Categories
ଖେଳ ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ବିଦ୍ୟାଳୟରେ ୭୫ଟି ପାରମ୍ପରିକ କ୍ରୀଡ଼ାକୁ ବ୍ୟାପକ କରିବା ପାଇଁ ଆରମ୍ଭ ହେଲା ପ୍ରୟାସ

ଭୁବନେଶ୍ୱର: ଜାତୀୟ ଶିକ୍ଷାନୀତି -୨୦୨୦ର ଚତୁର୍ଥ ବର୍ଷ ପୂର୍ତ୍ତି ଉପଲକ୍ଷେ ରାଜ୍ୟର ବିଭିନ୍ନ ଶିକ୍ଷାନୁଷ୍ଠାନରେ ସଫଳତାର ସହ ‘ଶିକ୍ଷା ସପ୍ତାହ’ ପାଳନ କରାଯାଉଛି। ଏହା ଆଧାରରେ ଛାତ୍ରଛାତ୍ରୀଙ୍କ ମାନସିକ ବିକାଶ ସମେତ ଶାରୀରିକ ବିକାଶକୁ ମଧ୍ୟ ଗୁରୁତ୍ୱ ଦିଆଯାଉଛି। ବୁଧବାର ଦିନ ଶିକ୍ଷା ସପ୍ତାହର ତୃତୀୟ ଦିବସକୁ କ୍ରୀଡ଼ା ଦିବସ ରୁପେ ପାଳନ କରାଯାଇଛି।

କ୍ରୀଡ଼ାକୁ କେବଳ ଏକ ଶାରୀରିକ ବ୍ୟାୟାମ ନୁହେଁ ବରଂ ମୁଖ୍ୟ ପାଠ୍ୟକ୍ରମ ଭାବରେ ଗ୍ରହଣ କରିବା ଉପରେ ଗୁରୁତ୍ୱ ଦିଆଯାଇଛି । କ୍ରୀଡ଼ାର ଗୁରୁତ୍ୱକୁ ଛାତ୍ରଛାତ୍ରୀ, ଅଭିଭାବକ ତଥା ଶିକ୍ଷକ/ଶିକ୍ଷୟିତ୍ରୀଙ୍କ ନିକଟରେ ପହଞ୍ଚାଇବା ଏହି ଦିବସ ପାଳନର ଉଦ୍ଦେଶ୍ୟ।

ତେବେ ଭାରତର କୋଣ ଅନୁକୋଣରେ ଥିବା ପାରମ୍ପାରିକ ଖେଳକୁ ଶିକ୍ଷାନୀତି-୨୦୨୦ରେ ସାମିଲ କରାଯାଇଛି । ଶିକ୍ଷା ସପ୍ତାହର ଏହି ଦିବସଟି ଛାତ୍ରଛାତ୍ରୀଙ୍କ ମଧ୍ୟରେ ସହଭାଗିତା, ଦଳଗତ କାର୍ଯ୍ୟ ମନୋଭାବ ବୃଦ୍ଧି, ଶୃଙ୍ଖଳିତ ଆଚରଣ ବୃଦ୍ଧି, ଖେଳୁଆଡ଼ ମନୋଭାବ ଓ ଆତ୍ମବିଶ୍ୱାସକୁ ବୃଦ୍ଧି କରିବାରେ ବେଶ୍‌ ସହାୟକ ହେବ।

ରାଜ୍ୟ ସମସ୍ତ ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟରେ ଜାତୀୟ ଶିକ୍ଷାନୀତିରେ ଥିବା ୭୫ ଟି ପାରମ୍ପାରିକ କ୍ରୀଡ଼ାକୁ ନେଇ ଏହି କ୍ରୀଡ଼ା ଦିବସ ପାଳନ କରାଯାଇଛି। ସ୍ଥାନୀୟ ଅଞ୍ଚଳର ହଜିଯାଉଥିବା କ୍ରୀଡ଼ା ଉପରେ ଅଧିକ ଧ୍ୟାନ ଦିଆଯାଉଛି। ଭାରତର ପ୍ରାଚୀନ ସଭ୍ୟତା ସହିତ ଅନେକ ପାରମ୍ପାରିକ କ୍ରୀଡ଼ା ଯୋଡ଼ି ହୋଇରହିଛି।

ଏହାର ଐତିହାସିକ ମହତ୍ବକୁ ଭବିଷ୍ୟତ ପିଢ଼ିଙ୍କ ନିକଟରେ ପହଞ୍ଚାଇବା ଉଦ୍ଦେଶ୍ୟରେ କ୍ରୀଡ଼ା ପ୍ରଦର୍ଶନୀର ଆୟୋଜନ କରାଯାଇଥିଲା। ଖେଳ ଶିକ୍ଷକମାନେ ପାରମ୍ପାରିକ ଖେଳ ସମ୍ପର୍କରେ ଛାତ୍ରଛାତ୍ରୀଙ୍କୁ ଅବଗତ କରାଇଥିଲେ। ବିଭିନ୍ନ ଆଉଟଡ଼ୋର୍‌ ଖେଳକୁ ନେଇ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରତିଯୋଗିତାର ମଧ୍ୟ ଆୟୋଜନ କରାଯାଇଥିଲା।