Categories
ବିଶେଷ ଖବର

କରୋନା ଭୂତାଣୁ ପାଇଁ ଭାରତରେ ତିଆରି ହେଲା ଏକ ଧାର୍ମିକ ମୁଖା ଏବଂ ଏ ମୁଖାର ନିର୍ମାତା ଆମର ମଣିଷ ବିରୋଧୀ ଗଣମାଧ୍ୟମ 

କେଦାର ମିଶ୍ର

ୟା ଭିତରେ ଏମିତି କିଛି ଖବର ଆସୁଛି, ଯାହା ପଢିଲେ ଆମର ମାନବିକତା ପ୍ରତି ସନ୍ଦେହ ବଢିବା ସ୍ଵାଭାବିକ। ଗତକାଲି ପ୍ରଥମ ଥର ଲାଗି ସୁନ୍ଦରଗଡ ଜିଲ୍ଲାରେ ଦୁଇ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେଲେ। ସେ ସମ୍ପର୍କରେ ସୋସିଆଲ ମିଡିଆରେ ଜଣେ ରାଜନୈତିକ ଦଳର ନେତ୍ରୀ ଲେଖିଛନ୍ତି- “ସୁନ୍ଦରଗଡରେ ଦୁଇଜଣ କରୋନା ଆକ୍ରାନ୍ତ ଚିହ୍ନଟ, ଉଭୟେ ଅମୁକ ଧର୍ମର”। (କୌଣସି ଧର୍ମର ନାମରେ ଜଣେ ରୋଗୀଙ୍କୁ ଚିହ୍ନଟ କରିବା ଏକ ଅପରାଧ, ତେଣୁ ମୁଁ ସେ ଭଦ୍ର ମହିଳା ଲେଖିଥିବା ନିର୍ଦ୍ଦିଷ୍ଟ ଧର୍ମର ନାମ ଉଲ୍ଲେଖ କରୁନାହିଁ।) ଏହା ଏକ ଛୋଟ ଉଦାହରଣ ମାତ୍ର। ଏମିତି ଶହ ଶହ ଉଦାହରଣ ଆମେ ଦେଖି ଆସୁଛୁ ଓ କରୋନା ସଂକ୍ରମଣ କାଳରେ ଯେଉଁମାନେ ଏ ଦେଶର ସର୍ବାଧିକ ପୀଡିତ ବା ସନ୍ତ୍ରସ୍ତ ସେମାନଙ୍କ ପ୍ରତି ଆମେ ଅଧିକ ବିଦ୍ଵେଷ ତିଆରି କରି ଚାଲୁଛୁ। ଗତ କିଛି ବର୍ଷର ସାମ୍ପ୍ରଦାୟିକ ରାଜନୀତି ଆମକୁ ଅଧିକରୁ ଅଧିକ ଅମଣିଷ କରି ଚାଲିଛି ଓ ଅମଣିଷ ହେବାଟାକୁ ଆମେ ନିଜର ଗୌରବ ବୋଲି ଭାବି ନେଇଛୁ।

ଦୁଇ ଦିନ ତଳେ କଟକରେ ଜଣେ ବୟସ୍କ କିଡନି ରୋଗୀଙ୍କ ଡାଏଲିସିସ କରିବାକୁ ଦୁଇଟି ଡାକ୍ତରଖାନା ମନା କରିଦେଲେ, କାରଣ ବ୍ୟକ୍ତି ଜଣକ ଏକ ନିର୍ଦ୍ଦିଷ୍ଟ ଧର୍ମର ଲୋକ ଥିଲେ। ଧର୍ମକୁ ଦେଖି ରୋଗ ବାରୁଥିବା ଡାକ୍ତର ଓ ଡାକ୍ତରଖାନା ଆମ ଦେଶରେ ୟା ଭିତରେ ତିଆରି ହୋଇ ଗଲାଣି, ଏହା ବୋଧହୁଏ ସବୁଠୁ ବିଡମ୍ବନାର ବିଷୟ। ସବୁଠୁ ଦୁର୍ଭାଗ୍ୟର ବିଷୟ ଡାଏଲିସିସ ଅଭାବରୁ ଏହି ବୟସ୍କ ବ୍ୟକ୍ତି ଜଣକ ରାସ୍ତାରେ ପ୍ରାଣ ହରାଇଲେ।ଏହା ତ ସିଧା ସିଧା ହତ୍ୟାକାଣ୍ଡ!  ଧର୍ମ ନାଁରେ ଜଣେ ରୋଗୀଙ୍କୁ ଚିକିତ୍ସା ସୁବିଧାରୁ ବଞ୍ଚିତ କରିବା, ମାନବିକତା ପାଇଁ ଅପମାନର ବିଷୟ। ସମ୍ପୃକ୍ତ ରୋଗୀଙ୍କ ସମ୍ପର୍କୀୟ ଏ ବିଷୟରେ ସୋସିଆଲ ମିଡିଆରେ ଯାହା ଲେଖିଛନ୍ତି, ସରକାର ତାହର ତଦନ୍ତ କରିବେ କି?

