Categories
ଆଜିର ଖବର ରାଜ୍ୟ ଖବର

ସଟ୍‌ ଡାଉନ୍‌ ଉଲ୍ଲଂଘନ କରି ଧରାପଡ଼ିଲେ 9ଜଣ

ସମୀକ୍ଷା ବ୍ୟୁରୋ

ଭଦ୍ରକ : ଭଦ୍ରକରେ ସଟ୍‌ ଡାଉନ୍‌ ଉଲ୍ଲଂଘନ କରି ଧରାପଡ଼ିଲେ 9 ଜଣ । ଏହି ସମସ୍ତଙ୍କୁ14 ଦିନ ପାଇଁ ଇନ୍‌ଷ୍‌ଟିଚୁ୍ୟସନାଲ୍‌ କ୍ବାରେଣ୍ଟାଇନକୁ ପଠାଯାଇଛି । ସଟ୍‌ ଡାଉନ୍‌ ସମୟରେ ବାହାରେ ବୁଲୁଥିବାରୁ ଏହି 9ଜଣଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା ନେଇ ଉପଜିଲ୍ଲାପାଳ ସୂଚନା ଦେଇଛନ୍ତି ।

ଭଦ୍ରକରୁ ଚତୁର୍ଥ କରୋନା ସଂକ୍ରମିତଙ୍କ ସୂଚନା ମିଳିଥିଲେ । ସମ୍ପୃକ୍ତ ବ୍ୟକ୍ତି ଜଣକ ଭଦ୍ରକ ପୁରୁଣା ବଜାର ଅଂଚଳର ବୋଲି ଚିହ୍ନଟ ହୋଇଥିଲେ । ଅନ୍ୟପଟେ ଚତୁର୍ଥ କରୋନା ଆକ୍ରାନ୍ତଙ୍କୁ ଏସସିବି ମେଡିକାଲକୁ ସ୍ଥାନାନ୍ତର କରାଯାଇଥିବାବେଳେ ତାଙ୍କ ପରିବାରର ଅନ୍ୟ ସଦସ୍ୟମାନଙ୍କୁ କ୍ୱାରାଂଟାଇନରେ ରଖାଯାଇଛି । ଯୁବକ ଜଣଙ୍କ ଦୁବାଇରୁ ଫେରିବା ପରେ ୧୪ ଦିନ ଧରି ଭଦ୍ରକରେ ରହିଥିଲେ । ଗତକାଲି ରାତ୍ରି 8ଟାରୁ ଭଦ୍ରକ, କଟକ ଓ ଭୁବନେଶ୍ବରୁ 48ଘଣ୍ଟା ପାଇଁ ସମ୍ପୂର୍ଣ୍ଣ ସଟ୍‌ ଡାଉନ କରାଯାଇଛି । ଏହି ସମୟରେ କେବଳ କିଛି ଔଷଧ ଦୋକାନକୁ ଛାଡି ଦେଲେ ଅନ୍ୟ ସବୁ ବନ୍ଦ ରହିଛି । ଏପରିକି ଏପରି ସମୟରେ ଡାକ୍ତରଙ୍କ ସହ ଫୋନ୍‌ରେ ପରାମର୍ଶ ନେବାକୁ କୁହାଯାଇଛି । ଅତି ଜରୁରୀ ହେଲେ ଡାକ୍ତରଙ୍କ ନିର୍ଦ୍ଦେଶକ୍ରମେ ଆମ୍ବୁଲାନ୍ସରେ ହସ୍ପିଟାଲ ଯିବା ପାଇଁ ପୋଲିସ୍‌ ସହଯୋଗ କରିବ । ଏହି ସମୟରେ ସଟ୍‌ ଡାଉନ୍‌ କରାଯାଇଥିବା ଅଞ୍ଚଳ ଭିତରକୁ ଗାଡିଯାଇପାରିବ ନାହିଁ କିମ୍ବା ବାହାରକୁ ଯାଇପାରିବ ନାହିଁ ।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

କାଠକୋଟ ପଂଚାୟତରେ ସମ୍ଭାବ୍ୟ କରୋନା ରୋଗୀଙ୍କପାଇଁ ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ର

