Categories
ଆଜିର ଖବର

ତେଲେଙ୍ଗାନା ପୋଲିସ୍‌ର ଏନ୍‌କାଉଣ୍ଟର : ବିଭିନ୍ନ କ୍ରୀଡାବିତଙ୍କ ପ୍ରଶଂସା

ନୂଆଦିଲ୍ଲୀ,6/12: ତେଲେଙ୍ଗାନା ପୋଲିସ୍‌ର ଏନ୍‌କାଉଣ୍ଟରକୁ ବିଭିନ୍ନ କ୍ରୀଡାବିତଙ୍କ ପକ୍ଷରୁ ପ୍ରଶଂସା କରାଯାଇଛି । ଶୁକ୍ରବାର ସକାଳୁ ତେଲେଙ୍ଗାନା ପୋଲିସ୍‌ ପକ୍ଷରୁ ଏନ୍‌କାଉଣ୍ଟରରେ 4 ଦୁଷ୍କର୍ମକାରୀଙ୍କ ଏନ୍‌କାଉଣ୍ଟର କରାଯାଇଥିଲା । ଫୋଗତ ଭଗିନୀଙ୍କ ସହିତ ସାଇନା ନେହ୍ବାଲ, ଯୋଗେଶ୍ବର ଦତ୍ତ ଏବଂ ହରଭଜନ ସିଂ ତେଲେଙ୍ଗାନା ପୋଲିସର ଉଦ୍ୟମକୁ ପ୍ରଶଂସା କରିଛନ୍ତି । ହାଇଦ୍ରାବାଦ ପୋଲିସର କାର୍ଯ୍ୟ ପ୍ରଶଂସନୀୟ ଏବଂ ଏପରି ବୀରତ୍ବ ପାଇଁ ସେମାନଙ୍କୁ ପ୍ରଣାମ ବୋଲି ଟ୍ବିଟ୍‌ କରିଛନ୍ତି ବ୍ୟାଡମିଣ୍ଟନ ଷ୍ଟାର ସାଇନା ନେହ୍ବାଲ । ରାକ୍ଷସ ମାନଙ୍କର ଏନ୍‌କାଉଣ୍ଟର କରିଥିବାରୁ ହାଇଦ୍ରାବାଦ ପୋଲିସକୁକ ଧନ୍ୟବାଦ ବୋଲି ଟ୍ବିଟ୍‌ କରିଛନ୍ତି ଗୀତା ଫୋଗତ । ହାଇଦ୍ରାବାଦ ପୋଲିସ୍‌ର ଉଦ୍ୟମ କାରଣରୁ ସମ୍ପୂର୍ଣ୍ଣ ଦେଶ ଉତ୍ସବ ମନାଉଛି । ଦେଶର ମହିଳାଙ୍କ ମଧ୍ୟରେ ଏକ ନୂତନ ଉତ୍ସାହ ସୃଷ୍ଟି କରିଥିବାରୁ ହାଇଦ୍ରାବାଦ ପୋଲିସକୁ ଧନ୍ୟବାଦ ଜଣାଇ ଟ୍ବିଟ କରିଛନ୍ତି ବବିତା ଫୋଗତ । ହାଇଦ୍ରାବାଦ ଏନ୍‌କାଉଣ୍ଟରର ଖବର ଶୁଣି ହୃଦୟକୁ ଶାନ୍ତି ମିଳିଲା ବୋଲି କୁସ୍ତି ଯୋଦ୍ଧା ଯୋଗେଶ୍ବର ଦତ୍ତ ଟ୍ବିଟ୍‌ କରିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ କ୍ରିକେଟର ହରଭଜନ ସିଂ ମଧ୍ୟ ଏନକାଉଣ୍ଟରକୁ ସମର୍ଥନ କରିଛନ୍ତି । ଏହି ଏନକାଉଣ୍ଟର ପାଇଁ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ଏବଂ ହାଇଦ୍ରବାଦ ପୋଲିସ୍‌କୁ ଧନ୍ୟବାଦ ଜଣାଇଛନ୍ତି ହରଭଜନ ସିଂ । (ଏଜେନ୍ସୀ)

