Categories
ବିଶେଷ ଖବର ମତାମତ

‘ପପ୍ପୁ’ ବୋଲି କହିଦେଲେ କେହି ନିର୍ବୋଧ ହୋଇ ଯାଏନା, ‘ପପ୍ପୁ’ ଗୋଟେ ଦେଶର ସମ୍ଭାବନା ବି ହୋଇପାରେ!

ସୁଧାଶ୍ରୀ ଦାଶ

ବିଦେଶରେ ରହି ମୁଁ ଗୋଟେ କଥା ବୁଝିସାରିଛି, ଯାହା ଆମେ ଦେଖିବା ଓ ଅନୁଭବ କରିବା, ତାକୁ ହିଁ ବିଶ୍ବାସ କରିବା । ସତ୍ୟ ସବୁବେଳେ ‘ତିନି ତୁଣ୍ଡରେ ଛେଳି କୁକୁର’ ନୁହେଁ । ୨୦୧୪ ସାଧାରଣ ନିର୍ବାଚନ ପରେ ଗୋଟିଏ ନୂଆ ଶବ୍ଦ ସାରା ଦେଶର ମଗଜରେ ପଶିଯାଇଥିଲା ଓ ସେ ଶବ୍ଦ ଟି ହେଉଛି ‘ପପ୍ପୁ’ । ସତ କହିବାକୁ ଗଲେ  ସେହି ଶବ୍ଦ ଯେମିତି ରାଜନୀତିର ପରିଭାଷାକୁ ବଦଳାଇ ଦେଲା । ପପ୍ପୁ ଶବ୍ଦର ଅର୍ଥ ମୂର୍ଖ, ଅଜ୍ଞାନ ଓ ଅବୋଧ ବୋଲି ଆମେ ଭାବିନେଲୁ। ତେବେ ଜଣେ ରାଜନେତାଙ୍କୁ ଏପରି ସମ୍ବୋଧନ କରିବା କେତେଦୂର ଯୁକ୍ତିଯୁକ୍ତ, ତାହା ଆଜି ବି ଆଲୋଚନା ସାପେକ୍ଷ । କିନ୍ତୁ ମୋ ମତରେ, ଗୋଟିଏ ବ୍ୟକ୍ତି କେବଳ ବିରୋଧୀ ଦଳର ବୋଲି ତାକୁ ପପୁ ବୋଲି କହିବା ଯଥାର୍ଥ ନୁହେଁ ।

ନିକଟରେ ସୋସିଆଲ ମିଡିଆରେ ଓ ନିଜର ରାଜନୈତିକ ବିରୋଧୀଙ୍କ ଦ୍ଵାରା ପପ୍ପୁ ଭାବରେ ସର୍ବାଧିକ ଗାଳି ଖାଇଥିବା କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ  ଦୁବାଇ ଆସି ଏଠାରେ ରହୁଥିବା ପ୍ରବାସୀ ଭାରତୀୟମାନଙ୍କୁ ଉଦ୍‌ବୋଧନ ଦେଇଥିଲେ । (ଏ ପ୍ରସଙ୍ଗରେ ମୁଁ ଆଗରୁ ଲେଖି ସାରିଛି) କେବଳ ନିଜ ଉତ୍କଣ୍ଠାକୁ ଶାନ୍ତ କରିବାକୁ ଯାଇ ମୁଁ ମଧ୍ୟ ଅନ୍ୟମାନଙ୍କ ଗହଣରେ ସାମିଲ୍‌ ହୋଇଥିଲି ତାଙ୍କ ସଭାରେ । Dubai International Cricket Stadiumରେ ଏକାଠି ହୋଇଥିବା ୪୦ ହଜାର ପ୍ରବାସୀ ଭାରତୀୟଙ୍କ ମଧ୍ୟରେ ମୁଁ ଜଣେ ଥିଲି । ଲୋକଙ୍କ ମଧ୍ୟରେ ରହିଥିବା ଆଶା ଓ ଆକାଂକ୍ଷାକୁ ସେମାନଙ୍କ ହସ ଖୁବ୍‌ ଭଲ ଭାବରେ ପ୍ରତିପାଦିତ କରୁଥିଲା । କୁନି କୁନି ପିଲାଙ୍କୁ ନେଇ ଯେତେବେଳେ ମହିଳାମାନେ ଷ୍ଟାଡିୟମ୍‌ ଭିତରକୁ ଯାଉଥିଲେ, ଲାଗୁଥିଲା, ‘ପପୁ’ ଉପରେ ବି ଲୋକଙ୍କ ଭରସା ରହିପାରେ ।

