Categories
ଆଜିର ଖବର ଜାତୀୟ ଖବର

ଏକକାଳୀନ ନିର୍ବାଚନ ନେଇ ନିର୍ବାଚନ କମିଶନଙ୍କ ମତାମତ ମାଗିଲେ କୋବିନ୍ଦ ପ୍ୟାନେଲ

ନୂଆଦିଲ୍ଲୀ: ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅଧ୍ୟକ୍ଷତାରେ ଗଠିତ ଏକ ଦେଶ ଏକ ନିର୍ବାଚନ କମିଟି ଏକକାଳୀନ ନିର୍ବାଚନ କରାଇବା ଏବଂ ଆବଶ୍ୟକ ଲଜିଷ୍ଟିକ୍ ଉପରେ ନିର୍ବାଚନ କମିଶନରଙ୍କ ମତାମତ ମାଗିଛନ୍ତି ।

କମିଟି ଚଳିତ ମାସ ପ୍ରାରମ୍ଭରେ ପୂର୍ବତନ ମୁଖ୍ୟ ନିର୍ବାଚନ କମିଶନରଙ୍କୁ ଚିଠି ଲେଖି ଏହି ପ୍ରସଙ୍ଗରେ ସେମାନଙ୍କ ମତାମତ ଲୋଡ଼ିଥିଲା ଏବଂ ଜାନୁଆରୀ ୫ରୁ ଜାନୁଆରୀ ୧୫ ପର୍ଯ୍ୟନ୍ତ ଜନସାଧାରଣଙ୍କୁ ପରାମର୍ଶ ପଠାଇବା ପାଇଁ ଏକ ୱିଣ୍ଡୋ ମଧ୍ୟ ଖୋଲିଥିଲା । ଏବେ ଏହି ଉଚ୍ଚସ୍ତରୀୟ କମିଟି ନିର୍ବାଚନ କମିଶନଙ୍କ ସହ ଯୋଗାଯୋଗ କରି କମିଟି ସହ ବୈଠକ କରିବାକୁ ପରାମର୍ଶ ଦେଇଥିବା ଜଣାପଡିଛି । ଏହି କମିଟି ବାର୍ କାଉନସିଲ୍ ଅଫ୍ ଇଣ୍ଡିଆ ସମେତ ଅନ୍ୟାନ୍ୟ ଗ୍ରୁପ୍ ସହ ମଧ୍ୟ ଯୋଗାଯୋଗ କରିବ ବୋଲି ଜଣାପଡ଼ିଛି ।

କେନ୍ଦ୍ର ଆଇନ ମନ୍ତ୍ରାଳୟଦ୍ୱାରା ୨୦୨୩ ସେପ୍ଟେମ୍ବରରେ ଗଠିତ ଏହି କମିଟିକୁ ଲୋକସଭା, ବିଧାନସଭା ଏବଂ ପଞ୍ଚାୟତର ଏକକାଳୀନ ନିର୍ବାଚନ ପାଇଁ ପରାମର୍ଶ ଦେବାକୁ ଦାୟିତ୍ୱ ଦିଆଯାଇଥିଲା । ବର୍ତ୍ତମାନ ସୁଦ୍ଧା କମିଟିର ଦୁଇଟି ବୈଠକ ବସିସାରିଛି ।

ଜାନୁଆରୀ ୫ ତାରିଖରେ କମିଟି ଏକ ସାର୍ବଜନୀନ ବିଜ୍ଞପ୍ତି ଜାରି କରି ଦେଶରେ ଏକକାଳୀନ ନିର୍ବାଚନ କରାଇବା ପାଇଁ ପ୍ରଚଳିତ ଆଇନଗତ ପ୍ରଶାସନିକ ଢାଞ୍ଚାରେ ଉପଯୁକ୍ତ ପରିବର୍ତ୍ତନ କରିବାକୁ ପରାମର୍ଶ ମାଗିଥିଲା। ୨୦୨୩ ଅକ୍ଟୋବରରେ କମିଟି ରାଜନୈତିକ ଦଳଗୁଡ଼ିକୁ ଚିଠି ଲେଖି ସେମାନଙ୍କ ମତାମତ ମାଗିଥିଲା ।

