Categories
ଆଜିର ଖବର

ପୋଲିସ ଭ୍ୟାନ୍‌ରେ ଖାଦ୍ୟ ପାନୀୟ ପରିବହନ : ଜମ୍ମୁ କାଶ୍ମୀର ପୋଲିସ୍‌ର ତଦନ୍ତ ନିର୍ଦ୍ଦେଶ

ଏକ ପୋଲିସ୍‌ ଭ୍ୟାନ୍‌କୁ ଜମ୍ମୁ କାଶ୍ମୀରରେ ବିଜେପି ନେତା ଦଳୀୟ କାର୍ଯ୍ୟକ୍ରମରେ ଲଗାଇଛନ୍ତି। ଏନେଇ ଏକ ଭିଡିଓ ଇଣ୍ଟରନେଟ୍‌ରେ ଭାଇରାଲ୍‌ ହେବା ପରେ ଏହାର ତଦନ୍ତ ଆଦେଶ ଦେଇଛି ଜମ୍ମୁ କଶ୍ମୀର ପୋଲିସ୍‌। ଅନନ୍ତନାଗରେ ବିଜେପିର ଏକ ରାଲିରେ ପୋଲିସ୍‌ ଗାଡିରେ ଖାଦ୍ୟ ପୁଡିଆ ଏବଂ ପାଣି ବୋତଲ ବୁହା ହେଉଥିବାର ଦେଖା ଯାଇଥିଲା। ୨୮ ସେକେଣ୍ଡର ଏହି ଭିଡିଓରେ ବିଜେପି ଜାତୀୟ ସଚିବ ରାମ ମାଧବଙ୍କ ରାଲିରେ ଏହି ପୋଲିସ୍‌ ଭ୍ୟାନ୍‌ ନଜର ଆସିଥିଲା। ପୋଲିସ୍‌ ମତରେ ବ୍ୟକ୍ତିଗତ ସୁରକ୍ଷା ପାଇଁ ଏହି ଭ୍ୟାନ୍‌ ଦିଆଯାଇଥିଲା। ଅଭିଯୋଗ ପରେ ପୋଲିସ୍‌ ତୁରନ୍ତ ଉକ୍ତ ଭ୍ୟାନ୍‌କୁ କାର୍ଯ୍ୟରୁ ହଟାଇବା ସହିତ ମାମଲାର ତଦନ୍ତ ଆଦେଶ ଦେଇଛି। ଏହି ମାମଲା ଉପରେ ପ୍ରତିକ୍ରିୟା ପ୍ରକାଶ କରି ଓମାର ଅବଦୁଲ୍ଲା କହିଛନ୍ତି, ଜମ୍ମୁ କଶ୍ମୀର ପୋଲିସ୍‌ ସର୍ବଦା ଦରକାର ସମୟରେ ସହାୟତା କରିଥାଏ। ମାତ୍ର ଏହା ଦ୍ବାରା ନିର୍ବାଚନ ଆଚରଣ ବିଧି ଉଲଂଘନ ହେଉଛି। ଖାଦ୍ୟ ପାନୀୟ ଠିକ୍‌ ମାତ୍ର ସେମାନଙ୍କ ପାଇଁ ଭୋଟ ପ୍ରଦାନରୁ ପୋଲିସ୍‌ ବିରତ ରହିବା ଉଚିତ୍‌ ବୋଲି ଟ୍ବିଟ୍‌ କରି କହିଛନ୍ତି ଅବଦୁଲ୍ଲା।

