Categories
ଆଜିର ଖବର ରାଜ୍ୟ ଖବର

ଏମ୍ସ ଭୁବନେଶ୍ୱରରେ ଦେଶପ୍ରେମର ଅନନ୍ୟ ବାତାବରଣ ମଧ୍ୟରେ ୭୫ତମ ଗଣତନ୍ତ୍ର ଦିବସ ପାଳିତ 

ଭୁବନେଶ୍ୱର: ଦେଶପ୍ରେମର ଅନନ୍ୟ ବାତାବରଣ ମଧ୍ୟରେ ଏମ୍ସ ଭୁବନେଶ୍ୱରରେ ୭୫ତମ ଗଣତନ୍ତ୍ର ଦିବସ ପାଳିତ ହୋଇଯାଇଛି। ଏହି ଜାତୀୟ ସ୍ୱାସ୍ଥ୍ୟ ପ୍ରତିଷ୍ଠାନର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ. ଆଶୁତୋଷ ବିଶ୍ଵାସ ଅମୃତ କାଳର ଏହି ଅବିସ୍ମରଣୀୟ ମୂହୁର୍ତ୍ତରେ ଜାତୀୟ ପତାକା ଉତ୍ତୋଳନ କରିଥିଲେ।

ଏହି ଅବସରରେ ସ୍ବାସ୍ଥ୍ୟ ସେବା ଯୋଗାଇବାଦେବାରେ ସମଗ୍ର ପୂର୍ବଭାରତର ବିଶ୍ଵାସ ଜିଣିପାରିଥିବା ଏମ୍ସ ଭୁବନେଶ୍ୱର ଏହି ଅମୃତ କାଳ ସମୟରେ ନିରନ୍ତର ଉତ୍ସର୍ଗୀକୃତ ତଥା ଅଭିନବ ସ୍ୱାସ୍ଥ୍ୟସେବା ସମାଧାନ ସହିତ ମାତୃଭୂମିର ସେବା କରିବାର ପ୍ରତିବଦ୍ଧତା ସମ୍ପର୍କରେ ମତବ୍ୟକ୍ତ କରିଥିଲେ ଡ. ବିଶ୍ଵାସ।

ଗୁଣାତ୍ମକ ସ୍ୱାସ୍ଥ୍ୟସେବା ଯୋଗାଇଦେବା ନିମନ୍ତେ ଏମ୍ସ ପକ୍ଷରୁ ନିଆଯାଉଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ସୂଚନା ଦେବା ସହିତ ନିକଟରେ ଆରମ୍ଭ ହୋଇଥିବା ଡ୍ରୋନ୍ ସ୍ୱାସ୍ଥ୍ୟ ସେବା ବାବଦରେ ପ୍ରକାଶ କରିଥିଲେ। ଏଥିସହିତ ଆଗାମୀ ଦିନମାନଙ୍କରେ ଏମ୍ସ ପକ୍ଷରୁ ହେବାକୁ ଥିବା ଏକାଧିକ ନୂତନ ବ୍ୟବସ୍ଥା ଉପରେ ସୂଚନା ରଖିଥିଲେ ଡ. ବିଶ୍ଵାସ।

ଏହି କାର୍ଯ୍ୟକ୍ରମରେ ଡ. ବିଶ୍ଵାସଙ୍କ ସମେତ ଡିନ୍ ଡ. ପି ଆର ମହାପାତ୍ର, ଡ. ସତ୍ୟଜିତ ମିଶ୍ର, ଡ. ସୌଭାଗ୍ୟ କୁମାର ଜେନା, ମେଡିକାଲ ଅଧିକ୍ଷକ ଡ. ଦିଲ୍ଲୀପ କୁମାର ପରିଡ଼ା ପ୍ରମୁଖ ଉପସ୍ଥିତ ଥିଲେ। ଭାରପ୍ରାପ୍ତ ଡିଡିଏ ରଶ୍ମି ରଂଜନ ସେଠୀ ଧନ୍ୟବାଦ ଅର୍ପଣ ସହିତ ବିକଶିତ ଭାରତ ସମ୍ବନ୍ଧରେ ମତ ରଖିଥିଲେ।

ଛାତ୍ରଛାତ୍ରୀଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରଦର୍ଶନ ପରିବେଶକୁ ଆହୁରି ଅଧିକ ଜୀବନ୍ତ କରିବା ସହିତ ଦେଶପ୍ରେମର ଧାରା ପ୍ରବାହିତ କରିଥିଲା।

ଏହି ମହତ ଉତ୍ସବରେ ଅଧ୍ୟାପକ ଅଧ୍ୟାପିକା, କର୍ମଚାରୀଙ୍କ ସମେତ ଛାତ୍ର ଛାତ୍ରୀ ଉପସ୍ଥିତ ଥିଲେ।

ଏକ ବିକଶିତ ତଥା ସୁସ୍ଥ ଭାରତର ଦୃଷ୍ଟିକୋଣକୁ ପ୍ରାଥମିକତା ଦେଇ, ନିକଟ ଭବିଷ୍ୟତରେ ଜନସାଧାରଣଙ୍କ ପାଇଁ ଆହୁରି ଅଧିକ ଅଭିନବ ସ୍ୱାସ୍ଥ୍ୟସେବା ସମାଧାନର ପ୍ରତିଶୃତି ସହିତ ଏମ୍ସ ଭୁବନେଶ୍ୱର ନିଜର ଏକଦଶନ୍ଧିର ଗୌରମୟ ଯାତ୍ରା ଜାରି ରଖିଛି।