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କମିଟିକୁ ଚିଠି ଲେଖି କହିଛନ୍ତି ଯେ ଏହି ଚିନ୍ତାଧାରା ଗ୍ରହଣୀୟ ନୁହେଁ । ସେ କହିଛନ୍ତି ଯେ ଗୋଟିଏ ଦେଶ ଗୋଟିଏ ନିର୍ବାଚନର ଅର୍ଥ ରାଷ୍ଟ୍ରପତି ଶାସନ ବ୍ୟବସ୍ଥାକୁ ଯିବା । ଭାରତୀୟ କମ୍ୟୁନିଷ୍ଟ ପାର୍ଟି (ମାର୍କ୍ସବାଦୀ) ମଧ୍ୟ ଏହି ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରି କହିଛି ଯେ ଏହା ସମ୍ବିଧାନର ଭାବନା ବିରୁଦ୍ଧରେ ରହିଛି ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ରାଷ୍ଟ୍ରପତିଙ୍କ ଦ୍ବାରା ଉଦଘାଟିତ ହେଲା ରାଉରକେଲା ଇସ୍ପାତ କାରଖାନାର ଅତ୍ୟାଧୁନିକ ହସ୍‌ପିଟାଲ

ରାଉରକେଲା, ଏକ ଦେଶର ସମାବେଶୀ ବିକାଶ ନିମନ୍ତେ ଶିଳ୍ପଭିତିକ ପ୍ରଗତି ସହିତ ଦୃଢ ସାମାଜିକ-ଆର୍ଥିକ ଢାଂଚାର ଆବଶ୍ୟକତା ରହିଛି ବୋଲି ରାଷ୍ଟ୍ରପତି ଶ୍ରୀ ରାମନାଥ କୋବିନ୍ଦ କହିଛନ୍ତି । ରାଉରକେଲା ଇସ୍ପାତ କାରଖାନାରେ ଆଜି ଏକ ଅତ୍ୟାଧୁନିକ ହସ୍‌ପିଟାଲର ଉଦ୍‌ଘାଟନ ଅବସରରେ ଉଦ୍‌ବୋଧନ ଦେଇ ସେ ଏହା କହିଛନ୍ତି ।

ଏହି ଅଂଚଳ ଆଜି ପର୍ଯ୍ୟନ୍ତ ଏକ ଅତ୍ୟାଧୁନିକ ହସ୍‌ପିଟାଲ ସୁବିଧାରୁ ବଂଚିତ ଥିଲା ବୋଲି ରାଷ୍ଟ୍ରପତି କହିଛନ୍ତି । ୬ବର୍ଷ ପୂର୍ବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଇସ୍ପାତ ଜେନେରାଲ ହସ୍‌ପିଟାଲକୁ ଏକ ସୁପର ସ୍ପେସିଆଲିଟି ହସ୍‌ପିଟାଲ ରୂପରେ ବିକଶିତ କରିବା ନିମନ୍ତେ ଆଧାର ଶିଳା ରଖିଥିଲେ ଏବଂ ଆଜି ଏହା ସ୍ଥାନୀୟ ଲୋକଙ୍କ ସେବା ନିମନ୍ତେ ପ୍ରସ୍ତୁତ ହୋଇଯାଇଛି । ଏହି ହସ୍‌ପିଟାଲ କେବଳ ଓଡିଶା ନୁହେଁ, ବରଂ ପଡୋଶୀ ଝାଡଖଣ୍ଡ ଓ ଛତିଶଗଡର ଲୋକମାନଙ୍କ ଅତ୍ୟାଧୁନିକ ଚିକିତ୍ସା ଆବଶ୍ୟକତାକୁ ପୂରଣ କରିପାରିବ ବୋଲି ସେ କହିଛନ୍ତି ।

