Categories
ଆଜିର ଖବର

ମୁମ୍ବାଇର ଆର୍ଥର ଜେଲ୍‌ର 77 କଏଦୀ ଓ 26 ଜଣ କର୍ମଚାରୀଙ୍କଠାରେ କରୋନା ପଜିଟିଭ୍‌

ମୁମ୍ବାଇ : ମୁମ୍ବାଇରେ କରୋନା ସ୍ଥିତି ବେଶ୍‌ ସଂକଟଜନକ ରହିଛି । ଏଠାରେ  କରୋନା ସାଧାରଣ ଲୋକଙ୍କଠାରୁ ଆରମ୍ଭ କରି ପୋଲିସ୍‌ ବିଭାଗରେ ମଧ୍ୟ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି । ମୁମ୍ବାଇର ଆର୍ଥର ରୋଡ୍‌ ଜେଲ୍‌ରେ 103 କରୋନା ପଜିଟିଭ୍‌ ରହିଥିବାର ସୂଚନା ମିଳିଛି । ଏହି ଜେଲ୍‌ରେ 77 ଜଣ କଏଦୀ ଓ 26 ଜଣ ଜେଲ୍‌ କର୍ମଚାରୀ କରୋନାରେ ସଂକ୍ରମିତ ହୋଇଥିବାର ସୂଚନା ମିଳିଛି ।

କଏଦୀମାନଙ୍କୁ ଜିଟି ହସ୍ପିଟାଲ ଓ ସେଣ୍ଟ ଜର୍ଜ ହସ୍ପିଟାଲରେ ଭର୍ତ୍ତି କରାଯିବ ବୋଲି ସୂଚନା ରହିଛି । ଶୁକ୍ରବାର ସକାଳେ ସୁରକ୍ଷା ସହକାରେ କଏଦୀମାନଙ୍କୁ ହସ୍ପିଟାଲକୁ ନିଆଯିବ । ସେହିପରି ଜେଲ୍‌ କର୍ମଚାରୀମାନଙ୍କୁ ଅଲଗା ଏକ ହସ୍ପିଟାଲକୁ ନିଆଯିବାର ସୂଚନା ରହିଛି ।

ଆର୍ଥର ରୋଡ୍‌ ଜେଲ୍‌ ମୁମ୍ବାଇର ସର୍ବପୁରାତନ ଜେଲ୍‌ ମଧ୍ୟରେ ଅନ୍ୟତମ । ଏହା କସ୍ତୁରବା ହସ୍ପିଟାଲ୍‌ରେ ସାମ୍ନାରେ ଅବସ୍ଥିତ । କସ୍ତୁରବା ହସ୍ପିଟାଲକୁ କୋଭିଡ୍‌ -19 ନୋଡାଲ୍‌ ହସ୍ପିଟାଲ ରୂପେ ପରିଣତ କରାଯାଇଛି । ଜେଲ୍‌ରେ 2 ହଜାର ବିଚାରଧୀନ କଏଦୀ ରହିଛନ୍ତି । ତେବେ ଏଠାରେ 800 କଏଦୀ ରହିବାର କ୍ଷମତା ରହିଛି । ୟେସ୍‌ ବ୍ୟାଙ୍କର ସଂସ୍ଥାପକ ତଥା ଅଭିଯୁକ୍ତ ରାଣା କପୁର୍‌ ମଧ୍ୟ ଏହି ଜେଲ୍‌ରେ ବନ୍ଦୀ ରହିଛନ୍ତି ।

ଜେଲ୍‌ରେ ଏ ପର୍ଯ୍ୟନ୍ତ 200 ଜଣଙ୍କର ସ୍ବାବ୍‌ ଟେଷ୍ଟ ନିଆଯାଇଥିଲା । ଏହି ଟେଷ୍ଟରୁ 103ଜଣଙ୍କର ପଜିଟିଭ୍‌ ଆସିଥିଲା ।  ଏହି ଜେଲ୍‌ରୁ ଜଣେ 45 ବର୍ଷୀୟ କଏଦୀଙ୍କ ରିପୋର୍ଟ ପଜିଟିଭ୍‌ ଆସିବା ପରେ ସମସ୍ତ କଏଦୀଙ୍କ ପରୀକ୍ଷା କରାଯାଉଛି ।  ସୂଚନାଯୋଗ୍ୟ, ଦେଶର କରୋନା ହଟସ୍ପଟ୍‌ ଭାବରେ ମହାରାଷ୍ଟ୍ରରେ ସର୍ବାଧିକ ରୋଗୀ ଚିହ୍ନଟ ହୋଇଛନ୍ତି । ଏଠାରେ ସଂକ୍ରମିତଙ୍କ ସଂଖ୍ୟା 16 ହଜାର ଡେଇଁଥିବାବେଳେ ମୃତ୍ୟୁ ସଂଖ୍ୟା 651 ରହିଛି । (ଏଜେନ୍ସି)

 

Categories
ଆଜିର ଖବର ଜାତୀୟ ଖବର

୯୦୦ କଏଦୀଙ୍କୁ ଜାମିନରେ ଛାଡିବେ ଏହି ଦୁଇ ରାଜ୍ୟ

ନୂଆଦିଲ୍ଲୀ : ଦେଶରେ କରୋନା ଭାଇରସ୍ ଆତଙ୍କ ବଢି ଚାଲିଥିବା ବେଳେ ଜେଲ୍‌ରେ କରୋନାକୁ ବ୍ୟାପିବାରୁ ରୋକିବା ନିମନ୍ତେ ପଦକ୍ଷେପ ଗ୍ରହଣ କରିଛନ୍ତି ଦୁଇ ରାଜ୍ୟ । ଦୁଇ ଉତ୍ତର ପୂର୍ବୀୟ ରାଜ୍ୟ ତ୍ରିପୁରା ଓ ମିଜୋରାମ ଏହି ପଦକ୍ଷେପ ଗ୍ରହଣ କରିଛନ୍ତି । ଏହି ଦୁଇ ରାଜ୍ୟ ୯୦୦ କଏଦୀଙ୍କୁ ଅନ୍ତରୀଣ ଜାମିନରେ ଛଡାଯିବାକୁ ନିଷ୍ପତ୍ତି ନେଇଛନ୍ତି । ପିଆର୍ ବଣ୍ଡ ବଳରେ ଏହି କଏଦୀ ମାନଙ୍କୁ ଅନ୍ତରୀଣ ଜାମିନରେ ଛଡାଯିବ ବୋଲି ଜେଲ୍ କର୍ତ୍ତୃପକ୍ଷ ନିଷ୍ପତ୍ତି ନେଇଛନ୍ତି । ୪୮ ସ୍ୱତନ୍ତ୍ର କଏଦୀଙ୍କ ସମେତ ବିଚାର ପ୍ରକ୍ରିୟାରେ ରହିଥିବା ୨୯୦ କଏଦୀଙ୍କୁ ଅନ୍ତରୀଣ ଜାମିନରେ ଛାଡିବା ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି ମିଜୋରାମ ସରକାର । ସେହିପରି ତ୍ରିପୁରା ସରକାର ୫୫୭ କଏଦୀଙ୍କୁ ଅନ୍ତରୀଣ ଜାମିନରେ ଛାଡିବାକୁ ନିଷ୍ପତ୍ତି ନେଇଛନ୍ତି ବୋଲି ତ୍ରିପୁରା ଆଇଜି ଜୟଦୀପ ନାୟକ ପ୍ରକାଶ କରିଛନ୍ତି ।