କରୋନା ଭୂତାଣୁ ଆଜି ସାରା ପୃଥିବୀର ମଣିଷ ପାଇଁ ଆତଙ୍କ ପାଲଟିଥିବା ବେଳେ ଏଥିରେ ସବୁ ଧର୍ମ ଓ ବିଚାରର ଲୋକ ପ୍ରାଣ ହରାଇ ସାରିଲେଣି । କମ୍ୟୁନିଷ୍ଟ ଚୀନ ଓ କ୍ୟାପିଟାଲିଷ୍ଟ ଆମେରିକା, ଉଭୟେ ଏହି ଭୂତାଣୁର ଶିକାର। ମକ୍କା-ମଦିନା ଏହି ଭୂତାଣୁ କବଳରେ ଯେତିକି ଆତଙ୍କିତ ଭାଟିକାନ ସିଟି ମଧ୍ୟ ସମାନ ପରିମାଣରେ ଏହା ଦ୍ଵାରା ଆକ୍ରାନ୍ତ। ମନ୍ଦିର, ମସଜିଦ, ଗୀର୍ଜା, ଗୁରୁଦ୍ଵାର, ବୌଦ୍ଧ ବିହାର କିମ୍ବା ଜୈନ ଆଶ୍ରମ, ଏ ଭୂତାଣୁ କାହାକୁ ଛାଡିନାହିଁ। ଖ୍ରୀଷ୍ଟିୟାନ ବହୁଳ ଆମେରିକା ଓ ୟୁରୋପ, ମୁସଲମାନ ବହୁଳ ଆରବୀୟ ଦେଶ ସମୂହ, ପାକିସ୍ତାନ, ଇରାନ, ଇଣ୍ଡୋନେସିଆ, ହିନ୍ଦୁ ବହୁଳ ଭାରତ ତଥା ଅନେକ  ନାସ୍ତିକ ଦେଶର ଜଣ ସାଧାରଣ ଏହି ଭୂତାଣୁ ର ଶିକାର ହୋଇ ପ୍ରାଣ ହରାଉଛନ୍ତି।