Categories
ଆଜିର ଖବର

ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସରେ କେଉଁମାନେ ପରେଡରେ ନେଇଥିଲେ ଭାଗ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରର ମହାତ୍ମାଗାନ୍ଧୀ ମାର୍ଗରେ ୭୫ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି। ଏହି ଉତ୍ସବରେ ମାନ୍ୟବର ରାଜ୍ୟପାଳ ଶ୍ରୀ ରଘୁବାର ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିବା ସହ ଅଭିବାଦନ ଗ୍ରହଣ କରିଥିଲେ। ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ସମ୍ମାନିତ ଅତିଥି ଭାବେ ଏହି ସମାରୋହରେ ଉପସ୍ଥିତ ଥିଲେ।

ରାଜ୍ୟପାଳ ଶ୍ରୀ ରଘୁବର ଦାସ ସକାଳ ୮.୨୮ ରେ ମହାତ୍ମା ଗାନ୍ଧୀ ମାର୍ଗରେ ପହଞ୍ଚିବା ପରେ ମୁଖ୍ୟ ଶାସନ ସଚିବ ଶ୍ରୀ ପ୍ରଦୀପ କୁମାର ଜେନା, ସ୍ୱରାଷ୍ଟ୍ର ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ଦେଓରଞ୍ଜନ କୁମାର ସିଂ, ଆରକ୍ଷୀ ମହାନିର୍ଦ୍ଦେଶକ ଶ୍ରୀ ଅରୁଣ କୁମାର ଷଡଙ୍ଗୀ ଓ ସମର ଶିକ୍ଷାର୍ଥୀ ବାହିନୀର ଉପମହାନିର୍ଦ୍ଦେଶକ କମୋଡର ଜେ. ସୁରେଶ ରାଜ୍ୟପାଳଙ୍କୁ ସ୍ୱାଗତ ଜଣାଇ ମଞ୍ଚ ନିକଟକୁ ପାଛୋଟି ନେଇଥିଲେ।

ରାଜ୍ୟପାଳ ଶ୍ରୀ ରଘୁବର ଦାସ ୮.୩୦ ମିନିଟ୍‌ ସମୟରେ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ଗଞ୍ଜାମ ଏ.ଏସ୍‌.ପି. ମିସ୍‌ ଏ.ବି. ଶିଳ୍ପା ପ୍ୟାରେଡ୍‌ ପରିଚାଳନା କରିଥିଲେ। ନବମ ଏସ୍‌.ଆଇ.ଆର୍‌. ବାଟାଲିୟନ୍‌, କଳାହାଣ୍ଡିର ଶ୍ରୀ ସନ୍ତୋଷ କୁମାର ବିଶ୍ୱାଳ ଦ୍ୱିତୀୟ ପରିଚାଳକ ଭାବେ ଏବଂ ଭୁବନେଶ୍ୱର ସପ୍ତମ ବାଟାଲିୟନ୍‌ର ଏସିିପି (ସଶସ୍ତ୍ର) ଶ୍ରୀ ଭବାନୀ ପ୍ରସାଦ ଜେନା ଆଡ୍‌ଜୁଟାଣ୍ଟ ଓ ଭୁବନେଶ୍ୱର ସପ୍ତମ ବାଟାଲିୟନ୍‌ର ଆସିଷ୍ଟାଣ୍ଟ କମିଶନର (ସଶସ୍ତ୍ର) ଶ୍ରୀ ପରମେଶ୍ୱର ହାଁସ୍‌ଦା ସ୍ୱତନ୍ତ୍ର ଅଧିକାରୀ ଭାବେ ପ୍ୟାରେଡ୍‌ ପରିଚାଳନାରେ ସହାୟତା କରିଥିଲେ।

ରାଜ୍ୟ ପୋଲିସ ବ୍ୟାଣ୍ଡ ଦ୍ୱାରା ଜାତୀୟ ସଂଗୀତ ବାଦନ ପରେ ୧୬ଟି ସାମରିକ ବାହିନୀ ଏବଂ ବିଭିନ୍ନ ଶିକ୍ଷାନୁଷ୍ଠାନର ୩୪ଟି ବେସାମରିକ ଦଳ ସମୁଦାୟ ୫୦ଟି ଦଳ ମିଳିତ ପ୍ୟାରେଡ୍‌ରେ ଅଂଶଗ୍ରହଣ କରିଥିଲେ। ସମ୍ମିଳିତ ପ୍ୟାରେଡ୍‌ ଅନୁଷ୍ଠିତ ହେବା ପରେ ପରେ ବିଭିନ୍ନ ସାଂସ୍କୃତିକ ଦଳ ଚିତ୍ତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ।

କୋରାପୁଟ ଜିଲ୍ଲା ବୈପାରିଗୁଡ଼ାର ଜନଜାତି ନୃତ୍ୟ, ଗଞ୍ଜାମ ଜିଲ୍ଲା ଭଞ୍ଜବିହାରର ଯୋଡ଼ିଶଙ୍ଖ/ରଣପା ନୃତ୍ୟ, ପୁରୀର ସାହିଯାତ/ମେଢ଼ନାଚ ଓ ବରଗଡ଼ ଜିଲ୍ଲା ପଦ୍ମପୁରର ସମ୍ବଲପୁରୀ ଲୋକନୃତ୍ୟ ପରିବେଷଣ ଉତ୍ସବକୁ ମନୋମୁଗ୍ଧକର କରିଥିଲା।

