Categories
ଆଜିର ଖବର ଜାତୀୟ ଖବର

ଇଜିପ୍ଟର ଝିଅଙ୍କ ଦେଶପ୍ରେମ ଗୀତ ପରିବେଷଣକୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୭୫ତମ ଗଣତନ୍ତ୍ର ଦିବସ ଉତ୍ସବରେ ଇଜିପ୍ଟର କରିମାନଙ୍କ ଦେଶପ୍ରେମୀ ଗୀତ “ଦେଶ ରଙ୍ଗିଲା” ର ପରିବେଷଣକୁ ପ୍ରଶଂସା କରିଛନ୍ତି। ସେ ମଧ୍ୟ ତାଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି।

ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି:

“ଇଜିପ୍ଟର କରିମାନଙ୍କ ଏହି ଉପସ୍ଥାପନା ମଧୁର! ମୁଁ ଏହି ଉଦ୍ୟମ ପାଇଁ ତାଙ୍କୁ ଅଭିନନ୍ଦନ ଜଣାଉଛି ଏବଂ ତାଙ୍କର ଭବିଷ୍ୟତର ପ୍ରୟାସ ପାଇଁ ତାଙ୍କୁ ଶୁଭେଚ୍ଛା।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଓଡିଶା ପ୍ରଜ୍ଞାପନ ମେଢକୁ ଆଜି ନୂଆଦିଲ୍ଲୀରେ ଗୃହ ବିଭାଗ ତରଫରୁ ଦିଆଗଲା ପୁରସ୍କାର

ନୂଆଦିଲ୍ଲୀ: ଆଜି ନୂଆଦିଲ୍ଲୀରେ ଓଡିଶାର ପ୍ରଜ୍ଞାପନ ମେଢକୁ ମିଳିଛି ପ୍ରଥମ ପୁରସ୍କାର। ରାଷ୍ଟ୍ରୀୟ ରଂଗଶାଳା ଶିବିରରେ ଏହି ପୁରସ୍କାର ପ୍ରଦାନ କରିଛନ୍ତି ପ୍ରତିରକ୍ଷା ରାଷ୍ଟ୍ରମନ୍ତ୍ରୀ ଅଜୟ ଭଟ୍ଟ। ଏହି ପୁରସ୍କାରକୁ ଗ୍ରହଣ କରିଛନ୍ତି ଓଡିଶା ସୂଚନା ଓ ଲୋକ ସଂପର୍କ ବିଭାଗର ଅଧିକାରୀ ହରପ୍ରସାଦ ମହାପାତ୍ର ଏବଂ ଏହି ମେଢର ଶିଳ୍ପୀ କିର୍ତ୍ତୀ କିଶୋର ମହାରଣା।

ଜାନୁୟାରୀ 26 ଗଣତନ୍ତ୍ର ଦିବସରେ ଏହି ପ୍ରଜ୍ଞାପନ ମେଢକୁ ଓଡିଶା ତରଫରୁ ପ୍ରଦର୍ଶିତ କରାଯାଇଥିଲା। ଏହାପରେ ସବୁ ରାଜ୍ୟର ମେଢକୁ ପୁରସ୍କାର ପାଇଁ ରଖାଯାଇଥିଲା। ଚୟନ କମିଟ ଏବଂ ଅନଲାଇନ ଭୋଟିଂ ପରେ ଓଡିଶାର ପ୍ରଜ୍ଞାପନ ମେଢ ପ୍ରଥମ ହୋଇଥିଲା। ଏହାପରେ ଗୁଜୁରାଟ ଦ୍ବିତୀୟ ଏବଂ ତାମିଲନାଡୁ ତୃତୀୟ ହୋଇଥିଲା।

Categories
ଆଜିର ଖବର ରାଜ୍ୟ ଖବର

ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟରେ ୭୫ ତମ ସାଧାରଣତନ୍ତ୍ର ଦିବସ ପାଳିତ

ଭୁବନେଶ୍ୱର: ଶୁକ୍ରବାର ଦିନ ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟରେ ୭୫ ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି। ସୋଆର କୁଳାଧିପତି ପ୍ରଫେସର (ଡଃ) ଅମିତ ବାନାର୍ଜୀ ଜାତୀୟ ପତାକା ଉତୋଳନ କରି ଛାତ୍ରଛାତ୍ରୀମାନଙ୍କୁ ରାଷ୍ଟ୍ର ନିର୍ମାଣ ପ୍ରକ୍ର୍ରିୟାରେ ସହଯୋଗ କରିବାକୁ ପରାମର୍ଶ ଦେଇଥିଲେ। ରାଷ୍ଟ୍ର ନିର୍ମାଣ ପ୍ରକ୍ରିୟାରେ ଭାରତର ନାଗରିକମାନେ, ବିଶେଷକରି ଯୁବଶକ୍ତି ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି ଏବଂ ଏହାକୁ ଗଠନ କରିବାର ଶକ୍ତି ସେମାନଙ୍କ ପାଖରେ ଅଛି ବୋଲି ପରେଡରେ ଅଭିବାଦନ ଗ୍ରହଣ କରି ସେ କହିଥିଲେ।

ରାଷ୍ଟ୍ର ନିର୍ମାଣ ଏକ ଦିନର କାର୍ଯ୍ୟକ୍ରମ ନୁହେଁ ଏବଂ ଏହା କେବଳ ସରକାରଙ୍କ ଦାୟିତ୍ୱ ନୁହେଁ ବରଂ ସମସ୍ତ ନାଗରିକଙ୍କ ସାମୂହିକ କର୍ତବ୍ୟ ଅଟେ। ଏହା ଏକ ବୋଝ ନୁହେଁ ବରଂ ଏକ ସୌଭାଗ୍ୟ। ଶିକ୍ଷା, ସ୍ୱାସ୍ଥ୍ୟସେବା, ଅର୍ଥନୀତି, ଭିତିଭୂମି, ପ୍ରଯୁକ୍ତିବିଦ୍ୟା, ସାମାଜିକ ନ୍ୟାୟ ଏବଂ ସଂସ୍କୃତି ଭଳି ବିଭିନ୍ନ କ୍ଷେତ୍ରରେ ଭାରତର ସଫଳତା ଏବଂ ଆକାଂକ୍ଷା ପାଇଁ ଗର୍ବିତ ହେବାର କାରଣ ରହିଛି ବୋଲି ପ୍ରକାଶ କରି ପ୍ରଫେସର ବାନାର୍ଜୀ କହିଥିଲେ ଯେ ଭାରତ ପୃଥିବୀର ଦ୍ରୁତତମ ବୃଦ୍ଧି ପାଉଥିବା ତଥା ପ୍ରଭାବଶାଳୀ ଦେଶ ଭାବରେ ଉଭା ହୋଇଛି।

ବିଶ୍ୱବିଦ୍ୟାଳୟର ଷ୍ଟାଡିୟମ୍‌ରେ ଆୟୋଜିତ ସମାରୋହରେ ସୋଆର କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ, ବିଭିନ୍ନ ଅନୁଷ୍ଠାନର ଡିନ୍‌, ନିର୍ଦ୍ଦେଶକ, ଛାତ୍ର ଏବଂ ଅଧିକାରୀମାନେ ଉପସ୍ଥିତ ଥିଲେ। ସୋଆ ଛାତ୍ର ମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ଏହି କାର୍ଯ୍ୟକ୍ରମରେ ସୋଆର ସ୍ପୋର୍ଟ୍ସ ଅଫିସର ଶ୍ରୀମତି ସୁନିତା ବର୍ମାଙ୍କ ସମେତ ଏହା ଅଧିନରେ ଥିବା ବିଭିନ୍ନ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀ, ଏନ୍‌ସିସ କ୍ୟାଡେଟ, ଏନ୍‌ଏସ୍‌ଏସ୍ ସ୍ୱେଚ୍ଛାସେବୀ, ସୋଆ ପରିଚାଳିତ ଯୁକ୍ତ ଦୁଇ ବିଜ୍ଞାନ କଲେଜ ଏବଂ ସିକ୍ୟୁରିଟି ୱିଙ୍ଗ ଅଂଶଗ୍ରହଣ କରିଥିଲେ। ପ୍ୟାରେଡରେ ଉତ୍କର୍ଷତା ନିମନ୍ତେ ଯୁକ୍ତ ଦୁଇ ବିଜ୍ଞାନ କଲେଜ, ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ବିଜିନେସ୍ ଆଣ୍ଡ କମ୍ପ୍ୟୁଟର ଷ୍ଟଡିଜ୍ (ଆଇବିସିଏସ୍‌) ଏବଂ ଏନ୍‌ଏସ୍‌ଏସ୍‌କୁ ଯଥାକ୍ରମେ ପ୍ରଥମ, ଦ୍ୱିତୀୟ ଏବଂ ତୃତୀୟ ପୁରସ୍କାର ପ୍ରଦାନ କରାଯାଇଥିଲା।

ପ୍ୟାରେଡକୁ ନେତୃତ୍ୱ ଦେଇଥିବା ଏନ୍‌ସିସିର ବରିଷ୍ଠ ଅଫିସର ରଣବୀର ସିଂ ଏବଂ ଜୁନିଅର ଅଫିସର ପୁଟା ସିଦ୍ଧାର୍ଥଙ୍କୁ ଏହି ଅବସରରେ କୁଳାଧିପତି ଏବଂ କୁଳପତି ସମ୍ମାନିତ କରିଥିଲେ। ଏହି କାର୍ଯ୍ୟକ୍ରମ ଶେଷରେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଏକ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

ପ୍ରଫେସର (ଡଃ) ବାନାର୍ଜୀ ସୋଆରେ ପଢ଼ୁଥିବା ଅନ୍ୟ ଦେଶର ଛାତ୍ରଛାତ୍ରୀମାନଙ୍କୁ ମଧ୍ୟ ସମ୍ବୋଧିତ କରି ସେମାନଙ୍କୁ କ୍ୟାମ୍ପସ୍‌ର ଏକାଡେମିକ୍ ଏବଂ ସାଂସ୍କୃତିକ ବିବିଧତାକୁ ସମୃଦ୍ଧ କରିବାକୁ ଆହ୍ୱାନ ଦେଇଥିଲେ। ଏହାଦ୍ୱାରା ଭାରତ ଏବଂ ସେମାନଙ୍କ ଦେଶ ମଧ୍ୟରେ ପାରସ୍ପରିକ ବୁଝାମଣା ଏବଂ ସହଯୋଗକୁ ବୃଦ୍ଧି ହୋଇପାରିବ ବୋଲି ସେ କହିଥିଲେ।
କୁଳପତି ପ୍ରଫେସର ନନ୍ଦ ବିଶ୍ୱବିଦ୍ୟାଳୟ କାର୍ଯ୍ୟାଳୟରେ ତ୍ରିରଙ୍ଗା ଉତୋଳନ କରିଥିଲେ।

ଗତବର୍ଷରେ ଭାରତର ବିଭିନ୍ନ ସଫଳତାକୁ ଉଲ୍ଲେଖ କରି ଚନ୍ଦ୍ରାୟନ କାର୍ଯ୍ୟକ୍ରମର ସଫଳତା ତଥା ଦେଶକୁ ଡିଜିଟାଲ୍ କରିବା ଦିଗରେ ଅଗ୍ରଗତି ଉଲ୍ଲେଖନୀୟ ସଫଳତା ବୋଲି କହିଥିଲେ। ସ୍ୱାସ୍ଥ୍ୟସେବା ସୁବିଧାର ପ୍ରସାର କରି ସୋଆ ରାଜ୍ୟରେ ଅତୁଳନୀୟ ଯୋଗଦାନ କରିପାରିଛି ବୋଲି କହି ନିକଟରେ ଫୁଲନଖରାରେ ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ଦ୍ୱିତୀୟ କ୍ୟାମ୍ପସ ଉଦ୍‌ଘାଟନ ହୋଇଥିବା ସେ ଉଲ୍ଲେଖ କରିଥିଲେ। ଖୁବଶୀଘ୍ର ଗଞ୍ଜାମ ଜିଲ୍ଲାର ସୀତାପାଲ୍ଲୀରେ ହସ୍ପିଟାଲ୍‌ର ଏକ ତୃତୀୟ କ୍ୟାମ୍ପସ୍ ଉଦ୍‌ଘାଟନ କରାଯିବ ବୋଲି ସେ କହିଥିଲେ।

ସୋଆର ଉପକୁଳପତି ପ୍ରଫେସର ଶିତିକଣ୍ଠ ମିଶ୍ର, ବିଶ୍ୱବିଦ୍ୟାଳୟର ଆଉଟରିଚ୍ ପ୍ରୋଗ୍ରାମର ନିର୍ଦ୍ଦେଶକ ପ୍ରଫେସର ନଚିକେତା ଶର୍ମା, ଯୁଗ୍ମ ରେଜିଷ୍ଟ୍ରାର ଭୀଷ୍ମ ଚରଣ ଦାସ ଏବଂ ଶଶାଙ୍କ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।

