Categories
ଆଜିର ଖବର

ଆମେରିକୀୟ ଭିସା ପାଇଁ ଦେବାକୁ ପଡିବ ୫ ବର୍ଷର ସୋସିଆଲ ମିଡିଆ ତଥ୍ୟ

ଆମେରିକା ଏହାର ଭିସା ନିୟମରେ ପରିବର୍ତ୍ତନ ଆଣିଛି। ଆମେରିକା ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ଦ୍ବାରା ଜାରି କରାଯାଇଥିବା ନୂଆ ନିୟମ ଅନୁସାରେ ଏବେ ଆବେଦନକାରୀଙ୍କୁ ସୋସିଆଲ ମିଡିଆ ଆକାଉଣ୍ଟର ନାମ ଏବଂ ତାଙ୍କର ୫ ବର୍ଷର ରେକର୍ଡ ସମ୍ପର୍କିତ ତଥ୍ୟ ଦାଖଲ କରିବାକୁ ହେବ। ଏହାବ୍ୟତୀତ ନିଜ ଇ-ମେଲ ଏବଂ ଫୋନ ନମ୍ବର ବି ଦେବାକୁ ପଡ଼ିବ। ଫଳରେ ପ୍ରଶାସନ ଯେତେବେ​‌ଳେ ଚାହିଁବ ଆବେଦନକାରୀଙ୍କ ଆକାଉଣ୍ଟ ଯାଞ୍ଚ କରିପାରିବ। ସେହିପରି ଆବେଦନକାରୀଙ୍କୁ ବିଗତ ୧୫ ବର୍ଷ ଭିତରେ ତାଙ୍କ ଜୀବନ ଏବଂ ଶରୀରରେ ହୋଇଥିବା ପରିବର୍ତ୍ତନ ସମ୍ପର୍କରେ ବି ପଚରା ଯାଇପାରିବ। ଏହି ନିୟମଗୁଡ଼ିକର ପ୍ରସ୍ତାବ ଗତବର୍ଷ ଦିଆଯାଇଥିଲା। କିନ୍ତୁ ଏହା ଦ୍ବାରା ୧୪ କୋଟି ୭୦ ଲକ୍ଷ ଲୋକ ପ୍ରଭାବିତ ହେବେ ବୋଲି ଅନୁମାନ କରି ଏହାକୁ ବନ୍ଦ ରଖାଯାଇଥିଲା। ତେବେ ଏହି ନୂଆ ନିୟମରୁ କିଛି କୁଟନୈତିକ ଏବଂ ଅଫିସିଆଲ ଭିସା ଆବେଦନକାରୀଙ୍କୁ ବାଦ ଦିଆଯିବ। ନିୟମ ସମ୍ପର୍କରେ ଆମେରିକା ପ୍ରଶାସନ ପକ୍ଷରୁ କୁହାଯାଇଛି ଯେ, ନାଗରିକମାନଙ୍କର ସୁରକ୍ଷାକୁ ଧ୍ୟାନରେ ରଖି ନିୟମରେ ପରିବର୍ତ୍ତନ କରାଯାଇଛି।

Categories
ଆଜିର ଖବର

ବ୍ୟାଙ୍କର ବାର୍ଷିକ ପ୍ରଦର୍ଶନ ତଥ୍ୟ ପ୍ରଦାନ ପାଇଁ ଆରବିଆଇକୁ ସୁପ୍ରିମକୋର୍ଟ ନୋଟିସ୍‌

ସୂଚନା ଅଧିକାର ଆଇନ ବଳରେ ସୂଚନା ପ୍ରଦାନ ପାଇଁ ଆରବିଆଇକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମ୍‌କୋର୍ଟ। ପୂର୍ବରୁ କୌଣସି ସୂଚନା ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ ନିକଟରେ ଆବେଦନ କଲେ ଏହି ସୂଚନା ମିଳୁନଥିଲା। ବ୍ୟାଙ୍କର ବାର୍ଷିକ ପ୍ରଦର୍ଶନ ରିପୋର୍ଟ ପ୍ରଦାନ ପାଇଁ ଜନୈକ ସୂଚନା ଅଧିକାର କର୍ମୀ ଏସ୍‌ ସି ଅଗ୍ରଓ୍ବାଲ ଆବେଦନ କରିଥିବା ବେଳେ ଆରବିଆଇ ପକ୍ଷରୁ ଏହାକୁ ଖାରଜ କରି ଦିଆଯାଇଥିଲା। ଆବେଦନ କାରୀ ଏନେଇ ସର୍ବୋଚ୍ଚ କୋର୍ଟରେ ଏକ ଯାଚିକା ଦାଖଲ କରିଥିଲେ। ଏଲ୍‌ ନାଗେଶ୍ବର ରାଓଙ୍କ ନେତୃତ୍ବରେ ଗଠିତ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରି ସୂଚନା ଅଧିକାର ଆଇନ ଅନୁଯାୟୀ ସୂଚନା ପ୍ରଦାନ କରିବାକୁ ଆଦେଶ ଦେଇଛନ୍ତି। ଆଇନରେ ସ୍ବଚ୍ଛତା ପାଇଁ ଆରବିଆଇ ଏହି ନିୟମ ପାଳନ କରିବା ଜରୁରୀ ବୋଲି କହିଥିଲେ ଖଣ୍ଡପୀଠ। ଏହା ଏହି ରାଷ୍ଟ୍ରାୟତ ବ୍ୟାଙ୍କ ପାଇଁ ଶେଷ ତାଗିଦ ବୋଲି କହିଥିଲେ ଖଣ୍ଡପୀଠ ଏବଂ ଆରବିଆଇକୁ ସୂଚନା ଅଧିକାରରୁ ଦୂରେଇ ରଖିବାର ଆବେଦନକୁ ଖାରଜ କରିଥିଲେ କୋର୍ଟ।