Categories
ଆଜିର ଖବର ଜାତୀୟ ଖବର

ବୈଷୟିକ ତ୍ରୁଟି କାରଣରୁ ଜିସାଟ୍‌-1ର ଉତ୍‌କ୍ଷେପଣ ସ୍ଥଗିତ

ବେଙ୍ଗାଲୁରୁ : ବୈଷୟିକ ତ୍ରୁଟି କାରଣରୁ ଇସ୍ରୋ ପକ୍ଷରୁ ଏହାର ନୂତନ ସ୍ୟାଟେଲାଇଟ୍‌ ଉତ୍‌କ୍ଷେପଣକୁ ସ୍ଥଗିତ କରାଯାଇଛି । ଇସ୍ରୋର ଜିଓ ଇମେଜିଂ ସ୍ୟାଟେଲାଇଟ୍‌ ଜିସାଟ୍‌-1ର ଉତ୍‌କ୍ଷେପଣକୁ ସ୍ଥଗିତ ରଖାଯାଇଛି । ମାର୍ଚ୍ଚ 5 ତାରିଖ ସନ୍ଧ୍ୟାରେ ଏହି ସ୍ୟାଟେଲାଇଟ୍‌ର ଉତ୍‌କ୍ଷେପଣ ହେବାର କାର୍ଯ୍ୟକ୍ରମ ରହିଥିବା ବେଳେ ବୁଧବାର ଏହାକୁ ସ୍ଥଗିତ ରଖିବା ପାଇଁ ଇସ୍ରୋ ପକ୍ଷରୁ ଘୋଷଣା କରାଯାଇଛି । ଖୁବ୍‌ଶୀଘ୍ର ନୂତନ ଉତ୍‌କ୍ଷେପଣ ତାରିଖ ଘୋଷଣା କରାଯିବ ବୋଲି ଇସ୍ରୋ ପକ୍ଷରୁ କୁହାଯାଇଛି । 2268 କିଗ୍ରାର ଏହି ଉପଗ୍ରହଟି କୃଷି, ବନ୍ୟବିଭାଗ, ଖଣି, ବିପର୍ଯ୍ୟୟ ଚେତାବନୀ, ବରଫ ସ୍ତର ଏବଂ ସମୁଦ୍ରପତନ ନିର୍ଣ୍ଣୟରେ ବ୍ୟବହୃତ ହେବ । (ଏଜେନ୍ସି)

Categories
ଆଜିର ଖବର

ନିୟନ୍ତ୍ରଣ ରେଖାରେ ବ୍ୟବସାୟ ବନ୍ଦ କଲେ ସରକାର

ଜମ୍ମୁ କାଶ୍ମୀର ଏବଂ ପାକିସ୍ତାନ ଅଧିକୃତ କାଶ୍ମୀର(ପିଓକେ) ମଧ୍ୟରେ ବାଣିଜ୍ୟ ବ୍ୟବସାୟକୁ ଗୁରୁବାର ଠାରୁ ବନ୍ଦ କରିଛନ୍ତି କେନ୍ଦ୍ର ସରକାର। ନିୟନ୍ତ୍ରଣ ରେଖାରେ ଉଭୟ ଦେଶ ମଧ୍ୟରେ ଏହି ବ୍ୟବସାୟ ଚାଲୁଥିବା ବେଳେ ଏହା ଦ୍ବାରା ପଡୋଶୀ ରାଷ୍ଟ୍ର ତରଫରୁ ବେଆଇନ ହତିଆର, ନିଶା ଦ୍ରବ୍ୟ ଏବଂ ଜାଲ ନୋଟ କାରବାର ହେଉଥିବାରୁ ଏହାକୁ ଗୁରୁବାର ବନ୍ଦ କରିବାକୁ ଆଦେଶ ଦେଇଛନ୍ତି କେନ୍ଦ୍ର ସରକାର। ଗୃହ ମନ୍ତ୍ରାଳୟ ପକ୍ଷରୁ ଏନେଇ ଆଦେଶ ଦେଇଥିବା ବେଳେ ଏହାକୁ ତୁରନ୍ତ କାର୍ଯ୍ୟକାରୀ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ଆଦେଶ ପରେ ପ୍ରତିକ୍ରିୟାରେ କେନ୍ଦ୍ର ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ, ଜାତୀୟ ତଦନ୍ତକାରୀ ସଂସ୍ଥା(ଏନ୍‌ଆଇଏ) ପକ୍ଷରୁ ପ୍ରକାଶିତ ସୂଚନା ଅନୁଯାୟୀ ଏହି ରାସ୍ତାରେ ହେଉଥିବା ବିଭିନ୍ନ ବ୍ୟବସାୟରେ ଅନୈତିକ ଜିନିଷ ଦେଶ ମଧ୍ୟକୁ ଆସୁଛି। ଏହି ସାମଗ୍ରୀର ଦେଣ ନେଣ ଆତଙ୍କବାଦ ଏବଂ ବିଛିନ୍ନତାବାଦୀଙ୍କୁ ସହାୟତା ଦେଉଛି ବୋଲି ଏନ୍‌ଆଇଏ ପକ୍ଷରୁ ସୂଚନା ମିଳିବା ପରେ କେନ୍ଦ୍ର ସରକାର ଏହାକୁ ତୁରନ୍ତ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି। ସୂଚନାଯୋଗ୍ୟ ଯେ, ନିୟନ୍ତ୍ରଣ ରେଖାରେ ଚାଲୁଥିବା ଏହି ବ୍ୟବସାୟ ପାଇଁ କର ଦେବାକୁ ପଡୁନଥିଲା। ଏହା ଉପରେ ପୁନର୍ବିଚାର ପରେ ଖୋଲିବା ସମ୍ପର୍କରେ ନିଷ୍ପତ୍ତି ନିଆଯିବ ବୋଲି ଗୃହ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।