Categories
ଆଜିର ଖବର

ପ୍ରିମିୟର ବ୍ୟାଡମିଣ୍ଟନ ଲିଗ୍‌ରୁ ଓହରିଲେ ସାଇନା ଓ ଶ୍ରୀକାନ୍ତ

ମୁମ୍ବାଇ,26/11: ପ୍ରିମିୟର ବ୍ୟାଡମିଣ୍ଟନ ଲିଗ୍‌ ନିଲାମୀର ଗୋଟିଏ ଦିନ ପୂର୍ବରୁ ଦୁଇ ଭାରତୀୟ ଖେଳାଳି ଏହି ଟୁର୍ଣ୍ଣାମେଣ୍ଟରୁ ଓହରି ଯାଇଛନ୍ତି । ବ୍ୟାଡମିଣ୍ଟନ ଷ୍ଟାର ସାଇନା ନେହ୍ବାଲ ଏବଂ କିଦାମ୍ବୀ ଶ୍ରୀକାନ୍ତ ଏହି ଟୁର୍ଣ୍ଣାମେଣ୍ଟରୁ ଓହରି ଯାଇଛନ୍ତି । ଆସନ୍ତାକାଲି ନିଲାମୀ ଅନୁଷ୍ଠିତ ହେବାକୁ ଥିବା ବେଳେ ଏହି ଦୁଇଖେଳାଳିଙ୍କ ଅନୁପସ୍ଥିତି୍ ଫ୍ରାଞ୍ଚାଇଜିଙ୍କ ପାଇଁ ଅଡୁଆ ପରସ୍ଥିତି ସୃଷ୍ଟି କରିଛି । ସ୍ବାସ୍ଥ୍ୟଗତ କାରଣରୁ ସାଇନା ଏହି ଟୁର୍ଣ୍ଣାମେଣ୍ଟରୁ ଓହରି ଯାଇଥିବା ବେଳେ ବିଭିନ୍ନ ଅନ୍ତର୍ଜାତୀୟ ମୁକାବିଲାର ପ୍ରସ୍ତୁତି ପାଇଁ ଶ୍ରୀକାନ୍ତ ଓହରି ଥିବା ସ୍ପଷ୍ଟୀକରଣ ଦେଇଛନ୍ତି । ଉଭୟ ଖେଳାଳି ସୋସିଆଲ ମିଡିଆରେ ଏହି ଘୋଷଣା କରିଛନ୍ତି । ଏହା ସହିତ ନିଜ ନିଜର ଫ୍ରାଞ୍ଚାଇଜିକୁ ଟୁର୍ଣ୍ଣାମେଣ୍ଟ ପାଇଁ ଶୁଭେଚ୍ଛା ଜଣାଇଛନ୍ତି ଉଭୟ ଖେଳାଳି । (ଏଜେ୍ନ୍ସି)

