Categories
ବିଶେଷ ଖବର ରାଜ୍ୟ ଖବର

ବିଜେଡିରେ ସାମିଲ ହେଲେ ପୂର୍ବତନ ସାଂସଦ ପ୍ରଦୀପ ମାଝୀ, ଦଳର କେତେ ହେବ ଲାଭ !

ନବରଂଗପୁର: ଶେଷରେ ବିଜେଡିରେ ସାମିଲ ହେଲେ ପୂର୍ବତନ ସାଂସଦ ପ୍ରଦୀପ ମାଝୀ। ନବରଂଗପୁରରେ ଏକ ମିଶ୍ରଣ ପର୍ବରେ ସେ ଏବଂ ତାଙ୍କର ଶତାଧିକ କର୍ମୀ ବିଜେଡିରେ ସାମିଲ ହୋଇଛନ୍ତି। ତାଙ୍କୁ ଦଳର ସାଂଗଠନିକ ସଂପାଦକ ବିଧାୟକ ପ୍ରଣବ ପ୍ରକାଶ ଦାସ ଦଳୀୟ ଉତ୍ତରୀୟ ପିନ୍ଧାଇ ପ୍ରଦୀପ ଦଳରେ ସାମିଲ ହେଲେ ବୋଲି ଘୋଷଣା କରିଥିଲେ। ଏହି ଉତ୍ସବରେ ତାଙ୍କର ପ୍ରତିଦ୍ବନ୍ଦୀ ତଥା ସାଂସଦ ରମେଶ ମାଝୀ ମଧ୍ୟ ଉପସ୍ଥିତ ଥିଲେ।

ପ୍ରଦୀପ ଓ ତାଙ୍କ ସମର୍ଥକମାନେ ନବରଙ୍ଗପୁର ସହର ଚାଉଁରିଆଗୁଡା ଛକଠାରୁ ଏକ ବିଶାଳ ରାଲିରେ ନବରଙ୍ଗପୁର ସହର ପରିକ୍ରମା କରି ମାଝୀଗୁଡାଠାରେ ପହଞ୍ଚିଥିଲେ ।ଏହା ପୂର୍ବରୁ ପ୍ରଦୀପ ନବରଂଗପୁରରେ ଏକ ବିଶାଳ ସମାବେଶ କରି ନିଜର ଶକ୍ତି ପ୍ରଦର୍ଶନ କରିଥିଲେ। ସେତେବେଳେ ସେହି ସଭାରେ ସେ ବିଜେଡିରେ ଯୋଗଦେବେ ବୋଲି ଘୋଷଣା ମଧ୍ୟ କରିଥିଲେ।

ନିକଟରେ ପ୍ରଦୀପ କଂଗ୍ରେସ ଉପରେ ଅସନ୍ତୁଷ୍ଠ ହୋଇ ଇସ୍ତଫା ପ୍ରଦାନ କରିଥିଲେ। ସେ ସୋନିଆ ଗାନ୍ଧୀଙ୍କୁ ତାଙ୍କର ଇସ୍ତଫା ପତ୍ର ପଠାଇଥିଲେ। ସେଥିରେ ସେ ଅଭିମାନ ଭରା କଣ୍ଠେ କଂଗ୍ରେସ ଛାଡୁଛି ବୋଲି କହିଥିଲେ। ମୁଖ୍ୟତଃ କଂଗ୍ରେସରେ ବର୍ତ୍ତମାନ ସେବା କରିବାର ସୁଯୋଗ ନାହିଁ ବୋଲି ସେ ଚିଠିରେ ଉଲ୍ଲେଖ କରିଥିଲେ। ସେ ଇସ୍ତଫା ଦେବା ପରେ ବିଜେଡିରେ ସାମିଲ ହେବେ ବୋଲି କଳ୍ପନ ଜଳ୍ପନା ପ୍ରକାଶ ପାଇଥିଲା।

ପ୍ରଦୀପ ବିଜେଡିରେ ସାମିଲ ହେବା ପରେ ଆସନ୍ତା ବର୍ଷ ତାଙ୍କୁ ରାଜ୍ୟସଭା ପଠାଯିବ ବୋଲି ଦଳ ତରଫରୁ କୁଆଡେ ପ୍ରତିଶୃତି ଦିଆଯାଇଛି। କାରଣ ଆସନ୍ତା ବର୍ଷ ତିନୋଟି ରାଜ୍ୟସଭା ସଦସ୍ୟ ପଦବୀ ଖାଲିପଡୁଛି। ପ୍ରଦୀପଙ୍କର ସାଂସଦରେ ବେଶ ଭଲ ଅଭିଜ୍ଞତା ଥିବାରୁ ତାଙ୍କୁ ରାଜ୍ୟସଭା ପଠାଯିବ ବୋଲି ଦଳ ନିଷ୍ପତି କରିଛି ବୋଲି ଜଣାପଡିଛି।