Categories
ଆଜିର ଖବର

ଆାଇପିଏଲରେ ପ୍ରସାରିତ ହେବନି ରାଜନୈତିକ ବିଜ୍ଞାପନ

ଆସନ୍ତା ମାର୍ଚ୍ଚ ୨୩ରୁ ଆରମ୍ଭ ହେବାକୁ ଯାଉଥିବା କ୍ରିକେଟ ମହାକୁମ୍ଭ ଆଇପିଏଲ୍‌ରେ କୌଣସି ରାଜନୈତିକ ବିଜ୍ଞାପନ ଦେଖିବାକୁ ମିଳିବ ନାହିଁ। ପ୍ରସାରଣ ଅଧିକାର ହାସଲ କରିଥିବା ଷ୍ଟାର ଇଣ୍ଡିଆ ପକ୍ଷରୁ ଏନେଇ ବିସିସିଆଇକୁ ଅନୁରୋଧ କରାଯାଇଥିଲେ ମଧ୍ୟ ବିସିସିଆଇ ପକ୍ଷରୁ ଏହାକୁ ପ୍ରତ୍ୟାଖ୍ୟାନ କରାଯାଇଛି। ଏ ନେଇ ବିସିସିଆଇ ପକ୍ଷରୁ ସ୍ପଷ୍ଟୀକରଣ ଦିଆଯାଇ କୁହାଯାଇଛି ଯେ, ବୋର୍ଡ଼ ସଦାସର୍ବଦା ଏହାର ନିୟମ ପାଳନ କରିଥାଏ। କୌଣସି ପ୍ରକାରର ରାଜନୈତିକ କିମ୍ବା ଧାର୍ମିକ ବିଜ୍ଞାପନ କୌଣସି ଦ୍ବିପାକ୍ଷିକ, ଆନ୍ତର୍ଜାତୀୟ କିମ୍ବା ଘରୋଇ ମ୍ୟାଚ୍‌ରେ ପ୍ରଦର୍ଶନ କରାଯିବ ନାହିଁ। ସୂଚନାଯୋଗ୍ୟ ଯେ, ଚଳିତ ବର୍ଷ ଲୋକସଭା ନିର୍ବାଚନ ସମୟରେ ହିଁ  ଆଇପିଏଲ୍‌ ଖେଳାଯାଉଛି।

Categories
ବିଶେଷ ଖବର ମତାମତ

ମହିଳା ଦିବସରେ ରାଜନୈତିକ ଦଳମାନଙ୍କୁ ପ୍ରଶ୍ନ, ଭାରତୀୟ ରାଜନୀତିରେ ମହିଳାଙ୍କୁ ସମାନ ପ୍ରତିନିଧିତ୍ଵ ଅଧିକାର କେବେ ମିଳିବ?

କେଦାର ମିଶ୍ର

୨୦୧୪ ସାଧାରଣ ନିର୍ବାଚନରେ ଭୋଟଦାନ କେନ୍ଦ୍ରକୁ ଆସି ନିଜର ମତଦାନ ସାବ୍ୟସ୍ତ କରିଥିବା ଭାରତୀୟ ମହିଳା ଭୋଟରଙ୍କ ସଂଖ୍ୟା ଥିଲା ୩୮,୭୯,୧୧,୩୩୦ ଓ ଏହା ଥିଲା ସମୁଦାୟ ଭୋଟରଙ୍କର ୪୭.୬୨ %। ଗତ ତିନୋଟି ଯାକ ସାଧାରଣ ନିର୍ବାଚନରେ ମହିଳା ଭୋଟରଙ୍କ ସଂଖ୍ୟାରେ ବ୍ୟାପକ ଅଭିବୃଦ୍ଧି ହୋଇଛି ଓ ପୁରୁଷଙ୍କ ତୁଳନାରେ ମହିଳା ଭୋଟର ପ୍ରାୟ ସମାନ ପରିମାଣରେ ଭୋଟ ଦେଇଛନ୍ତି। ୨୦୧୪ ସାଧାରଣ ନିର୍ବାଚନରେ ଏହି ଅନୁପାତ ଥିଲା ୪୮;୫୨। ଏତେ ସଂଖ୍ୟକ ମହିଳା ଭୋଟର ଥିବା ସତ୍ତ୍ୱେ ଆମର ସଂସଦ ଓ ବିଧାନସଭାଗୁଡିକରେ ମହିଳା ପ୍ରତିନିଧିଙ୍କ ସଂଖ୍ୟା ଏତେ କମ କାହିଁକି? ଲୋକସଭାର ୫୪୩ ସଦସ୍ୟଙ୍କ ଭିତରୁ ମହିଳା ସଦସ୍ୟଙ୍କ ସଂଖ୍ୟା ମାତ୍ର ୬୪ ଅର୍ଥାତ ୧୧.୮% । ରାଜ୍ୟସଭାରେ ସେମାନଙ୍କ ସଂଖ୍ୟା ୨୭ (୯.୧୧%)। ସେହିପରି ରାଜ୍ୟ ବିଧାନସଭା ଗୁଡିକରେ ଏହି ସଂଖ୍ୟା ଆହୁରି ନଗଣ୍ୟ। ଭାରତର ୩୫ ଟି ଯାକ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର  ବିଧାନସଭାରେ ମହିଳା ପ୍ରତିନିଧିଙ୍କ ସଂଖ୍ୟା ମାତ୍ର ୯%।

