସଂଖ୍ୟା ମଧ୍ୟ ବଢୁଥିବାରୁ ଏଥର କାହାକୁ ଟିକେଟ ଦିଆଯିବ କାହାକୁ ନାହିଁ ସେହି ଚିନ୍ତାରେ ବର୍ତ୍ତମାନ ବିଜେଡି ସୁପ୍ରିମୋ । ତେବେ ବିଜେଡି ପାଇଁ ସବୁଠାରୁ ବଡ ଚିନ୍ତାର କାରଣ ହୋଇଛି ଭୁବନେଶ୍ବର ଓ କେନ୍ଦ୍ରପଡା ଲୋକସଭା ଆସନ। କାରଣ ଭୁବନେଶ୍ବରରେ ବିଜେପିରୁ ଅପରାଜିତା ଷଡଙ୍ଗୀ ପ୍ରାର୍ଥୀ ହେଉଛନ୍ତି ଏବଂ ସେ ଏବେଠାରୁ ଯେପରି ପ୍ରଚାର କରିବାରେ ଲାଗିଛନ୍ତି, ତାହା ବିଜେଡିକୁ ଚିନ୍ତାରେ ପକାଇଛି। ଏଥିସହିତ ଅପରାଜିତା ବିଏମସି କମିଶନର ଥିବା ବେଳେ ଯେପରି କାମ କରିଛନ୍ତି କାଳେ ତାହା ଭୋଟରେ ପରିବର୍ତ୍ତନ ହୋଇଯିବ ସେ ନେଇ ବର୍ତ୍ତମାନ ବିଜେଡିର ଚିନ୍ତା ବଢିଯାଇଛି। ସେହିପରି କେନ୍ଦ୍ରାପଡାରେ ବୈଜୟନ୍ତ ପଣ୍ଡା ବିଜେପି ବ୍ରାଣ୍ଡରେ ପ୍ରତିଦ୍ବନ୍ଦିତା କଲେ କାଳେ ଜିତିଯିବେ ସେ ଭୟ ମଧ୍ୟ ବିଜେଡିର ରହିଛି। ଭୁବନେଶ୍ବର ସାଂସଦ ପ୍ରସନ୍ନ ପାଟ୍ଟଶାଣୀକୁ ଦଳ ପୂର୍ବରୁ ପରିବର୍ତ୍ତନ କରି ଅରୂପ ପଟ୍ଟନାୟକଙ୍କୁ ପ୍ରାର୍ଥୀ କରିବ ବୋଲି ଚିନ୍ତା କରିଥିଲା। ହେଲେ ଅପରାଜିତା ଆସିବା ପରେ ବିଜେଡିର ସେ ରଣନୀତିରେ ପରିବର୍ତ୍ତନ କରିବାକୁ ବାଧ୍ୟ ହେବ। ବର୍ତ୍ତମାନ ସ୍ଥିତିରେ ଭୁବନେଶ୍ବର ଆସନ ପାଇଁ ପ୍ରସନ୍ନ ପାଟ୍ଟଶାଣୀଙ୍କ ବ୍ୟତିତ ଆଉ କେହି ଭଲ ବିକଳ୍ପ ବିଜେଡି ହାତରେ ନାହିଁ। ଫଳରେ ଭୁବନେଶ୍ବର ଓ କେନ୍ଦ୍ରାପଡା ଲୋକସଭା ଆସନରେ କାହାକୁ ପ୍ରାର୍ଥି କରାଯିବ ସେ ନେଇ ବିଜେଡି ଚିନ୍ତାରେ ଅଛି।
