ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ୨୦୨୧-୨୬ ମଧ୍ୟରେ ମୋଟ ୪,୭୯୭ କୋଟି ଟଙ୍କା ବ୍ୟୟରେ କାର୍ଯ୍ୟକାରୀ ହେବାକୁ ଥିବା ଭୂ-ବିଜ୍ଞାନ ମନ୍ତ୍ରଣାଳୟର ବ୍ୟାପକ ଯୋଜନା “ପୃଥ୍ୱୀ ବିଜ୍ଞାନ- PRITHvi VIgyan (ପୃଥ୍ୱୀ)”କୁ ମଞ୍ଜୁରି ମିଳିଛି । ଏହି ପ୍ରମୁଖ ଯୋଜନାରେ “ବାୟୁମଣ୍ଡଳ ଏବଂ ଜଳବାୟୁ ଗବେଷଣା-ମଡେଲିଂ ପର୍ଯ୍ୟବେକ୍ଷଣ ପ୍ରଣାଳୀ ଏବଂ ସେବା (ଏଆରଏଏନ)”, “ମହାସାଗର ସେବା, ମଡେଲିଂ ଆପ୍ଲିକେସନ, ସମ୍ବଳ ଏବଂ ପ୍ରଯୁକ୍ତି (ଓ-ସ୍ମାର୍ଟ)”, “ପୋଲାର ସାଇନ୍ସ ଆଣ୍ଡ କ୍ରାୟୋସ୍ଫିୟର ରିସର୍ଚ୍ଚ (ପିଏସଆର)”, “ସିସ୍ମୋଲୋଜି ଏବଂ ଭୂବିଜ୍ଞାନ (ଏସଏଜିଇ)” ଏବଂ “ଗବେଷଣା, ଶିକ୍ଷା, ପ୍ରଶିକ୍ଷଣ ଏବଂ ପ୍ରସାର (ରିଚଆଉଟ)” ଭଳି ପାଞ୍ଚଟି ଉପ-ଯୋଜନା ଅନ୍ତର୍ଭୁକ୍ତ।
ବ୍ୟାପକ ପୃଥ୍ୱୀ ଯୋଜନାର ମୁଖ୍ୟ ଉଦ୍ଦେଶ୍ୟ ଗୁଡ଼ିକ ହେଲା:
ପୃଥିବୀ ପ୍ରଣାଳୀର ଗୁରୁତ୍ୱପୂର୍ଣ୍ଣ ସଙ୍କେତ ଏବଂ ପରିବର୍ତ୍ତନର ରେକର୍ଡ କରିବା ଲାଗି ବାୟୁମଣ୍ଡଳ, ମହାସାଗର, ଭୂମଣ୍ଡଳ, କ୍ରାୟୋସ୍ଫିୟର ଏବଂ କଠିନ ଭୂଭାଗର ଦୀର୍ଘକାଳୀନ ପର୍ଯ୍ୟବେକ୍ଷଣକୁ ବଢ଼ାଇବା ଏବଂ ବଜାୟ ରଖିବା
ପାଣିପାଗ, ସମୁଦ୍ର ଏବଂ ଜଳବାୟୁ ବିପଦକୁ ବୁଝିବା ଏବଂ ପୂର୍ବାନୁମାନ କରିବା ଏବଂ ଜଳବାୟୁ ପରିବର୍ତ୍ତନର ବିଜ୍ଞାନକୁ ବୁଝିବା ପାଇଁ ମଡେଲିଂ ପ୍ରଣାଳୀର ବିକାଶ
ନୂତନ ଘଟଣା ଏବଂ ସମ୍ବଳ ଆବିଷ୍କାର ଦିଗରେ ପୃଥିବୀର ମେରୁ ଏବଂ ଉଚ୍ଚ ସମୁଦ୍ର ଅଞ୍ଚଳର ଅନୁସନ୍ଧାନ;
ସାମାଜିକ ପ୍ରୟୋଗ ପାଇଁ ମହାସାଗରୀୟ ସମ୍ପଦର ଅନୁସନ୍ଧାନ ଏବଂ ସ୍ଥାୟୀ ଉପଯୋଗ ପାଇଁ ପ୍ରଯୁକ୍ତିବିଦ୍ୟାର ବିକାଶ
ସାମାଜିକ, ପରିବେଶ ଏବଂ ଅର୍ଥନୈତିକ ଲାଭ ପାଇଁ ପୃଥିବୀ ପ୍ରଣାଳୀ ବିଜ୍ଞାନରୁ ପ୍ରାପ୍ତ ଜ୍ଞାନ ଏବଂ ତଥ୍ୟକୁ ସେବାରେ ଅନୁବାଦ
