Categories
ଆଜିର ଖବର ରାଜ୍ୟ ଖବର

ଆସନ୍ତା ୧୯ରୁ ଆରମ୍ଭ ହେବ ଭୁବନେଶ୍ୱରରେ ପଲସ୍‌ ପୋଲିଓ ଟୀକାକରଣ କାର୍ଯ୍ୟକ୍ରମ

ସମୀକ୍ଷା ବ୍ୟୁରୋ

ଭୁବନେଶ୍ୱର : ଭୁବନେଶ୍ୱରରେ ଜାନୁଆରୀ ୧୯, ୨୦ ଓ ୨୧ ତାରିଖରେ ପଲସ୍‌ ପୋଲିଓ ଟୀକାକରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ୨୪୯ଟି ବୁଥ୍‌ରେ ୪୯୮ଟି ଦଳ ଅନ୍ତର୍ଭୁକ୍ତ ୯୯୬ଟି ଟୀକାଦାନକାରୀ ଏହି ବ୍ୟାପକ କାର୍ଯ୍ୟକ୍ରମକୁ ପରିଚାଳନା କରିବେ। ରେଲେୱ ଷ୍ଟେସନ୍‌, ବସ୍‌ଷ୍ଟାଣ୍ଡ ଓ ହାଟ ପ୍ରଭୃତି ଗହଳି ସ୍ଥାନମାନଙ୍କରେ ବହିରାଗତ ଶିଶୁମାନଙ୍କୁ ପୋଲିଓ ଟୀକା ଦେବା ପାଇଁ ୩୦ଟି ଅସ୍ଥାୟୀ ଦଳ ଗଠନ କରାଯାଇଛି। ୫ଟି ଭ୍ରମ୍ୟମାଣ ଦଳ ମୁତୟନ ହୋଇ ସମସ୍ତ ନିର୍ମାଣାଧିନ ସ୍ଥଳୀଗୁଡ଼ିକରେ ପଲସ୍‌ ପୋଲିଓ ଟୀକାକରଣ କାର୍ଯ୍ୟକ୍ରମ ସମାହିତ ହେବ।

ଏହି ବିଶାଳ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷଙ୍କ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷରେ ପଲସ୍‌ ପୋଲିଓ ଟୀକାକରଣ-୨୦୨୦ର ସିଟି ଟାସ୍କଫୋର୍ସ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଅଧ୍ୟକ୍ଷତା କରି ଭୁବନେଶ୍ୱର ମୁ୍ୟନିସିପାଲ କର୍ପୋରେସନର୍‌ କମିଶନର ଶ୍ରୀ ପ୍ରେମଚନ୍ଦ୍ର ଚୌଧୁରୀ କହିଲେ ଯେ, ୫ ବର୍ଷରୁ କମ୍‌ ସମସ୍ତ ଶିଶୁଙ୍କୁ ଏହି ପଲସ୍‌ ପୋଲିଓ ଟୀକାକରଣ କାର୍ଯ୍ୟକ୍ରମରେ ଅନ୍ତର୍ଭୁକ୍ତ କରାଯିବା ଜରୁରୀ। ଏଥିନିମନ୍ତେ ଆଶା ଓ ଅଙ୍ଗନୱାଡ଼ି କର୍ମୀମାନେ ରାଜଧାନୀର ପ୍ରତ୍ୟେକ ଘର ବୁଲି ସୂଚନା ଦେବା ଓ ସଚେତନତାର ପ୍ରସାର କରାଇବା ଆବଶ୍ୟକ। ରାଜଧାନୀର ବିଭିନ୍ନ ବସ୍ତିରେ ରହୁଥିବା ପରିବାରଗୁଡ଼ିକର ୫ବର୍ଷରୁ କମ୍‌ ସମସ୍ତ ଶିଶୁ ଯେପରି ଏହି ପୋଲିଓ ଟୀକାକରଣ ସୁଯୋଗ ନେଇପାରିବେ ସେ ଦିଗରେ ସମସ୍ତ ଉଦ୍ୟମ କରିବାକୁ ଶ୍ରୀ ଚୌଧୁରୀ ପରାମର୍ଶ ଦେଇଥିଲେ। ସେହିପରି କେଉଁ ଅଞ୍ଚଳରେ କେଉଁଠି ବୁଥ୍‌ ହୋଇଛି, ସେ ସମ୍ବନ୍ଧରେ ଜାଣିବା ପାଇଁ  ବିଏମସି ତରଫରୁ ୱେବସାଇଟ୍‌ରେ ଲିଙ୍କ୍‌ ଦିଆଯିବ।  ନିକୋ ପାର୍କ ଓ ଅନ୍ୟାନ୍ୟ ପାର୍କରେ କେତେଗୁଡ଼ିଏ ମଡ଼େଲ ଟୀକାକରଣ ବୁଥ୍‌ କରାଯାଇ ଶିଶୁମାନଙ୍କ ପାଇଁ ଟୀକାଦାନ ସଙ୍ଗେ ସଙ୍ଗେ ଖେଳିବାର ବ୍ୟବସ୍ଥା ମଧ୍ୟ କରାଯିବାକୁ ଶ୍ରୀ ଚୌଧୁରୀ ନିର୍ଦ୍ଦେଶ ଦେଇଛନ୍ତି।