ଏହା ପରେ ପ୍ରଜ୍ଞାପନ ମେଢ଼ଗୁଡ଼ିକ ଅଭିବାଦନ ମଞ୍ଚ ଅତିକ୍ରମ କରିଥିଲେ। କୃଷି ଓ କୃଷକ ସଶକ୍ତିକରଣ ବିଭାଗ (ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା, କାଳିଆ ଛାତ୍ରବୃତ୍ତି), ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ (ଆମ ହସ୍‌ପିଟାଲ), ବାଣିିଜ୍ୟ ଓ ପରିବହନ ବିଭାଗ (ଘରେ ଘରେ ଲକ୍ଷ୍ମୀ), ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ (କରୁଣା ରେଶମ), ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ (ନୂଆ ଓଡ଼ିଶା ମିଶନ, ସୁଦକ୍ଷା ଯୋଜନା), ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗ, ୱାଟ୍‌କୋ, (ଡି୍ରଙ୍କ୍‌ ଫ୍ରମ୍‌ ଟ୍ୟାପ୍‌), ପର୍ଯ୍ୟଟନ ବିଭାଗ (ପର୍ଯ୍ୟଟନ ସେବା କ୍ଷେତ୍ରରେ ରୂପାନ୍ତରଣ), ଅନୁସୂଚିତ ଜନାଜତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ଓ ପଛୁଆବର୍ଗ କଲ୍ୟାଣ ବିଭାଗ (ପବିତ୍ର ପୀଠସ୍ଥଳୀ(ଜାହିରା) ରୂପାନ୍ତରଣ କାର୍ଯ୍ୟକ୍ରମ) ପ୍ରଦର୍ଶିତ ହୋଇଥିଲା।

ସେହିପରି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ (୫-ଟି ଉଚ୍ଚ ବିଦ୍ୟାଳୟ ରୂପାନ୍ତରଣ କାର୍ଯ୍ୟକ୍ରମ), ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ବିଭାଗ (ବାୟୋଫ୍ଲକ୍‌ ମାଧ୍ୟମରେ ସଘନ ମାଛ ଓ ଚିଙ୍ଗୁଡ଼ି ଚାଷ, ପଞ୍ଜୁରୀରେ ମାଛଚାଷ), ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ (ଆମ ଓଡ଼ିଶା ନବୀନ ଓଡ଼ିଶା), ପୂର୍ତ୍ତ ବିଭାଗ (ଭିତ୍ତିଭୂମି ବିକାଶ ପ୍ରକଳ୍ପ), ଓଡ଼ିଶା ଖଣି ନିଗମ ସାମାଜିକ ଦାୟିତ୍ୱବୋଧ, ଓଡ଼ିଶା ଅଗ୍ନିଶମ ସେବା ଯାନ ପକ୍ଷରୁ ପ୍ରଜ୍ଞାପନ ମେଢ଼ ପ୍ରଦର୍ଶିତ କରାଯାଇଥିଲା।

ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ, ବିଭିନ୍ନ ବିଭାଗର ଶାସନ ସଚିବ, ସୂଚନା ଓ ଲୋକସଂପର୍କ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ସଂଜୟ କୁମାର ସିଂ ଏବଂ ନିର୍ଦ୍ଦେଶକ ଶ୍ରୀ ସରୋଜ କୁମାର ସାମଲ, ନିର୍ଦ୍ଦେଶକ (ବୈଷୟିକ) ଶ୍ରୀ ସୁରେନ୍ଦ୍ର ନାଥ ପରିଡ଼ା ପ୍ରମୁଖଙ୍କ ସମେତ ରାଜ୍ୟ ପ୍ରଶାସନର ବରିଷ୍ଠ ଅଧିକାରୀବୃନ୍ଦ, ସାଧାରଣତନ୍ତ୍ର ଦିବସ ଉତ୍ସବରେ ଉପସ୍ଥିତ ଥିଲେ।

ଏହି କାର୍ଯ୍ୟକ୍ରମକୁ ସୂଚନା ଓ ଲୋକସଂପର୍କ ବିଭାଗର ଉପନିର୍ଦ୍ଦେଶକ ଶ୍ରୀମତୀ ସୁଚେତା ପି୍ରୟଦର୍ଶିନୀ, ସୂଚନା ଅଧିକାରୀ ସୁଶ୍ରୀ ରୋଜାଲିନ୍‌ ସାହୁ ଓ ସୁଶ୍ରୀ ତନୁଜା ମହାନ୍ତି ସଂଯୋଜନା କରିଥିଲେ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର ସଂସ୍କୃତି

ନୂଆଦିଲ୍ଲୀର କର୍ତ୍ତବ୍ୟ ପଥରେ ଗଡିଲା ଓଡ଼ିଶାର ପ୍ରଜ୍ଞାପନ ମେଢ, କାହିଁକି ସାଜିଲା ଆକର୍ଷଣର କେନ୍ଦ୍ରବିନ୍ଦୁ?

ନୂଆଦିଲ୍ଲୀ: ସାଧାରଣତନ୍ତ୍ର ଦିବସ ଅବସରରେ ନୂଆଦିଲ୍ଲୀର କର୍ତ୍ତବ୍ୟ ପଥରେ ଗଡିଲା ଓଡିଶାର ପ୍ରଜ୍ଞାପନ ମେଢ। ୨୦୩୬ ମସିହା ସୁଦ୍ଧା ଓଡ଼ିଶାକୁ ଦେଶର ସର୍ବାଙ୍ଗୀନ ବିକଶିତ ରାଜ୍ୟରେ ପରିଣତ କରିବାକୁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ପ୍ରତିବଦ୍ଧତା ଓ ପଦକ୍ଷେପ ଏବଂ ଦେଶର ଅର୍ଥନୈତିକ ବିକାଶ ଓ ସାମାଜିକ ଉନ୍ନତି ପାଇଁ ମହିଳା ସଶକ୍ତିକରଣ ଜରୁରୀ ହୋଇଥିବାରୁ ‘ବିକଶିତ ଭାରତ’ ବିଷୟବସ୍ତୁକୁ ନେଇ ପ୍ରସ୍ତୁତ ଓଡିଶାର ପ୍ରଜ୍ଞାପନ ମେଢରେ ଓଡିଶାର ସମୃଦ୍ଧ ହସ୍ତଶିଳ୍ପ ଓ ହସ୍ତତନ୍ତ ମାଧ୍ୟମରେ ରାଜ୍ୟରେ ମହିଳା ସଶକ୍ତିକରଣକୁ ପ୍ରଦର୍ଶନ କରାଯାଇଛି।