ଅବଶ୍ୟ ସାମ୍ପ୍ରତିକ ରାଜନୀତିରେ ଯେତେବେଳେ କେବଳ ଠକ ଓ ଭଣ୍ଡମାନେ ସାମ୍ରାଜ୍ୟ ବିସ୍ତାର କରି ଚାଲିଛନ୍ତି, ସେତେବେଳେ ଗୋଟିଏ ପପୁ ଉପରେ ବିଶ୍ବାସ ରଖିବା କିଛି ଖରାପ କଥା ନୁହେଁ । ଆମ ପାଇଁ ସମସ୍ତେ ନେତା ଓ ସମସ୍ତେ ଭାଷଣ ଦିଅନ୍ତି । ସେଥିରେ ମୋଦି, ରାହୁଲ ଗାନ୍ଧି ଓ ଅନ୍ୟମାନଙ୍କ ମଧ୍ୟରେ ପାର୍ଥକ୍ୟ କେଉଁଠି ? ୪୦ ହଜାର ଲୋକଙ୍କ ଭିଡ଼ ଓ ସେମାନଙ୍କ ସ୍ବର Dubai Police ପାଇଁ କିଛି ଅଲଗା ଅନୁଭୂତି ଥିଲା । ତାଙ୍କ ପାଇଁ ରାହୁଲ୍‌ ଗାନ୍ଧି ଥିଲେ କେବଳ  ଜଣେ ଭାରତୀୟ ନେତା । ତାଙ୍କ ପାଇଁ ଯେମିତି ମୋଦି ସେମିତି ରାହୁଲ୍‌ ଗାନ୍ଧି । ୨୦୧୫ରେ ଯେତେବେଳେ ପ୍ରଧାନମନ୍ତ୍ରୀ ମୋଦି UAE ଆସିଥିଲେ, ସେତେବେଳେ ଠିକ୍‌ ଏହିପରି ଏକ ପରିବେଶ ସୃଷ୍ଟି ହୋଇଥିଲା । ଗଣମାଧ୍ୟମରେ ଚହଳ ସୃଷ୍ଟି କରିଥିଲା । Gulf News ଓ Khaleej Times ଭଳି ସମ୍ବାଦପତ୍ର (UAE based) ତାକୁ ପ୍ରଥମ ପୃଷ୍ଠାରେ ସ୍ଥାନ ଦେଇଥିଲେ । ଆଉ ତିନିବର୍ଷ ପରେ ପୁଣି ତାର ପୁନରାବୃତ୍ତି ଘଟିଲା । ପପୁ ଓରଫ୍‌ ରାହୁଲ୍‌ ଗାନ୍ଧିଙ୍କ ଚିତ୍ର ଖବରକାଗଜର ପ୍ରଥମ ପୃଷ୍ଠାରେ ସ୍ଥାନ ପାଇଲା । ରାହୁଲ୍‌ ଗାନ୍ଧି ତୀକ୍ଷ୍ଣ ଶବ୍ଦରେ ମୋଦିଙ୍କୁ ସମାଲୋଚନା କରିଥିଲେ । ୨୦୧୯କୁ UAE ’ସହନଶୀଳତାର ବର୍ଷ’ ବା ‘Year of Tolerance’ ବୋଲି ଘୋଷଣା କରିଛି । ତେବେ ଭାରତରେ ସହନଶୀଳତା ପ୍ରତିଟି ମୁହୂର୍ତ୍ତରେ ଲୋପ ପାଉଛି ବୋଲି ରାହୁଲ୍‌ ଗାନ୍ଧି କହିଥିଲେ । ସେହିପରି ମୋଦି, ଦେଇଥିବା ପ୍ରତିଶ୍ରୁତି ୫ ବର୍ଷରେ ଅପୂରଣୀୟ ହୋଇପଡିଛି । ତାହା କେତେ ସତ ବା ଭୁଲ୍‌ ତାହା ଆମେମାନେ ନିଜେ ବୁଝିବା ଦରକାର ।

