Categories
ଆଜିର ଖବର

ସୁଦାନରେ ସରକାର ପରିବର୍ତ୍ତନ ପାଇଁ ଆନ୍ଦୋଳନ : ମୃତ୍ୟୁ ସଂଖ୍ୟା ୬୦କୁ ବୃଦ୍ଧି

ସୁଦାନରେ ସରକାର ପରିବର୍ତ୍ତନ ପାଇଁ ଚାଲିଥିବା ଆନ୍ଦୋଳନରେ ମୃତ୍ୟୁ ସଂଖ୍ୟା ୬୦କୁ ବୃଦ୍ଧି ପାଇଛି। କ୍ଷମତା ପରିବର୍ତ୍ତନ ପାଇଁ ଚାଲିଥିବା ଏହି ଆନ୍ଦୋଳନରେ ସେନାବାହିନୀର ଗୁଳିରେ ମୃତ୍ୟୁ ସଂଖ୍ୟା ୬୦କୁ ବୃଦ୍ଧି ପାଇଥିବା ନେଇ ସୁଦାନର ଡାକ୍ତରଙ୍କ କେନ୍ଦ୍ରୀୟ କମିଟି (ସିସିଏସ୍‌ଡି) ସୂଚନା ଦେଇଛି। ବିଗତ ତିନି ଦିନ ଧରି ଚାଲିଥିବା ଏହି ଆନ୍ଦୋଳନରେ ସୋମବାର ମୃତ୍ୟୁ ସଂଖ୍ୟା ୩୫ ରହିଥିବା ବେଳେ ମଙ୍ଗଳାବର ଏହା ୫୦କୁ ବୃଦ୍ଧି ପାଇଥିଲା। ବୁଧବାର ସେନାର ଗୁଳିରେ ଆଉ ୧୦ ଜଣ ପ୍ରାଣ ହରାଇବା ପରେ ଏହି ସଂଖ୍ୟା ୬୦କୁ ବୃଦ୍ଧି ପାଇଥିବା ନେଇ ସିସିଏସ୍‌ଡି ପକ୍ଷରୁ ସୂଚନା ମିଳିଛି। ସିସିଏସ୍‌ଡି ପକ୍ଷରୁ ଏନେଇ ଏକ ଫେସ୍‌ବୁକ୍‌ ପୋଷ୍ଟ ଜରିଆରେ ସୂଚନା ଦେଇଛି। ସୋମବାର ଠାରୁ ସେନା କାର୍ଯ୍ୟାଳୟ ବାହାରେ ଶାନ୍ତିପୂର୍ଣ୍ଣ ଆନ୍ଦୋଳନରେ ବସିଥିବା ବିକ୍ଷୋଭକାରୀଙ୍କ ଉପରକୁ ଗୁଳି ଚାଳନା କରିଥିଲା ପୋଲିସ୍‌।

Categories
ଆଜିର ଖବର

ବାତ୍ୟା ପାଇଁ କୌଣସି ଭୟଭୀତ ନ ହେବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଜନସାଧାରଣଙ୍କୁ ନିବେଦନ