ସବୁଠୁ ବିଡମ୍ବନାର କଥା ହେଉଛି ପୃଥିବୀର ଦେଶମାନଙ୍କରେ ହାରାହାରି ମହିଳା ସାଂସଦଙ୍କ ସଂଖ୍ୟା ୨୨.୪ % ହୋଇଥିବାବେଳେ ଭାରତରେ ଏହା ଅଧାରୁ ଆହୁରି କମ। ପାକିସ୍ତାନ ଓ ଆଫଗାନିସ୍ତାନ ଭଳି ଦେଶରେ ମହିଳା ବିଧାୟକଙ୍କ ସଂଖ୍ୟା ଭାରତ ତୁଳନାରେ ଢେର ଅଧିକ। ପାକିସ୍ତାନ ଓ ବାଂଲାଦେଶରେ ୨୦% ମହିଳା ସାଂସଦ ଥିବାବେଳେ ଆଫଗାନିସ୍ତାନରେ ସେମାନଙ୍କ ସଂଖ୍ୟା ହେଉଛି ୨୭.୭%। ଏପରିକି ଆଫ୍ରିକୀୟ ଓ ଆରବୀୟ ଦେଶମାନଙ୍କ ତୁଳନାରେ ମଧ୍ୟ ଭାରତର ମହିଳା ସାଂସଦ ଓ ବିଧାୟକଙ୍କ ସଂଖ୍ୟା ଯଥେଷ୍ଟ କମ।  ପଞ୍ଚାୟତ ସ୍ତରରେ ମହିଳା ପ୍ରତିନିଧିଙ୍କ ସଂଖ୍ୟା ଭାରତରେ ୩୭% ରୁ ୫୦% ଭାଗ ପର୍ଯନ୍ତ ବଢିଛି, ତାହାର ଏକ ମାତ୍ର କାରଣ ହେଉଛି ପଞ୍ଚାୟତିରାଜ ବ୍ୟବସ୍ଥାରେ ମହିଳାଙ୍କ ପାଇଁ ସ୍ଥାନ ସଂରକ୍ଷଣ। ବର୍ତ୍ତମାନ ଭାରତର ପଞ୍ଚାୟତି ରାଜ ଅନୁଷ୍ଠାନ ଗୁଡିକରେ ୧୩.୭୨ ଲକ୍ଷ ମହିଳା ପ୍ରତିନିଧି ରହିଛନ୍ତି ଓ ସେମାନଙ୍କ ପ୍ରତିନିଧିତ୍ଵ ହାର ହେଉଛି ୪୩%। ଏହା ଜାତୀୟ ରାଜନୀତିରେ କାହିଁକି ଗ୍ରହଣୀୟ ହେଉନି, ସେ ପ୍ରଶ୍ନ ଆଜି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।