ବିକଶିତ ଭାରତରେ ଓଡ଼ିଶାର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ଶକ୍ତି ଓ ସାମର୍ଥ୍ୟ, ହାତୀର ଶକ୍ତି ଓ ସାମର୍ଥ୍ୟ ସହ ସମକକ୍ଷ ବୋଲି ପ୍ରଜ୍ଞାପନ ମେଢର ଅଗ୍ର ଭାଗରେ ଥିବା ଉତ୍କଳୀୟ କଳାକୃତିର ଏକ ଲୋକପ୍ରିୟ ଓ ଅନନ୍ୟ ବିଷୟବସ୍ତୁ କନ୍ଦର୍ପ ହସ୍ତୀ ମାଧ୍ୟମରେ ପ୍ରମାଣିତ କରାଯିବା ସହିତ ରାସଲୀଳାରେ ଭଗବାନ ଶ୍ରୀକୃଷ୍ଣଙ୍କ ପ୍ରତି ଗୋପୀମାନଙ୍କ ପ୍ରେମ ଓ ଭକ୍ତି ପରି ବିକଶିତ ଭାରତ ପ୍ରତି ଓଡ଼ିଶାର ମହିଳାମାନଙ୍କ ନିଷ୍ଠାପୂର୍ଣ୍ଣ ସମର୍ପଣକୁ ଦର୍ଶାଇଥିଲା।

ସେହିପରି, ମେଢ ଅଗ୍ରଭାଗର ଉଭୟ ପାର୍ଶ୍ୱରେ ଥିବା ଶ୍ରୀଜଗନ୍ନାଥଙ୍କ ରଥର ଚକକୁ ଓଡ଼ିଶାର ପ୍ରଗତିର ଚକ ଭାବେ ପ୍ରତିପାଦିତ କରାଯାଇଛି। ହସ୍ତକଳା ଓ ହସ୍ତତନ୍ତ କ୍ଷେତ୍ରରେ ମହିଳାଙ୍କ ଅଂଶଗ୍ରହଣକୁ ଦର୍ଶାଉଥିବା ଏହି ମେଢର ମଧ୍ୟଭାଗରେ ପିପିଲିର ଚାନ୍ଦୁଆ, ରଘୁରାଜପୁରର ପଟ୍ଟଚିତ୍ର କଳା ଭଳି ଉତ୍ପାଦକୁ ଲାଇଭ୍ ପ୍ରଦର୍ଶନ ମାଧ୍ୟମରେ ପ୍ରଦର୍ଶିତ କରାଯାଇଥିଲା। ଏହା ଓଡ଼ିଶାର ଗ୍ରାମାଞ୍ଚଳରେ ନିଯୁକ୍ତି ସୁଯୋଗ ବୃଦ୍ଧିକୁ ପ୍ରମାଣିତ କରିବା ସହିତ ରାଜ୍ୟର ଗ୍ରାମାଞ୍ଚଳ ଅର୍ଥନୀତି ସୁଦୃଢ଼ ହୋଇଥିବା ପ୍ରଦର୍ଶିତ କରିଥିଲା।

ସେହିପରି, ବୈଷୟିକ ଜ୍ଞାନକୌଶଳର ଉପଯୋଗ କରି ଓଡିଶାର ଗ୍ରାମୀଣ ମହିଳାମାନେ ମଧ୍ୟ କ୍ୟାସଲେସ୍ କାରବାର କରିବା ସହ ଇ-ପ୍ଲାଟଫର୍ମରେ ନିଜ ଉତ୍ପାଦର ମାର୍କେଟିଂ କରିପାରୁଛନ୍ତି ବୋଲି ପ୍ରଜ୍ଞାପନ ମେଢ ମାଧ୍ୟମରେ ଉପସ୍ଥାପିତ କରାଯାଇଥିଲା। କାରିଗରମାନଙ୍କ ପ୍ରତି ରାଜ୍ୟ ସରକାରଙ୍କ ଆନ୍ତରିକ ସମର୍ଥନକୁ ଦର୍ଶାଇବାକୁ ଯାଇ ଦେବଦେବୀଙ୍କ ଚଳନ୍ତି ପ୍ରତିମାଙ୍କ ଯାତ୍ରା ସମୟରେ ବ୍ୟବହାର ହେଉଥିବା ବିରାଟକାୟ ଛତା ମେଢର ମଧ୍ୟ ଭାଗରେ ସ୍ଥାପନ କରାଯାଇଥିଲା।