Categories
ଆଞ୍ଚଳିକ

ବ୍ରହ୍ମପୁରରେ ସାଧାରଣତନ୍ତ୍ର ଦିବସ ପାଳନ

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ରେଶମ ନଗରୀ ବ୍ରହ୍ମପୁର ସହରରେ ୭୫ ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଛି। ଅନୁଷ୍ଠିତ କାର୍ଯ୍ୟକ୍ରମରେ ଦକ୍ଷିଣାଞ୍ଚଳ ରାଜସ୍ୱ ଆୟୁକ୍ତ ଟି ଆଓ ପତାକା ଉତ୍ତୋଳନ କରିବା ସହ ବାବାସାହେବ ଆମ୍ବେଦକରଙ୍କୁ ସ୍ମରଣ କରିଥିଲେ।ପୁର୍ବଜ ସ୍ବାଧୀନତା ସଂଗ୍ରାମୀ ମାନଙ୍କୁ ସମ୍ମାନ ଜଣାଇ ଜାତିର ପିତା ମହାତ୍ମା ଗାନ୍ଧୀ ଙ୍କ ଅହିଂସା ପରମଧର୍ମ ବାର୍ତ୍ତା ଯୋଗୁଁ ଆଜି ଆମେ ସ୍ବାଧୀନ ଭାରତର ନାଗରିକ ବୋଲି ବକ୍ତବ୍ୟ ପ୍ରଦାନ ଅଭିବାଦନ ଗ୍ରହଣ କରିଥିଲେ।

ଏହି କାର୍ଯ୍ୟକ୍ରମରେ ପୋଲିସ ବିଭାଗର ଚିତ୍ତାକର୍ଷକ ବ୍ୟାଣ୍ଡ୍ ବାଜାର ମଜ୍ଜା ସହିତ ବିଭିନ୍ନ ଶିକ୍ଷାନୁଷ୍ଠାନର ଛାତ୍ର ଓ ଛାତ୍ରୀ ମାନଙ୍କର ପେରେଡ୍ ପ୍ରଦର୍ଶନ ଉପସ୍ଥିତ ଜନସାଧାରଣଙ୍କ ପାଇଁ ବହୁତ ସୁନ୍ଦର ଉପଭୋଗ ହୋଇଛି। ସଭାମଞ୍ଚରେ ବ୍ରହ୍ମପୁର ଏସ୍ ପି ଡ଼ଃ ଶ୍ରବଣ ବିବେକ ଏମ୍, ବ୍ରହ୍ମପୁର ଉପଜିଲ୍ଲାପାଳ ଓ ଅନ୍ୟାନ୍ୟ ପ୍ରଶାସନିକ ଅଧିକାରୀମାନେ ଉପସ୍ଥିତ ଥିଲେ। ଅଭିବାଦନ ଗ୍ରହଣ ପରେ ମୁଖ୍ୟ ଅତିଥି କୃତିତ୍ୱ ହାସଲ କରିଥିବା ପ୍ରତିଯୋଗି ମାନଙ୍କୁ ଉତ୍ସାହିତ କରିବା ସହ ପୁରସ୍କ୍ରୁତ କରିଥିଲେ।

Categories
ଆଜିର ଖବର

ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସରେ କେଉଁମାନେ ପରେଡରେ ନେଇଥିଲେ ଭାଗ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରର ମହାତ୍ମାଗାନ୍ଧୀ ମାର୍ଗରେ ୭୫ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି। ଏହି ଉତ୍ସବରେ ମାନ୍ୟବର ରାଜ୍ୟପାଳ ଶ୍ରୀ ରଘୁବାର ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିବା ସହ ଅଭିବାଦନ ଗ୍ରହଣ କରିଥିଲେ। ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ସମ୍ମାନିତ ଅତିଥି ଭାବେ ଏହି ସମାରୋହରେ ଉପସ୍ଥିତ ଥିଲେ।

ରାଜ୍ୟପାଳ ଶ୍ରୀ ରଘୁବର ଦାସ ସକାଳ ୮.୨୮ ରେ ମହାତ୍ମା ଗାନ୍ଧୀ ମାର୍ଗରେ ପହଞ୍ଚିବା ପରେ ମୁଖ୍ୟ ଶାସନ ସଚିବ ଶ୍ରୀ ପ୍ରଦୀପ କୁମାର ଜେନା, ସ୍ୱରାଷ୍ଟ୍ର ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ଦେଓରଞ୍ଜନ କୁମାର ସିଂ, ଆରକ୍ଷୀ ମହାନିର୍ଦ୍ଦେଶକ ଶ୍ରୀ ଅରୁଣ କୁମାର ଷଡଙ୍ଗୀ ଓ ସମର ଶିକ୍ଷାର୍ଥୀ ବାହିନୀର ଉପମହାନିର୍ଦ୍ଦେଶକ କମୋଡର ଜେ. ସୁରେଶ ରାଜ୍ୟପାଳଙ୍କୁ ସ୍ୱାଗତ ଜଣାଇ ମଞ୍ଚ ନିକଟକୁ ପାଛୋଟି ନେଇଥିଲେ।

ରାଜ୍ୟପାଳ ଶ୍ରୀ ରଘୁବର ଦାସ ୮.୩୦ ମିନିଟ୍‌ ସମୟରେ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ଗଞ୍ଜାମ ଏ.ଏସ୍‌.ପି. ମିସ୍‌ ଏ.ବି. ଶିଳ୍ପା ପ୍ୟାରେଡ୍‌ ପରିଚାଳନା କରିଥିଲେ। ନବମ ଏସ୍‌.ଆଇ.ଆର୍‌. ବାଟାଲିୟନ୍‌, କଳାହାଣ୍ଡିର ଶ୍ରୀ ସନ୍ତୋଷ କୁମାର ବିଶ୍ୱାଳ ଦ୍ୱିତୀୟ ପରିଚାଳକ ଭାବେ ଏବଂ ଭୁବନେଶ୍ୱର ସପ୍ତମ ବାଟାଲିୟନ୍‌ର ଏସିିପି (ସଶସ୍ତ୍ର) ଶ୍ରୀ ଭବାନୀ ପ୍ରସାଦ ଜେନା ଆଡ୍‌ଜୁଟାଣ୍ଟ ଓ ଭୁବନେଶ୍ୱର ସପ୍ତମ ବାଟାଲିୟନ୍‌ର ଆସିଷ୍ଟାଣ୍ଟ କମିଶନର (ସଶସ୍ତ୍ର) ଶ୍ରୀ ପରମେଶ୍ୱର ହାଁସ୍‌ଦା ସ୍ୱତନ୍ତ୍ର ଅଧିକାରୀ ଭାବେ ପ୍ୟାରେଡ୍‌ ପରିଚାଳନାରେ ସହାୟତା କରିଥିଲେ।

ରାଜ୍ୟ ପୋଲିସ ବ୍ୟାଣ୍ଡ ଦ୍ୱାରା ଜାତୀୟ ସଂଗୀତ ବାଦନ ପରେ ୧୬ଟି ସାମରିକ ବାହିନୀ ଏବଂ ବିଭିନ୍ନ ଶିକ୍ଷାନୁଷ୍ଠାନର ୩୪ଟି ବେସାମରିକ ଦଳ ସମୁଦାୟ ୫୦ଟି ଦଳ ମିଳିତ ପ୍ୟାରେଡ୍‌ରେ ଅଂଶଗ୍ରହଣ କରିଥିଲେ। ସମ୍ମିଳିତ ପ୍ୟାରେଡ୍‌ ଅନୁଷ୍ଠିତ ହେବା ପରେ ପରେ ବିଭିନ୍ନ ସାଂସ୍କୃତିକ ଦଳ ଚିତ୍ତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ।

କୋରାପୁଟ ଜିଲ୍ଲା ବୈପାରିଗୁଡ଼ାର ଜନଜାତି ନୃତ୍ୟ, ଗଞ୍ଜାମ ଜିଲ୍ଲା ଭଞ୍ଜବିହାରର ଯୋଡ଼ିଶଙ୍ଖ/ରଣପା ନୃତ୍ୟ, ପୁରୀର ସାହିଯାତ/ମେଢ଼ନାଚ ଓ ବରଗଡ଼ ଜିଲ୍ଲା ପଦ୍ମପୁରର ସମ୍ବଲପୁରୀ ଲୋକନୃତ୍ୟ ପରିବେଷଣ ଉତ୍ସବକୁ ମନୋମୁଗ୍ଧକର କରିଥିଲା।

ଏହା ପରେ ପ୍ରଜ୍ଞାପନ ମେଢ଼ଗୁଡ଼ିକ ଅଭିବାଦନ ମଞ୍ଚ ଅତିକ୍ରମ କରିଥିଲେ। କୃଷି ଓ କୃଷକ ସଶକ୍ତିକରଣ ବିଭାଗ (ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା, କାଳିଆ ଛାତ୍ରବୃତ୍ତି), ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ (ଆମ ହସ୍‌ପିଟାଲ), ବାଣିିଜ୍ୟ ଓ ପରିବହନ ବିଭାଗ (ଘରେ ଘରେ ଲକ୍ଷ୍ମୀ), ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ (କରୁଣା ରେଶମ), ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ (ନୂଆ ଓଡ଼ିଶା ମିଶନ, ସୁଦକ୍ଷା ଯୋଜନା), ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗ, ୱାଟ୍‌କୋ, (ଡି୍ରଙ୍କ୍‌ ଫ୍ରମ୍‌ ଟ୍ୟାପ୍‌), ପର୍ଯ୍ୟଟନ ବିଭାଗ (ପର୍ଯ୍ୟଟନ ସେବା କ୍ଷେତ୍ରରେ ରୂପାନ୍ତରଣ), ଅନୁସୂଚିତ ଜନାଜତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ଓ ପଛୁଆବର୍ଗ କଲ୍ୟାଣ ବିଭାଗ (ପବିତ୍ର ପୀଠସ୍ଥଳୀ(ଜାହିରା) ରୂପାନ୍ତରଣ କାର୍ଯ୍ୟକ୍ରମ) ପ୍ରଦର୍ଶିତ ହୋଇଥିଲା।

ସେହିପରି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ (୫-ଟି ଉଚ୍ଚ ବିଦ୍ୟାଳୟ ରୂପାନ୍ତରଣ କାର୍ଯ୍ୟକ୍ରମ), ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ବିଭାଗ (ବାୟୋଫ୍ଲକ୍‌ ମାଧ୍ୟମରେ ସଘନ ମାଛ ଓ ଚିଙ୍ଗୁଡ଼ି ଚାଷ, ପଞ୍ଜୁରୀରେ ମାଛଚାଷ), ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ (ଆମ ଓଡ଼ିଶା ନବୀନ ଓଡ଼ିଶା), ପୂର୍ତ୍ତ ବିଭାଗ (ଭିତ୍ତିଭୂମି ବିକାଶ ପ୍ରକଳ୍ପ), ଓଡ଼ିଶା ଖଣି ନିଗମ ସାମାଜିକ ଦାୟିତ୍ୱବୋଧ, ଓଡ଼ିଶା ଅଗ୍ନିଶମ ସେବା ଯାନ ପକ୍ଷରୁ ପ୍ରଜ୍ଞାପନ ମେଢ଼ ପ୍ରଦର୍ଶିତ କରାଯାଇଥିଲା।

ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ, ବିଭିନ୍ନ ବିଭାଗର ଶାସନ ସଚିବ, ସୂଚନା ଓ ଲୋକସଂପର୍କ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ସଂଜୟ କୁମାର ସିଂ ଏବଂ ନିର୍ଦ୍ଦେଶକ ଶ୍ରୀ ସରୋଜ କୁମାର ସାମଲ, ନିର୍ଦ୍ଦେଶକ (ବୈଷୟିକ) ଶ୍ରୀ ସୁରେନ୍ଦ୍ର ନାଥ ପରିଡ଼ା ପ୍ରମୁଖଙ୍କ ସମେତ ରାଜ୍ୟ ପ୍ରଶାସନର ବରିଷ୍ଠ ଅଧିକାରୀବୃନ୍ଦ, ସାଧାରଣତନ୍ତ୍ର ଦିବସ ଉତ୍ସବରେ ଉପସ୍ଥିତ ଥିଲେ।

ଏହି କାର୍ଯ୍ୟକ୍ରମକୁ ସୂଚନା ଓ ଲୋକସଂପର୍କ ବିଭାଗର ଉପନିର୍ଦ୍ଦେଶକ ଶ୍ରୀମତୀ ସୁଚେତା ପି୍ରୟଦର୍ଶିନୀ, ସୂଚନା ଅଧିକାରୀ ସୁଶ୍ରୀ ରୋଜାଲିନ୍‌ ସାହୁ ଓ ସୁଶ୍ରୀ ତନୁଜା ମହାନ୍ତି ସଂଯୋଜନା କରିଥିଲେ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର ସଂସ୍କୃତି

ନୂଆଦିଲ୍ଲୀର କର୍ତ୍ତବ୍ୟ ପଥରେ ଗଡିଲା ଓଡ଼ିଶାର ପ୍ରଜ୍ଞାପନ ମେଢ, କାହିଁକି ସାଜିଲା ଆକର୍ଷଣର କେନ୍ଦ୍ରବିନ୍ଦୁ?