ଗତ ୨୦ ବର୍ଷ ହେଲା ଭାରତର ସଂସଦରେ ମହିଳା ସଂରକ୍ଷଣ ବିଲ ପଡିରହିଛି। ରାଜ୍ୟସଭାରେ ଏହା ଗୃହୀତ ହୋଇ ବାତିଲ ମଧ୍ୟ ହୋଇସାରିଛି। ଏ ସଙ୍କ୍ରାନ୍ତରେ ଆଲୋଚନା କରି ଭାରତର ଅର୍ଥନୈତିକ ସର୍ଭେ ରିପୋର୍ଟ ୨୦୧୮ ରେ କୁହାଯାଇଛି ଯେ- ରୁଆଣ୍ଡା ଭଳି ଦେଶରେ ୬୦% ମହିଳା ସାଂସଦ ନିର୍ବାଚିତ ହୋଇପାରୁଥିବା ବେଳେ ଭାରତରେ ଏହା ୧୨% ଭିତରେ ସୀମିତ। ଓଡିଶା ଭଳି ରାଜ୍ୟରେ ଏବେ ଆମେ ମହିଳା ସଂରକ୍ଷଣ ବିଲ ସପକ୍ଷରେ ଆଲୋଚନା ଶୁଣୁଛୁ। ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜାତୀୟ ସ୍ତରରେ ମହିଳା ସଂରକ୍ଷଣ ବିଲ ସପକ୍ଷରେ ରାଜନୈତିକ ଦଳମାନଙ୍କୁ ପ୍ରଭାବିତ କରିବା ଲାଗି ଅଭିଯାନ ଆରମ୍ଭ କରିଥିବାବେଳେ ଓଡିଶା ବିଧାନସଭାରେ ମହିଳା ପ୍ରତିନିଧିଙ୍କ ସଂଖ୍ୟା ଅତ୍ୟନ୍ତ ନଗଣ୍ୟ। ୧୪୭ ଟି ବିଧାନସଭା ଆସନରୁ ମାତ୍ର ୧୨ ଜଣ ମହିଳା ବିଧାୟକ ଅଛନ୍ତି ଅର୍ଥାତ ପ୍ରତିନିଧିତ୍ଵ ହାର ହେଉଛି ମାତ୍ର ୮ %। ଲୋକସଭା ପାଇଁ ଓଡିଶାର ୨୧ ଟି ଆସନରୁ ବିଜେଡ଼ିର ତିନିଜଣ ମହିଳା ସାଂସଦ ରହିଛନ୍ତି। ଗତ ୨୦୧୪ ନିର୍ବାଚନରେ ରାଜ୍ୟର ତିନିଟି ଯାକ ପ୍ରମୁଖ ରାଜନୈତିକ ଦଳ ମାତ୍ର ୩୨ ଜଣ ମହିଳାଙ୍କୁ ପ୍ରାର୍ଥୀ କରିଥିଲେ। ଗତ ବିଧାନସଭା ପାଇଁ କଂଗ୍ରେସ ୧୦ ଜଣ, ବିଜେପି ୫ ଜଣ ଓ ବିଜେଡି ୧୨ ଜଣ ମହିଳାଙ୍କୁ ଟିକଟ ଦେଇଥିବାବେଳେ ଲୋକସଭା ପାଇଁ କଂଗ୍ରେସ ୨ ଜଣଙ୍କୁ, ବିଜେପି ୧ ଓ ବିଜେଡି ୨ ଜଣକୁ ଟିକଟ ଦେଇଥିଲେ। ପରେ କନ୍ଧମାଳ ଲୋକସଭା ଆସନ ପାଇଁ ଅନୁଷ୍ଠିତ ଉପ ନିର୍ବାଚନରେ ବିଜେଡି ଆଉ ଜଣେ ମହିଳା ପ୍ରାର୍ଥୀଙ୍କୁ ନିର୍ବାଚିତ କରାଇଥିଲା।

ବିଜୁ ଜନତା ଦଳ ଓଡିଶାରେ ମିଶନ ଶକ୍ତି ଓ ପଞ୍ଚାୟତି ରାଜ ବ୍ୟବସ୍ଥା ଜରିଆରେ ମହିଳା ସଶକ୍ତିକରଣର କଥା କହୁଛି ଓ ମହିଳା ସଂରକ୍ଷଣ ବିଲ ପାଇଁ ଜାତୀୟ ଅଭିଯାନ ଚଳାଇଛି, କିନ୍ତୁ ବିଧାନସଭାରେ ଏହାର ମହିଳା ପ୍ରତିନିଧିଙ୍କ ସଂଖ୍ୟା ଅତ୍ୟନ୍ତ ଗୌଣ। ଆଗାମୀ ନିର୍ବାଚନ ରେ ବିଜେଡି ମହିଳାଙ୍କ ରାଜନୈତିକ ପ୍ରତିନିଧିତ୍ଵ କଥାକୁ କାମରେ ଲଗାଇବ କି? ଦଳ ଉଭୟ ଲୋକସଭା ଓ ବିଧାନସଭାରେ ୩୦ ରୁ ୩୩ % ମହିଳାଙ୍କୁ ଟିକଟ ଦେଇ ଏକ ଉଦାହରଣ ପ୍ରସ୍ତୁତ କରିବ କି? ଜାତୀୟ ସ୍ତରରେ କଂଗ୍ରେସ ସଭାପତି ମହିଳା ସଂରକ୍ଷଣ ବିଲ ସପକ୍ଷରେ କହୁଥିବା ବେଳେ କଂଗ୍ରେସ ମଧ୍ୟ ବହୁ କମ ସଂଖ୍ୟକ ମହିଳାଙ୍କୁ ଟିକଟ ଦେଉଛି। କଥାରେ କହିବା ଓ କାମରେ ତାକୁ ଉପଯୋଗ ନକରିବା ସବୁ ରାଜନୈତିକ ଦଳଙ୍କର ପୁରୁଣା ରୋଗ। ଏଇ ରୋଗରୁ ୨୦୧୯ ନିର୍ବାଚନ ଆମକୁ ମୁକ୍ତି ଦେବ କି? ଆଗାମୀ ଲୋକସଭା ଓ ବିଧାନସଭାରେ ଆମେ ଅଧିକ ସଂଖ୍ୟକ ମହିଳା ପ୍ରତିନିଧିଙ୍କ ଉପସ୍ଥିତି ଆଶା କରିପାରିବା କି?