ପଟ୍ଟଚିତ୍ର କଳା ମାଧ୍ୟମରେ ପୌରାଣିକ ଚରିତ୍ରକୁ ନେଇ ରଘୁରାଜପୁର ଗ୍ରାମର ମହିଳାମାନେ ପ୍ରସ୍ତୁତ କରୁଥିବା ବିଭିନ୍ନ ଗୃହସଜ୍ଜା ସାମଗ୍ରୀ ଓ ମୁଖା ସମେତ ରଘୁରାଜପୁର ଗ୍ରାମର ଐତିହ୍ୟ ଗୃହକୁ ପ୍ରଜ୍ଞାପନ ମେଢର ପଛ ଭାଗରେ ଦର୍ଶାଯାଇଥିଲା । ବିକାଶପଥରେ ଓଡ଼ିଶା ଅଶ୍ଵ ବେଗରେ ଅଗ୍ରସର ହେଉଥିବାରୁ, ଓଡ଼ିଶା ସରକାରଙ୍କ ପ୍ରତୀକ ତଥା ପ୍ରସିଦ୍ଧ କୋଣାର୍କ ମନ୍ଦିରର ଯୁଦ୍ଧ ଘୋଡ଼ାକୁ ମଧ୍ୟ ସେଠାରେ ସ୍ଥାନିତ କରାଯାଇଥିଲା।

ସେହିପରି, ପ୍ରଜ୍ଞାପନ ମେଢର ଉଭୟ ପାର୍ଶ୍ୱରେ ଥିବା ଓଡ଼ିଶାର ଅନନ୍ୟ ଓ ସମୃଦ୍ଧ ହସ୍ତତନ୍ତ ଓ ହସ୍ତଶିଳ୍ପ ଡିଜାଇନ୍, କଳା ଓ କାରିଗରୀ ମାଧ୍ୟମରେ ରାଜ୍ୟରେ ଜୀବିକା ବିକାଶର ସଫଳ କାହାଣୀକୁ ପ୍ରଦର୍ଶିତ କରଇଥିଲା। ଏଥିସହିତ, ପ୍ରଜ୍ଞାପନ ମେଢର ଉଭୟ ପାର୍ଶ୍ୱରେ ସମ୍ବଲପୁରୀ ସଙ୍ଗୀତର ତାଳେତାଳେ କଳାକାରମାନେ ପରିବେଷଣ କରିଥିବା ନୃତ୍ୟ ଉପସ୍ଥିତ ଦର୍ଶକଙ୍କୁ ବିମୋହିତ କରିଥିଲା।

ଭାରତ ସରକାରଙ୍କ ପ୍ରତିରକ୍ଷା ମନ୍ତ୍ରାଳୟ ତରଫରୁ ପ୍ରାପ୍ତ ସୂଚନା ପ୍ରକାରେ ଜନ ଭାଗୀଦାରି ସ୍ଵରୂପ ଆଜିଠାରୁ ଆଗାମୀ କାଲି ସକାଳ ୫ ଟା ୩୦ ସୁଦ୍ଧା ଅନଲାଇନ ଭୋଟିଂ ମାଧ୍ୟମରେ ପ୍ରାପ୍ତ ଭୋଟ ଆଧାରରେ ଯୋଗ୍ୟ ବିବେଚିତ ପ୍ରଜ୍ଞାପନ ମେଢକୁ ରାଷ୍ଟ୍ରୀୟ ରଙ୍ଗଶାଳା ଶିବିରରେ ପୁରସ୍କୃତ କରାଯିବ।

Categories
ଆଜିର ଖବର ରାଜ୍ୟ ଖବର

କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ ୭୫ତମ ସାଧାରଣତନ୍ତ୍ର ଦିବସ ପାଳିତ

ଭୁବନେଶ୍ବର: କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ ୭୫ତମ ସାଧାରଣତନ୍ତ୍ର ଦିବସ ପାଳନ ଅବସରରେ ରାଜ୍ୟର ଅଭିବୃଦ୍ଧି ଓ ବିକାଶ ଦିଗରେ କୃଷିର ମୁଖ୍ୟ ଭୂମିକା ଉପରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀ ଗୁରୁତ୍ୱାରୋପ କରିଛନ୍ତି।

ଆଜି କୃଷି ଭବନଠାରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ ଆୟୋଜିତ ସାଧାରଣତନ୍ତ୍ର ଦିବସ ପାଳନ ଅବସରରେ ଜାତୀୟ ପତାକା ଉତ୍ତୋଳନ କରି ଡ. ପାଢ଼ୀ ଭାରତର ସ୍ୱାଧୀନତା ସଂଗ୍ରାମୀ ଓ ଦୂରଦର୍ଶୀ ନେତାଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ଯେଉଁମାନେ ସ୍ୱାଧୀନ ଭାରତବର୍ଷକୁ ଏକ ପ୍ରଜାତନ୍ତ୍ରର ରୂପ ଦେଇଛନ୍ତି।

ଡ. ପାଢ଼ୀ ସାର୍ବଜନୀନ ଭ୍ରାତୃତ୍ୱ, ଅହିଂସା ଏବଂ ଶାନ୍ତିର ଆଲୋକବର୍ତ୍ତିକା ଭାବରେ ଭାରତବର୍ଷର ଅଦ୍ୱିତୀୟ ସ୍ଥିତି ଉପରେ ଆଲୋଚନା କରି ସମସ୍ତଙ୍କୁ ସମ୍ବିଧାନର ଆଦର୍ଶ ଓ ଚେତନାକୁ ସମ୍ମାନ ଓ ଅନୁପାଳନ କରିବାକୁ କହିଥିଲେ।

କୃଷି ଓ କୃଷକ ସଶକ୍ତିକରଣ ବିଭାଗ ନିରନ୍ତର କୃଷି ସହିତ କୃଷକମାନଙ୍କ ଆୟବୃଦ୍ଧି ଏବଂ ଜନସାଧାରଣଙ୍କ ଖାଦ୍ୟ ନିରାପତ୍ତାକୁ ସୁନିଶ୍ଚିତ କରିବା ପାଇଁ ପ୍ରତିଶ୍ରୁତିବଦ୍ଧତାର ଲକ୍ଷ୍ୟ ସାଧାରଣତନ୍ତ୍ର ଦିବସ ପାଳନର ଆହ୍ୱାନ ସହିତ ଯୋଡ଼ି ହୋଇ ରହିଛି। ଏହା ରାଜ୍ୟର କୃଷି ପ୍ରେକ୍ଷାପଟରେ ଏକ ସକାରାତ୍ମକ ରୂପାନ୍ତରଣ ଆଣିବ ଏବଂ ସ୍ଥିତିସ୍ଥାପକ ଓ ସମୃଦ୍ଧ ଭବିଷ୍ୟତ ନିର୍ମାଣ ଦିଗରେ ପ୍ରେରିତ କରିବ ବୋଲି ଡ. ପାଢ଼ୀ କହିଥିଲେ।

