Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ସମ୍ ଫୁଲନଖରା କ୍ୟାମ୍ପସ୍‌ରେ ବିଶ୍ୱ ସ୍ୱର ଦିବସ ପାଳିତ

ଭୁବନେଶ୍ୱର: ବିଶ୍ୱ ସ୍ୱର ଦିବସ ଅବସରରେ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲର ଫୁଲନଖରା କ୍ୟାମ୍ପସରେ ମଙ୍ଗଳବାର ସ୍ୱର ଜନିତ ସମସ୍ୟା ଥିବା ରୋଗୀମାନଙ୍କର ମାଗଣାରେ ସ୍ୱରଯନ୍ତ୍ରର ପରୀକ୍ଷା କରାଯାଇଛି। ହସ୍ପିଟାଲ୍‌ର କର୍ଣ୍ଣ, ନାସା ଓ ଗଳା ବିଭାଗ ପକ୍ଷରୁ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିବା ବେଳେ ସ୍ୱର ପେଟିକା ଏଣ୍ଡୋସ୍କୋପି ମାଧ୍ୟମରେ ରୋଗୀମାନଙ୍କର ମାଗଣା ଚିକିତ୍ସା କରାଯାଇ କେତେକଙ୍କ କ୍ଷେତ୍ରରେ ସ୍ୱରନଳୀରେ କ୍ୟାନ୍ସରର ଲକ୍ଷଣ ଆଗୁଆ ଚିହ୍ନଟ ହୋଇଥିବା କହିଛନ୍ତି ବିଭାଗୀୟ ମୁଖ୍ୟ ପ୍ରଫେସର (ଡାକ୍ତର) ଖଗେଶ୍ୱର ରାଉତ।

ସ୍ୱରରେ କୌଣସି ପରିବର୍ତ୍ତନ ଆସିଲେ ଏହା ଯେ ସ୍ୱରଯନ୍ତ୍ରରେ କ୍ୟାନ୍ସରର ସମ୍ଭାବନା ହୋଇପାରେ ଏହି ସୂଚନା ପ୍ରଦାନ କରେ। ବିଶ୍ୱ ସ୍ୱର ଦିବସ ପାଳନ ଦ୍ୱାରା ଏହି ବାର୍ତ୍ତା ଲୋକଙ୍କୁ ପ୍ରଦାନ କରିବା ମୁଖ୍ୟ ଉଦ୍ଦେଶ୍ୟ। ବିଶେଷ କରି ଧୂମ୍ରପାନ, ଗୁଟ୍‌କା ସେବନ ଓ ମଦ୍ୟପାନ କରୁଥିବା ଲୋକଙ୍କ କ୍ଷେତ୍ରରେ ଏହାର ସମ୍ଭାବନା ଅଧିକ ବୋଲି ଡାକ୍ତର ରାଉତ କହିଛନ୍ତି। ବୃଦ୍ଧାବସ୍ଥାରେ ଥିବା ଲୋକମାନଙ୍କ କ୍ଷେତ୍ରରେ ଏହି କ୍ୟାନ୍ସରର ସମ୍ଭାବନା ରହିଥିବା ବେଳେ ନିଜ ସ୍ୱର ପେଟିକାକୁ ଅଧିକ ମାତ୍ରାରେ ବ୍ୟବହାର କରୁଥିବା ଶିକ୍ଷକ, ଆଇନଜୀବି, ଗାୟକ ଏବଂ ବୁଲା ବିକାଳୀମାନଙ୍କ କ୍ଷେତ୍ରରେ ଏହି କ୍ୟାନ୍ସରର ଅଧିକ ବିପଦ ରହିଛି ବୋଲି ସେ କହିଛନ୍ତି।

ତେବେ ଏହି ରୋଗର ଆଗୁଆ ଚିହ୍ନଟ ଦ୍ୱାରା ଉପଯୁକ୍ତ ଚିକିତ୍ସା ହୋଇପାରିବା ସହ ଏହାର ଚିକିତ୍ସା ଓ ପରୀକ୍ଷଣ ପାଇଁ ହସ୍ପିଟାଲ୍‌ରେ ଅତ୍ୟାଧୁନିକ ବ୍ୟବସ୍ଥା ଉପଲବ୍ଧ ବୋଲି ଡାକ୍ତର ରାଉତ କହିଛନ୍ତି। କାର୍ଯ୍ୟକ୍ରମରେ ଡାକ୍ତର ରାଉତଙ୍କ ସମେତ ଡାକ୍ତର ସ୍ମୃତି ରଞ୍ଜନ, ଡାକ୍ତର ବିବେକାନନ୍ଦ ଆଚାର୍ଯ୍ୟ, ଡାକ୍ତର ଶୁଭ୍ରା ପ୍ରଧାନ, ଡାକ୍ତର ଅରୋଦୀପ ଲୁଥାର ଓ ଡାକ୍ତର ପରେଶ ଗିରି ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ସମ୍ ଫୁଲନଖରା କ୍ୟାମ୍ପସ୍‌ରେ ସଫଳ ଅତ୍ୟାଧୁନିକ ଏଣ୍ଡୋସ୍କୋପିକ୍ ସର୍ଜରୀ