ସ୍ୱାସ୍ଥ୍ୟସେବା ସମୁଦାୟର ନିସ୍ୱାର୍ଥପର ସେବା ଏବଂ ମାନବତା ପ୍ରତି କର୍ତବ୍ୟନିଷ୍ଠା ନିମନ୍ତେ ରାଷ୍ଟ୍ର ସେମାନଙ୍କ ନିକଟରେ ଚିରଋଣୀ ରହିବ ବୋଲି ସେ କହିଛନ୍ତି । ରାଷ୍ଟ୍ରପତି ବୈଜ୍ଞାନିକମାନଙ୍କୁ ସେମାନଙ୍କର ଅକ୍ଳାନ୍ତ ଉଦ୍ୟମ ନିମନ୍ତେ ମଧ୍ୟ ପ୍ରଶଂସା କରିଛନ୍ତି । ସେମାନଙ୍କର ଏହି ନିରନ୍ତର ପ୍ରୟାସ ଯୋଗୁଁ ହିଁ ଭାରତରେ ଇତିହାସର ସର୍ବବୃହତ୍ ଟିକାକରଣ ଅଭିଯାନ ଆରମ୍ଭ ହୋଇପାରିଛି ବୋଲି ସେ କହିଛନ୍ତି । ଏହାଦ୍ୱାରା ଟିକା ନିର୍ମାଣ କ୍ଷେତ୍ରରେ ଭାରତ ଯେ କେବଳ ଆତ୍ମନିର୍ଭର ହୋଇନାହିଁ ବରଂ ଆମେ ଅନ୍ୟାନ୍ୟ ଦେଶକୁ ମାଗଣାରେ କିମ୍ବା ଅତି କମ୍ ମୂଲ୍ୟରେ ମଧ୍ୟ ପ୍ରତିଷେଧକ ପ୍ରଦାନ କରୁଛୁ ।

ରାଷ୍ଟ୍ରପତି କହିଛନ୍ତି, କୋଭିଡ-୧୯ ମହାମାରୀ ଆମକୁ ଅନେକ ମହତ୍ୱପୂର୍ଣ୍ଣ ଶିକ୍ଷା ଦେଇଛି । ସେଥିମଧ୍ୟରୁ ଗୋଟିଏ ହେଉଛି ଏକ ରାଷ୍ଟ୍ର ଭାବରେ ଆମକୁ ଆମର ସ୍ୱାସ୍ଥ୍ୟସେବା ବ୍ୟବସ୍ଥାର ଉନ୍ନତି ଜାରି ରଖିବା ସହିତ ଏହାକୁ ସମସ୍ତଙ୍କ ପାଇଁ ସମାନ ଭାବରେ ଉପଲବ୍ଧ କରାଇବାକୁ ପଡିବ । ନିକଟ ଅତୀତରେ ପ୍ରାଥମିକ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଆମେ ବିପୁଳ ପୁଞ୍ଜିନିବେଶ କରିଛୁ ଏବଂ ଏହା ପଛରେ ଆମର ଯେଉଁ ଲକ୍ଷ୍ୟ ରହିଛି ତାହା ହେଉଛି ଦୁର୍ଗମ ଅଂଚଳ ତଥା ସ୍ୱାସ୍ଥ୍ୟସେବାରୁ ବଂଚିତ ଲୋକମାନଙ୍କ ପର୍ଯ୍ୟନ୍ତ ଏହି ବ୍ୟବସ୍ଥାର ସମ୍ପ୍ରସାରଣ ।

ଜନସାଧାରଣଙ୍କ ପାଇଁ ମାଧ୍ୟମିକ ଏବଂ ଆନୁଷଙ୍ଗିକ ସ୍ୱାସ୍ଥ୍ୟସେବା ବ୍ୟବସ୍ଥାର ଉପଲବ୍ଧତାରେ ଉନ୍ନତି ମଧ୍ୟ ସମାନୁଭାବରେ ମହତ୍ୱପୂର୍ଣ୍ଣ ବୋଲି ସେ କହିଛନ୍ତି । ଆୟୁଷ୍ମାନ ଭାରତ-ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନାରେ ଏହିସବୁ ବିଷୟଗୁଡିକ ପ୍ରତି ଦୃଷ୍ଟି ଦିଆଯାଇ ଥିବାରୁ ସେ ଅତ୍ୟନ୍ତ ଆନନ୍ଦିତ ବୋଲି ରାଷ୍ଟ୍ରପତି କହିଛନ୍ତି ।