ଏହି ଅବସରରେ କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶକ ଶ୍ରୀ ପ୍ରେମଚନ୍ଦ୍ର ଚୌଧାରୀ, ଉଦ୍ୟାନ କୃଷି ନିର୍ଦ୍ଦେଶକ ଶ୍ରୀ ରୋହିତ କୁମାର ଲେଙ୍କାଙ୍କ ସମେତ ବରିଷ୍ଠ ଅଧିକାରୀ ଓ କର୍ମଚାରୀବୃନ୍ଦ ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ରାଜ୍ୟ ସ୍ତରୀୟ ସାଧାରଣତନ୍ତ୍ର ଦିବସରେ ପତାକା ଉତ୍ତୋଳନ କଲେ ରାଜ୍ୟପାଳ ରଘୁବର ଦାସ

ଭୁବନେଶ୍ବର: ଆଜି 75 ତମ ସାଧାରଣତନ୍ତ୍ର ଦିବସ ସାରା ରାଜ୍ୟରେ ବେଶ ଆନନ୍ଦ ଓ ଉଲ୍ଲାସ ମଧ୍ୟରେ ଆୟୋଜିତ ହୋଇଛି। ଆଜି ସକାଳେ ରାଜ୍ୟ ସ୍ତରୀୟ ଗଣତନ୍ତ୍ର ଦିବସ ଭୁବନେଶ୍ବରରେ ଆୟୋଜିତ ହୋଇଛି।

ଏଥିରେ ରାଜ୍ୟପାଳ ରଘୁବର ଦାସ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ଏଥିରେ ସମ୍ମାନିତ ଅତିଥୀ ଭାବେ ଯୋଗଦେଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ପତାକା ଉତ୍ତୋଳନ ପରେ ଆରମ୍ଭ ହୋଇଥିଲା ପରେଡ କାର୍ଯ୍ୟକ୍ରମ। ଏହି ପରେଡର ନେତୃତ୍ବ ନେଇଥିଲେ ଯୁବ ଆଇପିଏସ ଅଫିସର ଏ ବି ଶିଳ୍ପା। ଏଥିରେ ରାଜ୍ୟ ପୋଲିସ ବାହିନୀ, ଓଡ୍ରାଫ, ଟ୍ରାଫିକ ପୋଲିସ, ଅଗ୍ନିଶମ ବାହିନୀ ପ୍ରମୁଖ ଯୋଗଦେଇ ରାଜ୍ୟପାଳଙ୍କୁ ଅଭିବାଦନ ପ୍ରଦାନ କରିଥିଲେ।

Categories
ବିଶେଷ ଖବର ରାଜ୍ୟ ଖବର

ସାଧାରଣତନ୍ତ୍ର ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ କହିଲେ ଏପରି କଥା

ଭୁବନେଶ୍ବର: ସାଧାରଣତନ୍ତ୍ର ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇବା ସହିତ ବାର୍ତ୍ତା ମଧ୍ୟ ଦେଇଛନ୍ତି। ସେ ଯାହା କହିଛନ୍ତି ତାହା ହେଲା..

ସାଧାରଣତନ୍ତ୍ର ଦିବସ ଅବସରରେ ଆପଣମାନଙ୍କୁ ସମସ୍ତଙ୍କୁ ମୋର ଶୁଭେଚ୍ଛା ଜଣାଉଛି।

ଏହି ଅବସରରେ ଜାତିର ପିତା ମହାତ୍ମା ଗାନ୍ଧୀ, ପଣ୍ଡିତ ନେହେରୁ, ନେତାଜୀ ସୁଭାଷ ଚନ୍ଦ୍ର ବୋଷ, ସର୍ଦ୍ଦାର ପଟେଲ, ମୌଲାନା ଆଜାଦ, ଡଃ ବି.ଆର. ଆମ୍ବେଦକର, ଡଃ ରାଜେନ୍ଦ୍ର ପ୍ରସାଦ, ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ, ଉତ୍କଳ ଗୌରବ ମଧୁସୂଦନ ଦାସ, ନବକୃଷ୍ଣ ଚୌଧୁରୀ, ଗୋପବନ୍ଧୁ ଚୌଧୁରୀ, ସହିଦ୍ ଲକ୍ଷ୍ଣଣ ନାଏକ, ବୀର ସୁରେନ୍ଦ୍ର ସାଏ, ମା ରମାଦେବୀ, ମାଳତୀ ଚୌଧୁରୀ, ଡଃ ହରେକୃଷ୍ଣ ମହତାବ, ବିଜୁ ପଟ୍ଟନାୟକ ଓ ପାର୍ବତୀ ଗିରିଙ୍କ ପରି ମହାନ୍ ସଂଗ୍ରାମୀ ମାନଙ୍କ ପ୍ରତି ମୋର ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି।

ଦେଶର ଶାନ୍ତି ଓ ସୁରକ୍ଷା ପାଇଁ ଶହୀଦ ହୋଇଥିବା ଆମର ଜୱାନ ମାନଙ୍କ ପ୍ରତି ମଧ୍ୟ ଏହି ଅବସରରେ ମୋର ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି ।