ଭୁବନେଶ୍ୱର: ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ଫୁଲନଖରା କ୍ୟାମ୍ପସ୍‌ରେ ଏକ ଡାକ୍ତରୀ ଟିମ୍ ଅତ୍ୟାଧୁନିକ ଏଣ୍ଡୋସ୍କୋପିକ୍ ଏଣ୍ଡୋନାଜାଲ ପ୍ରକ୍ରିୟା ପ୍ରୟୋଗ କରି ଜଣେ ୧୬ ବର୍ଷୀୟ ବାଳକର ନାକରୁ ଭାସ୍କୁଲାର ଟ୍ୟୁମର ବାହାର କରିବାରେ ସଫଳ ହୋଇଛନ୍ତି।

ବାଳକଟିର ନାକରେ ଏହି ଭାସ୍କୁଲାର ଟ୍ୟୁମର ସୃଷ୍ଟି ହୋଇ ତା’ର ସ୍କଲ ବେସ୍ ପର୍ଯ୍ୟନ୍ତ ଲାଗି ରହିଥିଲା ଯାହାକୁ କି ଜୁଭେନାଇଲ୍ ନାସୋଫାରିନ୍‌ଜିଆଲ ଆନ୍‌ଜିଓଫାଇବ୍ରୋମା କୁହାଯାଏ ବୋଲି ଏହି ଅସ୍ତ୍ରୋପଚାରର ନେତ୍ୱତ୍ୱ ନେଇଥିବା ହସ୍ପିଟାଲ୍‌ର ଇଏନ୍‌ଟି ବିଭାଗର ମୁଖ୍ୟ ପ୍ରଫେସର (ଡାକ୍ତର) ଖଗେଶ୍ୱର ରାଉତ କହିଛନ୍ତି।

ରୋଗୀଟି ଖୁବ୍ କମ୍ ବୟସର ଥିବା ବେଳେ ଖୋଲା ଅସ୍ତ୍ରୋପଚାର ଦ୍ୱାରା ତା’ର ମୁହଁରେ ଦାଗ ରହିବା ସହ ବିକୃତ ହେବାର ମଧ୍ୟ ସମ୍ଭାବନା ରହିଥିଲା। ତେଣୁ ଏଣ୍ଡୋସ୍କୋପିକ୍ ଏଣ୍ଡୋନାଜାଲ ପ୍ରକିୟା ମାଧ୍ୟମରେ ମିନିମାଲି ଇନ୍‌ଭେସିଭ ଟେକ୍ନିକ୍ ଦ୍ୱାରା ଅତ୍ୟାଧୁନିକ ଯନ୍ତ୍ରପାତି ବ୍ୟବହାର କରି ଏହି ଅସ୍ତ୍ରୋପଚାର କରାଯାଇଥିଲା ବୋଲି ସେ କହିଛନ୍ତି।

ଅସ୍ତ୍ରୋପଚାର ପରେ ରୋଗୀ ସୁସ୍ଥ ଥିଲା ବେଳେ ଏହାର ପର ଦିନ ଠାରୁ ହିଁ ବିନା ସମସ୍ୟାରେ ସେ ତା’ର ଦୈନନ୍ଦିନ କାର୍ଯ୍ୟ କରିପାରୁଛି ବୋଲି ପ୍ରଫେସର ରାଉତ କହିବା ସହ ତା’ର ପରିବାର ବର୍ଗ ଖୁବ୍ ଖୁସି ଅଛନ୍ତି ଏବଂ ଅସ୍ତ୍ରୋପଚାର କରିଥିବା ଡାକ୍ତରୀ ଟିମ୍‌କୁ ଧନ୍ୟବାଦ ଜଣାଇଛନ୍ତି ବୋଲି ପ୍ରକାଶ କରିଥିଲେ।

ଏହି ଅସ୍ତ୍ରୋପଚାର ଟିମ୍‌ରେ ପ୍ରଫେସର ରାଉତଙ୍କ ବ୍ୟତୀତ ଆସିଷ୍ଟାଂଟ ପ୍ରଫେସର (ଡାକ୍ତର) ବିବେକାନନ୍ଦ ଆଚାର୍ଯ୍ୟ ଏବଂ ସିନିୟର ରେସିଡେଂଟ ଡାକ୍ତର ସୁବ୍ରତ ଚନ୍ଦନ ପ୍ରଧାନ ଓ ଡାକ୍ତର ରାକେଶ ଗିରି ସାମିଲ ଥିଲେ। ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍ ଫୁଲନଖରା କ୍ୟାମ୍ପସ୍‌ର ଡିନ୍ ପ୍ରଫେସର (ଡାକ୍ତର)ଅରକ୍ଷିତ ସ୍ୱାଇଁ ଓ ମେଡିକାଲ୍ ସୁପରିଟେଣ୍ଡେଂଟ ପ୍ରଫେସର (ଡାକ୍ତର) ରାଜେଶ କୁମାର ଲେଙ୍କା ଅସ୍ତ୍ରୋପଚାର ନିମନ୍ତେ ସମସ୍ତ ସହଯୋଗ କରିଥିଲେ।