ନୂଆଦିଲ୍ଲୀ: ସାଧାରଣତନ୍ତ୍ର ଦିବସ ଅବସରରେ ନୂଆଦିଲ୍ଲୀର କର୍ତ୍ତବ୍ୟ ପଥରେ ଗଡିଲା ଓଡିଶାର ପ୍ରଜ୍ଞାପନ ମେଢ। ୨୦୩୬ ମସିହା ସୁଦ୍ଧା ଓଡ଼ିଶାକୁ ଦେଶର ସର୍ବାଙ୍ଗୀନ ବିକଶିତ ରାଜ୍ୟରେ ପରିଣତ କରିବାକୁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ପ୍ରତିବଦ୍ଧତା ଓ ପଦକ୍ଷେପ ଏବଂ ଦେଶର ଅର୍ଥନୈତିକ ବିକାଶ ଓ ସାମାଜିକ ଉନ୍ନତି ପାଇଁ ମହିଳା ସଶକ୍ତିକରଣ ଜରୁରୀ ହୋଇଥିବାରୁ ‘ବିକଶିତ ଭାରତ’ ବିଷୟବସ୍ତୁକୁ ନେଇ ପ୍ରସ୍ତୁତ ଓଡିଶାର ପ୍ରଜ୍ଞାପନ ମେଢରେ ଓଡିଶାର ସମୃଦ୍ଧ ହସ୍ତଶିଳ୍ପ ଓ ହସ୍ତତନ୍ତ ମାଧ୍ୟମରେ ରାଜ୍ୟରେ ମହିଳା ସଶକ୍ତିକରଣକୁ ପ୍ରଦର୍ଶନ କରାଯାଇଛି।

ବିକଶିତ ଭାରତରେ ଓଡ଼ିଶାର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ଶକ୍ତି ଓ ସାମର୍ଥ୍ୟ, ହାତୀର ଶକ୍ତି ଓ ସାମର୍ଥ୍ୟ ସହ ସମକକ୍ଷ ବୋଲି ପ୍ରଜ୍ଞାପନ ମେଢର ଅଗ୍ର ଭାଗରେ ଥିବା ଉତ୍କଳୀୟ କଳାକୃତିର ଏକ ଲୋକପ୍ରିୟ ଓ ଅନନ୍ୟ ବିଷୟବସ୍ତୁ କନ୍ଦର୍ପ ହସ୍ତୀ ମାଧ୍ୟମରେ ପ୍ରମାଣିତ କରାଯିବା ସହିତ ରାସଲୀଳାରେ ଭଗବାନ ଶ୍ରୀକୃଷ୍ଣଙ୍କ ପ୍ରତି ଗୋପୀମାନଙ୍କ ପ୍ରେମ ଓ ଭକ୍ତି ପରି ବିକଶିତ ଭାରତ ପ୍ରତି ଓଡ଼ିଶାର ମହିଳାମାନଙ୍କ ନିଷ୍ଠାପୂର୍ଣ୍ଣ ସମର୍ପଣକୁ ଦର୍ଶାଇଥିଲା।

ସେହିପରି, ମେଢ ଅଗ୍ରଭାଗର ଉଭୟ ପାର୍ଶ୍ୱରେ ଥିବା ଶ୍ରୀଜଗନ୍ନାଥଙ୍କ ରଥର ଚକକୁ ଓଡ଼ିଶାର ପ୍ରଗତିର ଚକ ଭାବେ ପ୍ରତିପାଦିତ କରାଯାଇଛି। ହସ୍ତକଳା ଓ ହସ୍ତତନ୍ତ କ୍ଷେତ୍ରରେ ମହିଳାଙ୍କ ଅଂଶଗ୍ରହଣକୁ ଦର୍ଶାଉଥିବା ଏହି ମେଢର ମଧ୍ୟଭାଗରେ ପିପିଲିର ଚାନ୍ଦୁଆ, ରଘୁରାଜପୁରର ପଟ୍ଟଚିତ୍ର କଳା ଭଳି ଉତ୍ପାଦକୁ ଲାଇଭ୍ ପ୍ରଦର୍ଶନ ମାଧ୍ୟମରେ ପ୍ରଦର୍ଶିତ କରାଯାଇଥିଲା। ଏହା ଓଡ଼ିଶାର ଗ୍ରାମାଞ୍ଚଳରେ ନିଯୁକ୍ତି ସୁଯୋଗ ବୃଦ୍ଧିକୁ ପ୍ରମାଣିତ କରିବା ସହିତ ରାଜ୍ୟର ଗ୍ରାମାଞ୍ଚଳ ଅର୍ଥନୀତି ସୁଦୃଢ଼ ହୋଇଥିବା ପ୍ରଦର୍ଶିତ କରିଥିଲା।

ସେହିପରି, ବୈଷୟିକ ଜ୍ଞାନକୌଶଳର ଉପଯୋଗ କରି ଓଡିଶାର ଗ୍ରାମୀଣ ମହିଳାମାନେ ମଧ୍ୟ କ୍ୟାସଲେସ୍ କାରବାର କରିବା ସହ ଇ-ପ୍ଲାଟଫର୍ମରେ ନିଜ ଉତ୍ପାଦର ମାର୍କେଟିଂ କରିପାରୁଛନ୍ତି ବୋଲି ପ୍ରଜ୍ଞାପନ ମେଢ ମାଧ୍ୟମରେ ଉପସ୍ଥାପିତ କରାଯାଇଥିଲା। କାରିଗରମାନଙ୍କ ପ୍ରତି ରାଜ୍ୟ ସରକାରଙ୍କ ଆନ୍ତରିକ ସମର୍ଥନକୁ ଦର୍ଶାଇବାକୁ ଯାଇ ଦେବଦେବୀଙ୍କ ଚଳନ୍ତି ପ୍ରତିମାଙ୍କ ଯାତ୍ରା ସମୟରେ ବ୍ୟବହାର ହେଉଥିବା ବିରାଟକାୟ ଛତା ମେଢର ମଧ୍ୟ ଭାଗରେ ସ୍ଥାପନ କରାଯାଇଥିଲା।

ପଟ୍ଟଚିତ୍ର କଳା ମାଧ୍ୟମରେ ପୌରାଣିକ ଚରିତ୍ରକୁ ନେଇ ରଘୁରାଜପୁର ଗ୍ରାମର ମହିଳାମାନେ ପ୍ରସ୍ତୁତ କରୁଥିବା ବିଭିନ୍ନ ଗୃହସଜ୍ଜା ସାମଗ୍ରୀ ଓ ମୁଖା ସମେତ ରଘୁରାଜପୁର ଗ୍ରାମର ଐତିହ୍ୟ ଗୃହକୁ ପ୍ରଜ୍ଞାପନ ମେଢର ପଛ ଭାଗରେ ଦର୍ଶାଯାଇଥିଲା । ବିକାଶପଥରେ ଓଡ଼ିଶା ଅଶ୍ଵ ବେଗରେ ଅଗ୍ରସର ହେଉଥିବାରୁ, ଓଡ଼ିଶା ସରକାରଙ୍କ ପ୍ରତୀକ ତଥା ପ୍ରସିଦ୍ଧ କୋଣାର୍କ ମନ୍ଦିରର ଯୁଦ୍ଧ ଘୋଡ଼ାକୁ ମଧ୍ୟ ସେଠାରେ ସ୍ଥାନିତ କରାଯାଇଥିଲା।

ସେହିପରି, ପ୍ରଜ୍ଞାପନ ମେଢର ଉଭୟ ପାର୍ଶ୍ୱରେ ଥିବା ଓଡ଼ିଶାର ଅନନ୍ୟ ଓ ସମୃଦ୍ଧ ହସ୍ତତନ୍ତ ଓ ହସ୍ତଶିଳ୍ପ ଡିଜାଇନ୍, କଳା ଓ କାରିଗରୀ ମାଧ୍ୟମରେ ରାଜ୍ୟରେ ଜୀବିକା ବିକାଶର ସଫଳ କାହାଣୀକୁ ପ୍ରଦର୍ଶିତ କରଇଥିଲା। ଏଥିସହିତ, ପ୍ରଜ୍ଞାପନ ମେଢର ଉଭୟ ପାର୍ଶ୍ୱରେ ସମ୍ବଲପୁରୀ ସଙ୍ଗୀତର ତାଳେତାଳେ କଳାକାରମାନେ ପରିବେଷଣ କରିଥିବା ନୃତ୍ୟ ଉପସ୍ଥିତ ଦର୍ଶକଙ୍କୁ ବିମୋହିତ କରିଥିଲା।

ଭାରତ ସରକାରଙ୍କ ପ୍ରତିରକ୍ଷା ମନ୍ତ୍ରାଳୟ ତରଫରୁ ପ୍ରାପ୍ତ ସୂଚନା ପ୍ରକାରେ ଜନ ଭାଗୀଦାରି ସ୍ଵରୂପ ଆଜିଠାରୁ ଆଗାମୀ କାଲି ସକାଳ ୫ ଟା ୩୦ ସୁଦ୍ଧା ଅନଲାଇନ ଭୋଟିଂ ମାଧ୍ୟମରେ ପ୍ରାପ୍ତ ଭୋଟ ଆଧାରରେ ଯୋଗ୍ୟ ବିବେଚିତ ପ୍ରଜ୍ଞାପନ ମେଢକୁ ରାଷ୍ଟ୍ରୀୟ ରଙ୍ଗଶାଳା ଶିବିରରେ ପୁରସ୍କୃତ କରାଯିବ।

Categories
ଆଜିର ଖବର ରାଜ୍ୟ ଖବର

ଓଡିଶା କଂଗ୍ରେସ ତରଫରୁ ୭୫ତମ ଗଣତନ୍ତ୍ର ଦିବସ ପାଳିତ

ଭୁବନେଶ୍ୱର : ଆଜି ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ୭୫ତମ ଗଣତନ୍ତ୍ର ଦିବସ ଭୁବନେଶ୍ୱର କଂଗ୍ରେସ ଭବନ ଠାରେ ପାଳିତ ହୋଇଯାଇଛି । ଏହି ଅବସରରେ କଂଗ୍ରେସ ଭବନ ପରିସରରେ ଆୟୋଜିତ ପତାକା ଉତୋଳନ କାର୍ଯ୍ୟକ୍ରମରେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀଯୁକ୍ତ ଶରତ ପଟ୍ଟନାୟକ ଜାତୀୟ ପତାକା ଉତୋଳନ କରି ଉପସ୍ଥିତ କଂଗ୍ରେସ ନେତୃବୃନ୍ଦ ଓ କର୍ମୀମାନଙ୍କୁ ଉଦ୍‌ବୋଧନ ଦେଇଥିଲେ।

ସେ କହିଥିଲେ ଯେ ମହାତ୍ମାଗାନ୍ଧୀ, ଜବାହାରଲାଲ ନେହେରୁ,ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଏବଂ ଆମ ପୂର୍ବସୂରୀ ଯେଉଁମାନେ କି ଦେଶ ପାଇଁ ତ୍ୟାଗ ଓ ବଳିଦାନ ଦେଇଛନ୍ତି ସେମାନଙ୍କ ପ୍ରତି ଗଭୀର କୃତଜ୍ଞତା ଜଣାଉଛି। ଭାରତର ସମ୍ବିଧାନ ହିଁ ଦେଶର ଆତ୍ମା। ସମ୍ବିଧାନ ପ୍ରଣେତା ଡ. ଆମ୍ବେଦକରଙ୍କୁ ଏ ଜାତି ଭୁଲିପାରିବ ନାହିଁ। କିନ୍ତୁ ସମ୍ବିଧାନ ଓ ଗଣତନ୍ତ୍ର ଆଜି ବିପଦରେ।ବିଜେଡ଼ି ଓ ବିଜେପି ଧର୍ମ ନାମରେ ରାଜନୀତି କରୁଛନ୍ତି। ଏହି କାର୍ଯ୍ୟକ୍ରମକୁ ସେବାଦଳ ପକ୍ଷରୁ ଅଧ୍ୟକ୍ଷ ଡ. ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର ଓ ଜ୍ୟୋତିଶ କୁମାର ସାହୁ ପରିଚାଳନା କରିଥିଲେ।