ପ୍ରଦୀପ କଂଗ୍ରେସ ଛାଡି ବିଜେଡିରେ ଯୋଗ ଦେବେ ବୋଲି ପ୍ରଚାର ହେବା ପରେ ନବରଂଗପୁର ବିଜେଡିରେ ଚାପା ଅସନ୍ତୋଷ ସୃଷ୍ଟି ହୋଇଥିଲେ। ଏପରିକି ସାଂସଦ ରମେଶ ମାଝୀ ମଧ୍ୟ ଏହାକୁ ନେଇ କୁଆଡେ ଦଳର ମଙ୍ଗୁଆଳମାନଙ୍କ ନିକଟରେ ଅଭିଯୋଗ କରିଥିଲେ। ହେଲେ ସେସବୁକୁ ପ୍ରଣବ ପ୍ରକାଶ ପରିଚାଳନା କରିବାରେ ସଫଳ ହୋଇଛନ୍ତି। ଯାହା ଫଳରେ ଅସନ୍ତୋଷ ବିଜେଡି ନେତାମାନେ ଏହି ମିଶ୍ରଣ ପର୍ବରେ ସାମିଲ ହୋଇଥିଲେ।

ତେବେ ପ୍ରଶ୍ନ ଉଠୁଛି ଯେ, ପ୍ରଦୀପ ମାଝିଙ୍କ ବିଜେଡି ସାମିଲ ହେବା ପରେ ଦଳ କେତେ ଦୂର ଲାଭବାନ ହୋଇପାରିବ। କାରଣ ଏମିତିରେ ନବରଂଗପୁରରେ ବିଜେଡିର ସୁଦୃଢ ସଂଗଠନ ରହିଛି। 2014 ମସିହାରୁ ପ୍ରଦୀପ ଆଉ ପାୱାରରେ ନାହାଁନ୍ତି। କେବଳ ସଂଗଠନକୁ ବଞ୍ଚାଇ ରଖିବା ଛଡା ଆଉ କିଛି କରିପାରି ନାହାଁନ୍ତି। ତେବେ ତାଙ୍କ ପାଇଁ ସବୁଠାରୁ ବଡ ଚ୍ୟାଲେଞ୍ଜ ହେବ ସେଠାକାର ପୁରୁଣା ବିଜେଡି କର୍ମିଙ୍କୁ ସାଥୀରେ ନେଇ କାମ କରିବା।

ବିଜେଡିର କେତେ ଲାଭ ହେବ ତାହା ଆଗକୁ ଜଣାପଡିବ, ହେଲେ କଂଗ୍ରେସର ନିଶ୍ଚିତ କ୍ଷତି ହେବ ଏଥିରେ ସନ୍ଦେହ ନାହିଁ। କାରଣ ଦକ୍ଷିଣ ଓଡିଶାରେ ଧିରେଧିରେ କଂଗ୍ରେସ ଗଡ ଭୁସୁଡିବାରେ ଲାଗିଛି। ଜଣଙ୍କ ପରେ ଜଣେ କଂଗ୍ରେସ ନେତା ବିଜେଡିରେ ସାମିଲ ହେବାରେ ଲାଗିଛନ୍ତି। ଫଳରେ ଆଗାମୀ ପଞ୍ଚାୟତ ନିର୍ବାଚନରେ କଂଗ୍ରେସ ପାଇଁ ଏହା ବଡ ମହଙ୍ଗା ପଡିବ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ସରିଲା ନିଷ୍ପତି : ବିଜେଡିରେ ଯୋଗଦେବେ କଂଗ୍ରେସ ନେତା ପ୍ରଦୀପ ମାଝୀ, ଦିଆଗଲା ଭଲ ଅଫର

