Categories
ଆଜିର ଖବର ଖେଳ

ଫୁଟ୍‌ବଲ୍‌ ଫ୍ୟାନ୍‌ଙ୍କ ପାଇଁ ଖୁସିଖବର : ଜୁନ୍‌ 8ରୁ ଆରମ୍ଭ ହେବ ଲା ଲିଗା

ବାର୍ସେଲୋନା : ଫୁଟ୍‌ବଲ୍‌ ଫ୍ୟାନ୍‌ଙ୍କ ପାଇଁ ଖୁସି ଖବର । ପୁଣିଥରେ ନିଜ ପ୍ରିୟ ଫୁଟବଲରଙ୍କୁ ପଡିଆରେ ଦେଖିପାରିବେ ଦର୍ଶକ । ଆସନ୍ତା ଜୁନ୍‌ 8 ତାରିଖରୁ ସ୍ପେନ୍‌ରେ ଆରମ୍ଭ ହେବାକୁ ଯାଉଛି ଲାଲିଗା । ସ୍ପେନ୍‌ ପ୍ରଧାନମନ୍ତ୍ରୀ ପେଡ୍ରୋ ସାଞ୍ଚେଜ୍‌ ଶନିବାର ଏହି ଘୋଷଣା କରିଛନ୍ତି । ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଉଥିବାରୁ ଧୀରେ ଧୀରେ ଲକ୍‌ଡାଉନ୍‌କୁ କୋହଳ କରାଯାଉଛି । ପୂର୍ବରୁ ଲା ଲିଗା ସଭାପତି ଜାଭିୟର୍‌ ଟେବାସ୍‌ ପ୍ରତିଯୋଗିତା ସମ୍ପର୍କରେ ଘୋଷଣା କରିଥିଲେ । ତେବେ ମ୍ୟାଚ୍‌ ଖେଳାଗଲେ ମଧ୍ୟ ସାମାଜିକ ଦୂରତ୍ବ ନିୟମ ବଜାୟ ରହିବ ବୋଲି ଟେବାସ୍‌ ପ୍ରକାଶ କରିଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ଲା ଲିଗାରେ ଲିଓନେଲ୍‌ ମେସିଙ୍କ ନେତୃତ୍ବାଧୀନ ବାର୍ସେଲୋନା 58 ପଏଣ୍ଟ ଏକ ନମ୍ବର ସ୍ଥାନରେ ରହିଥିବା ବେଳେ ରିଅଲ ମାଦ୍ରିଦ୍‌ ଦୁଇ ନମ୍ବର ସ୍ଥାନରେ ରହିଛି ।

ଉଭୟ ଦଳ ମଧ୍ୟରେ ମାତ୍ର ଦୁଇ ପଏଣ୍ଟର ଫରକ ରହିଥିବା ବେଳେ ମୁକାବିଲା ଜୋରଦାର ହେବା ନେଇ ଆଶା କରାଯାଉଛି । ବାର୍ସେଲୋନାରେ ମେସିଙ୍କ ବ୍ୟତିତ ଲୁଇସ୍‌ ସୁଆରେଜ୍‌ ଏବଂ ଆଣ୍ଟୋନିଓ ଗ୍ରୀଜ୍‌ମ୍ୟାନ୍‌ ରହିଥିବା ବେଳେ ମାଦ୍ରିଦ୍‌ରେ ଏଡେନ୍‌ ହାଜାର୍ଡ, ଗେରାଥ୍‌ ବେଲ୍‌, କରିମ୍‌ ବେଞ୍ଜେମା ଏବଂ ସର୍ଗିଓ ରାମୋସ୍‌ଙ୍କ ପରି ଖେଳାଳି ରହିଛନ୍ତି ।