Categories
ଆଜିର ଖବର

ନିର୍ବାଚନ ପ୍ରକ୍ରିୟାକୁ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ପ୍ରଶଂସା

ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ଚଳିତ ବର୍ଷର ଲୋକସଭା ନିର୍ବାଚନ ପ୍ରକ୍ରିୟାକୁ ପ୍ରଶଂସା କରିଛନ୍ତି। କଂଗ୍ରେସ ଏବଂ ଅନ୍ୟାନ୍ୟ ସମସ୍ତ ବିରୋଧୀ ଦଳ ନିର୍ବାଚନ କମିଶନ ପକ୍ଷପାତ କରୁଥିବାର ଅଭିଯୋଗ ଆଣିଥିବା ବେଳେ ନିର୍ବାଚନ କମିଶନଙ୍କୁ ଭୁରି ଭୁରି ପ୍ରଶଂସା କରିଛନ୍ତି ପ୍ରଣବ ମୁଖାର୍ଜୀ। ଏନ୍‌ଡିଟିଭି ନିର୍ଦ୍ଦେଶକ ସୋନିଆ ସିଂଙ୍କ ପୁସ୍ତକ ‘ଡିଫାଇନିଙ୍ଗ ଇଣ୍ଡିଆ ଥ୍ରୋ ଦେୟାର ଆଇଜ୍‌’ ଉନ୍ମୋଚନ ଅବସରରେ ଏହି ମନ୍ତବ୍ୟ ଦେଇଛନ୍ତି ମୁଖାର୍ଜୀ। ଯଦି ସମାଜକୁ ସଶକ୍ତ କରିବାକୁ ଚାହିଁବା ତେବେ ଲକ୍ଷ୍ୟ ରଖିବାକୁ ପଡିବ ଏହା ଦେଶପ୍ରତି ସଠିକ୍‌ ଭାବରେ କାର୍ଯ୍ୟ କରୁଛି। ସେହିପରି ଭାବରେ ଏକ ସଶକ୍ତ ରାଷ୍ଟ୍ର ଗଠନ ପାଇଁ ସଶକ୍ତ ନିର୍ବାଚନ ଆବଶ୍ୟକ ଏବଂ ଚଳିତ ଥରର ନିର୍ବାଚନ ଅତ୍ୟନ୍ତ ସୁନ୍ଦର ଭାବରେ ସମାପନ ହୋଇଛି ବୋଲି ମୁଖାର୍ଜୀ ମତ ରଖିଥିଲେ। ଦେଶର ପ୍ରଥମ ନିର୍ବାଚନ କମିଶନର ସୁକୁମାର ସେନଙ୍କ ଠାରୁ ଆରମ୍ଭ କରି ବର୍ତ୍ତମାନର ମୁଖ୍ୟ ନିର୍ବାଚନ କମିଶନର ସୁନୀଲ ଅରୋରାଙ୍କ ପର୍ଯ୍ୟନ୍ତ ସମସ୍ତେ ନିଜର ଦାୟିତ୍ବ ସଠିକ୍‌ ଭାବରେ ନିର୍ବାହ କରିବାରେ ସଫଳ ହୋଇଛନ୍ତି। ଏମାନଙ୍କୁ ସମାଲୋଚନା କରାଯିବା ଅନୁଚିତ ବୋଲି ମୁଖାର୍ଜୀ କହିଛନ୍ତି।