Categories
ଆଜିର ଖବର ଜାତୀୟ ଖବର

ଜାଲିଓ୍ବାନାଓ୍ବାଲାବାଗରେ ପରିଣତ ହେବ ଶାହିନ୍‌ବାଗ୍‌ : ଓଓ୍ବେସୀ

ନୂଆଦିଲ୍ଲୀ : ଶାହିନ୍‌ବାଗ୍‌ ଜାଲିଓ୍ବାନାଓ୍ବାଲାବାଗରେ ପରିଣତ ହେବ ବୋଲିଚ ମତ ଦେଇଛନ୍ତି ଏଆଇଏମ୍‌ଆଇଏମ୍‌ ମୁଖ୍ୟ ଅସଦ୍ଦୁଦ୍ଦିନ ଓଓ୍ବେସୀ । ନାଗରିକତା ସଂଶୋଧନ ଆଇନ ବିରୋଧରେ ବିଗତ 50 ଦିନ ଧରି ଆନ୍ଦୋଳନ ଚାଲିଥିବା ବେଳେ ସରକାରଙ୍କ ପକ୍ଷରୁ ଏହାକୁ ହଟାଇବା ପାଇଁ ବଳପ୍ରୟୋଗ କରାଯାଇଛି । ସରକାରଙ୍କ ପକ୍ଷରୁ ବଳ ପ୍ରୟୋଗ କରାଗଲେ ଶାହିନବାଗ ଜାଲିଓ୍ବାନାଓ୍ବାଲାବାଗରେ ପରିଣତ ହେବ ବୋଲି ଓଓ୍ବେସୀ ମତ ଦେଇଛନ୍ତି । ଜନୈକ ବିଜେପି ନେତା ଗୁଳି ମାରିବା ସ୍ଲୋଗାନ୍‌ ଦେଇଥିବା ବେଳେ ଫେବୃୟାରୀ 8 ପରେ ସେମାନେ ଗୁଳି ମଧ୍ୟ ଚଳାଇ ପାରନ୍ତି ବୋଲି ଓଓ୍ବେସୀ ପ୍ରକାଶ କରିଛନ୍ତି । ସେହିପରି ଏନ୍‌ପିଆରରେ ସରକାର କାହିଁକି 3900 କୋଟି ଅପଚୟ କରୁଛନ୍ତି ବୋଲି ଓଓ୍ବେସୀ କହିଥିଲେ । ଇତିହାସ ସାକ୍ଷୀ ଅଛି ହିଟ୍‌ଲର ମଧ୍ୟ ଦୁଇଥର ଜନଗଣନା ପରେ ଇହୁଦୀଙ୍କୁ ଗ୍ୟାସ ଚାମ୍ବରରେ ଛାଡିଥିଲେ । ଭାରତରେ ଏପରେ ନହେବା ଉଚିତ୍‌ ବୋଲି ଓଓ୍ବେସୀ ମତ ଦେଇଥିଲେ । ଏନ୍‌ପିଆର ଏବଂ ଏନ୍‌ଆରସି ଗୋଟିଏ ମୁଦ୍ରାର ଦୁଇ ପାର୍ଶ୍ବ ବୋଲି ଓଓ୍ବେସୀ କହିଛନ୍ତି । (ଏଜେନ୍ସି)

Categories
ବିଶେଷ ଖବର

ଗଣମାଧ୍ୟମର ବିଚିତ୍ର ଗଣିତ, ଦିଲ୍ଲୀ ନିର୍ବାଚନର ଏ ପ୍ରକାର ଭବିଷ୍ୟବାଣୀକୁ କିଏ ବା କାହିଁକି ବିଶ୍ଵାସ କରିବ??

