Categories
ଆଜିର ଖବର ଜାତୀୟ ଖବର

ମର୍ମନ୍ତୁଦ ସଡକ ଦୁର୍ଘଟଣା: ଭ୍ୟାନକୁ ଧକ୍କା ଦେଲା ଟ୍ରଲର, ୯ ମୃତ

ନୂଆଦିଲ୍ଲୀ: ରାଜସ୍ଥାନର ଝାଲାୱାଡ ଜିଲ୍ଲାରେ ଏକ ବଡ଼ ସଡ଼କ ଦୁର୍ଘଟଣା ଘଟିଛି। ଏଠାରେ ଏକ ଅନିୟନ୍ତ୍ରିତ ଟ୍ରଲର ଭ୍ୟାନକୁ ଧକ୍କା ଦେଇଛି। ଭ୍ୟାନରେ ୧୦ ଜଣ ଲୋକ ଥିଲେ, ଯେଉଁମାନେ ଏକ ବିବାହ ସମାରୋହରୁ ଫେରୁଥିଲେ, ସେଥିମଧ୍ୟରୁ ୯ ଜଣଙ୍କର ମୃତ୍ୟୁ ହୋଇଛି। କୁହାଯାଉଛି ଯେ ବାଗ୍ରି ସମ୍ପ୍ରଦାୟର ୧୦ ଜଣ ଯୁବକ ଭ୍ୟାନ୍‌ରେ ଯାତ୍ରା କରୁଥିଲେ, ସେଥିମଧ୍ୟରୁ ତିନିଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ୬ ଜଣ ଡାକ୍ତରଖାନାରେ ମୃତ୍ୟୁ ବରଣ କରିଛନ୍ତି। ଜଣଙ୍କର ଅବସ୍ଥା ଗୁରୁତର ବୋଲି କୁହାଯାଉଛି।

ଭ୍ୟାନରେ ଯାତ୍ରା କରୁଥିବା ଲୋକମାନେ ଏକ ବିବାହ ଉତ୍ସବରେ ଯୋଗଦେବା ପରେ ମଧ୍ୟପ୍ରଦେଶର ଖିଲଚିପୁରରୁ ଫେରୁଥିଲେ। ଦୁର୍ଘଟଣା ପରେ ଟ୍ରର ଡ୍ରାଇଭର ଫେରାର ହୋଇଯାଇଥିଲା। କିନ୍ତୁ ପରେ ତାଙ୍କୁ ଗିରଫ କରାଯାଇଥିଲା। କୁହାଯାଉଛି ଯେ, ଟ୍ରଲର ଗତି ବହୁତ ଅଧିକ ଥିଲା, ଯେଉଁ କାରଣରୁ ଡ୍ରାଇଭର ନିୟନ୍ତ୍ରଣ ହରାଇଥିଲେ। ପୋଲିସ ମାମଲା ରୁଜୁ କରି ଟ୍ରଲର ଡ୍ରାଇଭରଙ୍କୁ ପଚରାଉଚରା ଆରମ୍ଭ କରିଛି। ଏହି ଟ୍ରଲର ହରିୟାଣା ନମ୍ବର ବୋଲି କୁହାଯାଉଛି।

Categories
ଆଜିର ଖବର ରାଜ୍ୟ ଖବର

ଟ୍ରାକ୍ଟରରେ ପିଟି ହେଲା ବାଇକ; ଡାକ କର୍ମଚାରୀଙ୍କ ମୃତ୍ୟୁ

କନ୍ଦର୍ପ ବେହେରା
ରେଢାଖୋଲ: ଆଜି ସକାଳ ୧୦ଟାରେ କିସିଣ୍ଡା ଥାନା ଅନ୍ତର୍ଗତ କଂଚନପୁର ଠାରେ ଜନୈକ ଡାକ କର୍ମଚାରୀ ଟ୍ରାକ୍ଟରରେ ପିଟି ହୋଇ ମୃତ୍ୟୁ ବରଣ କରିଥିବା ଖବର ଜଣା ପଡିଛି। ମୃତକ ବ୍ୟକ୍ତି ଜଣକ ହେଲେ କିସିଣ୍ଡା ଗ୍ରାମର ଅରୁଣ କୁମୁରା (୫୨) ବର୍ଷ।