Categories
ଆଜିର ଖବର

ଏସିଆନ୍‌ ବ୍ୟାଡମିଣ୍ଟନ୍‌ ଚାମ୍ପିୟନ୍‌ସିପ୍‌ : କ୍ବାର୍ଟରରେ ସାଇନା ଓ ସିନ୍ଧୁ

ଭାରତୀୟ ବ୍ୟାଡମିଣ୍ଟନ ଷ୍ଟାର ପିଭି ସିନ୍ଧୁ ଏବଂ ସାଇନା ନେହ୍ବାଲ ଏସିଆନ୍‌ ବ୍ୟାଡମିଣ୍ଟନ୍‌ ଚାମ୍ପିୟନ୍‌ସିପ୍‌ର କ୍ବାର୍ଟର ଫାଇନାଲ୍‌ରେ ପ୍ରବେଶ କରିଛନ୍ତି। ଗୁରୁବାର ଉଭୟ ମହିଳା ଖେଳାଳି କ୍ବାର୍ଟରରେ ପ୍ରବେଶ କରିଥିବା ବେଳେ ମିକ୍ସଡ ଡବଲ୍‌ସ ଯୋଡି ଉତ୍କର୍ଷ ଅରୋରା ଏବଂ କରିସ୍ମା ଓ୍ବାଡେକର ଦ୍ବିତୀୟ ରାଉଣ୍ଡରୁ ବିଦାୟ ନେଇଛନ୍ତି। ସାଇନା ମାତ୍ର ୩୮ ମିନିଟ୍‌ ସମୟରେ କୋରିଆର କିମ୍‌ ଗା ଇଉନ୍‌ଙ୍କୁ ପରାସ୍ତ କରିଥିଲେ। ଟୁର୍ଣ୍ଣାମେଣ୍ଟରେ ସପ୍ତମ ସିଡ୍‌ର ମାନ୍ୟତା ପାଇଥିବା ସାଇନାଙ୍କ ପରବର୍ତ୍ତୀ ମୁକାବିଲା ତୃତୀୟ ସିଡ୍‌ ଆକାନେ ୟାମାଗୁଚିଙ୍କ ସହିତ ହେବ। ଅନ୍ୟ ପକ୍ଷରେ ସିନ୍ଧୁ ମାତ୍ର ୩୩ ମିନିଟ୍‌ ସମୟ ନେଇ ଇଣ୍ଡୋନେସିଆର ଚୋଇ ରିନ୍ନୁସାଙ୍କୁ ୨୧-୧୫ ଏବଂ ୨୧-୧୯ ସେଟ୍‌ରେ ପରାସ୍ତ କରିଥିଲେ। ଟୁର୍ଣ୍ଣାମେଣ୍ଟର ଷଷ୍ଠ ସିଡ୍‌ର ମାନ୍ୟତା ପାଇଥିବା ସିନ୍ଧୁ ନିଜର ପରବର୍ତ୍ତୀ ମୁକାବିଲାରେ ଅଣ ସିଡେଡ୍‌ ଚୀନ୍‌ର କାଇ ୟାନ୍‌ଗାନ୍‌ଙ୍କୁ ଭେଟିବେ। ଭାରତୀୟ ପୁରୁଷ ଏକକ ବର୍ଗ ଖେଳାଳି ସମୀର ବର୍ମା ମଧ୍ୟ କ୍ବାର୍ଟରରେ ପ୍ରବେଶ କରିଛନ୍ତି  ସମୀର ୨୧-୧୨ ଏବଂ ୨୧-୧୯ ସେଟ୍‌ରେ ହଂକଂର ଆଙ୍ଗ କା ଲଙ୍ଗଙ୍କୁ ପରାସ୍ତ କରିଛନ୍ତି।