କେଦାର ମିଶ୍ର

ଦିଲ୍ଲୀ ନିର୍ବାଚନକୁ ଆଉ ମାତ୍ର ଚାରି ଦିନ ବାକି। ଦୁଇ ଦିନ ପରେ ନିର୍ବାଚନ ପ୍ରଚାର ସରିବ। ସେମିତି ଏକ ସମୟରେ ଦେଶର ପ୍ରମୁଖ ଗଣମାଧ୍ୟମ ସଂସ୍ଥା “ଟାଇମ୍ସ ଅଫ ଇଣ୍ଡିଆ” ଏକ ଜନମତ ସର୍ବେକ୍ଷଣ ପ୍ରକାଶ କରିଛି। ଏହି ସର୍ବେକ୍ଷଣ ଅନୁଯାୟୀ ଦିଲ୍ଲୀରେ ସର୍ବ ମୋଟ ୭୦ ବିଧାନସଭା ଆସନରୁ ଅରବିନ୍ଦ କେଜ୍ରିୱାଲଙ୍କ ଆମ ଆଦମୀ ପାର୍ଟି ୫୪ ରୁ ୬୦ ଆସନ ପାଇବ ବୋଲି ଭବିଷ୍ୟବାଣୀ କରାଯାଇଛି। ମୋଟାମୋଟି ପ୍ରାୟ ସବୁ ଗଣମାଧ୍ୟମର ନିର୍ବାଚନ ପ୍ରାକ ଆକଳନ ଅନୁଯାୟୀ ଦିଲ୍ଲୀରେ ଆମ ଆଦମୀ ପାର୍ଟିର ପ୍ରଦର୍ଶନ ବହୁତ ଭଲ ରହିବ।  ଦିଲ୍ଲୀ ରାଜନୀତି ବିଷୟରେ ଜାଣିବା ଶୁଣିବା ଲୋକଙ୍କର କହିବା କଥା ହେଉଛି, ଦିଲ୍ଲୀରେ କେଜ୍ରିୱାଲ ହାୱା ପ୍ରବଳ ବେଗରେ ପ୍ରବାହିତ ହେଉଛି, ତେଣୁ ଆମ ଆଦମୀ ପାର୍ଟିର ବିଜୟ ସେଠାରେ ସ୍ଵାଭାବିକ।

ଆମେ ଦିଲ୍ଲୀ ନିର୍ବାଚନର ଫଳାଫଳ ବିଷୟରେ କିଛି କହିବାକୁ ଚାହୁଁନୁ। କାରଣ ସେ ସମ୍ପର୍କରେ ପ୍ରତ୍ୟକ୍ଷ ଅନୁଭବ ବା ସୂଚନା ଆମ ପାଖରେ ନାହିଁ। କୌଣସି ଗଣମାଧ୍ୟମ ସଂସ୍ଥାର ଜନମତ ସର୍ବେକ୍ଷଣକୁ ନେଇ ଆମର ଘୋର ସନ୍ଦେହ ସବୁବେଳେ ରହି ଆସିଛି। ଆଜି ମଧ୍ୟ ସେ ସନ୍ଦେହ ଅଛି ଓ ଆଗକୁ ମଧ୍ୟ ରହିବ। “ଟାଇମ୍ସ ଅଫ ଇଣ୍ଡିଆ”ର ପୂର୍ବାନୁମାନ ସହିତ ଏହି ସଂସ୍ଥାର ଉଦ୍ଦେଶ୍ୟକୁ ନେଇ ଆମେ କିଛି ପ୍ରଶ୍ନ ପଚାରିବାକୁ ବାଧ୍ୟ। ଆମ ଆଦମି ପାର୍ଟି ଓ ବିଜେପି ମଧ୍ୟରେ ଦିଲ୍ଲୀ ବିଧାନସଭାକୁ ନେଇ ଚାଲିଥିବା ମୁକାବିଲାରେ ଆପର ବିଜୟ ସମ୍ଭାବନା ହୁଏତ  ସତ ହୋଇପାରେ। ତେବେ ସତ ମିଛର ଏ ଖେଳରେ ଯେଉଁ ଉଦ୍ଦେଶ୍ୟ ପ୍ରଣୋଦିତ ଧୂର୍ତ୍ତାମୀ ଏହି ସର୍ବେକ୍ଷଣରେ ରହିଛି, ସେକଥା ଆଲୋଚନା ହେବା ଜରୁରୀ। ଦିଲ୍ଲୀ ବିଧାନସଭା ନିର୍ବାଚନରେ ଆପ ଓ ବିଜେପିର ବିଜୟ ସମ୍ଭାବନା ଭିତରେ ଗୋଟେ ବଡ ବ୍ୟବଧାନ ରହିଛି। ନିର୍ବାଚନୀ ସମୀକରଣ ଅନୁସାରେ ଦୁଇ ଦଳ ଭିତରେ ସମ୍ଭାବ୍ୟ ଭୋଟର ବ୍ୟବଧାନ ହେଉଛି ୧୮%। ଆପକୁ ୫୨% ଭୋଟ ମିଳିବାର ସମ୍ଭାବନା ଥିବା ବେଳେ ବିଜେପିକୁ ମିଳିପାରେ ମାତ୍ର ୩୪% ଭୋଟ। ଏ ପ୍ରକାର ବ୍ୟବଧାନ ଯଦି ସତରେ ରହେ ତାହେଲେ, ୫୪-୬୦ ନୁହଁ, ବରଂ ୬୭-୭୦ ଆସନର ସମ୍ଭାବନା ରହିବ। ପୁଣି ଥରେ କହି ରଖୁଛୁ, ଏ ପ୍ରକାର ଆକଳନ ବା ଭବିଷ୍ୟବାଣୀ କଦାପି ବିଶ୍ୱାସଯୋଗ୍ୟ ନୁହେଁ। ହରିୟାନା ଓ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ସମୟରେ ଉଭୟ ଜନମତ ସର୍ବେକ୍ଷଣ ଓ ଏଗଜିଟ ପୋଲ ବିଫଳ ପ୍ରମାଣିତ ହୋଇଥିଲେ।