ପାଣିପାଗ, ଜଳବାୟୁ, ସମୁଦ୍ର ଏବଂ ଉପକୂଳବର୍ତ୍ତୀ ଅବସ୍ଥା, ଜଳବିଜ୍ଞାନ, ଭୂକମ୍ପ ବିଜ୍ଞାନ ଏବଂ ପ୍ରାକୃତିକ ବିପର୍ଯ୍ୟୟ କ୍ଷେତ୍ରରେ ସେବା ପ୍ରଦାନ କରିବା ଜରିଆରେ ସମାଜ ପାଇଁ ବିଜ୍ଞାନକୁ ସେବାରେ ପରିଣତ କରିବା; ଦେଶ ପାଇଁ ଏକ ସ୍ଥାୟୀ ଉପାୟରେ ସାମୁଦ୍ରିକ ଜୀବନ ଏବଂ ନିର୍ଜୀବ ସମ୍ବଳର ଅନୁସନ୍ଧାନ ଏବଂ ଉପଯୋଗ କରିବା ଏବଂ ପୃଥିବୀର ତିନୋଟି ମେରୁ (ଆର୍କଟିକ୍, ଆଣ୍ଟାର୍କଟିକା ଏବଂ ହିମାଳୟ)ର ଅନୁସନ୍ଧାନ କରିବା ଲାଗି ଭୂବିଜ୍ଞାନ ମନ୍ତ୍ରଣାଳୟ ସଂକଳ୍ପବଦ୍ଧ । ଏହି ସେବାଗୁଡ଼ିକ ମଧ୍ୟରେ ପାଣିପାଗ ପୂର୍ବାନୁମାନ (ଉଭୟ ସ୍ଥଳ ଓ ମହାସାଗରରେ) ଏବଂ ବିଭିନ୍ନ ପ୍ରାକୃତିକ ବିପର୍ଯ୍ୟୟ ଯଥା କ୍ରାନ୍ତୀୟ ବାତ୍ୟା, ଝଡ଼ତୋଫାନ, ବନ୍ୟା, ଗ୍ରୀଷ୍ମ ପ୍ରବାହ, ବିଜୁଳି ଓ ବଜ୍ରପାତ ପାଇଁ ସତର୍କ ସୂଚନା; ସୁନାମି ପାଇଁ ସତର୍କ ସୂଚନା ଏବଂ ଭୂମିକମ୍ପର ତଦାରଖ ଇତ୍ୟାଦି ଅନ୍ତର୍ଭୁକ୍ତ । ମନ୍ତ୍ରଣାଳୟ ଦ୍ୱାରା ପ୍ରଦାନ କରାଯାଉଥିବା ସେବାକୁ ବିଭିନ୍ନ ଏଜେନ୍ସି ଏବଂ ରାଜ୍ୟ ସରକାରମାନେ ମାନବ ଜୀବନ ବଞ୍ଚାଇବା ଏବଂ ପ୍ରାକୃତିକ ବିପର୍ଯ୍ୟୟ ଜନିତ ସମ୍ପତ୍ତିର କ୍ଷୟକ୍ଷତି କୁ ହ୍ରାସ କରିବା ପାଇଁ ପ୍ରଭାବଶାଳୀ ଭାବରେ ବ୍ୟବହାର କରୁଛନ୍ତି ।
ଭାରତୀୟ ପାଣିପାଗ ବିଭାଗ (ଆଇଏମଡି), ଜାତୀୟ ମଧ୍ୟମ ଦୂରତା ପାଣିପାଗ ପୂର୍ବାନୁମାନ କେନ୍ଦ୍ର (ଏନସିଏମଆରଡବ୍ଲୁଏଫ), ସାମୁଦ୍ରିକ ଜୀବନ ସମ୍ବଳ ଏବଂ ପରିବେଶ କେନ୍ଦ୍ର (ସିଏମଏଲଆରଇ), ଜାତୀୟ ଉପକୂଳ ଗବେଷଣା କେନ୍ଦ୍ର (ଏନସିସିଆର), ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର (ଏନସିଏସ), ଜାତୀୟ ମହାସାଗର ପ୍ରଯୁକ୍ତି ପ୍ରତିଷ୍ଠାନ (ଏନଆଇଓଟି), ହାଇଦ୍ରାବାଦସ୍ଥିତ ଇଣ୍ଡିଆନ୍ ନ୍ୟାସନାଲ ସେଣ୍ଟର ଫର୍ ଓସେନ୍ ଇନଫର୍ମେସନ୍ ସର୍ଭିସ୍ (ଆଇଏନସିଓଆଇଏସ୍), ନ୍ୟାସନାଲ ସେଣ୍ଟର ଫର୍ ପୋଲାର ଆଣ୍ଡ ଓସେନ୍ ରିସର୍ଚ୍ଚ (ଏନସିପିଓଆର), ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟ୍ରପିକାଲ୍ ମେଟ୍ରୋଲୋଜି (ଆଇଆଇଟିଏମ୍), ପୁଣେ ଏବଂ ନ୍ୟାସନାଲ ସେଣ୍ଟର ଫର୍ ଆର୍ଥ ସାଇନ୍ସ ଷ୍ଟଡିଜ୍ (ଏନ୍ ଏସ୍ ଇଏସ୍ଇ) ଭଳି ୧୦ଟି ଅନୁଷ୍ଠାନ ଦ୍ୱାରା ଭୂବିଜ୍ଞାନ ମନ୍ତ୍ରଣାଳୟର ଗବେଷଣା ଓ ବିକାଶ ଏବଂ ପରିଚାଳନା (ସେବା) କାର୍ଯ୍ୟକଳାପ ପରିଚାଳିତ ହୁଏ । ମନ୍ତ୍ରଣାଳୟର ମହାସାଗରୀୟ ନୌବହର ଏବଂ ଉପକୂଳ ଗବେଷଣା ଜାହାଜ ଏହି ଯୋଜନା ପାଇଁ ଆବଶ୍ୟକ ଗବେଷଣା ସହାୟତା ପ୍ରଦାନ କରିଥାଏ ।
ପୃଥିବୀ ପ୍ରଣାଳୀ ବିଜ୍ଞାନ ପୃଥିବୀ ପ୍ରଣାଳୀର ସମସ୍ତ ପାଞ୍ଚଟି ଉପାଦାନ ସହିତ କାର୍ଯ୍ୟ କରେ: ବାୟୁମଣ୍ଡଳ, ଜଳମଣ୍ଡଳ, ଭୂମଣ୍ଡଳ, କ୍ରାୟୋସ୍ଫିୟର ଏବଂ ଜୈବମଣ୍ଡଳ ଏବଂ ସେମାନଙ୍କର ଜଟିଳ ପରସ୍ପର ପ୍ରତିକ୍ରିୟା । ଭୂ ବିଜ୍ଞାନ ମନ୍ତ୍ରଣାଳୟ (ଏମଓଇଏସ) ପୃଥିବୀ ପ୍ରଣାଳୀ ବିଜ୍ଞାନ ସହ ଜଡିତ ସମସ୍ତ ଦିଗକୁ ସାମଗ୍ରିକ ଭାବରେ ସମ୍ବୋଧିତ କରେ। ପୃଥିବୀ ପ୍ରଣାଳୀ ବିଜ୍ଞାନର ଅଣ୍ଡରଷ୍ଟେଟିଂରେ ଉନ୍ନତି ଆଣିବା ଏବଂ ଦେଶ ପାଇଁ ବିଶ୍ୱସନୀୟ ସେବା ପ୍ରଦାନ କରିବା ଲାଗି ବ୍ୟାପକ ପୃଥ୍ୱୀ ଯୋଜନା ପୃଥିବୀ ପ୍ରଣାଳୀ ସହ ଜଡ଼ିତ ସମସ୍ତ ଦିଗକୁ ସାମଗ୍ରିକ ଭାବେ ସମାଧାନ ଯୋଗାଇ ଦେବ। ପୃଥ୍ୱୀ ଯୋଜନାର ବିଭିନ୍ନ ଉପାଦାନ ପରସ୍ପର ଉପରେ ନିର୍ଭରଶୀଳ ଏବଂ ମନ୍ତ୍ରଣାଳୟ ଅଧୀନରେ ସମ୍ପୃକ୍ତ ଅନୁଷ୍ଠାନର ମିଳିତ ପ୍ରୟାସ ମାଧ୍ୟମରେ ସମନ୍ୱିତ ଭାବରେ ପରିଚାଳିତ ହେବ । ପୃଥ୍ୱୀ ବିଜ୍ଞାନର ଏହି ବ୍ୟାପକ ଯୋଜନା ଦ୍ୱାରା ମନ୍ତ୍ରଣାଳୟର ବିଭିନ୍ନ ଅନୁଷ୍ଠାନରେ ସମନ୍ୱିତ ବହୁ-ବିଷୟକ ଭୂବିଜ୍ଞାନ ଗବେଷଣା ଏବଂ ଅଭିନବ କାର୍ଯ୍ୟକ୍ରମର ବିକାଶ ସମ୍ଭବ ହେବ । ଏହି ସମନ୍ୱିତ ଗବେଷଣା ଓ ବିକାଶ ପ୍ରୟାସ ପାଣିପାଗ ଏବଂ ଜଳବାୟୁ, ସମୁଦ୍ର, କ୍ରାୟୋସ୍ଫିୟର, ଭୂକମ୍ପ ବିଜ୍ଞାନ ଏବଂ ସେବାଗୁଡିକର ବୃହତ ଆହ୍ୱାନର ମୁକାବିଲା କରିବାରେ ସହାୟକ ହେବ ଏବଂ ସେମାନଙ୍କର ସ୍ଥାୟୀ ଉପଯୋଗ ପାଇଁ ଜୀବନ୍ତ ଏବଂ ନିର୍ଜୀବ ସମ୍ବଳର ଅନୁସନ୍ଧାନ କରିବ।