Categories
ଆଜିର ଖବର

ସିଙ୍ଗାପୁର ଓପନ ବ୍ୟାଡମିଣ୍ଟନ୍‌ : କ୍ବାର୍ଟରରେ ସିନ୍ଧୁ ଓ ସାଇନା, କଶ୍ୟପ ବିଦା

ସିଙ୍ଗାପୁର ଓପନ ଦ୍ବିତୀୟ ଦିବସରେ ଭାରତୀୟ ଖେଳାଳି ଚମତ୍କାର ପ୍ରଦର୍ଶନ କରିଛନ୍ତି। ଭାରତୀୟ ଖେଳାଳିଙ୍କ ମଧ୍ୟରେ ପିଭି ସିନ୍ଧୁ ଏବଂ ସାଇନା ନେହ୍ବାଲ କ୍ବାର୍ଟର ଫାଇନାଲ୍‌ରେ ପ୍ରବେଶ କରିଛନ୍ତି। ଡେନମାର୍କର ମିଆ ବିକ୍‌ଫେଲ୍ଟଙ୍କ ବିପକ୍ଷରେ ପିଭି ସିନ୍ଧୁ ମାତ୍ର ୩୯ ମିନିଟ୍‌ ସମୟ ନେଇ ବିଜୟୀ ହୋଇଥିଲେ। ମିଆଙ୍କୁ ୨୧-୧୩ ଏବଂ ୨୧-୧୯ ସିଧାସଳଖ ସେଟ୍‌ରେ ପରାସ୍ତ କରି କ୍ବାର୍ଟର ଫାଇନାଲ୍‌ରେ ପହଞ୍ଚିଥିଲେ ଏହି ଅଲମ୍ପିକ ରୌପ୍ୟପଦକ ବିଜୟିନୀ। ସିନ୍ଧୁ ନିଜର ଆଗାମୀ ମୁକାବିଲାରେ ଚୀନ୍‌ର କାଇ ୟାନ୍‌ଜାନ୍‌ଙ୍କୁ ଭେଟିବେ। ଅନ୍ୟତମ ଭାରତୀୟ ଖେଳାଳି ସାଇନା ନେହ୍ବାଲ ତିନି ରାଉଣ୍ଡର କଡା ମୁକାବିଲା ପରେ ଥାଇଲାଣ୍ଡର ପର୍ଣ୍ଣପାଓ୍ବି ଚୋଚୁଓ୍ବଙ୍ଗଙ୍କୁ ପରାସ୍ତ କରିଥିଲେ। ସାଇନା ୨୧-୧୬, ୧୮-୨୧ ଏବଂ ୨୧-୧୯ ସେଟ୍‌ରେ ବିଜୟୀ ହୋଇଥିଲେ। ଅନ୍ୟପକ୍ଷରେ ମୁଖ୍ୟ ଡ୍ରରେ ପ୍ରବେଶ କରିଥିବା ପାରୁପଲ୍ଲୀ କଶ୍ୟପଙ୍କୁ ପରାଜୟର ସାମ୍ନା କରିବାକୁ ପଡିଛି। କଶ୍ୟପ୍‌ ଜାପାନର ୟୁ ଇଗାରାଶିଙ୍କ ନିକଟରୁ ୯-୨୧, ୨୧-୧୫ ଏବଂ ୧୬-୨୧ରେ ପରାସ୍ତ ହୋଇଥିଲେ।

( ମୋବାଇଲରେ ଫଟାଫଟ ଖବର ଜାଣିବା ପାଇଁ ପ୍ଲେ ଷ୍ଟୋରରୁ ଡାଉନଲୋଡ କରନ୍ତୁ sankhipta , ଡାଉନଲୋଡ ପରେ ଟିପରେ ସ୍କ୍ରିନକୁ ତଳୁ ଉପରକୁ ଘଷି ପଢିଚାଲନ୍ତୁ ଖବର ପରେ ଖବର )