ଏ କ୍ଷେତ୍ରରେ ଦିଲ୍ଲୀ ବିଧାନସଭା ପାଇଁ ଆକଳନ କେବଳ ଉପଲକ୍ଷ୍ୟ ନୁହେଁ। ଯଦି ଦିଲ୍ଲୀରେ ବିଜେପି ହାରେ ତାହେଲେ, ସେଥିରୁ ମୁକୁଳିବାର ବାଟ ଏହି ସର୍ବେକ୍ଷଣ ତିଆରି କରିଛି। କେଜ୍ରିୱାଲ ଓ ଆମ ଆଦମି ପାର୍ଟି ର ଲୋକପ୍ରିୟତା କଥା କହିବାକୁ ଯାଇ, ସମାନ୍ତରାଳରେ ଏହି ସର୍ବେକ୍ଷଣ ନରେନ୍ଦ୍ର ମୋଦୀଙ୍କ ଲୋକପ୍ରିୟତା କଥା ମଧ୍ୟ ଟାଣି ଓଟାରି ଆଲୋଚନା କରାଯାଇଛି। ଦିଲ୍ଲୀ ନିର୍ବାଚନରେ ମୋଦୀ ତ ପ୍ରାର୍ଥୀ ନୁହନ୍ତି, ସେ କେବଳ ପ୍ରଚାରକ। ଯଦି ତାଙ୍କର ଲୋକପ୍ରିୟତା ବଜାୟ ରହିଛି, ତାହେଲ ବିଜେପି ଦିଲ୍ଲୀରେ ହାରିବ କାହିଁକି? ଦିଲ୍ଲୀ ହାରିଲେ ମଧ୍ୟ ମୋଦୀ ମେଜିକ ବଜାୟ ଅଛି ବୋଲି କହିବାର ଏକ ଭିତିରି ଉଦ୍ଦେଶ୍ୟ ଏହି ସର୍ବେକ୍ଷଣ ରେ ରହିଛି।ସାଧାରଣ ନିର୍ବାଚନ ପରବର୍ତ୍ତୀ  ଗତ ଚାରୋଟି ଯାକ ବିଧାନସଭା ନିର୍ବାଚନରେ ବିଜେପିର ବିଫଳତାକୁ ମୋଦୀଙ୍କ ସଫଳତା ବୋଲି କହିବାର ଏହା ଏକ ଉଦ୍ଭଟ ଉଦ୍ୟମ ନୁହେଁ କି?