ସାମୁଦ୍ରିକ ଝଡ଼ ‘ଫାନି’ରେ ଭୟଭୀତ ନହେବା ପାଇଁ ରାଜ୍ୟବାସୀଙ୍କୁ ଗୁରୁବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟୁଇଟ୍‍ କରି କହିଛନ୍ତି। ପ୍ରତ୍ୟେକ ଜୀବନ ମୂଲ୍ୟବାନ ଏବଂ ଧନଜୀବନର ସୁରକ୍ଷା ପାଇଁ ସମସ୍ତ ପ୍ରକାରର ପଦକ୍ଷେପ ନିଆଯାଇଛି ବୋଲି ସେ ଗଣମାଧ୍ୟମରେ ପ୍ରକାଶ କରିଛନ୍ତି। ବାତ୍ୟା ପାଇଁ କୌଣସି ଭୟଭୀତ ହେବାର କାରଣ ନାହିଁ, ରାଜ୍ୟ ସରକାର ବାତ୍ୟା ମୁକାବିଲା ପାଇଁ ସଂପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି। ପ୍ରତିଟି ଜୀବନ ଆମ ପାଇଁ ମୂଲ୍ୟବାନ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଜନସାଧାରଣଙ୍କୁ ନିବେଦନ କରିଛନ୍ତି। ବାତ୍ୟା ସମୟରେ ମହିଳା, ଶିଶୁ, ଗର୍ଭବତୀ ମହିଳା, ଭିନ୍ନକ୍ଷମ ଏବଂ ବୃଦ୍ଧବୃଦ୍ଧାମାନଙ୍କ ଯତ୍ନ ନିଅନ୍ତୁ ବୋଲି ମୁଖ୍ୟମନ୍ତ୍ରୀ ନିବେଦନ କରିଛନ୍ତି। ମୁଖ୍ୟମନ୍ତ୍ରୀ ଆଜି ବିଭିନ୍ନ ଜିଲ୍ଲାପାଳଙ୍କ ସହିତ କଥାବାର୍ତ୍ତା କରିଛନ୍ତି। ଏପରିକି ଟେଲିଫୋନ ସର୍ଭିସ ପ୍ରୋଭାଇଡରଙ୍କ ସହିତ ମଧ୍ୟ ମୁଖ୍ୟମନ୍ତ୍ରୀ କଥା ହୋଇଛନ୍ତି। ବାତ୍ୟା ସମୟରେ କିପରି ସେବା ବାଧାପ୍ରାପ୍ତ ନ ହୁଏ ସେଥିପାଇଁ ସଜାଗ ରହିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହିତ ରାଜ୍ୟ ସଚିବାଳୟରେ ମୁଖ୍ୟମନ୍ତ୍ର ବିଭିନ୍ନ ବିଭାଗୀୟ ସଚିବ ଏବଂ ଅଧିକାରୀଙ୍କ ସହିତ ବାତ୍ୟା ମୁକାବିଲା ପ୍ରସ୍ତୁତି ଉପରେ ମଧ୍ୟ ଆଲୋଚନା କରିଛନ୍ତି।

Categories
ଆଜିର ଖବର

ଦେଶକୁ ବଞ୍ଚାଇବା ପାଇଁ ବିଜେପିକୁ ଭୋଟ ଦିଅନ୍ତୁନି : ମମତା

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବିଜେପିକୁ ଆକ୍ରମଣ କରିଛନ୍ତି। ମୋଦିଙ୍କୁ ନିର୍ବାଚନ ହାରିବାର ଭୟ (ହାରାତଙ୍କ) ରହିଛି ବୋଲି କହିଛନ୍ତି ମମତା। ଏହା ସହିତ ଦେଶ ବଞ୍ଚାଇବାକୁ ବିଜେପିକୁ ଭୋଟ କରନ୍ତୁ ନାହିଁ ବୋଲି ମମତା କହିଛନ୍ତି। ମୋଦିଙ୍କ ମନ୍ତବ୍ୟ ରାଜ୍ୟରେ ଦୁଇଟି ପର୍ଯ୍ୟାୟ ନିର୍ବାଚନ ପରେ ବର୍ତ୍ତମାନ ଦିଦିଙ୍କ ନିଦ ହଜି ଯାଇଛିର ପ୍ରତିକ୍ରିୟାରେ ମମତା ଏହି ମନ୍ତବ୍ୟ ଦେଇଛନ୍ତି। ବିଜେପି ଲୋକଙ୍କ ମଧ୍ୟରେ ଜାତିଆଣ ଭାବ ସୃଷ୍ଟି କରି ନିର୍ବାଚନରେ ବିଜୟୀ ହେବାକୁ ଚେଷ୍ଟା କରୁଛି ବୋଲି ଅଭିଯୋଗ କରିଛନ୍ତି ମମତା। ନିର୍ବାଚନ ହାରିବାର ଭୟ ମୋଦିଙ୍କ ମୁହଁରେ ସ୍ପଷ୍ଟ ଜଣାପଡୁଛି। ବିଜେପି ଉତ୍ତର ପ୍ରଦେଶ, ରାଜସ୍ଥାନ, ନୂଆଦିଲ୍ଲୀ, ପଞ୍ଜାବ, ଆନ୍ଧ୍ର ପ୍ରଦେଶ, ଗୁଜରାତ ଏବଂ ଓଡିଶାରେ ପରାଜୟର ସାମ୍ନା କରିବାକୁ ଯାଉଛି ବୋଲି କହିଥିଲେ ମମତା। ବିକାଶ କରିନଥିବା ଉପରେ ବିଜେପିର ଆରୋପକୁ ନେଇ ମମତା କହିଥିଲେ ଏନେଇ ପଶ୍ଚିମବଙ୍ଗର ଜନତା ବିଚାର କରିବେ।