ଗତକାଲି ସୁଦ୍ଧା ଯେଉଁ ୧୮ ଲକ୍ଷ ଆକ୍ରାନ୍ତ ଥିଲେ ସେମାନଙ୍କର ଧାର୍ମିକ ପରିଚୟ କଣ? ଯେଉଁ ୧ ଲକ୍ଷ ୧୦ ହଜାର ଲୋକ ଏଥିରେ ପ୍ରାଣ ହରାଇଲେଣି ସେମାନଙ୍କର ଧାର୍ମିକ ପରିଚୟ ଖୋଜିବା ଉଚିତ ହେବ କି? ଭାରତରେ ଯେତେବେଳେ ଏହାର ସଂକ୍ରମଣ ଆରମ୍ଭ ହେଲା, ସେତେବେଳେ ଏହାକୁ ଆମେ ଏକ ମାନବୀୟ ସଙ୍କଟ ବୋଲି ବିଚାର କରୁଥିଲୁ। ତେବେ ମାର୍ଚ୍ଚ ତୃତୀୟ ସପ୍ତାହରେ ଦିଲ୍ଲୀର ଏକ ଧାର୍ମିକ ସମାଗମରୁ କିଛି ଅଧିକ ଲୋକ ଆକ୍ରାନ୍ତ ହୋଇଥିବାର ଖବର ହଠାତ ସବୁକିଛିକୁ ଓଲଟ ପାଲଟ କରିଦେଲା। ସାମ୍ପ୍ରଦାୟିକତାର ଚଷମା ପିନ୍ଧିଥିବା ଭାରତର ଶାସକ ଦଳ ଓ ସେମାନଙ୍କର ବଚସ୍କର ଗଣମାଧ୍ୟମ କରୋନା ଭୂତାଣୁର ଧାର୍ମିକ ଅଭିଷେକ  ଆରମ୍ଭ କରିଦେଲେ। ଘୃଣା ଓ ବିଦ୍ଵେଷର ରାଜନୀତିକୁ ବଢାଇବା ପାଇଁ ଏହି ସମାଗମକୁ ଏକ ମାଧ୍ୟମ ଭାବରେ ବ୍ୟବହାର କରାଗଲା। ଅତି ଲଜ୍ଜାଜନକ ଭାବରେ ଦିଲ୍ଲୀ ସରକାର ଓ ଭାରତ ସରକାର ଏହି ରୋଗ ଦ୍ଵାରା ଆକ୍ରାନ୍ତ ଲୋକଙ୍କର ଧାର୍ମିକ ପରିଚୟ ଦେବା ଆରମ୍ଭ କରିଦେଲେ। ତାର ପରିଣତିରେ ଏକ ନିର୍ଦ୍ଦିଷ୍ଟ ଧର୍ମର ୩୦ କୋଟି ଜନତା ଆଜି ବାକି ୯୦ କୋଟି ଲୋକଙ୍କର ଘୃଣା ଓ ବିଦ୍ଵେଷର କେନ୍ଦ୍ରରେ ରହିଛନ୍ତି।

ଯେ କୌଣସି ମାନବୀୟ ସଙ୍କଟକୁ ଧାର୍ମିକ ବିଦ୍ଵେଷରେ ରୂପାନ୍ତରିତ କରିବାର କୁତ୍ସିତ କଳା ଆମର ଗଣମାଧ୍ୟମକୁ ବେଶ ଭଲ ଭାବରେ ଜଣା ଅଛି। ଏବେ ଓଡିଶାରେ ଯେଉଁ ୫୪ଟି କରୋନା ଆକ୍ରାନ୍ତ ବାହାରିଛନ୍ତି, ତାଙ୍କ ପରିଚୟକୁ ନେଇ ଅତ୍ୟନ୍ତ ଅମାନବୀୟ ଚର୍ଚ୍ଚା ଆମର ସୋସିଆଲ ମିଡିଆରେ ଚାଲିଛି। ଦିଲ୍ଲୀର ଧାର୍ମିକ ସମାଗମ କୁ ନେଇ ଘୃଣା ସୃଷ୍ଟି କରୁଥିବା ଲୋକେ ମଧ୍ୟପ୍ରଦେଶ ସରକାରଙ୍କର ସ୍ୱାସ୍ଥ୍ୟ ବିଭାଗକୁ କଣ ବୋଲି କହିବେ? ସେହି ବିଭାଗର ୪୦ ଜଣ ଆକ୍ରାନ୍ତ ଏବେ ଚିହ୍ନଟ ହୋଇ ସାରିଛନ୍ତି।

ଭୂତାଣୁ ଜନିତ ରୋଗକୁ ନେଇ ମନ୍ଦିର ମସଜିଦ ତଥା ମଦ୍ରାସା ଓ ଅନାଥାଶ୍ରମର କୁତ୍ସିତ ରାଜନୀତି କରୁଥିବା ଭାରତର ଗଣମାଧ୍ୟମ ଆମ ସମୟର ସବୁଠୁ ବଡ ଖଳନାୟକ ଭାବେ କାମ କରୁଛି। ଆଜି ମଣିଷ ତୁଳନାରେ ମଣିଷର ଧର୍ମକୁ ନେଇ ଜଘନ୍ୟ ଖେଳ ଆରମ୍ଭ ହୋଇଛି। ଏହା ସାରା ଭାରତର ମାନବିକତା ଓ ଆମର ସମନ୍ଵୟୀ ସଂସ୍କୃତି ଉପରେ ସବୁଠୁ ବଡ ଆକ୍ରମଣ।