ରଞ୍ଜିତ୍‌ ପଣ୍ଡା

କୁଜଙ୍ଗ: କୁଜଙ୍ଗବ୍ଳକ ଅନ୍ତର୍ଗତ କାଠକୋଟ ପଂଚାୟତରେ ସମ୍ଭାବ୍ୟ କରୋନା ଅକ୍ରାନ୍ତ ମାନଙ୍କ ପାଇଁ ସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ର ନିର୍ମିତ ହୋଇଥିବା ଜଣାପଡ଼ିଛି । ପଂଚାୟତର ବାଣସରାସ୍ଥିତ ବନ୍ୟା ଆଶ୍ରୟସ୍ଥଳୀ ପରିସରମଧ୍ୟରେ ଦୁଇଟି ପ୍ରକୋଷ୍ଟରେ ୧୨ଟି ସୁସଜ୍ଜିତ ଶଯ୍ୟା ରହିଥିବାବେଳେ ପ୍ରତ୍ୱେକ ଶଯ୍ୟା ନିକଟରେ ସାନିଟାଇଜର, ସାବୁନ ପ୍ରସ୍ତୁତ ରହିଛି । ସେହିପରିଭାବେ ଜେନେରେଟର ସହିତ ବ୍ୟବହାର ଉପଯୋଗୀ ଟୟଲେଟ୍‌, ରୋଷେଇଶାଳା ପ୍ରଭୃତି ପ୍ରସ୍ତୁତ ରହିଥିବା ଜଣାପଡ଼ିଛି । ପଂଚାୟତର ସରପଂଚ ମିହିରରଞ୍ଜନ ପଟ୍ଟନାୟକ କୁଜଙ୍ଗ ଅତିରିକ୍ତ ମଣ୍ଡଳ ଉନ୍ନୟନ ଅଧିକାରୀଙ୍କ ନିର୍ଦ୍ଦେଶକ୍ରମେ ଏହି ସମସ୍ତ ପ୍ରସ୍ତୁତି କରିଥିବା ପ୍ରକାଶ କରିଛନ୍ତି।

Categories
ଆଜିର ଖବର ଜାତୀୟ ଖବର

ପ୍ରେମିକା ସହ ଭେଟିବା ପାଇଁ କ୍ବାରେଣ୍ଟାଇନ୍‌ରୁ ଚମ୍ପଟ୍‌ ମାରିଲେ ଯୁବକ, ପ୍ରେମିକା ଏବେ ଆଇସୋଲେସନ୍‌ରେ

ତାମିଲନାଡୁ : କରୋନା ଭାଇରସ୍‌ର ପ୍ରକୋପ ସାରା ଦେଶରେ ବଢି ଚାଲିଥିବାବେଳେ ଏହି ଭାଇରସ୍‌ ସହ ଲଢିବା ପାଇଁ ଦେଶରେ ଏବେ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ଲୋକଙ୍କୁ ଘରେ ରହିବା ପାଇଁ କୁହାଯାଇଥିବାବେଳେ ସଙ୍ଗରୋଧ ପାଇଁ ମଧ୍ୟ ଉପଦେଶ ଦିଆଯାଇଛି। ବିଦେଶରୁ ଫେରିଥିବା ଲୋକଙ୍କୁ କ୍ବାରେଣ୍ଟାଇନ୍‌ ସେଣ୍ଟରରେ ରଖାଯାଉଛି। କିନ୍ତୁ କିଛି ଲୋକେ ଏହାକୁ ବେଶ୍‌ ହାଲୁକା ଭାବରେ ଗ୍ରହଣ କରୁଛନ୍ତି। ନିକଟରେ ଜଣେ ଯୁବକ ତାଙ୍କ ପ୍ରେମିକାକୁ ଦେଖା କରିବା ପାଇଁ କ୍ବାରେଣ୍ଟାଇନରୁ ଚମ୍ପଟ୍‌ ମାରିଛନ୍ତି।

ମିଳିଥିବା ସୂଚନା ଅନୁସାରେ ତାମିଲନାଡୁର ମୁଦୈର୍‌ ଜିଲ୍ଲାର ଜଣେ ଯୁବକ ନିଜ ଗାର୍ଲଫ୍ରେଣ୍ଡ୍‌ର ବିବାହ ବନ୍ଦ କରିବା ପାଇଁ ଭାରତ ଫେରିଥିଲେ। ବିଦେଶରୁ ଫେରିଥିବା ଯୋଗୁଁ ତାଙ୍କୁ କ୍ବାରେଣ୍ଟାଇନ୍‌ରେ ରଖାଯାଇଥିଲା। କିନ୍ତୁ ସେ ତାଙ୍କ ପ୍ରେମିକାକୁ ଦେଖା କରିବା ପାଇଁ କ୍ବାରେଣ୍ଟାଇନ୍‌ରୁ ପଳାୟନ କରି ଶିବଗଙ୍ଗାରେ ପହଞ୍ଚିଥିଲେ। ସେଠାରେ କିଛି ସମୟ ତାଙ୍କ ପ୍ରେମିକା ସହିତ ମଧ୍ୟ ବିତାଇଥିଲେ।

ପ୍ରେମିକାଙ୍କ ସଂସ୍ପର୍ଶରେ ଆସିଥିବା ହେତୁ ପ୍ରେମିକାକୁ ଆଇସାଲେଟ୍‌ରେ ରଖାଯାଇଛି। ପୋଲିସ୍‌ ଓ ସ୍ବାସ୍ଥ୍ୟ ଅଧିକାରୀ ସମ୍ପୃକ୍ତ ଯୁବକକୁ ଖୋଜି ତାଙ୍କୁ ଓ ତାଙ୍କ ପ୍ରେମିକାକୁ କ୍ବାରେଣ୍ଟାଇନ୍‌ରେ ରଖିଛନ୍ତି । (ଏଜେନ୍ସି)