Categories
ଆଜିର ଖବର

ପରିବେଶ ପରିବର୍ତ୍ତନ ବିରୋଧରେ ପ୍ରତିବାଦ: ଲଣ୍ଡନରେ ୪୦୦ ଗିରଫ

ପରିବେଶ ପରିବର୍ତ୍ତନ ବିରୋଧରେ ପ୍ରତିବାଦ କରୁଥିବା ସମୟରେ ଲଣ୍ଡନରେ ପୋଲିସ ୪୦୦ ଜଣଙ୍କୁ ଗିରଫ କରିଛି। ଆନ୍ଦୋଳନର ନେତୃତ୍ବ ନେଉଥିବା ତିନି ଜଣ ପରିବେଶବିତ୍‌ଙ୍କୁ ପୋଲିସ୍‌ ରିମାଣ୍ଡରେ ନେଇଥିଲା। ତିନି ଜଣଙ୍କ ମଧ୍ୟରେ ଦୁଇ ଜଣ ପୁରୁଷ ଏବଂ ଜଣେ ମହିଳା ଥିଲେ। ଏମାନେ ଏକ କାନାରି ହ୍ବାର୍ଫ ଷ୍ଟେସନ୍‌ରେ ଟ୍ରେନ୍‌ ଉପରକୁ ଚଢିବାକୁ ଚେଷ୍ଟା କରୁଥିବା ବେଳେ ପୋଲିସ୍‌ ଗିରଫ କରିଥିଲା। ଏମାନଙ୍କୁ ହାଇବରୀ କର୍ଣ୍ଣର ମାଜିଷ୍ଟ୍ରେଟ୍‌ଙ୍କ କୋର୍ଟରେ ପେଶ କରାଯାଇଥିବା ବେଳେ ଜାମିନ ନାମଞ୍ଜୁର ହେବାରୁ ଜେଲ୍‌କୁ ପଠାଇ ଦିଆଯାଇଛି। ଆସନ୍ତା ତାରିଖ ମେ ୧୬ ପର୍ଯ୍ୟନ୍ତ ସେମାନେ ଜେଲ୍‌ରେ ରହିବେ ବୋଲି ଜଣାପଡିଛି। ଏହା ବ୍ୟତିତ ଗିରଫ ଅନ୍ୟାନ୍ୟ ୪୦୦ ଜଣଙ୍କୁ ମେଟ୍ରୋପଲିଟାନ୍‌ ପୋଲିସ୍‌ ସର୍ଭିସ୍‌ରେ ରଖାଯାଇଛି। ଲଣ୍ଡନରେ ଏକତ୍ର ଛିଡାହୋଇ ପ୍ରତିବାଦ କରିବା ଅପରାଧ ଅଟେ। ତେଣୁ ପୋଲିସ୍‌ ତରଫରୁ କୁହାଯାଇଛି, ପରିବେଶ ବିତ୍‌ ମାନେ ପ୍ରତିବାଦ କରିବାକୁ ଚାହିଁଲେ ମାର୍ବଲ ଆର୍ଚ୍ଚ ଯଶଇ ପ୍ରତିବାଦ କରିପାରିବେ। ମାତ୍ର ସର୍ବ ସାଧାରଣ ସ୍ଥାନରେ ପୁନର୍ବାର ପ୍ରତିବାଦ କଲେ ଅପରାଧିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୋଲିସ୍‌ ପକ୍ଷରୁ ଚେତାବନୀ ଦିଆଯାଇଛି।