ଆଜିର ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ କଂଗ୍ରେସ ନେତୃବୃନ୍ଦ ସର୍ବଶ୍ରୀ ଜୟଦେବ ଜେନା, ଡ.ରାମଚନ୍ଦ୍ର ଖୁଂଟିଆ, ଶିବାନନ୍ଦ ରାୟ, ସୁରେଶ କୁମାର ରାଉତରାୟ, ବିଶ୍ୱରଞ୍ଜନ ମହାନ୍ତି, ଯୁଧିଷ୍ଠିର ଜେନା, ଦାଶରଥୀ ଗମାଙ୍ଗୋ, ଅନନ୍ତ ପ୍ରସାଦ ସେଠୀ, କିଶୋର ଜେନା, ବିଶ୍ୱଜିତ ଦାଶ, ମନୋରଞ୍ଜନ ଦାଶ, ଚିନ୍ମୟସୁନ୍ଦର ଦାସ, ଚିନ୍ମୟ ପ୍ରସାଦ ବେହୁରା, ପଂଚାନନ ଦାସ, ଶ୍ରୀନିବାସ ରାଉତରାୟ, କୁମାର ଚୀରଞ୍ଜବି, ରଶ୍ମି ମହାପାତ୍ର, ପ୍ରକାଶ ମିଶ୍ର, ହଳଧର ସେଠୀ, ଅମୀୟ ପଟ୍ଟନାୟକ, ପ୍ରଣତୀ ମିଶ୍ର, ତରୁଣ ମିଶ୍ର, ପୃଥିବୀ ବଲ୍ଲଭ ପଟ୍ଟନାୟକ, ବିସ୍ମୟ ମହାପାତ୍ର, ତାରା ପଟ୍ଟନାୟକ, ସୁବ୍ରତ ମହାପାତ୍ର, ଆଲୋକ ଲେଙ୍କା, ଜ୍ଞାନ ପଟ୍ଟନାୟକ, ରଜନୀ ମହାନ୍ତି, ସୁଶାନ୍ତ ତ୍ରୀପାଠୀ, ସଂଜୟ ତ୍ରିପାଠୀ, ମିହିର ଆଚାର୍ଯ୍ୟ, ସ୍ନେହଲତା ରାୟ, ଅମିତା ବିଶ୍ୱାଳ, ରସିକ ପଟ୍ଟନାୟକ, ଜୟକୃଷ୍ଣ ସୁବୁଧି, ଆଲୋକ ମହାନ୍ତି, ରାଜକିଶୋର ବାରିକ, ନିରଦବରଣ ଖୁଂଟିଆ, ନରୋତମ ନାୟକ, ମିତ୍ରଭାନୁ ମହାପାତ୍ର, ପ୍ରଭାତ ପ୍ରତାପ ସିଂ, କୈଳାସ ସାହୁ, ମନୋଜ ସାହୁ, ଏମ୍‌ଡ଼ି ସାହାଦୁଲ୍ଲା, ଶିଳ୍ପୀଶ୍ରୀ ହରିଚନ୍ଦନ, ଜାନକୀ ମଲ୍ଲିକ, ଶ୍ରୀୟାସ୍ମିତା ପଣ୍ଡା, ମନୋରଞ୍ଜନ ରାଉତରାୟ, ସିଲି ସେଠୀ, ପ୍ରଶାନ୍ତ ଚମ୍ପତି, ଭାଷ୍କର ସେଠୀ, ବିନୋଦ ପାଣି, ସଂଜୟ ମିଶ୍ର, ନଳୀନ ବେହେରା, ମୁନୁ ସରାଫ, କୁଳମଣି ସାହୁ, ଖଗେଶ୍ୱର ମଲ୍ଲିକ, ପ୍ରସନ୍ନ ପାଇକରାୟ, ବସନ୍ତ ପଣ୍ଡା, ସୁବାଷ ପ୍ରଧାନ, ଅକ୍ଷୟ ମୁଦୁଲି, ନିରୋଜ ଲୋଚନ ଦାସ ଓ ନାରାୟଣ ଜେନା, ସାଗର ପରିଡ଼ା ପ୍ରମୁଖ ଉପସ୍ଥିତ ଥିଲେ ।

Categories
ଆଜିର ଖବର ରାଜ୍ୟ ଖବର

କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ ୭୫ତମ ସାଧାରଣତନ୍ତ୍ର ଦିବସ ପାଳିତ

ଭୁବନେଶ୍ବର: କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ ୭୫ତମ ସାଧାରଣତନ୍ତ୍ର ଦିବସ ପାଳନ ଅବସରରେ ରାଜ୍ୟର ଅଭିବୃଦ୍ଧି ଓ ବିକାଶ ଦିଗରେ କୃଷିର ମୁଖ୍ୟ ଭୂମିକା ଉପରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀ ଗୁରୁତ୍ୱାରୋପ କରିଛନ୍ତି।

ଆଜି କୃଷି ଭବନଠାରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ ଆୟୋଜିତ ସାଧାରଣତନ୍ତ୍ର ଦିବସ ପାଳନ ଅବସରରେ ଜାତୀୟ ପତାକା ଉତ୍ତୋଳନ କରି ଡ. ପାଢ଼ୀ ଭାରତର ସ୍ୱାଧୀନତା ସଂଗ୍ରାମୀ ଓ ଦୂରଦର୍ଶୀ ନେତାଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ଯେଉଁମାନେ ସ୍ୱାଧୀନ ଭାରତବର୍ଷକୁ ଏକ ପ୍ରଜାତନ୍ତ୍ରର ରୂପ ଦେଇଛନ୍ତି।

ଡ. ପାଢ଼ୀ ସାର୍ବଜନୀନ ଭ୍ରାତୃତ୍ୱ, ଅହିଂସା ଏବଂ ଶାନ୍ତିର ଆଲୋକବର୍ତ୍ତିକା ଭାବରେ ଭାରତବର୍ଷର ଅଦ୍ୱିତୀୟ ସ୍ଥିତି ଉପରେ ଆଲୋଚନା କରି ସମସ୍ତଙ୍କୁ ସମ୍ବିଧାନର ଆଦର୍ଶ ଓ ଚେତନାକୁ ସମ୍ମାନ ଓ ଅନୁପାଳନ କରିବାକୁ କହିଥିଲେ।

କୃଷି ଓ କୃଷକ ସଶକ୍ତିକରଣ ବିଭାଗ ନିରନ୍ତର କୃଷି ସହିତ କୃଷକମାନଙ୍କ ଆୟବୃଦ୍ଧି ଏବଂ ଜନସାଧାରଣଙ୍କ ଖାଦ୍ୟ ନିରାପତ୍ତାକୁ ସୁନିଶ୍ଚିତ କରିବା ପାଇଁ ପ୍ରତିଶ୍ରୁତିବଦ୍ଧତାର ଲକ୍ଷ୍ୟ ସାଧାରଣତନ୍ତ୍ର ଦିବସ ପାଳନର ଆହ୍ୱାନ ସହିତ ଯୋଡ଼ି ହୋଇ ରହିଛି। ଏହା ରାଜ୍ୟର କୃଷି ପ୍ରେକ୍ଷାପଟରେ ଏକ ସକାରାତ୍ମକ ରୂପାନ୍ତରଣ ଆଣିବ ଏବଂ ସ୍ଥିତିସ୍ଥାପକ ଓ ସମୃଦ୍ଧ ଭବିଷ୍ୟତ ନିର୍ମାଣ ଦିଗରେ ପ୍ରେରିତ କରିବ ବୋଲି ଡ. ପାଢ଼ୀ କହିଥିଲେ।

ଏହି ଅବସରରେ କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶକ ଶ୍ରୀ ପ୍ରେମଚନ୍ଦ୍ର ଚୌଧାରୀ, ଉଦ୍ୟାନ କୃଷି ନିର୍ଦ୍ଦେଶକ ଶ୍ରୀ ରୋହିତ କୁମାର ଲେଙ୍କାଙ୍କ ସମେତ ବରିଷ୍ଠ ଅଧିକାରୀ ଓ କର୍ମଚାରୀବୃନ୍ଦ ଉପସ୍ଥିତ ଥିଲେ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର ସଂସ୍କୃତି

ଗଣତନ୍ତ୍ର ଦିବସ ଉପଲକ୍ଷେ ସୁଦର୍ଶନ ପଟ୍ଟନାୟକଙ୍କ ପୁରୀ ବେଳାଭୂମିରେ ବାଲୁକା କଳା

ପୁରୀ: 75 ତମ ଗଣତନ୍ତ୍ର ଦିବସ ଉପଲକ୍ଷେ ପୁରୀ ବେଳାଭୂମିରେ ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ବାଲୁକା କଳା ନିର୍ମାଣ କରିଛନ୍ତି। ଏଥିରେ ସୁଦର୍ଶନ ଦୁଇଜଣ ବାଳିକାଙ୍କୁ ତାଙ୍କର ସ୍ଥାପତ୍ୟରେ ସାମିଲ କରି ମେରା ଭାରତ ମହାନ ବାର୍ତ୍ତା ପ୍ରେରଣ କରିଛନ୍ତି। ସବୁବେଳେ ବାଲୁକା କଳା କରି ଚର୍ଚ୍ଚାରେ ରହୁଥିବା ସୁଦର୍ଶନଙ୍କ ଏହି କଳା ବେଶ ସୁନ୍ଦର ହୋଇଛି।

ନିକଟରେ ସୁଦର୍ଶନ ନୂଆଦିଲ୍ଲୀରେ ପରାକ୍ରମ ଦିବସ ଉପଲକ୍ଷେ ଏକ ବାଲୁକା କଳା ନିର୍ମାଣ କରିଥିଲେ। ଯାହାକୁ ଦେଖିବା ପାଇଁ ଖୋଦ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସେଠାରେ ପହଞ୍ଚିଥିଲେ। କିଛି ସମୟ ତାଙ୍କପ ବାଲୁକା କଳା ଦେଖିବା ସହିତ ସୁଦର୍ଶନଙ୍କୁ ପ୍ରଶଂସା ମଧ୍ୟ କରିଥିଲେ। ବର୍ତ୍ତମାନ ପୁରୀ ବେଳାଭୂମିରେ ଏହି ବାଲୁକା କଳା ପର୍ଯ୍ୟଟକଙ୍କୁ ବେଶ ଆକୃଷ୍ଠ କରିବାରେ ଲାଗିଛି।

Categories
ଆଜିର ଖବର ରାଜ୍ୟ ଖବର

ରାଜ୍ୟ ସ୍ତରୀୟ ସାଧାରଣତନ୍ତ୍ର ଦିବସରେ ପତାକା ଉତ୍ତୋଳନ କଲେ ରାଜ୍ୟପାଳ ରଘୁବର ଦାସ

ଭୁବନେଶ୍ବର: ଆଜି 75 ତମ ସାଧାରଣତନ୍ତ୍ର ଦିବସ ସାରା ରାଜ୍ୟରେ ବେଶ ଆନନ୍ଦ ଓ ଉଲ୍ଲାସ ମଧ୍ୟରେ ଆୟୋଜିତ ହୋଇଛି। ଆଜି ସକାଳେ ରାଜ୍ୟ ସ୍ତରୀୟ ଗଣତନ୍ତ୍ର ଦିବସ ଭୁବନେଶ୍ବରରେ ଆୟୋଜିତ ହୋଇଛି।

ଏଥିରେ ରାଜ୍ୟପାଳ ରଘୁବର ଦାସ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ଏଥିରେ ସମ୍ମାନିତ ଅତିଥୀ ଭାବେ ଯୋଗଦେଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ପତାକା ଉତ୍ତୋଳନ ପରେ ଆରମ୍ଭ ହୋଇଥିଲା ପରେଡ କାର୍ଯ୍ୟକ୍ରମ। ଏହି ପରେଡର ନେତୃତ୍ବ ନେଇଥିଲେ ଯୁବ ଆଇପିଏସ ଅଫିସର ଏ ବି ଶିଳ୍ପା। ଏଥିରେ ରାଜ୍ୟ ପୋଲିସ ବାହିନୀ, ଓଡ୍ରାଫ, ଟ୍ରାଫିକ ପୋଲିସ, ଅଗ୍ନିଶମ ବାହିନୀ ପ୍ରମୁଖ ଯୋଗଦେଇ ରାଜ୍ୟପାଳଙ୍କୁ ଅଭିବାଦନ ପ୍ରଦାନ କରିଥିଲେ।

Categories
ବିଶେଷ ଖବର ରାଜ୍ୟ ଖବର

ସାଧାରଣତନ୍ତ୍ର ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ କହିଲେ ଏପରି କଥା

ଭୁବନେଶ୍ବର: ସାଧାରଣତନ୍ତ୍ର ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇବା ସହିତ ବାର୍ତ୍ତା ମଧ୍ୟ ଦେଇଛନ୍ତି। ସେ ଯାହା କହିଛନ୍ତି ତାହା ହେଲା..