ପ୍ରକାଶ ଯେ, ଆଜି ପୂର୍ବାହ୍ନ ୧୦ଟା ସମୟରେ କିସିଣ୍ଡାରୁ (ଓଡି ୧୫ ଜି ୯୦୩୨) ନମ୍ବର ବିଶିଷ୍ଠ ହିରୋ ବାଇକରେ କିସିଣ୍ଡା ପୋଷ୍ଟ ଅଫିସରୁ ଡାକ ବ୍ୟାଗ୍ ନେଇ ଅରୁଣ କୁମୁରା ବଳମ ଡାକ ଘରକୁ ଆସୁଥିବା ବେଳେ ବିପରୀତ ଦିଗରୁ ଓଡି୧୫ଜି୬୬୪୬ ନମ୍ବର ବିଶିଷ୍ଟ ଟ୍ରାକ୍ଟର ଆସୁଥିବା ବେଳେ ଡାକ କର୍ମଚାରୀ ଟ୍ରାକ୍ଟର ଡାଲାରେ ପିଟି ହୋଇ ଯାଇଥିଲେ ଘଟଣା ସ୍ଥଳରେ ଡାକ କର୍ମଚାରୀଙ୍କ ମୃତ୍ୟୁ ହୋଇଯାଇଥିଲା।

ଏ ସମ୍ପର୍କରେ କିସିଣ୍ଡା ପୋଲିସ୍ ଖବର ପାଇ ଘଟଣା ସ୍ଥଳରେ ପହଂଚି ଶବକୁ ଉଦ୍ଧାର କରି ରେଢାଖୋଲ ଡାକ୍ତରଖାନାକୁ ଶବ ବ୍ୟବଚ୍ଛେଦ ପାଇଁ ପଠାଇଥିବା ବେଳେ ଉଭୟ ଗାଡିକୁ ଜବତ କରିଥିବା ଜଣାପଡିଛି। କିସିଣ୍ଡା ଥାନା କେସ୍ ନଂ୧୨୬ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରିଥିବା ପୋଲିସ ସୂତ୍ରରୁ ଜଣା ପଡିଛି।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ବାଣପୁର ଅନ୍ତରକିଆରୀ ରୋଡ଼ରେ ଟ୍ରାକ୍ଟରକୁ ଶକ୍ତ ଧକ୍କା ଦେଲା ବାଇକ: ବାଇକ ଚାଳକ ମୃତ

ସୀତାରାମ ଅଗ୍ରୱାଲ

ବାଣପୁର: ଗତକାଲି ବିଳମ୍ବିତ ରାତ୍ରିରେ ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ଅନ୍ତରକିଆରୀ ନିକଟରେ ଏକ ସଡ଼କ ଦୁର୍ଘଟଣା ଘଟିଯାଇଅଛି। ଯେଉଁଥିରେ ଜଣେ ବାଇକ ଚାଳକଙ୍କ ମୃତ୍ୟୁ ହୋଇଛି। ପ୍ରାପ୍ତ ସୂଚନା ଅନୁଯାୟୀ ବାଲୁଗାଁ ରାମପୁର ରୋଡ଼ରେ ରହୁଥିବା ସଞ୍ଜୟ ବେହେରା(୨୩) ଗତକାଲି ବିଳମ୍ବିତ ରାତ୍ରିରେ ନିଜ ସହଯୋଗୀଙ୍କ ସହ ବାଣପୁରରୁ ବାଇକ ଯୋଗେ ନିଜ ଘରକୁ ଫେରୁଥିବାବେଳେ ଅସାବଧାନତା ବଶତଃ ଅନ୍ତରକିଆରୀ ରୋଡ଼ ନିକଟରେ ଥିବା ଏକ ଟ୍ରାକ୍ଟରକୁ ଶକ୍ତ ଧକ୍କା ଦେଇଥିଲେ।

ଧକ୍କାଟି ଏତେ ଶକ୍ତ ଥିଲା ଯେ ସ୍ଥିର ଅବସ୍ଥାରେ ଥିବା ଟ୍ରାକ୍ଟର ମଧ୍ୟ କିଛି ମିଟର ଆଗକୁ ଗଡିଯାଇଥିଲା। ସଞ୍ଜୟ ଙ୍କ ଘଟଣା ସ୍ଥଳରେ ମୃତ୍ୟୁ ହୋଇଯାଇଥିବା ସ୍ଥଳେ ତାଙ୍କ ସହଯୋଗୀ ଗୁରୁତର ଆହତ ହୋଇଥିଲେ। ଖବର ପାଇ ଘଟଣାସ୍ଥଳରେ ବାଣପୁର ପୋଲିସ ପହଁଚି ସଞ୍ଜୟଙ୍କ ଶବ ଏବଂ ବାଇକ ଜବତ କରିବା ସହ ତାଙ୍କ ସହଯୋଗୀଙ୍କୁ ଚିକିତ୍ସା ପାଇଁ ବାଲୁଗାଁ ଡାକ୍ତରଖାନା ପଠାଇଥିଲେ। ଆଜି ବ୍ୟବଚ୍ଛେଦ ପରେ ପରିବାରଙ୍କୁ ଶବ ହସ୍ତାନ୍ତର କରାଯିବ ବୋଲି ସୂଚନା ମିଳିଛି।