Categories
ଆଜିର ଖବର

ସିଙ୍ଗାପୁର ଓପନ୍‌ ବ୍ୟାଡମିଣ୍ଟନ୍‌ : ଦ୍ବିତୀୟ ରାଉଣ୍ଡରେ ସିନ୍ଧୁ ଓ ସାଇନା

ସିିଙ୍ଗାପୁର ଓପନ ବ୍ୟାଡମିଣ୍ଟନ୍‌ ଟୁର୍ଣ୍ଣାମେଣ୍ଟର ପ୍ରଥମ ରାଉଣ୍ଡରେ ସହଜ ବିଜୟ ହାସଲ କରିଛନ୍ତି ଦୁଇ ଭାରତୀୟ ସୁପରଷ୍ଟାର ପିଭି ସିନ୍ଧୁ ଏବଂ ସାଇନା ନେହ୍ବାଲ। ପ୍ରଥମେ ମୁକାବିଲାରେ ଅବତୀର୍ଣ୍ଣ ହୋଇଥିବା ସିନ୍ଧୁଙ୍କ ମୁକାବିଲା ସମ୍ପୂର୍ଣ୍ଣ ଏକପାଖିଆ ରହିଥିଲା। ସିନ୍ଧୁ ମାତ୍ର ୨୭ ମିନିଟ୍‌ ସମୟ ନେଇ ବିପକ୍ଷ ଖେଳାଳି ଲିଆନ୍ନି ଆଲେସିାନ୍ଦ୍ରା ମାନିଆକିଙ୍କୁ  ପରାସ୍ତ କରିଥିଲେ।  ସିନ୍ଧୁ ସିଧାସଳଖ ମୁକାବିଲାରେ ୨୧-୯ ଏବଂ ୨୧-୭ ସେଟ୍‌ରେ ବିଜୟୀ ହୋଇଥିଲେ। ଅନ୍ୟତମ ଭାରତୀୟ ଖେଳାଳି ସାଇନା ନେହ୍ବାଲ ୨୧-୧୬ ଏବଂ ୨୧-୧୧ ର ସିଧାସଳଖ ସେଟ୍‌ରେ ଇଣ୍ଡୋନେସିଆର ୟୁଲିଆ ଯୋଶେଫିନ୍‌ ସୁଶାନ୍ତୋଙ୍କୁ ପରାସ୍ତ କରିଥିଲେ। ସିନ୍ଧୁ ଦ୍ବିତୀୟ ରାଉଣ୍ଡରେ ଡେନ୍‌ମାର୍କର ମିଆ ବ୍ଲିଚ୍‌ଫେଲ୍ଡଙ୍କୁ ଭେଟିବେ। ଅପରପକ୍ଷରେ ସାଇନା ମୁଗ୍ଧା ଆଗ୍ରେ ଏବଂ ପର୍ପୋନାଓ୍ବି ଚୋଚୁଓ୍ବାଙ୍ଗଙ୍କ ମୁକାବିଲାରେ ବିଜୟୀ ଖେଳାଳିଙ୍କୁ ଭେଟିବେ। ମିକ୍ସଡ୍‌ ଡବଲ୍ସରେ ପ୍ରଣବ ଜେରୀ ଚୋପ୍ରା ଏବଂ ଏନ୍‌ ସିକ୍କି ରେଡ୍ଡୀ ଅର୍ଜୁନ ଏମ୍‌ଆର ଏବଂ କେ ମନୀଷାଙ୍କୁୂ ୨୧-୧୮ ଏବଂ ୨୧-୭ ସେଟ୍‌ରେ ପରାସ୍ତ କରି ଦ୍ବିତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି। ପୁରୁଷ ଡବଲ୍ସରେ ମନୁ ଅତ୍ରି ଏବଂ ବି ସୁମିତ୍‌ ରେଡ୍ଡୀଙ୍କ ଯୋଡି ସ୍ଥାନୀୟ ଖେଳାଳି ଡ୍ୟାନି ବାଓ୍ବା କ୍ରିଷ୍ଟିଆନ୍‌ ଏବଂ କିନ୍‌ ହିନ୍‌ଙ୍କ ଯୋଡି ନିକଟରୁ ୧୩-୨୧ ଏବଂ ୧୭-୨୧ରେ ପରାଜିତ ହୋଇଥିଲେ।

( ମୋବାଇଲରେ ଫଟାଫଟ ଖବର ଜାଣିବା ପାଇଁ ପ୍ଲେ ଷ୍ଟୋରରୁ ଡାଉନଲୋଡ କରନ୍ତୁ sankhipta , ଡାଉନଲୋଡ ପରେ ଟିପରେ ସ୍କ୍ରିନକୁ ତଳୁ ଉପରକୁ ଘଷି ପଢିଚାଲନ୍ତୁ ଖବର ପରେ ଖବର )