ସାଧାରଣତନ୍ତ୍ର ଦିବସ ଅବସରରେ ଆପଣମାନଙ୍କୁ ସମସ୍ତଙ୍କୁ ମୋର ଶୁଭେଚ୍ଛା ଜଣାଉଛି।

ଏହି ଅବସରରେ ଜାତିର ପିତା ମହାତ୍ମା ଗାନ୍ଧୀ, ପଣ୍ଡିତ ନେହେରୁ, ନେତାଜୀ ସୁଭାଷ ଚନ୍ଦ୍ର ବୋଷ, ସର୍ଦ୍ଦାର ପଟେଲ, ମୌଲାନା ଆଜାଦ, ଡଃ ବି.ଆର. ଆମ୍ବେଦକର, ଡଃ ରାଜେନ୍ଦ୍ର ପ୍ରସାଦ, ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ, ଉତ୍କଳ ଗୌରବ ମଧୁସୂଦନ ଦାସ, ନବକୃଷ୍ଣ ଚୌଧୁରୀ, ଗୋପବନ୍ଧୁ ଚୌଧୁରୀ, ସହିଦ୍ ଲକ୍ଷ୍ଣଣ ନାଏକ, ବୀର ସୁରେନ୍ଦ୍ର ସାଏ, ମା ରମାଦେବୀ, ମାଳତୀ ଚୌଧୁରୀ, ଡଃ ହରେକୃଷ୍ଣ ମହତାବ, ବିଜୁ ପଟ୍ଟନାୟକ ଓ ପାର୍ବତୀ ଗିରିଙ୍କ ପରି ମହାନ୍ ସଂଗ୍ରାମୀ ମାନଙ୍କ ପ୍ରତି ମୋର ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି।

ଦେଶର ଶାନ୍ତି ଓ ସୁରକ୍ଷା ପାଇଁ ଶହୀଦ ହୋଇଥିବା ଆମର ଜୱାନ ମାନଙ୍କ ପ୍ରତି ମଧ୍ୟ ଏହି ଅବସରରେ ମୋର ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି ।

ଆମ ଦେଶ ମହାତ୍ମା ଗାନ୍ଧୀ, ସୁଭାଷଙ୍କ ଦେଶ। ସତ୍ୟ, ଶାନ୍ତି ଅହିଂସା ନ୍ୟାୟ ଓ ସମତା ଓ ବିକାଶ ର ରାସ୍ତାରେ ଆମେ ଚାଲୁଛୁ।

ଆଜି ବିଭିନ୍ନ କ୍ଷେତ୍ରରେ ବିଶ୍ଵ ଦରବାରରେ ଭାରତର ପ୍ରତିଷ୍ଠା ବୃଦ୍ଧି ପାଉଛି।

ଦେଶର ବିକାଶରେ ସବୁ ରାଜ୍ୟର ଅବଦାନ ରହିଛି। ଆମ ଓଡ଼ିଶାର ମଧ୍ୟ ଗୁରୁତ୍ବପୁର୍ଣ ଭୂମିକା ରହିଛି। ଗତ କୋଡ଼ିଏ ବର୍ଷ ମଧ୍ୟରେ ଓଡ଼ିଶା ବିକାଶର ସବୁ କ୍ଷେତ୍ରରେ ନୂଆ ଇତିହାସ ସୃଷ୍ଟି କରିଛି। ଓଡ଼ିଶା ରୂପାନ୍ତର ପଥରେ ଆଗେଇ ଚାଲିଛି। ଓଡ଼ିଶାର ବିକାଶ ଅନ୍ୟ ମାନଙ୍କ ଆଦର୍ଶ ହୋଇଛି।

ମହାପ୍ରଭୁ ଜଗନ୍ନାଥ ଓଡ଼ିଆ ଜାତିର ଶ୍ରେଷ୍ଠ ପରିଚୟ। ତାଙ୍କ ଇଚ୍ଛାରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ସମ୍ପୂର୍ଣ୍ଣ ହୋଇଛି।

ସମଲେଇ ପ୍ରକଳ୍ପ ମଧ୍ୟ ଖୁବ୍ ଶୀଘ୍ର ଲୋକାର୍ପିତ ହେବାକୁ ଯାଉଛି। ଆମର କୀର୍ତ୍ତି ହେଉଛି ଆମ ସ୍ୱାଭିମାନ ଓ ଅସ୍ମିତାର ପରିଚୟ। ସତ୍ୟବାଦୀଠାରେ ଓଡିଆ ବିଶ୍ୱବିଦ୍ୟାଳୟର ନୂତନ କ୍ୟାମ୍ପସ୍‌ ଲୋକାର୍ପିତ ହୋଇଛି। ଓଡିଆ ଭାଷା ସାହିତ୍ୟର ଅଭିବୃଦ୍ଧି କ୍ଷେତ୍ରରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ।

ଓଡ଼ିଶାର ଅର୍ଥନୈତିକ ବିକାଶ ଖୁବ୍ ଭଲ ଅଛି। ଜାତୀୟ ହାରଠାରୁ ଅଧିକ ଅଛି। ଗରିବୀ କମ କରିବାରେ ଓଡ଼ିଶା ଏକ ଟପ୍ ରେ ରହିଛି। ନୀତି ଆୟୋଗ ରିପୋର୍ଟ କହୁଛି ଗତ ନଅ ବର୍ଷ ମଧ୍ୟରେ ଏକ କୋଟିରୁ ଅଧିକ ଲୋକ ଗରିବିରୁ ମୁକ୍ତ ହୋଇଛନ୍ତି।

ଆମର 5T ନୀତି ଯୋଗୁ ପ୍ରଶାସନ ସଚଳ ହେଉଛି। ଆମର ସବୁ ଯୋଜନାର ସୁଫଳ ଲୋକ ଠିକ୍ ଭାବେ ପାଉଛନ୍ତି। ଶିକ୍ଷା ଠାରୁ ଆରମ୍ଭ କରି ସ୍ଵାସ୍ଥ୍ୟ ଯୋଗାଯୋଗ ଜଳସେଚନ ପରିବହନ sports ସବୁ କ୍ଷେତ୍ରରେ ରୂପାନ୍ତର ଓଡ଼ିଶାର ବିକାଶକୁ ଉଜ୍ଜ୍ବଳ କରିଛି ।
ମୋ ସରକାର ଗାଁ କୁ ବିକାଶର କେନ୍ଦ୍ର କରିଛି।

ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମରେ ଗାଁ ଗାଁ ରେ ଜଗନ୍ନାଥ ସଂସ୍କୃତିର ସୁରକ୍ଷା, ପ୍ରସାର କରାଯାଉଛି। ଗାଁରେ ଡିଜିଟାଲ ଭିତ୍ତିଭୂମିର ବିକାଶ କରାଯାଉଛି। ଲକ୍ଷ୍ମୀ ବସ ଯୋଜନା ଗାଁ ରେ ଯୋଗାଯୋଗ କ୍ଷେତ୍ରରେ ରୂପାନ୍ତର ଆଣିଛି। ଗାଁ ର ସାମାଜିକ ଅର୍ଥନୈତିକ ବ୍ୟବସ୍ଥ କୁ ଏହା ନୂଆ ଜୀବନ ଦେଇଛି।

ଚାଷ ଓ ଚାଷୀ ର ଉନ୍ନତି ପାଇଁ ମୁଁ ସବୁବେଳେ ଗୁରୁତ୍ଵ ଦେଇ ଆସିଛି।

ମା ମାନେ କେବଳ ପରିବାର ନୂହେଁ ଆମ ସମାଜର ଶକ୍ତି। ମିଶନ ଶକ୍ତି ଆଜି ୭୦ ଲକ୍ଷ ମା ମାନଙ୍କୁ ବିକାଶର ସହଭାଗୀତା କରିଛି। ମା ମାନଙ୍କ ଉପରେ ମୋର ଖୁବ୍ ଭରସା ଅଛି।

ଷ୍ଟାର୍ଟଅପ କ୍ଷେତ୍ରରେ ଆଜି ଓଡ଼ିଶା ରାଜ୍ୟମାନଙ୍କ ମଧ୍ୟରେ ଶୀର୍ଷରେ। ଭାରତ ସରକାରଙ୍କ ଠାରୁ ଏଥିପାଇଁ ଆମେ ପୁରସ୍କାର ପାଇଛୁ। ଶିଳ୍ପ, ସୂଚନା ପ୍ରଯୁକ୍ତି, ଷ୍ଟାର୍ଟଅପ ସବୁଥିରେ ଓଡ଼ିଶା ଏବେ ଆଗରେ ରହିଛି।
ଆମର ନୀତି ଓ ଯୁବ ସମାଜର ପାରଦର୍ଶିତା ଯୋଗୁ IBM, Deloitte, Accenture, Cognizant ଭଳି ବହୁରାଷ୍ଟ୍ରୀୟ କମ୍ପାନୀ ସେମାନଙ୍କର ସଂସ୍ଥାଗୁଡିକ ପ୍ରତିଷ୍ଠା ପାଇଁ ଓଡିଶାକୁ ପସନ୍ଦ କରୁଛନ୍ତି।

ସବୁ ଜୀବନ ମୂଲ୍ୟବାନ। ଏହି ନୀତିରେ ଆମର ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ବହୁତ୍ ଭଲ କାମ କରୁଛି। ଏହାକୁ ଆଗକୁ ନେଇ ଆମେ ବିଏସକେୱାଇ ନବୀନ କାର୍ଡ ଆରମ୍ଭ କରିଛୁ। ଏହାଦ୍ବାରା ରାଜ୍ୟର ଚାରି କୋଟିରୁ ଅଧିକ ଲୋକଙ୍କ ଚିକିତ୍ସା ଚିନ୍ତା ଦୂର ହୋଇଛି ।

ଆମର ବିକାଶ model ସମସ୍ତଙ୍କ ପାଇଁ ସୁଯୋଗ ଆଣିଛି। ସମସ୍ତେ ବିକାଶର ସହଭାଗୀତା ହୋଇଛନ୍ତି। ସମସ୍ତଙ୍କ ସହଯୋଗରେ ଓଡ଼ିଶା ଆଗକୁ ବଢୁଛି। ସମସ୍ତଙ୍କ ସହଯୋଗରେ ଆମେ ନୂଆ ଓଡ଼ିଶା ଗଢ଼ିବା । ଆମ ଓଡିଶା ହେବ ଶ୍ରେଷ୍ଠ ଓଡ଼ିଶା । ସଶକ୍ତ ଓଡିଶା ।

ଜୟ ହିନ୍ଦ୍।
ବନ୍ଦେ ଉତ୍କଳ ଜନନୀ

Categories
ଆଜିର ଖବର ବିଶେଷ ଖବର

ସାଧାରଣତନ୍ତ୍ର ଦିବସ ପରେଡ ସାଧାରଣ ଦିଲ୍ଲୀବାସୀଙ୍କ ପାଇଁ କେତେ ନିକଟତର ହୋଇଛି? ୧୯୬୩ ପରଠାରୁ କ’ଣ ବଦଳିଯାଇଛି?

ନୂଆଦିଲ୍ଲୀ: ଯଶଦେବ ସିଂ ପ୍ରଥମେ ଜଣେ କ୍ରୀଡ଼ା ଭାଷ୍ୟକାର ଭାବରେ ପରିଚିତ ଥିଲେ, କିନ୍ତୁ ସେ ୧୯୬୩ରୁ ୨୦୧୩ ପର୍ଯ୍ୟନ୍ତ ଅଲ ଇଣ୍ଡିଆ ରେଡିଓ ଏବଂ ଦୂରଦର୍ଶନରୁ କ୍ରମାଗତ ଭାବରେ ସାଧାରଣତନ୍ତ୍ର ଦିବସ ପରେଡ ବର୍ଣ୍ଣନା କରିଥିଲେ। ଅର୍ଥାତ୍ ଅର୍ଦ୍ଧଶତାବ୍ଦୀ ଧରି ଜାନୁଆରୀ ୨୬ ତାରିଖରେ ପରେଡ ଉପରେ ସେ ମନ୍ତବ୍ୟ ଜାରି ରଖିଥିଲେ। ଏହି ସମୟରେ ସେ ପରେଡର ବିସ୍ତାର ଓ ବଦଳୁଥିବା ଚେହେରା ଦେଖିଥିଲେ। ଯଶଦେବ ସିଂହ ଯେତେବେଳେ ସାଧାରଣତନ୍ତ୍ର ଦିବସ ପରେଡ ବର୍ଣ୍ଣନା କରିବା ଆରମ୍ଭ କଲେ, ସେତେବେଳେ ସାଧାରଣ ଲୋକ ମଧ୍ୟ ରାଜପଥ (କର୍ତବ୍ୟ ପଥ)ରେ ପହଞ୍ଚୁଥିଲେ। ସେଠାରେ ପୁଲିସର ପ୍ରତୀକାତ୍ମକ ଉପସ୍ଥିତି ଦେଖିବାକୁ ମିଳିଥିଲା। ଅପରପକ୍ଷରେ ହକରମାନଙ୍କୁ ମଧ୍ୟ ଦେଖିବାକୁ ମିଳିଥିଲା ଏବଂ ଲୋକମାନେ ଖାଦ୍ୟ ପାନୀୟ ନେଇ ଆସୁଥିଲେ, କିନ୍ତୁ ପଞ୍ଜାବରେ ଆତଙ୍କବାଦ ବ୍ୟାପିବା ପରେ ସବୁକିଛି ବଦଳିଯାଇଥିଲା। ଏହାପରେ ସୁରକ୍ଷା ବ୍ୟବସ୍ଥା ଏତେ କଠୋର ହୋଇଗଲା ଯେ ସାଧାରଣ ଲୋକେ ରାଜପଥ ଯିବାକୁ ବାରଣ କରିବା ଆରମ୍ଭ କଲେ।

୧୯୬୩ ପରେଡ୍ କାହିଁକି ଫିକା ପଡ଼ିଲା?