Categories
ଆଜିର ଖବର

ହାତୀ ଆକ୍ରମଣରେ ୫ମୃତ୍ୟୁ

ଅନୁଗୁଳର ସନ୍ଥପଡାରେ ଏକ ହାତୀ ଅଭାବନୀୟ କାଣ୍ଡ ଘଟାଇଛି। ଏହି ଗାଁରେ ହାତୀଟି ପାଞ୍ଚ ଜଣଙ୍କୁ ଦଳି ମାରି ଦେଇଛି। ଏଥିରେ ଗୋଟିଏ ପରିବାରର ଚାରି ଜଣ ସଦସ୍ୟ ଥିବା ଜଣାପଡ଼ିଛି। ପୋଲିସ ଓ ବନ ବିଭାଗ ଘଟଣାସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଛି। ମିଳିଥିବା ପ୍ରାଥମିକ ସୂଚନା ମୁତାବକ, ଗତକାଲି ବିଳମ୍ବିତ ରାତିରେ ଷଣ୍ଢ ଗାଁରେ ଗୋଟିଏ ପରିବାରର ବାପା, ଝିଅ ଓ ପିଉସୀ ଙ୍କୁ ହାତୀ ଦଳି ମାରି ଦେଇଛି। ସେମାନେ ହେଲେ କାଳିଆ ସଅର, ଝିଅ ଅନିତା ସଅର ଓ ଭଉଣୀ ସାରଥୀ ସଅର। ଏମାନେ ଇଟାଭାଟିରେ କାମ କରିବାକୁ ଆସିଥିବା ବେଳେ ଏହି ଆକ୍ରମଣର ଶିକାର ହୋଇଛନ୍ତି। ସେହିପରି ଅନ୍ୟ ଜଣେ ୭୦ବର୍ଷୀୟ ବୃଦ୍ଧା ମଧ୍ୟ ହାତୀ ଆକ୍ରମଣର ଶିକାର ହୋଇଛନ୍ତି। ଏନେଇ ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବି କରାଯାଇଥିବା ବେଳେ ବନ ବିଭାଗ ତରଫରୁ ହାତୀଟିକୁ ଘଉଡାଇ ଦିଆଯାଇଛି। ପୋଲିସ ଓ ବନବିଭାଗ ପକ୍ଷରୁ ତଦନ୍ତ ଚାଲିଛି। ଓଡିଶା ବନ ବିଭାଗ ପକ୍ଷରୁ ପ୍ରକାଶିତ ରିପୋର୍ଟ ଅନୁଯାୟୀ ବିଗତ ୯ବର୍ଷ ମଧ୍ୟରେ ହାତୀ ଆକ୍ରମଣରେ ୬୬୧ ପ୍ରାଣହାନି ଘଟିଥିବା ବେଳେ ୬୯୪ ହାତୀ ପ୍ରାଣ ହରାଇଛନ୍ତି। ବିଗତ ବର୍ଷ ୯୧ ହାତୀ ପ୍ରାଣ ହରାଇଥିବା ବେଳେ ହାତୀ ଆକ୍ରମଣରେ ୯୨ ଜଣଙ୍କ ପ୍ରାଣହାନି ଘଟିଛି।

Categories
ଆଜିର ଖବର

କେରଳରେ ଲୁରେ ଦୁଇଜଣଙ୍କର ମୃତ୍ୟୁ

ସମଗ୍ର ଦେଶରେ ଗ୍ରୀଷ୍ମ ଋତୁ ଅନୁଭୂତ ହେଉଥିବାବେଳେ ତା’ର କରାଳ ରୂପ ପ୍ରସାର ହେବାକୁ ଲାଗିଲାଣି। ଗ୍ରୀଷ୍ମ ଋତୁର ଆରମ୍ଭରେ କେରଳରେ ଲୁ ପାଇଁ ଦୁଇଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୪୪ ଜଣ ଗଭୀର ଭାବରେ ପ୍ରଭାବିତ ହୋଇଛନ୍ତି। କେରଳରେ ବର୍ତ୍ତମାନ ଦିନକୁ ଦିନ ତାପମାତ୍ରା ବଢିବାରେ ଲାଗିଛି। ମିଳିଥିବା ସୂଚନା ଅନୁସାରେ ଉପନଗର ପରସାଲା ନିକଟବର୍ତ୍ତୀ ମୁରିଉଥୋମ୍‌ର ଜଣେ କୃଷକ ଉନ୍ନୀକୃଷ୍ଣନ୍‌ ଓ ପଲକ୍କଡ ସହରର ନୈଲୁରର ଜଣେ ମହିଳା ଶ୍ରମିକଙ୍କର ଗତକାଲି ଲୁ ପାଇଁ ମୃତ୍ୟୁ ହୋଇଛି। କେରଳର ଥିରୁଅନନ୍ତପୁରମ୍‌, କୋଲ୍ଲମ, ପଥାନ୍ନମଥିଟ୍‌ଟା, ଅଲ୍ଲାପୁଝା, କୋଟ୍ଟୟମ୍‌, ଇଡୁକ୍କି, ଏର୍ଣ୍ଣାକୁଲମ୍‌, ତ୍ରିଶୁର୍‌, ମଲ୍ଲପୁରମ୍‌, କୋଝିକୋଡ, କନ୍ନୁର  ଓ କାସରଗୋଡ଼ ଜିଲ୍ଲାରେ ଅଧିକ ତାପାମାତ୍ରା ରହିଛି। ଏହି ସମସ୍ତ ଜିଲ୍ଲାରେ ୪୪ ଜଣ ପାଖାପାଖି ଲୋକେ ଲୁ’ରେ ପ୍ରଭାବିତ ହୋଇଛନ୍ତି।