ବର୍ତ୍ତମାନ 21 ସଂସଦୀୟ ନିର୍ବାଚନ ମଣ୍ଡଳୀ ଉପରେ ପର୍ଯ୍ୟାଲୋଚନା କଲେ ଜଣାପଡେ ଯେ, କେନ୍ଦ୍ରପଡା ସହ ବିଜେଡି ଆଉ ତିନୋଟି ସ୍ଥାନରେ ନୂଆ ପ୍ରାର୍ଥୀ ଦେବାକୁ ବାଧ୍ୟ। ସେ ତିନୋଟି ହେଲା ମୟୁରଭଂଜ,ଆସିକା ଓ ଢେଙ୍କାନାଳ। କାରଣ ଆସିକା ସାଂସଦ ଲଡୁକିଶୋର ସ୍ଵାଇଁଙ୍କର ଦେହାନ୍ତ ହୋଇଥିଲାବେଳେ ଢେଙ୍କାନାଳ ସାଂସଦ ତଥାଗତ ଶତପଥୀ ଏଥର ନିର୍ବାଚନ ଲଢିବେ ନାହିଁ ବୋଲି କହିଛନ୍ତି। ସେହିପରି ଦଳର ଭାବମୂର୍ତ୍ତୀ ଦୃଷ୍ଟିରୁ ମୟୂରଭ଼ଞ୍ଜ ସାଂସଦ ରାମଚନ୍ଦ୍ର ହାଁସଦା ଚିଟଫଣ୍ଡ ମାମଲାରେ ଜେଲ ଯାଇଥିବାରୁ ତାଙ୍କ ସ୍ଥାନରେ ନୂଆ ପ୍ରାର୍ଥୀ ଦିଆଯିବ। ବିଜେଡିର ଏହି ଚାରି ଆସନ ସହିତ ଯେଉଁ ସବୁ ଆସନରେ ସାଂସଦ ମାନଙ୍କ ଲୋକପ୍ରିୟତା କମିଛି କିମ୍ବା ସଂସଦରେ ଯେଉଁମାନଙ୍କ ପ୍ରଦର୍ଶନ ଭଲ ନାହିଁ ସେହି ସବୁ ସ୍ଥାନରେ ମଧ୍ୟ ଦଳ ନୂଆ ପ୍ରାର୍ଥୀ ଦେବ। ଲୋକସଭା ଓ ବିଧାନସଭା ନିର୍ବାଚନ ଏକସଙ୍ଗେ ହେଉଥିବାରୁ ବିଧାୟକଙ୍କ ସହ ସୁସଂପର୍କ ଥିବା ପ୍ରାର୍ଥୀଙ୍କୁ ମଧ୍ୟ ଚୟନ ବେଳେ ଅଗ୍ରାଧିକାର ଦିଆଯିବ ବୋଲି ଜଣାପଡିଛି। ଫଳରେ ଏଥର ବିଜେଡି ପ୍ରାୟତଃ 90 ପ୍ରତିଶତ ଆସନରେ ନୂଆ ପ୍ରାର୍ଥୀ ଦେବାର ସମ୍ଭାବନା ରହିଛି। କେନ୍ଦୁଝର, ସମ୍ବଲପୁର,ବରଗଡ, ଜଗତସିଂହପୁର,ବ୍ରହ୍ମପୁର, ସୁନ୍ଦରଗଡ ଆଦି ଆସନରେ ନୂଆ ପ୍ରାର୍ଥୀ ଦେବା ପାଇଁ ଦଳ ଚିନ୍ତା କରୁଛି। ଅନ୍ୟପକ୍ଷରେ କେତେକ ବରିଷ୍ଠ ସାଂସଦଙ୍କୁ ବିଜେଡି ଏଥର ସାଂସଦ ଟିକେଟ ନ ଦେଇ ବିଧାନସଭା ଟିକେଟ ଦେବା ପାଇଁ ମଧ୍ୟ ଯୋଜନା କରୁଥିବାର ଜଣାପଡିଛି। ଅନ୍ୟପଟେ ବିଜେଡି ସୁପ୍ରିମୋ ମହିଳା ସଂରକ୍ଷଣକୁ ଗୁରୁତ୍ବ ଦେଉଥିବାରୁ ଏଥରି ସଂସଦ ଟିକେଟ ଅଧିକ ମହିଳାଙ୍କୁ ଦିଆଯିବାର ସମ୍ଭାବନା ମଧ୍ୟ ରହିଛି।