 

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ଚିଲିକା ଷ୍ଟେସନ ପାଖ ଏନ୍‌ଏଚ୍‌ରେ ଦୁର୍ଘଟଣା: ଟ୍ରକ ପଛପଟୁ ଧକ୍କା ଦେଲେ ଟ୍ରକ

ସୀତାରାମ ଅଗ୍ରଓ୍ବାଲ

ଚିଲିକା: ଚିଲିକା ଷ୍ଟେସନ ପାଖ ଏନ୍‌ଏଚ୍‌ରେ ଏକ ଟ୍ରକ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ମିଳିଥିବା ସୂଚନା ଅନୁସାରେ ରାତ୍ରି ୨ଟା ସମୟରେ ଓଆର ୦୯ ଏନ ୫୮୨୮ ନମ୍ବରର ଆଇରନ ବୋଝେଇ ଟ୍ରକ କେନ୍ଦୁଝରରୁ ଗୋପାଳପୁର ପୋର୍ଟ ଅଭିମୁଖେ ଯାଉଥିବା ସମୟରେ ଚିଲିକା ଷ୍ଟେସନ ପାଖ ରାଜରାସ୍ତା ଉପରେ ଠିଆ ହୋଇଥିବା ଅନ୍ୟ ଏକ ଟ୍ରକକୁ ପଛଆଡ଼ୁ ଧକା ଦେଇଥିବା ଅନୁମାନ କରାଯାଉଛି। ଘଟଣାସ୍ଥଳରେ ନାଭାଲ ଫାଣ୍ଡି ଅଧିକାରୀ ଗୋବିନ୍ଦ ଗୌଡ ପହଂଚି ଗାଡି ଚାଳକଙ୍କୁ ଉଦ୍ଧାର କରିଛନ୍ତି। ଗାଡ଼ିର ଆଗପଟ ସମ୍ପୂର୍ଣ୍ଣ ନଷ୍ଟ ହୋଇ ଗାଡ଼ି ଚାଳକ କ୍ୟାବିନ ଭିତରେ ଚାପି ହୋଇ ରହିଥିବା ଦେଖିଥିଲେ। ସେ ତୁରନ୍ତ ବାଲୁଗାଁ ଅଗ୍ନିଶମ ଅଧିକାରୀ ଶ୍ରୀ ନିତ୍ୟାନନ୍ଦ ଜେନାକୁ ଯୋଗାଯୋଗ କରିଥିଲେ।

ଅଗ୍ନିଶମ ଅଧିକାରୀ କର୍ମଚାରୀଙ୍କ ସହ ଘଟଣା ସ୍ଥଳରେ ପହଂଚି କ୍ୟାବିନକୁ ଯନ୍ତ୍ରପାତି ଦ୍ୱାରା କାଟିକରି ଡ୍ରାଇଭରକୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ୧୦୮ଆମ୍ବୁଲାନ୍ସ ଯୋଗେ ବାଲୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଇଥିଲେ। ଡ୍ରାଇଭରର ଶରୀରରୁ ପ୍ରଚୁର ରକ୍ତସ୍ରାବ ହେବା ସହ ଡାହାଣ ଗୋଡ଼ଟି ଗୁରୁତର ଫ୍ୟାକଚର ହୋଇଯାଇଛି, ଏବଂ ବାମ ଗୋଡ଼ ଓ ହାତ ଫ୍ୟାକଚର  ହୋଇଯାଇଛି। ପ୍ରାଥମିକ ଚିକିତ୍ସା କରି ତାଙ୍କୁ ଗୁରୁତର ଭାବରେ ରାତି ୪ଟା ସମୟରେ କ୍ୟାପିଟାଲ ହସ୍ପିଟାଲ କୁ ସ୍ଥାନାନ୍ତର କରାଯାଇଛି ବୋଲି ବାଲୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଡାକ୍ତର ରାକେଶ ପଣ୍ଡା ସୂଚନା ଦେଇଛନ୍ତି । ଗୁରୁତର ହୋଇଥିବା ଡ୍ରାଭଇରଙ୍କ ନାମ  ମନୋଜ କୁମାର ମାଢି । ୩୫ ବର୍ଷୀୟ ଏହି ଯୁବକଙ୍କର ଘର କେନ୍ଦୁଝରର ମର୍ଚିପଡା ଗ୍ରାମରେ। ନାଭାଲ ଫାଣ୍ଡି ଅଧିକାରୀ ଓ ବାଲୁଗାଁ ଆଇଆଇସି ରମାକାନ୍ତ ମାହାଲିକ ଏହି ଘଟଣାର ତଦନ୍ତ କରୁଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