ଦିଲ୍ଲୀରେ ବିଜେପି ନେତାମାନେ କହୁଛନ୍ତି, ସେମାନେ ଶାହୀନ ବିରୋଧରେ ନିର୍ବାଚନ ଲଢୁଛନ୍ତି। ତାଙ୍କ ପାଇଁ ମୁଖ୍ୟ ଶତ୍ରୁ କେଜ୍ରିୱାଲ ନୁହନ୍ତି, ବରଂ ସେମାନେ ଶାହିନ ବାଗରେ ପ୍ରତିବାଦ କରୁଥିବା ସାଧାରଣ ଜନତାଙ୍କ ବିରୋଧରେ ଲଢୁଛନ୍ତି ବୋଲି କହୁଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଅମିତ ଶାହ ଦିଲ୍ଲୀରେ ବୁଲି ବୁଲି ଶାହିନ ବାଗ ପ୍ରସଙ୍ଗରେ ଭୋଟ ମାଗୁଛନ୍ତି। ତେଣୁ ଦିଲ୍ଲୀରେ ଯଦି ବିଜେପି ହାରେ ତାହା ହେଲେ ସେଥିରେ ଶାହିନ ବାଗର ବିଜୟ ହେବା ସୁନିଶ୍ଚିତ।

“ଟାଇମ୍ସ ଅଫ ଇଣ୍ଡିଆ” ଦିଲ୍ଲୀ ବିଜୟ ପାଇଁ କେଜ୍ରିୱାଲଙ୍କୁ ନାୟକ କରି ଦେଖାଇବାକୁ ଚାହୁଁଥିବା ବେଳେ ଶାହିନ ବାଗକୁ ଖଳ ନାୟକ କରି ରଖିବାର ଚତୁର ଷଡଯନ୍ତ୍ର ତିଆରି କରିଛି। ୫୪% ଲୋକ ଆପକୁ ଭୋଟ ଦେବେ, ହେଲେ ଆଜି ଯଦି ଲୋକସଭା ନିର୍ବାଚନ ହୁଏ ତାହେଲେ ବିଜେପି ୪୬% ଓ ଆପ ୩୮% ଭୋଟ ପାଇବେ ବୋଲି କୁହାଯାଇଛି। ସମାନ୍ତରାଳ ନିର୍ବାଚନରେ କେବେ ବି ଏତେ ବଡ ବ୍ୟବଧାନ ହୁଏନି, ଏକଥା ବୋଧେ ସର୍ବେକ୍ଷଣ ସଂସ୍ଥା ଜାଣନ୍ତି ନାହିଁ।

ବିଜେପି ଯେମିତି ଟାଣି ଓଟାରି ଶାହିନ ବାଗକୁ ନିଜ ନିର୍ବାଚନୀ ପ୍ରସଙ୍ଗ କରିଛି ଏହି ସର୍ବେକ୍ଷଣ ମଧ୍ୟ ଜାଣି ଶୁଣି ଶାହିନ ବାଗକୁ ନିଜର ଭୋଟ ଭିତରକୁ ଟାଣିଛି। ୫୨% ଲୋକ କୁଆଡେ ଶାହିନ ବାଗକୁ ବିରୋଧ କରୁଛନ୍ତି, ହେଲେ ୫୪% ଲୋକ ବିଜେପି ବିରୋଧରେ ଭୋଟ ଦେଉଛନ୍ତି।

ଛଳନା ଓ ଷଡଯନ୍ତ୍ରର ବି ଗୋଟେ ସୀମା ଥାଏ, ଏକଥା ଗଣମାଧ୍ୟମ ଯଦି ନ ବୁଝେ ତାହେଲେ, ଲୋକେ ଆମକୁ ବିଶ୍ଵାସ କରିବା ଦୂରେ ଥାଉ, ଆମକୁ ଦେଖିଲେ, ଥୁ ଥୁ କରିବା ଆରମ୍ଭ କରିବେ!!