ଆମ ଦେଶ ମହାତ୍ମା ଗାନ୍ଧୀ, ସୁଭାଷଙ୍କ ଦେଶ। ସତ୍ୟ, ଶାନ୍ତି ଅହିଂସା ନ୍ୟାୟ ଓ ସମତା ଓ ବିକାଶ ର ରାସ୍ତାରେ ଆମେ ଚାଲୁଛୁ।

ଆଜି ବିଭିନ୍ନ କ୍ଷେତ୍ରରେ ବିଶ୍ଵ ଦରବାରରେ ଭାରତର ପ୍ରତିଷ୍ଠା ବୃଦ୍ଧି ପାଉଛି।

ଦେଶର ବିକାଶରେ ସବୁ ରାଜ୍ୟର ଅବଦାନ ରହିଛି। ଆମ ଓଡ଼ିଶାର ମଧ୍ୟ ଗୁରୁତ୍ବପୁର୍ଣ ଭୂମିକା ରହିଛି। ଗତ କୋଡ଼ିଏ ବର୍ଷ ମଧ୍ୟରେ ଓଡ଼ିଶା ବିକାଶର ସବୁ କ୍ଷେତ୍ରରେ ନୂଆ ଇତିହାସ ସୃଷ୍ଟି କରିଛି। ଓଡ଼ିଶା ରୂପାନ୍ତର ପଥରେ ଆଗେଇ ଚାଲିଛି। ଓଡ଼ିଶାର ବିକାଶ ଅନ୍ୟ ମାନଙ୍କ ଆଦର୍ଶ ହୋଇଛି।

ମହାପ୍ରଭୁ ଜଗନ୍ନାଥ ଓଡ଼ିଆ ଜାତିର ଶ୍ରେଷ୍ଠ ପରିଚୟ। ତାଙ୍କ ଇଚ୍ଛାରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ସମ୍ପୂର୍ଣ୍ଣ ହୋଇଛି।

ସମଲେଇ ପ୍ରକଳ୍ପ ମଧ୍ୟ ଖୁବ୍ ଶୀଘ୍ର ଲୋକାର୍ପିତ ହେବାକୁ ଯାଉଛି। ଆମର କୀର୍ତ୍ତି ହେଉଛି ଆମ ସ୍ୱାଭିମାନ ଓ ଅସ୍ମିତାର ପରିଚୟ। ସତ୍ୟବାଦୀଠାରେ ଓଡିଆ ବିଶ୍ୱବିଦ୍ୟାଳୟର ନୂତନ କ୍ୟାମ୍ପସ୍‌ ଲୋକାର୍ପିତ ହୋଇଛି। ଓଡିଆ ଭାଷା ସାହିତ୍ୟର ଅଭିବୃଦ୍ଧି କ୍ଷେତ୍ରରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ।

ଓଡ଼ିଶାର ଅର୍ଥନୈତିକ ବିକାଶ ଖୁବ୍ ଭଲ ଅଛି। ଜାତୀୟ ହାରଠାରୁ ଅଧିକ ଅଛି। ଗରିବୀ କମ କରିବାରେ ଓଡ଼ିଶା ଏକ ଟପ୍ ରେ ରହିଛି। ନୀତି ଆୟୋଗ ରିପୋର୍ଟ କହୁଛି ଗତ ନଅ ବର୍ଷ ମଧ୍ୟରେ ଏକ କୋଟିରୁ ଅଧିକ ଲୋକ ଗରିବିରୁ ମୁକ୍ତ ହୋଇଛନ୍ତି।

ଆମର 5T ନୀତି ଯୋଗୁ ପ୍ରଶାସନ ସଚଳ ହେଉଛି। ଆମର ସବୁ ଯୋଜନାର ସୁଫଳ ଲୋକ ଠିକ୍ ଭାବେ ପାଉଛନ୍ତି। ଶିକ୍ଷା ଠାରୁ ଆରମ୍ଭ କରି ସ୍ଵାସ୍ଥ୍ୟ ଯୋଗାଯୋଗ ଜଳସେଚନ ପରିବହନ sports ସବୁ କ୍ଷେତ୍ରରେ ରୂପାନ୍ତର ଓଡ଼ିଶାର ବିକାଶକୁ ଉଜ୍ଜ୍ବଳ କରିଛି ।
ମୋ ସରକାର ଗାଁ କୁ ବିକାଶର କେନ୍ଦ୍ର କରିଛି।

ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମରେ ଗାଁ ଗାଁ ରେ ଜଗନ୍ନାଥ ସଂସ୍କୃତିର ସୁରକ୍ଷା, ପ୍ରସାର କରାଯାଉଛି। ଗାଁରେ ଡିଜିଟାଲ ଭିତ୍ତିଭୂମିର ବିକାଶ କରାଯାଉଛି। ଲକ୍ଷ୍ମୀ ବସ ଯୋଜନା ଗାଁ ରେ ଯୋଗାଯୋଗ କ୍ଷେତ୍ରରେ ରୂପାନ୍ତର ଆଣିଛି। ଗାଁ ର ସାମାଜିକ ଅର୍ଥନୈତିକ ବ୍ୟବସ୍ଥ କୁ ଏହା ନୂଆ ଜୀବନ ଦେଇଛି।