୧୯୬୨ମସିହାରେ ଚୀନ ସହ ହୋଇଥିବା ଯୁଦ୍ଧରେ ୧୯ ଜଣଙ୍କୁ ନେଇ ଦେଶ ଅବସାଦଗ୍ରସ୍ତ ଥିଲା। ୧୯୬୩ ସାଧାରଣତନ୍ତ୍ର ଦିବସ ପରେଡରେ କେଉଁଠି ନା କେଉଁଠି ତାଙ୍କର ଅଭିବ୍ୟକ୍ତି ଦୃଶ୍ୟମାନ ହେଉଥିଲା। ରାଜପଥଠାରୁ ଆରମ୍ଭ କରି ପରେଡର ଅବଶିଷ୍ଟ ଅଂଶ ଯଥା କସ୍ତୁରବା ଗାନ୍ଧୀ ମାର୍ଗ, କର୍ଣ୍ଣଟ ପ୍ଲେସ୍, ମିଣ୍ଟୋ ରୋଡ୍, ଥମସନ୍ ରୋଡ୍ ଇତ୍ୟାଦିରେ ଜନସାଧାରଣଙ୍କ ଅଂଶଗ୍ରହଣ କମ ରହିଥିଲା। ଯଶଦେବ ସିଂ କହୁଥିଲେ ଯେ ସେହି ବର୍ଷ ବାଲ ବୀର ପୁରସ୍କାର ଦିଆଯାଇନଥିଲା। ଏହି ପୁରସ୍କାର ୧୯୫୯ ମସିହାରୁ ଆରମ୍ଭ ହୋଇଥିଲା ଏବଂ ଏକମାତ୍ର ବର୍ଷ କୌଣସି ଶିଶୁଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇନଥିଲା।

ବୈଦେଶିକ ରାଷ୍ଟ୍ରପତି ତୁଳନାରେ ମହମ୍ମଦ ଅଲ୍ଲୀ ଅଧିକ ଲୋକପ୍ରିୟ

ସାଧାରଣତନ୍ତ୍ର ଦିବସ ସମାରୋହରେ ଆମେରିକା ରାଷ୍ଟ୍ରପତି ବାରାକ ଓବାମା ଓ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ମୁଖ୍ୟ ଅତିଥିଭାବେ ଯୋଗ ଦେଇଛନ୍ତି। କିନ୍ତୁ ଦକ୍ଷିଣ ଆଫ୍ରିକାର ସ୍ୱାଧୀନତା ସଂଗ୍ରାମୀ ନେଲସନ ମଣ୍ଡେଲା ଏବଂ ବକ୍ସର ମହମ୍ମଦ ଅଲ୍ଲୀଙ୍କୁ ରାଜପଥ (କର୍ତବ୍ୟ ପଥ)ରେ ଜନ୍ମସମୁହ ସ୍ୱାଗତ କରିଥିଲେ। ମଣ୍ଡେଲା ୧୯୯୫ ରେ ସାଧାରଣତନ୍ତ୍ର ଦିବସ ପରେଡରେ ମୁଖ୍ୟ ଅତିଥି ଥିଲେ। ଦର୍ଶକମାନେ ମଣ୍ଡେଲା ସ୍ଲୋଗାନ ଦେଉଥିଲେ। ଯଶଦେବ ସିଂ କହୁଥିଲେ ଯେ ଜନତା ମଧ୍ୟ ମହମ୍ମଦ ଅଲ୍ଲୀଙ୍କୁ ଜୋରସୋରରେ ଶୁଭେଚ୍ଛା ଜଣାଇଥିଲେ।

୧୯୭୮ ସାଧାରଣତନ୍ତ୍ର ଦିବସ ଉତ୍ସବରେ ସେ ସ୍ୱତନ୍ତ୍ର ଅତିଥିଭାବେ ଯୋଗ ଦେଇଥିଲେ। ସେହି ସାଧାରଣତନ୍ତ୍ର ଦିବସ ଉତ୍ସବରେ ଆୟର୍ଲାଣ୍ଡର ରାଷ୍ଟ୍ରପତି ପ୍ୟାଟ୍ରିକ୍ ହିଲାରୀ ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିଲେ, କିନ୍ତୁ ସମସ୍ତଙ୍କ ନଜର ମହମ୍ମଦ ଅଲ୍ଲୀଙ୍କ ଉପରେ ଥିଲା। ସେ ଥିଲେ ବିଶ୍ୱ ହିରୋ। ନିଜ ପ୍ରିୟଜନଙ୍କ ଶୁଭେଚ୍ଛାର ଜବାବ ଦେଇ ସେ ଆକାଶରେ ପଞ୍ଚ ବୁଲାଇ ଦେଉଥିଲେ। ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ମଧ୍ୟ ମହମ୍ମଦ ଅଲ୍ଲୀଙ୍କୁ ଦେଖି ହସିଥିଲେ।

ସାଧାରଣ ଦିଲ୍ଲୀବାସୀଙ୍କଠାରୁ ଦୂରେଇଲା ପରେଡ

ସାଧାରଣତନ୍ତ୍ର ଦିବସ ପରେଡ କିପରି ସାଧାରଣ ଲୋକଙ୍କଠାରୁ ଦୂରେଇ ଯାଉଛି ସେନେଇ ମଧ୍ୟ ଯଶଦେବ ସିଂହ ଦୁଃଖ ପ୍ରକାଶ କରିଛନ୍ତି। ସାଧାରଣତନ୍ତ୍ର ଦିବସରେ ଯଶଦେବ ସିଂହଙ୍କ ମନ୍ତବ୍ୟ ଶୁଣି ଅନେକ ପିଢ଼ି ବଡ଼ ହୋଇଥିଲେ। କିଛି ବର୍ଷ ପୂର୍ବେ ସେ ଘରୋଇ ନ୍ୟୁଜ୍ ଚ୍ୟାନେଲରେ ପରେଡ ବିଷୟରେ ମଧ୍ୟ ବର୍ଣ୍ଣନା କରିଥିଲେ। ଏହା ପୂର୍ବରୁ ସେ ବାଲ ବୀର ବିଜେତା ପିଲାମାନଙ୍କୁ ହାତୀ ଉପରେ ପରେଡରେ ପାସ୍ କରୁଥିବା ଦେଖିଥିଲେ। ଏହି ସିରିଜ୍ ୨୦୧୦ରେ ଶେଷ ହୋଇଥିଲା। ତା’ପରେ ପିଲାମାନଙ୍କୁ ଜିପରେ ପରେଡକୁ ନିଆଯାଇଥିଲା।

ପରେଡ ଶେଷ ହେବା ପରେ ସେ ପଣ୍ଡିତ ଜବାହରଲାଲ ନେହେରୁଙ୍କୁ ଲୋକଙ୍କ ସହ ମିଳାମିଶା କରୁଥିବା ଦେଖିଥିଲେ। ଯଶଦେବ ସିଂ ଜାନୁଆରୀ ୨୬ ତାରିଖ ଭୋର ୪-୪.୩୦ରେ ରାଜପଥରେ ପହଞ୍ଚିଥିଲେ। ସେମାନେ ଦେଖୁଥିଲେ ଯେ ଲୋକମାନେ ସକାଳୁ ପରେଡ ରାସ୍ତାରେ ବସିଥାଆନ୍ତି। ଏଥିରେ ଦିଲ୍ଲୀ ଏବଂ ଆଖପାଖ ରାଜ୍ୟର ଗାଁର ଲୋକ ସାମିଲ ଥିଲେ। ସେମାନେ ସମସ୍ତେ ପରେଡ ସହିତ ନିଜକୁ ଯୋଡ଼ିଥିଲେ। ତା’ପରେ ସାଧାରଣତନ୍ତ୍ର ଦିବସ ପରେଡ ଦେଖିବା ଏକ ପର୍ବରେ ଉପବାସ କରିବା ପରି ଥିଲା। ଏହାକୁ ନେଇ ଦିଲ୍ଲୀବାସୀଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଥିଲା। ଦିଲ୍ଲୀରେ ପ୍ରବଳ ଶୀତ ସତ୍ତ୍ୱେ ଲୋକମାନେ ସକାଳ ପରେଡ ରାସ୍ତାରେ ନିଆଁ ଲଗାଇ ବସିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ପ୍ରକାଶ ପାଇଲା ଗଣତନ୍ତ୍ର ଦିବସରେ ପତାକା ଉତ୍ତୋଳନ ପାଇଁ ଅତିଥି ତାଲିକା, ୧୭ ଟି ସ୍ଥାନରେ ମନ୍ତ୍ରୀ

ଭୁବନେଶ୍ବର: ଜାନୁୟାରୀ ୨୬ ତାରିଖ ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ପତାକା ଉତ୍ତୋଳନ କରିବା ଅତିଥି ତାଲିକା ପ୍ରକାଶ ପାଇଛି। ସେହି ଅନୁସାରେ ୧୭ ଟି ସ୍ଥାନରେ ମନ୍ତ୍ରୀମାନେ ପତାକା ଉତ୍ତୋଳନ କରୁଛନ୍ତି। ତାଲିକା ଅନୁସାରେ ଯେଉଁ ମନ୍ତ୍ରୀମାନଙ୍କୁ ଜିଲ୍ଲା ଉତ୍ସବରେ ଯୋଗଦେବାକୁ କୁହାଯାଇଛି ସେମାନେ ହେଲେ

ଏହିତାଲିକା ଅନୁସାରେ ସୁଦାମ ମାର୍ଣ୍ଡି କଟକରେ ପତାକା ଉତ୍ତୋଳନ କରୁଥିବା ବେଳେ ପୁରୀରେ ପ୍ରଫୁଲ ମଲ୍ଲିକ ଜିଲ୍ଲା ସ୍ତରୀୟ ଉତ୍ସବରେ ଯୋଗଦେବେ। ତେବେ ଅନ୍ୟ ସ୍ଥାନରେ ଜିଲ୍ଲାପାଳ ତଥା ଆରଡିସି ପତାକା ଉତ୍ତୋଳନ କରିବା ପାଇଁ ତାଲିକା ପ୍ରକାଶ ପାଇଛି।

ତେବେ ଭୁବନେଶ୍ବରରେ ଆୟୋଜିତ ରାଜ୍ୟ ସ୍ତରୀୟ ସାଧାରଣତନ୍ତ୍ର ଦିବସରେ ରାଜ୍ୟପାଳ ରଘୁବର ଦାସ ପତାକା ଉତ୍ତୋଳନ କରିବେ। ଏହି ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟ ଅତିଥୀ ଭାବେ ଯୋଗ ଦେବେ।

Categories
ଆଞ୍ଚଳିକ

ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ଚିତ୍ରାଙ୍କନ ପ୍ରତିଯୋଗିତା

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ବ୍ରହ୍ମପୁର ଉପଖଣ୍ଡ ସୁଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଏକ ଚିତ୍ରାଙ୍କନ ପ୍ରତିଯୋଗିତା କାର୍ଯ୍ୟକ୍ରମ ଶହୀଦ ଲକ୍ଷ୍ମଣ ନାୟକ ଉଚ୍ଚବିଦ୍ୟାଳୟ ଠାରେ ଅନୁଷ୍ଠିତ ହୋଇଛି। ଅନୁଷ୍ଠିତ କାର୍ଯ୍ୟକ୍ରମରେ ସହରର ବିଭିନ୍ନ ଶିକ୍ଷାନୁଷ୍ଠାନର ଛାତ୍ର ଛାତ୍ରୀ ମାନେ ଜଳ ସଂରକ୍ଷଣ, ସଡ଼କ ସୁରକ୍ଷା ଭଳି ବିଭିନ୍ନ ଚିତ୍ରାଙ୍କନ ପ୍ରତିଯୋଗିତାରେ ଭାଗ ନେଇଥିଲେ। ଆଜିର ଏହି ପ୍ରତିଯୋଗିତାରେ ଭାଗ ନେଇଥିବା କ୍ରୁତି ପ୍ରତିଯୋଗୀ ମାନଙ୍କୁ ଆସନ୍ତା ସାଧାରଣତନ୍ତ୍ର ଦିବସରେ ସ୍ଥାନୀୟ ଖଲିକୋଟ ବିଶ୍ଵବିଦ୍ୟାଳୟ ଖେଳ ପଡିଆରେ ଆୟୋଜିତ କାର୍ଯ୍ୟକ୍ରମରେ ପୁରସ୍କ୍ରୁତ କରାଯିବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ସାଧାରଣତନ୍ତ୍ର ଦିବସ ପାଳନ ସଂପର୍କରେ ସୂଚନା ଓ ଲୋକସଂପର୍କ ବିଭାଗର ପ୍ରସ୍ତୁତି ବୈଠକ

ଭୁବନେଶ୍ୱର: ୭୫ତମ ସାଧାରଣତନ୍ତ୍ର ଦିବସରେ ରାଜ୍ୟପାଳ ଶ୍ରୀଯୁକ୍ତ ରଘୁବର ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପତାକା ଉତ୍ତୋଳନ କରିବେ । ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଏହି ରାଷ୍ଟ୍ରୀୟ ସମାରୋହରେ ଉପସ୍ଥିତ ରହିବେ।