କୋକୋମୁଣ୍ଡଠାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା: ଫଟୋ ଷ୍ଟୁଡିଓ ମାଲିକ ମୃତ, ଝିଅ ଗୁରୁତର

ବବୁଲ ସାହୁ

କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା କୋକୋମୁଣ୍ଡଠାରେ ବାଇକ୍‌ ସହ କାର୍‌ର ସାମ୍ନାସାମ୍ନି ଧକ୍କା ହେବା ଫଳରେ ଜଣଙ୍କର ମୃତ୍ୟୁ ଘଟିଛି। ମୃତକଜଣକ ହେଉଛନ୍ତି କର୍ଲାମୁଣ୍ଡା ବ୍ଲକର ଜଣେ ଫଟୋ ଷ୍ଟୁଡିଓର ମାଲିକ ମାର୍କଣ୍ଡ ବାଗ୍‌। ୪୩ ବର୍ଷୀୟ ମାର୍କଣ୍ଡ ତାଙ୍କ ଝିଅ ସହ ଗତକାଲି ସନ୍ଧ୍ୟାରେ ବାଇକ୍‌ରେ ଭବାନୀପାଟଣାସ୍ଥିତ ଶୁଶୁର ଘରକୁ ଯାଉଥିବାବେଳେ କୋକୋମୁଣ୍ଡଠାରେ ସଡକ ଦୁର୍ଘଟଣାରେ ସମ୍ମୁଖୀନ ହୋଇଥିଲେ। ବିପରୀତ ଦିଗରୁ ଆସୁଥିବା ଏକ କାର୍‌ ସହିତ ତାଙ୍କ ବାଇକ୍‌ ଧକ୍କା ହେବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିବାବେଳେ ତାଙ୍କ ଝିଅ ଜଣକ ଗୁରୁତର ହୋଇଛନ୍ତି। ଗୁରୁତର ଅବସ୍ଥାରେ ଝିଅ ଜଣକ ଡାକ୍ତରଖାନାରେ ଏବେବି ଚିକିତ୍ସାଧୀନ ରହିଛନ୍ତି। ମୃତ ମାର୍କଣ୍ଡ ଜଣେ ମିଷ୍ଟଭାଷୀ କୀର୍ତ୍ତନ ଗାୟକ ଭାବେ ସମଗ୍ର ଅଞ୍ଚଳରେ ବେଶ୍‌ ଲୋକପ୍ରିୟ ଥିବାବେଳେ ତାଙ୍କର ଅକାଳ ମୃତ୍ୟୁ ଯୋଗୁଁ କର୍ଲାମୁଣ୍ଡ ପ୍ରେସ୍‌ କ୍ଲବ ତରଫରୁ ଶୋକ ପାଳନ କରାଯାଇଛି।

 

Categories
ଆଜିର ଖବର ଜାତୀୟ ଖବର ମନୋରଂଜନ ସିନେମା

ସଡକ ଦୁର୍ଘଟଣାରେ ଗୁରୁତର ଆହତ ହେଲେ ଶାବ୍‌ନା ଆଜମୀ

ମୁମ୍ବାଇ : ଅଭିନେତ୍ରୀ ଶାବ୍‌ନା ଆଜ୍‌ମୀ ସଡକ ଦୁର୍ଘଟଣାରେ ଗୁରୁତର ଆହତ ହୋଇଛନ୍ତି। ଖାଲାପୁର ଟୋଲ୍‌-ପ୍ଲାଜ୍‌ ନିକଟସ୍ଥ ପୁଣେ-ମୁମ୍ବାଇ ଏକ୍ସପ୍ରେସ୍‌ ହାଇଓ୍ବଠାରେ ତାଙ୍କ କାର୍‌ ଏକ ଟ୍ରକ୍‌କୁ ଧକ୍କା ଦେଇ ଦୁର୍ଘଟଣାଗସ୍ତ ହୋଇଛି। ଏହି ଦୁର୍ଘଟଣାରେ ଶାବ୍‌ନା ଆଜ୍‌ମୀ ଗମ୍ଭୀର ରୂପରେ ଆହତ ହୋଇଛନ୍ତି। ଶାବ୍‌ନାଙ୍କୁ ଏମ୍‌ଜିଏମ୍‌ ହସ୍ପିଟାଲ୍‌ରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ଦୁର୍ଘଟଣା ସମୟରେ ଶାବନାଙ୍କ ସହ ତାଙ୍କ ସ୍ବାମୀ ଜାଭେଦ ଅଖତର୍‌ ରହିଥିଲେ। ଜାଭେଦ ସୁରକ୍ଷିତ ରହିଥିବାବେଳେ ଗାଡିର ଡ୍ରାଇଭର ମଧ୍ୟ ଆହତ ହୋଇଛନ୍ତି। (ଏଜେନ୍ସି)