ଚାଷ ଓ ଚାଷୀ ର ଉନ୍ନତି ପାଇଁ ମୁଁ ସବୁବେଳେ ଗୁରୁତ୍ଵ ଦେଇ ଆସିଛି।

ମା ମାନେ କେବଳ ପରିବାର ନୂହେଁ ଆମ ସମାଜର ଶକ୍ତି। ମିଶନ ଶକ୍ତି ଆଜି ୭୦ ଲକ୍ଷ ମା ମାନଙ୍କୁ ବିକାଶର ସହଭାଗୀତା କରିଛି। ମା ମାନଙ୍କ ଉପରେ ମୋର ଖୁବ୍ ଭରସା ଅଛି।

ଷ୍ଟାର୍ଟଅପ କ୍ଷେତ୍ରରେ ଆଜି ଓଡ଼ିଶା ରାଜ୍ୟମାନଙ୍କ ମଧ୍ୟରେ ଶୀର୍ଷରେ। ଭାରତ ସରକାରଙ୍କ ଠାରୁ ଏଥିପାଇଁ ଆମେ ପୁରସ୍କାର ପାଇଛୁ। ଶିଳ୍ପ, ସୂଚନା ପ୍ରଯୁକ୍ତି, ଷ୍ଟାର୍ଟଅପ ସବୁଥିରେ ଓଡ଼ିଶା ଏବେ ଆଗରେ ରହିଛି।
ଆମର ନୀତି ଓ ଯୁବ ସମାଜର ପାରଦର୍ଶିତା ଯୋଗୁ IBM, Deloitte, Accenture, Cognizant ଭଳି ବହୁରାଷ୍ଟ୍ରୀୟ କମ୍ପାନୀ ସେମାନଙ୍କର ସଂସ୍ଥାଗୁଡିକ ପ୍ରତିଷ୍ଠା ପାଇଁ ଓଡିଶାକୁ ପସନ୍ଦ କରୁଛନ୍ତି।

ସବୁ ଜୀବନ ମୂଲ୍ୟବାନ। ଏହି ନୀତିରେ ଆମର ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ବହୁତ୍ ଭଲ କାମ କରୁଛି। ଏହାକୁ ଆଗକୁ ନେଇ ଆମେ ବିଏସକେୱାଇ ନବୀନ କାର୍ଡ ଆରମ୍ଭ କରିଛୁ। ଏହାଦ୍ବାରା ରାଜ୍ୟର ଚାରି କୋଟିରୁ ଅଧିକ ଲୋକଙ୍କ ଚିକିତ୍ସା ଚିନ୍ତା ଦୂର ହୋଇଛି ।

ଆମର ବିକାଶ model ସମସ୍ତଙ୍କ ପାଇଁ ସୁଯୋଗ ଆଣିଛି। ସମସ୍ତେ ବିକାଶର ସହଭାଗୀତା ହୋଇଛନ୍ତି। ସମସ୍ତଙ୍କ ସହଯୋଗରେ ଓଡ଼ିଶା ଆଗକୁ ବଢୁଛି। ସମସ୍ତଙ୍କ ସହଯୋଗରେ ଆମେ ନୂଆ ଓଡ଼ିଶା ଗଢ଼ିବା । ଆମ ଓଡିଶା ହେବ ଶ୍ରେଷ୍ଠ ଓଡ଼ିଶା । ସଶକ୍ତ ଓଡିଶା ।

ଜୟ ହିନ୍ଦ୍।
ବନ୍ଦେ ଉତ୍କଳ ଜନନୀ

Categories
ଆଜିର ଖବର ରାଜ୍ୟ ଖବର

ପ୍ରକାଶ ପାଇଲା ଗଣତନ୍ତ୍ର ଦିବସରେ ପତାକା ଉତ୍ତୋଳନ ପାଇଁ ଅତିଥି ତାଲିକା, ୧୭ ଟି ସ୍ଥାନରେ ମନ୍ତ୍ରୀ

ଭୁବନେଶ୍ବର: ଜାନୁୟାରୀ ୨୬ ତାରିଖ ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ପତାକା ଉତ୍ତୋଳନ କରିବା ଅତିଥି ତାଲିକା ପ୍ରକାଶ ପାଇଛି। ସେହି ଅନୁସାରେ ୧୭ ଟି ସ୍ଥାନରେ ମନ୍ତ୍ରୀମାନେ ପତାକା ଉତ୍ତୋଳନ କରୁଛନ୍ତି। ତାଲିକା ଅନୁସାରେ ଯେଉଁ ମନ୍ତ୍ରୀମାନଙ୍କୁ ଜିଲ୍ଲା ଉତ୍ସବରେ ଯୋଗଦେବାକୁ କୁହାଯାଇଛି ସେମାନେ ହେଲେ

ଏହିତାଲିକା ଅନୁସାରେ ସୁଦାମ ମାର୍ଣ୍ଡି କଟକରେ ପତାକା ଉତ୍ତୋଳନ କରୁଥିବା ବେଳେ ପୁରୀରେ ପ୍ରଫୁଲ ମଲ୍ଲିକ ଜିଲ୍ଲା ସ୍ତରୀୟ ଉତ୍ସବରେ ଯୋଗଦେବେ। ତେବେ ଅନ୍ୟ ସ୍ଥାନରେ ଜିଲ୍ଲାପାଳ ତଥା ଆରଡିସି ପତାକା ଉତ୍ତୋଳନ କରିବା ପାଇଁ ତାଲିକା ପ୍ରକାଶ ପାଇଛି।

ତେବେ ଭୁବନେଶ୍ବରରେ ଆୟୋଜିତ ରାଜ୍ୟ ସ୍ତରୀୟ ସାଧାରଣତନ୍ତ୍ର ଦିବସରେ ରାଜ୍ୟପାଳ ରଘୁବର ଦାସ ପତାକା ଉତ୍ତୋଳନ କରିବେ। ଏହି ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟ ଅତିଥୀ ଭାବେ ଯୋଗ ଦେବେ।