ଆଜି ପୂର୍ବାହ୍ନରେ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସାଧାରଣତନ୍ତ୍ର ଦିବସ-୨୦୨୪ ପାଳନର ରୂପରଖେ ସଂପର୍କରେ ଏକ ପ୍ରସ୍ତୁତି ବୈଠକ ବିଭାଗୀୟ ପ୍ରମୁଖ ଶାସନ ସଚିବ ଶ୍ରୀ ସଂଜୟ କୁମାର ସିଂଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ପ୍ରତିଟି ଭାରତୀୟଙ୍କ ପାଇଁ ବେଶ୍‌ ଗୁରୁତ୍ୱପୂର୍ଣ୍ଣ ଏହି ମହାନ ଦିବସ ସହ ସମସ୍ତଙ୍କ ଭାବାବେଗ ଜଡ଼ିତ ହୋଇଥିବାରୁ ଉତ୍ସବ ଆୟୋଜନ ସମୟରେ ସମସ୍ତ ବିଷୟକୁ ଟିକିନିଖି ଭାବେ ଗୁରୁତ୍ୱ ଦେବାକୁ ପ୍ରମୁଖ ଶାସନ ସଚିବ ବୈଠକରେ ଗୁରୁତ୍ୱ ଦେଇଥିଲେ।

ଚଳିତ ବର୍ଷ ଗାନ୍ଧୀ ମାର୍ଗଠାରେ ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ଉତ୍ସବ ପାଳନ କରାଯିବ। ସୂଚନା ଓ ଲୋକସଂପର୍କ ବିଭାଗ ଦ୍ୱାରା ପ୍ୟାରେଡ୍‌ ଓ ପତାକା ଉତ୍ତୋଳନ ସ୍ଥାନଠାରେ ଆନୁଷଙ୍ଗିକ ବ୍ୟବସ୍ଥା ଗ୍ରହଣ କରାଯିବ । ପ୍ରଭାତରେ ଡାକବାଜି ଯନ୍ତ୍ର ସାହାଯ୍ୟରେ ରାମଧୁନ ପରିବେଷଣ, ସାଧାରଣତନ୍ତ୍ର ଦିବସ ସଂପର୍କିିତ ଟିଭି ଓ ସାମାଜିକ ଗଣମାଧ୍ୟମ ଯୋଗେ ସିଧାପ୍ରସାରଣ, ଗଣମାଧ୍ୟମକୁ ସୂଚନା ପ୍ରଦାନ, ଉତ୍ସବସ୍ଥଳର ସାଜସଜ୍ଜା, ନିମନ୍ତ୍ରିତ ଅତିଥି ଏବଂ ବିଶିଷ୍ଟ ଅତିଥିମାନଙ୍କ ଉପବେଶନ ବ୍ୟବସ୍ଥା ସଂପର୍କରେ ବୈଠକରେ ଆଲୋଚନା ହୋଇଥିଲା ।

ଚଳିତ ବର୍ଷ ସ୍କୁଲ ଛାତ୍ରଛାତ୍ରୀଙ୍କ ନିମନ୍ତେ ଦର୍ଶକ ଗ୍ୟାଲେରୀରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବ । ରାଜଭବନରୁ ଉତ୍ସବସ୍ଥଳ ପର୍ଯ୍ୟନ୍ତ ରାସ୍ତାକୁ ତି୍ରରଙ୍ଗା ଦ୍ୱାରା ସାଜସଜ୍ଜା ଏବଂ ଉତ୍ସବସ୍ଥଳକୁ ଆକର୍ଷଣୀୟ ସାଜସଜ୍ଜା କରିବା ପାଇଁ ପ୍ରମୁଖ ଶାସନ ସଚିବ ଶ୍ରୀ ସିଂ ପରାମର୍ଶ ଦେଇଥିଲେ।

ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଉତ୍ସବ ସ୍ଥଳର ସାନିଟାଇଜେସନ୍‌ ଓ ପିଇବା ପାଣି ବ୍ୟବସ୍ଥା କରାଯିବ । ସେହିପରି ସୁରକ୍ଷା ବ୍ୟବସ୍ଥା ତଥା ଟ୍ରାଫିକ୍‌ ନିୟନ୍ତ୍ରଣକୁ କମିଶନରେଟ୍‌ ପୋଲିସ ପକ୍ଷରୁ ପରିଚାଳନା କରାଯିବ । ପୂର୍ବବର୍ଷ ପରି କୋଲକାତାଠାରେ ବିଭାଗ ପକ୍ଷରୁ ଉତ୍ସବ ପାଳନ କରାଯିବ।

ଏହି ବୈଠକରେ ବିଭାଗୀୟ ନିର୍ଦ୍ଦେଶକ ଶ୍ରୀ ସରୋଜ ସାମଲ, ନିର୍ଦ୍ଦେଶକ(ବୈଷୟିକ) ଶ୍ରୀ ସୁରେନ୍ଦ୍ର ନାଥ ପରିଡ଼ା, ଅତିରିକ୍ତ ଶାସନ ସଚିବ ଶ୍ରୀମତୀ ବିଷ୍ଣୁପ୍ରିୟା ସାହୁ, ଅତିରିକ୍ତ ନିର୍ଦ୍ଦେଶକ ଶ୍ରୀ ସନ୍ତୋଷ କୁମାର ଦାସ, ଯୁଗ୍ମ ନିର୍ଦ୍ଦେଶକ ଶ୍ରୀ ଗୁର୍‌ବୀର୍‌ ସିଂହ ଓ ଶ୍ରୀ ବିଶ୍ୱଜିତ ଦାଶ, ଉପନିର୍ଦ୍ଦେଶକ ଡ. ଜ୍ୟୋତିର୍ମତୀ ସାମନ୍ତରାୟ ଏବଂ ଦୀପ୍ତିମୟୀ ମହାପାତ୍ର, ସହକାରୀ ନିର୍ଦ୍ଦେଶକ(କ୍ଷେତ୍ର) ଶ୍ରୀମତୀ ସୁଚେତା ପି୍ରୟଦର୍ଶିନୀଙ୍କ ସମେତ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର ସଂସ୍କୃତି

ଏଥର ସାଧାରଣତନ୍ତ୍ର ଦିବସ ନୂଆଦିଲ୍ଲୀ ପରେଡରେ ଶୋଭା ପାଇବ ଓଡିଶାର ପ୍ରଜ୍ଞାପନ ମେଢ

ଭୁବନେଶ୍ବର: ନୂଆଦିଲ୍ଲୀର କର୍ତ୍ତବ୍ଯ ପଥରେ ଆୟୋଜିତ ହେବାକୁ ଥିବା ସାଧାରଣତନ୍ତ୍ର ଦିବସ ସମାରୋହରେ ସାମିଲ ହେବ ଓଡ଼ିଶାର ପ୍ରଜ୍ଞାପନ ମେଢ। ଭାରତ ସରକାରଙ୍କ ଦ୍ବାରା ସ୍ଥିରିକୃତ “ବିକଶିତ ଭାରତ” ବିଷୟବସ୍ତୁ ଉପରେ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଏହି ମେଢ ପ୍ରସ୍ତୁତ କରାଯାଇଛି।

ଓଡ଼ିଶାର ସମୃଦ୍ଧ ହସ୍ତଶିଳ୍ପ ଓ ହସ୍ତତନ୍ତ ମାଧ୍ୟମରେ ମହିଳା ସଶକ୍ତିକରଣକୁ ଏହି ପ୍ରଜ୍ଞାପନ ମେଢରେ ପ୍ରଦର୍ଶନ କରାଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

ଦିଲ୍ଲୀର ସାଧାରଣତନ୍ତ୍ର ଦିବସରେ ଯୋଗ ଦେବା ପାଇଁ ଓଡିଶା ଏନ୍‌ସିସି କ୍ୟାଡେଟଙ୍କ ବିମାନରେ ଯାତ୍ରା

ଭୁବନେଶ୍ୱର: ଉଚ୍ଚଶିକ୍ଷା ମନ୍ତ୍ରୀ ଶ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କ ଅଧ୍ୟକ୍ଷତାରେ ବିଭାଗ ଏହି ବର୍ଷଠାରୁ ଓଡ଼ିଶାର କୃତୀ କ୍ୟାଡେଟମାନଙ୍କୁ ଦିଲ୍ଲୀର ସାଧାରଣତନ୍ତ୍ର ଦିବସରେ ଯୋଗଦେବା ପାଇଁ ଓଡିଶାରୁ ଦିଲ୍ଲୀ ଅଭିମୁଖେ ବିମାନରେ ଯିବା ଆସିବାର ସମସ୍ତ ସୁବିଧା ଯୋଗାଇ ଦେଇଛନ୍ତି ।

ଓଡ଼ିଶାର ୭୦ ହଜାର କ୍ୟାଡେଟମାନଙ୍କ ମଧ୍ୟରେ ବିଭିନ୍ନ ପ୍ରକାର କଠିନ ପରୀକ୍ଷା ଓ ପ୍ରତିଯୋଗିତା କରାଯାଇ ସର୍ବଶେଷରେ ୧୨୨ ଜଣ କୃତୀ କ୍ୟାଡ଼େଟଙ୍କୁ ଚୟନ କରାଯାଇଥିଲା। ସେଥି ମଧ୍ୟରୁ ୨୯ ଜଣ କୃତୀ କ୍ୟାଡ଼େଟ ଆଜି ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ଦିଲ୍ଲୀ ଅଭିମୁଖେ ଏୟାର ଭିସ୍ତାରା ବିମାନ ଯୋଗେ ଯାତ୍ରା କରିଛନ୍ତି। ତନ୍ମଧ୍ୟରୁ ୨୩ ଜଣ କ୍ୟାଡ଼େଟଙ୍କ ପାଇଁ ବିମାନ ଯାତ୍ରା ସମ୍ପୂର୍ଣ୍ଣ ନୂଆ ଅନୁଭୂତି ଥିଲା।

ଯାତ୍ରା ସମୟରେ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିବା ନିମନ୍ତେ ଏୟାରପୋର୍ଟରେ ଉଚ୍ଚଶିକ୍ଷା ମନ୍ତ୍ରୀ ଶ୍ରୀ ନାୟକ, ଉଚ୍ଚଶିକ୍ଷା ବିଭାଗ ନିର୍ଦ୍ଦେଶକ ଶ୍ରୀ ଭବାନୀ ଶଙ୍କର ଚୟନୀଙ୍କ ସମେତ ଅନ୍ୟାନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ। ମନ୍ତ୍ରୀ ଶ୍ରୀ ନାୟକ ସମସ୍ତ କ୍ୟାଡେଟଙ୍କୁ କ୍ୟାପ ପିନ୍ଧାଇ, ପୁଷ୍ପଗୁଚ୍ଛ ଦେଇ ଉତ୍ସାହିତ କରିଥିଲେ। ଏଥିପାଇଁ ସମସ୍ତ ଛାତ୍ରଛାତ୍ରୀ ଉଚ୍ଚଶିକ୍ଷା ବିଭାଗକୁ ଧନ୍ୟବାଦ ଜଣାଇଛନ୍ତି।

ପ୍ରତିବର୍ଷ ଜାନୁୟାରୀ ୨୬ରେ ଅନୁଷ୍ଠିତ ହେଉଥିବା ସାଧାରଣତନ୍ତ୍ର ଦିବସ ପ୍ୟାରେଡ଼ରେ ଯୋଗଦାନ କରିବା ପାଇଁ ଆମ ରାଜ୍ୟରୁ ପିଲାମାନଙ୍କୁ ଚୟନ କରି ଦିଲ୍ଲୀ ପଠାଯାଇଥାଏ। ଏ ବର୍ଷ ଓଡ଼ିଶାର କଟକ ଗ୍ରୁପ ଏନ୍‌ସିସି ଗ୍ରୁପ କମାଣ୍ଡର ତଥା ଚୟନକାରୀ ସାମରିକ ସେନାର ଅଧିକାରୀ କର୍ଣ୍ଣେଲ ସତ୍ୟବ୍ରତ ସ୍ୱାଇଁଙ୍କ ତତ୍ତ୍ୱାବଧାନରେ ଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଥିବା ୭୫ତମ ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ଓଡ଼ିଶା ସମର ଶିକ୍ଷାର୍ଥୀ ବାହିନୀର ପ୍ରସ୍ତୁତି ଶିବିର ଭୁବନେଶ୍ୱରଠାରେ ଅବସ୍ଥିତ କେନ୍ଦ୍ରୀୟ ରିଜର୍ଭ ପୋଲିସ ବାହିନୀ ପରିସରରେ ଅନୁଷ୍ଠିତ ହୋଇଥିଲା।

ଦୀର୍ଘ ୫୦ ଦିନ ବ୍ୟାପି ଅନୁଷ୍ଠିତ ହୋଇଥିବା ଏହି ଶିବିରରେ କ୍ୟାଡ଼େଟମାନଙ୍କୁ ଡ୍ରିଲ, ଘୋଡାଚଢା କୌଶଳ, ଜାତୀୟ ସଂହତି ଶିକ୍ଷା, ପତାକା ସ୍ଥାନ ପ୍ରସ୍ତୁତି, ବ୍ୟକ୍ତିତ୍ୱ ବିକାଶ ଅଭିବୃଦ୍ଧି ଶିକ୍ଷା, ସାମରିକ ଶିକ୍ଷା ଭାଷା ବିନିମୟ ଶିକ୍ଷା ଭଳି ବିଭିନ୍ନ ଶାରୀରିକ ତଥା ବୌଦ୍ଧିକ ଶିକ୍ଷାର ତାଲିମ ପ୍ରଦାନ କରାଯାଇଥିଲା।