Categories
ବିଶେଷ ଖବର

କରୋନା ସଙ୍କଟ ସମୟରେ ଧର୍ମର ବିଫଳତା ଓ ବିଜ୍ଞାନର ଆବଶ୍ୟକତାକୁ ଆମେ ବୁଝିବା ଉଚିତ ହେବନାହିଁ କି?

କେଦାର ମିଶ୍ର

ଗତକାଲି ସନ୍ଧ୍ୟାରେ କୌଣସି ଏକ ଟେଲିଭିଜନ ଚାନେଲରେ ଭାବପ୍ରବଣ ରିପୋର୍ଟଟିଏ ଦେଖୁଥିଲି। ରିପୋର୍ଟର ମହାଶୟ ପୁରୀ ଶ୍ରୀମନ୍ଦିର ଆଗରେ ଠିଆ ହୋଇ କହୁଥିଲେ- ଭାବର ଠାକୁରଙ୍କ ପାଖକୁ ଭକ୍ତମାନେ ଆସି ପାରୁନଥିବାରୁ ବଡ ବିକଳ ହୋଇ କାନ୍ଦୁଛନ୍ତି। ସତକଥା, ଭକ୍ତମାନେ ବିକଳ ହୁଅନ୍ତି ଓ କନ୍ଦାକଟା କରନ୍ତି। ହେଲେ ସାରା ପୃଥିବୀରେ ଆଜି ଯେଉଁ ମହାମାରୀ ବ୍ୟାପିଛି, ସେଥିରେ ଭାବ ଓ ଭାବ ପ୍ରବଣତାର ଅର୍ଥ ହେଉଛି ନିରୋଳ ଆତ୍ମହତ୍ୟା। ଏମିତି ଏକ ସଙ୍କଟ ସମୟରେ ଏ ପ୍ରକାର ଭାବ ପ୍ରବଣ ରିପୋର୍ଟିଂ ହେଉଛି, ଲୋକଙ୍କୁ ଆତ୍ମହତ୍ୟା କରିବା ଲାଗି ଉସୁକାଇବା ସହ ସମାନ। କରୋନା ସଂକ୍ରମଣରୁ ରକ୍ଷା ପାଇବା ଲାଗି ଆମକୁ ସାମାଜିକ ଭିଡକୁ ନିୟନ୍ତ୍ରିତ କରିବାକୁ ପଡିବ। ଧର୍ମ ଦୁଆରରେ ଆଜି ସେ ଭିଡ କମିଯାଇଛି, ଏହା ମଣିଷ ଜାତି ପାଇଁ ଏକ ସୁଯୋଗ। ଆଜିର ତାରିଖରେ ଜୀବନର ମନ୍ଦିର ହେଉଛି ଡାକ୍ତରଖାନା, ଲାବୋରେଟୋରୀ ଏବଂ ଯୋଗାଯୋଗ ବ୍ୟବସ୍ଥା। ଆଜି ଆମ ପାଖରେ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ଯଦି ନଥାନ୍ତା, ତାହେଲେ ଆମେ ଘୋର ଅନ୍ଧକାର ଭିତରେ ପଡିରହିଥାନ୍ତେ। ତେଣୁ ଆଜି ଧର୍ମକୁ ନେଇ ଭାବ ପ୍ରବଣ ହେବାର କୌଣସି ଅର୍ଥ ନାହିଁ।

