Categories
ଆଜିର ଖବର ଜାତୀୟ ଖବର

ଅଗଷ୍ଟ ପରେ ସମ୍ପୂର୍ଣ୍ଣ ଭାବରେ ଖୋଲିବ ସ୍କୁଲ

ନୂଆଦିଲ୍ଲୀ : କରୋନା ଭାଇରସ୍‌ କାରଣରୁ ଦେଶବ୍ୟାପୀ ସ୍କୁଲ କଲେଜ ବନ୍ଦ ରହିଥିବା ବେଳେ ଅଗଷ୍ଟ ମାସରେ ସ୍କୁଲ ଖୋଲିବା ନେଇ ଘୋଷଣା କରାଯାଇଛି । କେନ୍ଦ୍ର ମାନବ ସମ୍ବଳ ମନ୍ତ୍ରୀ ରମେଶ ପୋଖରିୟାଲ ନିଶଙ୍କ ରବିବାର ଏହି ଘୋଷଣା କରିଛନ୍ତି । ଅଗଷ୍ଟ ମାସ ପରେ ସ୍କୁଲ ଏବଂ କଲେଜ ଗୁଡିକ ସମ୍ପୂର୍ଣ୍ଣ ଭାବରେ ଖୋଲିବାକୁ ଯାଉଛି । ଜୁଲାଇ ପରଠାରୁ 33 ପ୍ରତିଶତ ଛାତ୍ରଛାତ୍ରୀଙ୍କୁ ନେଇ ସ୍କୁଲ ଆରମ୍ଭ ହେବାକୁ ଯାଉଛି । ତେବେ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ସ୍କୁଲକୁ ଆସିବା ଉପରେ କଟକଣା ଜାରି କରାଯାଇଛି । ଉଲ୍ଲେଖଯୋଗ୍ୟ ଯେ, ମେ 16 ତାରିଖରୁ ସ୍କୁଲ ବନ୍ଦ କରାଯାଇଥିବା ବେଳେ 33 କୋଟି ଛାତ୍ରଛାତ୍ରୀ ପାଠପଢା ଅପେକ୍ଷାରେ ରହିଛନ୍ତି । ସେହିପରି ଗ୍ରୀନ୍‌ ଏବଂ ଅରେଞ୍ଜ ଜୋନ୍‌ ମାନଙ୍କରେ ସାମାଜିକ ଦୂରତ୍ବ ପାଳନ କରି ଜୁଲାଇ ପରଠୁ ପାଠପଢା ଆରମ୍ଭ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । (ଏଜେନ୍ସି)

Categories
ଆଜିର ଖବର ଜାତୀୟ ଖବର

କାଲିଠୁ ସିବିଏସଇ ଖାତା ଦେଖା ଆରମ୍ଭ ହେବ

ନୂଆଦିଲ୍ଲୀ:  ଆସନ୍ତାକାଲିଠାରୁ ସିବିଏସଇ ଦଶମ ଓ ଦ୍ବାଦଶ ଶ୍ରେଣୀ ପରୀକ୍ଷା ଖାତା ଦେଖା ଆରମ୍ଭ ହେବ। ଏନେଇ ସୂଚନା ଦେଇଛନ୍ତି କେନ୍ଦ୍ର ମାନବ ସଂବଳ ବିକାଶ ମନ୍ତ୍ରୀ ରମେଶ ପୋଖରିୟାଲ। ମୂଲ୍ୟାୟନକାରୀମାନେ ନିଜ ଘରେ ରହି ପରୀକ୍ଷା ଖାତା ଦେଖିବେ। ମୂଲ୍ୟାୟନ କେନ୍ଦ୍ର ଭାବେ ଚୟନ କରାଯାଇଥିବା ତିନି ହଜାରଟି ସ୍କୁଲରୁ ପରୀକ୍ଷା ଖାତା ଶିକ୍ଷକମାନଙ୍କ ଘରକୁ ଯିବ ଏବଂ ସେମାନେ ଖାତା ଦେଖିବା ପରେ ସେଗୁଡ଼ିକ ପୁଣି କେନ୍ଦ୍ରକୁ ଫେରିବ। ଏଥିପାଇଁ ସ୍ୱତନ୍ତ୍ର ଭାବେ ଅନୁମତି ଦେଇଛି କେନ୍ଦ୍ର ଗୃହ ମନ୍ତ୍ରାଳୟ। 50 ଦିନ ଭିତରେ ଖାତା ଦେଖା ସରିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ତେବେ କଣ୍ଟେନମେଣ୍ଟ ଜୋନ୍ ବ୍ୟତୀତ ଅନ୍ୟ ସବୁ ସ୍ଥାନ ପାଇଁ ଏହି ଅନୁମତି ଦିଆଯାଇଛି।

Categories
ଆଜିର ଖବର

ଜୁଲାଇକୁ ଘୁଞ୍ଚିଲା ଜେଇଇ ଏବଂ ନିଟ୍‌ ପ୍ରବେଶିକା ପରୀକ୍ଷା

ନୂଆଦିଲ୍ଲୀ : ଆସନ୍ତା ଜୁଲାଇ ମାସ ପର୍ଯ୍ୟନ୍ତ ଜେଇଇ ଏବଂ ନିଟ୍‌ ପ୍ରବେଶିକା ପରୀକ୍ଷାକୁ ଘୁଞ୍ଚାଇ ଦିଆଯାଇଛି । କେନ୍ଦ୍ର ମାନବ ସମ୍ବଳ ବିଭାଗ ପକ୍ଷରୁ ମଙ୍ଗଳବାର ଏହି ଘୋଷଣା କରାଯାଇଛି । ଜେଇଇର ମେନ୍‌ସ ପରୀକ୍ଷା ଜୁଲାଇ18-23 ମଧ୍ୟରେ ହେବାକୁ ଥିବା ବେଳେ ଜେଇଇର ଆଡଭାନ୍ସଡ୍‌ ପ୍ରବେଶିକା ପରୀକ୍ଷା ଅଗଷ୍ଟ ମାସରେ ଅନୁଷ୍ଠିତ ହେବ । ସେହିପରି ମେଡିକାଲ୍‌ ପ୍ରବେଶିକା ପରୀକ୍ଷା ନିଟ୍‌କୁ ଜୁଲାଇ 26କୁ ଘୁଞ୍ଚାଇ ଦିଆଯାଇଛି । ବିଭାଗୀୟ ମନ୍ତ୍ରୀ ରମେଶ ପୋଖରିୟାଲ ନିଶଙ୍କ ମଙ୍ଗଳବାର ଏହି ସୂଚନା ପ୍ରଦାନ କରିଛନ୍ତି । ଉଲ୍ଳେଖଯୋଗ୍ୟ ଯେ, ଦେଶର ପ୍ରାୟ 15 ଲକ୍ଷ ଛାତ୍ରଛାତ୍ରୀ ନିଟ୍‌ ପ୍ରବେଶିକା ପରୀକ୍ଷା ଦେବେ ଏବଂ 9 ଲକ୍ଷ ଛାତ୍ରଛାତ୍ରୀ ଜେଇଇ ମେନ୍‌ସ ପରୀକ୍ଷାରେ ଅବତୀର୍ଣ୍ଣ ହେବେ । (ଏଜେନ୍ସି)