Categories
ଆଜିର ଖବର ଜାତୀୟ ଖବର

ଶାହିନ୍‌ବାଗ୍‌ ଗୁଳିଚାଳନାକାରୀ ଆପ୍‌ର ସଦସ୍ୟ !

ନୂଆଦିଲ୍ଲୀ : ନୂଆଦିଲ୍ଲୀର ଶାହିନ୍‌ବାଗରେ କରାଯାଇଥିବା ଗୁଳିଚାଳନାରେ ସମ୍ପୃକ୍ତ ବ୍ୟକ୍ତି ଆପ୍‌ର ସଦସ୍ୟ ବୋଲି ଜଣାପଡିଛି । 2019ରେ କପିଲ ଗୁଜ୍ଜର ନାମକ ଉକ୍ତ ବ୍ୟକ୍ତି ଜଣକ ଆପ୍‌ରେ ଯୋଗ ଦେଇଥିଲେ । ନିଜ ପିତାଙ୍କ ସହିତ ଦଲ୍ଲୁପୁରା ନିବାସୀ କପିଲ୍‌ ଆପ୍‌ରେ ଯୋଗ ଦେଇଥିଲେ । ଉକ୍ତ କାର୍ଯ୍ୟକ୍ରମର ଏକ ଫଟୋ କପିଲଙ୍କ ଫୋନ୍‌ରୁ ଉଦ୍ଧାର କରାଯାଇଛି । ହିନ୍ଦୁ ରାଷ୍ଟ୍ର ଜିନ୍ଦାବାଦ ବୋଲି ସ୍ଲୋଗାନ୍‌ ଦେଇ ଜାନୁୟାରୀ 1 ତାରିଖରେ କପିଲ୍‌ ଦୁଇ ରାଉଣ୍ଡ ଗୁଳି ଚଳାଇଥିଲେ । ଆପ୍‌ର ବରିଷ୍ଠ ନେତା ଆତିଶି ମାର୍ଲେନା ଏବଂ ସଞ୍ଜୟ ସିଂଙ୍କ ଉପସ୍ଥିତିରେ କପିଲ୍‌ ଏବଂ ତାଙ୍କ ପିତା ଆପ୍‌ରେ ଯୋଗ ଦେଇଥିଲେ । କପିଲଙ୍କ ଫୋନ୍‌ରୁ ମିଳିଥିବା ଫଟୋରୁ ଏହା ଜଣାପଡିଛି । (ଏଜେନ୍ସି)

Categories
ଆଜିର ଖବର ଜାତୀୟ ଖବର

ଜାମିଆ ପରେ ଶାହିନ୍‌ବାଗ : ପ୍ରତିବାଦକାରୀଙ୍କ ଉପରକୁ ଗୁଳିଚାଳନା

ନୂଆଦିଲ୍ଲୀ : ଶାହିନବାଗରେ ପ୍ରତିବାଦକାରୀଙ୍କ ଉପରକୁ ଗୁଳିଚାଳନା । ଜାତୀୟ ରାଜନୀତିରେ ଗୁଳି ଚଳାଇବା ବର୍ତ୍ତମାନ ଏକ ଫ୍ୟାଶନରେ ପରିଣତ ହୋଇଛି । ଜାମିଆରେ ପ୍ରତିବାଦକାରୀଙ୍କ ଉପରକୁ ଗୁଳିଚାଳନାର ଦୁଇ ଦିନ ପରେ ଆଜି ଶାହିନ୍‌ବାଗରେ ମଧ୍ୟ ସମାନ ଘଟଣା ଦେଖିବାକୁ ମିଳିଛି । ଗୁଳିଚାଳନାକାରୀ ଜଣକ ବନ୍ଧୁକ କାଢି ଉପରକୁ ଗୁଳିଚାଳନା କରିଥିଲେ । ଅଭିଯୁକ୍ତଙ୍କୁ ଦିଲ୍ଲୀ ପୋଲିସ୍‌ ପକ୍ଷରୁ ତୁରନ୍ତ ଗିରଫ କରାଯାଇଥିଲା । ଅଭିଯୁକ୍ତଙ୍କ ନାମ ପ୍ରକାଶ କରାଯାଇନଥିବା ବେଳେ ଅଭିଯୁକ୍ତଙ୍କୁ ଅଟକ ରଖାଯାଇଥିବା ନେଇ ଦିଲ୍ଲୀ ଡିସିପି ଚିନ୍ମୟ କୁମାର ବିଶ୍ବାଳ ସୂଚନା ଦେଇଛନ୍ତି । (ଏଜେନ୍ସୀ)