ଧର୍ମକୁ ନେଇ ଅହଂକାର ଓ ଅନ୍ଧପଣ ଯେ କେତେ ମାରାତ୍ମକ ହୋଇପାରେ, ତାର ଏକ ଉଦାହରଣ ଆମେ ଦିଲ୍ଲୀ ସ୍ଥିତ ତବଲିଗି ଜମାତ ଘଟଣାରୁ ଦେଖିଲେ। ଭାରତର ୩୦% ସଂକ୍ରମଣ କେବଳ ନିଜାମୁଦ୍ଦିନରୁ ବ୍ୟାପିଲା। କେବଳ ଭାରତ ନୁହେଁ ପାକିସ୍ତାନ ଓ ମାଲେସିଆରେ ତବଲିଗି କାର୍ୟକ୍ରମ ଯୋଗୁଁ ସଂକ୍ରମଣ ବ୍ୟାପକ ହୋଇଥିଲା। ଏହା କୌଣସି ଉଦ୍ଦେଶ୍ୟମୂଳକ ଯୋଜନା ବା ଚକ୍ରାନ୍ତ ବୋଲି ଆମେ କହିପାରିବା ନାହିଁ। ଏହା ସ୍ଵାଭାବିକ ଭାବରେ ଧର୍ମର ଅନ୍ଧପଣ ଓ ଏହି ଅନ୍ଧତ୍ଵ କାରଣରୁ ଶହ ଶହ ବର୍ଷ ଧରି ମଣିଷ ସଭ୍ୟତା ଭୟଙ୍କର ବିପଦରେ ପଡିଛି। ତଥାପି ଏ ଅନ୍ଧାରରୁ ମଣିଷର ମୁକ୍ତି ନାହିଁ।

ତେବେ ଗୋଟିଏ ଧର୍ମ ନୁହଁ, ସବୁ ଧର୍ମର ମୌଳିକ ଗୁଣ ହେଲା ମଣିଷ ଭିତରେ ଗୋଟେ “ବିଶ୍ଵାସ” ତିଆରି କରିବା। ସେ ବିଶ୍ଵାସ ଅନେକ ସମୟରେ ଅଯୌକ୍ତିକ ଓ କାରଣ ବିହୀନ। ତଥାପି ମଣିଷ ସେ ବିଶ୍ବାସକୁ ଭଲପାଏ। ସେ ବିଶ୍ଵାସ ଉପରେ ଆମର କିଛି କହିବାର ନାଇଁ। ଧର୍ମ ବିରୋଧରେ ବି ବିଶେଷ କିଛି କହିବାର ନାହିଁ। ଯେତେ କହିଲେ ବି ଧାର୍ମିକତା ରହିବ ଓ ଧର୍ମକୁ ଆଶ୍ରା କରି ମଣିଷ ମନ ଭିତରେ ସେ ଅନ୍ଧକାର ରହିବ। କେବଳ ଆଜିର ପ୍ରେକ୍ଷାପଟରେ ଓ ବର୍ତ୍ତମାନ ପ୍ରସଙ୍ଗରେ ଆମେ ଧର୍ମକୁ ବିରତି ଦେବା କଥା କହୁଛୁ। ଆଜି ବଞ୍ଚିବା ଲାଗି ଆମକୁ ବୈଜ୍ଞାନିକଙ୍କ ଉପରେ ବିଶ୍ଵାସ ରଖିବାକୁ ପଡିବ। ଡାକ୍ତର ଓ ବୈଜ୍ଞାନିକମାନେ ଆମକୁ ବଞ୍ଚାଇବେ। ସେଥିଲାଗି ଆଜି ବାରମ୍ବାର ଆମେ ଭାରତ ସମ୍ବିଧାନର “ମୌଳିକ କର୍ତ୍ତବ୍ୟ” କଥାଟିକୁ ମନେ ପକାଇଦେବାକୁ ଚାହୁଁଛୁ।