ସେହିପରି ଅନ୍ୟ ଦଳରୁ ଆସି ବିଜେଡିରେ ମିଶିଥିବା କିଛି ନେତାଙ୍କୁ ମଧ୍ୟ ଟିକେଟ ମିଳିବାର ସମ୍ଭାବନା ରହିଛି। ବ୍ରହ୍ମପୁର ଆସନରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଚନ୍ଦ୍ରଶେଖର ସାହୁ ଓ ସୁନ୍ଦରଗଡ ଆସନରେ କଂଗ୍ରେସ ନେତା ହେମାନନ୍ଦ ବିଶ୍ଵାଳଙ୍କ ଝିଅ ସୁନୀତା ବିଶ୍ଵାଳଙ୍କ ନାଁକୁ ନେଇ ଚର୍ଚ୍ଚା ହେଉଛି। ଚନ୍ଦ୍ରଶେଖର ପୂର୍ବରୁ ବ୍ରହ୍ମପୁର ଆସନରୁ ଜିତି କେନ୍ଦ୍ରରେ ମନ୍ତ୍ରୀ ହୋଇଥିଲେ। ଗଂଜାମ ଜିଲ୍ଲାରେ ଅନ୍ୟ ନେତାମାନଙ୍କ ଅପେକ୍ଷା ଚନ୍ଦ୍ରଶେଖରଙ୍କ ଭାବମୂର୍ତ୍ତୀ ବେଶ ଭଲ ରହିଛି। ସେହିପରି କଂଗ୍ରେସ ସାଂସଦ ଭାବେ ହେମାନନ୍ଦ ବିଶ୍ଵାଳ ସୁନ୍ଦରଗଡ ଆସନରୁ ପୂର୍ବରୁ ଜିତିଛନ୍ତି। ଏବେ ସେହି ଆସନରେ କଂଗ୍ରେସ ପକ୍ଷରୁ ବିଧାୟକ ଜର୍ଜ ତିର୍କୀଙ୍କୁ ପ୍ରାର୍ଥୀ କରାଯିବାର ସମ୍ଭାବନା ଅଧିକ ଥିବାରୁ ସେଠାରେ ବିଜେଡି ସୁନୀତାଙ୍କୁ ପ୍ରାର୍ଥୀ କରିପାରେ ବୋଲି ଚର୍ଚ୍ଚା ଚାଲିଛି। ଏହି ଆସନରୁ ବର୍ତ୍ତମାନ ବିଜେପି ତରଫରୁ ପୁଣି ଥରେ ପ୍ରାର୍ଥୀ ହେବେ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ। ହେଲେ ଏଥର ତାଙ୍କ ପାଇଁ ଦିଲ୍ଲୀପ ରାୟ ଅଡୁଆ ସୃଷ୍ଟି ହୋଇଛି। କାରଣ ବିଧାୟକ ଦିଲ୍ଲୀପ ରାୟ ବିଜେପିରୁ ଇସ୍ଥଫା ଦେଇଥିବାରୁ ପରିସ୍ଥିତି ବଦଳିଯାଇଛି। ବିଜେପି ଏହି ଆସନରେ ଏବେ ବ୍ୟାକଫୁଟରେ ଥିବାର କୁହାଯାଉଛି । ଗତ ନିର୍ବାଚନରେ ସୁନ୍ଦରଗଡରୁ ହକି ଷ୍ଟାର ଦିଲ୍ଲୀପ ତିର୍କୀ ବିଜେଡିରୁ ପ୍ରାର୍ଥୀ ହୋଇ ହାରିଯାଇଥିଲେ। ପ୍ରଶାସକ ଅରୂପ ପଟ୍ଟନାୟକଙ୍କ ପରି ପୂର୍ବତ୍ତନ ପୂର୍ତ୍ତ ସଚିବ ନଳିନୀକାନ୍ତ ପ୍ରଧାନଙ୍କୁ ସମ୍ବଲପୁର ଲୋକସଭା ଆସନରେ ବିଜେଡି ତରଫରୁ ଲଢିବା ବୋଲି ମଧ୍ୟ ଚର୍ଚ୍ଚା ଚାଲିଛି। ଏହିପରି ଦେଖିଲେ 21 ସଂସଦୀୟ ଆସନରେ,ବିଜେଡି ପ୍ରାୟ 80 ପ୍ରତିଶତ ସ୍ଥାନରେ ନୂଆ ମୁହଁ ଦେବାକୁ ବାଧ୍ୟ ହେବ ବୋଲି ଜଣାପଡିଛି।