Categories
ଆଜିର ଖବର ଜାତୀୟ ଖବର

ପ୍ରବେଶ ବର୍ମା ଏବଂ ଅନୁରାଗ ଠାକୁରଙ୍କ ବିରୋଧରେ ରିପୋର୍ଟ ଦାଖଲ କଲେ ନିର୍ବାଚନ କମିଶନର

ନୂଆଦିଲ୍ଲୀ : ଦିଲ୍ଲୀ ବିଧାନସଭା ନିର୍ବାଚନ ପୂର୍ବରୁ ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗରେ ଅନୁରାଗ ଠାକୁର ଏବଂ ପ୍ରବେଶ ବର୍ମାଙ୍କ ବିରୋଧରେ ଆଦର୍ଶ ଆଚରଣ ବିଧି ଉଲ୍ଲଂଘନର ରିପୋର୍ଟ ଦାଖଲ କରିଛନ୍ତି ମୁଖ୍ୟ ନିର୍ବାଚନ କମିଶନର । ଠାକୁର ଏକ ରାଲିରେ ଦେଶ କେ ଗଦ୍ଦାରୋ ନାରା ବାଜି କରିଥିବା ବେଳେ ବର୍ମା ଶାହିନ୍‌ବାଗ୍‌କୁ ନେଇ ଏକ ଧାର୍ମିକ ଟ୍ବିଟ୍‌ କରିଥିଲେ । ଉଭୟଙ୍କ ବିରୋଧରେ ଆଦର୍ଶ ଆଚରଣବିଧି ଉଲ୍ଲଂଘନର ଅଭିଯୋଗ ଆସିଥିବାରୁ ଦିଲ୍ଲୀର ମୁଖ୍ୟ ନିର୍ବାଚନ କମିଶନର ଏହାକୁ ନେଇ ନିଜର ରିପୋର୍ଟ ପ୍ରଦାନ କରିଛନ୍ତି । (ଏଜେନ୍ସୀ)