ସମ୍ବିଧାନର ଚତୁର୍ଥ (କ) ପ୍ରଭାଗର ଧାରା ୫୧ –ଏ-ଏଚ ଅନୁସାରେ ଭାରତର ପ୍ରତ୍ୟେକ ନାଗରିକ ଭିତରେ ବୈଜ୍ଞାନିକ ଚିନ୍ତନ ଏବଂ ମାନବିକତାବୋଧ ପ୍ରତି ଅଙ୍ଗୀକାରବଦ୍ଧ ରହିବାକୁ ନିଜର ମୌଳିକ କର୍ତ୍ତବ୍ୟ ବୋଲି ଭାବିବ।  ଆମେ ସେ କଥା କରୁଛେ କି? ବିଜ୍ଞାନୀର ଭାବନା ବା ବୈଜ୍ଞାନିକ ଚିନ୍ତା ଆଜି ଆମ ସମୟରେ ସବୁଠୁ ଅସହାୟ। ଜଣେ ଷ୍ଟାଣ୍ଡ ଅପ କମେଡିଆନଙ୍କ  ଭାଷାରେ ଆମ ସମୟରେ ଆମେ ବିଜ୍ଞାନର “ଅନର କିଲିଙ୍ଗ” କରି ଚାଲିଛୁ। ସଙ୍କଟ ସମୟରେ ଆମେ ବିଜ୍ଞାନର ଶରଣାପନ୍ନ ହେଉଛୁ, କିନ୍ତୁ ସଙ୍କଟ ସରିଗଲେ ପୁଣି ଧର୍ମର କୋଳରେ ବସି ପଡୁଛୁ।

ଆଜି କରୋନା ଭଳି ଏକ ମାନବୀୟ ସଙ୍କଟରୁ ମୁକ୍ତି ପାଇବାକୁ ହେଲେ ଆମେ କଣ କରିବା ଉଚିତ? ଏ ପ୍ରଶ୍ନର ଉତ୍ତରରେ ସମସ୍ତେ କହିବେ, ଆମେ ଅଧିକରୁ ଅଧିକ ପରୀକ୍ଷା ସରଞ୍ଜାମ, ଭେଣ୍ଟିଲେଟର, ଆଣ୍ଟି ବଡି ଓ ଔଷଧ ତିଆରି କରିବା ଉଚିତ। ହେଲେ ଆମେ ତାହା କରିଛୁ କି? ଚିକତ୍ସା ବିଜ୍ଞାନ ସମ୍ପର୍କରେ ଆମ ଗବେଷଣାର ସ୍ଥିତି କଣ? ଆଜି କରୋନା ପରୀକ୍ଷା ଲାଗି ଆମକୁ ଦକ୍ଷିଣ କୋରିଆରୁ କିଟ ଆମଦାନୀ କରିବାକୁ ପଡୁଛି। ଆମ ପାଖରେ ମୁହଁ ଢାଙ୍କିବା ଲାଗି ମୁଖା କିମ୍ବା ହାତକୁ ଧୋଇବା ଲାଗି ସାନିଟାଇଜର ନାହିଁ। ଯେ କୌଣସି ବଟଲିଙ୍ଗ ପ୍ଳାଣ୍ଟରେ ଆମେ ଆଲକୋହଲିକ ସାନିଟାଇଜର ଆମେ ତିଆରି କରି ପାରିଥାନ୍ତୁ। ନା, ଆମକୁ ଲାଗିଲା ମଦରେ ହାତ ଧୋଇବା ପାପ। ଆରେ ଭାଇ, ମଦ ପିଇବା ଖରାପ, ମଦ ମିଶା ସାନିଟାଇଜର ଜୀବାଣୁ ଓ ଭୂତାଣୁ ମାରିବାରେ ସବୁଠୁ ଭଲ ମାଧ୍ୟମ। ତାର ଉପଯୋଗ କରିବା ନାଇଁ କାହିଁକି? ଆମକୁ କୁହାଗଲା, ଗୋମୂତ୍ର ପିଅ, ଗୋବର ଲଗାଅ- କରୋନା ଛାଡି ପଳାଇବ। ହେଲେ କରୋନା ଆସିଲା ବେଳକୁ ଗୋମୂତ୍ର ବାବାମାନେ ଏବେ କୁଆଡେ ଲୁଚିଛନ୍ତି।