Categories
ଆଜିର ଖବର ଜାତୀୟ ଖବର

ମିଳିତ ଗୃହକୁ ରାଷ୍ଟ୍ରପତିଙ୍କ ସମ୍ବୋଧନ : ବିରୋଧ ନାମରେ କରାଯାଉଥିବା ହିଂସା ଦେଶ ଓ ସମାଜକୁ ଦୁର୍ବଳ କରୁଛି

ନୂଆଦିଲ୍ଲୀ : ଭାରତୀୟ ଅର୍ଥବ୍ୟବସ୍ଥାର ବିଗିଡିଥିବା ପରିସ୍ଥିତି ସମୟରେ ଆଜି ସଂସଦର ବଜେଟ୍‌ ଅଧିବେଶନ ଆରମ୍ଭ ହେଉଛି । ମୋଦି ସରକାରଙ୍କ ଦ୍ବିତୀୟ କାର୍ଯ୍ୟକାଳର ପ୍ରଥମ ବଜେଟ୍‌କୁ ଫେବଆରୀ 1 ତାରିଖରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଉପସ୍ଥାପନ କରିବେ । ବଜେଟ୍‌ ଅଧିବେଶନର ପ୍ରଥମ ପର୍ଯ୍ୟାୟ ଜାନୁଆରୀ 31 ତାରିଖରୁ ଫେବୃଆରୀ 11 ପର୍ଯ୍ୟନ୍ତ ହେବାକୁ ରହିଥିବାବେଳେ ଦ୍ବିତୀୟ ଅଧିବେଶନ ମାର୍ଚ୍ଚ ଦୁଇ ତାରିଖଠାରୁ ଅପ୍ରେଲ୍‌ ତିନି ତାରିଖ ପର୍ଯ୍ୟନ୍ତ ଚାଲିବ । ଆଜି ରାଷ୍ଟ୍ରପତି ରାମନାଥ କୋବିନ୍ଦ ସଂସଦର ସେଣ୍ଟ୍ରାଲ୍‌ ହଲ୍‌ରେ ସଂସଦର ଦୁଇ ଗୃହକୁ ସମ୍ବୋଧିତ କରିଛନ୍ତି । ରାଷ୍ଟ୍ରପତିଙ୍କ ସମ୍ବୋଧନ ପରେ ସରକାରଙ୍କ ତରଫରୁ ଆର୍ଥିକ ସର୍ଭେ ଉପସ୍ଥାପନ କରାଯିବ । ରାଷ୍ଟ୍ରପତି ଏହି ସମୟରେ ସରକାରଙ୍କ ଲୋକହିତକର କାର୍ଯ୍ୟ ସମ୍ପର୍କରେ ଅବଧାରଣା ଦେଇଛନ୍ତି । ଏ ଦଶନ୍ଧିରେ ସମତା ଓ ଅନ୍ତ୍ୟୋଦୟର ସ୍ବପ୍ନ ପୂରଣ ହେଉ ବୋଲି ରାଷ୍ଟ୍ରପତି କହିଛନ୍ତି। ନୂଆ ଭାରତର ନିର୍ମାଣ ପାଇଁ ଲୋକେ ସରକାରକୁ ବାଛିଛନ୍ତି । ଏହି ଅବସରରେ ରାଷ୍ଟ୍ରପତି କହିଛନ୍ତି ଯେ, ବିରୋଧ ନାମରେ କରାଯାଉଥିବା ହିଂସା ଦେଶ ଓ ସମାଜକୁ ଦୁର୍ବଳ କରୁଛି ।  (ଏଜେନ୍ସି)