ଭୁବନେଶ୍ବର : ଶେଷରେ ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇ କଂଗ୍ରେସ ନେତା ତଥା ପୂର୍ବତନ ସାଂସଦ ପ୍ରଦୀପ ମାଝି ବିଜେଡିରେ ଯୋଗଦେବେ। ବହୁ ଆଲୋଚନା ପର୍ଯ୍ୟାଲୋଚନା ପରେ ଉଭୟ ବିଜେଡି ଏବଂ ପ୍ରଦୀପ ରାଜି ହୋଇଛନ୍ତି। ଯାହା ଜଣାପଡୁଛି ଆସନ୍ତା 24 ତାରିଖରେ ସେ ବିଜେଡିରେ ଯୋଗ ଦେବେ।

ତେବେ ସେ ଭୁବନେଶ୍ବରରେ ଯୋଗ ନ ଦେଇ ନବରଙ୍ଗପୁରରେ ମହାସମାରୋହରେ ଯୋଗ ଦେବେ ବୋଲି ଜଣାପଡିଛି। ତେବେ ମୁଖ୍ୟମନ୍ତ୍ରୀ ଅରାଜି ହେଲେ ଭୁବନେଶ୍ବରରେ ଏହି ମିଶ୍ରଣ ପର୍ବ କରାଯିବ ବୋଲି ନିଷ୍ପତି ହୋଇଛି। ପ୍ରଦୀପଙ୍କ ସହିତ ଚିତ୍ରକୋଣ୍ଡାର ପୂର୍ବତନ ବିଧାୟିକା ମମତା ମାଢୀ ମଧ୍ୟ ବିଜେଡିରେ ଯୋଗଦେବାର ସମ୍ଭାବନା ରହିଛି।

ପ୍ରଦୀପ ମାଝି ବିଜେଡିରେ ଯୋଗ ଦେବା ପରେ ତାଙ୍କୁ ରାଜ୍ୟସଭା ପଠାଯିବ ବୋଲି ନିଷ୍ପତି ହୋଇଛି। ଏହି ନିର୍ଭର ପ୍ରତିଶୃତି ବିଜେଡି ତରଫରୁ ପ୍ରଦାନ କରାଯାଇଛି। କାରଣ ଆସନ୍ତା ବର୍ଷ ତିନୋଟି ରାଜ୍ୟସଭା ଆସନ ଖାଲି ହେଉଛି। ସେଗୁଡିକ ହେଲା ପ୍ରସନ୍ନ ଆଚାର୍ଯ୍ୟ, ସସ୍ମିତ ପାତ୍ର ଏବଂ ଏନ ଭାସ୍କର ରାଓ। ଏହି ତିନୋଟିରୁ ଗୋଟିଏ ପ୍ରଦୀପ ନେବେ।

ତେବେ ପ୍ରଦୀପ ମାଝି ବହୁ ପୂର୍ବରୁ ବିଜେଡିରେ ସାମିଲ ହେବାର ଥିଲା। ହେଲେ ନବରଂଗପୁର ବିଜେଡି ତରଫରୁ ଏହାକୁ ବିରୋଧ କରାଯିବାରୁ ତାହା ସ୍ଥଗିତ ଥିଲା। ବିଶେଷ କରି ନବରଂଗପୁର ସାଂସଦ ରମେଶ ମାଝି ଏହାକୁ ନେଇ କୁଆଡେ ଅସନ୍ତୁଷ୍ଠ ଥିଲେ। ପରେ ତାଙ୍କୁ ଏବଂ ଜିଲ୍ଲା ନେତାଙ୍କୁ ଦଳ ତରଫରୁ ବୁଝାବୁଝି କରିବା ପରେ ଏହି ମିଶ୍ରଣ ଚୁଡାନ୍ତ ହୋଇଛି।

ନିକଟରେ କଂଗ୍ରେସର ପୂର୍ବତନ ବିଧାୟକ ଚନ୍ଦ୍ରଶେଖର ମାଝି ବିଜେଡିରେ ଯୋଗ ଦେଇଛନ୍ତି। ସେ ଗତ ନିର୍ବାଚନରେ କୋଟପାଡରୁ ମନ୍ତ୍ରୀ ପଦ୍ମନୀ ଦିଆନଙ୍କଠାରୁ ହାରିଥିଲେ। ବର୍ତ୍ତମାନ ପ୍ରଦୀପ ମାଝି ଯୋଗଦେବା ପରେ ନବରଂଗପୁର ଜିଲ୍ଲାରେ କଂଗ୍ରେସ ଦୁର୍ଗ ଭୁଷୁଡି ପଡିଛି। ଅନ୍ୟପକ୍ଷରେ ବିଜେଡିର ଦୁର୍ଗ ଦୃଢରୁ ସୁଦୃଢ ହୋଇଛି।