Categories
ଆଜିର ଖବର ଜାତୀୟ ଖବର

ଜେହାନାବାଦରୁ ଗିରଫ ହେଲେ ଶର୍ଜିଲ୍‌ ଇମାମ୍‌

ଜେହାନାବାଦ : ଜେହାନାବାଦରୁ ଗିରଫ ହୋଇଛନ୍ତି ଶର୍ଜିଲ୍‌ ଇମାମ୍‌ । ଦେଶଦ୍ରୋହ ମାମଲାରେ ଦିଲ୍ଲୀ ପୋଲିସ୍‌ ବିହାରର ଜେହାନାବାଦରୁ ଶର୍ଜିଲଙ୍କୁ ଗିରଫ କରିଛି । ଉତ୍ତେଜନା ସୃଷ୍ଟିକାରୀ ଭାଷଣ ଏବଂ ଦେଶଦ୍ରୋହ ଅଭିଯୋଗରେ ମଙ୍ଗଳବାର ଦିନ ଦିଲ୍ଲୀ ପୋଲିସ୍‌ ଶର୍ଜିଲଙ୍କୁ ଗିରଫ କରାଯାଇଛି । ଗତକାଲି ଶର୍ଜିଲ୍‌ଙ୍କ ବାସଭବନରେ ଚଢାଉ କରାଯାଇ ତାଙ୍କ ମାଙ୍କ ସମେତ ତିନି ଜଣଙ୍କୁ ଅଟକ ରଖି ପଚରା ଉଚୁରା କରାଯାଇଥିଲା । ମଙ୍ଗଳବାର ତାଙ୍କ ଭାଇଙ୍କୁ ପୋଲିସ୍‌ ଗିରଫ କରିବା ପରେ ମଙ୍ଗଳବାର ଅପରାହ୍ନରେ ଜେହାନାବାଦରୁ ପୋଲିସ୍‌ ଇମାମଙ୍କୁ ଗିରଫ କରିବାରେ ସକ୍ଷମ ହୋଇଥିଲା । ଉଲ୍ଲେଖଯୋଜ୍ୟ ଯେ, ଆଇଆଇଟି ମୁମ୍ବାଇର କମ୍ପ୍ୟୁଟର ସାଇନ୍ସ ସ୍ନାତକ ସର୍ଜିଲ୍‌ ଶାହିନବାଗରେ ନିଜ ଭାଷଣରେ ଦେଶବିରୋଧୀ ମନ୍ତବ୍ୟ ଦେଇଥିଲେ । (ଏଜେନ୍ସୀ)

Categories
ଆଜିର ଖବର ଜାତୀୟ ଖବର

ଦେଶଦ୍ରୋହ ମାମଲା ସହିତ ଜେଏନ୍‌ୟୁ ଛାତ୍ରଙ୍କ ଘର ଉପରେ ରେଡ୍‌

ଜେହାନାବାଦ : ଜେଏନ୍‌ୟୁର ଜଣେ ଛାତ୍ରଙ୍କ ବିରୋଧରେ ଦେଶଦ୍ରୋହ ମାମଲା ରୁଜୁ କରାଯିବା ସହିତ ତାଙ୍କ ଘର ଉପରେ ପୋଲିସ୍‌ର ଚଢାଉ କରାଯାଇଛି । ଜେଏନ୍‌ୟୁ ଛାତ୍ର ସର୍ଜିଲ୍‌ ଇମାମ୍‌ ଦେଶ ବିରୋଧୀ ବୟାନ ଦେଇଥିବା କାରଣରୁ ତାଙ୍କ ଘର ଉପରେ ପୋଲିସ୍‌ ପକ୍ଷରୁ ଚଢାଉ କରାଯାଇଛି । ନର୍ଥଇଷ୍ଟ ଅଞ୍ଚଳରେ ଅଶାନ୍ତି ସୃଷ୍ଟି କରିବା ସହିତ ଭାରତକୁ ଖଣ୍ଡ ବିଖଣ୍ଡିତ କରିବା ନେଇ ସର୍ଜିଲ ଶାହିନବାଗରେ ନିଜ ଭାଷଣରେ ପ୍ରକାଶ କରିଥିଲେ । ଆଇଆଇଟି ମୁମ୍ବାଇର କମ୍ପ୍ୟୁଟର ସାଇନ୍ସ ସ୍ନାତକ ସର୍ଜିଲ୍‌ଙ୍କ ଘର ଉପରେ ଜେହାନାବାଦ କମିଶନରେଟ ପୋଲିସ୍‌ ପକ୍ଷରୁ ଚଢାଉ କରାଯାଇଥିଲା । ସର୍ଜିଲ୍‌ ମିଳିନଥିବା ବେଳେ ତାଙ୍କର ଡ୍ରାଇଭର ଏବଂ ଦୁଇ ଜଣ ସମ୍ପର୍କୀୟଙ୍କୁ ପୋଲିସ୍‌ ଅଟକ ରଖି ପଚରା ଉଚୁରା କରିଥିଲା । ପରେ ତିନି ଜଣଙ୍କୁ ଛାଡି ଦିଆଯାଇଥିବା ନେଇ ଜେହାନାବାଦ କମିଶନର ମନୀଷ କୁମାର ସୂଚନା ଦେଇଛନ୍ତି ।(ଏଜେନ୍ସୀ)