ମୋରଦାବାଦ : ନାରୀ ମଙ୍ଗଳ କେନ୍ଦ୍ରରୁ ଏକ ଅନନ୍ୟ ଭାଗବଣ୍ଟାର ଖବର ମିଳିଛି। ଦୁଇ ସ୍ତ୍ରୀଙ୍କ ମଧ୍ୟରେ ସ୍ବାମୀଙ୍କର କେବଳ ସମ୍ପତ୍ତି ନୁହେଁ ସମୟକୁ ମଧ୍ୟ ବଣ୍ଟାଯାଇଛି । ଏହି ଭାଗବଣ୍ଟାରେସ୍ବାମୀ ଜଣକ ସହମତି ଜଣାଇଛନ୍ତି ।
ମିଳିଥିବା ସୂଚନା ଅନୁସାରେ ମୁଗଲାପୁରା ଥାନା ଅଞ୍ଚଳରେ ରହୁଥିବା ନୌଶାଦ ଅଲ୍ଲୀ ଦିଲ୍ଲୀର ଜଣେ ବ୍ୟବସାୟୀ । ପ୍ରଥମ ପତ୍ନୀ ମୁମୁତାଜଙ୍କ ଔରସରୁ ସାତୋଟି ସନ୍ତାନ ଥିବାବେଳେ ନୌଶାଦ ରୁହୀ ନାମକ ଜଣେ ମହିଳାଙ୍କୁ ବିବାହ କରିଥିଲେ । ସେହିପରି ନୌଶାଦ ଓ ରୁହୀଙ୍କ ଔରସରୁ ମଧ୍ୟ ଜଣେ ସନ୍ତାନ ରହିଛି । ପ୍ରଥମ ପତ୍ନୀଙ୍କୁ ସ୍ବାମୀଙ୍କର ଦ୍ବିତୀୟ ବିବାହ କଥା ଜଣାପଡିବାର ପରେ ସମ୍ପତ୍ତି ପାଇଁ ବିବାଦ ଆରମ୍ଭ ହୋଇଥିଲା । ଏହି ବିବାଦ ଏତେ ତୀବ୍ରତର ହେଲା ଯେ, ପରିଶେଷରେ ଏହି ଘଟଣା ପୋଲିସ୍ ସାମ୍ନାକୁ ଆସିଲା । ମାମଲାର ଗମ୍ଭୀରତା ବୁଝି ବରିଷ୍ଠ ପୋଲିସ ଅଧୀକ୍ଷକ ଏହି ଘଟଣାକୁ ନାରୀ ମଙ୍ଗଳ କେନ୍ଦ୍ରକୁ ପଠାଇଥିଲେ । ନୌସାଦ ଓ ଦୁଇ ସ୍ତ୍ରୀଙ୍କୁ ସେଠାକୁ ଡକାଯାଇ ତାଙ୍କ ସହିତ କଥାବାର୍ତ୍ତା କରାଯାଇ ନିଷ୍ପତ୍ତି ନିଆଯାଇଥିଲଶ ।
ନିଷ୍ପତ୍ତି ଅନୁଯାୟୀ ନୌସାଦ ଅଲ୍ଲୀ ପ୍ରଥମ ସ୍ତ୍ରୀଙ୍କ ପ୍ରତ୍ୟେକ ସନ୍ତାନଙ୍କ ପାଇଁ ପ୍ରତିଦିନ ନଅଶହ ଟଙ୍କା ଦେବେ । ଦିଲ୍ଲୀରୁ ଯେବେ ମୁରଦାବାଦ ଫେରିବେ, ସେହି ସମୟରେ ସେ ପ୍ରଥମ ସ୍ତ୍ରୀଙ୍କ ଘରକୁ ଯିବେ । ସେହିପରି ସେଠାରେ ଗୋଟିଏ ଦିନ ଗୋଟିଏ ରାତି ରହିବା ପରେ ଦ୍ବିତୀୟ ଦିନ ଦ୍ବିତୀୟ ସ୍ତ୍ରୀଙ୍କ ପାଖକୁ ଯିବେ । ସେହିପରି ପ୍ରଥମ ସ୍ତ୍ରୀଙ୍କ ସନ୍ତାନଙ୍କ ଡ୍ରେସ୍ ତଥା ପୋଷାକପତ୍ର କିଣିବାର ଦାୟିତ୍ବ ମଧ୍ୟ ନେବେ । ସ୍ବାମୀକୁ ନଜଣାଇ ପ୍ରଥମ ସ୍ତ୍ରୀ କୁଆଡେ ଯିବେ ନାହିଁ ବୋଲି ନିଷ୍ପତ୍ତି ନିଆଯାଇଥିବାବେଳେ ଦୁଇଜଣ ସ୍ତ୍ରୀ ଦୁହିଁଙ୍କ ଘରକୁଯିବା ଆସିବା କରିପାରିବେ । ନାରୀ ମଙ୍ଗଳ କେନ୍ଦ୍ରର ସମସ୍ତ ନିଷ୍ପତ୍ତିରେ ତିନି ପକ୍ଷ ଯାକ ସମ୍ମତି ଜଣାଇଥିବାର ଜଣାପଡିଛି । (ଏଜେନ୍ସି)