ଗତ ୧୦ ବର୍ଷ ଧରି ମୁଁ ଭାରତ ବାହାରେ ରହି ଆସୁଛି । ଜଣେ ସଚେତନ ନାଗରିକ ହିସାବରେ ମୁଁ ମୋ ରାଷ୍ଟ୍ରର ଉନ୍ନତି ଚାହେଁ । ସରକାର ଯେ କେହି ଗଠନ କରୁ, ସେଥିରେ ଜଣେ ସାଧାରଣ ଜନତାର କିଛି ଯାଏ ଆସେ ନାହିଁ । ତେବେ ସରକାର କିପରି ସମାଜ ଗଠନ କରୁଛି, ତାହା ଆମକୁ ପ୍ରଭାବିତ କରେ । ଗଣମାଧ୍ୟମ ଅନେକ କଥା କୁହେ । ଆମକୁ ପ୍ରଭାବିତ କରିବାକୁ ଚେଷ୍ଟା କରେ । କିନ୍ତୁ ଆମେ ସେଥିରେ ବିଚଳିତ ହେବା ଉଚିତ୍‌ ନୁହେଁ । ଆଗକୁ ନିର୍ବାଚନ ଆସୁଥିବାବେଳେ, ଆମର ପ୍ରତିଟି ଭୋଟ ଆମ ପାଇଁ ଏକ ସୁଯୋଗ । ସୁଯୋଗ ଏକ ସମୃଦ୍ଧ ରାଷ୍ଟ୍ର ଗଠନର, ସୁଯୋଗ ଏକ ଉଜ୍ଜ୍ବଳ ଭବିଷ୍ୟତ ଗଠନର । ନିର୍ବାଚନୀ ହାଓ୍ବା ଅନେକଙ୍କୁ ବୁହାଇ ନେଇଯାଏ । କିନ୍ତୁ ନିଜେ ସୁଦୃଢ ହୋଇ, ଚିନ୍ତାକରି, ବିଚାର କରି ନେତାଙ୍କ ଭାବମୂର୍ତ୍ତି ଗଠନ କଲେ ହିଁ ଏକ ‘ସୁନାର ଭାରତ’ ତିଆରି ହୋଇପାରିବ ।

It was not paper, call it popularity (ଏହି ମନ୍ତବ୍ୟ କେବଳ ବ୍ୟକ୍ତିଗତ, ଦଳଗତ ନୁହେଁ) ଏହା ପୂର୍ବରୁ ମୁଁ ଲେଖି ସାରିଛି, ମୋ ଧାରଣା କେମିତି ବଦଳିଛି ଜଣେ ନେତାଙ୍କ ବିଷୟରେ । ମୁଁ ମଧ୍ୟ ସେହି କୋଟି କୋଟି ଦର୍ଶକଙ୍କ ମଧ୍ୟରୁ ଜଣେ, ଯିଏ ନ୍ୟୁଜ୍‌ ଚ୍ୟାନେଲ୍‌ ଓ ଖବରକାଗଜ ମାଧ୍ୟମରେ ଦେଶର ସାମ୍ପ୍ରତିକ ସ୍ଥିତି ଜାଣିବାକୁ ବାଧ୍ୟହୁଏ । ମୁଁ ’ବାଧ୍ୟ’ ଲେଖିବାର କାରଣ ଏହିକି ଯେ, ଆମକୁ ଯାହା ଦେଖାହୁଏ ଓ ପଢାହୁଏ, ଆମେ ତାକୁ ବିଶ୍ବାସ କରୁ । ଟିଭି ପରଦା ଖୋଲିଲେ ଯାହା ଦେଖୁ ତାକୁ ବିନା ଦ୍ବିଧାରେ ଗ୍ରହଣ କରୁ । ଆମେ ନିଜେ କ’ଣ ଭାବୁ ଓ କ’ଣ ଚାହୁଁ, ତାକୁ ବା ପଚାରେ କିଏ । କିନ୍ତୁ ଗୋଟିଏ ସୁଦୃଢ ଗଣତନ୍ତ୍ର ପାଇଁ ତାହା ଏକମାତ୍ର ଗ୍ରହଣୀୟ ମାଧ୍ୟମ ହେବା ଉଚିତ ନୁହେଁ। ଆମକୁ ସତ୍ୟ କଣ ଜାଣିବାକୁ ହେଲେ ତାକୁ ଦେଖିବାକୁ ପଡିବ ଓ ବୁଝିବାକୁ ମଧ୍ୟ ପଡିବ।