Categories
ବିଶେଷ ଖବର

ସମ୍ବିଧାନ ଓ ସ୍ଵାଧୀନତା, ବିନା ଗଣତନ୍ତ୍ରରେ ଏହାର କିଛି ବି ମୂଲ୍ୟ ରହିବ ନାହିଁ

 

କେଦାର ମିଶ୍ର

ସ୍ଵାଧୀନତା ପାଇବା ସହିତ ଦେଶକୁ ଏକ ଗଣତାନ୍ତ୍ରିକ ରାଷ୍ଟ୍ର ଭାବରେ ଗଢିବାର ଉଦ୍ୟମ ଆରମ୍ଭ ହେଉଥିବା ସମୟରେ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜୱାହରଲାଲ ନେହେରୁ ଆମର ସମ୍ବିଧାନର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ବିଷୟରେ କହିବାକୁ ଯାଇ ଏକ ଚମତ୍କାର ବାକ୍ୟ କହିଥିଲେ- “ ସରକାର କୌଣସି ରାଷ୍ଟ୍ର ସମ୍ପର୍କିତ କାଗଜପତ୍ରର ନିର୍ମାଣ ନୁହେଁ, ଏହା ହେଉଛି ଲୋକଙ୍କ ଇଚ୍ଛାର ଅଭିବ୍ୟକ୍ତି’’। ଅତି ସରଳ ଭାବରେ କହିଲେ ସରକାର ଲୋକଙ୍କ ଇଚ୍ଛାରେ ତିଆରି ହୋଇଥାଏ ଓ ଏହା ଲୋକଙ୍କ ପାଇଁ କାମ କରିଥାଏ। ତେବେ ସତୁରୀ ବର୍ଷ ପରେ ଆଜି ହଠାତ ସରକାରର ସଜ୍ଞା ବଦଳିଗଲା ପରି ମନେ ହେଉଛି। ସରକାରର ଇଚ୍ଛା ଏବେ ସର୍ବୋପରି। ଲୋକଙ୍କ ଇଚ୍ଛାରେ ସରକାର ଚାଲିବା ବଦଳରେ, ସରକାରର ଇଚ୍ଛାରେ ଲୋକ ଚାଲିବା ଦରକାର ବୋଲି ଏକ ଧାରଣା ଏବେ ସାରା ଦେଶରେ ତିଆରି କରା ହୋଇଛି। ଲୋକଙ୍କ ତୁଳନାରେ କ୍ଷମତାରେ ଥିବା ସରକାର ହିଁ ଏକପ୍ରକାର “ମାଇଁ ବାପ” ପାଲଟି ଯାଉଛନ୍ତି।

ଭୋଟ ପାଇ ନିର୍ବାଚିତ ହୋଇଥିବା ଭାରତର ଏକ ସରକାର ତାର ନାଗରିକମାନଙ୍କୁ ଏବେ ନିର୍ଦ୍ଦେଶ ଦେଉଛି- ତମ ହାତରେ ଥିବା ଟଙ୍କା ତୁମର ନୁହେଁ। ବ୍ୟାଙ୍କରେ ଥିବା ତମର ଟଙ୍କା କେବେ ବି କୌଣସି ସମୟରେ ଅଚଳ ହୋଇ ଯାଇପାରେ। ତମ ପାଖରେ ଥିବା ତମର ଭୋଟର ପରିଚୟ ପତ୍ର, ଆଧାର କାର୍ଡ, ରାସନ କାର୍ଡ, ପାସପୋର୍ଟ ଇତ୍ୟାଦି ତମର ନାଗରିକ ହେବାର ପ୍ରମାଣ ପାତ୍ର ନୁହେଁ। କିଛି ବର୍ଷ ତଳେ ଯେତେବେଳେ ସୁପ୍ରିମ କୋର୍ଟରେ ଆଧାର କାର୍ଡର ବୈଧତାକୁ ନେଇ ଶୁଣାଣି ଚାଲିଥିଲା, ସେ ସମୟରେ ଭାରତ ସରକାରଙ୍କ ତରଫରୁ ଯୁକ୍ତି ରଖି ତତ୍କାଳୀନ ଆଟର୍ଣ୍ଣି ଜେନେରାଲ ମୁକୁଲ ରୋହତଗୀ କହିଥିଲେ, ଏପରିକି ନିଜ ଦେହ ଉପରେ ମଧ୍ୟର ନାଗରିକର ସାର୍ବଭୌମ ଅଧିକାର ନାହିଁ। ଏ ପ୍ରକାର ଯୁକ୍ତି କୌଣସି ସଭ୍ୟ ଗଣତାନ୍ତ୍ରିକ ଦେଶରେ କରା ଯାଇପାରିବ ନାହିଁ। ଗଣତନ୍ତ୍ରରେ ନାଗରିକକୁ ସର୍ବାଧିକ ମୁକ୍ତିର ସୁଯୋଗ ମିଳିଥାଏ। ହଠାତ ଭାରତରେ ସରକାର ଲୋକଙ୍କ ଅଭିଭାବକ ହେବା ଭଳି ବ୍ୟବହାର କରିବା, ଆମ ଗଣତନ୍ତ୍ରର ଭବିଷ୍ୟତ ଆଗରେ ଏକ ବଡ ପ୍ରଶ୍ନଚିହ୍ନ ଲଗାଇ ଦେଇଛି। ସେଇ ପୃଷ୍ଠଭୂମିରେ ଆଜି ଯେତେବେଳେ ଆମେ ଗଣତନ୍ତ୍ର ଓ ସମ୍ବିଧାନକୁ ନେଇ ଚର୍ଚ୍ଚା କରୁଛୁ, ସେତେବେଳେ ସମ୍ବିଧାନର ମୁଖବନ୍ଧ ଓ ସମ୍ବିଧାନ ପ୍ରଣୟନ ହେବା ସମୟରେ ଦେଶର ପ୍ରଥମ ପଧାନମନ୍ତ୍ରୀ ଜୱାହରଲାଲ ନେହେରୁ ଯେଉଁ ଉଦ୍ଦେଶ୍ୟ ପ୍ରସ୍ତାବ ତାକୁ ପଢିବା ଏବଂ ଜାଣିବା ସବୁଠୁ ଜରୁରୀ। ୧୩, ଡିସେମ୍ବର,୧୯୪୬ ଦିନ ରେ ସମ୍ବିଧାନ ସଭାରେ ଏହାର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ପତ୍ର ଉପସ୍ଥାପନ କରି ଯାହା କହିଥିଲେ, ତାହାର ସାରମର୍ମ ଆମ ସମ୍ବିଧାନର ମୁଖବନ୍ଧରେ ବର୍ଣ୍ଣିତ ହୋଇଛି।

ସମ୍ବିଧାନ ଗୃହୀତ ହେବାର ସତୁରୀ ବର୍ଷ ପରେ ଦ୍ଵିତୀୟ ଥର ପାଇଁ ଆମେ ଆଜି ସାମ୍ବିଧାନିକ ଅଧିକାରକୁ ନେଇ ବିତର୍କ, ସଂଘର୍ଷ ଓ ଆନ୍ଦୋଳନ କରିବାକୁ ବାଧ୍ୟ ହେଉଛୁ। ସଂସଦରୁ ସଡକ ପର୍ୟନ୍ତ, ସମ୍ବିଧାନ ବଞ୍ଚିବା ଜରୁରୀ ବୋଲି ଆଜି ଚର୍ଚ୍ଚା ହେଉଛି। ଏହାର କାରଣ କଣ? ଏକ ନିର୍ବାଚିତ ସରକାର ହାତରେ ଆମ ସମ୍ବିଧାନର ମର୍ୟାଦା ସୁରକ୍ଷିତ ନୁହେଁ କି? ସମ୍ବିଧାନର ମୂଳ ଆଦର୍ଶରୁ ବିଚ୍ୟୁତ ହୋଇ ଆଜିର ସରକାର କାମ କରୁଛି କି? ଏହାର ଉତ୍ତରରେ ଦୁଇଟି କଥା ଆମେ ଶୁଣିବା। କିଛି ଲୋକ କହିବେ ହଁ, କିଛି ଲୋକ କହିବେ ନା। ତେବେ ସମ୍ବିଧାନ ଓ ତାର ଆଦର୍ଶ କଥା ଉଠିଲେ, ସେଠି କୌଣସି ପ୍ରକାର ବାଦ-ବିବାଦର ଅବସର ନାହିଁ। ସମ୍ବିଧାନର ମୌଳିକ ଆଦର୍ଶ ସ୍ଥିର ଓ ଏହାକୁ ବଦଳାଇ ହେବନାହିଁ। ଯେଉଁମାନେ ଏହାକୁ ଅସ୍ଵୀକାର କରୁଛନ୍ତି, ସେମାନେ ସମ୍ବିଧାନ, ଗଣତନ୍ତ୍ର ଓ ସର୍ବୋପରି ଦେଶର ବିରୋଧୀ।

ଆଜି ସାମ୍ବିଧାନିକ ବିଚାର ସଙ୍କଟରେ ବୋଲି ଭାବିବାର ଅନେକ କାରଣ ଭିତରୁ ଗୋଟେ ଦୁଇଟି କାରଣକୁ ସ୍ପଷ୍ଟ ଭାବରେ ଆଲୋଚନା କରିବାକୁ ପଡିବ। ଦୁଇ ଦିନ ତଳେ ନାଗରିକତା ସଂଶୋଧନ ଆଇନ ଉପରେ ଆଲୋଚନା କରିବାକୁ ଯାଇ ଶାସକ ଦଳର ଜଣେ ବଡ ନେତା କହିଲେ, ତାଙ୍କ ଘରେ କାମ କରୁଥିବା କିଛି ମୂଲିଆ ବାଂଲାଦେଶୀ ଅନୁପ୍ରବେଶକାରୀ ବୋଲି ନିଶ୍ଚିତ ହୋଇଗଲେ କାରଣ ସେମାନେ ଚୂଡା ଉପମା (ପୋହା) ଖାଉଥିଲେ। ଯଦି ଖାଇବା, ପିନ୍ଧିବା ଓ କଥା ହେବାର ଶୈଳୀରେ ଏକ ନିର୍ଦ୍ଦିଷ୍ଟ ଢଙ ହିଁ ଭାରତୀୟ ହେବାର ପ୍ରମାଣ, ତାହେଲେ ଏ ଦେଶରେ ୯୦ ଭାଗ ଲୋକଙ୍କର ନାଗରିକତା ଚାଲିଯିବ। ଗୋଟେ ଗଣତାନ୍ତ୍ରିକ ରାଷ୍ଟ୍ରରେ ଜଣେ ଶ୍ରମଜୀବୀ ଗରୀବ ମଣିଷର ଖାଇବା ଦେଖି ତାର ଜାତୀୟତା ଉପରେ ସନ୍ଦେହ ପ୍ରକଟ କରିବା, ସବୁଠୁ ବଡ ଅଶ୍ଳୀଳତା ବୋଲି କୁହାଯିବା କଥା। ହେଲେ ଆଜିର ତାରିଖରେ ଭାରତର ଶାସକ ଦଳ ଏ ପ୍ରକାର ଅପରାଧୀ ଚିନ୍ତା ଓ ବିଚାର ରଖିଥିବା ଲୋକଙ୍କୁ ବଡ ଆସନରେ ବସାଇଛନ୍ତି।

ଏଠି ମନେ ପକାଇ ଦେବା ଉଚିତ ହେବ ଯେ ୨୮, ସେପ୍ଟେମ୍ବର,୨୦୧୫ରେ  ଉତ୍ତର ପ୍ରଦେଶର ଦାଦ୍ରୀରେ ମହମ୍ମଦ ଆଖଲାଖଙ୍କୁ ସେ କଣ ଖାଉଛନ୍ତି ବୋଲି ସନ୍ଦେହ କରି ପିଟି ପିଟି ହତ୍ୟା କରାଯାଇଥିଲା। ତାହା ହିଁ ଥିଲା ଆମ ଗଣତନ୍ତ୍ର ଉପରେ ଆକ୍ରମଣର ପ୍ରଥମ ସଙ୍କେତ। ତାକୁ ଅଣଦେଖା କରି କରି ଆମେ ଆଜି ବିଶ୍ଵର ଗଣତନ୍ତ୍ର ଇଣ୍ଡେକ୍ସ ରେ ୧୦ଟି ସ୍ଥାନ ତଳକୁ ଖସିଛୁ ଓ ବିଶ୍ଵର ଗଣମାଧ୍ୟମ ଆଜି ଆମକୁ ଗଣତନ୍ତ୍ର ବିରୋଧୀ ବୋଲି ରୋଜ ପ୍ରମାଣ ପତ୍ର ଦେଉଛନ୍ତି।

ଆଜି ଦେଶର ୭୧ ତମ ଗଣରାଜ୍ୟ ଦିବସ ଅବସରରେ ଆମକୁ ଆମ ଗଣତନ୍ତ୍ର ଓ ସମ୍ବିଧାନର ସୁରକ୍ଷା ଲାଗି ଏକ ଦୀର୍ଘ ସଙ୍ଘର୍ଷ ପାଇଁ ପ୍ରସ୍ତୁତ ହେବାର ସାହସ ଦେଉ, ଏହା ହିଁ କାମନା।