Categories
ଅପରାଧ ଆଜିର ଖବର ଜାତୀୟ ଖବର

ଶିଖ ଦଙ୍ଗା ମାମଲା: ୨ ଶିଖଙ୍କ ହତ୍ୟା ଅପରାଧରେ କଂଗ୍ରେସ ନେତା ସଜ୍ଜନ କୁମାର ଦୋଷୀ ସାବ୍ୟସ୍ତ

ନୂଆଦିଲ୍ଲୀ: ୧୯୮୪ ଶିଖ ବିରୋଧୀ ଦଙ୍ଗା ମାମଲାରେ ଦିଲ୍ଲୀର ରାଉସ୍ ଆଭେନ୍ୟୁ କୋର୍ଟ କଂଗ୍ରେସ ନେତା ସଜ୍ଜନ କୁମାରଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ଫେବୃଆରୀ ୧୮ ତାରିଖରେ ସଜ୍ଜନ କୁମାରଙ୍କ ଦଣ୍ଡ ଉପରେ ବିତର୍କ ହେବ।

ନଭେମ୍ବର ୧ ତାରିଖ ୧୯୮୪ ରେ ଦିଲ୍ଲୀର ସରସ୍ୱତୀ ବିହାରରେ ଜସୱନ୍ତ ସିଂ ଏବଂ ତାଙ୍କ ପୁଅ ତରୁଣଦୀପ ସିଂଙ୍କ ହତ୍ୟା ମାମଲାରେ ସଜ୍ଜନ କୁମାର ଅଭିଯୁକ୍ତ ଥିଲେ। ଏହି ମାମଲାରେ ଆଜି କୋର୍ଟ ଏହାର ରାୟ ଶୁଣାଇଛନ୍ତି।

ସଜ୍ଜନ କୁମାରଙ୍କ ବିରୋଧରେ କ’ଣ ଅଭିଯୋଗ ରହିଛି?:

ଆଇପିସିର ଧାରା ୧୪୭/ ୧୪୮/ ୧୪୯/ ୩୦୨/୩୦୮/ ୩୨୩/୩୯୫/ ୩୯୭/ ୪୨୭/ ୪୩୬/ ୪୪୦ ଅନୁଯାୟୀ ଅପରାଧ ପାଇଁ କୋର୍ଟ ଅଭିଯୁକ୍ତ ସଜ୍ଜନ କୁମାରଙ୍କ ବିରୋଧରେ ମାମଲା ରୁଜୁ କରିଥିଲେ।

ଏସଆଇଟି ଅଭିଯୋଗ କରିଛି ଯେ, ସଜ୍ଜନ କୁମାର ଭିଡ଼ଙ୍କୁ ଆଗେଇ ନେଉଥିଲେ ଏବଂ ତାଙ୍କ ପ୍ରବର୍ତ୍ତନରେ ଦୁର୍ବୃତ୍ତମାନେ ଦୁଇ ଜଣଙ୍କୁ ଜୀବନ୍ତ ଜାଳି ଦେଇଥିଲେ ଏବଂ ସେମାନଙ୍କ ଘରର ସାମଗ୍ରୀ ଏବଂ ଅନ୍ୟାନ୍ୟ ସମ୍ପତ୍ତି ମଧ୍ୟ ନଷ୍ଟ କରିଥିଲେ।

ଦୁର୍ବୃତ୍ତମାନେ ପୀଡିତଙ୍କ ଘର ପୋଡି ଦେବା ସହ ସେମାନଙ୍କ ପରିବାର ସଦସ୍ୟ ଏବଂ ସେମାନଙ୍କ ଘରେ ରହୁଥିବା ସମ୍ପର୍କୀୟଙ୍କୁ ଗୁରୁତର ଆହତ କରିଥିଲେ। ନଭେମ୍ବର ୧ ତାରିଖ ୨୦୨୩ରେ ଅଦାଲତ ଏହି ମାମଲାରେ ସଜ୍ଜନ କୁମାରଙ୍କ ବିବୃତ୍ତି ରେକର୍ଡ କରିଥିଲେ। ସଜ୍ଜନ କୁମାର ତାଙ୍କ ବିରୋଧରେ ଆସିଥିବା ସମସ୍ତ ଅଭିଯୋଗକୁ ଅସ୍ୱୀକାର କରିଥିଲେ।

ଦିଲ୍ଲୀ କ୍ୟାଣ୍ଟରେ ଶିଖ ବିରୋଧୀ ଦଙ୍ଗାର ଅନ୍ୟ ଏକ ମାମଲାରେ ସଜ୍ଜନ କୁମାର ବର୍ତ୍ତମାନ ଆଜୀବନ କାରାଦଣ୍ଡରେ ଅଛନ୍ତି।