ରାଷ୍ଟ୍ରମୁଖ୍ୟ ଭାବରେ ଆମର ପ୍ରଧାନମନ୍ତ୍ରୀ ବୈଜ୍ଞାନିକ ଚିନ୍ତନକୁ ବଢାଇବା ଲାଗି ନେତୃତ୍ଵ ନେବା କଥା। ହେଲେ କରୋନା ଆତଙ୍କ ସମୟରେ ପ୍ରଧାନମନ୍ତ୍ରୀ ଆମକୁ ଥାଳି ବାଡେଇ ଓ ଦୀପ ଜଳାଇ ମହାଶକ୍ତିର ଜାଗରଣ କରିବାକୁ ପରାମର୍ଶ ଦେଇଛନ୍ତି। ହେଲେ ଏ ମହାଶକ୍ତି ଧାର୍ମିକ ଅପଶକ୍ତିର ଯେ ସାନଭାଇ ସେ କଥା ପ୍ରଧାନମନ୍ତ୍ରୀଙ୍କୁ ବୁଝାଇବ କିଏ?

ମଣିଷ ଜାତି ଲାଗି କରୋନା ଧର୍ମରୁ ମୁକୁଳି ବିଜ୍ଞାନ ସହିତ ଅଧିକ ସମ୍ପର୍କ ବଢାଇବାର ଏକ ସୁଯୋଗ ତିଆରି କରିଛି। ମୂର୍ତ୍ତି, ମନ୍ଦିର, ଗୀର୍ଜା, ମସଜିଦ, ଧାର୍ମିକ ଉତ୍ସବରେ ଅର୍ଥ ନ ଢାଳି ମୌଳିକ ବିଜ୍ଞାନ ପାଇଁ ଅଧିକ ସମ୍ବଳ ବିନିଯୋଗ କରିବାର ଏକ ଆହ୍ଵାନ ଦେଉଛି। ସେ ଆହ୍ଵାନକୁ ଆମେ ଶୁଣୁଛୁ ତ!!

Categories
ଆଜିର ଖବର

ବ୍ୟାଙ୍କ ଫର୍ମରେ ଧର୍ମର ଉଲ୍ଲେଖ ଜରୁରୀ ନୁହେଁ : ରାଜୀବ କୁମାର

ମୁମ୍ବାଇ,22/12 : ବ୍ୟାଙ୍କ ଫର୍ମରେ ଧର୍ମର ଉଲ୍ଳେଖ ଜରୁରୀ ନୁହେଁ ବୋଲି ଅର୍ଥନୈତିକ ସଚିବ ରାଜୀବ କୁମାର ପ୍ରକାଶ କରିଛନ୍ତି । ବ୍ୟାଙ୍କ ଆକାଉଣ୍ଟ ଏବଂ କେଓ୍ବାଇସି ପାଇଁ ଧର୍ମ ଜରୁରୀ ବୋଲି ସୋସିଆଲ ମିଡିଆରେ ଭାଇରାଲ୍‌ ହେବା ପରେ ଏହି ସ୍ପଷ୍ଟୀକରଣ ପ୍ରକାଶ ପାଇଛି । ଅର୍ଥନୈତିକ ସଚିବ ରାଜୀବ କୁମାର ଶନିବାର ସ୍ପଷ୍ଟୀକରଣ ଦେଇ କହିଛନ୍ତି, ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ଏପରି କୌଣସି ନିର୍ଦ୍ଦେଶନାମା ଜାରି କରାଯାଇନାହିଁ । କୌଣସି ଗୁଜବକୁ ବିଶ୍ବାସ ନକରିବା ପାଇଁ ରାଜୀବ କୁମାରଙ୍କ ପକ୍ଷରୁ ଏକ ଟ୍ବିଟ୍‌ କରାଯାଇଥିଲା । ଏହା ସହିତ ରାଜୀବ ସ୍ପଷ୍ଟ କରିଛନ୍ତି କି , ଫର୍ମରେ ଧର୍ମ ଏବଂ ଜାତୀୟତାର ବିକଳ୍ପ ରହିବ ମାତ୍ର ଧର୍ମ ସମ୍ପର୍କରେ ଉଲ୍ଲେଖ କରିବା ନ କରିବା ସମ୍ପୂର୍ଣ୍ଣ ଇଚ୍ଛାଧୀନ ରହିବ ।