Categories
ଆଜିର ଖବର

ତ୍ରିପୁରାରେ ନିର୍ବାଚନ ତାରିଖ ଘୁଞ୍ଚାଇଲେ ନିର୍ବାଚନ କମିଶନ

ନିର୍ବାଚନ କମିଶନ ତ୍ରିପୁରାରେ ନିର୍ବାଚନ ତାରିଖ ଘୁଞ୍ଚାଇଛନ୍ତି। ପୂର୍ବ ତ୍ରିପୁରାରେ ଏପ୍ରିଲ୍‌ ୧୮ ତାରିଖରେ ହେବାକୁ ଥିବା ନିର୍ବାଚନକୁ ଏପ୍ରିଲ୍‌ ୨୩ ତାରିଖକୁ ଘୁଞ୍ଚାଇ ଦେଇଛନ୍ତି କମିଶନ।ଗୁରୁତର ଆଇନ ଶୃଙ୍ଖଳା ପରସ୍ଥିତି ଯୋଗୁଁ ଏହି ନିର୍ବାଚନ ଘୁଞ୍ଚାଇ ଦିଆଯାଇଛି ବୋଲି ନିର୍ବାଚନ କମିଶନଙ୍କ ପକ୍ଷରୁ କୁହା ଯାଇଛି। ଆଇନ ଶୃଙ୍ଖଳା ପରସ୍ଥିତି ଯୋଗୁଁ ଦୁଇଟି ଆସନରେ ନିର୍ବାଚନକୁ ବନ୍ଦ ରଖାଯାଇଛି ବୋଲି ମଙ୍ଗଳବାର ରାତିରେ ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀରାମ ତରଣୀକାନ୍ତି ସୂଚନା ଦେଇଛନ୍ତି। ମୁକ୍ତ ଏବଂ ଅବାଧ ନିର୍ବାଚନ ପାଇଁ ଆଇନ ଶୃଙ୍ଖଳା ପରସ୍ଥିତି ସଠିକ୍‌ ନାହିଁ ବୋଲି ସହକାରୀ ଡିଜିପି ରାଜୀବ ସିଂ ସୂଚନା ଦେବା ପରେ ନିର୍ବାଚନ କମିଶନ ଏହି ନିଷ୍ପତ୍ତି ନେଇଛନ୍ତି। ଡିଜିପି ଏକେ ଶୁକ୍ଲା ନିର୍ବାଚନ ସୁରକ୍ଷା ବ୍ୟବସ୍ଥା ନୀରିକ୍ଷଣ କରିବା ସହିତ ୨୩ ତାରିଖରେ ନିର୍ବାଚନ ପରିଚାଳନା କରିବେ। ତ୍ରିପୁରା କଂଗ୍ରେସ ସଭାପତି ପ୍ରଦ୍ୟୋତ ଦେବ ବର୍ମନ୍‌ କହିଛନ୍ତି ନିର୍ବାଚନ କମିଶନ ସଠିକ୍‌ ନିଷ୍ପତ୍ତି ନେଇଛନ୍ତି ବୋଲି କହିବା ସହ ଏହି ନିଷ୍ପତ୍ତିକୁ ସ୍ବାଗତ କରିଛନ୍ତି। ମାତ୍ର ପ୍ରଥମ ପର୍ଯ୍ୟାୟରେ ପଶ୍ଚିମ ତ୍ରିପୁରାରେ କିଛି ସ୍ଥାନରେ ହିଂସା ହୋଇଥିବାରୁ ଏଠାରେ ମଧ୍ୟ ପୁନଃ ନିର୍ବାଚନ କରାଯିବା ଉଚିତ୍‌ ବୋଲି ବର୍ମନ୍‌ କହିଛନ୍ତି।